କରୋନା ବେଳେ ବାଣପୁରରେ ଜୁଆ ଆଡ୍ଡା, ଚଢଉ ବେଳେ ୩ ଗିରଫ, ୬ଟି ଦୁଇ ଚକିଆ ଓ ଅଟୋ ଜବତ

Published: Jul 24, 2020, 8:10 pm IST

ସୀତାରାମ ଅଗ୍ରୱାଲ

ବାଣପୁର: କରୋନା ସଂକଟ ସମୟରେ ବାଣପୁର ଅଞ୍ଚଳରେ ଜୁଆ ଆଡ୍ଡା ଉପରେ ଚଢାଉ। ବାଣପୁର ଥାନା ଅନ୍ତର୍ଗତ ଓଡ଼ଗାଁ ଗାଁ ପାଖ ପାହାଡିଆ ଅଞ୍ଚଳରୁ ଚାଲିଥିବା ଏକ ଜୁଆ ଆଡ୍ଡାରୁ ବହୁ ସଂଖ୍ୟାରେ ଜୁଆ ସାମଗ୍ରୀ, ମୋବାଇଲ, 6ଟି ଦୁଇ ଚକିଆ ଏବଂ ଗୋଟିଏ ଅଟୋ ଜବତ କରାଯାଇଛି। ଏ ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି।

ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବାଣପୁର ଥାନାଧିକାରୀ ଶ୍ରୀ ସଞ୍ଜୟ କୁମାର ପଟ୍ଟନାୟକ ଗୁରୁବାର ରାତିରେ ସଦଳବଳେ ଓଡଗାଁ ଗାଁ ପାଖରେ ଥିବା ପାହାଡିଆ ଅଞ୍ଚଳରେ ଚଢଉ କରିଥିଲେ। ସେହି ସମୟରେ ଜୁଆ ଖେଳ ଚାଲିଥିଲା। ଆଡ୍ଡାରୁ ପୋଲିସ ୩ ଜଣ ଜୁଆଡ଼ିଙ୍କୁ ଗିରଫ କରିଥିବାବେଳେ ଅନ୍ୟ ଅଭିଯୁକ୍ତମାନେ ରାତ୍ରି ଏବଂ ପାହାଡିଆ ଅଞ୍ଚଳର ସୁଯୋଗ ନେଇ ସେଠାରୁ ଖସି ପଳାଇଥିଲେ।

ଗିରଫ ଅଭିଯୁକ୍ତ ତିନି ଜଣ ହେଲେ ପଞ୍ଚାନନ ଦାସ (୩୦) ଓ ବଂଗାଳୀ ପ୍ରତିହାରୀ (୫୦) ଏବଂ ସତ୍ୟନାରାୟଣ ମହାରଥୀ(୩୫)। ଜୁଆ ଆଡ୍ଡାରୁ ନଗଦ ୩୪୦୦ ଟଙ୍କା, ଗୋଟେ ସିଲ ପ୍ୟାକେଟ ତାସ ଏବଂ ଖୋଲା ୫୨ ଖଣ୍ଡ ତାସ, ଏକ ତାରପଲିନ, ଦୁଇଟି ମୋବଇଲ ଫୋନ, ୫ଟି ବାଇକ, ଗୋଟିଏ ସ୍କୁଟି ଏବଂ ଏକ ଅଟୋ ଜବତ ହୋଇଛି।

ଏହି ଚଢଉରେ ଏସ.ଆଇ ରାଜକିଶୋର ବେହେରା, ଏସ.ଆଇ ପ୍ରସନ୍ନ କୁମାର ଜେନା, ଏ.ଏସ.ଆଇ ମହେନ୍ଦ୍ର କୁମାର ସେଠି, ଏ.ଏସ.ଆଇ ବସନ୍ତ କୁମାର ପଟ୍ଟନାୟକ ଏବଂ ଓ.ଏ.ପି.ଫ କର୍ମଚାରୀ ସାମିଲ ହୋଇଥିଲେ।

Related posts