ବାଲୁଗାଁ: ପରିବେଶ ସୁରକ୍ଷା, ସ୍ୱଚ୍ଛତା ଏବଂ ସବୁଜିମା ବୃଦ୍ଧିର ଉଦ୍ଦେଶ୍ୟ ନେଇ ଆଜି ବାଲୁଗାଁ ମହାବିଦ୍ୟାଳୟ ପରିସରରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନ୍ସିସି), ଜାତୀୟ ସେବା ଯୋଜନା (ଏନ୍ଏସ୍ଏସ୍), ଯୁବ ରେଡକ୍ରସ୍ ଏବଂ ରୋଭର ଓ ରେଞ୍ଜର୍ସଙ୍କ ମିଳିତ ଆନୁକୂଲ୍ୟରେ ଏକ ବ୍ୟାପକ ସ୍ୱଚ୍ଛତା ଅଭିଯାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଉକ୍ତ କାର୍ଯ୍ୟକ୍ରମ ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଲକ୍ଷ୍ମୀଧର ସୁବୁଦ୍ଧିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଛାତ୍ରଛାତ୍ରୀମାନେ ମହାବିଦ୍ୟାଳୟ ପରିସରର ବିଭିନ୍ନ ସ୍ଥାନ ସଫା କରିବା ସହ ପରିବେଶକୁ ପରିଷ୍କାର ଓ ସୁନ୍ଦର ରଖିବା ପାଇଁ ସଚେତନତା ସୃଷ୍ଟି କରିଥିଲେ। ଏହା ସହିତ ଅଧ୍ୟକ୍ଷ ଡଃ ଲକ୍ଷ୍ମୀଧର ସୁବୁଦ୍ଧି, ପ୍ରଶାସନିକ ଅଧିକାରୀ ଡଃ କୈଳାସ ଚନ୍ଦ୍ର ମହାରଣା, ଅଧ୍ୟାପକ ପ୍ରବୀଣ କୁମାର ଜେନା, ଏନ୍ସିସି ଅଧିକାରୀ ତଥା ଲେଫ୍ଟେନାଣ୍ଟ ଅଧ୍ୟାପକ ଚନ୍ଦନ ନାୟକ, ଜାତୀୟ ସେବା ଯୋଜନା ଅଧିକାରୀ ଅଧ୍ୟାପିକା ରୀନା ରାଉତ, ଯୁବ ରେଡକ୍ରସ୍ ଅଧିକାରୀ ଅଧ୍ୟାପିକା ଡଃ ମନସ୍ୱିନୀ ପଟ୍ଟନାୟକ, ଅଧ୍ୟାପକ ଧୋବିଚରଣ ପରିଡ଼ା, ରେଞ୍ଜର୍ସ ଅଧିକାରୀ ଅଧ୍ୟାପିକା ସ୍ନିଗ୍ଧାରାଣୀ ମୁଦୁଲି ଏବଂ ବହୁ ସଂଖ୍ୟକ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ଜାମୁକୋଳି, ଶାଗୁଆନ୍, ଆକାଶିଆ, ଶିଶୁ, ନିମ୍ବ ଆଦି ୮୦ ରୁ ଉର୍ଦ୍ଧ୍ବ ଦୀର୍ଘକାଳୀନ ଛାୟା ପ୍ରଦାନକାରୀ ବୃକ୍ଷରୋପଣ କରାଯାଇଥିଲା।
ଏହି ବୃକ୍ଷଗୁଡ଼ିକ ଭବିଷ୍ୟତରେ ପରିବେଶ ସନ୍ତୁଳନ ରକ୍ଷା, ତାପମାତ୍ରା ନିୟନ୍ତ୍ରଣ, ଜୈବ ବିବିଧତାର ସୁରକ୍ଷା ଏବଂ ମହାବିଦ୍ୟାଳୟ ପରିସରକୁ ସବୁଜ କରିବାରେ ସହାୟକ ହେବ ବୋଲି ମତ ପ୍ରକାଶ ପାଇଥିଲା।


