Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ: ସଂଘବଦ୍ଧ ଆକ୍ରମଣରେ ବୃଦ୍ଧଙ୍କର ମୃତ୍ୟୁ

ବାଲୁଗାଁ: ଗତକାଲି ରାତିରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ସିଙ୍ଗେଶ୍ୱର ପଞ୍ଚାୟତ ଅନ୍ତର୍ଗତ ରଘୁନାଥପୁର ଗ୍ରାମରେ ସଂଘବଦ୍ଧ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବାର ଅଭିଯୋଗ ହୋଇଛି । ସୂଚନା ମୁତାବକ ରଘୁନାଥପୁର ଗ୍ରାମର ନିରଞ୍ଜନ ସାହୁଙ୍କ ବାପା ରଙ୍କନାଥ ସାହୁଙ୍କୁ(୭୦) ପୂର୍ବ ଦିନର କୌଣସି ଏକ ଘଟଣାକୁ ନେଇ ଗ୍ରାମର କିଛି ଖଳ ପ୍ରକୃତିର ଲୋକ ସଂଘ ବଦ୍ଧ ଭାବେ ଆକ୍ରମଣ କରିଥିଲେ।

ଉକ୍ତ ଆକ୍ରମଣରେ ଘଟଣା ସ୍ଥଳରେ ରଙ୍କନାଥ ସାହୁ ମୁର୍ମୁଶୁ ଅବସ୍ଥାରେ ତଳେ ପଡିଯାଇଥିବା ବେଳେ ଗ୍ରାମବାସୀଙ୍କ ସହାୟତାରେ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।ମାତ୍ର ଡାକ୍ତର ଶ୍ରୀ ସାହୁଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଖବର ପାଇ ମେଡିକାଲରେ ପୋଲିସ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ମୃତକଙ୍କ ପୁଅ ନିରଞ୍ଜନଙ୍କ ଏତଲା କ୍ରମେ ବାଲୁଗାଁ ପୋଲିସ କେଶ ନଂ ୧୫୨/୨୨ରେ ଏକ ମାମଲା ରୁଜୁ କରି ଚାରି ଜଣଙ୍କୁ ଥାନାରେ ଅଟକ ରଖିଥିବା ବେଳେ ଅନ୍ୟ ଅଭିଯୁକ୍ତ ମାନେ ଫେରାର ହୋଇଯାଇଛନ୍ତି।

Categories
ଆଞ୍ଚଳିକ

ବାଲୁଗାଁ: ପରଟାରେ ମହାପ୍ରଭୁ ଜଗନ୍ନାଥ, ଭାଇରଲ ହେଉଛି ଫୋଟୋ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ପରଟାରେ ଦେଖାଦେଲେ ମହାପ୍ରଭୁ ଜଗନ୍ନାଥ। ହଁ, କଥାଟା ଟିକେ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏପରି ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି। ଏକ ପରଟାରେ ମହାପ୍ରଭୁ ଜଗନ୍ନାଥଙ୍କ ଫୋଟୋ ସଦୃଶ ଦୃଶ୍ୟ ଦେଖିବାକୁ ମିଳିଛି।  ତେବେ ତଦନ୍ତରୁ ଜଣାପଡ଼ିଛି କି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅଞ୍ଚଳରୁ ଉକ୍ତ ଫୋଟୋଟି ଭାଇରାଲ ହେଉଛି।

ପାଟଣା ସାହି ଜଗନ୍ନାଥ ମନ୍ଦିର ସମ୍ମୁଖରେ ରହୁଥିବା ରବୀନ୍ଦ୍ର ସୁବୁଦ୍ଧିଙ୍କ ପରିବାରବର୍ଗ ପରଟା ତିଆରି କଲା ସମୟରେ ଗୋଟାଏ ପରଟାରେ ମହାପ୍ରଭୁ ଜଗନ୍ନାଥଙ୍କ ସଦୃଶ ଏକ ପ୍ରତିଛବି ଦେଖିବାକୁ ପାଇଥିଲେ। ଦେଖୁ ଦେଖୁ ତାହା ସୋସିଆଲ ମିଡିଆରେ ଭାଇରଲ ହେଇଗଲା।

ସମ୍ପ୍ରତି ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ପର୍ବ ଜାରି ରହିଥିବା ବେଳେ ଏହି ସମୟରେ ଏପରି ଦୃଶ୍ୟ ସାମ୍ନାକୁ ଆସିବା ଭକ୍ତମାନଙ୍କ ଆସ୍ଥାକୁ ଆହୁରି ବଢ଼ାଇଦେଇଛି। ଅନେକ ଭକ୍ତ ମାନେ ବର୍ତ୍ତମାନ ଉକ୍ତ ପରଟାକୁ ପୂଜା କରୁଥିବାର ମଧ୍ୟ ଦେଖାଯାଇଛି।

ତେବେ କେହି କେହି ଏହାକୁ ଅନ୍ଧବିଶ୍ୱାସ କହିବା ସହ ଏହା ଏକ ସାଧାରଣ ପରଟା ବୋଲି ବର୍ଣ୍ଣନା କରୁଛନ୍ତି।

Categories
ଆଞ୍ଚଳିକ

ମାଟ୍ରିକ ପରୀକ୍ଷା ଫଳ: ବାଣପୁରରେ ପ୍ରଲିପ୍ତା ଓ ଚିଲିକାରେ ଅମ୍ଲାନ ଟପର

ସୀତାରାମ ଅଗ୍ରୱାଲ

ଚିଲିକା: ବହୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଆଜି ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି। ତେବେ ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବାଣପୁର ବ୍ଲକ, ଏନଏସି ଏବଂ ଚିଲିକା ବ୍ଲକ ଓ ବାଲୁଗାଁ ଏନଏସିରେ ପାସ ହାର ସନ୍ତୋଷଜନକ ରହିଛି। ବାଣପୁର ବ୍ଲକ ଏବଂ ଏନଏସି ରେ ପାସ ହାର ଶତକଡା ୯୮.୦୪ ପ୍ରତିଶତ ରହିଥିବା ବେଳେ ଚିଲିକା ବ୍ଲକ ଏବଂ ବାଲୁଗାଁ ଏନଏସି ରେ ଏହା ଶତକଡା ୯୮.୫୮ ପ୍ରତିଶତ ରହିଛି।

ତେବେ ବାଣପୁର ବ୍ଲକ ଏବଂ ଏନଏସି ରେ ଏ-୧ ଗ୍ରେଡ଼ରେ ୨୦ ଜଣ, ଏ-୨ ଗ୍ରେଡ଼ରେ ୨୨୮ ଜଣ, ବି-୧ ଗ୍ରେଡ଼ରେ ୪୩୧ ଜଣ ଏବଂ ବି-୨ ଗ୍ରେଡ଼ରେ ୪୬୫ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବାବେଳେ ଚିଲିକା ବ୍ଲକ ଏବଂ ବାଲୁଗାଁ ଏନଏସି ରେ ଏ-୧ ଗ୍ରେଡ଼ରେ ୧୪ ଜଣ, ଏ-୨ ଗ୍ରେଡ଼ରେ ୯୧ ଜଣ, ବି-୧ ଗ୍ରେଡ଼ରେ ୨୭୮ ଜଣ ଏବଂ ବି-୨ ଗ୍ରେଡ଼ରେ ୪୭୮ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି।

ବାଣପୁର ବ୍ଲକ ଏବଂ ଏନଏସିରେ ନାଚୁଣୀ ସ୍ଥିତ ଶ୍ରୀ ଅରବିନ୍ଦ ସ୍କୁଲ ଅଫ ଇଣ୍ଟେଗ୍ରାଲ ଏଜୁକେସନର ପ୍ରଲିପ୍ତା ସାହୁ ସର୍ବାଧିକ ୫୭୪ ମାର୍କ ରଖି ଟପର ହୋଇଥିବାବେଳେ ଚିଲିକା ବ୍ଲକ ଏବଂ ବାଲୁଗାଁ ଏନଏସିରେ ଆଙ୍କୁଲାଚଟି ସ୍ଥିତ ପଞ୍ଚୁପଲି ସୋମନାଥ ଉଚ୍ଚ ବିଦ୍ୟାଳୟର ଅମ୍ଲାନ ଶତପଥି ସର୍ବାଧିକ ୫୮୩ ମାର୍କ ରଖି ଟପର ହୋଇଛନ୍ତି।

Categories
ଆଞ୍ଚଳିକ

ବାଲୁଗାଁ: ସଡ଼କ ଦୁର୍ଘଟଣାରେ ନନ୍ଦପୁର ଗ୍ରାମର ଯୁବକ ମୃତ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଗତକାଲି ବିଳମ୍ବିତ ରାତ୍ରିରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ଖଡ଼ିକାପଲ୍ଲୀ ୧୬ ନମ୍ବର ଜାତୀୟ ରାଜପଥରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଯେଉଁଥିରେ ଜଣେ ଯୁବକ ପ୍ରାଣ ହରାଇଛନ୍ତି। ବାଲୁଗାଁ ପୋଲିସର ସୂଚନା ମୁତାବକ ବାଣପୁର ଥାନା ନନ୍ଦପୁର ଗ୍ରାମର ଭିକାରି ପ୍ରଧାନ (୨୯) ଅନ୍ୟ ଦୁଇ ଜଣ ସହଯୋଗୀଙ୍କ ସହିତ ଗତକାଲି ବିଳମ୍ବିତ ରାତ୍ରିରେ ଏକ ବାଇକ ଯୋଗେ ନାଭାଲରୁ ବାଣପୁର ଅଭିମୁଖେ ଯାଉଥିବା ବେଳେ ଏକ କାର ତାଙ୍କୁ ଧକ୍କା ଦେଇଥିଲା। ସଙ୍ଗେସଙ୍ଗେ ବାଲୁଗାଁ ପୋଲିସ ଖବର ପାଇ ଆହତଙ୍କୁ ଉଦ୍ଧାର କରି ବାଲୁଗାଁ ମେଡିକାଲରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ଭିକାରିଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ବାଲୁଗାଁ ପୋଲିସ କେଶ ନମ୍ବର ୧୩୮/୨୨ ରେ ଏକ ମାମଲା ରୁଜୁ କରି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଦେଇଛି। ଅପରପକ୍ଷେ ଘଟଣାର ତଦନ୍ତ ଜାରି ରହିଥିବା ବାଲୁଗାଁ ଥାନ ଇନଚାର୍ଜ ଡ଼ିଏସପି ରମାକାନ୍ତ ମାହାଲିକ କହିଛନ୍ତି।

Categories
ଆଞ୍ଚଳିକ

ବାଲୁଗାଁ: ଉମାମହେଶ୍ୱର ମନ୍ଦିର ପରିସରରେ ଭିକ୍ଷୁକଙ୍କ ମୃତ୍ୟୁ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ପୂର୍ବାହ୍ନରେ ବାଲୁଗାଁ ଉମାମହେଶ୍ୱର ମନ୍ଦିର ପରିସରରେ ଜଣେ ବୃଦ୍ଧ ମୁର୍ମୁଶ ଅବସ୍ଥାରେ ପଡିରହିଥିବା ଦେଖିବାକୁ ମିଳିଥିଲା। ଏହା ଦେଖି ସ୍ଥାନୀୟ ଲୋକମାନେ ପୋଲିସକୁ ତୁରନ୍ତ ଅବଗତ କରିଥିଲେ। ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୁର୍ମୁଶ ଅବସ୍ଥାରେ ବୃଦ୍ଧଙ୍କୁ ଉଦ୍ଧାର କରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ମାତ୍ର ଡାକ୍ତର ମୃତ ଘୋଷଣା କରିଥିଲେ।

ମୃତକଙ୍କ ଶବ ବ୍ୟବଚ୍ଛେଦ ପାଇଁ ପୋଲିସ ପଠାଇଦେଇଛି। ଶବ ବ୍ୟବଚ୍ଛେଦ ପରେ ପରିବାରଙ୍କୁ ହସ୍ତାନ୍ତର କରାଯିବ। ପ୍ରାରମ୍ଭିକ ସୂଚନା ଅନୁଯାୟୀ ମୃତକଙ୍କ ନାମ ବଳଭଦ୍ର ସ୍ୱାଇଁ (୭୦) ନିରାକାରପୁର ଅଞ୍ଚଳର ବୋଲି ଜଣାପଡିଛି। ଦୀର୍ଘ ଦିନ ଧରି ମନ୍ଦିର ପ୍ରାଙ୍ଗଣରେ ଭିକ୍ଷା ବୃତ୍ତି କରି ସେ ଜୀବନ ନିର୍ବାହ କରୁଥିଲେ।

Categories
ଆଞ୍ଚଳିକ

ବାଲୁଗାଁରେ ବଜରଙ୍ଗ ଦଳ ପକ୍ଷରୁ ସାମୁହିକ ହନୁମାନ ଚାଳିଶା ପଠନ କାର୍ଯ୍ୟକ୍ରମ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ସକାଳେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଠାରେ ବଜରଙ୍ଗ ଦଳ ବାଣପୁର-ବାଲୁଗାଁ ପକ୍ଷରୁ ସାମୁହିକ ହନୁମାନ ଚାଳିଶା ପଠନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବାଲୁଗାଁ ବଜାରସ୍ଥିତ ହନୁମାନ ମନ୍ଦିର ପରିସରରେ ଉକ୍ତ କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ଶତାଧିକ ହିନ୍ଦୁମାନେ ସ୍ୱତଃପ୍ରବୃତ୍ତ ଭାବେ ଯୋଗଦେଇଥିଲେ।

ଏଥି ନିମନ୍ତେ ପୂବରୁ ବଜରଙ୍ଗ ଦଳ ପକ୍ଷରୁ ସମସ୍ତ ହିନ୍ଦୁମାନଙ୍କୁ ଆହ୍ଵାନ ଦିଆଯାଇଥିଲା।  ପରିଶେଷରେ ସମସ୍ତ କର୍ମକର୍ତ୍ତାମାନେ ଏକ ବାଇକ ରାଲିରେ ମାମୁଁ ଭଣଜା ପାହାଡ଼ ନିକଟରେ ଏକତ୍ରିତ ହୋଇ ଜୟ ଶ୍ରୀରାମ ନାରା ଦେଇଥିଲେ।

ତେବେ ବାଣପୁର ବାଲୁଗାଁରେ ପ୍ରତି ମଙ୍ଗଳବାର ଦିନ ସକାଳ ୭ ଘଟିକାରେ ଏହିପରି ଭାବେ ସାମୁହିକ ହନୁମାନ ଚାଳିଶା ପଠନ କାର୍ଯ୍ୟକ୍ରମ ଜାରି ରହିବ ବୋଲି ସଂଗଠନ ପକ୍ଷରୁ ସୂଚନା ମିଳିଛି।

Categories
ଆଞ୍ଚଳିକ

ବାଲୁଗାଁ: ଜାତୀୟ ରାଜପଥରେ ପାଟ୍ରୋଲିଂ ଭ୍ୟାନ ଦୁର୍ଘଟଣାଗ୍ରସ୍ତ, ଦୁଇ ଗୁରୁତର

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ୧୬ ନମ୍ବର ଜାତୀୟ ରାଜପଥ ସୁବୁଦ୍ଧିପାଟଣା ଛକ ନିକଟରେ ହାଇୱେ ପାଟ୍ରୋଲିଂ ଭ୍ୟାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଯେଉଁଥିରେ ଦୁଇ ଜଣ କର୍ମଚାରୀ ଆହତ ହୋଇଛନ୍ତି।

ଘଟଣା ମୁତାବକ ଆଜି ଅପରାହ୍ନରେ ସୁବୁଦ୍ଧିପାଟଣା ଛକରେ ହାଇୱେ ପାଟ୍ରୋଲିଂ ଭ୍ୟାନଟି ଦୁର୍ଘଟଣାଗ୍ରସ୍ତ ହୋଇ ତଳକୁ ଖସିପଡ଼ିଛି। ତେବେ ଦୁର୍ଘଟଣାର କାରଣ ଜଣାପଡିନଥିଲେ ସୁଦ୍ଧା ଗାଡିର ସମ୍ମୁଖ ଭାଗଟି କ୍ଷତିଗ୍ରସ୍ତ ହୋଇଥିବାର ଜଣାପଡ଼ିଛି।

ଖବର ପାଇ ନାଭାଲ ଫାଣ୍ଡି ଅଧିକାରୀ ଗାଡ଼ିରୁ ଦୁଇ ଜଣ କର୍ମଚାରୀଙ୍କୁ ଗୁରୁତର ଭାବେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ବାଲୁଗାଁ ମେଡିକାଲକୁ ପଠାଇ ତଦନ୍ତ ଜାରି ରଖିଛନ୍ତି। ଆହତ କର୍ମଚାରୀ ଦ୍ବୟ ହେଲେ ଏସପିଓ ବିଶ୍ୱରଞ୍ଜନ ନାୟକ ଏବଂ ଡ୍ରାଇଭର ଭାଗିରଥି ସେଠି।

ସୂଚନା ଥାଉକି ଗାଡ଼ିରେ ଉକ୍ତ ଦୁଇ ଜଣଙ୍କ ସମେତ ହୋମଗାର୍ଡ ବିଦ୍ୟାଧର ସେଠି ମଧ୍ୟ ଉପସ୍ଥିତ ଥିବା ବେଳେ ତାଙ୍କର କିଛି କ୍ଷତି ହୋଇନାହିଁ।

ତେବେ ପ୍ରାପ୍ତ ସୂଚନା ଅନୁଯାୟୀ, ଭୁବନେଶ୍ଵରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଗୋଟିଏ ବସ ଭ୍ୟାନଟିକୁ ଡାହାଣ ପାର୍ଶ୍ଵରୁ ଧକ୍କା ଦେଇଥିଲା। ଯାହାଫଳରେ ଭ୍ୟାନଟି ଭାରସାମ୍ୟ ହରାଇ ଗୋଟିଏ ଗଛରେ ଧକ୍କା ଦେଇଥିଲା। ବର୍ତ୍ତମାନ ଦୁର୍ଘଟଣା ଘଟାଇଥିବା ବସଟିକୁ ପୋଲିସ ଧରିବା ପାଇଁ ତଦନ୍ତ ଆରମ୍ଭ କରିଦେଇଛି।

Categories
ଅପରାଧ ଆଞ୍ଚଳିକ

ଚିଲିକାର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଚଢାଉ, ତିନି ମହିଳାଙ୍କ ସମେତ ୪ ଗିରଫ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଏବଂ ବାଣପୁର ଥାନା ଅଞ୍ଚଳରେ ଚଢ଼ାଉ କରି ବାଲୁଗାଁ ଅବକାରୀ ବିଭାଗ ୩ ମହିଳାଙ୍କ ସମେତ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ବାଣପୁର ଥାନା ଅନ୍ତର୍ଗତ ରାଣୀପଡ଼ା ଗ୍ରାମରୁ ଦୁଇ ମହିଳା, ଜଣେ ପୁରୁଷ ଏବଂ ବାଲୁଗାଁ ଥାନା ଅନ୍ତର୍ଗତ ପାଇକକୋଷଡିହ ଗ୍ରାମରୁ ଜଣେ ମହିଳା ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ସେମାନଙ୍କ ନିକଟରୁ ୧୫୫ ଲିଟର ଦେଶୀ ମଦ ଏବଂ ୧୦.୪୦୦ ଲିଟର ବିଅର ଜବତ ହୋଇଛି।

ଏହି ପରିପ୍ରେକ୍ଷୀରେ ବାଲୁଗାଁ ଅବକାରୀ ବିଭାଗ ପିଆର ନମ୍ବର ୩୭, ୩୮, ୩୯, ୪୦/୨୨-୨୩ ରେ ଚାରି ଗୋଟି ମାମଲା ରୁଜୁ କରି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି। ବାଲୁଗାଁ ଅବକାରୀ ଅଧିକାରିଣୀ ସୁନିତା ଦଳାଇଙ୍କ ନେତୃତ୍ୱରେ ଉକ୍ତ ଚଢ଼ାଉ ଅନୁଷ୍ଠିତ କରାଯାଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଲୁଗାଁ: ପୋଲିସ୍ ଭ୍ୟାନ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ୧୬ନଂ ଜାତୀୟ ରାଜପଥ ବାଲୁଗାଁ ବାଇପାସ୍ ସୁବୁଦ୍ଧିପାଟଣା ଛକ ନିକଟରେ ଏକ ପୋଲିସ୍ ଭ୍ୟାନ୍ ଧକ୍କାରେ ୬୦ବର୍ଷର ବୃଦ୍ଧଙ୍କ ମୃତ୍ୟୁ ଘଟିଛି।

ସୂଚନା ମୁତାବକ ଖଲ୍ଲିକୋଟ ଥାନା ଅନ୍ତର୍ଗତ ମାନାପଲ୍ଲି ଅଞ୍ଚଳର ପି କୃଷ୍ନ ଚନ୍ଦ୍ର ପାତ୍ର ଗୋଲା ସମ୍ପ୍ରଦାୟର ହେଇଥିବାରୁ ପ୍ରତିଦିନ ଛେଳି ଚରେଇବାକୁ ବିଭିନ୍ନ ସ୍ଥାନକୁ ଯାଇଥାନ୍ତି। ମାତ୍ର ଆଜି ବାଲୁଗାଁ ସୀମା ଅଞ୍ଚଳକୁ ଛେଳି ଚରାଇବାକୁ ଆସିଥିବା ବେଳେ ଦିନ ୧୨ଟାରେ ବାଲୁଗାଁରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ୍ ପୋଲିସ୍ ଭ୍ୟାନ୍ (ଓଡି ୦୫ଏପି ୨୭୪୨)ରାସ୍ତାରେ ପାର ହେଉଥିବା ସମୟରେ ବୃଦ୍ଧ କୃଷ୍ଣ ପାତ୍ରଙ୍କୁ ଧକ୍କା ଦେଇଥିଲା।

ଘଟଣା ସ୍ଥଳରେ ନାଭାଲ୍ ଫାଣ୍ଡି ପୋଲିସ୍ ପହଞ୍ଚି ଗୁରୁତର ଅବସ୍ଥାରେ କୃଷ୍ଣ ପାତ୍ରଙ୍କୁ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ମାତ୍ର ଡାକ୍ତର ଗୁରୁତର ପାତ୍ରଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ବାଲୁଗାଁ ପୋଲିସ୍ ଶବ ଜବତ କରି ୧୧୬/୨୦୨୨ ମାମଲା ରୁଜୁ କରି ଶବ ବ୍ୟବଛେଦ ପାଇଁ ପଠାଇଦେଇଛି।

ତେବେ ଘଟଣା ଘଟାଇଥିବା ପୋଲିସ୍ କର୍ମଚାରୀଙ୍କୁ ନାଭାଲ୍ ଫାଣ୍ତିରେ ଅଟକ ରଖାଯାଇ ତଦନ୍ତ ଜାରି ରହିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଲୁଗାଁ: ଘରୋଇ କଳି ହେଲା କାଳ, ବେକରେ ରଶି ଲଗାଇ ଆତ୍ମହତ୍ୟା କଲେ ଯୁବକ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଘରୋଇ କଳି ହେଲା କାଳ। ବେକରେ ରଶି ଲଗାଇ ଆତ୍ମହତ୍ୟା କଲେ ୨୩ ବର୍ଷୀୟ ଯୁବକ। ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା, ନାଭାଲ ଫାଣ୍ଡି ଅନ୍ତର୍ଗତ ନୂଆଗଡ଼ ଗ୍ରାମରେ।

ଫାଣ୍ଡି ଅଧିକାରୀଙ୍କ ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତ୍ରିରେ ଗୌତମ ନାୟକଙ୍କ ପୁତ୍ର ଶିବଦତ୍ତ ନାୟକ (୨୩) ନିଜ ଘରେ ବେକରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିବା ନେଇ ନାଭାଲ ଫାଣ୍ଡିରେ ଲିଖିତ ଅଭିଯୋଗ ହୋଇଛି। ଶିବଦତ୍ତ ଭୁବନେଶ୍ୱରସ୍ଥିତ ଏକ ଘରୋଇ କମ୍ପାନୀରେ ସୁପରଭାଇଜର ରୂପେ କାମ କରୁଥିବା ବେଳେ ରଜ ନିମନ୍ତେ ନିଜ ଗ୍ରାମକୁ ଛୁଟି ନେଇ ଫେରିଥିଲେ।

ତେବେ ତାଙ୍କ ବାପା ଗୌତମ ଓ ଶିବଙ୍କ ମଧ୍ୟରେ କାଲି କୌଣସି କାରଣକୁ ନେଇ ବଚସା ହୋଇଥିଲା। ଏବଂ ଶିବ ରାତିରେ ଆତ୍ମହତ୍ୟା କରିଥିଲେ। ଏ ନେଇ ନାଭାଲ ଫାଣ୍ଡି ପୋଲିସ ଶବ ଜବତ କରି କେଶ ନମ୍ବର ୧୭ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରିରଖିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଲୁଗାଁ: ପ୍ରେମ ସମ୍ପର୍କକୁ ନେଇ ଯୁବକ ଯୁବତୀଙ୍କ ଆତ୍ମହତ୍ୟା! କାରଣ ଅସ୍ପଷ୍ଟ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପ୍ରେମ ସମ୍ପର୍କକୁ ନେଇ ଦୁଇଜଣ ପ୍ରେମୀ ଯୁଗଳ ଆତ୍ମହତ୍ୟା କରିଥିବାର ସନ୍ଦେହ କରାଯାଉଛି।

ସୁଚାନା ଅନୁଯାୟୀ, ବାଲୁଗାଁ ଥାନା ଅନ୍ତର୍ଗତ ଇଂଜନପୁର ଗ୍ରାମର ନୈନା ବାରିକ ଓ ବାଣପୁର ଥାନା ଅନ୍ତର୍ଗତ ଵିଷ୍ଣୁଡିହ ଗ୍ରାମର ବିଘ୍ନେଶ ମାଝୀଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ପ୍ରେମସମ୍ପର୍କ ଥିବା କୁହାଯାଉଛି। କିନ୍ତୁ ଉଭୟଙ୍କ ଆତ୍ମହତ୍ୟାର କାରଣ କଣ ହୋଇପାରେ ତାହାର କୌଣସି ସୂଚନା ମିଳିପାରିନାହିଁ। କିନ୍ତୁ ଉଭୟଙ୍କ ଆତ୍ମହତ୍ୟା ସମ୍ପର୍କରେ ବିଭିନ୍ନ ପ୍ରକାରର ଗୁଜବ ହେଉ ଥିବା ବେଳେ ପରିବାର ପକ୍ଷରୁ କୌଣସି ମତାମତ ମିଳିପାରିନାହିଁ।

ବାଲୁଗାଁ ଥାନା ଅନ୍ତର୍ଗତ ନୈନା ଓ ବାଣପୁର ଥାନା ଅନ୍ତର୍ଗତ ବିଘ୍ନେଶ ଦୁହେଁ ମିଶି ଵିଷ୍ଣୁଡିହ ଗ୍ରାମର ପାଣି ଟାଙ୍କି ନିକଟରେ ବିଷ ଖାଇ ଆତ୍ମହତ୍ୟା କରିଛନ୍ତି। ଉଭୟଙ୍କୁ ବାଲୁଗାଁ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଭର୍ତ୍ତି କରା ଯାଇଥିଲା। କିନ୍ତୁ ଡାକ୍ତର ତାଙ୍କ ଭିତରୁ ଜଣଙ୍କୁ ଭୁବନେଶ୍ୱର ଓ ଆଉ ଜଣଙ୍କୁ ବ୍ରହ୍ମପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ। ସେଠାରେ
କିନ୍ତୁ ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ।

ଦୁଇ ଜଣଙ୍କ ଶବ ବ୍ୟବଚ୍ଛେଦ କରିବା ପରେ ଶବ ଦାହ କରାଯାଇଛି। ଏହାକୁ ନେଇ ଉଭୟ ଗ୍ରାମରେ ଏକ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି। କିନ୍ତୁ ଆଶ୍ଚର୍ଯ୍ୟର କଥା ଏ ନେଇ ଉଭୟ ବାଣପୁର ଓ ବାଲୁଗାଁ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣାପଡିଛି।

Categories
ଆଞ୍ଚଳିକ

ବାଲୁଗାଁ ରେଳ ଓଭରବ୍ରିଜ ଉପରେ କାର-ବାଇକ ମୁହାଁମୁହିଁ: ଦୁଇ ଗୁରୁତର

ସୀତାରାମ ଅଗ୍ରୱାଲ

ବାଲୁଗାଁ: ବାଣପୁର-ବାଲୁଗାଁ ରେଳ ଓଭରବ୍ରିଜ ଉପରେ ଏକ କାର ଓ ବାଇକ ମୁହାଁମୁହିଁ ଧକ୍କା ହୋଇଛନ୍ତି। ଫଳରେ ୨ ଜଣ ଗୁରୁତର ହୋଇଛନ୍ତି।

ସୂଚନା ମୁତାବକ ଆଜି ରାତ୍ର ୮ ଘଟିକା ସମୟରେ ବାଣପୁର ଆଡୁ ବାଲୁଗାଁ ଯାଉଥିବା ଏକ ହୁଣ୍ଡାଇ କାରଟି ରେଳ ଓଭରବ୍ରିଜ ଉପରେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ବାଇକରେ ଥିବା ୨ ଯୁବକ ଗୁରୁତର ଭାବେ ଆହତ ହୋଇଥିବା ବେଳେ ବାଇକଟି ଭାଙ୍ଗିରୁଜି ଯାଇଛି।

ଖବର ପାଇ ବାଲୁଗାଁ ପୋଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଆହତଙ୍କୁ ଉଦ୍ଧାର କରି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିବା ବେଳେ କାର ଡ୍ରାଇଭରକୁ ଅଟକ ରଖି ତଦନ୍ତ ଜାରି ରଖିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଲୁଗାଁ: ନକଲି ଆଇଡ଼ିରେ ରେଳ ଟିକେଟ ବିକ୍ରି କରିବା ମହଙ୍ଗା ପଡିଲା, ଦୁଇ ଦୋକାନୀ ଗିରଫ

ବାଲୁଗାଁ: ଗତକାଲି ରାତିରେ ଖୋର୍ଦ୍ଧା ରୋଡ଼ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ଆରପିଏଫ ଆଇଆଇସି ଜିତେନ୍ଦ୍ର ମୌର୍ଯ୍ୟ ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ଅଙ୍ଗାରଗାଁ ଅଞ୍ଚଳରେ ଚଢ଼ାଉ କରି ଦୁଇ ଦୋକାନୀଙ୍କୁ ଗିରଫ କରିଛନ୍ତି। ଉକ୍ତ ଦୁଇ ଦୋକାନୀ ବେଆଇନ ଭାବେ ନକଲି ଆଇ.ଆର.ସି.ଟି.ସି ଆଇଡ଼ି ଖୋଲି ଜନସାଧାରଣଙ୍କୁ ଇ-ସରଂକ୍ଷିତ ରେଳ ଟିକେଟ ବିକ୍ରି କରୁଥିବାର ଜଣାପଡିଛି।

ଗଞ୍ଜାମ ଜିଲ୍ଲା ଅଙ୍ଗାରଗାଁ ବଜାର ମୁଖ୍ୟ ରାସ୍ତାରେ ଅବସ୍ଥିତ ଥିବା ଗୁଗଲି ସଲ୍ୟୁସନ ଜନ ସେବା କେନ୍ଦ୍ର ଏବଂ ମା’ ତାରିଣୀ ପ୍ରେସ ଜନ ସେବା କେନ୍ଦ୍ରରେ ବେଆଇନ ଭାବେ ନକଲି ଆଇଡ଼ିରେ ରେଳ ଟିକେଟ ବିକ୍ରି ଚାଲିଥିଲା। ଚଢ଼ାଉ ବେଳେ ଗୁଗଲି ସଲ୍ୟୁସନ ଜନ ସେବା କେନ୍ଦ୍ରର ମାଲିକ ବାପି ସେଠି (୨୮) ଙ୍କ ନିକଟରୁ ଦୁଇ ଗୋଟି ଆଇଡ଼ି ଦ୍ୱାରା ତିଆରି ହୋଇଥିବା ସମୁଦାୟ ୨୦ ଗୋଟି ରେଳ ଟିକେଟ ଯାହାର ମୂଲ୍ୟ ପାଖାପାଖି ୩୦ ହଜାର ଟଙ୍କା ହେବ ଆରପିଏଫ ଜବତ କରିଥିବା ବେଳେ ମା’ ତାରିଣୀ ପ୍ରେସ ଜନ ସେବା କେନ୍ଦ୍ରର ମାଲିକ ସାଗର ସାହୁ (୩୦)ଙ୍କ ନିକଟରୁ ଦୁଇ ଗୋଟି ଆଇଡି ଦ୍ୱାରା ତିଆରି ହୋଇଥିବା ସମୁଦାୟ ୩ ଗୋଟି ରେଳ ଟିକେଟ ଜବତ କରିଛି, ଯାହାର ମୂଲ୍ୟ ପାଖାପାଖି ୪ ହଜାର ଟଙ୍କା ହେବ।

ଏହି ପରିପ୍ରେକ୍ଷୀରେ ବାଲୁଗାଁ ଆରପିଏଫ କେଶ ନମ୍ବର ସି୩ସି -୨୪୫/୨୦୨୨ ଏବଂ ସି୩ସି- ୨୪୬/୨୦୨୨ ରେ ଦୁଇ ଗୋଟି ମାମଲା ରୁଜୁ କରି ଗିରଫ ଅଭିଯୁକ୍ତ ଦ୍ବୟଙ୍କୁ ଆଜି ଖଲିକୋଟ କୋର୍ଟ ଚାଲାଣ କରିଥିବାର ଆରପିଏଫ ଆଇଆଇସି ଶ୍ରୀ ମୌର୍ଯ୍ୟ ସୂଚନା ଦେଇଛନ୍ତି।

Categories
ଆଞ୍ଚଳିକ

ବାଣପୁରରେ ପୋଲିସ ଓ ଆରଟିଓ ର ମିଳିତ ଚଢ଼ାଉ, ୯ ଡ଼ିଏଲ ବାତିଲ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର-ବାଲୁଗାଁ ଅଞ୍ଚଳରେ ବେପରୁଆ ଗାଡ଼ିଚାଳନା ବୃଦ୍ଧି ହେଉଥିବାର ବାରମ୍ବାର ଅଭିଯୋଗ ହୋଇଆସୁଛି। ଯାହାଫଳରେ ଏକାଧିକ ସଡ଼କ ଦୁର୍ଘଟଣା ମଧ୍ୟ ଘଟୁଛି। ଯେଉଁଥିରେ ନିରୀହ ଲୋକଙ୍କ ଜୀବନ ଯାଉଛି। ମଦ୍ୟପାନ କରି ଗାଡ଼ି ଚଳାଇବା ହେଉ କିମ୍ବା ଲାଇସେନ୍ସ ନଥିବା ଅନଭିଜ୍ଞ ଗାଡ଼ିଚାଳକଙ୍କ ଲାଗି ଦୁର୍ଘଟଣା ଘଟୁଥିବା ବେଳେ ପୋଲିସ ତଥା ଆରଟିଓ ପକ୍ଷରୁ କୌଣସି ଚଢ଼ାଉ ହେଉନଥିବାର ଅଭିଯୋଗ ହୋଇଆସୁଥିଲା। ଏପରିକି ପୁର୍ବରୁ ବିଭିନ୍ନ ଗଣମାଧ୍ୟମରେ ମଧ୍ୟ ଏ ନେଇ ଖବର ପ୍ରସାରଣ ହେବା ସହ ବିଭାଗୀୟ ଅଧିକାରୀଙ୍କ ଏ ବାବଦରେ ଦୃଷ୍ଟି ଆକର୍ଷଣ କରାଯାଇଥିଲା।

ତେବେ ଏହାକୁ ଆରଟିଓ ଗୁରୁତର ସହ ନେଇଛି। ଆଜି ବାଣପୁରର ଏକାଧିକ ସ୍ଥାନରେ ଆରଟିଓ ଏବଂ ପୋଲିସର ମିଳିତ ଚେକିଂ ଅନୁଷ୍ଠିତ ହୋଇଥିଲା। ବାଣପୁର ଆଇଆଇସି ରଶ୍ମିରଞ୍ଜନ ସାହୁ ଏବଂ ଖୋର୍ଦ୍ଧା ମୋଟରଯାନ ନିରୀକ୍ଷକ ଅମିତ ରଣାଙ୍କ ନେତୃତ୍ୱରେ ଉକ୍ତ ଯାଞ୍ଚ ଅଭିଯାନ ଅନୁଷ୍ଠିତ ହୋଇଥିଲା। ବହୁ ଗାଡ଼ି ଚାଳକଙ୍କ କାଗଜପତ୍ର, ଲାଇସେନ୍ସ, ହେଲମେଟ, ପିୟୁସି ଆଦି ଯାଞ୍ଚ କରାଯାଇଥିଲା।

ଉକ୍ତ ଅଭିଯାନ ଅନ୍ତର୍ଗତ ୯ ଜଣ ବାଇକ ଚାଳକଙ୍କ ଡ୍ରାଇଭିଙ୍ଗ ଲାଇସେନ୍ସ ବାତିଲ କରାଯାଇଥିବା ବେଳେ ୩୫ ଜଣଙ୍କ ଚାଲାଣ କରାଯାଇଥିବାର ସୂଚନା ଦେଇଛନ୍ତି ମୋଟରଯାନ ନିରୀକ୍ଷକ ଶ୍ରୀ ରଣା। ତେବେ ଆଗକୁ ମଧ୍ୟ ଏପରି ଚଢ଼ାଉ ଜାରି ରହିବ ବୋଲି ଉଭୟ ପୋଲିସ ଓ ଆରଟିଓ କହିଛନ୍ତି।

Categories
ଆଞ୍ଚଳିକ

ବାଲୁଗାଁ: ‘ଶାଳିଆ ପ୍ରେସ କ୍ଲବ’ର ସାଙ୍ଗଠନିକ ନିର୍ବାଚନ ଅନୁଷ୍ଠିତ, ଅଜିତ ସାହୁ ହେଲେ ସଭାପତି

ଚିଲିକା: ଖୋର୍ଦ୍ଧା ଜିଲ୍ଲାର ଅଗ୍ରଣୀ ସାମ୍ବାଦିକ ସଂଘ ବାଲୁଗାଁ ସ୍ଥିତ ‘ଶାଳିଆ ପ୍ରେସ କ୍ଲବର ଚଳିତ ବର୍ଷ ପାଇଁ ସାଙ୍ଗଠନିକ ନିର୍ବାଚନ ଆଜି ଚିଲିକା ରୋଡ଼ ସ୍ଥିତ ପ୍ରେସ କ୍ଲବ ଅଫିସ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ନିର୍ବାଚନରେ କ୍ଲବର ସମସ୍ତ ୨୪ ଜଣ ସଦସ୍ୟ ଅଂଶଗ୍ରହଣ କରିଥିଲେ।

ନିର୍ବାଚନ ଅଧିକାରୀ ଅରୁଣ କୁମାର ପଣ୍ଡାଙ୍କ ତତ୍ୱାବଧାନରେ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ସଂଘର ସଭାପତି ଭାବେ ଅଜିତ କୁମାର ସାହୁ, ସମ୍ପାଦକ ଭାବେ ଶେଖ ରୌଷନ, ଉପସଭାପତି ଭାବେ ସୀତାରାମ ଅଗ୍ରୱାଲ, ସହ ସମ୍ପାଦକ ଭାବେ ସୁଧୀର କୁମାର ବେହେରା ଏବଂ କୋଷାଧକ୍ଷ ଭାବେ ସଂଜୀବ ସେନାପତି ନିର୍ବାଚିତ ହୋଇଛନ୍ତି।

ନବ ନିର୍ବାଚିତ ଟିମକୁ ସଂଘର ସମସ୍ତ ସଭ୍ୟ ମାନେ ଶୁଭେଚ୍ଛା ଜଣାଇବା ସହ ଆଗାମୀ ଦିନରେ ‘ଶାଳିଆ ପ୍ରେସ କ୍ଲବ’ ଆହୁରି ଆଗକୁ ବଢିବ ବୋଲି ଆଶା କରିଛନ୍ତି।

ସୂଚନା ଥାଉ କି ବାଣପୁର, ବାଲୁଗାଁ ଓ ଚିଲିକା ଅଞ୍ଚଳକୁ ନେଇ ଗଠିତ ‘ଶାଳିଆ ପ୍ରେସ କ୍ଲବ’ ନିରନ୍ତର ଭାବେ ଜନସାଧାରଣଙ୍କ ସମସ୍ୟା ପ୍ରଶାସନ ନିକଟରେ ଉପସ୍ଥାପନ କରିଆସୁଅଛି ଏବଂ ଜନତାଙ୍କ ହକ ପାଇଁ ଲଢେଇ ଜାରି ରଖିଛି।

Categories
ଆଞ୍ଚଳିକ

ହନୁମାନ ଜୟନ୍ତୀ ଉପଲକ୍ଷେ ‘ଜୟ ଶ୍ରୀରାମ’ ଧ୍ୱନିରେ ପ୍ରକମ୍ପିତ ହେଲା ବାଣପୁର-ବାଲୁଗାଁ, ଦେଖନ୍ତୁ ଭିଡିଓ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ-ବାଣପୁର ସହରରେ ବିଶାଳ ବାଇକ ରାଲି ଅନୁଷ୍ଠିତ ହୋଇଯାଇଛି। ହନୁମାନ ଜୟନ୍ତୀ ଉପଲକ୍ଷେ ବଜରଙ୍ଗ ଦଳ ପକ୍ଷରୁ ଉକ୍ତ ରାଲି ଅନୁଷ୍ଠିତ ହୋଇଯାଇଛି। ବଜରଙ୍ଗ ଦଳ ଚିଲିକା ପ୍ରଖଣ୍ଡର ଆହ୍ଵାନକ୍ରମେ ଉକ୍ତ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ହଜାର ହଜାର ରାମ ଭକ୍ତ।

ଶୋଭାଯାତ୍ରାଟି ଅପରାହ୍ନରେ ବାଲୁଗାଁ ମାମୁଁ ଭଣଜା ପାହାଡ଼ ନିକଟରୁ ବାହାରି ସାରା ବାଲୁଗାଁ ସହର ପରିକ୍ରମା କରିଥିଲା ଏବଂ ଏହାପରେ ବାଣପୁର ସହର ପରିକ୍ରମା କରି ପରିଶେଷରେ ପଲଟନ ପଡିଆ ନିକଟରେ ସମାପ୍ତ ହୋଇଥିଲା। ଶୋଭାଯାତ୍ରା ସମୟରେ ଉଭୟ ସହର ‘ଜୟ ଶ୍ରୀରାମ’, ‘ଭାରତ ମାତାକି ଜୟ’ ଆଦି ଧ୍ୱନିରେ ପ୍ରକମ୍ପିତ ହୋଇଉଠିଥିଲା।

ତେବେ ପ୍ରଥମ ଥର ପାଇଁ ହନୁମାନ ଜୟନ୍ତୀରେ ଏପରି ଦୃଶ୍ୟ ଦେଖିଲେ ବାଣପୁର-ବାଲୁଗାଁ ବାସି। ବିରାଟକାୟ ହନୁମାନଙ୍କ ପତାକା ଧରି ରାମଭକ୍ତ ମାନେ ନାଚି ନାଚି ସହର ପରିକ୍ରମା କରିଥିଲେ। ଉଭୟ ବାଣପୁର ଏବଂ ବାଲୁଗାଁ ପୋଲିସର କଡ଼ା ସୁରକ୍ଷା ମଧ୍ୟରେ ଉକ୍ତ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ, ଶୋଭାଯାତ୍ରାରେ ଏତେ ସଂଖ୍ୟକ ରାମଭକ୍ତଙ୍କ ଯୋଗଦାନ ଫଳରେ ଉଭୟ ସହର ଟ୍ରାଫିକ ଏକରକମର ଠପ ହୋଇଯାଇଥିଲା।

ଅନୁରୂପ ଭାବେ ଶୋଭାଯାତ୍ରା ଯେତେ ଆଗକୁ ଆଗକୁ ଅଗ୍ରସର ହେଉଥିଲା ସେତେ ଅଧିକ ପରିମାଣରେ ରାମ ଭକ୍ତ ମାନେ ଶୋଭାଯାତ୍ରାରେ ସାମିଲ ହେଉଥିବାର ଦେଖିବାକୁ ମିଳିଥିଲା।

ଉକ୍ତ କାର୍ଯ୍ୟକ୍ରମକୁ ବଜରଙ୍ଗ ଦଳ ଚିଲିକା ପ୍ରଖଣ୍ଡ ସଂଯୋଜକ ରାଜେଶ ନାୟକ, ସହସଂଯୋଜକ ଆକାଶ ନାୟକ, ଦେବି ପ୍ରସାଦ ମହାନ୍ତି, ମହେଶ୍ୱର ପଣ୍ଡା, ଦ୍ଵିତୀ ରାଉତ, ଚନ୍ଦନ ନାୟକ, ହରେକୃଷ୍ଣ ନାୟକ ଏବଂ ଅନୁରାଗ ମହାନ୍ତି ଆଦି ପରିଚାଳନା କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଚିଲିକା ମତ୍ସ୍ୟଜୀବୀଙ୍କ ଜୀବନଜୀବିକାର ଉନ୍ନତି ନିମନ୍ତେ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସମୀକ୍ଷା ବୈଠକ

ଭୁବନେଶ୍ୱର : ଆଜି ଅପରାହ୍ନରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ସଂଜୟ କୁମାର ଦାସବର୍ମାଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱରସ୍ଥ ସର୍କିଟ୍‌ ହାଉସ୍‌ ସମ୍ମିଳନୀ କକ୍ଷଠାରେ ମତ୍ସ୍ୟଜୀବୀମାନଙ୍କ କଲ୍ୟାଣ ନିମନ୍ତେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଚିଲିକା ମତ୍ସ୍ୟଜୀବୀଙ୍କ ଜୀବନଜୀବିକାରେ ଉନ୍ନତି ଆଣିବା ଉଦ୍ଦେଶ୍ୟରେ ବିଭିନ୍ନ ଯୋଜନା ନେଇ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ ବୈଠକରେ ଶ୍ରୀ ଦାସବର୍ମା ରାଜ୍ୟ ସରକାରଙ୍କ ମତ୍ସ୍ୟଜୀବୀ ଉନ୍ନୟନ ଯୋଜନା ସମ୍ବନ୍ଧରେ ବ୍ୟାପକ ଜନସଚେତନତା ସୃଷ୍ଟି ଏବଂ ହିତାଧିକାରୀଙ୍କ ନିମନ୍ତେ ଶିବିର ଆୟୋଜନ ପୂର୍ବକ ମିଳୁଥିବା ସହାୟତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ବୈଠକରେ ଚିଲିକା ଉପରେ ନିର୍ଭରଶୀଳ ମତ୍ସ୍ୟଜୀବୀଙ୍କ ପାରମ୍ପରିକ ଡଙ୍ଗାକୁ ମୋଟରଚାଳିତ କରିବା, ପୁରାତନ କାଠଡଙ୍ଗା ବଦଳରେ ନୂତନ ଡଙ୍ଗା ପ୍ରଦାନ ବ୍ୟବସ୍ଥାରେ ଚିଲିକା ମତ୍ସ୍ୟଜୀବୀଙ୍କୁ ପ୍ରାଥମିକତା ଦେବା, ରାଜ୍ୟ ମତ୍ସ୍ୟନୀତି ଅନୁଯାୟୀ ମତ୍ସ୍ୟଜୀବୀଙ୍କୁ ନୂତନ ଡଙ୍ଗା, ଜାଲ କ୍ରୟ ଉପରେ ପ୍ରଚଳିତ ରିହାତି ବ୍ୟବସ୍ଥା, ଖାରିପାଣି ଚିଙ୍ଗୁଡ଼ି ଚାଷ ପାଇଁ ପ୍ରୋତ୍ସାହନ ଇତ୍ୟାଦି ବିଷୟରେ ସମୀକ୍ଷା କରାଯାଇଥିଲା।

ମତ୍ସ୍ୟଜୀବୀଙ୍କ ଉନ୍ନତି ନିମନ୍ତେ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ନେଇ ବ୍ୟାପକ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଖୁବ୍‌ଶୀଘ୍ର ବାଲୁଗାଁ ଏବଂ ପୁରୀ ଅଞ୍ଚଳର ସମସ୍ତ ମତ୍ସ୍ୟଜୀବୀ ସମବାୟ ସମିତିର ସଦସ୍ୟମାନଙ୍କୁ ନେଇ ବ୍ରହ୍ମଗିରିଠାରେ ଏକ ସଚେତନତା ଶିବିର ଆୟୋଜନ କରାଯିବ ବୋଲି ଶ୍ରୀ ଦାସବର୍ମା ପ୍ରକାଶ କରିଥିଲେ।

ସମୀକ୍ଷା ବୈଠକରେ ରାଜ୍ୟ ମତ୍ସ୍ୟ ନିର୍ଦ୍ଦେଶକ ଶ୍ରୀ ସ୍ମୃତିରଞ୍ଜନ ପ୍ରଧାନ, ଅତିରିକ୍ତ ନିର୍ଦ୍ଦେଶକ ଦେବାନନ୍ଦ ଭଞ୍ଜ, ଯୁଗ୍ମ ନିର୍ଦ୍ଦେଶକ ପବିତ୍ର କୁମାର ବେହେରା ଏବଂ ପ୍ରତାପ ରଞ୍ଜନ ରାଉତ, ଉପନିର୍ଦ୍ଦେଶକ ବସନ୍ତ କୁମାର ଦାସ, ପୁରୀ ଓ ବାଲୁଗାଁର ଜିଲ୍ଲା ମତ୍ସ୍ୟ ଅଧିକାରୀ, ଅତିରିକ୍ତ ମତ୍ସ୍ୟ ଅଧିକାରୀ ରବୀନ୍ଦ୍ର କୁମାର ମହାନ୍ତି, ବାଲୁଗାଁ, ପୁରୀ ଓ ବ୍ରହ୍ମଗିରି ଅଞ୍ଚଳର ସମସ୍ତ ମତ୍ସ୍ୟ ସମବାୟ ସମିତିର କର୍ମକର୍ତ୍ତା ଏବଂ ବରିଷ୍ଠ ରାଜନେତା ତଥା ସମାଜସେବୀ କେଦାରନାଥ ଜେନା ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ: ରାଜନୈତିକ ଦଳର ବିଜୟ ଶୋଭାଯାତ୍ରାରେ ନାଚିଲେ ସରକାରୀ କର୍ମଚାରୀ, ଭିଡ଼ିଓ ହେଲା ଭାଇରାଲ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ନିର୍ବାଚନରେ ପ୍ରତ୍ୟକ୍ଷ ଭାବେ ଶାସକ ଦଳକୁ ସରକାରୀ କର୍ମଚାରୀମାନେ ସହଯୋଗ କରୁଥିବାର ବିରୋଧୀମାନେ ଅଭିଯୋଗ କରିଆସୁଛନ୍ତି। ତେବେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଏନଏସି ଅଞ୍ଚଳରେ ଏପରି ଏକ ଭିଡିଓ ଭାଇରାଲ ହେଉଛି, ଯାହା ପରେ ବିରୋଧୀ ଦଳକୁ ଅଭିଯୋଗ କରିବାର ଏକ ସୁଯୋଗ ମିଳିଯାଇଛି।

ଖବର ମୁତାବକ ସୋସିଆଲ ମିଡିଆରେ ବାଲୁଗାଁ ଏନଏସି ୧୧ ନମ୍ବର ୱାର୍ଡ ସରଳାପଦର ଗ୍ରାମର ଏକ ଭିଡିଓ ଭାଇରଲ ହେବାରେ ଲାଗିଛି। ଯେଉଁଥିରେ ସଦ୍ୟ ଶେଷ ହୋଇଥିବା ବାଲୁଗାଁ ଏନଏସି ଉପାଧ୍ୟକ୍ଷ ନିର୍ବାଚନରେ ନିର୍ବାଚିତ ହୋଇଥିବା ଉପାଧ୍ୟକ୍ଷ ଭଗବାନ ପ୍ରଧାନଙ୍କ ବିଜୟ ଶୋଭାଯାତ୍ରାର ଭିଡିଓ ଦେଖିବାକୁ ମିଳୁଛି। ଏହି ଭିଡିଓରେ ତାଙ୍କ ସମର୍ଥକ ମାନେ ନାଚରେ ମସଗୁଲ ଅଛନ୍ତି।

ତେବେ ଉକ୍ତ ନାଚରେ ଗୀତର ତାଳେ ତାଳେ ଜଣେ ସରକାରୀ କର୍ମଚାରୀ ମଧ୍ୟ ନାଚୁଥିବା ଦେଖିବାକୁ ମିଳିଛି। ବାଲୁଗାଁ ଏନଏସିର ଟାକ୍ସ କଲେକ୍ଟର ଭାବେ କାର୍ଯ୍ୟରତ ସରକାରୀ କର୍ମଚାରୀ ପ୍ରକାଶ ମହାପାତ୍ର ଉକ୍ତ ଶୋଭାଯାତ୍ରାରେ ସାମିଲ ହୋଇ ଗୀତର ତାଳେ ତାଳେ ନାଚୁଥିବାର ଦେଖାଯାଇଛି।

ଗୋଟାଏ ପଟେ ମୁଖ୍ୟ ଶାସନ ସଚିବ ସରକାରୀ କର୍ମଚାରୀମାନେ ନିର୍ବାଚନରେ ନିରପେକ୍ଷତା ଅବଲମ୍ବନ କରିବା ପାଇଁ ନିର୍ଦ୍ଦେଶ ଦେଉଥିବା ବେଳେ ଅପରପକ୍ଷେ ଏଠି ଖୋଦ ସରକାରୀ କର୍ମଚାରୀ ସର୍ବସାଧାରଣ ସ୍ଥାନରେ ଏକ ନିର୍ଦ୍ଦିଷ୍ଟ ଦଳର ବିଜୟ ଉତ୍ସବରେ ଖୋଲାଖୋଲି ଭାବେ ସାମିଲ ହୋଇ ସରକାରଙ୍କ ଅସଲ ମୁଖା ଖୋଲିଦେଇଛନ୍ତି।

ଓଡ଼ିଶା ସର୍ଭିସ କଣ୍ଡକ୍ଟ ରୁଲ ୧୯୫୯ ଧାରା ୫ ମୁତାବକ କୌଣସି ସରକାରୀ କର୍ମଚାରୀ ରାଜନୈତିକ ଦଳ ସହ ଜଡ଼ିତ ହୋଇପାରିବେ ନାହିଁ। କିମ୍ବା ରାଜନୈତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରିବେ ନାହିଁ। କିନ୍ତୁ ଏ ନେଇ ବାଲୁଗାଁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠଙ୍କୁ ଯୋଗାଯୋଗ କରିବାରୁ ସେ ଏ ବିଷୟରେ ଅଭିଯୋଗ ପାଇଛନ୍ତି ଏବଂ ଏହାର ତଦନ୍ତ କରିବେ ବୋଲି କହିଛନ୍ତି।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ବାଲୁଗାଁ ଓ ଦଶପଲ୍ଲା ସହରରେ ଖୋଲିଲା ଭାରତର ସର୍ବବୃହତ୍ ଫ୍ୟାସନ ଡେଷ୍ଟିନେସନ ଟ୍ରେଣ୍ଡ୍‌ସ

ଭୁବନେଶ୍ୱର: ଭାରତର ବୃହତମ ତଥା ଦିନକୁ ଦିନ ଦ୍ରୁତଗତିରେ ବୃଦ୍ଧିପାଉଥିବା ରିଲାଏନ୍ସ ରିଟେଲ୍‌ର ଆପାରେଲ ଏବଂ ଆସେସୋରୀ ସ୍ପେଶାଲିଟି ଚେନ୍ ଟ୍ରେଣ୍ଡ୍‌ସ ଓଡ଼ିଶାର ବାଲୁଗାଁ ଓ ଦଶପଲ୍ଲା ସହରରେ ତାହାର ନୂଆ ଷ୍ଟୋରର ଶୁଭାରମ୍ଭ କରିଛି।

ଟ୍ରେଣ୍ଡ୍‌ସ ବାସ୍ତବରେ ଭାରତର ଫ୍ୟାସନ କ୍ଷେତ୍ରକୁ ଲୋକାଭିମୁଖି କରି ଫାସନରେ ଗଣତନ୍ତ୍ରର ବିକାଶ କରିଛି । ଏହା ଭାରତର ଗ୍ରାହକଙ୍କ ସମ୍ପର୍କ ସୁଦୃଢ କରିଛି ଏବଂ ମେଟ୍ରୋ, ମିନି ମେଟ୍ରୋଠାରୁ ଆରମ୍ଭ କରି ଟିୟର ୧, ଟିୟର ୨ ସହର ଏବଂ ଆହୁରି ଅଧିକ ସ୍ଥାନରେ ଭାରତୀୟ ଉପଭୋକ୍ତାଙ୍କ ନିକଟରେ ପହଂଚିଛି ଏବଂ ଭାରତର ପସନ୍ଦଯୋଗ୍ୟ ଫ୍ୟାସନ ସପିଙ୍ଗ ଡେଷ୍ଟିନେସନ ପାଲଟିଛି।

ବାଲୁଗାଁ ଓ ଦଶପଲ୍ଲା ସହରରେ ଏହି ଟ୍ରେଣ୍ଡ୍‌ସ ଷ୍ଟୋରର ମଡର୍ଣ୍ଣ ଲୁକ୍ ଏବଂ ପରିବେଶ ସହିତ ସ୍ଥାନୀୟ ଗ୍ରାହକମାନଙ୍କ ମନଲାଖି ଉଚ୍ଚମାନର ଆକର୍ଷଣୀୟ ଫ୍ୟାସନ ମର୍ଚ୍ଚାଣ୍ଡାଇଜ ସମ୍ଭାର ଓ ସୁଲଭ ମୂଲ୍ୟ ଏହାକୁ ଅଧିକ ଆକର୍ଷଣୀୟ କରି ତୋଳିଛି। ବାଲୁଗାଁ ଓ ଦଶପଲ୍ଲା ଓ ନିକଟବର୍ତୀ ଅଂଚଳର ଗ୍ରାହକମାନେ ଏବେ ଟ୍ରେଣ୍ଡି ୱିମେନ ୱିୟର, ମେନ୍ସ ୱିୟର, କିଡସ ୱିୟର ଏବଂ ଫ୍ୟାସନ ଆସେସୋରିଜ ଅତି ସ୍ୱତନ୍ତ୍ର ମୂଲ୍ୟରେ ଏବଂ ଚମତ୍କାର କିଣାକିଣି ଅନୁଭୂତି ସହିତ ପାଇପାରିବେ।

ବାଲୁଗାଁରେ ୭,୭୪୪ ବର୍ଗଫୁଟ ପରିମିତ ଟ୍ରେଣ୍ଡ୍‌ସ ଷ୍ଟୋର୍ ଓ ଦଶପଲ୍ଲାରେ ୫,୩୮୭ ବର୍ଗଫୁଟର ଟ୍ରେଣ୍ଡ୍‌ସ ଷ୍ଟୋର୍ ଯେଉଁଥିରେ ଗ୍ରାହକମାନଙ୍କ ପାଇଁ ଆକର୍ଷଣୀୟ ଫ୍ୟାସନ ଓ ଲୋଭନୀୟ ମୂଲ୍ୟ ସହିତ ସ୍ୱତନ୍ତ୍ର ପ୍ରାରମ୍ଭିକ ଅଫର ରହିଛି। ଯେପରିକି ୩୪୯୯ ଟଙ୍କାର କିଣାକିଣି କରନ୍ତୁ ଏବଂ ୧୯୯ ଟଙ୍କାରେ ଏକ ଆକର୍ଷଣୀୟ ଉପହାର ପାଆନ୍ତୁ।

ଅନନ୍ୟ ଫ୍ୟାଶନ୍ ସପିଙ୍ଗ୍ ଅନୁଭୁତି ପାଇଁ ପ୍ରକୃଷ୍ଟ ସ୍ଥଳ ପାଲଟିଛି ବାଲୁଗାଁ ଓ ଦଶପଲ୍ଲାରେ ଖୋଲିଥିବା ନୂଆ ଟ୍ରେଣ୍ଡ୍‌ସ ଷ୍ଟୋର୍।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଲୁଗାଁ: ବନ୍ଧୁକ ମୁନରେ ୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଲୁଟିନେଲେ ଦୁର୍ବୁତ୍ତ, ପୋଲିସର ତଦନ୍ତ ଜାରି

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଦୀର୍ଘ ଦିନ ପରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳରେ ପୁଣି ଆରମ୍ଭ ହୋଇଛି ଲୁଟ। ଆଜି ଅପରାହ୍ନରେ ବାଲୁଗାଁ ଥାନା ଅନ୍ତର୍ଗତ ଇଂଜନପୁର ଛକ ନିକଟରେ ଏକ ବଡ଼ ଧରଣର ଲୁଟ ହୋଇଥିବାର ଅଭିଯୋଗ ହୋଇଛି। ଜଣେ ବାଇକ ଆରୋହିଙ୍କ ନିକଟରୁ ଲକ୍ଷାଧିକ ଟଙ୍କା ଲୁଟି ନେଇଯାଇଛନ୍ତି ଲୁଟେରା।

ଖବର ମୁତାବକ ଆଜି ଅପରାହ୍ନରେ ବଡକୂଳ ସେବା ସମବାୟ ସମିତିର ସହ ସମ୍ପାଦକ ଭୁବନେଶ୍ୱର ରଥ ମାର୍ଚ୍ଚ ମାସର କୃଷି ଋଣ ପଇସା ପାଖାପାଖି ୭ ଲକ୍ଷ ୨୫ ହଜାର ଟଙ୍କା ଆଦାୟ କରିଥିଲେ। ଆଦାୟ ଟଙ୍କାକୁ ବାଲୁଗାଁ ଚିଲିକା ରୋଡ଼ ସ୍ଥିତ ଖୋର୍ଦ୍ଧା ସମବାୟ ସେବା ସମିତି ବ୍ୟାଙ୍କରେ ଜମା କରିବା ପାଇଁ ଯାଉଥିବା ବେଳେ ଇଂଜନପୁର ଛକ ଗୋବିନ୍ଦ ନଗରଠାରେ ତିନୋଟି ବାଇକରେ ଚାରି ଜଣ ଦୁର୍ବୁତ୍ତ ହଠାତ ଭୁବନେଶ୍ୱରଙ୍କ ନିକଟରେ ଆସି ଡରାଇ ଧମକାଇ ବନ୍ଧୁକ ମୁନରେ ଗାଡ଼ି ଡ଼ିକିରୁ ସମସ୍ତ ଟଙ୍କା, ମୋବାଇଲ ଓ ବ୍ୟାଗ ଲୁଟି ଫେରାର ହୋଇଯାଇଛନ୍ତି। ସ୍ଥାନୀୟ ଅଞ୍ଚଳବାସି ଏହା ଜାଣିଲା ପରେ ପୋଲିସକୁ ଖବର ଦେଇଥିଲେ। ବର୍ତ୍ତମାନ ଘଟଣାସ୍ଥଳରେ ବାଲୁଗାଁ ଏସଡିପିଓଙ୍କ ନିର୍ଦ୍ଦେଶକ୍ରମେ ବାଲୁଗାଁ ଆଇଆଇସି ଓ ନାଭାଲ ଫାଣ୍ଡି ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ ନିକଟରେ ସଡ଼କ ଦୁର୍ଘଟଣା, ଦୁଇ ଗୁରୁତର

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ସକାଳୁ ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ବାଲୁଗାଁ ଥାନା ଅନ୍ତର୍ଗତ ବ୍ରାହ୍ମଣକୋଷଡିହ ଛକରେ ଏକ ସଡ଼କ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଏକାଧିକ ଆହତ ହୋଇଛନ୍ତି।

ଖବର ମୁତାବକ ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଏକ କୋରିଅର ପିକ ଭ୍ୟାନ ଯାଉଥିବା ବେଳେ ବ୍ରାହ୍ମଣକୋଷଡିହ ଛକରେ ଉକ୍ତ ଭ୍ୟାନଟିକୁ ପଛପଟୁ ଏକ ବୋଲେରୋଟି ଶକ୍ତ ଧକ୍କା ଦେଇଥିଲା। ବୋଲେରୋଟି ମଧ୍ୟ ସମାନ ଦିଗରେ ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲା। ଫଳରେ ଉଭୟ ଗାଡ଼ି ଜାତୀୟ ରାଜପଥରେ ପଲଟି ଯାଇଥିଲା। ବୋଲେରୋ ମଧ୍ୟରେ ଛୋଟ ବଡ଼ ସମୁଦାୟ ୧୪ ଜଣ ବ୍ୟକ୍ତି ଥିବା ବେଳେ କୋରିଅର ଗାଡ଼ିରେ କେବଳ ଗାଡ଼ି ଚାଳକ ଉପସ୍ଥିତ ଥିଲେ।

ବର୍ତ୍ତମାନ ସମସ୍ତ ଆହତଙ୍କୁ ନିକଟସ୍ଥ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଦୁଇ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଘଟଣାସ୍ଥଳରେ ବାଲୁଗାଁ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।