‘ଖୋର୍ଦ୍ଧା ଜିଲ୍ଲା ଯୁବ ଉତ୍ସବ’ରେ ବାଣପୁର ଭେଟେଶ୍ଵର ସରକାରୀ ଉଚ୍ଚ ବିଦ୍ୟାଳୟର ଉଚ୍ଚକୋଟିର କଳା ପ୍ରଦର୍ଶନ

Published: Dec 12, 2019, 8:25 pm IST

ସମୀକ୍ଷା ବ୍ୟୁରୋ

ଖୋର୍ଦ୍ଧା, ୧୨/୧୨: ବାଲୁଗାଁ ମହାବିଦ୍ୟାଳୟରେ ଦୁଇ ଦିନ ଧରି ‘ଖୋର୍ଦ୍ଧା ଜିଲ୍ଲା ଯୁବ ଓ ସେବା ଉତ୍ସବ-୨୦୧୯’ ଅନୁଷ୍ଠାନିକ ଭାବେ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ଉତ୍ସବକୁ ଓଡିଶା ସରକାରଙ୍କର ଖୋର୍ଦ୍ଧା ଜିଲ୍ଲା ଯୁବ ଓ ସେବା ବିଭାଗ ଆୟୋଜନ କରିଥିଲା। ଏହି ଦୁଇଦିନିଆ ଉତ୍ସବକୁ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଓ ବାଲୁଗାଁ କଲେଜ ଅଧ୍ୟକ୍ଷା ବିନତି ମଞ୍ଜରି ରାଉତ ଉଦ୍ଘାଟନ କରିଥିବାବେଳେ ଏହି ଉତ୍ସବକୁ ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ ଶେଖର ମହାନ୍ତି ଉଦଯାପିତ କରିଥିଲେ।

ଏହି ଉତ୍ସବରେ ୩୦୦ରୁ ଉର୍ଦ୍ଧ୍ବ ପ୍ରତିଯୋଗୀ ଭାଗ ନେଇଥିଲେ। ତେବେ ଏହି ମହୋତ୍ସବରେ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲେ ଭେଟେଶ୍ଵର ଭେଟିନାଥଦେବ ବିଦ୍ୟାପୀଠର କୁନି କୁନି ଛାତ୍ରଛାତ୍ରୀ। ଏହି କୁନି କଳାକାରମାନେ ନିଜ ନିଜର ନିଖୁଣ କଳା ପ୍ରଦର୍ଶନ କରି ଦର୍ଶକଙ୍କୁ  ବିମୋହିତ କରିଥିଲେ। ଏହି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଲୋକନୃତ୍ୟ ଓ ଏକକ ଅଭିନୟରେ ନିଜର ଉତ୍କର୍ଷତା ପ୍ରଦର୍ଶନ କରି ରାଜ୍ୟସ୍ତରୀୟ ମହୋତ୍ସବ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଦଳଗତ ଅଭିନୟରେ ଭୁବନେଶ୍ଵରର ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ, ସିତାର ବାଦକ ରେ ବଂଶିଧର ସାହୁ, ପାରମ୍ପରିକ ନୃତ୍ୟରେ ସ୍ଥିତିପ୍ରଜ୍ଞ ଦାସ, ତବଲାରେ ଭୁବନେଶ୍ଵରର ବିବେକାନନ୍ଦ ପଣ୍ଡା, ମୃଦଙ୍ଗରେ ବାଲୁଗାଁର ଅକ୍ଷୟକୁମାର ଗୁରୁ, ଲୋକ ସଙ୍ଗୀତରେ ମଦର ପବ୍ଲିକ ସ୍କୁଲ ଆଦି ବିଜୟୀ ହୋଇଛନ୍ତି। ଏଥିରେ ପୁରସ୍କୃତ ହୋଇଥିବା ପ୍ରତିଯୋଗୀମାନେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଉତ୍ତିନ୍ନ ହୋଇଛନ୍ତି।

ଏହି ମହୋତ୍ସବରେ ପୂର୍ବତନ ମନ୍ତ୍ରୀ ଦେବେନ୍ଦ୍ର ନାଥ ମାନସିଂହ, ବାଲୁଗାଁ ବିଜ୍ଞାପତି ଅଞ୍ଚଳର ପୂର୍ବତନ ଉପାଧ୍ୟକ୍ଷ ଅଜୟ କୁମାର ଦାଶ, ବାଣପୁର ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ମାନସ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଏହି ଯୁବ ମହୋତ୍ସବକୁ ସଫଳ କରାଇଥିଲେ।

ରିପୋର୍ଟର : ସୁନୀଲ୍‌ କୁମାର ଭୋଳ (ବିଜୁ)

Related posts