ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନ.ଏ.ସିରେ ତିନି କରୋନା ଆକ୍ରାନ୍ତ ଚି଼ହ୍ନଟ, କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ଜିଲ୍ଲାପାଳ 

Published: Jul 19, 2020, 9:35 pm IST

ସୀତାରାମ ଅଗ୍ରଓ୍ବାଲ

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନ.ଏ.ସି ରେ ତିନି ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାର ସୂଚନା ଦେଇଛନ୍ତି ବାଣପୁର ଏନ.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ ନିଆଲ। ସମସ୍ତ ଆକ୍ରାନ୍ତ ଲୋକାଲ କେସ ବୋଲି ଜଣାପଡିଛି। ଆକ୍ରାନ୍ତଙ୍କ ମଧ୍ୟରେ ବାଣପୁର ଏନ.ଏ.ସି ୮ ନମ୍ବର ୱାର୍ଡର ଜଣେ ମହିଳା ଥିବା ସ୍ଥଳେ ୧୦ ନମ୍ବର ୱାର୍ଡର ଦୁଇ ଜଣ ପୁରୁଷ ରହିଛନ୍ତି ବୋଲି ସୂଚନା ମିଳିଛି।

ପ୍ରାଥମିକ ପର୍ଯ୍ୟାୟରେ ସମସ୍ତ ଆକ୍ରାନ୍ତଙ୍କ ବାସଭବନକୁ ଏନ.ଏ.ସି ଦ୍ୱାରା ସାନିଟାଇଜେସନ କରାଯାଇଛି। ଆସନ୍ତାକାଲି ସକାଳ ୭ ଘଟିକାରୁ ୨୩ ତାରିଖ ସକାଳ ୭ ଘଟିକା ଯାଏଁ ବଜାର ସାହି ପୋଷ୍ଟ ଅଫିସଠାରୁ ମା ଭଗବତୀ ମନ୍ଦିର ପର୍ଯ୍ୟନ୍ତ ଅଞ୍ଚଳକୁ ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ସୀତାଂଶୁ ରାଉତ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛନ୍ତି।

ଉକ୍ତ ସମୟରେ କୌଣସି ବ୍ୟକ୍ତି ଘରୁ ବାହାରିବେ ନାହିଁ ଏବଂ ଏହି କଣ୍ଟେନମେଣ୍ଟ ଅଞ୍ଚଳରେ ସମସ୍ତ ସରକାରୀ ଏବଂ ବେସରକାରୀ ପ୍ରତିଷ୍ଠାନ ବନ୍ଦ ରହିବ। ଉକ୍ତ ସମୟରେ ସମ୍ପୃକ୍ତ ଅଞ୍ଚଳକୁ ସାନିଟାଇଜେସନ କରାଯିବା ସହ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯିବ। ଏହି ସମୟରେ ସମସ୍ତ ଜନସାଧାରଣଙ୍କୁ ଘରେ ରହିବାକୁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ। ତେବେ  ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ମେଡ଼ିସିନ ଅଞ୍ଚଳବାସୀଙ୍କୁ ଜିଲ୍ଲା ପ୍ରଶାସନ ଦ୍ୱାରା ଗଠନ କରାଯାଇଥିବା ବିଭିନ୍ନ ଟିମ ଦ୍ୱାରା ଯୋଗାଇଦିଆଯିବ।

କଣ୍ଟେନମେଣ୍ଟ ଜୋନରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବା ସହ ବିଭିନ୍ନ କାର୍ଯ୍ୟ ତଦାରଖ ପାଇଁ ଜିଲ୍ଲାପାଳ ନିମ୍ନଲିଖିତ ଅଧିକାରୀଙ୍କୁ ନୋଡାଲ ଅଧିକାରୀ ଭାବେ ନିଯୁକ୍ତି ଦେଇଛନ୍ତି। ଅଜୟ କୁମାର ଗୁମାନସିଂ (କନିଷ୍ଠ ଯନ୍ତ୍ରୀ, ବାଣପୁର ବ୍ଲକ), ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ଦାୟିତ୍ବ ଦିଆଯାଇଥିବାବେଳେ ବାଣପୁର ଫାୟାର ଷ୍ଟେସନ ଅଫିସରଙ୍କୁ କଣ୍ଟେନମେଣ୍ଟ ଏବଂ ବଫର୍‌ ଜୋନ୍‌କୁ ନିୟମିତ ବ୍ୟବଧାନରେ ସାନିଟାଇଜ୍‌ କରିବାକୁ ଦାୟିତ୍ବ ଦିଆଯାଇଛି। ଡ଼ାଃ ଡ଼ି. ମହାପାତ୍ର(ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ) ଙ୍କୁ କଣ୍ଟ୍ରାକ୍ଟ ଟ୍ରେସିଂ ଏବଂ ସମ୍ପୃକ୍ତ ଅଞ୍ଚଳରେ ସର୍ଭେଲାନ୍ସ ଓ ସ୍ବାବ୍‌ ଟେଷ୍ଟିଂ ଦାୟିତ୍ବ ଦିଆଯାଇଛି।  ଏବଂ ଶ୍ରୀମତୀ ବିଦ୍ୟୁତପ୍ରଭା ରଥ( ସି.ଡ଼ି.ପି.ଓ )ଙ୍କୁ ଘରକୁ ଘର ବୁଲି ସର୍ଭେ କରିବା ଦାୟିତ୍ବ ଦିଆଯାଇଛି। ଉକ୍ତ ସବୁ କାର୍ଯ୍ୟକୁ ତଦାରଖ କରିବେ ବାଣପୁର ତହସିଲଦାର ଶ୍ରୀ ମନ୍ମଥ କୁମାର ବେହେରା।

Related posts