ଭୁବନେଶ୍ବର: ପଶ୍ଚିମ ଓଡ଼ିଶାରେ ପାର୍ବଣ ସମୟ ଆସିଲେ ପୁଣି ସକ୍ରିୟ ହୋଇଉଠେ ବେଆଇନ ଦାଦନ ଚାଲାଣକାରୀ ଦଲାଲ ଗୋଷ୍ଠୀ। ଏହି କ୍ରମରେ ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଥାନା ପୁଲିସକୁ ଏକ ବଡ଼ ସଫଳତା ମିଳିଛି। ବେଆଇନ ଭାବେ ହାଇଦ୍ରାବାଦକୁ ଚାଲାଣ ହେଉଥିବା ୧୬ ଜଣ ଦାଦନ ଶ୍ରମିକଙ୍କୁ ବେଲପଡ଼ା ପୁଲିସ ପର୍ଲିମାଲ ନିକଟରୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ଶ୍ରମିକମାନଙ୍କୁ ଲାଠୋର ରେଳଷ୍ଟେସନରୁ ରେଳ ଯୋଗେ ତେଲେଙ୍ଗାନା ରାଜ୍ୟର ପେଟ୍ଟାପାଲି ଅଞ୍ଚଳକୁ ନେବା ପାଇଁ ଯୋଜନା କରାଯାଇଥିଲା। ଉଦ୍ଧାର ହୋଇଥିବା ୧୬ ଜଣ ଦାଦନ ଶ୍ରମିକ ବଲାଙ୍ଗୀର, ସୋନପୁର ଏବଂ ନୂଆପଡ଼ା ଜିଲ୍ଲାର ବୋଲି ସ୍ପଷ୍ଟ ଜଣାପଡ଼ିଛି। ତେବେ ପୁଲିସର ଚଢ଼ାଉ ସମୟରେ ଘଟଣାସ୍ଥଳରୁ ବେଲପଡ଼ା ଥାନା ଅନ୍ତର୍ଗତ ଘାଗୁର୍ଲି ଗ୍ରାମର ଦାଦନ ସର୍ଦ୍ଦାର ଟିମନ ବାଗ ଏବଂ ସଦର ଥାନା ଅନ୍ତର୍ଗତ ମାଧିଆପାଲି ଗ୍ରାମର ଟାର୍ଜନ ଛତ୍ରିଆ ଚତୁରତାର ସହ ଫେରାର ହୋଇଯିବାରେ ସକ୍ଷମ ହୋଇଛନ୍ତି। ବେଲପଡ଼ା ଥାନା ଅଧିକାରୀ ଅନନ୍ତ ପ୍ରଧାନଙ୍କ ସୂଚନା ଅନୁସାରେ, ଉଦ୍ଧାର କରାଯାଇଥିବା ସମସ୍ତ ଶ୍ରମିକଙ୍କୁ ପୁଲିସ ହେପାଜତରେ ନିଜ ନିଜ ଗ୍ରାମକୁ ପଠାଇବାର ବ୍ୟବସ୍ଥା କରାଯାଇଛି। ଏଥିସହିତ ଫେରାର ଥିବା ଦୁଇ ଦାଦନ ସର୍ଦ୍ଦାର ଟିମନ ବାଗ ଓ ଟାର୍ଜନ ଛତ୍ରିଆଙ୍କ ବିରୋଧରେ ବେଲପଡ଼ା ଥାନାରେ ଏକ ମାମଲା ରୁଜୁ କରାଯାଇ ଘଟଣାର ଅଧିକ ତଦନ୍ତ ଜାରି ରହିଛି।


