ଭୁବନେଶ୍ୱର: ରାଜ୍ୟରେ ଆଇଟି ଭିତ୍ତିଭୂମିକୁ ଅଧିକ ସୁଦୃଢ଼ ଓ ବ୍ୟାପକ କରିବା ପାଇଁ ଓଡ଼ିଶା ସରକାର ଏକ ବଡ଼ ଯୋଜନା ହାତକୁ ନେଇଛନ୍ତି। ଆଇଟି କମ୍ପାନୀଗୁଡ଼ିକର କାର୍ଯ୍ୟାଳୟକୁ କେବଳ ରାଜଧାନୀ ଭୁବନେଶ୍ୱର ମଧ୍ୟରେ ସୀମିତ ନରଖି ରାଜ୍ୟର ଅନ୍ୟାନ୍ୟ ଜିଲ୍ଲା ଓ ସହରକୁ ସମ୍ପ୍ରସାରିତ କରିବା ପାଇଁ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି।
ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସୂଚନା ଅନୁଯାୟୀ, ରାଜ୍ୟର ଉପକୂଳ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ନୂତନ ଆଇଟି ପାର୍କ ପ୍ରତିଷ୍ଠା କରାଯିବ। ଏଥିପାଇଁ କଟକ, ପୁରୀ, କେନ୍ଦୁଝର, ସମ୍ବଲପୁର, ଝାରସୁଗୁଡ଼ା, କଳାହାଣ୍ଡି, ଗଜପତି, ବଲାଙ୍ଗୀର, ରାୟଗଡ଼ା, ବାଲେଶ୍ୱର, ଗଞ୍ଜାମ ଓ ସୁନ୍ଦରଗଡ଼ ଭଳି ୧୨ଟି ଜିଲ୍ଲାକୁ ଚିହ୍ନଟ କରାଯାଇଛି। ଖୁବ୍ଶୀଘ୍ର ଫିଜିବିଲିଟି ଷ୍ଟଡି (Feasibility Study) କରାଯାଇ ଏହିସବୁ ଜିଲ୍ଲାରେ ଉପଯୁକ୍ତ ସହର ଓ ସ୍ଥାନ ଚିହ୍ନଟ ପ୍ରକ୍ରିୟା ଶେଷ ହେବ।
ଏହି ସମ୍ପ୍ରସାରଣ ଯୋଜନା ଅଧୀନରେ କେନ୍ଦୁଝର ଜିଲ୍ଲାରେ ଏକ ବିଶେଷ ଟେକ୍ ବିଜିନେସ୍ ପାର୍କ ପ୍ରତିଷ୍ଠା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ପ୍ରକଳ୍ପ ପାଇଁ ଜମି ହସ୍ତାନ୍ତର ପ୍ରକ୍ରିୟା ଶେଷ ହେବା ସହ ଡିପିଆର୍ (DPR) ମଧ୍ୟ ପ୍ରସ୍ତୁତ ହୋଇସାରିଛି। ବର୍ତ୍ତମାନ ଖୁବ୍ଶୀଘ୍ର ଆଇଟି କମ୍ପାନୀଗୁଡ଼ିକୁ ଆକୃଷ୍ଟ କରିବା ପାଇଁ ଏକ୍ସପ୍ରେସନ୍ ଅଫ୍ ଇଣ୍ଟରେଷ୍ଟ (EOI) ଆହ୍ୱାନ କରାଯିବ।
ଅନ୍ୟପଟେ, ରାଜଧାନୀ ଭୁବନେଶ୍ୱରରେ ଆଇଟି ଭିତ୍ତିଭୂମିକୁ ଅଧିକ ଆଧୁନିକ କରିବା ପାଇଁ ମଧ୍ୟ ବଡ଼ ନିବେଶ ହେବାକୁ ଯାଉଛି। ବର୍ତ୍ତମାନ ଇନଫୋସିଟି, ଇନଫୋଭ୍ୟାଲି ଓ STPI ପାର୍କରେ କମ୍ପାନୀଗୁଡ଼ିକୁ ରିହାତି ଦରରେ ସୁବିଧା ଯୋଗାଯାଉଥିବା ବେଳେ, ଡମଣା ଛକ ନିକଟରେ ୨୫ ଏକର ଜମିରେ ଏକ ‘ମେଗା ଆଇକନିକ୍ ଆଇଟି ପାର୍କ’ ନିର୍ମାଣ ହେବ। ଏହି ପାର୍କରେ ୫୦,୦୦୦ କୋଟି ଟଙ୍କାର ନିବେଶ ଯୋଜନା ରହିଛି, ଯେଉଁଥିରୁ ୭୦% ଅଞ୍ଚଳ ଆଇଟି କମ୍ପାନୀଗୁଡ଼ିକ ପାଇଁ ଏବଂ ବାକି ୩୦% ଅଞ୍ଚଳ ଆବାସିକ ଓ ବ୍ୟବସାୟିକ ପ୍ରତିଷ୍ଠାନ ପାଇଁ ବ୍ୟବହୃତ ହେବ।
ରାଜ୍ୟ ସରକାରଙ୍କ ‘ଆଇଟି ନୀତି-୨୦୨୫’ ଅନୁଯାୟୀ, ରାଜ୍ୟର ଆଞ୍ଚଳିକ ଦକ୍ଷତାକୁ ଆଧାର କରି ୮ଟି ବିଶେଷ ‘ଥିମ୍-ବେସ୍ଡ’ (Theme-Based) ଆଇଟି ପାର୍କ ନିର୍ମାଣ କରାଯିବ। ଏହି ନୀତି ଅନୁସାରେ ଭୁବନେଶ୍ୱରରେ ଫିନ୍ଟେକ୍ ସିଟି, କଟକରେ ଲିଗାଲ୍ ଟେକ୍, ଡାଟାସେଣ୍ଟର ଓ ଡିଜାଷ୍ଟର ରିକଭରି, ରାଉରକେଲାରେ ସେମିକଣ୍ଡକ୍ଟର ଓ AI, ବ୍ରହ୍ମପୁରରେ ESDM ଓ ଆଇଟି ସେବା, ସମ୍ବଲପୁର-ଝାରସୁଗୁଡ଼ାରେ ଡିଜିଟାଲ୍ ଲଜିଷ୍ଟିକ୍ସ, ବାଲେଶ୍ୱର-ଭଦ୍ରକରେ ଡିଫେନ୍ସ ଟେକ୍ ଓ ଡ୍ରୋନ୍, ଯାଜପୁର-କଳିଙ୍ଗନଗରରେ ସ୍ମାର୍ଟ ମ୍ୟାନୁଫ୍ୟାକ୍ଚରିଂ ଏବଂ ପୁରୀ-କୋଣାର୍କରେ ଟୁରିଜିମ୍ ଟେକ୍, AR/VR କୁ ଅଗ୍ରାଧିକାର ଦେଇ ଆଇଟି ପାର୍କ ଗଢ଼ାଯିବ।


