ବାରଣ ସତ୍ତ୍ୱେ ବାଲୁଗାଁରେ ଉଚ୍ଚ ଶବ୍ଦରେ ବାଜିଲା ଡ଼ିଜେ, ଗାଡ଼ି ଜବତ କଲା ପୋଲିସ

Published: Dec 4, 2022, 10:04 pm IST

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ପୋଲିସ ସବ ଡିଭିଜନରେ ଗତ ମାସରେ ଡିଜେକୁ ସମ୍ପୂର୍ଣ୍ଣ ବ୍ୟାନ ଘୋଷଣା କରାଯାଇଥିଲା। ମାତ୍ର ଏହାକୁ ବେଖାତିର କରି ଆଜି ଅପରାହ୍ନରେ ବାଲୁଗାଁ ପାଟଣା ସାହିଠାରେ ଏକ ବିବାହ କାର୍ଯ୍ୟକ୍ରମରେ ଉଚ୍ଚ ଶବ୍ଦରେ ଡିଜେ ବାଜୁଥିବା ନେଇ ସ୍ଥାନୀୟ କିଛି ବରିଷ୍ଠ ନାଗରିକ ପୋଲିସ ନିକଟରେ ଅଭିଯୋଗ କରିଥିଲେ।

ଅଭିଯୋଗ ପାଇ ଘଟଣାସ୍ଥଳରେ ବାଲୁଗାଁ ଥାନା ଅଧିକାରୀ ରଶ୍ମିରଞ୍ଜନ ଦାଶ ପହଞ୍ଚି ସମ୍ପୃକ୍ତ ଡିଜେ ଗାଡିକୁ ଜବତ କରିବା ସହ କେସ ନମ୍ବର ୨୭୧/୨୦୨୨ରେ ଏକ ମାମଲା ରୁଜୁକରି ଗାଡି ଚାଳକଙ୍କୁ ଅଟକ ରଖିଛନ୍ତି।

ସୂଚନା ଥାଉକି ବାରମ୍ବାର ପୋଲିସର ଅନୁରୋଧ ସତ୍ତ୍ୱେ ବାଲୁଗାଁ ପୋଲିସ ସବଡିଭିଜନ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ବେଆଇନ ଭାବେ ଦିନ ହେଉ ଅବା ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଉଚ୍ଚ ଶବ୍ଦରେ ଡିଜେ ବାଜୁଥିବାର ଅଭିଯୋଗ ହେଉଛି। ଯାହାଦ୍ୱାରା ବୟସ ବ୍ୟକ୍ତି, ହୃଦରୋଗୀ, ଛୋଟ ଛୋଟ ଶିଶୁମାନେ ଗୁରୁତର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଯାହାଫଳରେ ପୋଲିସ ପକ୍ଷରୁ କଡା ଆଭିମୁଖ୍ୟ ଗ୍ରହଣ କରାଯାଇଥିବା ଦେଖିବାକୁ ମିଳିଛି।

Related posts