ସମ୍ବଲପୁର: ଆୟ ବହିର୍ଭୂତ ସମ୍ପତ୍ତି (Disproportionate Assets) ଠୁଳ ଅଭିଯୋଗରେ ସମ୍ବଲପୁରର କାରଖାନା ଓ ବଏଲର ବିଭାଗ (Factories and Boilers) ସହକାରୀ ନିର୍ଦ୍ଦେଶକ ଉମାକାନ୍ତ ସାମନ୍ତରାୟ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଆଜି ସକାଳୁ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଶ୍ରୀ ସାମନ୍ତରାୟଙ୍କ ସମ୍ବଲପୁର, ଭୁବନେଶ୍ୱର, ପୁରୀ ଓ ଖୋର୍ଦ୍ଧାରେ ଥିବା ଏକକାଳୀନ ୭ଟି ସ୍ଥାନରେ ଜୋରଦାର ଚଢ଼ଉ କରାଯାଉଛି।
ସମ୍ବଲପୁର ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟ ବଳରେ ଏହି ତଲାସି ଅଭିଯାନ ଚାଲିଛି। ଏହି ବିଶାଳ ଅପରେସନରେ ଭିଜିଲାନ୍ସର ୮ ଜଣ ଡିଏସ୍ପି, ୧୧ ଜଣ ଇନ୍ସପେକ୍ଟର, ୧୧ ଜଣ ଏଏସ୍ଆଇଙ୍କ ସମେତ ବହୁ ସହାୟକ କର୍ମଚାରୀ ସାମିଲ ହୋଇଛନ୍ତି।
ଭିଜିଲାନ୍ସ ଟିମ୍ ଶ୍ରୀ ସାମନ୍ତରାୟଙ୍କ ଏକାଧିକ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ସନ୍ଧାନ ପାଇ ଚଢ଼ଉ ଜାରି ରଖିଛି । ଧନକଉଡ଼ାସ୍ଥିତ ସନ୍ ସିଟି ଆପାର୍ଟମେଣ୍ଟରେ ଥିବା ୩ ବିଏଚ୍କେ (3 BHK) ଫ୍ଲାଟ୍ ଏବଂ କାରଖାନା ଓ ବଏଲର ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଥିବା ତାଙ୍କ ଅଫିସ୍ କକ୍ଷ, ନନ୍ଦନକାନନ ରୋଡ୍ ନନ୍ଦନ ବିହାରସ୍ଥିତ ଆଲିଶାନ ଡୁପ୍ଲେକ୍ସ। ବାରକୁଦାସ୍ଥିତ ଇଣ୍ଡସ୍ କଲେଜ ଅଫ୍ ଇଞ୍ଜିନିୟରିଂ ନିକଟସ୍ଥ ତାଙ୍କ କୋଠା, ବାଲିଗୁଆଳିର ଟୋଟା ବେହେରା ସାହିରେ ଥିବା ୩ ମହଲା କୋଠା ଓ ସୁବାସ ମାର୍ଗରେ ଥିବା ୨ ମହଲା କୋଠା ଏବଂ ଅଶୋକ ନଗରସ୍ଥିତ ପୈତୃକ ୨ ମହଲା କୋଠା ଆଦିରେ ଚଢ଼ଉ ଜାରି ରଖିଛି । ଶେଷ ଖବର ସୁଦ୍ଧା ସମସ୍ତ ୭ଟି ସ୍ଥାନରେ କାଗଜପତ୍ର ଯାଞ୍ଚ ଓ ସମ୍ପତ୍ତିର ଆକଳନ ପ୍ରକ୍ରିୟା ଜାରି ରହିଛି। ଚଢ଼ଉ ସମ୍ପୂର୍ଣ୍ଣ ହେବା ପରେ ଠାବ ହୋଇଥିବା ମୋଟ ସମ୍ପତ୍ତି, ନଗଦ ଟଙ୍କା, ବ୍ୟାଙ୍କ ଜମା, ସୁନାଗହଣା ଓ ଅନ୍ୟାନ୍ୟ ନିବେଶ ସମ୍ପର୍କରେ ସବିଶେଷ ସୂଚନା ମିଳିବ ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ କୁହାଯାଇଛି।


