ଚିଲିକା: ସମସ୍ତ ଲକ୍ଷ୍ମୀ ବସରୁ ଶଙ୍ଖ ଷ୍ଟିକର ଗାଏବ, ଯୋଜନାର ଉଦ୍ଦେଶ୍ୟକୁ ନେଇ ଚର୍ଚ୍ଚା

Published: Jun 8, 2024, 7:00 pm IST

ଚିଲିକା (ସୀତାରାମ ଅଗ୍ରୱାଲ): ରାଜ୍ୟରେ ସରକାର ପରିବର୍ତ୍ତନ ହୋଇଛି। ଆସନ୍ତା ୧୦ ତାରିଖରେ ନୁଆ ବିଜେପି ସରକାର ଗଠନ ହେବ। ତେବେ ନୁଆ ସରକାର ଆସିବା ପୁର୍ବରୁ ପୁରୁଣା ବିଜେଡି ସରକାର ଆରମ୍ଭ କରିଥିବା ଲକ୍ଷ୍ମୀ ବସ ଗୁଡ଼ିକରୁ ବର୍ତ୍ତମାନ ଶଙ୍ଖ ମାର୍କା ଷ୍ଟିକର ବିଭିନ୍ନ ସ୍ଥାନରେ ହଟୁଥିବାର ଦେଖିବାକୁ ମିଳିଛି। ପ୍ରଶ୍ନ ଉଠୁଛି, କାରଣ କ’ଣ? ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳିରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି। ବାଣପୁର ବ୍ଲକ ପାଇଁ ନିୟୋଜିତ ହୋଇଥିବା ସମସ୍ତ ଲକ୍ଷ୍ମୀ ବସରୁ ଶଙ୍ଖ ଷ୍ଟିକର ଗାଏବ ହୋଇଯାଇଛି।

ତେବେ ନିର୍ବାଚନ ପୂର୍ବରୁ ବିଜେଡି ସରକାର ଦ୍ୱାରା ଲକ୍ଷ୍ମୀ ବସ ଯୋଜନା ଆରମ୍ଭ କରାଯାଇଥିଲା। ଯାହାର ମୂଳ ଲକ୍ଷ୍ୟ ଥିଲା ଲୋକେ କିପରି କମ୍ ଖର୍ଚ୍ଚରେ ଯାତାୟତ କରିପାରିବେ। ଏବଂ ପ୍ରତ୍ୟେକ ବସରେ ଶଙ୍ଖ ଚିହ୍ନ ଷ୍ଟିକର ଲଗା ଯାଇଥିଲା। ଆଜି କିନ୍ତୁ ତାର ବିପରୀତ ଚିତ୍ର ସାମ୍ନାକୁ ଆସିଛି। ତେବେ ଏହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଦ୍ୱନ୍ଦ ମଧ୍ୟ ଦେଖାଗଲାଣି। କାରଣ ଯେତେବେଳେ ବିଜେଡି ସରକାର ଥିଲା ସେତେବେଳେ ଲକ୍ଷ୍ମୀ ବସ ଚାଲିଥିଲା ଏବଂ ବର୍ତ୍ତମାନ ତାହାର ଷ୍ଟିକର ଲିଭା ଯାଉଛି। ତେବେ ଏହା କେବଳ ନିର୍ବାଚନ ପ୍ରଚାର ଥିଲା ନା କେବଳ ଲୋକଙ୍କୁ ଭୂଆଁ ବୁଲା ଯାଉଥିଲା। ଯଦି ଲୋକଙ୍କ ପାଇଁ ଏହି ଯୋଜନା କାର୍ଯ୍ୟକାରୀ କରାଯାଇଥିଲା ତେବେ ବର୍ତ୍ତମାନ ଷ୍ଟିକର ଉଠାଯାଉଛି କାହିଁକି? ଏ ନେଇ ବସ କର୍ମଚାରୀଙ୍କୁ ପଚାରିବାରୁ ସେ କେବଳ ସ୍ମିତ ହସ ଦେବା ସହ କିଛି କହିନଥିଲେ।

ଗତକାଲି ମଧ୍ୟ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଲଗାଯାଇଥିବା ଲେଜର ଲାଇଟ ସମ୍ପୃକ୍ତ ଠିକା କମ୍ପାନୀ ଖୋଲି ନେଇଥିବାର ଦେଖିବାକୁ ମିଳିଥିଲା। ତେବେ ନୂତନ ସରକାର ଗଠନ ନ ହେଉଣୁ ପୂର୍ବ ସରକାରଙ୍କ ଏପରି ଏକାଧିକ ଯୋଜନାରୁ ବର୍ତ୍ତମାନ ଦଳୀୟ ଚି଼ହ୍ନ ଗାଏବ ହେଉଥିବା ବେଳେ ଆଗକୁ ଏହାର କାର୍ଯ୍ୟକାରୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ତେବେ ଉକ୍ତ ଯୋଜନା କେବଳ ନିର୍ବାଚନରେ ଭୋଟ ପାଇବା ପାଇଁ ଲାଗୁ କରାଯାଇଥିବା ସାଧାରଣରେ ଆଲୋଚନା ହେଉଛି।

Related posts