ବାଲୁଗାଁ: ବାଲୁଗାଁ ଏନଏସି ଅନ୍ତର୍ଗତ ଆଇବି ରୋଡ ଓଭର ବ୍ରିଜ ନିକଟରେ ପାଟଣା ସାହି ଓ କୁଲାକୁଣ୍ଢେଇ ନୂଆଗାଁର କିଛି ଯୁବକଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଉଗ୍ରରୂପ ଧାରଣ କରିଥିବା ବେଳେ ଗୋଟିଏ ଚା ପାନ ଦୋକାନ ଭଙ୍ଗାରୁଜା ହୋଇଥିବା ଜଣାପଡିଛି। ଖବର ମୁତାବକ ବାଲୁଗାଁ ପାଟଣା ସାହିର ସନ୍ତୋଷ ବେହେରା ତଳ ଦିନେ ଉମାମହେଶ୍ୱର ମନ୍ଦିର ଯାଉଥିବା ବେଳେ ପୂଜା କରିବାକୁ ନେଇ କୁଲାକୁଣ୍ଢେଇ ନୂଆଗାଁର କିଛି ଯୁବକଙ୍କ ସହ ଝଗଡା ହୋଇଥିଲା। ସେବେ ଠାରୁ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ତିକ୍ତତା ଲାଗି ରହିଥିଲା।
ତେବେ ସେହି ଘଟଣାକୁ କେନ୍ଦ୍ର କରି ଶୁକ୍ରବାର ସନ୍ଧ୍ୟାରେ ନିଜ ଚା ପାନ ଦୋକାନରେ ସନ୍ତୋଷ ବେପାର କରୁଥିବା ବେଳେ କୁଲାକୁଣ୍ଢେଇ ନୂଆଗାଁର କିଛି ଯୁବକ ଅତର୍କିତ ଆକ୍ରମଣ କରିବା ସହ୍ ଦୋକାନ ଭଙ୍ଗାରୁଜା କରିଥିଲେ। ଖବର ପ୍ରଚାରିତ ହେବା ପରେ ସଂଘବଦ୍ଧ ହୋଇ ପାଟଣା ସାହି ଓ କୁଲାକୁଣ୍ଢେଇ ନୂଆଗାଁ ମଧ୍ୟରେ ହାତାହାତିରୁ ସଙ୍ଘର୍ଷରେ ପରିଣତ ହୋଇଥିଲା।
ଉଭୟ ପକ୍ଷରୁ ଢେଲା, ପଥର ଫୋଫଡା ଫିଙ୍ଗା ସାଙ୍ଗକୁ ଠେଙ୍ଗା ବାଡିରେ ରଣଭୂମି ପାଲଟି ଥିଲା। ଘଟଣା ସ୍ଥଳରେ ପିସିଆର ଓ ପୋଲିସ ସହାୟତା ୧୧୨ ଗାଡି ପହଞ୍ଚି ଗୋଷ୍ଠୀ ସଙ୍ଘର୍ଷକୁ ନିୟନ୍ତ୍ରଣ କରିବାକୁ ପ୍ରୟାସ କରିଥିଲେ। ମାତ୍ର ଘଟଣା କ୍ରମଶଃ ଉଗ୍ରରୂପ ନେବାରେ ଖବରପାଇ ଘଟଣା ସ୍ଥଳରେ ବାଲୁଗାଁ ଥାନାଧିକାରୀ ଜୟ ପ୍ରକାଶ ପରିଡ଼ା ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିବା ବେଳେ ବିଶୃଙ୍ଖଳା ରୋକିବା ପାଇଁ ପୋଲିସ କର୍ମଚାରୀ ମୁତୟନ କରାଯାଇଥିଲା।
ଉକ୍ତ ଘଟଣା ନେଇ ପୁଲିସ ପକ୍ଷରୁ ଉଭୟ ଗୋଷ୍ଠୀଙ୍କ ଉପରେ ତୀକ୍ଷ୍ମ ନଜର ରଖିଛି। ଏନେଇ ଆଜି ପାଟଣା ସାହିର ସନ୍ତୋଷଙ୍କ ଅଭିଯୋଗକ୍ରମେ କେଶ ନ ୩୯୬/୨୫ ରେ କୁଲକୁଣ୍ଢେଇ ନୂଆଗାଁର ସ୍ଵାଧୀନ ଜାଲି, ଆଲୋକ କୁମାର ରାଉତ, ଦୀପକ ପଲେଇ ଏବଂ ଅପରପକ୍ଷ ଦୀପକ ପଲେଇଙ୍କ ଅଭିଯୋଗ କ୍ରମେ ପାଟଣା ସାହିର ସନ୍ତୋଷ ବେହେରା, ସଞ୍ଜୟ ବେହେରା ଲିଙ୍ଗରାଜ ବେହେରାଙ୍କୁ ୩୯୭/୨୫ ରେ ପୃଥକ ଭାବେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ଶ୍ରୀ ପରିଡା କହିଛନ୍ତି।


