ଅବେହଳିତ ଅବସ୍ଥାରେ ଓଡ଼ିଶାର ଅନ୍ୟତମ ପୁରାତନ ବିଦ୍ୟାଳୟ; ବାଣପୁରର ଗୋଦାବରୀଶ ବିଦ୍ୟାପୀଠ

Published: Nov 21, 2019, 10:43 am IST

ସମୀକ୍ଷା ବ୍ୟୁରୋ

ଓଡ଼ିଶାର ସର୍ବପୁରାତନ ବିଦ୍ୟାଳୟ ଆଜି ବିିଭିନ୍ନ ସମସ୍ୟାଘେରରେ। ୧୯୩୦ ମସିହା ବ୍ରିଟିଶ୍‌ ଅମଳରେ ଓଡ଼ିଶାର ବାଣପୁରଠାରେ ସ୍ଥାପିତ ହୋଇଥିବା ଗୋଦାବରୀଶ ବିଦ୍ୟାପୀଠ ହେଉଛି ଓଡ଼ିଶାର ପ୍ରଥମ ବିଦ୍ୟାଳୟ। ୮୯ବର୍ଷର ଏହି ସର୍ବପୁରାତନ ବିଦ୍ୟାଳୟଟି ଆଜି ଅବହେଳିତ ଅବସ୍ଥାରେ। ଏହି ବିଦ୍ୟାଳୟରୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପାଠ ପଢି ଭାରତର ବିଶିଷ୍ଟ ପଦ ପଦବୀରେ ଅବସ୍ଥାପିତ ହୋଇ ଆମ ଜାତିର ଟେକ ରଖିଥିବାବେଳେ ସେହି ବିଦ୍ୟାଳୟ ଆଜି ସମସ୍ୟାଘେରରେ। ନ୍ୟାୟମୂର୍ତ୍ତି ରଙ୍ଗନାଥ ମିଶ୍ର, ସୁପ୍ରିମ୍‌କୋର୍ଟର ପୂର୍ବତନ ବିଚାରପତି ଦୀପକ ମିଶ୍ର,  ପୂର୍ବତନ ସିବିଆଇ ନିର୍ଦ୍ଦେଶକ ଉମାଶଙ୍କର ମିଶ୍ରଙ୍କ ପରି ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏହି ବିଦ୍ୟାଳୟରେ ପାଠ ପଢିଥିବାବେଳେ ଅନେକ ଆଇଏଏସ୍‌ ଓ ଓଏଏସ୍‌ ଏହି ବିଦ୍ୟାଳୟରୁ ପାଠ ପଢିଛନ୍ତି। ଶିକ୍ଷାଦାନର ଅନନ୍ୟ ନିଦର୍ଶନ ସ୍ବରୂପ ଏହି ବିଦ୍ୟାଳୟଟି ମଣିଷ ତିଆରି କାରଖାନା ରୂପେ ବେଶ୍‌ ଖ୍ୟାତି ଅର୍ଜନ କରିଥିଲା, ମାତ୍ର ସରକାରୀ ଉଦାସୀନତା କାରଣରୁ ଏହି ବିଦ୍ୟାଳୟ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି।

ବିଦ୍ୟାଳୟର ପ୍ରମୁଖ ସମସ୍ୟା

– ସ୍ଥାୟୀ ପ୍ରଧାନ ଶିକ୍ଷକ ନଥିବାବେଳେ ତାଙ୍କ ସ୍ଥାନରେ ବିଜ୍ଞାନ ଶିକ୍ଷକ ଭଞ୍ଜ କିଶୋର ସାହୁ ଅନ୍ତରୀଣ ପ୍ରଧାନ ଶିକ୍ଷକ ଦାୟିତ୍ବ ତୁଲାଉଛନ୍ତି।

– ବିଦ୍ୟାଳୟରେ ବିଭିନ୍ନ ଶିକ୍ଷକଙ୍କ ପଦବୀ ଖାଲି ରହିଛି। ୯ ବର୍ଷ ଧରି ହିନ୍ଦୀ ଶିକ୍ଷକ ପଦବୀ ଖାଲି ରହିଥିବାବେଳେ ତିନି ବର୍ଷ ଧରି ସଂସ୍କୃତ ଶିକ୍ଷକ ପଦବୀ, ୧୧ ବର୍ଷ ଧରି ଖେଳ ଶିକ୍ଷକ ପଦବୀ ଖାଲି ରହିଛି। କେବଳ ଶିକ୍ଷକ ପଦବୀ ନୁହେଁ ବିଦ୍ୟାଳୟରେ ମୁଖ୍ୟ ସ୍ଥାୟୀ କିରାଣୀ ପଦବୀ ମଧ୍ୟ ୫ ବର୍ଷ ଧରି ଖାଲି ପଡ଼ିଛି। ଆସନ୍ତା ୩ ମାସ ମଧ୍ୟରେ ବିଦ୍ୟାଳୟରେ ରହିଥିବା ତିନୋଟି ପିଅନ ମଧ୍ୟରୁ ଗୋଟିଏ ପିଅନ ପଦବୀ ଖାଲି ହୋଇଯିବ।

– ସେହିପରି ବିଦ୍ୟାଳୟରେ ରହିଥିବା ଅନୁସୂଚିତ ଜାତି ଓ ଜନଜାତି ଛାତ୍ରୀ ନିବାସରେ ପାନୀୟ ଜଳର ବ୍ୟବସ୍ଥା ନାହିଁ ।

– କମ୍ପ୍ୟୁଟର ଶିକ୍ଷକଙ୍କ ପଦବୀ ଖାଲି ରହିଛି ।

-ସହରର ମୁଖ୍ୟ ରାସ୍ତା ପ୍ରଶସ୍ତିକରଣ ହେବା ପରେ ବିଦ୍ୟାଳୟ ଖେଳ ପଡ଼ିଆଟି ବିପର୍ଯ୍ୟସ୍ତ ହୋଇପଡିବାରୁ, ଖେଳ ପଡ଼ିଆଟି ଆଉ ବିଦ୍ୟାଳୟପଯୋଗୀ ହୋଇପାରୁନାହିଁ।

ସରକାର ରାଜ୍ୟରେ ଶିକ୍ଷାର ଉନ୍ନତି ପାଇଁ ବେଶ୍‌ ଉନ୍ନତିମୂଳକ ପଦକ୍ଷେପ ନେଉଥିବାବେଳେ ଖୋର୍ଦ୍ଧା ଜିଲ୍ଲାର ଐତିହ୍ୟ ସମ୍ପନ୍ନ ଏହି ବିଦ୍ୟାଳୟକୁ ଅଣଦେଖା କରିବା ଅତ୍ୟନ୍ତ ନିନ୍ଦନୀୟ। ଗତବର୍ଷ ପୂର୍ବତନ ଉଚ୍ଚ ନ୍ୟାୟାଳୟର ବିଚାରପତି ଦୀପକ ମିଶ୍ର ସ୍କୁଲ ପରିଦର୍ଶନରେ ଆସି କିଛି ସାହାଯ୍ୟ କରିଥିଲେ, ଯାହା ସମୁଦ୍ରକୁ ଶଙ୍ଖେ ପରି। ତେବେ ରାଜ୍ୟସରକାର ଓଡ଼ିଶାର ସର୍ବପୁରାତନ ବିଦ୍ୟାଳୟର ରକ୍ଷଣାବେକ୍ଷଣ ତଥା ସଂରକ୍ଷଣ କରିବା ଦିଗରେ ହାତ ବଢାଇବା ଆଜିର ଦିନରେ ଆବଶ୍ୟକ ହୋଇପଡିଛି। ସରକାର ଏ ଦିଗରେ କିଛି ପଦକ୍ଷେପ ଗ୍ରହଣ କରିବା ନେଇ ବୁଦ୍ଧିଜୀବୀମାନେ ଆଶା ପ୍ରକଟ କରିଛନ୍ତି। ଏହି ସର୍ବପୁରାତନ ଶିକ୍ଷାନୁଷ୍ଠାନକୁ ସରକାରୀ ସାହାଯ୍ୟ ମିଳିବା ଲାଗି ସାଧାରଣରେ ଦାବି ହେଉଛି ।

Related posts