ଦିନ ଦ୍ବିପ୍ରହରରେ ନାଚୁଣୀ ବଜାରରୁ ଚୋରି: ପୋଲିସ୍‌କୁ ସିଧା ଚ୍ୟାଲେଞ୍ଜ

Published: Dec 1, 2019, 12:05 pm IST

ସମୀକ୍ଷା ବ୍ୟୁରୋ

ବାଣପୁର, ୧/୧୨: ବାଣପୁର ଥାନା ନାଚୁଣୀ ଫାଣ୍ଡି ଅଧୀନ ନାଚୁଣୀ ବଜାରରୁ ଶନିବାର ଦିନ ଦ୍ବିପ୍ରହରରେ ଚୋରି ହୋଇଛି। ନାଚୁଣୀ ବଜାର ମଧ୍ୟସ୍ଥଳରେ ଥିବା ଜଣେ ବ୍ୟକ୍ତିଙ୍କ ଘରେ ପଶି ଆଲମାରୀ ଭାଙ୍ଗି ନଗଦ ଟଙ୍କା ଓ ସୁନା ଅଳଙ୍କାରମାନ ଦୁର୍ବୃତ୍ତମାନେ ଲୁଟି ନେଇଛନ୍ତି। ଅଭିଯୋଗରୁ ପ୍ରକାଶ ଯେ, ନାଚୁଣୀ ବଜାରରେ ରହୁଥିବା ଗୋତପଲ୍ଲୀ ଗ୍ରାମର ଭାଗିରଥୀ ରାଉତରରାୟ ନାମକ ବ୍ୟକ୍ତିଙ୍କ ଘରୁ ଚୋରି ହୋଇଛି। ଶନିବାର ଦିନ ଦ୍ବିପ୍ରହରରେ ଭାଗିରଥୀ ତାଙ୍କ ପତ୍ନୀଙ୍କ ସହିତ ପାଣ୍ଡବାଶୁଣୀ ମନ୍ଦିରରେ ମାନସିକ ଭୋଜିରେ ବ୍ୟସ୍ତ ଥିବାବେଳେ ତାଙ୍କ ଘର ମୁଖ୍ୟ ଦରଜା ଓ ଆଲମାରୀ ଖୋଲାଥିବା ସମ୍ପର୍କରେ ତାଙ୍କ ନାବାଳକ ପୁତ୍ର ମା’ ବାପାଙ୍କୁ ସୂଚନା ଦେଇଥିଲେ। ସଙ୍ଗେ ସଙ୍ଗେ ଭାଗିରଥୀ ଓ ତାଙ୍କ ସ୍ତ୍ରୀ ଘରକୁ ଆସି ଦେଖିବା ପରେ ତାଙ୍କ ଘର ତାଲା ଭଙ୍ଗାଯାଇଥିଲା ଓ ଆଲମାରିରୁ ନଗଦ ଟଙ୍କା ଏବଂ ସୁନାଅଳଙ୍କାର ଲୁଟ୍‌ ହୋଇଥିବାର ଜାଣିଥିଲେ। ଏବଂ ଏ ସମ୍ପର୍କରେ ସେ ତୁରନ୍ତ ନାଚୁଣୀ ଫାଣ୍ଡିରେ ଅଭିଯୋଗ କରିଥିଲେ।

ଦିନ ଦ୍ବିପ୍ରହରରେ ନାଚୁଣୀ ବଜାର ମଧ୍ୟରେ ଏଭଳି ଘଟଣା ଘଟିଥିବାରୁ ଏହା ପୁଲିସ୍‌କୁ ଚ୍ୟାଲେଞ୍ଜ୍‌ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ସେହିପରି ସମ୍ପୃକ୍ତ ଅଭିଯୋଗକାରୀଙ୍କ ଘରେ ନଅଟି ପରିବାରକୁ ଭଡ଼ା ଦିଆଯାଇଥିବାବେଳେ ଦିନବେଳେ ଏପରି ବଡଧରଣର ଲୁଟ୍‌କୁ ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି। ତେବେ ଏହି ଘଟଣାର ବାଣପୁର ଥାନା ଆଇଆଇସି ସଞ୍ଜୟ ପଟ୍ଟନାୟକଙ୍କ ନେତୃତ୍ଵରେ ନାଚୁଣୀ ଫାଣ୍ଡି ପୁଲିସ୍‌ ଅଧିକାରୀ ଉମାକାନ୍ତ ସାହୁ ତଦନ୍ତ କରୁଛନ୍ତି। ଏପର୍ଯ୍ୟନ୍ତ ଲୁଟେରା କିମ୍ବା ଲୁଟ୍‌ ଦ୍ରବ୍ୟ ଉଦ୍ଧାର ହୋଇପାରିନାହିଁ।

Related posts