
ରମେଶ ମହାନ୍ତି
ଜଗତସିଂହପୁର : କରୋନା ମହାମାରୀକୁ ନିୟନ୍ତ୍ରଣ ପାଇଁ ପ୍ରତି ପଞ୍ଚାୟତରେ ସଙ୍ଗରୋଧ କେନ୍ଦ୍ର କରାଯାଇଛି। ସଙ୍ଗରୋଧ କେନ୍ଦ୍ରରେ ପ୍ରବାସୀ ଓଡ଼ିଆ ମାନଙ୍କୁ ରହିବା ପାଇଁ ସରକାର ସମସ୍ତ ସୁବିଧା ଯୋଗାଇ ଦେଇଛନ୍ତି। କେତେକ ସଙ୍ଗରୋଧ କେନ୍ଦ୍ରରେ ଅନ୍ତେବାସୀ ପ୍ରବାସୀ ଓଡ଼ିଆଙ୍କ ହରକତ ତ ଆଉ କେଉଁଠି ଅନ୍ତେବାସୀଙ୍କୁ ମାଡମାରିବା ଭିଡିଓ ଭାଇରାଲ ଘଟଣା ବିଭିନ୍ନ ସମୟରେ ଦେଖିବାକୁ ମିଳିଛି। ମାତ୍ର ଆମେ ଏମିତି ଏକ ସଙ୍ଗରୋଧ କେନ୍ଦ୍ର କଥା ଆପଣଙ୍କୁ ଦେଖାଇବାକୁ ଯାଉଛୁ ଯେଉଁଠି ଅନ୍ତେବାସୀ ପ୍ରବାସୀ ଓଡ଼ିଆଙ୍କ ପିଲାମାନଙ୍କର ଜନ୍ମଦିନ ପାଳନ ସହ କେନ୍ଦ୍ରରୁ ବିଦାୟ ବେଳେ ଅନ୍ତେବାସୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଉଛି।
ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଗଡହରିଶପୁର ପଞ୍ଚାୟତର ଏ ହେଉଛି ଗାରିଆ ସଙ୍ଗରୋଧ କେନ୍ଦ୍ର।ଏହି ସଙ୍ଗରୋଧ କେନ୍ଦ୍ରରେ ରାଜ୍ୟ ବାହାରୁ ଆସିଥିବା ଏରସମା ବ୍ଲକର ବିଭିନ୍ନ ପଞ୍ଚାୟତର ପ୍ରବାସୀ ଓଡ଼ିଆ ମାନଙ୍କୁ ରଖାଯାଇଛି। ରାଜ୍ୟର ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରେ ଭିନ୍ନଭିନ୍ନ କଥାକୁ ନେଇ ଭିଡିଓ ଭାଇରାଲ ହେଉଥିବା ବେଳେ ଏଠାରେ ନିଆରା ଢଙ୍ଗରେ ରହୁଛନ୍ତି ଅନ୍ତେବାସୀ। ସ୍ଥାନୀୟ ଗଡହରିଶପୁର ପଞ୍ଚାୟତର ସରପଞ୍ଚ ଭୀମସେନ ରାଉତ ଓ ତାଙ୍କର ସହକର୍ମୀମାନେ ଅନ୍ତେବାସୀଙ୍କୁ ଅତି ଆଦରର ସହ ସତ୍କାର କରିଥିଲେ। ମହାରାଷ୍ଟ୍ର, ଗୁଜୁରାଟ ଆଦି ରାଜ୍ୟରେ କାମକରୁଥିବା କେତେକ ପରିବାର ଏହି ସଙ୍ଗରୋଧ କେନ୍ଦ୍ରରେ ଥିବା ବେଳେ ସେମାନେ କିପରି ନିଜଘରେ ରହିଲା ପରି ଅନୁଭବ କରିବେ ସେଥିପାଇଁ ଯଥା ସମ୍ଭବ ପ୍ରୟାସ କରାଯାଇଥିଲା।ସଙ୍ଗରୋଧ କେନ୍ଦ୍ରରେ ଜନୈକ ଅନ୍ତେବାସୀ ଛୋଟପିଲାର ଜନ୍ମଦିନକୁ ଧୁମଧାମରେ ପାଳନ କରାଯାଇଥିଲା।ବେଲୁନ ଟାଙ୍ଗି,କେକ୍ କାଟି ସମସ୍ତ ପ୍ରବାସୀ ଓଡ଼ିଆମାନଙ୍କ ସହ ଜନ୍ମଦିନର ଖୁସିର ମାହଲରେ ସରପଞ୍ଚ ସାମିଲ ହୋଇଥିଲେ।ଯାହାକୁ ନେଇ ଅନ୍ତେବାସୀମାନେ ଖୁସିବ୍ୟକ୍ତ କରିଥିଲେ।
ବିଭିନ୍ନ ରାଜ୍ୟରୁ ଆସି ଗାରିଆ ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ଅନ୍ତେବାସୀମାନଙ୍କୁ ସ୍ଥାନୀୟ ସରପଞ୍ଚ ଓ ସହକର୍ମୀମାନଙ୍କ ଆତିଥେୟତା ନିଆରା ସମ୍ପର୍କରେ ଯୋଡିଦେଇଥିଲା।୧୪ଦିନ ରହଣି ଶେଷରେ ଏହି ସଙ୍ଗରୋଧ କେନ୍ଦ୍ରରୁ ବିଦାୟନେଇ ଘରକୁ ଫେରୁଥିବା ସମସ୍ତ ଅନ୍ତେବାସୀଙ୍କୁ ଅଙ୍ଗବସ୍ତ୍ର,ପୁଷ୍ପ ଓ ସାନିଟାଇଜର ଦେଇ ସରପଞ୍ଚ ଓ ତାଙ୍କ ଟିମ ବିଦୟକାଳିନ ସମ୍ବର୍ଦ୍ଧନା ଦେବା ଏକ ଭାବବିହ୍ୱଳ ପରିବେଶ ସହ ନିଆରା ପରମ୍ପରା ସୃଷ୍ଟି କରିଥିଲା। ସଙ୍ଗରୋଧ କେନ୍ଦ୍ର ଆଗରେ ବିଦାୟକାଳୀନ ସମ୍ବର୍ଦ୍ଧନା ପର୍ବକୁ ଉପଭୋଗ କରିଥିଲେ ସମସ୍ତେ।ଏହାକୁ ନେଇ ଖୁସିବ୍ୟକ୍ତ କରିବା ସହ ସରପଞ୍ଚ ଓ ତାଙ୍କ ଟିମକୁ ପ୍ରଶଂସା କରିଥିଲେ ଅନ୍ତେବାସୀ।