Categories
ବିଶେଷ ଖବର

ସେପ୍ଟେମ୍ବର ଶେଷ ସୁଦ୍ଧା ଭାରତ ପୃଥିବୀର ସର୍ବାଧିକ କରୋନା ଆକ୍ରାନ୍ତ ଦେଶ ହେବାର ସମ୍ଭାବନା

କେଦାର ମିଶ୍ର 

ଦେଖୁ ଦେଖୁ ପାଞ୍ଚମାସ ସମୟ ବିତିଗଲାଣି। ମାର୍ଚ୍ଚ ମାସର ତୃତୀୟ ସପ୍ତାହ ବେଳକୁ ଆମେ କରୋନା ଭୂତାଣୁକୁ ନୂଆ କରି ଜାଣୁଥିଲୁ। ସେତେବେଳେ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଯେଉଁ ଦୈନିକ ବୁଲେଟିନ ବାହାର କରୁଥିଲେ ସେଇଠି ଆମେ ଦେଖୁଥିଲୁ କରୋନାକୁ ନେଇ ତିନୋଟି ଦେଶ ବେଶୀ ଆକ୍ରାନ୍ତ- ଚୀନ, ଦକ୍ଷିଣ କୋରିଆ ଓ ଇରାନ। ଏହି ତିନୋଟି ଦେଶରେ ଯେତିକି ସଂଖ୍ୟକ ଆକ୍ରାନ୍ତ ସେତେବେଳେ ବାହାରୁଥିଲେ,ଏବେ ଗୋଟିଏ ଦିନରେ ତାଠୁ ଢେର ଗୁଣ ଅଧିକ ଆକ୍ରାନ୍ତ ଆମ ଦେଶରେ ବାହାରୁଛନ୍ତି। ଚୀନରେ ଆରମ୍ଭ ହୋଇଥିବା ଏହି ଭୂତାଣୁ ସେଠାରେ ମାତ୍ର ୮୪,୮୭୧ ଲୋକଙ୍କ୍ଜୁ ଆକ୍ରାନ୍ତ କରିଥିଲ।। ଆମ ଦେଶରେ ଏବେ ଦିନକୁ ୫୫ ରୁ ୬୫ ହଜାର ଆକ୍ରାନ୍ତ ବାହାରୁଛନ୍ତି। ମାର୍ଚ୍ଚ ମାସରେଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟାରେ ଏକ ନମ୍ବର ଥିବା ଚୀନ ଅଗଷ୍ଟ ମାସ ବେଳକୁ ୩୪ ନମ୍ବର ସ୍ଥାନକୁ ଖସି ଆସିଛି। ସେହିପରି ଦକ୍ଷିଣ କୋରିଆ ୭୪ ଓ ଇରାନ ୧୧ ସ୍ଥାନକୁ ଖସିଛନ୍ତି। ମାର୍ଚ୍ଚ ପରେ ଏପ୍ରିଲ ରେ କରୋନା ଚିତ୍ର ବଦଳିଗଲା ଓ ଚୀନ, ଇରାନ, ଦକ୍ଷିଣ କୋରିଆ ବଦଳରେ ଇଟାଲୀ, ସ୍ପେନ, ଫ୍ରାନ୍ସ, ଇଂଲଣ୍ଡ ଓ ଜର୍ମାନୀରେ ସଂକ୍ରମଣ ବଢିଲା। ଏହି ସମୟରେ ଆମେରିକା ସ୍ଥିତି ମଧ୍ୟ ଜଟିଳ ହେବା ଆରମ୍ଭ କରିଥିଲା। ସମୟକ୍ରମେ ୟୁରୋପୀୟ ଦେଶଙ୍କ ସ୍ଥାନ ଆମେରିକା,ବ୍ରାଜିଲ ଓ ଭାରତ ନେଇଛନ୍ତି।

ଆଜିର ତାରିଖରେ କାରୋନାର ସତ୍ୟ ହେଉଛି, ପୃଥିବୀର ସବୁଠୁ ଅଧିକ ଆକ୍ରାନ୍ତ ଭାରତରେ ଚିହ୍ନଟ ହେଉଛନ୍ତି। ଅଗଷ୍ଟ ୧୭ ତାରିଖ ଦିନ ପୃଥିବୀରେ ନୂଆ କରୋନା ଆକ୍ରାନ୍ତଙ୍କର ସଂଖ୍ୟା ଥିଲା ୧.୯୮,୫୩୫। ସେଥିରୁ ଭାରତରେ ଆକ୍ରାନ୍ତ ଥିଲେ ୫୪,୨୮୮। ଅର୍ଥାତ ପୃଥିବୀର ୨୭.୩% ନୂଆ ଆକ୍ରାନ୍ତ କେବଳ ଭାରତରୁ ଚିହ୍ନଟ ହେଉଛନ୍ତି। ଏହି ଦିନ ଆମେରିକାରେ ପ୍ରାୟ ୪୦ ହଜାର ଓ ବ୍ରାଜିଲରେ ୨୩ ହଜାର ଆକ୍ରାନ୍ତ ବଢିଛନ୍ତି। ଏହି ସଂଖ୍ୟା ସତ୍ତ୍ୱେ ଭାରତ ସରକାର ଆମକୁ ବୁଝାଇବାକୁ ଚେଷ୍ଟା କରୁଛନ୍ତି ଯେ, ଆମ ଦେଶରେ ପରୀକ୍ଷା ତୁଳନାରେ ଆକ୍ରାନ୍ତଙ୍କ ହାର କମ ରହିଛି। ଗତ ପନ୍ଦର ଦିନରେ ଦେଶରେ ପ୍ରାୟ ଏକ କୋଟି ଲୋକଙ୍କର କରୋନା ପରୀକ୍ଷା ହୋଇଛି ଓ ସେଥିରୁ ୧୦ ଲକ୍ଷ ୧୧ ହଜାର ନୂଆ ଆକ୍ରାନ୍ତ ବାହାରିଛନ୍ତି। ଅର୍ଥାତ ୧୫ ଦିନରେ ଦେଶରେ ନୂଆ ପୋଜିଟିଭ ହାର ୧୦% ରହିଛି। ଏହା ଉଦବେଗଜନକ ସଂଖ୍ୟା ନୁହେଁ କି?

ମୃତ୍ୟୁ ସଂଖ୍ୟା ବଢୁଛି ହେଲେ ମୃତ୍ୟୁହାର କମ ରହିଛି ବୋଲି ଭାରତ ସରକାରଙ୍କ ଯୁକ୍ତି ରେ ମଧ୍ୟ ଅନେକ ପ୍ରଶ୍ନବାଚୀ ରହିଛି। ଗତ ୧୫ ଦିନ ଭିତରେ ଦେଶରେ ପ୍ରାୟ ୧୫ ହଜାର ଲୋକ ମୃତ୍ୟୁବରଣ କରିଛନ୍ତି। ଏବେ ମୃତ୍ୟୁ ସଂଖ୍ୟା ଦୈନିକ ପ୍ରାୟ ୧୦୦୦ ରେ ପହଞ୍ଚିଛି। ଅଧିକ ସଂଖ୍ୟକ ନୂଆ ଆକ୍ରାନ୍ତ ଯେହେତୁ ଗତ ୧୫ ଦିନରେ ବାହାରିଛନ୍ତି, ତେଣୁ ଆଗକୁ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା ରହିଛି। ତେବେ ଅଧିକ ଆକ୍ରାନ୍ତ ବାହାରିବା ସହିତ ଅଧିକ ଆରୋଗ୍ୟ ହାର ବଢୁଛି। ଏମାନଙ୍କ ଭିତରୁ ଜଟିଳ ସ୍ଥିତିରେ ଥିବା ଆକ୍ରାନ୍ତଙ୍କ ସଂଖ୍ୟା ଉପରେ ଆଗାମୀ ସମୟର ମୃତ୍ୟୁହାର ନିର୍ଭର କରିବ।

ଗଣିତ ମାଧ୍ୟମରେ ହୁଏତ ଆମେ କହିବାକୁ ଚେଷ୍ଟା କରୁଛୁ ଯେ, ଆମ ଲୋକ ସଂଖ୍ୟା ଦୃଷ୍ଟିରୁ ଏତେ ଲୋକ ମରିବା ସ୍ଵାଭାବିକ। ଏହି ଯୁକ୍ତି ସଂପୂର୍ଣ୍ଣ ଅମାନବୀୟ। ୟୁରୋପୀୟ ଦେଶ ସମୂହ ଓ ଆମେରିକାରେ ବୟସ୍କ ଲୋକଙ୍କ ସଂଖ୍ୟା ଅଧିକ। ସେହି ସବୁ ଦେଶରେ ଜରା ନିବାସ ଓ ବୟସ୍କ ଲୋକଙ୍କ ଜୀବନ ହାନି ଘଟୁଛି। ଭାରତ ଅପେକ୍ଷାକୃତ ତରୁଣମାନଙ୍କର ଦେଶ। ଏସିଆ ମହାଦେଶରେ ଇରାନ କୁ ବାଦ ଦେଲେ ଅନ୍ୟ କୌଣସି ଦେଶରେ ମୃତ୍ୟୁହାର ସେତେବେଶୀ ନୁହଁ। ଆମର ପଡୋଶୀ ପାକିସ୍ତାନରେ ଏବେ ଆରୋଗ୍ୟ ହାର ୯୩% ରୁ ଅଧିକ। ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ପାକିସ୍ତାନରେ ଗତ ୧୫ ଦିନରେ ପ୍ରାୟ ୯୦୦୦। ଏସିଆର ଅନ୍ୟାନ୍ୟ ଦେଶ ସଂକ୍ରମଣ ଓ ମୃତ୍ୟୁହାର ରୋକିବାରେ ସଫଳ ହୋଇ ଚାଲିଛନ୍ତି। ଆମେ ସେମାନଙ୍କ ତୁଳନାରେ ଭଲ ସ୍ଥିତି ରେ ସତରେ ରହିଛୁ କି?

ବର୍ତ୍ତମାନ ସଂକ୍ରମଣ ସ୍ଥିତି ଦେଖି ସହଜରେ ଅନୁମାନ କରିହେବ ଯେ ଅଗଷ୍ଟ ଶେଷ ବେଳକୁ ଆମେ ହୁଏତ ବ୍ରାଜିଲକୁ ପଛରେ ପକାଇ ଦ୍ଵିତୀୟ ସର୍ବାଧିକ ସଂକ୍ରମିତ ଦେଶ ଭାବରେ ଉଭା ହେବୁ। ଆମ ଆଗକୁ କେବଳ ଆମେରିକା ରହିବ। ତେବେ ଆମେରିକାରେ ସଂକ୍ରମଣ ସ୍ଥିତି ଏବେ ସୁଧୁରୁଛି ଓ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଦୈନିକ ୪୦ ହଜାର ଭିତରେ ରହୁଛି। ସେପ୍ଟେମ୍ବର ମାସରେ ଯଦି ଆମର ଆକ୍ରାନ୍ତଙ୍କ ସଂଖ୍ୟା ନିୟନ୍ତ୍ରିତ ନ ହୁଏ ତାହେଲେ ଆମେ ହୁଏତ ସେପ୍ଟମ୍ବର ଶେଷ ସୁଦ୍ଧା ଆମେରିକାକୁ ଟପି ଏକ ନମ୍ବର କରୋନା ଆକ୍ରାନ୍ତ ଦେଶ ହେବାର ରେକର୍ଡ କରିବାର ସମ୍ଭାବନା ବହୁ ଅଧିକ।

ଏହି ସ୍ଥିତି ଆମକୁ ଅଧିକ ସଂକ୍ରମଣ ଓ ମରଣ କେବଳ ଦେବ ନାହିଁ, ଏହା ଆମର ଆର୍ଥିକ ସ୍ଥିତିକୁ ଅଧିକ ଦୁର୍ବଳ କରିବ। ପୃଥିବୀର ଅନ୍ୟ ଦେଶ ସବୁ କରୋନା ମୁକ୍ତ ହୋଇ ନିଜକୁ ସଜାଡିବା ଆରମ୍ଭ କରୁଥିବା ବେଳେ ଭାରତ ସଂକ୍ରମଣର ଶିକାର ରେ ପହଞ୍ଚିବା। ଏହା ଆଦୌ ଭଲ ସୂଚନା ନୁହେଁ।

Categories
ଆଜିର ଖବର ବିଶେଷ ଖବର

ପ୍ରଥମେ ନା ନା, ଏବେ ‘ହୁ’ କହିଲା ପବନରେ ବି ସଂକ୍ରମିତ ହୋଇପାରେ ମହାମାରୀ କରୋନା

ସମୀକ୍ଷା ବ୍ୟୁରୋ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ‘ହୁ’ ପ୍ରଥମେ କହୁଥିଲା ମହାମାରୀ କରୋନା ବାୟୁ ସଂକ୍ରମିତ ନୁହେଁ । ଏହା କେବଳ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଲେ ହିଁ ସଂକ୍ରମଣ ହୋଇଥାଏେ। କିନ୍ତୁ ପବନରେ ବି କରୋନା ଭୂତାଣୁ ସଂକ୍ରମିତ ହେବାର ଆଶଙ୍କା ରହିଛି ବୋଲି ୩୨ଟି ଦେଶର ୨୩୯ ଜଣ ବୈଜ୍ଞାନିକ ମତାମତ ଦେବା ପରେ ‘ହୁ’ ଏଥିରେ ସମ୍ପୂର୍ଣ୍ଣ ଏକମତ ହୋଇନଥିଲେ ସୁଦ୍ଧା ଏହାକୁ ଅଗ୍ରାହ୍ୟ ବି କରିନାହିଁ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଶେଷରେ ସ୍ୱୀକାର କରିଛି ଯେ, କରୋନା ବାୟୁ ବାହିତ । ଅର୍ଥାତ କରୋନା ଭୂତାଣୁ ବାୟୁ ଦ୍ୱାରା ମଧ୍ୟ ପରିବାହିତ ହୋଇପାରେ । କିନ୍ତୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସ୍ପଷ୍ଟ କରିଛି, ଏହା ଉପରେ ଅଧିକ ଗବେଷଣା ଆବଶ୍ୟକ । କାଶିବା କିମ୍ବା ଛିଙ୍କିବା ଦ୍ୱାରା ଜଣେ ବ୍ୟକ୍ତିଠାରୁ ନିର୍ଗତ ହେଉଥିବା ଡ୍ରପଲେଟ୍ସ ବା ଜଳୀୟ କଣାରେ କରୋନା ଭୂତାଣୁ ସଂକ୍ରମିତ ହୁଏ ବୋଲି ଡବ୍ଲୁଏଚଓ ପକ୍ଷରୁ କୁହାଯାଉଥିଲା । ଏବେ ବାୟୁ ମଣ୍ଡଳରେ ଭାସମାନ ଅବସ୍ଥାରେ ଛୋଟ ଛୋଟ ଜଳକଣିକା ଦ୍ୱାରା ମଧ୍ୟ କରୋନା ଭୂତାଣୁ ସଂକ୍ରମିତ ହେବାର ଆଶଙ୍କା ରହିଥିବା ସ୍ୱୀକାର କରିଛି ହୁ’।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ଚିଠି ଲେଖି ଏହି ବୈଜ୍ଞାନିକମାନେ ଗାଇଡଲାଇନରେ ପରିବର୍ତନ କରିବାକୁ ପରାମର୍ଶ ଦେଇଥିଲେ । ବିଶେକ କରି ଅତି ଗହଳି ସ୍ଥାନ, ନିବୁଜ କୋଠରୀ କିମ୍ବା ଅଳ୍ପ ବାୟୁ ଚଳାଚଳ କରୁଥିବା ସ୍ଥାନରେ କରୋନା ଭୂତାଣୁ ବାୟୁ ଦ୍ୱାରା ସୁସ୍ଥ ଲୋକ ଦେହକୁ ସଂକ୍ରମିତ ହୋଇପାରେ ବୋଲି ବୈଜ୍ଞାନିକମାନେ ଦାବି କରିଥିଲେ । ଏନେଇ ହୁ’ର ସଂକ୍ରମଣ ନିବାରଣ ଓ ନିୟନ୍ତ୍ରଣ ପ୍ରମୁଖ କହିଛନ୍ତି ଯେ, ଏହି ଦାବିକୁ ପ୍ରମାଣ କରିବା ଲାଗି ଅଧିକ ତଥ୍ୟ ସଂଗ୍ରହ କରାଯାଉଛି ।

ପ୍ରମାଣ ମିଳିଲେ ଯାଇ ଡବ୍ଲୁଏଚଓ ତାର ଗାଇଡଲାଇନରେ ପରିବର୍ତ୍ତନ କରିବ । ବର୍ତମାନ କେବଳ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରଖିବା ଉପରେ ଗୁରୁତ୍ୱ ଦିଆଯାଉଛି । କରୋନା ଭୂତାଣୁ ବାୟୁବାହିତ ବୋଲି ପ୍ରମାଣ ସିଦ୍ଧ ହେଲେ ତିନି ଲେୟାର ବିଶିଷ୍ଟ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇ ପାରେ ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

କରୋନା ଚିକିତ୍ସାରେ ହାଇଡ୍ରୋକ୍ସି କ୍ଲୋରୋକୁଇନ୍‌ ବ୍ୟବହାରକୁ ଡବ୍ଲୁଏଚ୍‌ଓର ଗ୍ରୀନ୍‌ ସିଗନାଲ୍‌

ନୂଆଦିଲ୍ଲୀ : ସାରା ବିଶ୍ବରେ ଏବେ ମହାମାରୀ କରୋନା ସଂକଟ । କରୋନା ମୁକାବିଲା ପାଇଁ ସବୁ ଦେଶ ଉଦ୍ୟମ ଜାରି ରଖିଛନ୍ତି । କରୋନା ମୁକାବିଲା ପାଇଁ ହାଇଡ୍ରୋକ୍ସି କ୍ଲୋରୋକୁଇନ୍‌କୁ ଡବ୍ଲୁଏଚ୍‌ଓ ଗ୍ରୀନ୍‌ ସିଗନାଲ୍‌ ଦେଇଛି  । କରୋନା ଚିକିତ୍ସାରେ ଏବେ ପୁଣି ହାଇଡ୍ରୋକ୍ସି କ୍ଲୋରୋକୁଇନର ବ୍ୟବହାର ହେବ । ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଭାରତର ପ୍ରସ୍ତାବକୁ ଗ୍ରହଣ କରିଛି । ପୂର୍ବରୁ ହାଇଡ୍ରୋକ୍ସି କ୍ଲୋରୋକୁଇନ ବ୍ୟବହାର ବିପଦଜନକ ଥିବାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଏହାର ବ୍ୟବହାର କରିବାକୁ ମନା କରାଯାଇଥିଲା । ଆବଶ୍ୟକ ପରୀକ୍ଷଣ ପ୍ରଟୋକଲ ଆଧାରରେ ଭାରତ ପ୍ରସ୍ତାବ ଦେଇଥିଲା। କିନ୍ତୁ କରୋନା ସଂକ୍ରମଣ କମାଇବାକୁ ହାଇଡ୍ରୋକ୍ସି କ୍ଲୋରୋକୁଇନର ସପକ୍ଷରେ ଭାରତ ଦୃଢ ଯୁକ୍ତି ପରେ ଡବ୍ଲୁଏଚଓ ଏବେ ପୂର୍ବ ଆଭିମୁଖ୍ୟ ବଦଳାଇଛି । (ଏଜେନ୍ସି)

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ସ୍ବାସ୍ଥ୍ୟ

ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନକୁ ଫଣ୍ଡିଂ ବନ୍ଦ କରିବା ନେଇ ଟ୍ରମ୍ପଙ୍କ ସୂଚନା

ନ୍ୟୁୟର୍କ : ସମଗ୍ର ବିଶ୍ବରେ ତଥା ଆମେରିକାରେ କରୋନାର ତାଣ୍ଡବ ପାଇଁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନକୁ ଦାୟୀ କରିଛି ଆମେରିକା । ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନକୁ ଦାୟୀ କରିବା ସହିତ ଆଗାମୀ ଦିନରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନକୁ ଫଣ୍ଡିଂ ବନ୍ଦ କରିବା ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୂଚନା ଦେଇଛନ୍ତି । ଚୀନ୍‌ରେ କରୋନା ଭାଇରସ୍‌ ବ୍ୟକାପିବା ସମୟରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ କୌଣସି ଠୋସ୍‌ ପଦକ୍ଷେପ ଗ୍ରହଣ କରାଯାଇନଥିଲା ।ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ଅପାରଗତା କାରଣରୁ କରୋନା ଏକ ବିଶ୍ବ ସଙ୍କଟର ରୂପ ନେଇଥିଲା । ତେଣୁ ଆସନ୍ତା ବର୍ଷ ଠାରୁ ଆମେରିକା ଏହାର ଫଣ୍ଡି ବନ୍ଦ କରିବାର ନିଷ୍ପତ୍ତି ନେଇଛି ବୋଲି ଟ୍ରମ୍ପ ମତ ଦେଇଥିଲେ । ଟ୍ରମ୍ପଙ୍କ ଏହି ମତ ପରେ ମିଳିତ ଜାତିସଙ୍ଘ ସାଧାରଣ ସମ୍ପାଦକ ଆଣ୍ଟୋନିଓ ଗଟେରସ୍‌ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଏପରି ସଙ୍କଟ ସମୟରେ ସମଗ୍ର ବିଶ୍ବ ଏକତ୍ରିତ ହୋଇ କାମ କରିବା ଉଚିତ୍‌ ବୋଲି ଗଟେରସ୍‌ ପ୍ରକାଶ କରିଛନ୍ତି । (ଏଜେନ୍ସି)

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

କରୋନା ମୁକାବିଲାରେ ମୋଦିଙ୍କ ଉଦ୍ୟମକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ପ୍ରଶଂସା

ନୂଆଦିଲ୍ଲୀ : ଭାରତରେ କରୋନାର ମୁକାବିଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ମୁଖ୍ୟ । ଗରିବ ଲୋକଙ୍କ ପାଇଁ ମୋଦି ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପକୁ ହୁର ମୁଖ୍ୟ ଟେଡ୍ରୋସ୍ ଆଧାନୋମ୍ ଘେବ୍ରେସ୍ୟସ୍ ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ୧.୭୦ ଲକ୍ଷ କୋଟି ଟଙ୍କାର ସହାୟତାକୁ ଟେଡ୍ରୋସ୍ ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଏପରି ଉଦ୍ୟମକୁ ମୁଁ ପ୍ରଶଂସା କରୁଛି ବୋଲି ଟେଡ୍ରୋସ୍ ଟ୍ୱିଟ୍ କରିଛନ୍ତି । ସେହିପରି ଦାରିଦ୍ର‌୍ୟ ସୀମାରେଖା ତଳେ ରହିଥିବା ଲୋକଙ୍କ ଆକାଉଣ୍ଟକୁ ସିଧାସଳଖ ଅର୍ଥ ପ୍ରଦାନ ଠାରୁ ଆରମ୍ଭ କରି ରନ୍ଧାଖାଦ୍ୟ ପ୍ରଦାନ ପରି ପଦକ୍ଷେପକୁ ଟେଡ୍ରୋସ୍ ପ୍ରଦାନ କରିଥିଲେ ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ସ୍ବାସ୍ଥ୍ୟ

କରୋନା : ଅନ୍ତର୍ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କଲା ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ

ନୂଆଦିଲ୍ଲୀ : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରୋନା ଭାଇରସକୁ ଅନ୍ତର୍ଜାତୀୟ ଜରୁରୀକାଳୀନ ଘୋଷଣା କରିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡୋସ ଆଡନମ କହିଛନ୍ତି, ଭାଇରସ ବ୍ୟାପୁଥିବା ବେଳେ ଏହାକୁ ଅଟକାଇବା ପାଇଁ ସ୍ୱାସ୍ଥ୍ୟ ବ୍ୟବସ୍ଥା ଯଥେଷ୍ଟ ନ ଥିବାରୁ ଏବେ ଏହା ଚିନ୍ତାର ବିଷୟ ହୋଇଛି । ଟେଡୋସ କହିଛନ୍ତି, ଆମେ ସମସ୍ତେ ଏକାଠି ହୋଇ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଉଦ୍ୟମ କରିବାକୁ ହେବ ।  ସୂଚନାଯୋଗ୍ୟ, ଚୀନ୍‌ରେ ଏବେ ଏହି ଭାଇରସ୍‌ ବେଶ୍‌ ଭୟଙ୍କର ରୂପ ଧାରଣ କରିଥିବାବେଳେ ଏଥିରେ ମୃତ ସଂଖ୍ୟା 213କୁ ବୃଦ୍ଧି ହୋଇଛି । ଏହି ଭାଇସର୍‌ରେ 10 ହଜାର ଲେକ ସଂକ୍ରମଣର ଶିକାର ହୋଇଛନ୍ତି । ଚୀନ୍‌ ବ୍ୟତୀତ ଏହି ଭାଇରସ୍‌ ବିଶ୍ବର 18ଟି ଦେଶକୁ ବ୍ୟାପିଛି । (ଏଜେନ୍ସି)