ସମୀକ୍ଷା ନ୍ୟୁଜ୍‌ର ମହାପ୍ରଭାବ: ଦକ୍ଷ ପ୍ରଜାପତି ମନ୍ଦିର ନିକଟରୁ ହଟିଲା ଅସ୍ଥାୟୀ ଡମ୍ପିଂ ୟାର୍ଡ

Published: Apr 15, 2020, 6:56 pm IST

ସୀତାରାମ ଅଗ୍ରଓ୍ବାଲ
ବାଣପୁର: ବାଣପୁରର ପ୍ରସିଦ୍ଧ ଦକ୍ଷପ୍ରଜାପତି ମନ୍ଦିର ନିକଟରେ ରହିଥିବା ଅସ୍ଥାୟୀ ଡମ୍ପିଂୟାର୍ଡକୁ ହଟାଯାଇଛି। ମନ୍ଦିର ନିକଟରେ ଅସ୍ଥାୟୀ ଡମ୍ପିଂୟାର୍ଡ ରହିଥିବା ସମୀକ୍ଷା ନ୍ୟୁଜ୍‌ରେ ଗତ ୧୧ ତାରିଖରେ ଖବର ପ୍ରକାଶ ପାଇବା ପରେ ଆଜି ଏନ୍‌ଏସି ପକ୍ଷରୁ ଉକ୍ତ ଅସ୍ଥାୟୀ ଡମ୍ପିଂ ୟାର୍ଡକୁ ହଟାଯାଇଛି। ଅସ୍ଥାୟୀ ଡମ୍ପିଂ ୟାର୍ଡ ସ୍ଥାନାନ୍ତର ନେଇ ଦକ୍ଷପ୍ରଜାପତି-ଭଗବତୀ ଏଣ୍ଡାଓମେଣ୍ଟ କାର୍ଯ୍ୟନିର୍ବାହୀ ଅଧିକାରୀ ତକ୍ଷରାଜ ଭିତିରିଆ ଏବଂ ପ୍ରତ୍ନତତ୍ତ୍ବ ବିଭାଗ ଅଧିକାରୀ ନିର୍ମଳ ମହାପାତ୍ରଙ୍କ ନିକଟରେ ଆମ ପ୍ରତିନିଧିଙ୍କ ତରଫରୁ ଅଭିଯୋଗ କରାଯାଇଥିଲା।

ଉଭୟ ଅଧିକାରୀ ଘଟଣାକୁ ଗୁରୁତର ସହ ନେଇ ତୁରନ୍ତ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ। ଫଳ ସ୍ୱରୂପ ଆଜି ଅସ୍ଥାୟୀ ଡମ୍ପିଂ ୟାର୍ଡକୁ ଏନ.ଏ.ସି ତରଫରୁ ଖାଲି କରାଯାଇଛି। ଆଜି ସକାଳେ ଏନ.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏକ ଜେସିବି ମେସିନ ସାହାଯ୍ୟରେ ଅସ୍ଥାୟୀ ଡମ୍ପିଂ ୟାର୍ଡକୁ ଖୋଳି ସେହି ସ୍ଥାନକୁ ସଫା କରାଯାଇଥିଲା।

ଏହି ସ୍ଥାନକୁ ଆଗାମୀ ଦିନରେ ଏନ.ଏ. ସି ପକ୍ଷରୁ କଂକ୍ରିଟ କରାଯାଇ ଏହାକୁ ଦଣ୍ଡଯୁକ୍ତ ଅଞ୍ଚଳ ଘୋଷଣା କରାଯିବ ଏବଂ ଏହି ସ୍ଥାନରେ ଯଦି କୌଣସ ବ୍ୟକ୍ତି ଅଳିଆ ଆବର୍ଜନା ପକାଇବେ ତାହାଲେ ସେମାନଙ୍କଠୁ ଫାଇନ୍‌ ଆଦାୟ କରାଯିବ ବୋଲି ଏନ.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ ନିଆଲ ସୂଚନା ଦେଇଛନ୍ତି। ଦୀର୍ଘ ଦିନ ଧରି ପରିତ୍ୟକ୍ତ ଅବସ୍ଥାରେ ପଡି ରହିଥିବା ଉକ୍ତ ଅସ୍ଥାୟୀ ଡମ୍ପିଂ ୟାର୍ଡ଼ କୁ ହଟାଯିବାରୁ ବାଣପୁର ଜନସାଧାରଣ ଏନ.ଏ.ସି ପ୍ରଶାସନ କୁ ସାଧୁବାଦ ଜଣାଇଛନ୍ତି।

Related posts