ଦେଶୀମଦ ଓ ଜୁଆ ବିରୋଧରେ ବାଣପୁରରେ ମହିଳା ସ୍ବୟଂସହାୟକ ଗୋଷ୍ଠୀର ପ୍ରତୀକାତ୍ମକ ଶୋଭାଯାତ୍ରା

Published: May 24, 2020, 7:36 pm IST

ସୀତାରାମ ଅଗ୍ରଓ୍ବାଲ
ବାଣପୁର: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁରରେ ଦିନକୁ ଦିନ ମଦୁଆ ଏବଂ ଜୁଆଡିଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି। ଏହାର ପ୍ରତିବାଦରେ ଗ୍ରାମର ବିଭିନ୍ନ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଏକ ପ୍ରତୀକାତ୍ମକ ଶୋଭାଯାତ୍ରା କରାଯାଇଛି। ବାଣପୁର ବ୍ଲକ ଅନ୍ତର୍ଗତ ବୋରିଗାଁରେ ବିଗତ କିଛିଦିନ ହେବ ଦେଶୀ ମଦ କାରବାର ଏବଂ ଜୁଆଖେଳ ଅହେତୁକ ଭାବରେ ବଢିବାରେ ଲାଗିଛି। ଏହାର ପ୍ରତିବାଦରେ ବୋରିଗାଁର ୩୦ ଟି ମହିଳା ସ୍ବୟଂସହାୟକ ଗୋଷ୍ଠୀର ସଦସ୍ୟାମାନେ ଏକତ୍ରିତ ହୋଇ ଏକ ପ୍ରତୀକାତ୍ମକ ଶୋଭାଯାତ୍ରା କରିଥିଲେ। ପ୍ରତ୍ୟେକ ମହିଳା ସ୍ବୟଂସହାୟକ ଗୋଷ୍ଠୀରୁ ଦୁଇ ଜଣ ଲେଖାଏଁ ସଦସ୍ୟା ଏହି ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ।

ବିଭିନ୍ନ ଅସାମାଜିକ ବ୍ୟକ୍ତିବିଶେଷଙ୍କ ପକ୍ଷରୁ ଏଭଳି ଅପରାଧିକ କାର୍ଯ୍ୟକଳାପ ଆରମ୍ଭ କରାଯାଇଥିବାରୁ ଅଞ୍ଚଳର ମହିଳା ମାନେ ନାନା ପ୍ରକାର ଘରୋଇ ହିଂସାର ଶିକାର ହେଉଛନ୍ତି। ଏଭଳି ହିଂସାକାଣ୍ଡର ବିରୋଧ କରିବା ସହିତ ସାମାଜିକ ଦୂରତ୍ବର ପାଳନ କରି ମହିଳାଙ୍କ ପକ୍ଷରୁ ଏକ ଶୋଭାଯାତ୍ରା କରାଯାଇଛି। ଏହା ସହିତ ପ୍ରଶାସନ ପକ୍ଷରୁ ଯଦି ଏପରି ଅସାମାଜିକ ତତ୍ତ୍ବଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ଆଗାମୀ ଦିନରେ ମହିଳା ମାନେ ଆଇନକୁ ହାତକୁ ନେବାର ଧମକ ଦେଇଛନ୍ତି। ସ୍ଥାନୀୟ ଅଞ୍ଚଳରେ ପ୍ରଶାସନ ନିଦାବିଷ୍ଣୁ ସାଜିଥିବା ବେଳେ ମହିଳା ମାନଙ୍କର ଏଭଳି ପ୍ରୟାସକୁ ନେଇ ବୁଦ୍ଧିଜୀବୀ ମାନେ ଧନ୍ୟବାଦ ଜଣାଇଛନ୍ତି। ମହିଳାଙ୍କ ଏହି ଆନ୍ଦୋଳନ ବାଣପୁରକୁ ନିଶାମୁକ୍ତ କରିବାରେ ସହାୟକ ହେବ ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି। ଉଲ୍ଲେଖଯେଗ୍ୟ ଯେ କିଛି ବର୍ଷ ପୂର୍ବରୁ ବିଷାକ୍ତ ମଦ୍ୟପାନ କରି ଏହି ଗ୍ରାମର ଅନେକ ଯୁବକ ଅସୁସ୍ଥ ହୋଇଥିବା ବେଳେ ଗୋଟିଏ ପରିବାରର ଦୁଇ ଭାଇ ମୃତ୍ୟୁବରଣ କରିଥିଲେ।

Related posts