Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସୁସ୍ଥ ଜୀବନଶୈଳୀ ଓ ଯୋଗାଭ୍ୟାସ ଦ୍ୱାରା କିଡ୍‌ନୀ ସମସ୍ୟା ଦୂର କରିହେବ: ବିଶେଷଜ୍ଞ

ଭୁବନେଶ୍ୱର: କିଡ୍‌ନୀ ଜନିତ ରୋଗ ବର୍ତ୍ତମାନ ଏକ ବଡ଼ ସ୍ୱାସ୍ଥ୍ୟ ସମସ୍ୟା ଭାବେ ଉଭା ହୋଇଛି। ଏହା ଦ୍ୱାରା ଜୀବନଶୈଳୀ ଉପରେ ଅନେକ ପ୍ରଭାବ ପଡୁଛି। ତେଣୁ ସୁସ୍ଥ ଜୀବନଶୈଳୀ ଏବଂ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଦ୍ୱାରା ଏହି ରୋଗକୁ ଦୂର କରିହେବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି।

ବିଶ୍ୱ କିଡ୍‌ନୀ ଦିବସ ଅବସରରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍  ହସ୍ପିଟାଲ୍ ପକ୍ଷରୁ ଗୁରୁବାର ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେନ୍‌ଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର କହିଛନ୍ତି ଯେ ଜଟିଳ କିଡ୍‌ନୀ ରୋଗ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ତେଣୁ ଏ ଦିଗରେ ସଚେତନତାର ଆବଶ୍ୟକତା ରହିଛି।

ସମ୍ ହସ୍ପିଟାଲ୍‌ର ୟୁରୋଲୋଜି ବିଭାଗ ମୁଖ୍ୟ ପ୍ରଫେସର ସୁରେନ୍ ଦାସ କହିଥିଲେ ଯେ ଦେଶରେ ପ୍ରତ୍ୟେକ ବର୍ଷ ପ୍ରାୟ ୨ ଲକ୍ଷ ଲୋକ କିଡ୍‌ନୀ ଜନିତ ସମସ୍ୟାରେ ପୀଡ଼ିତ ହେଉଛନ୍ତି। ଏମାନଙ୍କ ମଧ୍ୟରୁ ପ୍ରାୟ ଅଧାରୁ ଅଧିକ ରୋଗୀଙ୍କର ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହେଉଥିବା ବେଳେ ପ୍ରାୟ ୨୫ ହଜାର ରୋଗୀଙ୍କର କିଡ୍‌ନୀ ଡାୟଲିସିସ୍ ଓ ପ୍ରତ୍ୟାରୋପଣର ଆବଶ୍ୟକତା ପଡ଼ୁଛି। ତେବେ ଜୀବନଶୈଳୀରେ ପରିବର୍ତନ, ବ୍ୟାୟାମ ଓ ଯୋଗ ଅଭ୍ୟାସ କରିବା ସହ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରିବା ଦ୍ୱାରା ଏହି ରୋଗ ମୁକ୍ତି ମିଳିପାରିବ ବୋଲି ସେ କହିଥିଲେ।

ଆଗାମୀ ୨୦୪୦ ସୁଦ୍ଧା ବିଶ୍ୱରେ କିଡ୍‌ନୀ ଜନିତ ସମସ୍ୟା ୫ମ ରୋଗ ଭାବେ ମୃତ୍ୟୁର ମୁଖ୍ୟ କାରଣ ପାଲଟିବ ବୋଲି କହିବା ସହ ସୁସ୍ଥ ଜୀବନଶୈଳୀ ଏବଂ ଧୂମ୍ରପାନକୁ ପରିତ୍ୟାଗ କଲେ ହିଁ ଏହି ସମସ୍ୟାରୁ ମୁକୁଳି ହେବ ବୋଲି ନେଫ୍ରୋଲୋଜି ବିଭାଗର ପ୍ରଫେସର ତାପସ ରଞ୍ଜନ ବେହେରା କହିଥିଲେ।

ପ୍ରାୟ ୭୦ ରୁ ୮୦ ପ୍ରତିଶତ କିଡ୍‌ନୀ ଜନିତ ରୋଗୀଙ୍କ ନିକଟରେ ପ୍ରାଥମିକ ସ୍ତରରେ ଲକ୍ଷଣ ଦେଖାଯାଇ ନଥାଏ। ତେଣୁ ରୋଗ ଚିହ୍ନଟ ପାଇଁ ନିୟମିତ ଉପଯୁକ୍ତ ସ୍ୱାସ୍ଥ୍ୟ ପରୀକ୍ଷାର ଆବଶ୍ୟକତା ରହିଛି ବୋଲି ନେଫ୍ରୋଲୋଜି ବିଭାଗର ଆସୋସିଏଟ୍ ପ୍ରଫେସର ଡାକ୍ତର ଦେବ ପ୍ରସାଦ କର କହିଥିଲେ।

ସମ୍ ହସ୍ପିଟାଲ୍‌ର ନେଫ୍ରୋଲୋଜି ବିଭାଗର ମୁଖ୍ୟ ତଥା ଆସୋସିଏଟ୍ ପ୍ରଫେସର ଡାକ୍ତର ବିଶ୍ୱ ରଞ୍ଜନ ମହାନ୍ତି ବିଭାଗର କାର୍ଯ୍ୟକାରୀତା ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ ମାସକୁ ପ୍ରାୟ ୧୪୦୦ କିଡ୍‌ନୀ ରୋଗୀଙ୍କର ଡାଏଲିସିସ୍‌ କରାଯାଉଥିବା ବେଳେ ରେନାଲ୍ ବାୟୋପ୍ସିର ସଂଖ୍ୟା ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇଛି। ଏ ନେଇ ସେ ସମଗ୍ର ବିଭାଗକୁ ପ୍ରଶଂସା କରିଥିଲେ।

ଏହି ଅବସରରେ ନର୍ସିଂ ସୁପରିନଟେଣ୍ଡେନ୍‌ଟ ଶ୍ରୀମତୀ ମିନତୀ ମିଶ୍ର, କ୍ରିଟିକାଲ୍ କେୟାର ମେଡିସିନ୍ ବିଭାଗର ଡାକ୍ତର ସମୀର ସାମଲ୍‌, ନେଫ୍ରୋ ପାଥୋଲୋଜି ବିଭାଗର ଡାକ୍ତର ନିବେଦିତା ସାହୁ ଓ ନେଫ୍ରୋଲୋଜି ବିଭାଗର ଡାକ୍ତର ରାହୁଲ୍‌ କାନୁନ୍‌ଗୋ ବକ୍ତବ୍ୟ ରଖିଥିଲେ।

ପ୍ରଫେସର ବିଶ୍ୱ ରଞ୍ଜନ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଡାକ୍ତର ବିଶ୍ୱଜିତ ମହାପାତ୍ର ସଂଯୋଜନା କରିଥିଲେ। ଏହି ଅବସରରେ ବିଭାଗୀୟ କର୍ମଚାରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର

ରାଷ୍ଟ୍ରର ବିକାଶ ପାଇଁ ବିଜ୍ଞାନ ଓ ପ୍ରଯୁକ୍ତିର ବିକାଶ ଜରୁରି: ବିଶେଷଜ୍ଞ

ଭୁବନେଶ୍ୱର: ବିଜ୍ଞାନ ଓ ପ୍ରଯୁକ୍ତି କ୍ଷେତ୍ରରେ ବିକାଶ ବିନା ଦେଶର ବିକାଶ ସମ୍ଭବ ନୁହେଁ। ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ଭୁବନେଶ୍ୱରସ୍ଥିତ କ୍ଷେତ୍ରୀୟ ଜନସମ୍ପର୍କ କାର୍ଯ୍ୟାଳୟ (ଆରଓବି) ପକ୍ଷରୁ ‘‘ବିଜ୍ଞାନ ଓ ଜାତୀୟ ବିକାଶ’’ ଉପରେ ଆୟୋଜିତ ଏକ ୱେବିନାରରେ ଅଂଶଗ୍ରହଣ କରିଥିବା ବିଶେଷଜ୍ଞମାନେ ଏହି ମତବ୍ୟକ୍ତ କରିଛନ୍ତି।

ଏହି ୱେବିନାରରେ ଅଂଶଗ୍ରହଣ କରି, ପିଆଇବି କୋଲକାତା ମହାନିର୍ଦ୍ଦେଶକ ଭୂପେନ୍ଦ୍ର କଇଁଥୋଲା କହିଥିଲେ ଯେ, ବୈଜ୍ଞାନିକ ପ୍ରତିଭା କେବଳ ସହରଗୁଡ଼ିକ ମଧ୍ୟରେ ସୀମିତ ନାହାନ୍ତି, ଗାଁରେ ମଧ୍ୟ ରହିଛନ୍ତି। ଗାଁ ଗହଳିର ଛାତ୍ରଛାତ୍ରୀମାନେ ବୁଝି ପାରୁଥିବା ଭାଷା, ବିଶେଷ କରି ସେମାନଙ୍କର ମାତୃଭାଷାରେ ବିଜ୍ଞାନ ଶିକ୍ଷାର ପ୍ରସାର କରିବା ଦିଗରେ ପ୍ରୟାସ କରାଯିବା ଆବଶ୍ୟକ ବୋଲି ଶ୍ରୀ କଇଁଥୋଲା କହିଥିଲେ।

ଭୁବନେଶ୍ୱର ଆରଓବିର ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର କହିଥିଲେ ଯେ, ଦେଶର ବିକାଶ ପାଇଁ ବିଜ୍ଞାନ ଓ ପ୍ରଯୁକ୍ତିର ବିକାଶ ଜରୁରି। ସେ କହିଥିଲେ, ‘‘ବିଜ୍ଞାନ ନିଯୁକ୍ତି ସୁଯୋଗ ସୃଷ୍ଟି କରିଥାଏ, କୃଷିରେ ସୁଧାର ଆଣେ ତଥା ସ୍ୱାସ୍ଥ୍ୟ ଓ ସମ୍ପତ୍ତି ପ୍ରୋତ୍ସାହିତ କରିଥାଏ। ସଙ୍କଟ ସମୟରେ, କେବଳ ପ୍ରଯୁକ୍ତିର ଉପଯୋଗ କରାଯାଇ ସହଜରେ ସୂଚନା ପ୍ରସାର କରାଯାଇ ପାରିଥିଲା।

ବିଜ୍ଞାନ ଓ ପ୍ରଯୁକ୍ତି ସହାୟତାରେ ଖାଦ୍ୟ ଉତ୍ପାଦନ କ୍ଷେତ୍ରରେ ଭାରତ କିଭଳି ଭାବେ ଆତ୍ମନିର୍ଭରଶୀଳ ହୋଇପାରିଛି ସେ ସମ୍ପର୍କରେ ଆଇସିଏଆର ପ୍ରମୁଖ ବୈଜ୍ଞାନିକ ଡକ୍ଟର ପ୍ରମୋଦ ପଣ୍ଡା ଆଲୋଚନା କରିଥିଲେ। ସେ କହିଥିଲେ ଯେ, ଭାରତ ଯେତେବେଳେ ସ୍ୱାଧୀନ ହେଲା, ପାଶ୍ଚାତ୍ୟ ଜଗତର ଲୋକମାନେ ଭାବୁଥିଲେ ଭାରତ ହୁଏତ’ ଖାଦ୍ୟ ଉତ୍ପାଦନ କରିବାକୁ ସକ୍ଷମ ହେବ ନାହିଁ ଏବଂ ଲୋକମାନେ ଭୋକଉପାସରେ ପ୍ରାଣ ହରାଇବେ, କିନ୍ତୁ ସମୟ ବିତିବା ସହିତ କେବଳ ବିଜ୍ଞାନ ଓ ପ୍ରଯୁକ୍ତିର ହସ୍ତକ୍ଷେପ କାରଣରୁ ପରିସ୍ଥିତିରେ ବିଶେଷ ପରିବର୍ତ୍ତନ ଆସିପାରିଲା।

ପୁନର୍ବାସରେ ବିଜ୍ଞାନ ଓ ପ୍ରଯୁକ୍ତିର ହସ୍ତକ୍ଷେପ ସମ୍ପର୍କରେ ଏସଭିନିର୍ତାର, କଟକର ଆସୋସିଏଟ୍‌ ପ୍ରଫେସର ଓ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡକ୍ଟର ପତିତପାବନ ମହାନ୍ତି ଆଲୋକପାତ କରିଥିଲେ। ପୁନର୍ବାସ ଚିକିତ୍ସା କ୍ଷେତ୍ରରେ ରୋବୋଟିକ୍ସ ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କିଭଳି ଯୁଗାନ୍ତକାରୀ ପରିବର୍ତ୍ତନ ଆଣିପାରିଛି ତାହା ଉପରେ ସେ ଆଲୋକପାତ କରିଥିଲେ। ସେ ଆହୁରି କହିଥିଲେ ଯେ ଶିଶୁ ଏବଂ ଦିବ୍ୟାଙ୍ଗମାନଙ୍କ ପାଇଁ ପ୍ରଯୁକ୍ତିଗତ ହସ୍ତକ୍ଷେପ ଏକ ବରଦାନ ସାବ୍ୟସ୍ତ ହୋଇଛି।

ଛାତ୍ରଛାତ୍ରୀ ଏବଂ ଗବେଷକମାନଙ୍କ ସହିତ ମନ୍ତ୍ରଣାଳୟର ଅଧିକାରୀମାନେ ଏହି ୱେବିନାରରେ ଅଂଶଗ୍ରହଣ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ପିଲାମାନଙ୍କ ପାଇଁ କେବେଠୁ ଆରମ୍ଭ ହେବ ଟୀକାକରଣ, ଜାଣନ୍ତୁ କ’ଣ କୁହନ୍ତି ବିଶେଷଜ୍ଞ

ନୂଆଦିଲ୍ଲୀ: ଗୁରୁବାର ଦିନ ଭାରତରେ ୧୦୦ କୋଟି ଟିକା ଡୋଜ ମାର୍କ ଅତିକ୍ରମ କରିଛି। ସରକାର ଆଶା କରୁଛନ୍ତି ଯେ, ଆସନ୍ତା କିଛି ମାସ ମଧ୍ୟରେ ଦେଶର ବୟସ୍କ ଲୋକଙ୍କୁ ଟୀକାକରଣ କରାଯିବ। ବର୍ତ୍ତମାନ ପିଲାମାନଙ୍କର ଟିକା କେବେ ଆସିବ ସମସ୍ତେ ଅପେକ୍ଷା କରିଛନ୍ତି। ବିଶେଷଜ୍ଞଙ୍କ ଅନୁଯାୟୀ ପିଲାମାନଙ୍କ ପାଇଁ ଏହି ଟିକା ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ପହଞ୍ଚିବ ବୋଲି ଆଶା କରାଯାଉଛି। ଏହି ବିଷୟରେ ଆଲୋଚନା ଏବଂ ପ୍ରସ୍ତୁତି ତୀବ୍ର ଗତିରେ ଚାଲିଛି। ଭାରତରେ ୧୮ ବର୍ଷରୁ ଅଧିକ ବୟସର ଲୋକଙ୍କୁ କରୋନା ଟୀକାକରଣ ଅତି ଦ୍ରୁତ ଗତିରେ ଚାଲିଛି ଏବଂ ୧୦୦ କୋଟିରୁ ଅଧିକ ଟିକା ଦିଆଯାଇଛି।

କରୋନା ଟିକା ଉପରେ ନିଷ୍ପତ୍ତି ନେଇଥିବା ଜାତୀୟ ବୈଷୟିକ ପରାମର୍ଶଦାତା ସଦସ୍ୟ ଡା. ଏନ.କେ ଆରୋରାଙ୍କ ଅନୁଯାୟୀ, ଶିଶୁ ଟିକା ଉପରେ ଉଭୟ ଆଲୋଚନା ଏବଂ ପ୍ରସ୍ତୁତି ଚାଲିଛି। ତାଙ୍କ କହିବାନୁସାରେ, ବର୍ତ୍ତମାନ ବୟସ୍କ ବର୍ଗର ଟୀକାକରଣ ଚାଲିଛି ଏବଂ ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ପିଲାମାନଙ୍କ ପାଇଁ ଟିକା ମଧ୍ୟ ଆସିବ। ଏଥି ସହିତ, ସେହି ପିଲାମାନେ ଯେଉଁମାନେ ଯେକୌଣସି ରୋଗରେ ପୀଡିତ, ସେହି ପିଲାମାନଙ୍କୁ ବୋଧହୁଏ ପ୍ରଥମେ ଟିକା ଦିଆଯିବ।

ଉଲ୍ଲେଖ ଯୋଗ୍ୟ ଯେ, ଭାରତରେ ଜିଡସ୍ କ୍ୟାଡିଲା ଟୀକା ଜୟାକୋଭ ଡି କୁ ଜରୁରୀକାଳୀନ ବ୍ୟବହାର ଅନୁମତି ମିଳିଛି। ଏହି ଟୀକା ୧୨ ବର୍ଷରୁ ଅଧିକ ବୟସର ପିଲାମାନଙ୍କୁ ଦିଆଯାଇପାରିବ। ଏହା ବ୍ୟତୀତ ଭାରତ ଭାରତ ବାୟୋଟେକ୍ ର କୋଭାକ୍ସିନ୍ ୨ ରୁ ୧୮ ବର୍ଷ ବୟସର ପିଲାମାନଙ୍କଠାରେ କ୍ଲିନିକାଲ୍ ପରୀକ୍ଷା ଦେଇଛି। ଏହା ଡିସିଜିଆଇର ଅନୁମୋଦନ ପାଇଁ ପଠାଯାଇଛି। ଅନୁମୋଦନ ମିଳିଲେ, ଶୀଘ୍ର ଜରୁରୀକାଳୀନ ବ୍ୟବହାର ପାଇଁ ବ୍ୟବହୃତ ହେବ। ଅର୍ଥାତ୍ ବର୍ତ୍ତମାନ ଭାରତରେ ଏପରି ଦୁଇଟି ଟିକା ଅଛି ଯାହା ଆଗାମୀ ସମୟରେ ପିଲାମାନଙ୍କୁ ଦିଆଯାଇପାରିବ। ଏହା ବ୍ୟତୀତ ଆଉ ଦୁଇଟି ଟିକା ଅଛି ଯାହାର ପରୀକ୍ଷା ପିଲାମାନଙ୍କ ଉପରେ ଚାଲିଛି।

Categories
ଆଜିର ଖବର ଜାତୀୟ ଖବର

ବୈଶ୍ୱିକ ତୈଳ ଓ ବାଷ୍ପ କ୍ଷେତ୍ରର ମୁଖ୍ୟ କାର୍ଯ୍ୟ ନିବାହୀ ଓ ବିଶେଷଜ୍ଞଙ୍କ ସହ ମତ ବିନିମୟ କରିବେ ପ୍ରଧାନମନ୍ତ୍ରୀ 

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ସନ୍ଧ୍ୟା ୬ଟାବେଳେ ବୈଶ୍ୱିକ ତୈଳ ଓ ବାଷ୍ପ କ୍ଷେତ୍ରର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଓ ବିଶେଷଜ୍ଞଙ୍କ ସହ ଭିଡିଓ କନ୍‌ଫରେନ୍ସି ଜରିଆରେ ମତ ବିନିମୟ କରିବେ। ତୈଳ ଓ ବାଷ୍ପ କ୍ଷେତ୍ରରେ ଥିବା ବିଶେଷଜ୍ଞମାନଙ୍କ ସହ ୨୦୧୬ ମସିହାରୁ ଏପରି ମତ ବିନିମୟ ହୋଇ ଆସୁଥିବାବେଳେ, ଏହା ହେଉଛି ଷଷ୍ଠ ବାର୍ଷିକ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମରେ ବିଶେଷଜ୍ଞମାନେ ଏହି କ୍ଷେତ୍ରରେ ଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ସହ ଭାରତରେ ଏ ସଂକ୍ରାନ୍ତ ପୁଞ୍ଜିନିବେଶ ସମ୍ଭାବନା ନେଇ ମଧ୍ୟ ଆଲୋଚନା କରିଥାନ୍ତି।

ମତ ବିନିମୟ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ନିରନ୍ତର ଅଭିବୃଦ୍ଧି ସୁନିଶ୍ଚିତ କରିବା। ମତ ବିନିମୟ କାଳରେ ବିଶେଷଭାବେ ଭାରତରେ ହାଇଡ୍ରୋକାର୍ବନ କ୍ଷେତ୍ରରେ ଉତ୍ତୋଳନ ଓ ଉତ୍ପାଦନକୁ ପ୍ରୋତ୍ସାହିତ ୍‌କରିବା, ଶକ୍ତି କ୍ଷେତ୍ରରେ ସ୍ୱାଧୀନତା, ଗ୍ୟାସ ଭିତ୍ତିକ ଅର୍ଥନୀତି, ସ୍ୱଚ୍ଛ ଇନ୍ଧନ, ସବୁଜ ଉଦ୍‌ଯାନ ଅର୍ଥନୀତି, ଜୈବ ଇନ୍ଧନ ଉତ୍ପାଦନ ବୃଦ୍ଧି ଇତ୍ୟାଦି ଜରିଆରେ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ସମ୍ପର୍କରେ ମତବିନିମୟ ହେବ। ବହୁ ରାଷ୍ଟ୍ରୀୟ ନିଗମ ଓ ଆନ୍ତର୍ଜାତିକ ସଂଗଠନର ମୁଖ୍ୟ କାର୍ଯ୍ୟନିର୍ବାହୀ, ବିଶେଷଜ୍ଞ ଏହି ମତ ବିନିମୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ।

ଏହି ଅବସରରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଉପଯୁକ୍ତ ଚିକିତ୍ସା ଓ ସଚେତନତା ଦ୍ୱାରା ଶିଶୁମାନେ କର୍କଟ ରୋଗରୁ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରି ପାରିବେ: ବିଶେଷଜ୍ଞ

ଭୁବନେଶ୍ୱର: ଶିଶୁ ମାନଙ୍କ କ୍ଷେତ୍ରରେ କର୍କଟ ରୋଗର ଚିକିତ୍ସା କଷ୍ଟକର ହୋଇପାରେ କିନ୍ତୁ ନିରାଶାଜନକ ନୁହେଁ। ସଠିକ ସମୟରେ ଲକ୍ଷଣ ଚି଼ହ୍ନଟ, ଉପଯୁକ୍ତ ଚିକିତ୍ସା ଓ ପିତାମାତାଙ୍କ ଧର୍ଯ୍ୟ ରହିଲେ ଶିଶୁ କର୍କଟ ରୋଗରୁ ଆରୋଗ୍ୟ ମିଳି ପାରିବ ବୋଲି କହିଛନ୍ତି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ଡ଼ଃ ବିଜୟ କୁମାର ପାଣିଗ୍ରାହୀ।

ଶିକ୍ଷା ଓ ଅନୁସନ୍ଧାନ (ସୋଆ ) ପରିଚାଳିତ ଆଇଏମଏସ ଓ ସମ ହସ୍ପିଟାଲ ଏବଂ ଇଣ୍ଡିଆନ ଆସୋସିଏସନ ଅଫ ପେଡ଼ିଆଟ୍ରିକ୍ସ (ଓଡିଶା ଶାଖା) ର ମିଳିତ ସହଯୋଗରେ ଆୟୋଜିତ ପେଡିଆଟ୍ରିକ ହେମାଟୋଲୋଜି ଆଣ୍ଡ ଅଙ୍କୋଲୋଜି ମିଟ- ୨୦୨୧ ରେ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି ଡ଼ଃ ପାଣିଗ୍ରାହୀ।

ଆଏପି ଓଡିଶା ଶାଖାର ସଭାପତି ଡ଼ଃ ପାଣିଗ୍ରାହୀ ଏହି ଅବସରରେ କହିଥିଲେ ଯେ ଶିଶୁ ମାନଙ୍କ କ୍ଷେତ୍ରରେ ମୁଖ୍ୟତଃ ରକ୍ତ କର୍କଟ, ମସ୍ତିଷ୍କ କର୍କଟ ଓ ଚକ୍ଷୁ କର୍କଟ ଭଳି ସମସ୍ୟା ଦେଖା ଦେଉଛି। ମାତ୍ର ରୋଗ ଯେତେ ଶୀଘ୍ର ଚି଼ହ୍ନଟ ହେବ ସେତେ ଶୀଘ୍ର ଚିକିତ୍ସା ଆରମ୍ଭ ହେବା ସହ ଶିଶୁ ଟି ଆରୋଗ୍ୟ ଲାଭ କରିପାରିବ। ବିଶେଷ କରି ରକ୍ତ କର୍କଟ ରୋଗରେ ଠିକ ସମୟରେ ଚିକିତ୍ସା ଆରମ୍ଭ କରାଗଲେ ଶିଶୁମାନେ ସୁସ୍ଥ ହେଉଛନ୍ତି ବୋଲି ଡ଼ଃ ପାଣିଗ୍ରାହୀ କହିଛନ୍ତି।

କୋଭିଡ ମହାମାରୀ ସମୟରେ ପରୀକ୍ଷା ନିରୀକ୍ଷା ନିମନ୍ତେ ଡାକ୍ତରଙ୍କ ପରାମର୍ଶ ଟେଲି କନସଲଟେସନ ମାଧ୍ୟମରେ ନେବାକୁ ଡକ୍ଟର ପାଣିଗ୍ରାହୀ କହିଥିଲେ।

କାର୍ଯ୍ୟକ୍ରମକୁ ପରିଚାଳନା କରୁଥିବା ତଥା ସମ ହସ୍ପିଟାଲର ପେଡ଼ିଆଟ୍ରିକ ଅଙ୍କୋଲୋଜି ଆଣ୍ଡ ହେମାଟୋଲୋଜି ବିଭାଗର ପ୍ରଫେସର ଡ଼ଃ ସରୋଜ ପଣ୍ଡା କହିଥିଲେ ଯେ କର୍କଟ ରୋଗର ଆଗୁଆ ଚି଼ହ୍ନଟ, ସଠିକ ଓ ଉପଯୁକ୍ତ ଚିକିତ୍ସା ଦ୍ୱାରା ୮୦ ପ୍ରତିଶତ ଶିଶୁ ସମ୍ପୂର୍ଣ୍ଣ ରୋଗମୁକ୍ତ ହୋଇ ପାରିବେ। ତେବେ ଏଥି ନିମନ୍ତେ ସଚେତନତା ଜରୁରୀ ବୋଲି ସେ କହିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ଆଇଏମଏସ ଆଣ୍ଡ ସମ ହସ୍ପିଟାଲର ମେଡିକାଲ ସୁପରିଟେଣ୍ଡେଣ୍ଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର, ଅଡିସନାଲ ଡିନ ପ୍ରଫେସର ଅଜୟ ଜେନା, ଶିଶୁରୋଗ ବିଭାଗର ମୁଖ୍ୟ ଡ଼ଃ ମମତା ଦେବୀ ମହାନ୍ତି ଏବଂ କେନ୍ଦ୍ର ଆଇଏପି ର ଏକଜିକ୍ୟୁଟିଭ ବୋର୍ଡ ର ସଦସ୍ୟ ଡ଼ଃ ବିଶ୍ୱଜିତ ମିଶ୍ର ପ୍ରମୁଖ ଉପସ୍ଥିତି ରହି ବକ୍ତବ୍ୟ ରଖିଥିଲେ।

ଶିଶୁ କର୍କଟ ରୋଗ ସମ୍ବନ୍ଧୀୟ ୩ଟି ପ୍ରସଂଗକୁ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୧୫ ଜଣ ବିଶିଷ୍ଟ ଡାକ୍ତରଙ୍କ ସହ ପ୍ରାୟ ୧୦୦ ଜଣ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଥିବା ବ୍ୟକ୍ତିଙ୍କର କୋଭିଡ ଟୀକା ନେବା ସତ୍ତ୍ୱେ ସଂକ୍ରମଣ ହେଉଛି: ବିଶେଷଜ୍ଞ

ଭୁବନେଶ୍ୱର: କୋଭିଡ୍‌ରୁ ରକ୍ଷା ପାଇବା ପାଇଁ ଦୁଇଟି ପ୍ରତିଷେଧକ ଟୀକା ନେବା ପରେ ମଧ୍ୟ ଲୋକେ ଏହି ସଂକ୍ରମଣର ଶିକାର ହେଉଥିବା ଅନେକଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରୁଛି। ବିଶେଷ କରି ଯେଉଁମାନଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମ୍ ରହୁଛି ସେମାନଙ୍କୁ ଏହି ସଂକ୍ରମଣ ହେଉଛି ବୋଲି ସମ୍ ଅଲ୍ଟିମେଟ ମେଡିକେୟାର (ସମ୍ମମ୍‌)ର କ୍ରିଟିକାଲ କେୟାର ମେଡିସିନ ବିଭାଗ ମୁଖ୍ୟ ପ୍ରଫେସର ବାନାମ୍ବର ରାୟ କହିଛନ୍ତି।

ଏହିପରି ଟୀକା ନେବା ପରେ ସଂକ୍ରମିତ ହେଉଥିବା ବ୍ୟକ୍ତିମାନଙ୍କ କ୍ଷେତ୍ରରେ ଭଲ ହେବା ନିମନ୍ତେ ଅଧିକ ସମୟ ଲାଗୁଛି ବୋଲି ପ୍ରଫେସର ରାୟ ବୁଧବାର ପ୍ରକାଶ କରିଛନ୍ତି। ଦୁଇଟି ଟୀକା ନେଇଥିବା ସତ୍ୱେ ଅନେକ ବ୍ୟକ୍ତି କୋଭିଡ୍ ସଂକ୍ରମିତ ହେଉଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ ଗୁରୁତର ମଧ୍ୟ ହୋଇପଡ଼ୁଛନ୍ତି। ଭାଇରସ୍ ତା’ର ରୂପ ବଦଳାଉଥିବା ବେଳେ ରୋଗ ପ୍ରତିରୋଧକ ଶକ୍ତି କମ୍ ରହୁଥିବା ଲୋକ ଗୁରୁତର ହୋଇପଡ଼ୁଛନ୍ତି।

ଏହାକୁ ଡାକ୍ତରୀ ଭାଷାରେ ବ୍ରେକ୍ ଥ୍ରୁ ଇନ୍‌ଫେକ୍ସନ୍ କୁହାଯାଏ ଏବଂ ଏଭଳି ରୋଗୀ ପ୍ରାୟ ଏକ ରୁ ୫ ମାସ ଧରି ହସ୍ପିଟାଲ୍‌ରେ ଚିକିତ୍ସିତ ହୋଇଥାନ୍ତି ଯାହାକୁ ଲଙ୍ଗ କୋଭିଡ୍ କୁହାଯାଏ।

ପ୍ରଫେସର ରାୟ କହିଥିଲେ ଯେ କୋଭିଡ ଆକ୍ରାନ୍ତଙ୍କ ମଧ୍ୟରୁ ମାତ୍ର ଦେଢ଼ରୁ ଦୁଇ ପ୍ରତିଶତଙ୍କର ମୃତ୍ୟୁ ହେଉଛି। ସେହିପରି ୩ ପ୍ରତିଶତ ରୋଗୀ ଦୀର୍ଘ ଦିନ ଧରି ଅସୁସ୍ଥ ହୋଇ ରହୁଛନ୍ତି। ୫ ପ୍ରତିଶତ ରୋଗୀ ଗୁରୁତର ଅସୁସ୍ଥ ହୋଇ ପଡ଼ୁଥିବା ବେଳେ ୧୨ ରୁ ୧୫ ପ୍ରତିଶତ ମଧ୍ୟମ ଧରଣର ଅସୁସ୍ଥତା ଅନୁଭବ କରୁଛନ୍ତି।

ତେବେ ୮୦ ରୁ ୮୨ ପ୍ରତିଶତ ରୋଗୀ ସାମାନ୍ୟ ଧରଣର ସଂକ୍ରମିତ ହେଉଥିବା ବେଳେ ଏମାନଙ୍କୁ ହସ୍ପିଟାଲ୍‌ରେ ଭର୍ତି ହେବାକୁ ପଡ଼ୁନାହିଁ। ନିକଟରେ ସମ୍ ଅଲ୍ଟିମେଟ ମେଡିକେୟାରରୁ ୨ ଜଣ ଗୁରୁତର କୋଭିଡ ସଂକ୍ରମିତ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଏଡି ରୋଗୀଙ୍କର ଅସୁସ୍ଥତା, ଚିକିତ୍ସା ପଦ୍ଧତି ଏବଂ ସେମାନେ ସୁସ୍ଥ ହେବା ପଛରେ ମେଡିକାଲ୍ ଟିମ୍‌ର ଉଦ୍ୟମ ଓ ପରିଶ୍ରମ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଅବଗତ କରାଇଛନ୍ତି ହସ୍ପିଟାଲ୍ କର୍ତୃପକ୍ଷ।

ସମ୍ ଅଲ୍ଟିମେଟ ମେଡିକେୟାରର କ୍ରିଟିକାଲ୍ କେୟାର ମେଡିସିନ୍‌ ବିଭାଗ ଅଧିନରେ ଏହି ଦୁଇ ଜଣ ରୋଗୀ ଚିକିତ୍ସିତ ହୋଇଥିବା ବେଳେ ସେମାନଙ୍କୁ ସୁସ୍ଥ କରାଇବାରେ ସମ୍ପୂର୍ଣ୍ଣ ସହଯୋଗ ଓ ପ୍ରଚେଷ୍ଟା କରିଥିବା ହସ୍ପିଟାଲର ସମସ୍ତ ବିଭାଗ, ଡାକ୍ତରୀ ଟିମ୍‌, ନର୍ସିଂ, ନ୍ୟୁଟ୍ରିସନ୍‌, ଫିଜିଓଥେରାପି ବିଭାଗ ଓ ପାରାମେଡିକାଲ୍ ଷ୍ଟାଫ୍‌ଙ୍କର ଉଦ୍ୟମକୁ ଉଚ୍ଚ ପ୍ରଶଂସା କରିଛନ୍ତି ସମ୍ମମ୍‌ର ଚିଫ୍ ଅଫ ମେଡିକାଲ୍ ସର୍ଭିସେସ୍ ବ୍ରିଗେଡିୟର୍ ଡଃ ବିରାଜ ମୋହନ ମିଶ୍ର।

୭୨ ବର୍ଷୀୟ ପୂର୍ବତନ ବ୍ୟୁରୋକ୍ରାଟ ଗୌତମବୁଦ୍ଧ ମୁଖାର୍ଜୀ କୋଭିଡ୍ ସଂକ୍ରମିତ ହେବା ପରେ ସମ୍ମମ୍‌ରେ ଭର୍ତ୍ତି ହୋଇଥିବା ସମୟରେ ତାଙ୍କର ଅବସ୍ଥା ଗୁରୁତର ଥିଲା। ଦୀର୍ଘ ୧୬ ଦିନ ସେ ଆଇସିୟୁରେ ରହିଥିଲେ। ତାଙ୍କର ଅକ୍ସିଜେନ୍‌ର ସ୍ତର ମଧ୍ୟ ଖୁବ୍ କମ୍‌ ରହୁଥିଲା। ତାଙ୍କର ଉଚ୍ଚ ରକ୍ତଚାପ ଏବଂ ମଧୁମେହ ଭଳି ସମସ୍ୟା ମଧ୍ୟ ରହିଥିଲା। ଦୀର୍ଘ ଦୁଇ ମାସ ଚିକିତ୍ସିତ ହେବା ପରେ ସେ ମଙ୍ଗଳବାର ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହୋଇଛନ୍ତି ବୋଲି ଡା. ରାୟ ସୂଚନା ଦେଇଛନ୍ତି।

ତେବେ ଦ୍ୱିତୀୟ ସଂକ୍ରମିତ ଜଣକର ଚିକିତ୍ସା ଏକ ବଡ଼ ଚ୍ୟାଲେଞ୍ଜ ଥିଲା ବୋଲି ଡା. ରାୟ କହିଛନ୍ତି। ମାତ୍ର ୨୧ ବର୍ଷୀୟ ଇଞ୍ଜିନିୟରିଂ ଛାତ୍ର ମହମ୍ମଦ ସଫାକ୍ ଅଲୀ ଅତ୍ୟନ୍ତ ଗୁରୁତର ଅବସ୍ଥାରେ ସମ୍ମମ୍‌ରେ ଭର୍ତି ହୋଇଥିଲେ। ତାଙ୍କର ଅବସ୍ଥା ଆଇସିୟୁରେ ଗୁରୁତର ହେବା ପରେ ଭେଂଟିଲେଟରରେ ରଖାଯିବା ସହ ଟ୍ରାକିଓଷ୍ଟୋମି ମଧ୍ୟ କରାଯାଇଥିଲା। ଫୁସ୍‌ଫୁସ୍‌ରେ ଅନେକ ଜଟିଳତା ଦେଖାଦେଇଥିଲା।

ଜୀବନ ଓ ମୃତ୍ୟୁର ଖଣ୍ଡାଧାର ମଧ୍ୟରେ ରହିଥିବା ଏହି ରୋଗୀଙ୍କ ଚିକିତ୍ସା କରିବା ବେଶ କଷ୍ଟସାଧ୍ୟ ଥିଲା। ଦେଢ଼ ବର୍ଷର କୋଭିଡ୍ ମହାମାରୀ ଚିକିତ୍ସା କରିବା ମଧ୍ୟରେ ଶ୍ରୀ ଅଲ୍ଲୀଙ୍କ ଚିକିତ୍ସା ସବୁଠୁ ଜଟିଳ ଥିଲା ଏବଂ ସମ୍ମମ୍ ଟିମ୍ ଖୁବ୍ ସଫଳତାର ସହ ତାଙ୍କର ଚିକିତ୍ସା କରିପାରିଛି ବୋଲି ଡା. ରାୟ କହିଛନ୍ତି।

ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ଡା. ରାୟଙ୍କ ସମେତ କାର୍ଡିଓଥୋରାସିକ୍ ସର୍ଜନ୍ ଡା. ବନବିହାରୀ ମିଶ୍ର, ଜେନେରାଲ୍ ସର୍ଜରୀ ବିଭାଗର କନ୍‌ସଲ୍‌ଟାଂଟ୍ ଡା. ସତ୍ୟଜିତ ରଥ, ସିନିୟର୍ କ୍ଲିନିକାଲ୍ ନ୍ୟୁଟ୍ରିସ୍‌ନିଷ୍ଟ ସୁଶ୍ରୀ ସଂଗୀତା ଜେନା, ଫିଜିଓଥେରାପି ବିଭାଗ ମୁଖ୍ୟ ଡା. ପି. ବାଲାକିଶୋର, ମାଇକ୍ରୋବାୟୋଲୋଜି ଟିମ୍ ଏବଂ କ୍ରିଟିକାଲ୍ କେୟାର ଟିମ୍‌ର ସମ୍ପୂର୍ଣ୍ଣ ସହଯୋଗ ଥିବା ବ୍ରିଗେଡିୟର ଡା. ମିଶ୍ର କହିଥିଲେ। ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହେବା ସମୟରେ ବେଶ୍ ଭାବବିହ୍ୱଳ ହୋଇପଡ଼ିଥିଲେ ଶ୍ରୀ ମୁଖାର୍ଜୀ ଏବଂ ଶ୍ରୀ ଅଲୀଙ୍କ ପରିବାର।

ସମ୍‌ ଅଲ୍ଟିମେଟ୍ ମେଡିକେୟାର ଟିମ୍ ଏବଂ ବିଶେଷ ଭାବେ ଡାକ୍ତର ରାୟଙ୍କ ଚିକିତ୍ସା ଓ ଉଦ୍ୟମ ଯୋଗୁ ଦୁଇଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ବୋଲି ସେମାନଙ୍କ ପରିବାର କୃତଜ୍ଞତା ଜ୍ଞାପନ କରିବା ସହ ହସ୍ପିଟାଲ୍ କର୍ତୃପକ୍ଷଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି।