Categories
ଆଜିର ଖବର ରାଜ୍ୟ ଖବର

ସମ୍ବିତ ପାତ୍ରଙ୍କ ବିରୋଧରେ ଥାନାରେ ମାମଲା ଦାୟର କଲା ଯୁବ କଂଗ୍ରେସ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ରାଷ୍ଟ୍ରୀୟ ଯୁବକ କଂଗ୍ରେସ ଏବଂ ରାଜ୍ୟ ଯୁବ କଂଗ୍ରେସ ତରଫରୁ ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ରଙ୍କ ବିରୋଧରେ ଆଜି ଗଂଜାମ ଜିଲ୍ଲା ଯୁବ କଂଗ୍ରେସ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଏକ ଅଭିଯୋଗ ପତ୍ର ପ୍ରଦାନ କରାଯାଇଛି। ସେମାନଙ୍କ ଅଭିଯୋଗ ଅନୁସାରେ ଗତ ୧୨ ତାରିଖ ଦିନ ଏକ ହିନ୍ଦୀ ନ୍ୟୁଜ ଚ୍ୟାନେଲ୍ ବିତର୍କରେ କଂଗ୍ରେସ ରାଷ୍ଟ୍ରୀୟ ପ୍ରବକ୍ତା ରାଜୀବ ତ୍ୟାଗି ଏବଂ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ରଙ୍କ ମଧ୍ୟରେ ବିତର୍କ ହେଉଥିବାବେଳେ ସମ୍ବିତ ପାତ୍ର, ରାଜିବ ତ୍ୟାଗୀଙ୍କୁ ଅଭଦ୍ର ଅସଭ୍ୟ ଗାଳି ଏବଂ ଆପତ୍ତିଜନକ ମନ୍ତବ୍ୟ କରି ଅପମାନିତ କରିଥିବାରୁ ରାଜୀବ ତ୍ୟାଗିଙ୍କ ହୃଦ୍‌ଘାତରେ ମୃତ୍ୟୁ ଘଟିଥିଲା।

ଏହାକୁ କଡ଼ା ବିରୋଧ କରି ପ୍ରଥମେ କଂଗ୍ରେସ ଭବନଠାରେ ସମ୍ବିତ ପାତ୍ରଙ୍କ କୁଶପୁତ୍ତଳିକା ଦାହ କରାଯାଇ ପରେ ବ୍ରହ୍ମପୁର ଏସ୍‌ପିଙ୍କୁ ଏଫ୍‌ଆଇଆର୍ ପ୍ରଦାନ କରାଯାଇଛି। ଏଥିରେ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ସାନଖେମୁଣ୍‌ଡି ଯୁବ କଂଗ୍ରେସ ସଭାପତି ଚିନ୍ମୟ କୁମାର ହୋତା, ଯୁବନେତା ପ୍ରଶାନ୍ତ ବିଷୋୟୀ, ପ୍ରମିତ ରଂଜନ ମହାପାତ୍ର, ପିଣ୍ଟୁ ଜେନା, ସଂଗ୍ରାମ ରାଉତ, ସିଦ୍ଧାନ୍ତ ସାହୁ, ଅନିରୁଦ୍ଧ ପାତ୍ର, ଦୁର୍ଗା ତ୍ରିପାଠୀ, ଦେବାଶିଷ ମହାନ୍ତି, ଧରଣୀଧର ବେହେରା, ମଣ୍ଟୁ ପ୍ରଧାନ, ବିକାଶ ପଶୁପାଳକ, ସୁବଧ ସ୍ୱାଇଁ, ରାଜେଶ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ରାଜସ୍ଥାନ ଅଡିଓ ଟେପ୍ ଘଟଣାର ସିବିଆଇ ତଦନ୍ତ ଦାବି କଲା ବିଜେପି, ଗେହଲଟଙ୍କୁ ପ୍ରଶ୍ନ ସେମାନେ କ’ଣ ଫୋନ ଟ୍ୟାପିଂ କରୁଛନ୍ତି ?

ନୂଆଦିଲ୍ଲୀ, ବିଜେପି ରାଜସ୍ଥାନ ଅଡିଓ ଟେପ୍ ଘଟଣାର ସିବିଆଇ ତଦନ୍ତ ଦାବି କରିଛି। ଏଥିସହିତ ଓଲଟା ରାଜସ୍ଥାନର ଅଶୋକ ଗେହଲଟ୍ ସରକାରଙ୍କୁ ପ୍ରଶ୍ନ କରିଛି ତାଙ୍କ ରାଜ୍ୟରେ କ’ଣ ଫୋନ ଟ୍ୟାପିଂ କରାଯାଉଛି। ଆଜି ବିଜେପି ମୁଖପାତ୍ର ସମ୍ବିତ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ଏହି ପ୍ରଶ୍ନ ଉଠାଇ କଂଗ୍ରେସକୁ ପାଲଟା ପ୍ରଶ୍ନ ପଚାରିଛନ୍ତି।

କଂଗ୍ରେସ ଓ ବିଜେପି ନେତାଙ୍କ ମଧ୍ୟରେ କଥାବାର୍ତ୍ତାର ଏକ ଅଡିଓ ଟେପ୍‌ ଗତ ଦୁଇ ଦିନ ହେବ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। କଂଗ୍ରେସ ଅଭିଯୋଗ ଆଣିଛି ଯେ ଗେହଲଟ୍‌ ସରକାର ଭାଙ୍ଗିବା ପାଇଁ ବିଧାୟକ ଭନୱର ଲାଲ୍‌ ଶର୍ମା ବିଜେପି ସହ କଥା ହେଉଥିବା ବେଳର ଅଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ହେଲେ ବିଜେପି ଏହାର ସିବିଆଇ ତଦନ୍ତ ଦାବି କରିଛି।

ବିଜେପି ମୁଖପାତ୍ର ପାତ୍ର କହିଛନ୍ତି କି ‘ବିଜେପି କଥାରେ କ’ଣ ସବୁ କିଛି ହଉଛି? ନିଶ୍ଚିତ ଭାବେ ନା, ଯାହା କରିଛନ୍ତି ସେମାନେ କରିଛନ୍ତି। ଷଡ଼ଯନ୍ତ୍ର ସେମାନଙ୍କ ପକ୍ଷରୁ ହୋଇଛି। ଏହି ‌ଟେପ୍‌କୁ ବି ସେମାନେ କରିଛନ୍ତି। ମୋର ଗେହଲଟ ସରକାରଙ୍କୁ ପ୍ରଶ୍ନ ହେଉଛି ଫୋନ୍‌ ଟ୍ୟାପିଂ କ’ଣ ଏକ ସମ୍ବେଦନଶୀଳ ଆଇନ ମାମଲା ନୁହେଁ? ଆପଣ ବି କ’ଣ ରାଜସ୍ଥାନର କୌଣସି ରାଜନେତାଙ୍କ ଫୋନ୍‌ ଟ୍ୟାପ୍‌ କରିବା ପରି ନୀତି ଆପଣେଥିଲେ? ବାସ୍ତବରେ ଫୋନ୍‌ ଟ୍ୟାପ୍‌ ହୋଇଛି କି ନାହିଁ ଆମକୁ ସିବିଆଇ ତଦନ୍ତ ଦରକାର।’

ଉଲ୍ଲେଖଯୋଗ୍ୟ, ରାଜସ୍ଥାନରେ ଲାଗି ରହିଥିବା ରାଜନୈତିକ ସଙ୍କଟ ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ୟା ମଧ୍ୟରେ କଂଗ୍ରେସ ଅଡିଓ ଟେପ୍‌କୁ ଆଧାର କରି ୨ ଜଣ ବିଦ୍ରୋହୀ ବିଧାୟକଙ୍କୁ ଦଳରୁ ବହିଷ୍କାର କରିଛି ଏବଂ କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ୍‌ଙ୍କ ଗିରଫ ଦାବି କରିଛି। ବିଧାୟକ ଭନୱର ଲାଲ୍‌ ଶର୍ମା ଏବଂ ବିଶ୍ବେନ୍ଦ୍ର ସିଂହଙ୍କୁ ଦଳରୁ ନିଲମ୍ବନ କରାଯାଇଛି ବୋଲି ସୂଚନା ରହିଛି।