Categories
ଆଜିର ଖବର ଆଞ୍ଚଳିକ

ଚିଲିକାରେ ବଢିଲା ସଂକ୍ରମଣ: ଏହି ଗ୍ରାମକୁ କରାଗଲା କଣ୍ଟେନମେଣ୍ଟ, ବନ୍ଦ ରହିବ ଟୀକା ଆଉ ଟେଷ୍ଟିଙ୍ଗ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ କରୋନା ସଂକ୍ରମଣ ଆଜି ଅଣାୟତ୍ତ ଅବସ୍ଥାରେ ଅଛି। ସ୍ଥାନୀୟ ଏବଂ ଜିଲ୍ଲା ପ୍ରଶାସନର ଶତ ଚେଷ୍ଟା ସତ୍ତ୍ୱେ ସଂକ୍ରମଣ କମିବାର ନାଁ ଧରୁନାହିଁ।  ଆଜି ଉକ୍ତ ନିର୍ବାଚନମଣ୍ଡଳୀରେ ମୋଟ ୮୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଯାହାକି ଗତକାଲି ସଂଖ୍ୟାର ୩୦ ପ୍ରତିଶତ ଅଧିକ। ଚିହ୍ନଟ ହୋଇଥିବା ୮୦ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରେ ୧୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଚିଲିକା ବ୍ଲକରୁ ୫୦ ଜଣ, ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୧୨ ଜଣ ଏବଂ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଆଜି ୬୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସୁସ୍ଥ ୬୦ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରୁ ୬ ଜଣ ସୁସ୍ଥ ହୋଇଥିବା ବେଳେ ଚିଲିକା ବ୍ଲକରୁ ୪୮ ଜଣ ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରୁ ୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ବାଣପୁର ବିଜ୍ଞାପିତ ଅଞ୍ଚଳରୁ ୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ତେବେ ଆଜି ସୁଦ୍ଧା ବାଣପୁର ବ୍ଲକରେ ୧୭୭ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ବେଳେ ବାଣପୁର ବିଜ୍ଞାପିତ ଅଞ୍ଚଳରେ ୨୪ ଜଣ, ଚିଲିକା ବ୍ଲକରେ ୧୪୫ ଜଣ ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରେ ୬୦ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି।

ତେବେ ବାତ୍ୟା ପରବର୍ତ୍ତୀ ପଦକ୍ଷେପ ନିମନ୍ତେ ଆସନ୍ତାକାଲି ଉଭୟ ବାଣପୁର ଏବଂ ବାଲୁଗାଁରେ ଟୀକାକରଣ ବନ୍ଦ ରହିବା ସହ କୋଭିଡ ଟେଷ୍ଟିଙ୍ଗ ପ୍ରକ୍ରିୟା ବନ୍ଦ ରହିବ। ଏନେଇ ଉଭୟ ମେଡିକାଲ ଅଧିକାରୀ ସୂଚନା ଦେଇଛନ୍ତି।

ସେହିପରି ଭାବେ ଆଜି ଖୋର୍ଦ୍ଧା ଉପଜିଲ୍ଲାପାଳ ଅଶୋକ ବେହୁରିଆ ବାଣପୁର ବ୍ଲକ ଅନ୍ତର୍ଗତ ନନ୍ଦପୁର ପଞ୍ଚାୟତର ନହରଡ଼ିହି ଗ୍ରାମ (୨୮ ପରିବାର) କୁ ଆସନ୍ତା ଜୁନ ୩ ତାରିଖ ରାତ୍ର ୯ ଘଟିକା ଯାଏଁ ସଂପୂର୍ଣ୍ଣ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ

ବାତ୍ୟା ମୁକାବିଲା: ଚିଲିକାର ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କଲେ ଖୋର୍ଦ୍ଧା ଉପଜିଲ୍ଲାପାଳ

ସୀତାରାମ ଅଗ୍ରୱାଲ

ଚିଲିକା: ଆସନ୍ତାକାଲି ସାମୁଦ୍ରିକ ଝଡ ‘ୟଶ’ ଓଡ଼ିଶାରେ ଲ୍ୟାଣ୍ଡଫଲ କରିବ। ଏହି ପରିପ୍ରେକ୍ଷୀରେ ସରକାରଙ୍କ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାକୁ ମଧ୍ୟ ବିପଦ ଜୋନ ଭାବେ ଘୋଷଣା କରାଯାଇଛି। ଖୋର୍ଦ୍ଧା ଜିଲ୍ଲାର ଚିଲିକା ନିର୍ବାଚନମଣ୍ଡଳୀରେ ମୁଖ୍ୟତଃ ବାତ୍ୟାର ପ୍ରଭାବ ପଡ଼ିବାର ଆଶଙ୍କା ରହିଛି। ଏଥିଲାଗି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ସ୍ଥାନୀୟ ପ୍ରଶାସନ ସହ ତୁହାକୁ ତୁହା ବୈଠକ ଜାରି ରଖିବା ସହ ଚିଲିକା ଅଞ୍ଚଳକୁ ବାରମ୍ବାର ପରିଦର୍ଶନ ମଧ୍ୟ ଜାରି ରହିଛି।

ଆଜି ଖୋର୍ଦ୍ଧା ଉପଜିଲ୍ଲାପାଳ ଅଶୋକ ବେହୁରିଆ ଚିଲିକା ଗସ୍ତରେ ଆସିଛନ୍ତି। ଉପଜିଲ୍ଲାପାଳ ମଧ୍ୟାହ୍ନରୁ ଚିଲିକା ବ୍ଲକ ଏବଂ ବାଲୁଗାଁ ଏନଏସି ର ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ ଜାରି ରଖିଛନ୍ତି। ତତ ସହିତ ବିପଦପୂର୍ଣ୍ଣ ଅଞ୍ଚଳରେ ବସବାସ କରୁଥିବା ଜନସାଧାରଣମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରିବା ଉପରେ ଉପଜିଲ୍ଲାପାଳ ଗୁରୁତ୍ଵ ଦେଉଛନ୍ତି। ସମଗ୍ର ନିର୍ବାଚନମଣ୍ଡଳୀରେ ଜିରୋ କାଜୁଆଲିଟି ଲକ୍ଷ ରଖି ଉପଜିଲ୍ଲାପାଳ କାମ ବଢ଼ାଇଛନ୍ତି।

ଆଜି ଉପଜିଲ୍ଲାପାଳ ଚିଲିକା ବ୍ଲକର ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ଯଥା ଅଠରବାଟିଆ ଉଚ୍ଚ ବିଦ୍ୟାଳୟ, ବଡ଼କୁଳ ଉଚ୍ଚ ବିଦ୍ୟାଳୟ ଏବଂ ବିଭିନ୍ନ ତଳି ଅଞ୍ଚଳ ଯଥା ଚନ୍ଦ୍ରାପୁଟ ଗ୍ରାମ, ଅଶ୍ୱରୀପାଟଣା ଗ୍ରାମ ଆଦି ପରିଦର୍ଶନ କରିଥିବାବେଳେ ବାଲୁଗାଁ ଏନଏସି ର ଶାନ୍ତି ନଗର, ସନ୍ୟାସୀ ନଗର, ତଳପଟି ଆଦି ଅଞ୍ଚଳ ପରିଦର୍ଶନ କରିବା ସହ ବାଲୁଗାଁ ଉଚ୍ଚ ବିଦ୍ୟାଳୟରେ ବ୍ୟବସ୍ଥା ହୋଇଥିବା ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀର ତଦାରଖ କରିଥିଲେ।

ତେବେ ଆଜି ରାତି ୮ ଟା ସୁଦ୍ଧା ଚିଲିକା ବ୍ଲକର ୧୧ଟି ବାତ୍ୟା ଆଶ୍ରୟସ୍ଥଳୀରେ ୩୧୧ ଜଣ ଏବଂ ବାଲୁଗାଁ ଏନଏସି ର ବାଲୁଗାଁ ଉଚ୍ଚ ବିଦ୍ୟାଳୟରେ ୫୭ ଜଣ ନାଗରିକଙ୍କୁ ସ୍ଥାନାନ୍ତରିତ କରାଯାଇଥିବାର ଉପ ଜିଲ୍ଲାପାଳ ଶ୍ରୀ ବେହୁରିଆ ସୂଚନା ଦେଇଛନ୍ତି। ଏବଂ ପାଖପାଖି ୧୦୦ ଟି ବିଦ୍ୟାଳୟ ମଧ୍ୟ ବାତ୍ୟା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ଥିବା ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି।

ଉପଜିଲ୍ଲାପାଳଙ୍କ ଗସ୍ତ ସମୟରେ ଚିଲିକା ତହସିଲଦାର ପୁନମ ମହାପାତ୍ର, ଅତିରିକ୍ତ ତହସିଲଦାର ଅପର୍ଣ୍ଣା ଡାଙ୍ଗୁଆ, ବାଲୁଗାଁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଆକୃତି ଗୋଏଙ୍କା, ବାଲୁଗାଁ ଆଇଆଇସି ରମାକାନ୍ତ ମାହାଲିକ ଏବଂ ଅନ୍ୟାନ ଅଧିକାରୀମାନେ ଉପସ୍ଥିତ ଥିଲେ।

ଅନୁରୂପ ଭାବେ ଆଜି ବାଣପୁର ବ୍ଲକରେ ୯ ଟି ବାତ୍ୟା ଆଶ୍ରୟସ୍ଥଳୀରେ ସମୁଦାୟ ୨୦୦ ଜଣ ଏବଂ ବାଣପୁର ଏନଏସି ରେ ୩ ଟି ବାତ୍ୟା ଆଶ୍ରୟସ୍ଥଳୀରେ ସମୁଦାୟ ୯୨ ଜଣଙ୍କୁ ସ୍ଥନାନ୍ତରିତ କରାଯାଇଥିବାର ଡେପୁଟି ଜିଲ୍ଲାପାଳ ଅନିଲ ପଟ୍ଟନାୟକ ସୂଚନା ଦେଇଛନ୍ତି।  ଡେପୁଟି ଜିଲ୍ଲାପାଳଙ୍କ ଆଜି ବାଣପୁର ଗସ୍ତରେ ତହସିଲଦାର ମନ୍ମଥ ବେହେରା, ବାଣପୁର ବିଡ଼ିଓ ପ୍ରଦ୍ୟୁମ୍ନ ନାୟକ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି ଏବଂ ଅନ୍ୟାନ୍ୟ ଅଧିକାରି ମାନେ ସାମିଲ ଥିଲେ।

Categories
ଆଞ୍ଚଳିକ

ଚିଲିକା କରୋନା ଅପଡେଟ୍: ଆଜି ଉପରମୁହାଁ ସଂକ୍ରମଣ, ଆସନ୍ତାକାଲି ବନ୍ଦ ରହିବ ଟୀକାକରଣ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ କରୋନା ସଂକ୍ରମଣ ପୁଣି ଉପରମୁହାଁ ହୋଇଛି। ଆଜି ଉକ୍ତ ନିର୍ବାଚନମଣ୍ଡଳୀରେ ମୋଟ ୬୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଯାହାକି ଗତକାଲି ସଂଖ୍ୟାର ଦୁଇ ଗୁଣରୁ ଅଧିକ। ଚିହ୍ନଟ ହୋଇଥିବା ୬୩ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରେ ୨୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଚିଲିକା ବ୍ଲକରୁ ୨୦ ଜଣ, ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୧୪ ଜଣ ଏବଂ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଆଜି ୨୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସୁସ୍ଥ ୨୧ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରୁ ୧୨ ଜଣ ସୁସ୍ଥ ହୋଇଥିବା ବେଳେ ଚିଲିକା ବ୍ଲକରୁ ୩ ଜଣ ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରୁ ୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ତେବେ ଆଜି ସୁଦ୍ଧା ବାଣପୁର ବ୍ଲକରେ ୧୬୬ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ବେଳେ ବାଣପୁର ବିଜ୍ଞାପିତ ଅଞ୍ଚଳରେ ୨୭ ଜଣ, ଚିଲିକା ବ୍ଲକରେ ୧୪୩ ଜଣ ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରେ ୫୦ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି।

ତେବେ ଆସନ୍ତାକାଲି ଉଭୟ ବାଣପୁର ଏବଂ ବାଲୁଗାଁରେ ଟୀକାକରଣ ପ୍ରକ୍ରିୟା ବନ୍ଦ ରହିବ ବୋଲି ଉଭୟ ମେଡିକାଲ ଅଧିକାରୀ ସୂଚନା ଦେଇଛନ୍ତି।

Categories
ଆଜିର ଖବର ଆଞ୍ଚଳିକ

ଚିଲିକା: ଜାଣନ୍ତୁ ଆଜିର କରୋନା ଅପଡେଟ୍ ଓ ଆସନ୍ତାକାଲି ପାଇଁ ଟୀକାକରଣ ବ୍ୟବସ୍ଥା

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ ଗତକାଲି କରୋନା ସ୍ଥିତି ଉପରମୁହାଁ ଥିବା ବେଳେ ଆଜି ତଳ ମୁହାଁ ହୋଇଛି। ଯାହା ଲୋକଙ୍କୁ ସାମାନ୍ୟ ଆଶ୍ଵସ୍ତି ମିଳିଛି। ଆଜି ଉକ୍ତ ନିର୍ବାଚନମଣ୍ଡଳୀରେ ମୋଟ ୩୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଯାହାକି ଗତକାଲିର ସଂଖ୍ୟାଠାରୁ ଅଧା।

ଚିହ୍ନଟ ହୋଇଥିବା ୩୦ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରେ ୧୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଚିଲିକା ବ୍ଲକରୁ ୧୨ ଜଣ, ବାଲୁଗାଁ ଏବଂ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୨ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଆଜି ୩୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସୁସ୍ଥ ୩୮ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରୁ ୨୦ ଜଣ ସୁସ୍ଥ ହୋଇଥିବା ବେଳେ ଚିଲିକା ବ୍ଲକରୁ ୧୫ ଜଣ ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରୁ ୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ତେବେ ଆଜି ସୁଦ୍ଧା ବାଣପୁର ବ୍ଲକରେ ୧୫୫ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ବେଳେ ବାଣପୁର ବିଜ୍ଞାପିତ ଅଞ୍ଚଳରେ ୨୧ ଜଣ, ଚିଲିକା ବ୍ଲକରେ ୧୨୬ ଜଣ ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରେ ୪୨ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି।

ତେବେ ଆସନ୍ତାକାଲି କେବଳ ବାଣପୁରରେ ଟୀକାକରଣ ପ୍ରକ୍ରିୟା ଚାଲୁ ରହିବ। ବାଣପୁର, ଗମ୍ଭାରୀମୁଣ୍ଡା, ସୁନାଖେଳା ଏବଂ ନୀଳାଦ୍ରିପ୍ରସାଦରେ ୪୫ ବର୍ଷରୁ ଉର୍ଦ୍ଧ୍ଵ ୧୦୦ଜଣ ନାଗରିକ ମାନଙ୍କୁ ପ୍ରଥମ ଡୋଜ ଟୀକା ଦିଆଯିବ।

ସାମ୍ଭାବ୍ୟ ବାତ୍ୟା ପାଇଁ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବା ସମସ୍ତ କେନ୍ଦ୍ରରେ ଟୀକାକରଣ ପ୍ରକ୍ରିୟା ବନ୍ଦ ରହିବ ବୋଲି ବାଲୁଗାଁ ମେଡିକାଲ ଅଧିକାରୀ ସୂଚନା ଦେଇଛନ୍ତି।

Categories
ଆଞ୍ଚଳିକ

ଦୁଇଟି ପଥର ବୋଝେଇ ଗାଡିକୁ ଜବତ କଲେ ବାଲୁଗାଁ ଏସଡିପିଓ: ଲକ୍ଷାଧିକ ଟଙ୍କାର ଜରିମାନା ଆଦାୟ

ସୀତାରାମ ଅଗ୍ରୱାଲ

ଚିଲିକା: ନିୟମ ଉଲ୍ଲଂଘନ ଅଭିଯୋଗରେ ଆଜି ଦୁଇଟି ପଥର ବୋଝେଇ ଗାଡିକୁ ଜବତ କରାଯାଇଛି। ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ଏହି ଦୁଇ ଗାଡିକୁ ଜବତ କରି ଟାଙ୍ଗୀ ତହସିଲକୁ ଜିମା ଦେଇଛନ୍ତି।

ସୂଚନା ମୁତାବକ ଆଜି ମଧ୍ୟାହ୍ନରେ ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ ଜିଲ୍ଲାପାଳଙ୍କ ଗସ୍ତ ନିମନ୍ତେ କୁହୁଡି ଅଭିମୁଖେ ଯାଉଥିବାବେଳେ କୁହୁଡି ନିକଟରେ ଦୁଇଟି ପଥର ବୋଝଇ ହାଇୱାକୁ ଜବତ କରିଥିଲେ। ଗୋଟାଏ ଗାଡିର ୱାୟୀ ଫର୍ମ ନଥିବାବେଳେ ଅନ୍ୟ ଗାଡିଟି ଓଭରଲୋଡ଼ ସହ ବିପଦ ସଂକୁଳ ଅବସ୍ଥାରେ ବଡ ବଡ ପଥର ନେଇ ଯାଉଥିଲା। ଦୁଇ ଗୋଟି ଗାଡିକୁ ଟାଙ୍ଗୀ ତହସିଲ ଜିମ୍ମା ଦେଇଥିଲେ ଏସଡ଼ିପିଓ।

ତେବେ ଉଭୟ ଗାଡ଼ିରୁ ୧ ଲକ୍ଷ ୨୫ ହଜାର ଟଙ୍କା ଜରିମାନା ଆଦାୟ ହୋଇଥିବାର ସୂଚନା ଦେଇଛନ୍ତି ଟାଙ୍ଗୀ ଅତିରିକ୍ତ ତହସିଲଦାର ଶରତ କୁମାର ଦେହୁରୀ।

ସେହିପରି ଭାବେ ଆଜି ମଧ୍ୟାହ୍ନରେ ସଟ ଡ଼ାଉନ ନିୟମ ଉଲଂଘନ କରି ବାଲୁଗାଁ କଲେଜ ନିକଟରେ ଏକ ଚିଙ୍ଗୁଡ଼ି ଗୋଦାମ ଖୋଲା ଥିବାବେଳେ ସେଠାରେ ପ୍ରବଳ ଭିଡ ମଧ୍ୟ ହୋଇଥିଲା। ଏସଡ଼ିପିଓଙ୍କ ନିର୍ଦ୍ଦେଶକ୍ରମେ ବାଲୁଗାଁ ପୋଲିସ ଉକ୍ତ ଗୋଦାମରେ ଚଢ଼ାଉ କରି ଦୋକାନିକୁ ଏନଏସିକୁ ଜିମ୍ମା ଦେଇଥିଲେ। ତେବେ ସମ୍ପୃକ୍ତ ଦୋକାନୀଠାରୁ ୫ ହଜାର ଟଙ୍କା ଜରିମାନା ଆଦାୟ ହୋଇଥିବାର ସୂଚନା ଦେଇଛନ୍ତି ବାଲୁଗାଁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରିଣୀ ଆକୃତି ଗୋଏଙ୍କା।

Categories
ଆଞ୍ଚଳିକ

ଚିଲିକା: ଜାଣନ୍ତୁ ଆଜିର କୋଭିଡ ଅପଡେଟ, ଏହି ସବୁ ଅଞ୍ଚଳ ହେଲା କଣ୍ଟେନମେଣ୍ଟ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ କରୋନା ସ୍ଥିତି ସାଙ୍ଘାତିକ ହେବାରେ ଲାଗିଛି। ଆଜି ଉକ୍ତ ନିର୍ବାଚନମଣ୍ଡଳୀରେ ମୋଟ ୫୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ୫୯ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରେ ୨୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଚିଲିକା ବ୍ଲକରୁ ୨୨ ଜଣ, ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୮ ଜଣ ଏବଂ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଆଜି ୩୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସୁସ୍ଥ ୩୮ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରୁ ୧୯ ଜଣ ସୁସ୍ଥ ହୋଇଥିବା ବେଳେ ଚିଲିକା ବ୍ଲକରୁ ଜଣେ, ବାଲୁଗାଁ ବିଜ୍ଞାପିତ ଅଞ୍ଚଳରୁ ୧୧ ଜଣ ଏବଂ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ତେବେ ଆଜି ସୁଦ୍ଧା ବାଣପୁର ବ୍ଲକରେ ୧୬୧ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ବେଳେ ବାଣପୁର ବିଜ୍ଞାପିତ ଅଞ୍ଚଳରେ ୧୯ ଜଣ, ଚିଲିକା ବ୍ଲକରେ ୧୨୯ ଜଣ ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରେ ୪୩ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି।

କରୋନା ସଂକ୍ରମଣକୁ ଦେଖି ଆଜି ତା ୨୩ ମଇରୁ ଜୁନ ୧ ତାରିଖ ପର୍ଯ୍ୟନ୍ତ ବାଣପୁର ବ୍ଲକର ଏକାଧିକ ଅଞ୍ଚଳକୁ ଖୋର୍ଦ୍ଧା ଉପଜିଲ୍ଲାପାଳ ଅଶୋକ ବେହୁରିଆ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି।

ସେଗୁଡିକ ହେଲା: 

ଗାଲୁଆ ଗ୍ରାମପଞ୍ଚାୟତ ଭୀମପୁର ଗ୍ରାମର ଲକ୍ଷ୍ମୀଧର ସାହୁଙ୍କ ଘର ଠାରୁ ଭବାନୀ ଶଙ୍କର ସାହୁଙ୍କ ଘର ପର୍ଯ୍ୟନ୍ତ ଏବଂ ପ୍ରମୋଦିନୀ ବେହେରାଙ୍କ ଘର ଠାରୁ ଲୋକନାଥ ଦାସଙ୍କ ଘର ପର୍ଯ୍ୟନ୍ତ

ଦେଓଗାଁ ଗ୍ରାମ ପଞ୍ଚାୟତ ଘାସେଡିହ ଗ୍ରାମର ବସନ୍ତ ସାମନ୍ତରାୟଙ୍କ ଘର ଠାରୁ ହରିହର ସାହୁଙ୍କ ଘର ପର୍ଯ୍ୟନ୍ତ

ଆୟତପୁର ଗ୍ରାମ ପଞ୍ଚାୟତ ଆୟତ୍ତପୁର ଗ୍ରାମର ଗଦେଶ୍ୱର ମନ୍ଦିରଠାରୁ ଦୁର୍ଯ୍ୟୋଧନ ବେହେରାଙ୍କ ଘର ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ।

ତେବେ ଆସନ୍ତାକାଲି ଉକ୍ତ ନିର୍ବାଚନମଣ୍ଡଳୀରେ ଟୀକାକରଣ ପ୍ରକ୍ରିୟା ଚାଲୁ ରହିବ। ବାଣପୁର, ଗମ୍ଭାରୀମୁଣ୍ଡା, ସୁନାଖେଳା ଏବଂ ନୀଳାଦ୍ରିପ୍ରସାଦରେ ୪୫ ବର୍ଷରୁ ଉର୍ଦ୍ଧ୍ଵ ୧୦୦ ଜଣଙ୍କୁ ପ୍ରଥମ ଡୋଜ ଦିଆଯିବାକୁ ଥିବାବେଳେ ବାଲୁଗାଁ ଉଚ୍ଚ ବିଦ୍ୟାଳୟ, ନଈରୀ ଏବଂ ଜରିପଡ଼ାରେ ୪୫ ବର୍ଷରୁ ଊର୍ଦ୍ଧ୍ଵ ୧୦୦ ଜଣଙ୍କୁ ପ୍ରଥମ ଡୋଜ ଦିଆଯିବ।

ଉଲ୍ଲେଖ ଯୋଗ୍ୟ ଯେ, ସାମ୍ଭାବ୍ୟ ବାତ୍ୟାକୁ ନେଇ ବାଲୁଗାଁ ଉଚ୍ଚ ବିଦ୍ୟାଳୟରେ ଟୀକାକରଣ ବନ୍ଦ ରହିବ ବୋଲି ଘୋଷଣା ହୋଇଥିଲା। କିନ୍ତୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ବୈଠକ ପରେ ଆସନ୍ତାକାଲି ବାଲୁଗାଁ ଉଚ୍ଚ ବିଦ୍ୟାଳୟରେ ଟୀକାକରଣ ହେବ ବୋଲି ସ୍ୱାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି।

Categories
ଆଜିର ଖବର ଆଞ୍ଚଳିକ

ଚିଲିକାରେ ସାମ୍ଭାବ୍ୟ ବାତ୍ୟା ଓ କୋଭିଡ ସ୍ଥିତିର ସମୀକ୍ଷା କଲେ ଖୋର୍ଦ୍ଧା ଜିଲ୍ଲାପାଳ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ମଧ୍ୟାହ୍ନରେ ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି ସାମ୍ଭାବ୍ୟ ବାତ୍ୟା ଏବଂ କୋଭିଡ ସ୍ଥିତି ଅନୁଧ୍ୟାନ ପାଇଁ ଚିଲିକା ନିର୍ବାଚନମଣ୍ଡଳୀ ଗସ୍ତରେ ଆସିଥିଲେ। ଉକ୍ତ ଗସ୍ତରେ ଅତିରିକ୍ତ ଜିଲ୍ଲାପାଳ ମନୋଜ ପାଢ଼ୀ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ଅନୁଜ ଦାସ ପଟ୍ଟନାୟକ ଏବଂ ଉପଜିଲ୍ଲାପାଳ ଅଶୋକ ବେହୁରିଆ ମଧ୍ୟ ସାମିଲ ଥିଲେ। ଜିଲ୍ଲାପାଳ ପ୍ରଥମେ ସାମ୍ଭାବ୍ୟ ବାତ୍ୟା ପାଇଁ ଚିଲିକା ବ୍ଲକ ପ୍ରଶାସନ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ବିରିବାଡ଼ି ପଂଚାୟତର ବାତ୍ୟା ଆଶ୍ରୟ ସ୍ଥଳୀ ପରିଦର୍ଶନ କରିଥିଲେ। ସେଠାରେ ବାତ୍ୟା ପାଇଁ ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବା ଆଗୁଆ ପଦକ୍ଷେପ ଗୁଡିକର ତଦାରଖ କରିଥିଲେ।

ଏହାପରେ ଜିଲ୍ଲାପାଳ ବାଲୁଗାଁ ଏନଏସିର ସଭାଗୃହ କକ୍ଷରେ ଏକ ବୈଠକର ଅଧ୍ୟକ୍ଷତା କରିଥିଲେ। ପାଖାପାଖି ଦୁଇ ଘଣ୍ଟା ଧରି ଚାଲିଥିବା ଉକ୍ତ ବୈଠକରେ ଚିଲିକା ନିର୍ବାଚନମଣ୍ଡଳୀରେ ସମ୍ପ୍ରତି କୋଭିଡ ସ୍ଥିତି ଏବଂ ସାମ୍ଭାବ୍ୟ ବାତ୍ୟା ପାଇଁ ପ୍ରଶାସନ ପକ୍ଷରୁ ନିଆଯାଇଥିବା ଆଗୁଆ ପଦକ୍ଷେପ ଗୁଡିକ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ବାଣପୁର ବ୍ଲକ, ଏନଏସି, ଚିଲିକା ବ୍ଲକ ଏବଂ ବାଲୁଗାଁ ଏନଏସି ରେ ସାମ୍ଭାବ୍ୟ ବାତ୍ୟା ପାଇଁ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକୁ ପ୍ରସ୍ତୁତ କରାଯିବା ସହ ରେଡ ଜୋନରେ ବସବାସ କରୁଥିବା ଜନସାଧାରଣଙ୍କୁ ଉକ୍ତ ଆଶ୍ରୟସ୍ଥଳୀକୁ ନେବାପାଇଁ ମଧ୍ୟ ସ୍ଥାନୀୟ ପ୍ରଶାସନ ସବୁ ପ୍ରକାର ବନ୍ଦୋବସ୍ତ କରିଥିବାର ଜିଲ୍ଲାପାଳ ଜାଣିବାକୁ ପାଇଥିଲେ।

ତେବେ ଚିଲିକାରେ କୋଭିଡ କେସ ପୂର୍ବପେକ୍ଷା ଗତ ଦୁଇ ଦିନ ହେଲା ସ୍ୱଳ୍ପ କମୁଥିବାରୁ ଜିଲ୍ଲପାଳ ସାମାନ୍ୟ ଆଶ୍ବସ୍ତି ପ୍ରକାଶ କରିଥିଲେ। ସଂପୂର୍ଣ୍ଣ ଚିଲିକା ନିର୍ବାଚନମଣ୍ଡଳୀରେ ‘ଜିରୋ’ କୋଭିଡ଼ କେସ ଲକ୍ଷ୍ୟକୁ ନେଇ କାମ ଆରମ୍ଭ କରିବାକୁ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଯେଉଁ ୱାର୍ଡ, କିମ୍ବା ଗ୍ରାମରେ ଆଜି ପର୍ଯ୍ୟନ୍ତ ଗୋଟିଏ ବି କୋଭିଡ଼ କେସ ବାହାରିନାହିଁ ସେ ଅଞ୍ଚଳକୁ କିପରି ଆଗକୁ ମଧ୍ୟ ସେହିପ୍ରକାର ଭାବେ କୋଭିଡ଼ ମୁକ୍ତ ରଖିବାକୁ ହେବ ସେ ନେଇ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ।

ତତସହିତ ଯେଉଁ ଅଞ୍ଚଳରେ ଗୋଟେ କିମ୍ବା ଦୁଇ ଗୋଟି କୋଭିଡ କେସ ଚି଼ହ୍ନଟ ହେଉଛି ସେଠାରୁ ଆକ୍ରାନ୍ତମାନଙ୍କୁ ନିକଟସ୍ଥ କୋଭିଡ କେୟାର ସେଣ୍ଟରକୁ ସ୍ଥାନାନ୍ତରିତ କରିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ଯାହାଫଳରେ ଉକ୍ତ ଅଞ୍ଚଳରେ କୋଭିଡ ଆଉ ବ୍ୟାପିପାରିବନି। ବୟସ୍କ, ଗର୍ଭବତୀ ଏବଂ ଶିଶୁ ମାନଙ୍କ ଯଦି ସାମାନ୍ୟ ଲକ୍ଷଣ ଦେଖାଯାଏ, ତେବେ ସେମାନେ ମଧ୍ୟ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କ୍ରମେ କୋଭିଡ଼ କେୟାର ସେଣ୍ଟରରେ ଚିକିତ୍ସିତ ହେବେ ବୋଲି ଜିଲ୍ଲାପାଳ କହିଥିଲେ। ଜିଲ୍ଲାରେ କୋଭିଡ କେୟାର ସେଣ୍ଟର ଏବଂ ଅମ୍ଳଜାନର ଅଭାବ ନାହିଁ ବୋଲି ଜିଲ୍ଲାପାଳ ସ୍ପଷ୍ଟ କରିଥିଲେ।

ଅପରପକ୍ଷରେ କୋଭିଡ ରେଡ ଜୋନ ଗୁଡିକୁ ତୁରନ୍ତ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବା ସହ ଟେଷ୍ଟିଙ୍ଗ ବଢ଼ାଇବାକୁ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ। ସହରାଞ୍ଚଳରେ ପୂର୍ବତନ କାଉଁସିଲର ଏବଂ ଗ୍ରାମାଞ୍ଚଳରେ ମିଶନ ଶକ୍ତି, ଜନ ପ୍ରତିନିଧି, ସ୍ଵେଚ୍ଛାସେବୀମାନଙ୍କୁ ପ୍ରବାସୀ ଫେରନ୍ତାଙ୍କ ତଥ୍ୟ ପ୍ରଶାସନକୁ ଦେବାସହ ସେମାନଙ୍କ ଉପରେ ନଜର ରଖିବା ପାଇଁ ଜିଲ୍ଲାପାଳ ଆବାହାନ କରିଥିଲେ।

ସର୍ବଶେଷରେ ବୃଦ୍ଧ ତଥା ଅକ୍ଷମ ବ୍ୟକ୍ତିମାନଙ୍କ ପାଇଁ ଚିଲିକା ନିର୍ବାଚନମଣ୍ଡଳୀରେ କୋଭିଡ ମୋବାଇଲ ଟେଷ୍ଟିଙ୍ଗ ବ୍ୟବସ୍ଥାର ଆରମ୍ଭ ହୋଇଯାଇଛି ବୋଲି ଜିଲ୍ଲାପାଳ ଶ୍ରୀ ମହାନ୍ତି ଆମ ପ୍ରତିନିଧିଙ୍କୁ ସୂଚନା ଦେଇଥିଲେ।

ଉକ୍ତ ବୈଠକରେ ଚିଲିକା ତହସିଲଦାର ପୁନମ ମହାପାତ୍ର, ଚିଲିକା ବିଡ଼ିଓ ଡ଼ା ସୁଷମା ବାରିକ, ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ, ବାଣପୁର ତହସିଲଦାର ମନ୍ମଥ ବେହେରା, ବାଣପୁର ବିଡ଼ିଓ ପ୍ରଦ୍ୟୁମ୍ନ ନାୟକ, ବାଣପୁର ଆଇଆଇସି ରଶ୍ମିରଞ୍ଜନ ସାହୁ, ବାଲୁଗାଁ ଆଇଆଇସି ରମାକାନ୍ତ ମାହାଲିକ, ବାଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି, ବାଲୁଗାଁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଣି ଆକୃତି ଗୋଏଙ୍କା, ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଡ଼ା ସୁରଜ ମେହେର, ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ା ସୌମ୍ୟକାନ୍ତ ଦାସ ପଟ୍ଟନାୟକ, ବାଣପୁର ସିଡ଼ିପିଓ ବିଦ୍ୟୁତପ୍ରଭା ରଥ ଏବଂ ଚିଲିକା ସିଡ଼ିପିଓ ପ୍ରିୟଦର୍ଶିନୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ଚିଲିକା କରୋନା ଅପଡେଟ୍: ଆସନ୍ତାକାଲି ବନ୍ଦ ରହିବ ଟୀକାକରଣ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ କରୋନା ସ୍ଥିତି ଜଟିଳ ହେବାରେ ଲାଗିଛି। ଆଜି ଉକ୍ତ ନିର୍ବାଚନମଣ୍ଡଳୀରେ ମୋଟ ୩୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ୩୪ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରେ ୨୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଚିଲିକା ବ୍ଲକରୁ ୦୩ ଜଣ,ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୦୪ ଜଣ ଏବଂ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୦୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଆଜି ୨୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସୁସ୍ଥ ୨୬ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରୁ ୦୬ ଜଣ ସୁସ୍ଥ ହୋଇଥିବା ବେଳେ ଚିଲିକା ବ୍ଲକରୁ ୧୧ ଜଣ ,ବାଲୁଗାଁ ବିଜ୍ଞାପିତ ଅଞ୍ଚଳରୁ ଜଣେ ଏବଂ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୦୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ତେବେ ଆଜି ସୁଦ୍ଧା ବାଣପୁର ବ୍ଲକରେ ୧୫୬ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ବେଳେ ବାଣପୁର ବିଜ୍ଞାପିତ ଅଞ୍ଚଳରେ ୨୧ ଜଣ, ଚିଲିକା ବ୍ଲକରେ ୧୦୮ ଜଣ ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରେ ୪୬ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି।

ତେବେ ଆସନ୍ତାକାଲି ରବିବାର ଥିବାରୁ ଉକ୍ତ ନିର୍ବାଚନମଣ୍ଡଳୀରେ ଟୀକାକରଣ ପ୍ରକ୍ରିୟା ବନ୍ଦ ରହିବ। ତେଣୁ ଟୀକା ପାଇଁ ଲୋକେ ଘରୁ ନବାହାରିବା ଲାଗି ସ୍ୱାସ୍ଥ୍ୟ ଅଧିକାରୀମାନେ ନିବେଦନ କରିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ

ଚିଲିକାରେ ଅନୁଷ୍ଠିତ ହେଲା ୧୦୭ ଟି ବିବାହ କାର୍ଯ୍ୟ: ନିୟମ ଉଲ୍ଲଂଘନକାରୀ ଗଣିଲେ ତଣ୍ଡ

ସୀତାରାମ ଅଗ୍ରୱାଲ

ଚିଲିକା: ଗତକାଲି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ଆରକ୍ଷୀ ଉପଖଣ୍ଡ ଅଧୀନରେ ୧୦୭ ଟି ବିବାହ କାର୍ଯ୍ୟ ଏବଂ ୭ ଟି ଶେଷକୃତ୍ୟ ସମ୍ପନ୍ନ ହୋଇଛି। ତେବେ ଉକ୍ତ କାର୍ଯ୍ୟ ଗୁଡିକରେ ସମସ୍ତେ କୋଭିଡ ନିୟମକୁ ଅନୁପାଳନ କରିଥିବା ବେଳେ ତିନି ଜଣ ଏହାର ଉଲଂଘନ କରିଥିଲେ। ତେଣୁ ସେମାନଙ୍କଉପରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ତହସିଲ ଏବଂ ପୋଲିସ ପ୍ରଶାସନ ମିଳିତ ଭାବେ ୧୭ ହଜାର ୭ ଶହ ତାଙ୍କ ଜରିମାନା ଆଦାୟ କରିଛି।

ଅନୁରୂପ ଭାବେ ଗତକାଲି ବାଲୁଗାଁ ଆରକ୍ଷୀ ଉପଖଣ୍ଡ ଅଧୀନରେ କୋଭିଡ ନିୟମ ଉଲଂଘନ ବାବଦରେ ୧୫୪ ଜଣ ଅମାନିଆଙ୍କଠାରୁ ୪୨ ହଜାର ୮ ଶହ ଟଙ୍କା ଏବଂ ୧୬୯ ଜଣ ଅମାନିଆ ଗାଡ଼ିଚାଳକଙ୍କ ଠାରୁ ୧ ଲକ୍ଷ ୯୩ ହଜାର ଟଙ୍କା ପୋଲିସ ଆଦାୟ କରିଥିବାର ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ ସୂଚନା ଦେଇଛନ୍ତି।

ସେହିପରେ ଭାବେ ଗତକାଲି ରାତିରେ ବାଲୁଗାଁ ଏସଡ଼ିପିଓ ଛଦ୍ମବେଶରେ ଚଣ୍ଡେଶ୍ୱର ଛକ ନିକଟରୁ ଏକ ବେଆଇନ ପଥର ବୋଝେଇ ଟ୍ରକକୁ ଜବତ କରିଛନ୍ତି।

Categories
ଆଞ୍ଚଳିକ

ଆସନ୍ତାକାଲି ହେବନି ଟୀକାକରଣ: ଜାଣନ୍ତୁ ଏପର୍ଯ୍ୟନ୍ତ କଣ ରହିଛି ଚିଲିକାରେ କରୋନା ସ୍ଥିତି

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ କରୋନା ସ୍ଥିତି ଜଟିଳ ହେବାରେ ଲାଗିଛି। ଆଜି ଉକ୍ତ ନିର୍ବାଚନମଣ୍ଡଳୀରେ ମୋଟ ୩୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ୩୦ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରେ ୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଚିଲିକା ବ୍ଲକରୁ ୧୨ ଜଣ ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଆଜି ୧୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସୁସ୍ଥ ୧୭ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରୁ ୩ ଜଣ ସୁସ୍ଥ ହୋଇଥିବା ବେଳେ ଚିଲିକା ବ୍ଲକରୁ ୧୩ ଜଣ ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ତେବେ ଆଜି ସୁଦ୍ଧା ବାଣପୁର ବ୍ଲକରେ ୧୩୮ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ବେଳେ ବାଣପୁର ବିଜ୍ଞାପିତ ଅଞ୍ଚଳରେ ୨୬ ଜଣ, ଚିଲିକା ବ୍ଲକରେ ୧୧୬ ଜଣ ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରେ ୪୩ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି।

କିନ୍ତୁ ଏହି ନିର୍ବାଚନମଣ୍ଡଳୀରେ ଟୀକାର ଅଭାବ ଯୋଗୁଁ ଆସନ୍ତାକାଲି ମଧ୍ୟ ଟୀକାକରଣ ପ୍ରକ୍ରିୟା ବନ୍ଦ ରହିବ। ତେଣୁ ଟୀକା ପାଇଁ ଲୋକେ ଘରୁ ନବାହାରିବା ଲାଗି ସ୍ୱାସ୍ଥ୍ୟ ଅଧିକାରୀମାନେ ନିବେଦନ କରିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ

ବାଲୁଗାଁ ଏସଡିପିଓଙ୍କ ବଡ ପଦକ୍ଷେପ: ବିବାହ କାର୍ଯ୍ୟ ଲାଗି ନିୟମରେ ହେଲା ପରିବର୍ତ୍ତନ

ସୀତାରାମ ଅଗ୍ରୱାଲ

ଚିଲିକା: ଚିଲିକା ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ପାଇଁ ଖୁସି ଖବର। ଆଜି ବିବାହ ପାଇଁ ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ ଗାଇଡ଼ଲାଇନକୁ କୋହଳ କରିଛନ୍ତି। ବିବାହ ପାଇଁ ପୂର୍ବରୁ ଆବେଦନକାରୀଙ୍କୁ ଏକ କୋର୍ଟ ଆଫିଡେଭିଟ ନିକଟସ୍ଥ ପୋଲିସ ଥାନାରେ ଦାଖଲ କରିବାକୁ ପଡୁଥିଲା। ତେବେ ଲକଡ଼ାଉନ ସମୟରେ ଜନସାଧାରଣମାନେ ଉକ୍ତ ଆଫିଡେଭିଟ ପାଇଁ ବହୁତ ହଇରାଣ ହରକତ ହେଉଥୁବାର ଦେଖିବାକୁ ମିଳୁଥିଲା।

ବର୍ତ୍ତମାନ ଗ୍ରୀଷ୍ମକାଳୀନ ଅବସର ଉପଲକ୍ଷେ ବାଣପୁର କୋର୍ଟ ବନ୍ଦ ରହିଥିବା ବେଳେ ଓକିଲ, ନୋଟାରୀ, କୋର୍ଟ ପେପର ପାଇଁ ଜନସାଧାରଣମାନେ ବହୁ ସମସ୍ୟାରେ ପଡୁଥିଲେ। ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଆଫିଡେଭିଟ ପ୍ରସ୍ତୁତ କରି ଥାନାରେ ଦାଖିଲ କରିବାରେ ଲୋକଙ୍କୁ ବହୁ ହଇରାଣ ହେବାକୁ ପଡୁଥିଲା।

ତେବେ ଏହି ସମସ୍ୟାକୁ ହୃଦୟଙ୍ଗମ କରିଛନ୍ତି ଏସଡ଼ିପିଓ ଶ୍ରୀ ବାରିକ। ଏହି ପରିପ୍ରେକ୍ଷୀରେ ଏବେଠାରୁ ଆବେଦନକାରୀଙ୍କୁ ବିବାହ ପାଇଁ ନିଜ ନିଜ ଥାନାରେ କେବଳ ଦରଖାସ୍ତ, ଆଧାର କାର୍ଡ ଏବଂ ବିବାହରେ ସାମିଲ ହେବାକୁ ଥିବା ବ୍ୟକ୍ତିବିଶେଷଙ୍କ ସୂଚୀ ଦାଖଲ କରିବାକୁ ପଡିବ। ଆଉ ଆଫିଡେଭିଟ ଦେବାକୁ ପଡିବ ନାହିଁ ବୋଲି ସେ ସୂଚନା ଦେଇଛନ୍ତି।  ଏସଡ଼ିପିଓଙ୍କ ଏଭଳି ପଦକ୍ଷେପ ଯୋଗୁଁ ଜନସାଧାରଣମାନେ ବହୁ ଉପକୃତ ହେବେ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

Categories
ଆଜିର ଖବର ଆଞ୍ଚଳିକ

ସଙ୍ଗୀନ ହେଉଛି ଚିଲିକାରେ କରୋନା ସ୍ଥିତି: ବାଣପୁର ଏନଏସିର ଏହି ଅଞ୍ଚଳକୁ କରାଗଲା କଣ୍ଟେନମେଣ୍ଟ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଚିଲିକା ନିର୍ବାଚନମଣ୍ଡଳୀରେ କରୋନା ସ୍ଥିତି ଦିନକୁ ଦିନ ସଂଗୀନ ହେବାରେ ଲାଗିଛି। ଆଜି ଚିଲିକାରେ ମୋଟ ୫୮ ଜଣ ନୂଆ କୋଭିଡ ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି। ତନ୍ମଧ୍ୟରୁ ବାଣପୁରରୁ ୩୦ ଜଣ ଚିହ୍ନଟ ହୋଇଥିବା ବେଳେ ବାଲୁଗାଁ-ଚିଲିକାରୁ ୨୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସ୍ଥାନୀୟ ଏବଂ ଜିଲ୍ଲା ପ୍ରଶାସନର ଆପ୍ରାଣ ଉଦ୍ୟମ ସତ୍ତ୍ୱେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ବ୍ରେକ ଲାଗିପାରୁନି। ତେବେ ଟେଷ୍ଟିଙ୍ଗ, ଟ୍ରେସିଂ ଉପରେ ଆହୁରି ଅଧିକ ଗୁରୁତ୍ୱ ଦେବା ସହ ପ୍ରବାସୀମାନଙ୍କୁ ଚି଼ହ୍ନଟ କରି ସେମାନଙ୍କ ଟେଷ୍ଟିଙ୍ଗ କରିବା ଅପରିହାର୍ଯ୍ୟ ହୋଇପଡିଛି।

ଅନୁରୂପ ଭାବେ ଗତକାଲି ବାଣପୁର ଏନଏସି ଅନ୍ତର୍ଗତ ୧୫ ନମ୍ବର ୱାର୍ଡ କୋଟବିଦ୍ୟାଧରପୁର ଗ୍ରାମରୁ ୨ ଜଣ ପଜିଟିଭ ଚି଼ହ୍ନଟ ହେବାପରେ ଖୋର୍ଦ୍ଧା ଉପଜିଲ୍ଲାପାଳ ଉକ୍ତ ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି। ଉକ୍ତ ୱାର୍ଡର ତ୍ରିନାଥ ସାହୁଙ୍କ ଘର ଠାରୁ ସୂର୍ଯ୍ୟନାରାୟଣ ଷଡ଼ଙ୍ଗୀଙ୍କ ଘର ପର୍ଯ୍ୟନ୍ତ(୨୨ଟି ଘର) ଆସନ୍ତା ୨୮ ମଇ ରାତି ୯ ଘଟିକା ଯାଏଁ କଟକଣା ବଳବତ୍ତର ରହିବ।

ଆଜି ଏନଏସି ପକ୍ଷରୁ ଉକ୍ତ ୱାର୍ଡକୁ ବିଶୋଧିତ କରାଯାଇଛି। ଅଙ୍ଗନବାଡି କର୍ମୀ ଶିବାନୀ ବାରିକ ଏବଂ ସ୍ଵଚ୍ଛସାଥି କାବେରୀ ଷଡ଼ଙ୍ଗୀ ଓ ମିତା ବାରିକ ଏହାକୁ ପରିଚାଳନା କରିଥିବାବେଳେ ଉକ୍ତ ୱାର୍ଡରେ ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟ ବଣ୍ଟନ କରିଥିଲେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଲକଡାଉନରେ ଅଘୋଷିତ ବିଦ୍ୟୁତ କାଟ୍ ଯୋଗୁଁ ଲୋକେ ହନ୍ତସନ୍ତ: ଚିଲିକାରେ ଆନ୍ଦୋଳନ ପାଇଁ ଚେତାବନୀ

ସୀତାରାମ ଅଗ୍ରୱାଲ

ଚିଲିକା: ବର୍ତ୍ତମାନ ସାରା ରାଜ୍ୟରେ ଲକ ଡାଉନ ଜାରି ରହିଛି। ଲକଡାଉନ ସମୟରେ ଦିନତମାମ ଲୋକେ ଘରେ ରହୁଥିବା ବେଳେ ଯୁକ୍ତ ୨ ଛାତ୍ରଛାତ୍ରୀମାନେ ମଧ୍ୟ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି। ଏଥିପାଇଁ ଚବିଶ ଘଣ୍ଟା ବିଦ୍ୟୁତ ସରବରାହ ଜାରି ରଖିବା ପାଇଁ ରାଜ୍ୟ ସରକାରଙ୍କ କଡା ନିର୍ଦ୍ଦେଶ ରହିଛି।

ହେଲେ ଚିଲିକାରେ ଏହାର ଘୋର ବ୍ୟତିକ୍ରମ ଦେଖିବାକୁ ମିଳୁଛି। ପ୍ରତିଦିନ ବାଣପୁର ବାଲୁଗାଁ ଅଞ୍ଚଳରେ ଘଣ୍ଟା ଘଣ୍ଟା ଧରି ଅଘୋଷିତ ବିଦ୍ୟୁତ କାଟ ହେଉଛି। ବିଦ୍ୟୁତ କାଟ ପାଇଁ ମଧ୍ୟ କୌଣସି ନିର୍ଦ୍ଦିଷ୍ଟ ସମୟ ନାହିଁ।  ଦିନ ନାଇଁ କି ରାତି ନାହିଁ, କେତେବେଳେ ରାତ୍ରିରେ ତ କେତେବେଳ ଦିନ ଦ୍ବିପ୍ରହରର ଅସହ୍ୟ ଗରମ ସମୟରେ ମଧ୍ୟ ବିଦ୍ୟୁତ କାଟ୍ ହେଉଛି।

ତେବେ ଏଠି ଟିପିସିଓଡ଼ିଏଲର ପାରିବାପଣିଆ ଉପରେ ପ୍ରଶ୍ନ ଉଠୁଛି। ପ୍ରତି ମାସରେ ବିଦ୍ୟୁତ ବିଭାଗ ରକ୍ଷଣାବେକ୍ଷଣ ନାମରେ ଅନ୍ତତଃ ଗୋଟାଏ ଦିନ ପାୱାର କଟ୍ କରୁଛି। କିନ୍ତୁ ସେତିକିରେ ବି ସେମାନଙ୍କୁ ସମୟ ଅଭାବ ହେଉଛି। ଅଞ୍ଚଳରେ ସାମାନ୍ୟ ପବନ ଟିକେ ହେଲେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ ସରବରାହ ବନ୍ଦ ରହୁଛି। ଆଉ ଯେଉଁଦିନ ବର୍ଷା ହେଲା ସେଦିନ କଥା ନକହିବା ଭଲ। ଏପରିକି କଙ୍କଡାକୁ ଗୋଳି ପାଣି ସୁହାଇଲା ପରି ବର୍ଷା ପବନ ବିଦ୍ୟୁତ ବିଭାଗକୁ ସୁହାଉଛି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି।

ନିୟମ ଅନୁଯାୟୀ ଯଦି ବିଦ୍ୟୁତ କାଟ କରାଯିବ ତେବେ ଲୋକଙ୍କୁ ପୂର୍ବରୁ ସୂଚନା ଦିଆଯିବ।  ହେଲେ ତାହା ସେଠାରେ ଦେଖିବାକୁ ମିଳୁନି। କରୋନା ମହାମାରୀ ସମୟରେ ମଣିଷ ପ୍ରତି ମୁହୂର୍ତ୍ତରେ ଜୀବନ ଏବଂ ମୃତ୍ୟୁ ସହ ସଂଗ୍ରାମ ଜାରି ରଖିଥିବା ବେଳେ ଅଘୋଷିତ ବିଦ୍ୟୁତ କାଟ ନିଆଁରେ ଘିଅ ଢାଳିଲା ପରି କାର୍ଯ୍ୟ କରୁଛି।

ସେପଟେ ସ୍ଥାନୀୟ ପ୍ରଶାସନ କଟକଣାକୁ କଡାକଡି କରି ଲୋକଙ୍କୁ ଘରେ ରହିବାକୁ ବାଧ୍ୟ କରୁଛି। ହେଲେ ଅସହ୍ୟ ଗରମ ଯୋଗୁଁ ଲୋକେ ଘରୁ ବାହାରି ଏଣେତେଣେ ବୁଲୁଥିବା ବେଳେ ସ୍ଥାନୀୟ ପ୍ରଶାସନର ହାବୁଡରେ ମଧ୍ୟ ପଡ଼ୁଛନ୍ତି। ସେଥିପାଇଁ ଲୋକଙ୍କୁ ଜରିମାନା ମଧ୍ୟ ଦେବାକୁ ପଡୁଛି। ଏହାକୁ ନେଇ ସ୍ଥାନୀୟ ପ୍ରଶାସନ ଉପରେ ଲୋକେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ଜରିମାନା ଆଦାୟ ପାଇଁ ସ୍ପୃହା ରଖୁଥିବା ତହସିଲଦାର, ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଏବଂ ପୋଲିସ କାହିଁକି ଏହା ଉପରେ ଦୃଷ୍ଟି ଦେଉନାହିଁ ସେମାନେ ପ୍ରଶ୍ନ କରୁଛନ୍ତି।

ଆଉ ଏକ ଅଶୋଭନୀୟ ଘଟଣା ହେଲା ଟିପିସିଓଡ଼ିଏଲ ପକ୍ଷରୁ ଚିଲିକାରେ ଜନସାଧାରଣଙ୍କୁ ଅଭିଯୋଗ ନମ୍ବର ପ୍ରଦାନ କରାଯାଉନାହିଁ କିମ୍ବା ବାଲୁଗାଁ ବାଣପୁରରେ ଅଭିଯୋଗ ନିମନ୍ତେ ନିର୍ଦ୍ଦିଷ୍ଟ ପ୍ରକୋଷ୍ଠ ଖୋଲାଯାଉନାହିଁ। ଯାହାଦ୍ୱାରା ଜନସାଧାରଣ ମାନେ ଅଘୋଷିତ ବିଦ୍ୟୁତ କାଟର କାରଣ ଜାଣିବା ହେଉ କିମ୍ବା ଅନ୍ୟ ସମସ୍ୟା ପାଇଁ ଯୋଗାଯୋଗ କରିପାରୁନାହାନ୍ତି।

ତେବେ ଏ ସମସ୍ୟା ନେଇ ଆମ ପ୍ରତିନିଧି ଟିପିସିଓଡ଼ିଏଲ ବାଲୁଗାଁ କାର୍ଯ୍ୟନିର୍ବାହୀ ଅଧିକାରୀ ଶିବ ପ୍ରସାଦ ବଳିୟାରସିଂଙ୍କୁ ଯୋଗାଯୋଗ କରିବାରୁ ସେ ଏହାର ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ। ଆଗକୁ ଲକଡାଉନ ଆହୁରି ବଢିବାର ସମ୍ଭାବନା ଥିବା ବେଳେ ଯଦି ବିଦ୍ୟୁତ ବିଭାଗ ବେଳ ଥାଉ ଥାଉ ବେଣୀ ନବାନ୍ଧେ ତେବେ ଚିଲିକା ନିର୍ବାଚନମଣ୍ଡଳୀର ଜନସାଧାରଣ ମାନେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏବଂ ଯଦି କିଛି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୁଏ ତେବେ ତାହାପାଇଁ କେଉଁଠିନା କେଉଁଠି ସ୍ଥାନୀୟ ଏବଂ ପୋଲିସ ପ୍ରଶାସନ ଦାୟୀ ରହିବ ବୋଲି ଜନସାଧାରଣମାନେ କହିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ

ଚିଲିକାର ଏହିସବୁ ଅଞ୍ଚଳକୁ ସାତ ଦିନ ପାଇଁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ଉପଜିଲ୍ଲାପାଳ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଚିଲିକା ନିର୍ବାଚନମଣ୍ଡଳୀରେ କୋଭିଡ ସଂକ୍ରମଣ ବର୍ତ୍ତମାନ ଶୀର୍ଷରେ ଅଛି। ପ୍ରତିଦିନ ବାଣପୁର, ବାଲୁଗାଁ ଏବଂ ଚିଲିକାରୁ ଏକାଧିକ ପଜିଟିଭ ଚି଼ହ୍ନଟ ହେଉଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ଚିହ୍ନଟ ହୋଇଥିବା ଅଞ୍ଚଳଗୁଡିକୁ ଖୋର୍ଦ୍ଧା ଉପଜିଲ୍ଲାପାଳ ଅଶୋକ ବେହୁରିଆ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି।

ବାଲୁଗାଁ ଏନଏସି:

ୱାର୍ଡ ନମ୍ବର ୧ ଅଶୋକ ନଗରର ରବୀନ୍ଦ୍ର ସେଠିଙ୍କ ଘରଠାରୁ ନୀଳମଣି ସାହୁଙ୍କ ଘର ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି।

ବାଣପୁର ବ୍ଲକ:

ଗାଲୁଆ ପଞ୍ଚାୟତ ଅନ୍ତର୍ଗତ ଭୀମପୁର ଗ୍ରାମର ଗୋଡିପଦର ସାହି ଖଲି ବାରିକଙ୍କ ଘର ଠାରୁ ଲକ୍ଷ୍ମୀନାରାୟଣ ସାହୁଙ୍କ ଘର ପର୍ଯ୍ୟନ୍ତ (ମୋଟ ୭୬ ଟି ଘର) କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି।

କୁଲେଇ ପଞ୍ଚାୟତ ଆନ୍ତର୍ଗତ ମାନସିଂହପୁର ଗ୍ରାମର ଜ୍ଞାନ ସାହୁଙ୍କ ଘରଠାରୁ ସୁବାସ ଦଳାଇଙ୍କ ଘର ପର୍ଯ୍ୟନ୍ତ( ମୋଟ ୭୫ଟି ଘର) କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି।

ଉକ୍ତ ସବୁ ଅଞ୍ଚଳରେ ଆଜି ସଂଧ୍ୟା ୭ ଘଟିକାରୁ ୨୦ ମଇ ରାତି ୯ ଘଟିକା ଯାଏଁ କଟକଣା  ବଳବତ୍ତର ରହିବ।

Categories
ଆଜିର ଖବର ଆଞ୍ଚଳିକ

ଚିଲିକାରେ ସରକାରୀ ପୋଖରୀ ଖୋଳି ପଥର ନେବା ପଡିଲା ମହଙ୍ଗା: ମୋଟା ଅଙ୍କର ଜରିମାନା ଆଦାୟ

ସୀତାରାମ ଅଗ୍ରୱାଲ

ଚିଲିକା: ସରକାରୀ ପୋଖରୀ ଖୋଳି ପଥର ନେବା ମହଙ୍ଗା ପଡିଛି। ଏହି ଘଟଣାରେ ମୋଟା ଅଙ୍କର ଜରିମାନା ଆଦାୟ ହେବା ସହ ଗାଡି ଜବତ ହୋଇଛି। ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଚିଲିକା ତହସିଲ ଅଞ୍ଚଳରେ ଏପରି ଘଟଣା ଘଟିଛି।

ଦୀର୍ଘ ଦିନ ହେବ ଚିଲିକା ତହସିଲ ଅଞ୍ଚଳରେ ପଥର ମାଫିଆ ମାନେ ସରକାରୀ ଜାଗାରୁ ପଥର ଚୋରି କରିନେଉଥିବାର ବାରମ୍ବାର ଅଭିଯୋଗ ହେଉଥିଲା। ସ୍ଥାନୀୟ ତହସିଲଦାର ପୁନମ ମହାପାତ୍ର ବାରମ୍ବାର ଚଢ଼ାଉ ଜାରି ରଖିଥିଲେ ମଧ୍ୟ ମାଫିଆ ଧରା ପଡୁନଥିଲେ। ହେଲେ ଆଜି ସକାଳ ୬ ଘଟିକାରେ ତହସିଲଦାରଙ୍କ ନିର୍ଦ୍ଦେଶକ୍ରମେ ବଉଳାବନ୍ଧ ଗ୍ରାମର ମାଣ୍ଡିଆମେରୁ ସାହିର ପୋଖରୀରୁ ମାଫିଆମାନେ ପଥର ଖୋଳି ଟ୍ରାକ୍ଟରରେ ନେଉଥିବା ବେଳେ ନାଚୁଣୀ ଫାଣ୍ଡି ଅଧିକାରୀ ଏବଂ ତହସିଲ କର୍ମଚାରୀଙ୍କ ହାତରେ ଧରା ପଡିଛନ୍ତି।

ତେବେ ମାଫିଆଙ୍କ ଉପରେ ତହସିଲଦାର କଠୋର କାର୍ଯ୍ୟାନୁଷ୍ଠାନ ମୁତାବକ ୪୫ ହଜାର ଟଙ୍କା ଜରିମାନା ଆଦାୟ ହେବା ସହ ଟ୍ରାକ୍ଟର ଜବତ ହୋଇଛି। ଅନ୍ୟପକ୍ଷେ ପଥରଗୁଡିକୁ ଗ୍ରାମ କାମରେ ନିୟୋଜିତ କରାଯିବ ବୋଲି ତହସିଲଦାର ସୂଚନା ଦେଇଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଚିଲିକାରେ ପରିବା କଳାବଜାରୀକୁ ରୋକିବା ପାଇଁ ବଡ଼ ପଦକ୍ଷେପ: ଦୋକାନ ସମ୍ମୁଖରେ ଲାଗିଲା ରେଟ୍ ଚାର୍ଟ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକାରେ କଳାବଜାରୀକୁ ରୋକିବା ପାଇଁ ଯୋଗାଣ ବିଭାଗ ସକ୍ରିୟ ହୋଇଥିବା ଦେଖାଯାଇଛି। ଖବର ପ୍ରସାରଣ ହେବା ମାତ୍ରେ ଯୋଗାଣ ବିଭାଗ ସକ୍ରିୟ ହେବା ସହ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଅଣ୍ଟା ଭିଡିଛି।

ଉଲ୍ଲେଖ ଯୋଗ୍ୟ ଯେ, ଗତକାଲିଠାରୁ ସାରା ରାଜ୍ୟରେ ଲକ ଡ଼ାଉନ କଟକଣା ଆରମ୍ଭ ହୋଇଥିଲା। ଏହା ପରେ ଚିଲିକା ଅଞ୍ଚଳରେ କିଛି ବ୍ୟବସାୟୀ ଅତ୍ୟାବଶ୍ୟକ ସାମଗ୍ରୀକୁ ଚଢା ଦରରେ ବିକ୍ରି କରୁଥିବା ଅଭିଯୋଗ ହୋଇଥିଲା। ଗତ ମଙ୍ଗଳବାର ଦିନ ତଥା ଲକଡାଉନର ପୂର୍ବ ଦିନ ଆଳୁ କେଜି ୩୨ ଟଙ୍କା ଦରରେ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ସମୀକ୍ଷା ନିୟୁଜ ପକ୍ଷରୁ ଏକ ଖବର ପ୍ରସାରଣ କରାଯାଇଥିଲା। ଯାହାଫଳରେ ଚିଲିକା ଅଞ୍ଚଳରେ ଏଭଳି କଳାବଜାରୀ କାରବାର ହେଉଥିବାର ଯୋଗାଣ ବିଭାଗ ଜାଣିପାରିଥିଲା।

ତେବେ ଯୋଗାଣ ବିଭାଗ ଏହାକୁ ଗୁରୁତର ସହ ନେଇ ସହକାରୀ ଯୋଗାଣ ଅଧିକାରୀ ତ୍ରିଲୋଚନ ସାହୁ ଏବଂ ଚିଲିକା ଯୋଗାଣ ନିରୀକ୍ଷକ ଅରୁଣ ଲେଙ୍କା ଖୋଦ ଯୋଗାଣ ବିଭାଗ କର୍ମଚାରୀଙ୍କ ସହ ବାଣପୁର ବ୍ଲକ, ଏନଏସି, ବାଲୁଗାଁ ଏନଏସି ଏବଂ ଚିଲିକା ବ୍ଲକର ବିଭିନ୍ନ ପରିବା ଦୋକାନ ଏବଂ ଗୋଦାମ ବୁଲିବୁଲି ସମସ୍ତଙ୍କୁ ତାଗିଦ କରିଥିଲେ। ଏବଂ ସମଗ୍ର ଚିଲିକା ନିର୍ବାଚନମଣ୍ଡଳୀରେ ଆଳୁ କେଜି ପିଛା ୨୦ ଏବଂ ପିଆଜ କେଜି ପିଛା ୨୫ ଟଙ୍କା ଦର ଧାର୍ଯ୍ୟ କରିଥିଲେ।

ତତସହିତ ନିର୍ଦ୍ଧାରିତ ମୂଲ୍ୟକୁ ସମସ୍ତ ବ୍ୟବସାୟୀ ଦୋକାନ ସମ୍ମୁଖରେ ମାରିବାକୁ ବାଧ୍ୟତାମୂଳକ କରାଯାଇଥିଲା। ଯଦି କୌଣସି ଦୋକାନୀ ନିର୍ଦ୍ଧାରିତ ଦରରୁ ଅଧିକ ଦରରେ ଆଳୁ, ପିଆଜ ବିକିବେ ଏବଂ ଦୋକାନ ସମ୍ମୁଖରେ ଯଦି ରେଟ ଚାର୍ଟ ନଲଗାଇବେ ତେବେ ତୁରନ୍ତ ସେମାନଙ୍କ ଦୋକାନକୁ ସିଲ୍ କରାଯିବ ବୋଲି ଉଭୟ ଅଧିକାରୀ କଡ଼ା ଚେତାବନୀ ଦେଇଥିଲେ।

ଯଦି କୌଣସି ଖାଉଟିଙ୍କ କିଛି ଅଭିଯୋଗ ଥାଏ ତେବେ ସେମାନେ ଉଭୟ ବ୍ଲକରେ ଥିବା ଯୋଗାଣ ବିଭାଗ କାର୍ଯ୍ୟାଳୟରେ ଅଭିଯୋଗ ଦାୟର କରିପାରେବେ ବୋଲି ଉଭୟ ଅଧିକାରୀ ସୂଚନା ଦେଇଛନ୍ତି।

ତେବେ ଆଜି ସକାଳୁ ବାଣପୁର ଏବଂ ବାଲୁଗାଁରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଉଭୟ ସହରର ସମସ୍ତ ପରିବା ଦୋକାନୀମାନେ ସେମାନଙ୍କ ଦୋକାନ ସମ୍ମୁଖରେ ନିର୍ଦ୍ଧାରିତ ରେଟ ଚାର୍ଟ ଲଗାଇବା ସହ ଜନସାଧାରଣଙ୍କୁ ଧାର୍ଯ୍ୟ ଦରରେ ଆଳୁ ଏବଂ ପିଆଜ ବିକ୍ରି କରୁଛନ୍ତି।  ଯୋଗାଣ ବିଭାଗର ଏପରି ପଦକ୍ଷେପକୁ ଜନସାଧାରଣ ମାନେ ସ୍ୱାଗତ କରିବା ସହ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ମୂର୍ତ୍ତି ବିସର୍ଜ୍ଜନ ବେଳେ ଅଘଟଣ: ଚିଲିକାରେ ବୁଡି ଜଣେ ମୃତ, ତିନି ଗୁରୁତର

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିଲିକାରେ ଏକ ଅଘଟଣ ଘଟିଯାଇଛି। ରାମ ମୂର୍ତ୍ତି ବିସର୍ଜ୍ଜନ କରିବା ପାଇଁ ଚିଲିକା ମଧ୍ୟକୁ ଯାଇଥିବା ୪ ଜଣ ଯୁବକଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ହୋଇଛନ୍ତି।

ସୂଚନା ଅନୁଯାୟୀ, ଚିଲିକା ନିକଟବର୍ତ୍ତୀ ଓଡିଆ ଆଲପୁର ଗ୍ରାମରେ ୧୪ ଦିନ ଧରି ରାମ ନବମୀ ପୂଜା ଚାଲିଥିଲା। ଆଜି ଏହାର ପୂର୍ଣ୍ଣାହୁତି ଥିବା ବେଳେ ମୂର୍ତ୍ତି ବିସର୍ଜ୍ଜନ ଲାଗି ୪ ଜଣ ଯୁବକ ଡଙ୍ଗା ମାଧ୍ୟମରେ ଚିଲିକା ମଧ୍ୟକୁ ଯାଇଥିଲେ। ସେଠାରେ ବିସର୍ଜ୍ଜନ ବେଳେ ସେମାନେ ପାଣି ଭିତରକୁ ଗଳି ପଡିଥିଲେ। ହେଲେ ନିକଟରେ ଥିବା ଡଙ୍ଗା ବାଲା ଗୁରୁତର ଅବସ୍ଥାରେ ତିନିଜଣଙ୍କୁ ଉଦ୍ଧାର କରିଥିଲେ। କିନ୍ତୁ ଆଉ ଜଣେ ଯୁବକ ନିଖୋଜ ଥିଲେ।

ପରେ ଅଗ୍ନିଶମ ବାହିନୀ ଏବଂ ପଥରା ଗ୍ରାମର କିଛି ଯୁବକ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ। ଦୀର୍ଘ ୪ ଘଣ୍ଟାର ପରିଶ୍ରମ ପରେ ନିଖୋଜ ଯୁବକଙ୍କୁ ଉଦ୍ଧାର କରି ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଯୁବକଙ୍କ ନାମ ସନ୍ତୋଷ ତରେଇ ବୋଲି ଜଣାପଡିଛି। ସନ୍ତୋଷଙ୍କ ମୃତ୍ୟୁ ପରେ ଓଡିଆ ଆଲପୁର ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Categories
ଆଞ୍ଚଳିକ

ଚିଲିକା: କରୋନାରେ ପ୍ରାଣ ହରାଇଲେ ହୋମ ଆଇସୋଲେସନରେ ଥିବା ୭୦ ବର୍ଷୀୟ ବୃଦ୍ଧ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ଆଙ୍କୁଲା ପଞ୍ଚାୟତର କରୋନାରେ ଆକ୍ରାନ୍ତ ହୋଇ ଜଣେ ୭୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ଆଜି ସକାଳେ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସେ ମୃତ୍ୟୁ ବରଣ କରିଛନ୍ତି।

ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କ ସୂଚନା ଅନୁସାରେ ସମ୍ପୃକ୍ତ ବ୍ୟକ୍ତି କରୋନା ପଜିଟିଭ ହୋଇଥିବା ହେତୁ ଗତ ଦୁଇ ଦିନ ତଳେ ହୋମ ଆଇସୋଲେସନରେ ଥିଲେ। ପ୍ରତିଦିନ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ମେଡିକାଲ ପ୍ରଶାସନ ପକ୍ଷରୁ ସ୍ୱାସ୍ଥ୍ୟବସ୍ଥା ସମ୍ଭନ୍ଧରେ ତଦାରଖ କରାଯାଉଥିବା ବେଳେ ଆଜି ସକାଳୁ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଅଧିକ ଗୁରୁତର ହୋଇପଡିଥିଲା। ଫଳରେ ତାଙ୍କୁ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଶ୍ୱାସ ଜନିତ ସମସ୍ୟା ଗୁରୁତର ହୋଇଥିବା ହେତୁ ମୃତ୍ୟୁ ଘଟିଥିଲା।

ତେବେ ମୃତକଙ୍କ ଅନ୍ତେଷ୍ଟି କ୍ରିୟା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ବ୍ୟବସ୍ଥା କରାଯାଇ ଶବକୁ ଖୋର୍ଦ୍ଧା ସ୍ମଶାନକୁ ପଠାଯିବା ସହ ପରିବାରର ସଦସ୍ୟଙ୍କ ସମେତ ପ୍ରଶାସନିକ ଅଧିକାରୀ ମଧ୍ୟ ଅନ୍ତେଷ୍ଟି କାର୍ଯ୍ୟରେ ଉପସ୍ଥିତ ଥିଲେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଲକଡାଉନ ସମୟରେ ଭୋକିଲାଙ୍କୁ ସହାୟ ହେବେ ବାଲୁଗାଁ ଏସଡିପିଓ: ଜାରି କଲେ ହେଲ୍ପଲାଇନ ନମ୍ବର

ସୀତାରମ ଅଗ୍ରୱାଲ

ଚିଲିକା: ଆସନ୍ତାକାଲି ଠାରୁ ସାରା ରାଜ୍ୟରେ ୧୪ ଦିନିଆ ଲକଡ଼ାଉନ ହେବାକୁ ଯାଉଛି। ଏହି ଲକଡ଼ାଉନ ସମୟରେ ଅନେକ ଦିନହୀନ ଗରିବ ଲୋକ ଖାଇବାକୁ ନପାଇ ଭୋକିଲା ରହୁଥିବା ଦେଖିବାକୁ ମିଳେ।

କିନ୍ତୁ ଏଭଳି ଲୋକଙ୍କ ମଧ୍ୟରେ ମୁଠାଏ ଦାନା ଯୋଗାଡ଼ କରିବା ପାଇଁ ବାଲୁଗାଁ ଏସଡ଼ିପିଓ ଏକ ନିଆରା ପ୍ରୟାସ ହାତକୁ ନେଇଛନ୍ତି। ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଏବଂ ବାଲୁଗାଁ ଅଞ୍ଚଳର ଅସହାୟ ଓ ଭୋକିଲା ବ୍ୟକ୍ତିମାନଙ୍କ ପାଇଁ ଦାନା ଯୋଗାଡ଼ କରିବା ନିମନ୍ତେ ଏସଡ଼ିପିଓ ମାନସ ରଞ୍ଜନ ବାରିକ ଏକ ବଡ଼ ପଦକ୍ଷେପ ନେଇଛନ୍ତି।

ଆସନ୍ତା ୫ ରୁ ୧୯ ତାରିଖ ଲକଡ଼ାଉନ ସମୟ ମଧ୍ୟରେ ବାଣପୁର ବାଲୁଗାଁ ଅଞ୍ଚଳରେ କୌଣସି ଅସହାୟ ଓ ଭୋକିଲା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଯଦି କେହି ଆସନ୍ତି ତେବେ ତୁରନ୍ତ  ୯୪୩୭୩୪୨୮୫୫ କିମ୍ୱା ୯୦୭୮୯୩୪୯୩୪ ନମ୍ବରରେ ପୋଲିସକୁ ଯୋଗାଯୋଗ କରିବା ଲାଗି ଏସଡ଼ିପିଓ ଶ୍ରୀ ବାରିକ ନିବେଦନ କରିଛନ୍ତି। ଏହାପରେ ଉକ୍ତ ଅସହାୟ ଓ ଭୋକିଲା ବ୍ୟକ୍ତିଙ୍କ ନିକଟରେ ପୋଲିସ ପକ୍ଷରୁ ଦିନକୁ ଦୁଇ ଥର ରନ୍ଧା ଖାଦ୍ୟ ପହଂଚିବ ବୋଲି ସେ ଘୋଷଣା କରିଛନ୍ତି। ଏଭଳି ପଦକ୍ଷେପ ପାଇଁ ଏସଡ଼ିପିଓଙ୍କୁ ସ୍ଥାନୀୟ ଅଞ୍ଚଳରେ  ଭୁୟସୀ ପ୍ରଶଂସା କରିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଚିଲିକାରେ କରୋନା କଟକଣା: ଜାଣନ୍ତୁ ବିବାହ ଉତ୍ସବ ପାଇଁ କେଉଁଠୁ ଏବଂ କିପରି ପାଇବେ ଅନୁମତି ପତ୍ର

ସୀତାରାମ ଅଗ୍ରୱାଲ

ବାଣପୁର: ବର୍ତ୍ତମାନ କରୋନା ମହାମାରୀ ଖୋର୍ଦ୍ଧା ଜିଲ୍ଲାରେ ତାଣ୍ଡବ ସୃଷ୍ଟି କରିଛି। ଏହାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣାକୁ ଧୀରେ ଧୀରେ କଡାକଡି କାରାଯାଉଥିବା ବେଳେ କେବଳ ଅତି ଜରୁରୀକାଳୀନ କାର୍ଯ୍ୟକୁ ଜିଲ୍ଲା  ପ୍ରଶାସନ ପକ୍ଷରୁ ଅନୁମତି ମିଳିଛି। ତେବେ ଉକ୍ତ ଜରୁରୀକାଳୀନ କାର୍ଯ୍ୟ ମଧ୍ୟରେ ବାହାଘର ଏବଂ ଶୁଦ୍ଧିକ୍ରିୟା କାର୍ଯ୍ୟ ମଧ୍ୟ ଅନ୍ତର୍ଭୁକ୍ତ ଅଟେ।

ହେଲେ ଚିଲିକା ନିର୍ବାଚନମଣ୍ଡଳୀର ଜନସାଧାରଣମାନେ କିଛିଦିନ ହେବ ଏ ବିଷୟକୁ ନେଇ ଦ୍ୱନ୍ଦରେ ପଡିଛନ୍ତି। ଅନୁମତି ପତ୍ର ପାଇବା ପାଇଁ ବାରମ୍ବାର ଥାନା ଏବଂ ତହସିଲ ଦୌଡୁଥିବାର ଦେଖାଯାଉଛି। ତେବେ ବର୍ତ୍ତମାନ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହା ଉପରେ ସ୍ପଷ୍ଟୀକରଣ ଦିଆଯାଇଛି।

ଗତ ୧୯ ଏପ୍ରିଲ ରେ ପତ୍ର ସଂଖ୍ୟା ୧୮୮୦ ମାଧ୍ୟମରେ ଖୋର୍ଦ୍ଧା ଉପଜିଲ୍ଲାପାଳ ଅଶୋକ ବେହୁରିଆ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି ଯେଉଁଥିରେ ବାହାଘର ଏବଂ ଶୁଦ୍ଧିକ୍ରିୟା ପାଇଁ ଏଥର ଜନସାଧାରଣ ମାନେ ସ୍ଥାନୀୟ ଥାନାଧିକାରୀଙ୍କଠୁ ଅନୁମତି ନେବେ। ବାଣପୁର ଏବଂ ବାଲୁଗାଁର ଜନସାଧାରଣ ମାନେ ଏଥର ବିବାହ, ବ୍ରତ ଏବଂ ଶୁଦ୍ଧିକ୍ରିୟା କାର୍ଯ୍ୟପାଇଁ ସ୍ଥାନୀୟ ଥାନାଧିକାରୀଙ୍କ ଠୁ ଅନୁମତି ନେବେ।

ତେବେ ଏଥିନିମନ୍ତେ ଆବେଦନକାରୀଙ୍କୁ ଅତି କମରେ ପାଞ୍ଚ ଦିନ ପୂର୍ବରୁ ସ୍ଥାନୀୟ ଥାନାରେ ଦରଖାସ୍ତ ସହ ଅନ୍ୟାନ୍ୟ ଆବଶ୍ୟକୀୟ କାଗଜପତ୍ର ଜମା କରିବାକୁ ପଡିବ ବୋଲି ଉଭୟ ବାଣପୁର ଏବଂ ବାଲୁଗାଁ ଥାନାଧିକାରୀ ସୂଚନା ଦେଇଛନ୍ତି। ତତ ସହିତ ବିବାହରେ ସାମିଲ ହେବାକୁ ଥିବା ଜନସାଧାରଣଙ୍କ ନାମ(ଅତି ବେଶୀରେ ୫୦ଜଣ) ମଧ୍ୟ ଥାନାରେ ଜମା କରିବାକୁ ପଡିବ।

ଏହାପରେ ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ତଦନ୍ତ ଏବଂ ବିଚାର କରାଯାଇ ଅନୁମତି ପତ୍ର ଆବେଦନକାରୀଙ୍କୁ ପ୍ରଦାନ କରାଯିବ ବୋଲି ଉଭୟ ଥାନାଧିକାରୀ ପ୍ରକାଶ କରିଛନ୍ତି। ଏ ନେଇ ଆଜି ବାଣପୁର ତହସିଲ ପକ୍ଷରୁ ପ୍ରଚାର ମାଧ୍ୟମରେ ସୂଚନା ଦିଆଯାଇଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଦୀର୍ଘ ମାସ ପରେ ଚିଲିକାକୁ ଫେରିଲା କଣ୍ଟେନମେଣ୍ଟ: ଏହି ସବୁ ଅଞ୍ଚଳରେ ସାତ ଦିନିଆ କର୍ଫ୍ୟୁ

ସୀତାରାମ ଅଗ୍ରୱାଲ

ଚିଲିକା: ଦୀର୍ଘ ମାସ ପରେ ଚିଲିକାକୁ ପୁଣିଥରେ କଣ୍ଟେନମେଣ୍ଟ ଜୋନ ଫେରିଛି। କରୋନା ଦ୍ଵିତୀୟ ଲହରରେ ସାରା ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବାବେଳେ ଏବେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଚିଲିକା ବ୍ଲକରେ ଏହାର ପ୍ରଭାବ ଦେଖିବାକୁ ମିଳିଛି।  ଦ୍ରୁତଗତିରେ ଚିଲିକା ବ୍ଲକରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।

ଏହି ପରିପ୍ରେକ୍ଷୀରେ ଆଜି ଖୋର୍ଦ୍ଧା ଉପଜିଲ୍ଲାପାଳ ଅଶୋକ ବେହୁରିଆ ଚିଲିକା ବ୍ଲକର ଏକାଧିକ ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି। ବଉଳାବନ୍ଧ ଗ୍ରାମ ପଞ୍ଚାୟତ ୧ନମ୍ବର ୱାର୍ଡ ଅନ୍ତର୍ଗତ ପାଟଣା ସାହିର କିଛି ଅଂଶ, ସୀଙ୍ଗେଶ୍ୱର ଗ୍ରାମ ପଞ୍ଚାୟତର ୩ ନମ୍ବର ୱାର୍ଡ ଅନ୍ତର୍ଗତ ଧୁଆଁଳ ଗ୍ରାମର କିଛି ଅଂଶ ଏବଂ ୧୬ ନମ୍ବର ୱାର୍ଡ ଅନ୍ତର୍ଗତ ଲମ୍ବୋଦରପୁର ଗ୍ରାମର କିଛି ଅଂଶକୁ ଆଜି ତା ୨୩ ଏପ୍ରିଲ ରୁ ତା ୨୯ ଏପ୍ରିଲ ଯାଏଁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଅଛି।

ଏହି ସମୟରେ ସମ୍ପୃକ୍ତ ଅଞ୍ଚଳର କୌଣସି ବ୍ୟକ୍ତି ଘରୁ ବାହାରକୁ ବାହାରିବା ପାଇଁ ବାରଣ କରାଯାଇଛି ଏବଂ ସମ୍ପୃକ୍ତ ଅଞ୍ଚଳ ଗୁଡ଼ିକ ବିଶୋଧନ ହେବା ସହ କଣ୍ଟାକ୍ତ ଟ୍ରେସିଂ ଜାରି ରହିବ।