ବାଣପୁର: ବାଣ ଯୋଗୁଁ ଅଗ୍ନିକାଣ୍ଡ ଘଟି ଜଳିଗଲା ଚାରି ବଖରା ଘର

Published: Nov 12, 2023, 7:21 pm IST

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଆଜି ଏକ ଅଭାବନୀୟ ଘଟଣା ଘଟିଯାଇଛି। ପବିତ୍ର ଦୀପାବଳି ଉପଲକ୍ଷେ ପୁରପଲ୍ଲୀ ଉତ୍ସବମୁଖର ଥିବାବେଳେ ଆଙ୍କୁଲାପଦର ଗ୍ରାମରେ ବାଣ ଯୋଗୁଁ ଅଗ୍ନିକାଣ୍ଡ ଘଟି ଚାରି ବଖରା ଚାଳ ଘର ପୋଡ଼ିଯାଇଥିବା ଖବର ହସ୍ତଗତ ହୋଇଛି।

ବାଣପୁର ଅଗ୍ନିଶମ ଅଧିକାରୀ ବିବେକାନନ୍ଦ ଦାସଙ୍କ ସୂଚନା ମୁତାବକ ଆଜି ମଧ୍ୟାହ୍ନରେ ଉକ୍ତ ଗ୍ରାମରେ ନିଆଁ ଲାଗିଯାଇଥିବା ଅଭିଯୋଗ ପାଇ ତୁରନ୍ତ ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚିଥିଲା। ଦୀର୍ଘ ସମୟର ପ୍ରଚେଷ୍ଟା ପରେ ନିଆଁ ଆୟତ୍ତ ହୋଇଥିବାବେଳେ ଉକ୍ତ ଗ୍ରାମର ମୂଳି ପ୍ରଧାନ, ମିଟୁ ବେହେରା, ମାନସ ବେହେରା ଏବଂ ଭ୍ରମର ପଲାଇଙ୍କ ଚାଳ ଘର ପୋଡ଼ିଯାଇଥିବା ଜଣାପଡିଛି।

ଉକ୍ତ ଅଗ୍ନିକାଣ୍ଡ ବାଣ ଦ୍ୱାରା ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଥିବା ଶ୍ରୀ ଦାସ କହିଛନ୍ତି। ତେବେ ଉକ୍ତ ଚାରି ଜଣ ବ୍ୟକ୍ତି ଅତି ଗରିବ ଶ୍ରେଣୀର ହୋଇଥିବାରୁ ସେମାନଙ୍କୁ ସରକାରୀ ସାହାଯ୍ୟ ଯୋଗାଇବା ପାଇଁ ସାଧାରଣରେ ଦାବି ହେଉଛି।

Related posts