Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ସବୁଜ ରେଳ ପରିବହନର ନୂଆ ଅଧ୍ୟାୟ: ଧୂଆଁମୁକ୍ତ ହାଇଡ୍ରୋଜେନ୍ ଶକ୍ତିରେ ଚାଲିବ ନୂଆ ଟ୍ରେନ୍
ଜାତୀୟ ଖବର

ସବୁଜ ରେଳ ପରିବହନର ନୂଆ ଅଧ୍ୟାୟ: ଧୂଆଁମୁକ୍ତ ହାଇଡ୍ରୋଜେନ୍ ଶକ୍ତିରେ ଚାଲିବ ନୂଆ ଟ୍ରେନ୍

July 17, 2026No Comments7 Mins Read
Share Facebook Twitter LinkedIn Email WhatsApp Copy Link
ସବୁଜ ରେଳ ପରିବହନର ନୂଆ ଅଧ୍ୟାୟ: ଧୂଆଁମୁକ୍ତ ହାଇଡ୍ରୋଜେନ୍ ଶକ୍ତିରେ ଚାଲିବ ନୂଆ ଟ୍ରେନ୍
ସବୁଜ ରେଳ ପରିବହନର ନୂଆ ଅଧ୍ୟାୟ: ଧୂଆଁମୁକ୍ତ ହାଇଡ୍ରୋଜେନ୍ ଶକ୍ତିରେ ଚାଲିବ ନୂଆ ଟ୍ରେନ୍

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ଦେଶର ପ୍ରଥମ ହାଇଡ୍ରୋଜେନ୍ ଫୁଏଲ୍ ସେଲ୍ ଟ୍ରେନର ଶୁଭାରମ୍ଭ କରିବାକୁ ଯାଉଛି। ଏହି ଟ୍ରେନ୍ ସବୁଠାରୁ ସ୍ୱଚ୍ଛ ଜାଳେଣି ଭାବେ ଜଣାଶୁଣା ହାଇଡ୍ରୋଜେନ୍ (ଉଦ୍‌ଯାନ) ବ୍ୟବହାର କରି ନିଜ ଭିତରେ ହିଁ ବିଦ୍ୟୁତ୍ ଶକ୍ତି ଉତ୍ପନ୍ନ କରିଥାଏ। ବ୍ୟବହାର ସମୟରେ ଏହା ପ୍ରାୟ ଶୂନ୍ୟ ପ୍ରଦୂଷଣ ବା ନିର୍ଗମନ କରିଥାଏ। ଏହି ମାଇଲଖୁଣ୍ଟ ଭାରତୀୟ ରେଳବାଇ କିଭଳି ଭାବେ ନିଜ ଟ୍ରେନ୍‌ଗୁଡ଼ିକୁ ଶକ୍ତି ପ୍ରଦାନ କରି ଆସିଛି, ତାର ବିବର୍ତ୍ତନରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛି; ଯାହା କୋଇଲା ଓ ବାଷ୍ପରୁ ଅଧିକ ସ୍ୱଚ୍ଛ ଏବଂ ସ୍ଥାୟୀ ଶକ୍ତି ଉତ୍ସ ଆଡ଼କୁ ଭାରତର ଯାତ୍ରାକୁ ପ୍ରତିଫଳିତ କରୁଛି।

ବିଗତ ୧୨ ବର୍ଷ ମଧ୍ୟରେ, ଦ୍ରୁତ ବୈଦ୍ୟୁତିକରଣ ଆମଦାନୀ ହେଉଥିବା ଡିଜେଲ ଉପରେ ନିର୍ଭରଶୀଳତାକୁ ଯଥେଷ୍ଟ ହ୍ରାସ କରିଛି, ଯାହା ସ୍ୱଚ୍ଛ ରେଳ ଚଳାଚଳ କ୍ଷେତ୍ରରେ ପରବର୍ତ୍ତୀ ବଡ଼ ପଦକ୍ଷେପ ପାଇଁ ବାଟ ଫିଟାଇଛି। ଆଜି, ୯୯% ରୁ ଅଧିକ ବ୍ରଡ୍ ଗଜ୍ ରୁଟ୍ ବୈଦ୍ୟୁତିକରଣ ହୋଇସାରିଥିବା ବେଳେ, ଭାରତୀୟ ରେଳବାଇ ଏହି ଯାତ୍ରାକୁ ଆଉ ଗୋଟିଏ ପାଦ ଆଗକୁ ନେଉଛି। ଓଭରହେଡ୍ ଲାଇନରୁ ବିଦ୍ୟୁତ୍ ଗ୍ରହଣ କରୁଥିବା ପାରମ୍ପରିକ ଇଲେକ୍ଟ୍ରିକ୍ ଟ୍ରେନ୍ ଗୁଡ଼ିକ ତୁଳନାରେ, ହାଇଡ୍ରୋଜେନ୍ ଫ୍ୟୁଏଲ୍ ସେଲ୍ ଟ୍ରେନସେଟ୍ ଉଦଯାନ ଏବଂ ଅମ୍ଳଜାନ ମଧ୍ୟରେ ଏକ ରାସାୟନିକ ପ୍ରତିକ୍ରିୟା କରି ନିଜ ଭିତରେ ହିଁ ବିଦ୍ୟୁତ୍ ଉତ୍ପନ୍ନ କରିଥାଏ, ଯେଉଁଥିରେ କେବଳ ଜଳୀୟ ବାଷ୍ପ ହିଁ ଏହାର ଏକମାତ୍ର ଉପଜାତ ଦ୍ରବ୍ୟ ଭାବେ ନିର୍ଗତ ହୋଇଥାଏ।

ଏକ ପ୍ରକାରେ ଦେଖିବାକୁ ଗଲେ, ପୂର୍ବରୁ କୋଇଲା ଏବଂ ଡିଜେଲ ଇଞ୍ଜିନ ଭଳି ଏହି ଟ୍ରେନ୍ ମଧ୍ୟ ନିଜର ଶକ୍ତି ଉତ୍ସକୁ ନିଜ ସହିତ ବହନ କରିଥାଏ। କିନ୍ତୁ କୋଇଲା କିମ୍ବା ଡିଜେଲ ଭଳି ପାରମ୍ପରିକ ଜାଳେଣି ଜାଳିବା ପରିବର୍ତ୍ତେ, ହାଇଡ୍ରୋଜେନ୍ ବାୟୁମଣ୍ଡଳରୁ ଅମ୍ଳଜାନ ଗ୍ରହଣ କରି ରାସାୟନିକ ପ୍ରତିକ୍ରିୟା ମାଧ୍ୟମରେ ଟ୍ରେନ୍ ଭିତରେ ହିଁ ବିଦ୍ୟୁତ୍ ଶକ୍ତି ଉତ୍ପନ୍ନ କରିଥାଏ; ଯାହା ଦ୍ୱାରା ଦହନ ପ୍ରକ୍ରିୟାର ଆବଶ୍ୟକତା ପଡ଼େନାହିଁ ଏବଂ କୌଣସି ବାହ୍ୟ ଶକ୍ତି ଯୋଗାଣ ଉପରେ ନିର୍ଭର କରିବାକୁ ପଡ଼ିନଥାଏ। ସ୍ୱଚ୍ଛ ହାଇଡ୍ରୋଜେନ୍ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ଟ୍ରେନ୍ ଭିତରେ ହିଁ ବିଦ୍ୟୁତ୍ ଉତ୍ପନ୍ନ ହେଉଥିବାରୁ, ଏହି ଟ୍ରେନ୍ ରେଳ ଚଳାଚଳ କ୍ଷେତ୍ରରେ ସବୁଠାରୁ ପରିବେଶ ଅନୁକୂଳ ମାଧ୍ୟମରେ ପରିଣତ ହୋଇଛି ଏବଂ ସ୍ଥାୟୀ ଯାତାୟାତର ଭବିଷ୍ୟତକୁ ଶକ୍ତି ପ୍ରଦାନ କରୁଛି। ଏହି ଉନ୍ନତ ଚାଳନ ପ୍ରଣାଳୀକୁ ଅଧିକ ସୁଦୃଢ଼ କରିବା ପାଇଁ, ଭାରତ ଏହି ଟ୍ରେନ୍‌ରେ ବହୁ-ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଖଞ୍ଜିଛି, ଯାହା ହାଇଡ୍ରୋଜେନ୍ ଲିକ୍, ଉତ୍ତାପ, ନିଆଁ ଏବଂ ଧୂଆଁକୁ ସହଜରେ ଚିହ୍ନଟ କରିପାରିବ। ଜିନ୍ଦ-ସୋନିପଥ ରେଳ ସେକ୍ସନରେ ଏହି ଟ୍ରେନ୍‌ର ଚାଳନା ଗତି ଘଣ୍ଟା ପ୍ରତି ୭୫ କିଲୋମିଟର ଏବଂ ଏହାର ଡିଜାଇନ୍ ଗତି  ଘଣ୍ଟା ପ୍ରତି ୧୧୦ କିଲୋମିଟର ରହିଛି। ତେଣୁ ଏହି ୮୯ କିଲୋମିଟର ଦୀର୍ଘ ରୁଟ୍‌ରେ ଟ୍ରେନ୍‌ଟି କେବଳ ଅଧିକ ସୁରକ୍ଷିତ ନୁହେଁ, ବରଂ ଅଧିକ ଦ୍ରୁତଗାମୀ ମଧ୍ୟ ହେବ।

ବର୍ତ୍ତମାନ ସାରା ବିଶ୍ୱରେ ଚାଲୁଥିବା ଅଧିକାଂଶ ହାଇଡ୍ରୋଜେନ୍ ଯାତ୍ରୀବାହୀ ଟ୍ରେନ୍‌ଗୁଡ଼ିକରେ ମାତ୍ର ଦୁଇ କିମ୍ବା ତିନୋଟି ବଗି ଥାଏ ଏବଂ ସେଗୁଡ଼ିକୁ ମୁଖ୍ୟତଃ କମ୍ ଦୂରତା ବିଶିଷ୍ଟ ଆଞ୍ଚଳିକ ରୁଟ୍‌ଗୁଡ଼ିକରେ ଚଳାଚଳ କରିଥାଏ। ଏହାର ବିପରୀତ, ଭାରତୀୟ ରେଳବାଇର ଏହି ଟ୍ରେନସେଟ୍‌କୁ ପ୍ରାୟ ୨,୬୦୦ ଯାତ୍ରୀ କ୍ଷମତା ବିଶିଷ୍ଟ ଏକ ୧୦-ବଗି ବିଶିଷ୍ଟ ଯାତ୍ରୀବାହୀ ଟ୍ରେନ୍ ଭାବରେ ପ୍ରସ୍ତୁତ କରାଯାଇଛି। ଏହା ଅଧିକ ଯାତ୍ରୀ ପରିବହନ କ୍ଷେତ୍ରରେ ହାଇଡ୍ରୋଜେନ୍-ଚାଳିତ ରେଳ ପରିବହନର ବ୍ୟାପକତା ଏବଂ କ୍ଷମତାକୁ ପ୍ରମାଣିତ କରୁଛି।

କିନ୍ତୁ ସମସ୍ତେ ଜାଣନ୍ତି ଯେ ହାଇଡ୍ରୋଜେନ୍ ଅତ୍ୟନ୍ତ ଦହନଶୀଳ ଏବଂ ଏହା ସ୍ୱାଭାବିକ ଭାବରେ ସମସ୍ତଙ୍କ ମନରେ ଏକ ପ୍ରଶ୍ନ ସୃଷ୍ଟି କରେ: ଏତେ ସହଜରେ ନିଆଁ ଧରିପାରୁଥିବା ଏକ ଗ୍ୟାସ୍‌ରେ ଚାଲୁଥିବା ଟ୍ରେନ୍‌ରେ ହଜାର ହଜାର ଯାତ୍ରୀଙ୍କୁ ବସାଇବା କଣ ସୁରକ୍ଷିତ? ଏହି ଟ୍ରେନ୍ କିଭଳି କାମ କରେ ଏବଂ ଏହାକୁ ସୁରକ୍ଷିତ କରିବା ପାଇଁ ଭାରତୀୟ ରେଳବାଇ କଣ ସବୁ ପଦକ୍ଷେପ ନେଇଛି, ତାହାର ଏକ ସରଳ ବ୍ୟାଖ୍ୟା ଏଠାରେ ଦିଆଗଲା।

କିପରି କାମ କରେ ହାଇଡ୍ରୋଜେନ ଟ୍ରେନ ?

ଯାନ୍ତ୍ରିକ ଶକ୍ତି ଉତ୍ପନ୍ନ କରିବା ପାଇଁ ଜାଳେଣି ବ୍ୟବହାର କରୁଥିବା ପାରମ୍ପରିକ ଡିଜେଲ ଇଞ୍ଜିନ ଗୁଡ଼ିକ ତୁଳନାରେ, ଏକ ହାଇଡ୍ରୋଜେନ୍ ଟ୍ରେନ୍ ନିଜ ଭିତରେ ପ୍ରୋଟନ୍ ଏକ୍ସଚେଞ୍ଜ ମେମ୍ବ୍ରେନ୍ ଫ୍ୟୁଏଲ୍ ସେଲ୍ ନାମକ ଏକ ଛୋଟ ପାୱାର ପ୍ଲାଣ୍ଟ ବହନ କରିଥାଏ। ଟ୍ରେନ୍‌ର ସିଲିଣ୍ଡରଗୁଡ଼ିକରେ ଗଚ୍ଛିତ ଥିବା ହାଇଡ୍ରୋଜେନ୍, ଫ୍ୟୁଏଲ୍ ସେଲ୍ ଭିତରେ ଚାରିପାଖର ବାୟୁରୁ ମିଳୁଥିବା ଅମ୍ଳଜାନ ସହ ମିଶିଥାଏ; ଯାହାଦ୍ୱାରା ବିଦ୍ୟୁତ୍ ଶକ୍ତି ଉତ୍ପନ୍ନ ହୁଏ ଏବଂ ଏହା ଟ୍ରାକ୍ସନ୍ ମୋଟର ଗୁଡ଼ିକୁ ଶକ୍ତି ପ୍ରଦାନ କରି ଚକଗୁଡ଼ିକୁ ବୁଲାଇବାରେ ସାହାଯ୍ୟ କରିଥାଏ। ଏହି ବିଦ୍ୟୁତ୍-ରାସାୟନିକ ପ୍ରତିକ୍ରିୟାର ଏକମାତ୍ର ପ୍ରତ୍ୟକ୍ଷ ଉପଜାତ ଦ୍ରବ୍ୟ ହେଉଛି ଜଳୀୟ ବାଷ୍ପ ଏବଂ ଉତ୍ତାପ। ଏଥିରେ କୌଣସି ଦହନ ପ୍ରକ୍ରିୟା ହୁଏନାହିଁ, ଧୂଆଁ ବାହାରେ ନାହିଁ କିମ୍ବା କୌଣସି ସିଧାସଳଖ କାର୍ବନ ନିର୍ଗମନ ମଧ୍ୟ ହୁଏନାହିଁ।

ଜିନ୍ଦ ସ୍ଥିତ ହାଇଡ୍ରୋଜେନ ରିଫୁଏଲିଂ କେନ୍ଦ୍ର

ଯେପରି ଏକ ପେଟ୍ରୋଲ ପମ୍ପ କିମ୍ବା ସିଏନଜି  ଷ୍ଟେସନ ରହିଥାଏ, ସେହିପରି ଏହି ଟ୍ରେନ୍‌କୁ ମଧ୍ୟ ଜାଳେଣି ଭରିବା ପାଇଁ ଏକ ସ୍ଥାନର ଆବଶ୍ୟକତା ରହିଛି। ଏହି ଉଦ୍ଦେଶ୍ୟରେ ଭାରତୀୟ ରେଳବାଇ ହରିୟାଣାର ଜିନ୍ଦଠାରେ ଭାରତର ସବୁଠାରୁ ବଡ଼ ରେଳ ହାଇଡ୍ରୋଜେନ୍ ରିଫ୍ୟୁଏଲିଂ କେନ୍ଦ୍ର ପ୍ରତିଷ୍ଠା କରିଛି। ଏହି କେନ୍ଦ୍ରରେ ଏକାଥରକେ ପ୍ରାୟ ୩,୦୦୦ କିଲୋଗ୍ରାମ ହାଇଡ୍ରୋଜେନ୍ ଗଚ୍ଛିତ କରି ରଖାଯାଇପାରିବ, ଯାହା ଏହି ଟ୍ରେନସେଟ୍‌ର ନିୟମିତ ଚଳାଚଳ ପାଇଁ ଯଥେଷ୍ଟ। ଏହାର ସଂରକ୍ଷଣ ଏବଂ ଯୋଗାଣ ପ୍ରଣାଳୀକୁ ପେଟ୍ରୋଲିୟମ ଆଣ୍ଡ ଏକ୍ସପ୍ଲୋସିଭ୍ସ ସେଫ୍ଟି ଅର୍ଗାନାଇଜେସନ (PESO) ଦ୍ୱାରା ଅନୁମୋଦନ ପ୍ରଦାନ କରାଯାଇଛି।

ସ୍ବଦେଶୀ କ୍ଷମତା ନିର୍ମାଣ

ଭାରତରେ ଡିଜାଇନ୍, ପ୍ରସ୍ତୁତ ଏବଂ ସଂଯୋଜିତ (integrated) ହୋଇଥିବା ଏହି ଟ୍ରେନ୍ ସ୍ୱଦେଶୀ ଜ୍ଞାନକୌଶଳ ବ୍ୟବହାର କରି ବିକଶିତ କରାଯାଇଛି, ଯାହା ଅତ୍ୟାଧୁନିକ ରେଳ ଇଞ୍ଜିନିୟରିଂ କ୍ଷେତ୍ରରେ ଦେଶର ବଢ଼ୁଥିବା ଦକ୍ଷତାକୁ ପ୍ରତିଫଳିତ କରୁଛି।

ଭାରତୀୟ ରେଳବାଇର ନେତୃତ୍ୱରେ ଭାରତର ପ୍ରଥମ ହାଇଡ୍ରୋଜେନ୍ ଫ୍ୟୁଏଲ୍ ସେଲ୍ ଚାଳିତ ଟ୍ରେନସେଟ୍ ବିକଶିତ କରାଯାଇଛି, ଯେଉଁଥିରେ ରିସର୍ଚ୍ଚ ଡିଜାଇନ୍ସ ଆଣ୍ଡ ଷ୍ଟାଣ୍ଡାର୍ଡସ ଅର୍ଗାନାଇଜେସନ (RDSO) ଏହାର ବୈଷୟିକ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିବା ସହ ଡିଜାଇନ୍ ଅନୁମୋଦନ ପ୍ରକ୍ରିୟାର ନେତୃତ୍ୱ ନେଇଛି। ଏହି ଟ୍ରେନସେଟ୍‌ର ସଂଯୋଜନ କାର୍ଯ୍ୟ ମେସର୍ସ ମେଧା ସର୍ଭୋ ଡ୍ରାଇଭ୍ସ ଦ୍ୱାରା କରାଯାଇଥିବା ବେଳେ, ଇଣ୍ଟିଗ୍ରାଲ୍ କୋଚ୍ ଫ୍ୟାକ୍ଟ୍ରି (ICF) ଏହି ଟ୍ରେନ୍‌ର ଥିମ୍ ଏବଂ ବାହ୍ୟ ସ୍ଥାପତ୍ୟର ନକ୍ସା ପ୍ରସ୍ତୁତ କରିବାରେ ସହଯୋଗ କରିଛି।

ଏହା ସହ ଭାରତୀୟ ରେଳବାଇ ଜିନ୍ଦଠାରେ ଏକ ସମ୍ପୂର୍ଣ୍ଣ ହାଇଡ୍ରୋଜେନ୍ ବ୍ୟବସ୍ଥା ପ୍ରତିଷ୍ଠା କରିଛି। ଏଥିରେ ଟ୍ରେନ୍ ଚଳାଚଳକୁ ସହାୟତା କରିବା ପାଇଁ ଇଲେକ୍ଟ୍ରୋଲାଇସିସ୍ ମାଧ୍ୟମରେ ହାଇଡ୍ରୋଜେନ୍ ଉତ୍ପାଦନ, ସଂରକ୍ଷଣ, କଂପ୍ରେସନ ଏବଂ ବିତରଣ ଭିତ୍ତିଭୂମି ସାମିଲ ରହିଛି।

ହାଇଡ୍ରୋଜେନ୍ କଣ, ଏହାକୁ ନେଇ କି କି ଚିନ୍ତା ରହିଛି?

ସରଳ ଭାଷାରେ କହିଲେ, ହାଇଡ୍ରୋଜେନ୍ (ଉଦଯାନ) ହେଉଛି ରଙ୍ଗହୀନ, ତେଣୁ ଆପଣ ଏହାକୁ ଦେଖିପାରିବେ ନାହିଁ; ଏବଂ ଗନ୍ଧହୀନ, ତେଣୁ ଆପଣ ଏହାର ଆଘ୍ରାଣ ମଧ୍ୟ କରିପାରିବେ ନାହିଁ। ଏହା ସ୍ୱାଦହୀନ ମଧ୍ୟ ଅଟେ। ଏହା ଏକ ଅଣ-ବିଷାକ୍ତ ଗ୍ୟାସ୍, ଅର୍ଥାତ୍ ଏହାର ଆଖପାଖରେ ରହିଲେ ମଧ୍ୟ ଏହା ଆପଣଙ୍କୁ ବିଷାକ୍ତ କରିବ ନାହିଁ।

ତେବେ ଯେଉଁ ଦିଗଟି ଲୋକଙ୍କୁ ଚିନ୍ତାରେ ପକାଇଥାଏ, ତାହା ହେଉଛି ଏହା ଅତ୍ୟନ୍ତ ଦହନଶୀଳ ଏବଂ ଏହାର ବ୍ୟବହାର ସମୟରେ ଅତିରିକ୍ତ ସତର୍କତା ଅବଲମ୍ବନ କରିବା ଜରୁରୀ। ଯେହେତୁ ହାଇଡ୍ରୋଜେନ୍‌କୁ ଦେଖାଯାଇପାରେ ନାହିଁ କିମ୍ବା ଏହାର ଗନ୍ଧ ବାରି ହୁଏନାହିଁ, ସେଥିପାଇଁ ଏହି ପ୍ରକଳ୍ପର ସମ୍ପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥାକୁ ଏପରି ଭାବେ ପ୍ରସ୍ତୁତ କରାଯାଇଛି ଯେପରି ଅତି ସାମାନ୍ୟ ଲିକ୍‌କୁ ମଧ୍ୟ ତତକ୍ଷଣାତ୍ ଚିହ୍ନଟ କରାଯାଇପାରିବ ଏବଂ ଏହାକୁ କଦାପି କୌଣସି ବିପଦରେ ରୂପାନ୍ତରିତ ହେବାକୁ ଦିଆଯିବ ନାହିଁ।

ସୁରକ୍ଷା କିଭଳି ନିଶ୍ଚିତ କରାଯାଏ?

ଏହି ପ୍ରକଳ୍ପର ପ୍ରତ୍ୟେକ ସ୍ତରରେ ସୁରକ୍ଷା ବ୍ୟବସ୍ଥାକୁ ଅନ୍ତର୍ଭୁକ୍ତ କରାଯାଇଛି। ଟ୍ରେନ୍‌ର ନକ୍ସା (ଡିଜାଇନ୍) ଏବଂ ହାଇଡ୍ରୋଜେନ୍ ଷ୍ଟୋରେଜ୍ ସିଲିଣ୍ଡରଠାରୁ ଆରମ୍ଭ କରି ଜାଳେଣି ଭରିବା ଭିତ୍ତିଭୂମି, ମନିଟରିଂ ସଫ୍ଟୱେର୍ ଏବଂ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ବ୍ୟବସ୍ଥା ପର୍ଯ୍ୟନ୍ତ ସବୁଥିରେ ସୁରକ୍ଷାକୁ ପ୍ରାଧାନ୍ୟ ଦିଆଯାଇଛି। କୌଣସି ଗୋଟିଏ ସୁରକ୍ଷାମୂଳକ ପଦକ୍ଷେପ ଉପରେ ନିର୍ଭର କରିବା ପରିବର୍ତ୍ତେ, ଭାରତୀୟ ରେଳବାଇ ଅନ୍ତର୍ଜାତୀୟ ସ୍ତରରେ ଗ୍ରହଣୀୟ ‘ଡିଫେନ୍ସ ଇନ୍ ଡେପ୍‌ଥ’ (defence in depth – ବହୁ-ସ୍ତରୀୟ ସୁରକ୍ଷା) ନୀତି ଆପଣାଇଛି; ଯେଉଁଠାରେ ହାଇଡ୍ରୋଜେନ୍ ସଂରକ୍ଷଣ, ସ୍ଥାନାନ୍ତର ଏବଂ ବ୍ୟବହାରର ପ୍ରତ୍ୟେକ ପର୍ଯ୍ୟାୟକୁ ଏକାଧିକ ସ୍ୱାଧୀନ ସୁରକ୍ଷା ପ୍ରଣାଳୀ କ୍ରମାଗତ ଭାବରେ ନିରୀକ୍ଷଣ, ଯାଞ୍ଚ ଏବଂ ସୁରକ୍ଷିତ ରଖିଥାଏ।

ଏହି ଚିହ୍ନଟ ପ୍ରକ୍ରିୟା ସବୁ ସ୍ଥାନରେ କାର୍ଯ୍ୟ କରେ। ଟ୍ରେନ୍ ଏବଂ ପ୍ଲାଣ୍ଟରେ ଏପରି ଉପକରଣସବୁ ଖଞ୍ଜା ଯାଇଛି, ଯାହା ହାଇଡ୍ରୋଜେନ୍ ଲିକ୍, ଅସ୍ୱାଭାବିକ ଉତ୍ତାପ, ନିଆଁ କିମ୍ବା ଧୂଆଁ ଉପରେ କ୍ରମାଗତ ଭାବେ ନଜର ରଖିଥାଏ; ଫଳରେ ଯେକୌଣସି ସମସ୍ୟାକୁ ମାତ୍ର କେଇ ସେକେଣ୍ଡ ଭିତରେ ଧରିହୁଏ। ଏହା ବ୍ୟତୀତ, ନନ-ଷ୍ଟପ୍ ଭେଣ୍ଟିଲେସନ୍ (ଅବିରତ ବାୟୁ ଚଳାଚଳ) ବ୍ୟବସ୍ଥା ଟ୍ରେନ୍ ଭିତରେ ସର୍ବଦା ପବନକୁ ଗତିଶୀଳ କରି ରଖିଥାଏ। ଏହାଦ୍ୱାରା ଯଦି କେବେ ଅତି ସାମାନ୍ୟ ପରିମାଣର ହାଇଡ୍ରୋଜେନ୍ ମଧ୍ୟ ଲିକ୍ ହୁଏ, ତେବେ ତାହା କେଉଁଠି ଜମା ନହୋଇ ସୁରକ୍ଷିତ ଭାବେ ବାହାରକୁ ଚାଲିଯାଏ ଏବଂ ଖୋଲା ପବନରେ ମିଶିଯାଏ।

ଏଥିସହିତ ଏକ ସ୍ୱୟଂଚାଳିତ ବନ୍ଦ ହେବା ବ୍ୟବସ୍ଥା ମଧ୍ୟ ରହିଛି। ଯଦି କୌଣସି ଅସ୍ୱାଭାବିକତା ଚିହ୍ନଟ ହୁଏ, ତେବେ ଏହି ବ୍ୟବସ୍ଥା କୌଣସି ବ୍ୟକ୍ତିଙ୍କ ପଦକ୍ଷେପକୁ ଅପେକ୍ଷା ନକରି ସ୍ୱୟଂଚାଳିତ ଭାବରେ ହାଇଡ୍ରୋଜେନ୍ ଯୋଗାଣକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇପାରେ। ଏହାଛଡ଼ା, ଲୋକୋ ପାଇଲଟ୍ (ଟ୍ରେନ୍ ଚାଳକ) ମାନଙ୍କ ସୁରକ୍ଷା ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦିଆଯାଇଛି।

କେବଳ ଭାରତୀୟ ରେଳବାଇ ଦ୍ୱାରା ନୁହେଁ, ବରଂ ଅନ୍ୟମାନଙ୍କ ଦ୍ୱାରା ମଧ୍ୟ ଯାଞ୍ଚ ଏବଂ ଅନୁମୋଦିତ

ଏହି ହାଇଡ୍ରୋଜେନ୍ ବ୍ୟବସ୍ଥାକୁ ଏନଏଫପିଏ-୨ ଏବଂ ଆଇଏସଓ ୧୯୮୮୦ ସିରିଜ୍ ସମେତ ଆନ୍ତର୍ଜାତୀୟ ସ୍ତରରେ ଗ୍ରହଣୀୟ ମାନଦଣ୍ଡ ଅନୁଯାୟୀ ପ୍ରସ୍ତୁତ କରାଯାଇଛି। ଏହା ସହିତ ପେଟ୍ରୋଲିୟମ ଆଣ୍ଡ ଏକ୍ସପ୍ଲୋସିଭ୍ସ ସେଫ୍ଟି ଅର୍ଗାନାଇଜେସନ (ପେସୋ) ର ଆଇନଗତ ଆବଶ୍ୟକତାଗୁଡ଼ିକୁ ମଧ୍ୟ ଏହା ସମ୍ପୂର୍ଣ୍ଣ ରୂପେ ପାଳନ କରୁଛି।

ପ୍ରାକ୍‌ ପରୀକ୍ଷଣ

ଏହି ଟ୍ରେନ୍‌କୁ ଚଳାଚଳ ପାଇଁ ଅନୁମତି ମିଳିବା ପୂର୍ବରୁ, ସବୁ କିଛି ନିର୍ଦ୍ଧାରିତ ଯୋଜନା ଅନୁଯାୟୀ କାମ କରୁଛି କି ନାହିଁ ତାହା ନିଶ୍ଚିତ କରିବାକୁ ଏହାକୁ ଅନେକ କଠିନ ପରୀକ୍ଷଣ ଦେଇ ଗତି କରିବାକୁ ପଡ଼ିଥିଲା। ‘ଲୋଡ୍ ବକ୍ସ ଟେଷ୍ଟିଂ’ ମାଧ୍ୟମରେ ଯାଞ୍ଚ କରାଯାଇଥିଲା ଯେ ପ୍ରକୃତ ଭାର ବା ଓଜନ ରହିବା ସମୟରେ ଏହାର ବୈଦ୍ୟୁତିକ ଏବଂ ଶକ୍ତି ପ୍ରଣାଳୀ ସଠିକ୍ ଭାବରେ କାର୍ଯ୍ୟ କରୁଛି କି ନାହିଁ। ‘ରେଡିଓ ଫ୍ରିକୁଏନ୍ସି ଟ୍ରାଏଲ୍ସ’ ନିଶ୍ଚିତ କରିଥିଲା ଯେ ଟ୍ରେନ୍‌ର ଇଲେକ୍ଟ୍ରୋନିକ୍ସ ବ୍ୟବସ୍ଥା ଯୋଗୁଁ ଅନ୍ୟ କୌଣସି ସିଗ୍‌ନାଲିଂ ଏବଂ ଯୋଗାଯୋଗ ବ୍ୟବସ୍ଥାରେ କୌଣସି ବାଧା ସୃଷ୍ଟି ହେଉନାହିଁ। ‘ଅସିଲେସନ୍ ଟ୍ରାଏଲ୍ସ’ ଦ୍ୱାରା ଯାଞ୍ଚ କରାଯାଇଥିଲା ଯେ ଟ୍ରେନ୍‌ଟି ଦ୍ରୁତ ଗତିରେ ଚାଲିବା ସମୟରେ ଅଧିକ ହଲଚଲ ନ ହୋଇ କେତେ ସହଜ ଏବଂ ସ୍ଥିର ଭାବରେ ଚାଲିପାରୁଛି। ‘ଇମରଜେନ୍ସି ବ୍ରେକ୍ ଡିଷ୍ଟାନ୍ସ ଟ୍ରାଏଲ୍ସ’ ସ୍ପଷ୍ଟ କରିଥିଲା ଯେ ଜରୁରୀକାଳୀନ ପରିସ୍ଥିତିରେ ଟ୍ରେନ୍‌ଟି କେତେ ଶୀଘ୍ର ଏବଂ ସୁରକ୍ଷିତ ଭାବରେ ଅଟକି ପାରିବ। ଏହି ସମସ୍ତ ପରୀକ୍ଷଣ ସଫଳତାର ସହ ଶେଷ ହେବା ସଙ୍ଗେ ସଙ୍ଗେ ଆଇନଗତ ଯାଞ୍ଚ ଏବଂ ସ୍ୱାଧୀନ ସୁରକ୍ଷା ମୂଲ୍ୟାଙ୍କନ ପରେ ହିଁ ଏହି ପ୍ରକଳ୍ପକୁ କାର୍ଯ୍ୟକ୍ଷମ ଚଳାଚଳ ପାଇଁ ପ୍ରସ୍ତୁତ ବୋଲି ବିବେଚନା କରାଯାଇଥିଲା।

ବିଶ୍ବର ଅଗ୍ରଣୀ ଦେଶମାନଙ୍କ ମଧ୍ୟରେ ଭାରତ

ବିଶ୍ୱସ୍ତରରେ ହାଇଡ୍ରୋଜେନ୍-ଚାଳିତ ଟ୍ରେନ୍ ବ୍ୟବସ୍ଥା ଏବେ ମଧ୍ୟ ପ୍ରାଥମିକ ପର୍ଯ୍ୟାୟରେ ରହିଛି। ବ୍ୟବସାୟିକ ଭାବେ ହାଇଡ୍ରୋଜେନ୍ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ଆରମ୍ଭ କରିବାରେ ଜର୍ମାନୀ ବିଶ୍ୱର ପ୍ରଥମ ଦେଶ ପାଲଟିଥିବା ବେଳେ ଫ୍ରାନ୍ସ, ଇଟାଲୀ, ଚୀନ୍, ଜାପାନ ଏବଂ ଅନ୍ୟ କେତେକ ଦେଶ ଏହି କ୍ଷେତ୍ରରେ ପାଇଲଟ୍ ପ୍ରକଳ୍ପ କିମ୍ବା ସୀମିତ ଚଳାଚଳ ଉପରେ କାର୍ଯ୍ୟ କରୁଛନ୍ତି। ତେବେ ଏହି ଟ୍ରେନ୍‌ଗୁଡ଼ିକରେ ସାଧାରଣତଃ ଦୁଇରୁ ଚାରୋଟି ବଗି ଥାଏ ଏବଂ ଏଗୁଡ଼ିକୁ ମୁଖ୍ୟତଃ ସ୍ଥାନୀୟ ଯାତ୍ରୀ ସେବା ପାଇଁ ବ୍ୟବହାର କରାଯାଏ। ଏହି ସମୟରେ ଭାରତର ହାଇଡ୍ରୋଜେନ୍ ଫ୍ୟୁଏଲ୍ ସେଲ୍ ଟ୍ରେନସେଟ୍ ଏହାର ଆକାର ଏବଂ ମହତ୍ତ୍ୱାକାଂକ୍ଷା ଉଭୟ ଦୃଷ୍ଟିରୁ ଏକ ବଡ଼ ସଫଳତାକୁ ଦର୍ଶାଉଛି।

ହାଇଡ୍ରୋଜେନ୍ ଟ୍ରେନ୍‌ର ଭବିଷ୍ୟତ

ଜିନ୍ଦ-ସୋନିପଥ ହାଇଡ୍ରୋଜେନ୍ ଟ୍ରେନ୍ ପ୍ରକଳ୍ପରୁ ମିଳିଥିବା ଅଭିଜ୍ଞତାକୁ ଆଧାର କରି ଭାରତୀୟ ରେଳବାଇ କାଲକା-ଶିମଲା ରୁଟ୍ ସମେତ ବିଭିନ୍ନ ଐତିହ୍ୟ ରେଳପଥଗୁଡ଼ିକରେ ମଧ୍ୟ ହାଇଡ୍ରୋଜେନ୍ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ ନେଇ ବିଚାର କରୁଛି।

ଏହି ସମସ୍ତ ପଦକ୍ଷେପ ଭାରତୀୟ ରେଳବାଇର ଏକ ପ୍ରାଥମିକ ପାଇଲଟ୍ ପ୍ରକଳ୍ପରୁ ହାଇଡ୍ରୋଜେନ୍-ଚାଳିତ ରେଳଗାଡ଼ି ପାଇଁ ଏକ ସୁସଂଗଠିତ ଜାତୀୟ କାର୍ଯ୍ୟକ୍ରମ ଆଡ଼କୁ ଅଗ୍ରସର ହେବାର ସଙ୍କେତ ଦେଉଛି। ଏହା ଜାତୀୟ ଗ୍ରୀନ୍ ହାଇଡ୍ରୋଜେନ୍ ମିଶନ  ଏବଂ ଦେଶର ଦୀର୍ଘକାଳୀନ ନେଟ୍ ଜିରୋ ଲକ୍ଷ୍ୟ ହାସଲ କରିବାରେ ସହାୟକ ହେବା ସହ ସ୍ଥାୟୀ ଯାତାୟାତ କ୍ଷେତ୍ରରେ ଭାରତର ନେତୃତ୍ୱକୁ ଅଧିକ ମଜଭୁତ କରୁଛି।

ଧୂଆଁମୁକ୍ତ ନୂଆ ଅଧ୍ୟାୟ ଭାରତୀୟ ରେଳବାଇ ରେଳ ମନ୍ତ୍ରଣାଳୟ ସବୁଜ ରେଳ ପରିବହନ ହାଇଡ୍ରୋଜେନ୍ ଫୁଏଲ୍ ସେଲ୍ ଟ୍ରେନ୍
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟର ୭ଟି ଷ୍ଟେସନ ସମେତ ଦେଶର ୭୫ ଅମୃତ ଭାରତ ଷ୍ଟେସନର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

July 17, 2026

ତୃତୀୟ ଦିନିକିଆ ପରେ ଅବସର ନେବେ ରୋହିତ ଶର୍ମା?: ଜାଣନ୍ତୁ ବିସିସିଆଇର ଯୋଜନା

July 17, 2026

ଇତିହାସ ରଚିଲା ଦିଲ୍ଲୀ ଏମ୍ସ!: ୪ ମାସର ଶିଶୁ ଉପରେ ବିଶ୍ୱର ସବୁଠାରୁ ବିରଳ ଅସ୍ତ୍ରୋପଚାର ସଫଳ

July 17, 2026

ଆଜି ଜୁଲାଇ ୧୭ ତାରିଖ ଶୁକ୍ରବାର: ଜାଣନ୍ତୁ କ’ଣ ରହିଛି ଆପଣଙ୍କର ଭାଗ୍ୟଫଳ

July 17, 2026
Latest News

ସବୁଜ ରେଳ ପରିବହନର ନୂଆ ଅଧ୍ୟାୟ: ଧୂଆଁମୁକ୍ତ ହାଇଡ୍ରୋଜେନ୍ ଶକ୍ତିରେ ଚାଲିବ ନୂଆ ଟ୍ରେନ୍

July 17, 2026

ରାଜ୍ୟର ୭ଟି ଷ୍ଟେସନ ସମେତ ଦେଶର ୭୫ ଅମୃତ ଭାରତ ଷ୍ଟେସନର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

July 17, 2026

ତୃତୀୟ ଦିନିକିଆ ପରେ ଅବସର ନେବେ ରୋହିତ ଶର୍ମା?: ଜାଣନ୍ତୁ ବିସିସିଆଇର ଯୋଜନା

July 17, 2026

ଇତିହାସ ରଚିଲା ଦିଲ୍ଲୀ ଏମ୍ସ!: ୪ ମାସର ଶିଶୁ ଉପରେ ବିଶ୍ୱର ସବୁଠାରୁ ବିରଳ ଅସ୍ତ୍ରୋପଚାର ସଫଳ

July 17, 2026

ଆଜି ଜୁଲାଇ ୧୭ ତାରିଖ ଶୁକ୍ରବାର: ଜାଣନ୍ତୁ କ’ଣ ରହିଛି ଆପଣଙ୍କର ଭାଗ୍ୟଫଳ

July 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.