ଗୋଦାବରୀଶ ମହାବିଦ୍ୟାଳୟର ୬୦ ତମ ପ୍ରତିଷ୍ଠା ଉତ୍ସବ ପାଳିତ

Published: Jul 26, 2022, 8:11 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଓଡ଼ିଶାର ବରପୁତ୍ର ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ୬୬ତମ ଶ୍ରାଦ୍ଧବାର୍ଷିକୀ ତଥା ଗୋଦାବରୀଶ ମହାବିଦ୍ୟାଳୟର ୬୦ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଉକ୍ତ ପ୍ରତିଷ୍ଠା ଦିବସ ମହାବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ବାଚାନାଳୟ ପରିସରରେ ପାଳିତ ହୋଇଯାଇଛି।

ମହାବିଦ୍ୟାଳୟ ପରିଚାଳନା ସମିତିର ସଭାପତି ବିଜୟା ବନ୍ଦନା ରାଉତରାୟ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ଓଡ଼ିଶାର ପ୍ରାକ୍ତନ ମନ୍ତ୍ରୀ ତଥା ପ୍ରାକ୍ତନ ସାଂସଦ ଡଃ ପ୍ରସନ୍ନକୁମାର ପାଟ୍ଟଶାଣୀ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ନିଜର କଲେଜ ବେଳର ସ୍ମୃତି ସମ୍ପର୍କରେ ସ୍ମରଣ କରାଇଥିଲେ। ବିଶିଷ୍ଟ ଅତିଥି ପୂର୍ବତନ ମନ୍ତ୍ରୀ ଓ ମୁଖ୍ୟ ସଚେତକ ଡ଼ଃ ଦେବେନ୍ଦ୍ର ନାଥ ମନସିଂହ ଓ ମୁଖ୍ୟ ବକ୍ତା ଡ଼ଃ ଅଭିରାମ ବିଶ୍ୱାଳ ଗୋଦାବରୀଶ ଙ୍କ ସାହିତ୍ୟ କୃତି ସମ୍ପର୍କରେ ଆଲୋକପାତ କରିଥିଲେ।

ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ମିଟୁ ନାୟକ ଏବଂ ଜିଲ୍ଲା ପରିଷଦର ଉପ ସଭାପତି ଗୋପୀନାଥ ମହାରଣା ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଏହାକୁ ନିଜର ମହାବିଦ୍ୟାଳୟ ମନେକରି ସମସ୍ତେ ଏହାର ଉନ୍ନତି ପାଇଁ କାମ କରିବାକୁ ଆହ୍ଵାନ ଦେଇଥିଲେ।

ଉକ୍ତ ସଭାରେ ପ୍ରାଧ୍ୟାପକ ତଥା ପ୍ରଶାସନିକ ଅଧିକାରୀ ଲକ୍ଷ୍ମୀ ପ୍ରସାଦ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ବନମାଳୀ ବେହେରା ବାର୍ଷିକୀ ବିବରଣୀ ପାଠ କରି ମହାବିଦ୍ୟାଳୟର ବିଭିନ୍ନ ସୁବିଧା ଓ ଅସୁବିଧା ଜଣାଇ ଏହାର ସମାଧାନ ପାଇଁ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଓ ଜିଲ୍ଲା ପରିଷଦ ଉପସଭାପତିଙ୍କୁ ଅନୁରୋଧ କରିଥିଲେ।

ଅଧ୍ୟାପିକା ଜୟଶ୍ରୀ ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ଡ଼ା ସୁର ପ୍ରତାପ ନରେନ୍ଦ୍ରସିଂହ ବର୍ମା ସମ୍ବର୍ଦ୍ଧନା ଓ ରଘୁନାଥ ଓଝା ପୁରସ୍କାର ପ୍ରଦାନରେ ସହଯୋଗ କରିଥିଲେ।

ପରିଶେଷରେ ପଦାର୍ଥ ବିଜ୍ଞାନ ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ପ୍ରଦୀପ୍ତ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

Related posts