Categories
ବିଶେଷ ଖବର

ପ୍ରତିରକ୍ଷା ପ୍ରଦର୍ଶନୀ ପାଇଁ କଟାଯିବ 64 ହଜାର ଗଛ, ପରିବେଶବିତଙ୍କ ଉଦବେଗ

ଉତ୍ତରପ୍ରଦେଶ,29/11: ଭାରତର ସାମରିକ ଶକ୍ତି ପ୍ରଦର୍ଶନ ପାଇଁ ଲକ୍ଷ୍ନୌରେ ଆୟୋଜିତ ହେବାକୁ ଥିବା ପ୍ରତିରକ୍ଷା ପ୍ରଦର୍ଶନୀ ପାଇଁ ବଳି ପଡିବେ 63799ଟି ନୂଆ ପୁରୁଣା ଗଛ। ତୁରନ୍ତ ଏହି ଗଛ କାଟି ସଫା କରିବା ପାଇଁ ଲକ୍ଷ୍ମୌ ଉନ୍ନୟନ କର୍ତ୍ତୁପକ୍ଷ ଲକ୍ଷ୍ନୌ ନଗର ନିଗମକୁ ଏକ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରଦର୍ଶନୀ ଆସନ୍ତା ଫେବୃୟାରୀରେ ହେବାକୁ ଥିବାରୁ ଜାନୁୟାରୀ 15 ତାରିଖ ସୁଦ୍ଧା ସବୁ ଗଛ କାଟି ଖାଲି ସ୍ଥାନକୁ ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡକୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏପରି ଚିଠିକୁ ନେଇ ଉତ୍ତର ପ୍ରଦେଶ ପରିବେଶବିତଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି। କାରଣ ତିନିବର୍ଷ ତଳେ ଲକ୍ଷ୍ନୌ ନଗର ନିଗମ 59 ଲକ୍ଷ ଟଙ୍କା ଖର୍ଚ୍ଚ କରି ଗୋମତୀ ନଦୀ ତଟ ଏବଂ ଏହାର ଆଖପାଖ ଅଞ୍ଚଳରେ ଚାରା ରୋପଣ କରିଥିଲେ।  ଏଥିସହିତ ସେଠାରେ ପ୍ରାଚୀନ କାଳରୁ ବହୁ ବଡ ବଡ ଗଛ ମଧ୍ୟ ରହିଛି। ଫଳରେ ଲକ୍ଷ୍ମୌ ଉନ୍ନୟନ କର୍ତ୍ତୁପକ୍ଷଙ୍କ ଏପରି ନିଷ୍ପତିକୁ ସହଜରେ ଗ୍ରହଣ କରୁ ନାହାଁନ୍ତି ପରିବେଷବିତ।

ଲକ୍ଷ୍ମୌ ଉନ୍ନୟନ କର୍ତ୍ତୁପକ୍ଷଙ୍କ ଚିଠି ପାଇବାରେ ପରେ ଲକ୍ଷ୍ମୌ ନଗର ନିଗମର ସଚିବ ଏମ.ପି ସିଂହ ଏକ ପ୍ରସ୍ତାବ ଦେଇଛନ୍ତି। ଚିଠିର ଉତ୍ତର ଦେଇ ନିଗମ ଲେଖିଛି ଯେ, ପ୍ରଦର୍ଶନୀ ସରିବା ପରେ ପୁଣି ସେଠାରେ ଚାରା ରୋପଣ ପାଇଁ ପଦକ୍ଷେପ ନିଆଯିବ। ସେଥିପାଇଁ କର୍ତ୍ତୁପକ୍ଷ ବର୍ତ୍ତମାନ 59 ଲକ୍ଷ ଟଙ୍କା ନିଗମକୁ ଯୋଗାଇ ଦେଉ ବୋଲି ଚିଠିରେ ଉଲ୍ଲେଖ କରିଛି। ସେଥିରେ କୁହାଯାଇଛି ଯେ, ତିନିବର୍ଷ ତଳେ ଗୋମତୀ ନଦୀ ସହିତ ହନୁମାନ ସେତୁ, ନିଶିଥଗଂଜ ବ୍ରିଜ ପ୍ରଭୃତି ସ୍ଥାନରେ ବ୍ୟାପକ ବୃକ୍ଷ ରୋପଣ କରାଯାଇଥିଲା। ପ୍ରଦର୍ଶନୀ ପାଇଁ ସେଗୁଡିକ କଟାଯିବା ପରେ ପୁଣି ଥରେ ଚାରା ରୋପଣ କରାଯିବାର ଆବଶ୍ୟକ ରହିଛି। ଏପରିକି କେତେକ ଗଛକୁ ମଧ୍ୟ ସ୍ଥାନାନ୍ତର କରାଯିବାର ଆବଶ୍ୟକତା ରହିଥିବାରୁ ଉନ୍ନୟ କର୍ତ୍ତୁପକ୍ଷ ଏହି ଅନୁଦାନ ଦିଅନ୍ତୁ ବୋଲି ନିଗମ ଚିଠିରେ ଜଣାଇ ଦେଇଛି। ତେବେ ଏହାର ଉତ୍ତର ଏ ପର୍ଯ୍ୟନ୍ତ ଲକ୍ଷ୍ନୌ ଉନ୍ନୟନ କର୍ତ୍ତୁପକ୍ଷ ଦେଇ ନାହାଁନ୍ତି।

ତେବେ ଲକ୍ଷ୍ମୌ ଜଙ୍ଗଲ ବିଭାଗର କେତେକ ଅଧିକାରୀଙ୍କ ଅନୁସାରେ ବର୍ତ୍ତମାନ ସେଠାରେ ଗଛ ଲଗାଇବା ସମ୍ଭବ ନୁହେଁ। କାରଣ ବର୍ତ୍ତମାନ ଚାରା ରୋପଣ ପାଇଁ ଉପଯୁକ୍ତ ସମୟ ନୁହେଁ। ଯଦି ଏବେ ଗଛ ଲଗାଯାଏ ତେବେ ସେଗୁଡିକ ବଞ୍ଚିବ ନାହିଁ। ସେହିପରି ବର୍ତ୍ତମାନର ପାଗ ଅନୁସାରେ କୌଣସି ଗଛକୁ ମଧ୍ୟ ସ୍ଥାନାନ୍ତର କଲେ ସେଗୁଡିକ ଯେ ବଞ୍ଚିବେ ତାହା କହିହେବ ନାହିଁ। ତେବେ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ କେବଳ ଗଛ କାଟିବା ହିଁ ନିଶ୍ଚିତ, ହେଲେ ଗଛ ଲାଗିବା ସମ୍ଭବ ନୁହେଁ। ଏହିପରି ବାଦାନୁବାଦ ମଧ୍ୟରେ ବର୍ତ୍ତମାନ ପ୍ରତିରକ୍ଷା ପ୍ରଦର୍ଶନୀର କାମ ଧିମାଇ ଯାଇଛି। ସେପଟେ ପରିବେଶବିତଙ୍କ ଉଦବେଗ ପରେ ନଗର ନିଗମ କଣ କରିବେ ଚିନ୍ତାରେ ପଡିଯାଇଛି।

ପ୍ରତିରକ୍ଷା ବିଭାଗ ତରଫରୁ ଆସନ୍ତା ଫେବୃୟାରୀ 5 ରୁ 8 ତାରିଖ ପର୍ଯ୍ୟନ୍ତ ଗୋମତୀ ନଦୀ ନିକଟସ୍ଥ ସ୍ଥାନରେ ଏକ ବଡ ପ୍ରତିରକ୍ଷା ପ୍ରଦର୍ଶନୀର ଆୟୋଜନ କରାଯାଉଛି। ଏଥିରେ ବିଭିନ୍ନ ଦେଶରୁ ବହୁ ପ୍ରତିନିଧି ଯୋଗଦେଇ ଭାରତର ସାମରିକ ଶକ୍ତିକୁ ଦେଖିବେ। ସେଥିପାଇଁ ଏହି ପ୍ରଦର୍ଶନୀକୁ ସଫଳ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ଉଦ୍ୟମ ଆରମ୍ଭ କରାଯାଇଛି। ଏହାକୁ ଆୟୋଜନ କରିବା ପାଇଁ ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡକୁ ଦାୟିତ୍ବ ଦିଆଯାଇଛି। ଏଥିରେ ଭାରତର ବହୁ ପ୍ରତିରକ୍ଷା ଅସ୍ତ୍ରଶସ୍ତ୍ର ସହିତ ସାମରିକ ଉପକରଣ ପ୍ରଦର୍ଶିତ କରାଯିବ। ପ୍ରଥମ ଥର ପାଇଁ ଲକ୍ଷ୍ମୌରେ ଏହି ବଡ ପ୍ରଦର୍ଶନୀର ଆୟୋଜନ କରାଯାଉଥିବାରୁ ସେଠାକାର ସରକାର ବେଶ ତତ୍ପର ହୋଇ ଉଠିଛନ୍ତି। (IANS)

Categories
ଆଞ୍ଚଳିକ

ଡ୍ରାଇଭିଂ ଲାଇସେନ୍ସକୁ ନେଇ ବାଣପୁରରେ ତୀବ୍ର ଜନଅସନ୍ତୋଷ: ଆରଟିଓ କ୍ୟାମ୍ପ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

ସମୀକ୍ଷା ବ୍ୟୁରୋ

ବାଣପୁର,୨୯/୧୧: ବାଣପୁରରେ ଆରଟିଓ କ୍ୟାମ୍ପ ସ୍ଥାପନ ପାଇଁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।୧୩ ନମ୍ବର ଜୋନର ଜିଲ୍ଲା ପରିଷଦ ସଦସ୍ୟ ଅମରେନ୍ଦ୍ର ରଣସିଂହ ଏନେଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂତନ ମୋଟର ଯାନ ଆଇନ୍ ସେପ୍ଟମ୍ବର ୧ ତାରିଖରେ ଲାଗୁ କରାଯାଇଥିଲା। ଏହି ଆଇନ୍ ବଳରେ ପୋଲିସ ଚେକିଂରେ ସାଧାରଣ ଜନତା ଅସୁବିଧାର ସମ୍ମୁଖୀନ ହେବା ଫଳରେ ରାଜ୍ୟ ସରକାରଙ୍କ ପକ୍ଷରୁ ତିନି ମାସର ମହଲତ ପ୍ରଦାନ କରାଯାଇଥିଲା। ଏତଦବ୍ୟତୀତ ରାଜ୍ୟର ପ୍ରତି ବ୍ଲକରେ ଅସ୍ଥାୟୀ ଆରଟିଓ କ୍ୟାମ୍ପ ସ୍ଥାପନର ପ୍ରତିଶ୍ରୁତି ଦିଆଯାଇଥିଲା। ଏହି ସମସ୍ତ କ୍ୟାମ୍ପରେ ଡ୍ରାଇଭିଂ ଲାଇସେନ୍ସ ଏବଂ ଅନ୍ୟ ସୁବିଧା ପ୍ରଦାନର ବ୍ୟବସ୍ଥା ରହିବା ନେଇ ଘୋଷଣା କରାଯାଇଥିଲା। ସରକାରଙ୍କ ପକ୍ଷରୁ ଦିଆଯାଇଥିବା ପ୍ରଥମ ଅବଧି ଶେଷ ହେବା ସହିତ ପୁନର୍ବାର ତିନି ମାସର ମହଲତ ପ୍ରଦାନ କରାଗଲାଣି ମାତ୍ର ବର୍ତ୍ତମାନ ସୁଦ୍ଧା ବାଣପୁରରେ ଆରଟିଓ କେନ୍ଦ୍ର ସ୍ଥାପନ ସମ୍ଭବ ହୋଇନାହିଁ।

ଖୋର୍ଦ୍ଧାର ଅନ୍ତିମ ପ୍ରାନ୍ତରେ ଅବସ୍ଥାପିତ ବାଣପୁରର ସଂଖ୍ୟାଧିକ ଲୋକେ ଦିନମଜୁରିଆ ହୋଇଥିବାରୁ ୮୦କିମି ଦୂର ଯାଇ ଖୋର୍ଦ୍ଧାରେ ଲାଇସେନ୍ସ ଆବେଦନ କରିବା ସମସ୍ତଙ୍କ ପକ୍ଷେ ସମ୍ଭବ ହୋଇପାରୁନାହିଁ। ଅପରପକ୍ଷେ ବାଣପୁରରେ ଆବଶ୍ୟକୀୟ କ୍ୟାମ୍ପ ଉପଲବ୍ଧ ନଥିଲେ ମଧ୍ୟ ପୋଲିସ୍ ଏଠାରେ କଡାକଡ଼ି ଯାଞ୍ଚ କରୁଛି। ପ୍ରଥମେ ଆବଶ୍ୟକ ସଂଖ୍ୟକ ଆରଟିଓ କ୍ୟାମ୍ପ ସହିତ ଆନୁସଙ୍ଗିକ ବ୍ୟବସ୍ଥା କରି ଚେକିଂ କରାଯିବା ନେଇ ସାଧାରଣରେ ଦାବି ହେଉଛି।

ରିପୋର୍ଟର : ସୁନୀଲ କୁମାର ଭୋଳ (ବିଜୁ)

ମୋବାଇଲ :୯୩୩୭ ୧୭୪ ୭୯୪

Categories
ଆଜିର ଖବର

ବାଚସ୍ପତିଙ୍କ ସର୍ବଦଳୀୟ ବୈଠକରେ ପ୍ରଜ୍ଞାଙ୍କ ନିଃସର୍ତ୍ତ କ୍ଷମାପ୍ରାର୍ଥନା ଦାବି

ନୂଆଦିଲ୍ଲୀ,29/11: ବିଜେପି ସାଂସଦ ସାଧ୍ବୀ ପ୍ରଜ୍ଞାଙ୍କ ବିବାଦୀୟ ଗୋଡ୍‌ସେ ବୟାନକୁ ନେଇ ବାଚସ୍ପତି ଓମ୍‌ ବିର୍ଲା ସର୍ବଦଳୀୟ ବୈଠକ ଡାକିଥିଲେ । ଏହି ବୈଠକରେ ସମସ୍ତ ସାଂସଦ ପ୍ରଜ୍ଞାଙ୍କ ନିଃସର୍ତ୍ତ କ୍ଷମାପ୍ରାର୍ଥନା ଦାବି କରିଛନ୍ତି । ଗଡ୍‌ସେଙ୍କୁ ଦେଶଭକ୍ତ ବୋଲି ମତ ଦେବା ପରେ ଶୁକ୍ରବାର ଲୋକସଭାରେ କ୍ଷମା ପ୍ରାର୍ଥନା କରିଥିଲେ । ମାତ୍ର ତାଙ୍କ ବୟାନକୁ ଭିନ୍ନ ଢଙ୍ଗରେ ଉପସ୍ଥାପନ କରାଯାଇଛି ବୋଲି ମଧ୍ୟ ସେ ଅଭିଯୋଗ କରିଥିଲେ । ଏହି କ୍ଷମାପ୍ରାର୍ଥନାକୁ ବିରୋଧୀ ଦଳ ପକ୍ଷରୁ ପ୍ରତ୍ୟାଖ୍ୟାନ କରାଯିବା ସହିତ ନିଃସର୍ତ୍ତ କ୍ଷମା ପ୍ରାର୍ଥନା ଦାବି କରିଥିଲେ ।

Categories
ଆଜିର ଖବର

ଜାଣନ୍ତୁ, କେବେ ରିଲିଜ ହେବ ବ୍ଲାକ ଓ୍ବିଡୋର ଟ୍ରେଲର

ମୁମ୍ବାଇ,29/11 : ମାର୍ଭେଲ୍‌ ସିନେମାଟିକ୍‌ ୟୁନିଭର୍ସ (ଏମ୍‌ସିୟୁ)ର ଆସନ୍ତା ଚଳଚିତ୍ର ବ୍ଲାକ୍‌ ଓ୍ବିଡୋ ଆସନ୍ତା 1 ମେ 2020ରେ ରିଲିଜ୍‌ ହେବାକୁ ଯାଉଛି । ରିଲିଜ୍‌ ହେବାକୁ ସମୟ ବାକିଥିଲେ ମଧ୍ୟ ଏହି ଫିଲ୍ମର ଟ୍ରେଲର ରିଲିଜ୍‌ ତାରିଖ ଘୋଷଣା କରାଯାଇଛି । ଏହି ଫିଲ୍ମର କାହାଣୀ କ୍ୟାପ୍‌ଟେନ୍‌ ଆମେରିକା: ସିଭିଲଓ୍ବାର ଏବଂ ଆଭେଞ୍ଜର୍ସ :ଇନ୍‌ଫିନିଟି ଓ୍ବାର ସମୟ ମଧ୍ୟରେ ରହିଛି । ଫିଲ୍ମରେ ନତାଶା ରମାନୋଫ ଭୂମିକାରେ ସ୍କାର୍ଲେଟ୍‌ ଜୋହାନ୍‌ସନ୍‌ ନଜର ଆସୁଛନ୍ତି । ଆସନ୍ତା ଡିସେମ୍ବର 3 ତାରିଖରେ ଫିଲ୍ମର ଟ୍ରେଲର ରିଲିଜ୍‌ ହେବାକୁ ଯାଉଛି । ଋଷୋ ବ୍ରଦର୍ସ ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ।

Categories
ବିଶେଷ ଖବର

ପ୍ରକାଶ ପାଇଲା ଅର୍ଥନୀତି ରିପୋର୍ଟ: ଅକ୍ଟୋବରରେ ୮ଟି ମୁଖ୍ୟଶିଳ୍ପ ଉତ୍ପାଦନରେ ୫.୮ ପ୍ରତିଶତ ହ୍ରାସ

ନୂଆଦିଲ୍ଲୀ,୨୯/୧୧: ଅର୍ଥନୈତିକ ମାନ୍ଦାବସ୍ଥା ମଧ୍ୟରେ ସରକାରଙ୍କ ପକ୍ଷରୁ ବିଭିନ୍ନ ଶିଳ୍ପର ଉତ୍ପାଦନ ସମ୍ପର୍କିତ ରିପୋର୍ଟ ପ୍ରକାଶ ପାଇଛି। ଅକ୍ଟୋବର ମାସରେ ଅର୍ଥନୈତିକ ମାନ୍ଦାବସ୍ଥା ସମ୍ପର୍କିତ ସରକାରୀ ରିପୋର୍ଟ ପ୍ରକାଶ ପାଇଛି। ୮ଟି ମୁଖ୍ୟଶିଳ୍ପର ଉତ୍ପାଦନରେ ହାରାହାରି ୫.୮ ପ୍ରତିଶତ ହ୍ରାସ ପାଇଥିବା ବେଳେ ୬ଟି ଶିଳ୍ପର ପ୍ରଦର୍ଶନ ଦୟନୀୟ ରହିଛି। କୋଇଲା ଶିଳ୍ପ ଉତ୍ପାଦନରେ ୧୭.୬ ପ୍ରତିଶତ ହ୍ରାସ ପାଇଥିବା ବେଳେ, ଅଶୋଧିତ ତୈଳ ଉତ୍ପାଦନରେ ୫.୧ ପ୍ରତିଶତ ହ୍ରାସ ପାଇଛି। ପ୍ରାକୃତିକ ଗ୍ୟାସ୍‌ ଉତ୍ପାଦନରେ ୫.୭ ପ୍ରତିଶତ ହ୍ରାସ ପାଇଛି। ସିମେଣ୍ଟ ଉତ୍ପାଦନ(-୭.୭), ଷ୍ଟିଲ୍‌(-୧.୬) ଏବଂ ବିଦ୍ୟୁତ୍‌(-୧୨.୪) ଉତ୍ପାଦନ ହାର ନକରାତ୍ମକ ରହିଛି। ଅକ୍ଟୋବରରେ କେବଳ ସାର ଉତ୍ପାଦନରେ ୧୧.୮ ପ୍ରତିଶତର ଅଭିବୃଦ୍ଧି ଘଟିଛି। ବିଶୋଧନ କ୍ଷେତ୍ରରେ ୦.୪ ପ୍ରତିଶତର ହ୍ରାସ ଘଟିଛି ଯାହାକି ଗତବର୍ଷ ଅକ୍ଟୋବରରେ ୧.୩ ପ୍ରତିଶତ ରହିଥିଲା। ୨୦୧୮ରେ ୮ଟି ମୁଖ୍ୟଶିଳ୍ପର ଉତ୍ପାଦନ ୪.୮ ପ୍ରତିଶତର ଅଭିବୃଦ୍ଧି ଘଟିଥିଲା। ଏପ୍ରିଲ୍‌-ଅକ୍ଟୋବର ମଧ୍ୟରେ ଅଭିବୃଦ୍ଧି ହାର ୦.୨ ପ୍ରତିଶତ ହ୍ରାସ ପାଇଥିବା ବେଳେ ୨୦୧୮ରେ ସମାନ ସମୟରେ ୫.୪ ପ୍ରତିଶତ ରହିଥିଲା। ଗତ ସେପ୍ଟେମ୍ବରରେ ଅର୍ଥନୈତିକ ଅଭିବୃଦ୍ଧି ହାର ଦଶନ୍ଧିର ସର୍ବନିମ୍ନ ୫.୧ପ୍ରତିଶତ ଛୁଇଁଥିଲା।(ଏଜେନ୍ସୀ)

 

 

Categories
ଫଟୋ ଖବର

ସ୍ଥାୟୀ ନିଯୁକ୍ତି ଦାବୀରେ ଓଡିଶା ANM ସଂଘ ତରଫରୁ ଶିଶୁଭବନ ଛକରେ ରାସ୍ତା ଅବରୋଧ

୫ ବର୍ଷ ହେଲା ନିଯୁକ୍ତି ନାହିଁ। ୧୭ ହଜାର ANM ବେକାର ବସିଥିବା ଅଭିଯୋଗ

Categories
ଆଜିର ଖବର

ଯାତ୍ରା ପାର୍ଟି ଟ୍ରକ ଓଲଟି : ୧୩ ଆହତ

ସମୀକ୍ଷା ବ୍ୟୁରୋ

ସମ୍ବଲପୁର,29/11: ଯାତ୍ରା ପାର୍ଟି ଟ୍ରକ୍‌ ଓଲଟି ୧୩ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ୬୫ ନମ୍ୱର ପୁରୁଣା କଟକ-ସମ୍ବଲପୁର ରାସ୍ତାରେ ଘଟିଛି। କଟକ-ସମ୍ବଲପୁର ରାସ୍ତାର କନ୍ତୋଲ ବାରବାଟି ପୋଖରୀ ନିକଟରେ ଟ୍ରକ୍‌ ସମ୍ମୁଖକୁ ଏକ ବାଇକ ଚାଲି ଆସିଥିଲା। ଏହା ଦେଖି ଟ୍ରକ୍‌ ଚାଳକ ହଠାତ ବ୍ରେକ ମାରିଥିଲେ। ଫଳରେ ଟ୍ରକ୍‌ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଟ୍ରକ୍‌ରେ ଥିବା ଯାତ୍ରା ପାର୍ଟିର ୧୩ ଜଣ କର୍ମଚାରୀ ଆହତ ହୋଇଛନ୍ତି। ସମସ୍ତଙ୍କୁ ଆଠଗଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେମାନଙ୍କ ମଧ୍ୟରୁ ୭ ଜଣ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ କେତେକଙ୍କୁ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି।

Categories
ଆଜିର ଖବର

ଆସନ୍ତା କାଲି ଫ୍ଲୋର ଟେଷ୍ଟ : ଦିଲ୍ଲୀପ ଓ୍ବାଲ୍‌ସେ ପାଟିଲ ଅସ୍ଥାୟୀ ବାଚସ୍ପତି

ମୁମ୍ବାଇ,29/11: ଶପଥ ଗ୍ରହଣ କରିଥିବା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଆସନ୍ତା କାଲି ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବେ । ଶନିବାର ଅପରାହ୍ନ 2ଟା ସୁଦ୍ଧା ଉଦ୍ଧବ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାପାଇଁ ରାଜ୍ୟପାଳ ଉଦ୍ଧବଙ୍କୁ କହିଥିବା ବେଳେ ଏନ୍‌ସିପି ନେତା ଦିଲ୍ଲୀପ ଓ୍ବାଲ୍‌ସେ ପାଟିଲଙ୍କୁ ଅସ୍ଥାୟୀ ବାଚସ୍ପତି ଭାବରେ ଘୋଷଣା କରାଯାଇଛି । ପୂର୍ବରୁ ଏନ୍‌ସିପି ନେତା ଅବ୍‌ଦୁଲ ସତ୍ତାର ମଧ୍ୟ ଶନିବାର ଫ୍ଲୋର ଟେଷ୍ଟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ମେଣ୍ଟ ପ୍ରାରମ୍ଭରୁ ମହା ଅଘାଡି ବିକାଶ ନିକଟରେ 162 ବିଧାୟକଙ୍କ ସମର୍ଥନ ରହିଥିବା ବେଳେ ବର୍ତ୍ତମାନ ଏହା 170କୁ ବୃଦ୍ଧି ପାଇଛି ବୋଲି ସତ୍ତାର କହିଛନ୍ତି । ମନୋହର ଯୋଶୀ ଏବଂ ନାରାୟଣ ରାଣେଙ୍କ ପରେ ତୃତୀୟ ଶିବସେନା ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ଉଦ୍ଧବ ଠାକ୍‌ରେ । ଉଲ୍ଲେଖଯୋଗ୍ୟ ଯେ, ଠାକ୍‌ରେ ପରିବାରର ପ୍ରଥମ ବ୍ୟକ୍ତି ଭାବରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଉଦ୍ଧବ ।

Categories
ଆଜିର ଖବର

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଗୋଟାବାୟା : ୪୦୦ ମିଲିୟନ୍‌ ଡଲାର ସହାୟତା କରିବ ଭାରତ

ନୂଆଦିଲ୍ଲୀ,୨୯/୧୧: ଭାରତ ଗସ୍ତରେ ରହିଥିବା ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷା ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି । ତିନିଦିନିଆ ଭାରତ ଗସ୍ତରେ ରହିଥିବା ଶ୍ରୀଲଙ୍କା ରାଷ୍ଟ୍ରପତି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି । ନିଜର ପ୍ରଥମ ବିଦେଶ ଗସ୍ତରେ ଆସିଥିବା ଗୋଟାବାୟା ରାଷ୍ଟ୍ରପତି ଭବନରେ ରାମନାଥ କୋବିନ୍ଦଙ୍କୁ ଭେଟିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ । ମୋଦିଙ୍କ ସହିତ ଏହି ଭେଟ ସମୟରେ ଦ୍ବିପାକ୍ଷିକ ସମ୍ପର୍କ ଏବଂ ଭାରତ ମହାସାଗରରେ ଚୀନ୍‌ର ଉପସ୍ଥିତି ସମ୍ପର୍କରେ ଆଲୋଚନା ହୋଇଥିଲା । ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ସହିତ ଆଲୋଚନା ପରେ ଆର୍ଥିକ ଅଭିବୃଦ୍ଧି ପାଇଁ ଭାରତ ପକ୍ଷରୁ ୪୦୦ ମିଲିୟନ୍‌ ଡଲାର ପ୍ରଦାନ କରାଯିବ । ଏହି ଅର୍ଥ ଜରିଆରେ ୧୪ ହଜାର ବାସଗୃହ ନିର୍ମାଣ କରାଯିବା ସହିତ ସୌର ପ୍ରକଳ୍ପରେ ୧୦୦ ମିଲିୟନ୍‌ ଡଲାର ଖର୍ଚ୍ଚ କରାଯିବ ବୋଲି ଜଣାପଡିଛି । (ଏଜେନ୍ସି)

Categories
ଫଟୋ ଖବର

ସଂସଦରେ ବିଜେପି ସାଂସଦ ହେମାମାଳିନୀ

Categories
ଫଟୋ ଖବର

ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋଟାବାୟ ରାଜପକ୍ଷେଙ୍କୁ ରାଷ୍ଟ୍ରପତି ଭବନରେ ଗାର୍ଡ ଅଫ୍‌ ଅନର୍‌ ପ୍ରଦାନ ଅବସରରେ

Categories
ଫଟୋ ଖବର

କାନିମୋଝି ପାର୍ଲିଆମେଣ୍ଟ ହାଉସ୍‌ରେ ରିପୋର୍ଟରଙ୍କ ସହ ବାର୍ତ୍ତାଳାପ କରିବା ଅବସରରେ

Categories
ଆଜିର ଖବର

ଫୋବର୍ସ ଧନୀ ତାଲିକାର ନବମ ସ୍ଥାନରେ ମୁକେଶ ଅମ୍ବାନୀ

ମୁମ୍ବାଇ,29/11: ରିଲାଏନ୍ସ ଇଣ୍ଡଷ୍ଟ୍ରୀର ଚେୟାରମ୍ୟାନ୍‌ ମୁକେଶ ଅମ୍ବାନୀ ଫୋବର୍ସ ଧନୀ ତାଲିକାର ନବମ ସ୍ଥାନରେ ରହିଛନ୍ତି । 2019ରେ ପୂର୍ବରୁ ପ୍ରକାଶିତ ତାଲିକାରେ ଅମ୍ବାନୀ 13 ତମ ସ୍ଥାନରେ ରହିଥିଲେ । ଗୁରୁବାର ପ୍ରଥମ ଭାରତୀୟ କମ୍ପାନୀ ଭାବରେ ରିଲାଏନ୍ସ ଇଣ୍ଡଷ୍ଟ୍ରୀ 10 ଲକ୍ଷ କୋଟିର ବ୍ୟବସାୟ କରିବା ପରେ ମୁକେଶ ଅମ୍ବାନୀଙ୍କୁ ଏହି ତାଲିକାରେ ସ୍ଥାନ ମିଳିଛି । ଶୁକ୍ରବାର ପ୍ରକାଶିତ ସୂଚନା ଅନୁଯାୟୀ ଅମ୍ବାନୀଙ୍କ ସମୁଦାୟ ସମ୍ପତ୍ତିର ପରିମାଣ 60.8 ମିଲିୟନ୍‌ ଡଲାର ରହିଛି । ଆମାଜନ୍‌ ମୁଖ୍ୟ ଜେଫ୍‌ ବେଜୋସ୍‌ 113 ବିଲିୟନ୍‌ ଡଲାର ସହିତ ଏହି ତାଲିକାର ପ୍ରଥମ ସ୍ଥାନରେ ରହିଛନ୍ତି ।

Categories
ଆଞ୍ଚଳିକ

ବାଲୁଗାଁ ବାଇପାସ୍‌ ରୋଡ୍‌ରେ ପୁଣି ଏକ ଦୁର୍ଘଟଣା : ମା’ ମୃତ, ଝିଅ ଗୁରୁତର

ବାଲୁଗାଁ, ୨୯/୧୧: (ସମୀକ୍ଷା ବ୍ୟୁରୋ) : ବାଲୁଗାଁ ବାଇପାସ୍‌ ରୋଡ୍‌ ସୁବୁଦ୍ଧିପାଟଣା ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏହି ରାସ୍ତାରେ ଜଣେ ବାଳିକା ତା‘ମାଆକୁ ସାଇକେଲରେ ବସାଇ ଯାଉଥିବାବେଳେ ଏକ ଛତିଶଗଡର ଚାରିଚକିଆ ଯାନ ଧକ୍କା ଦେଇଛି। ସୂଚନାରୁ ପ୍ରକାଶ ଯେ, ଭୁବେନଶ୍ବରରୁ ବ୍ରହ୍ମପୁର ଯାଉଥିବା ସିଜି୦୭ବି ଏସ୍‌-୫୭୧୩ ନମ୍ବରର ଏହି କାର୍‌ଟି ବେପରୁଆ ଗାଡ଼ି ଚଳାଉଥବାରୁ ଜନୈକ ମା’-ଝିଅଙ୍କୁ ପଛପଟୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ମା’ ଓ ଝିଅ ଉଭୟ ଗୁରୁତର ହୋଇପଡିଥିଲେ।

ଗୁରୁତର ଅବସ୍ଥାରେ ଦୁହିଁକୁ ସମାଜ ଆଇନାର ପ୍ରତିନିଧି ତଥା ସାମ୍ବାଦିକ ମନୋରଞ୍ଜନ ବେହେରା ଉଦ୍ଧାର କରି ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରକୁ ନେବା ସହିତ ଗାଡ଼ି ଓ ଚାଳକଙ୍କୁ ଅଟକ ରଖି ପୋଲିସ୍‌ ଜିମା ଦେଇଥିଲେ। ଦୁର୍ଘଟଣାରେ ପୀଡ଼ିତା ଦୁହିଁଙ୍କ ଅବସ୍ଥା ବେଶ୍‌ ଉଦ୍‌ବେଗଜନକ ରହିଥିବାରୁ ତାଙ୍କୁ ଭୁବନେଶ୍ବର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଭୁବନେଶ୍ବର ହସପିଟାଲ୍‌କୁ ନେବା ରାସ୍ତାରେ ହିଁ ମା’ର ମୃତ୍ୟୁ ଘଟିଥିବାର ସୂଚନା ରହିଛି। ଝିଅକୁ ସ୍ଥାନାନ୍ତର କରାଯାଇଛି। ବାଳିକା ଜଣକୁ ମାତ୍ର ୧୮ ବର୍ଷ ହୋଇଥିବାବେଳେ ସେ ବୋରିଆସାହି ଗ୍ରାମର ବୋଲି ଜଣାପଡିଛି। ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ ଗାଡ଼ି ଚାଳକଙ୍କୁ ଗିରଫ କରିବା ସହ ଗାଡ଼ିକୁ ଜବତ କରିଛି।

ସୂଚନାଯୋଗ୍ୟ, କିଛିଦିନ ତଳେ ଏହି ରାସ୍ତାରେ ଏକ ବାଇକ୍‌ ଦୁର୍ଘଟଣା ଘଟିଥିବାବେଳେ ବାଇକ୍‌ ଚାଳକ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଛକ ନିକଟରେ ବାରମ୍ବାର ଦୁର୍ଘଟଣା ହେଉଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।

ରିପୋର୍ଟର : ସୀତାରାମ ଅଗ୍ରଓ୍ବାଲ , ମୋ: ୭୯୭୮ ୧୪୮ ୪୨୬

Categories
ଆଜିର ଖବର

ଲୋକସଭାରେ ସାଧ୍ବୀ ପ୍ରଜ୍ଞାଙ୍କ କ୍ଷମାପ୍ରାର୍ଥନା

ନୂଆଦିଲ୍ଲୀ,29/11: ଲୋକସଭାରେ ବିଜେପି ସାଂସଦ ସାଧ୍ବୀ ପ୍ରଜ୍ଞା କ୍ଷମାପ୍ରାର୍ଥନା କରିଛନ୍ତି । ନାଥୁରାମ ଗୋଡ୍‌ସେଙ୍କୁ ଦେଶଭକ୍ତ ବୋଲି ଅଭିହିତ କରିବା ପରେ ସାଂସଦରେ ହଙ୍ଗାମା ହେବା ପରେ ଶୁକ୍ରବାର ସାଧ୍ବୀ କ୍ଷମାପ୍ରାର୍ଥନା କରିଛନ୍ତି । ଦେଶପ୍ରତି ଗାନ୍ଧୀଙ୍କ ଅବଦାନକୁ ମୁଁ ସଦାଦର୍ବଦା ସମ୍ମାନ କରିଛି ଏବଂ ଯଦି ମୋ ମନ୍ତବ୍ୟ ଦ୍ବାରା କେହି ଆଘାତ ପାଇଛନ୍ତି ସେଥି ନିମନ୍ତେ ମୁଁ କ୍ଷମାପ୍ରାର୍ଥନା କରୁଛି । ପ୍ରଜ୍ଞାଙ୍କ କ୍ଷମାପ୍ରାର୍ଥନା ସମୟରେ ବିରୋଧୀ ଦଳଙ୍କ ପକ୍ଷରୁ ନାରାବାଜି କରାଯାଇଥିଲା । ଗଡସେ ଡାଉନ୍‌ ଡାଉନ୍‌ ଏବଂ ମହାତ୍ମା ଗାନ୍ଧୀ ଅମର ରହେ ନାରା ଦେଇଥିଲେ ବିରୋଧୀ । ଏହାପରେ ପ୍ରଜ୍ଞା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଆକ୍ରମଣ କରିଥିଲେ । ପ୍ରଜ୍ଞା ରାହୁଲଙ୍କ ନାମ ନନେଇ କହିଥିଲେ ଜଣେ ସାଂସଦ ତାଙ୍କୁ ବାରମ୍ବାର ଆତଙ୍କବାଦୀ ବୋଲି ସମ୍ବୋଧନ କରିଛନ୍ତି । ତାଙ୍କ ବିରୋଧର ଗୋଟିଏ ମଧ୍ୟ ମାମଲା ପ୍ରମାଣିତ ହୋଇନଥିବା ବେଳେ ଏହି ମନ୍ତବ୍ୟ ଦ୍ବାରା ତାଙ୍କର ଆତ୍ମସମ୍ମାନ କ୍ଷୁର୍ଣ୍ଣ ହେଉଛି ବୋଲି ପ୍ରଜ୍ଞା ଅଭିଯୋଗ କରିଥିଲେ ।

Categories
ଆଜିର ଖବର

ଗୋଆରେ ବିରୋଧୀ ଏକାଠି ହେବା ଉଚିତ୍‌ : ବିଜୟ ସରଦେଶାଇ

ପାନାଜୀ,29/11 : ଗୋଆ ଫରଓ୍ବାର୍ଡ ପାର୍ଟିର ମୁଖ୍ୟ ତଥା ପୂର୍ବତନ ଗୋଆ ଉପ ମୁଖ୍ୟମନ୍ତ୍ରୀ ବିଜୟ ସରଦେଶାଇ ସରକାର ଗଠନ ପାଇଁ ବିରୋଧୀ ଦଳଙ୍କୁ ଆହ୍ବାନ ଦେଇଛନ୍ତି । ମହାରାଷ୍ଟ୍ରରେ ବିରୋଧୀ ଦଳଙ୍କ ପରି ଏକତ୍ର ହୋଇ ଗୋଆରେ ସରକାର ଗଠନ କରିବା ଉଚିତ୍‌ ବୋଲି ସରଦେଶାଇ କହିଛନ୍ତି । ମହାରାଷ୍ଟ୍ରରେ ମହା ବିକାଶ ଅଘାଡି ଗଠନ ହେବା ପରେ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ଭେଟିବା ପରେ ସରଦେଶାଇ ଏହି ମତ ଦେଇଛନ୍ତି । ମହାରାଷ୍ଟ୍ରର ବିକାଶ ପାଇଁ ଯେପରି ବିପରୀତ ଚିନ୍ତାଧାରା ସମ୍ପନ୍ନ ଦଳ ଶିବସେନା,ଏନ୍‌ସିପି ଏବଂ କଂଗ୍ରେସ ଏକତ୍ର ହୋଇ ବିଜେପିକୁ କ୍ଷମତାରୁ ଦୂରେଇବାରେ ସମର୍ଥ ହେଲେ, ସେହିପରି ଭାବରେ ଗୋଆରେ ସମସ୍ତ ବିରୋଧୀ ଦଳ ଏକତ୍ର ହୋଇ ବିଜେପିକୁ କ୍ଷମତାରୁ ଦୂରେଇ ରଖିବା ଉଚିତ୍‌ ବୋଲି ସରଦେଶାଇ ଟ୍ବିଟ୍‌ କରିଛନ୍ତି ।

Categories
ଆଜିର ଖବର

ଅପରାଧିକ ମାମଲା ଲୁଚାଇବା କାରଣରୁ ଫଡନବିସ୍‌ଙ୍କୁ ନୋଟିସ୍‌

ନାଗପୁର,29/11: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍‌ଙ୍କୁ କୋର୍ଟଙ୍କ ପକ୍ଷରୁ ନୋଟିସ୍‌ ପ୍ରଦାନ କରାଯାଇଛି । ନିର୍ବାଚନ ପୂର୍ବରୁ ସତ୍ୟପାଠରେ ଫଡନବିସ୍‌ ନିଜର ଅପରାଧିକ ମାମଲା ସମ୍ପର୍କରେ ତଥ୍ୟ ଲୁଚାଇଥିଲେ । ମୁଖ୍ୟମନ୍ତ୍ରୀ ଭାବରେ ଉଦ୍ଧବ ଠାକ୍‌ରେଙ୍କ ଶପଥ ଗ୍ରହଣର ଏକ ଦିନ ପରେ ଫଡନବିସ୍‌ଙ୍କ ଘରେ ନୋଟିସ୍‌ ପହଞ୍ଚିଛି । ସଦର ପୋଲିସ୍‌ ଷ୍ଟେସନ୍‌ ପକ୍ଷରୁ ଫଡନବିସ୍‌ଙ୍କୁ ଏହି ନୋଟିସ୍‌ ମିଳିଛି । ନାଗପୁରର ବିଧାୟକ ରହିଥିବା ଫଡନବିସ୍‌ଙ୍କ ବିରୋଧରେ 1996 ଏବଂ 1998ରେ ଦୁଇଟି ମାମଲା ଜାରି କରାଯାଇଥିଲା । ମାତ୍ର ଫଡନବିସ୍‌ ଏହି ତଥ୍ୟକୁ ଲୁଚାଇଥିଲେ । ଜନୈକ ଓକିଲ ସତୀଶ ଉକେଙ୍କ ପକ୍ଷରୁ ଦାୟର କରାଯାଇଥିବା ମାମଲାରେ ଫଡନବିସ୍‌ଙ୍କୁ ଏହି ନୋଟିସ୍‌ ମିଳିଛି ।

Categories
ଫଟୋ ଖବର

ବାର୍ଷିକ ‘ଥ୍ୟାକ୍ସସ୍‌ ଗିଭିଂ ଡେ’ ପ୍ୟାରେଡ୍‌ ଅବସରରେ ପ୍ରତିଯୋଗୀମାନେ

Categories
ଆଜିର ଖବର

ମହାରାଷ୍ଟ୍ର ପରେ ଏବେ ଗୋଆ ଉପରେ ନଜର : ସଞ୍ଜୟ ରାଉତ

ମୁମ୍ବାଇ, ୨୯/୧୧: ମହାରାଷ୍ଟ୍ରରେ ସରକାର ଗଢିବା ପରେ ଏବେ ଶିବସେନାର ନଜର ବିଜେପି ଶାସିତ ଗୋଆ ଉପରେ ରହିଛି। ଶିବସେନାର ନେତା ସଞ୍ଜୟ ରାଉତ କହିଛନ୍ତି ଯେ, ମହାରାଷ୍ଟ୍ରରେ ରାଜନୀତି ଶେଷ ହୋଇଛି। ଏବେ ଆମ ନଜର ଗୋଆ ରାଜନୀତି ଉପରେ ରହିଛି । ଏବେ ଆମେ ପୂରା ଦେଶରେ ଅଣ ବିଜେପି ମୋର୍ଚ୍ଚା ନିର୍ମାଣ କରିବାକୁ ଚାହୁଁଛି । ଯାହାର ଆରମ୍ଭ ମହାରାଷ୍ଟ୍ରରୁ ଆରମ୍ଭ ହୋଇଛି । ଏବେ ଆମର ଧ୍ୟାନ ଗୋଆ ଉପରେ ରହିଛି । ସଞ୍ଜୟ ରାଉତ କହିଛନ୍ତି ଯେ, ଆମେ ତିନି ବିଧାୟକଙ୍କ ସହ ଗୋଆ ଫରଓ୍ବାର୍ଡ ପାର୍ଟିର ଅଧ୍ୟକ୍ଷ ଓ ପୂର୍ବ ମୁଖ୍ୟମନ୍ତ୍ରୀ ବିଜୟ ସରଦେଶାଇ, ଶିବସେନା ସହ ମେଣ୍ଟ କରୁଛି । ଏବେ ଗୋଆରେ ଏକ ନୂତନ ରାଜନୈତିକ ମୋର୍ଚ୍ଚା ଗୋଆରେ ଆସୁଛି, ଯେମିତି ମହାରାଷ୍ଟ୍ରରେ ହୋଇଛି । ବହୁତ ଶୀଘ୍ର ଗୋଆରେ ମଧ୍ୟ ଆପଣମାନଙ୍କୁ ଏକ ଚମତ୍କାର ଦେଖିବାକୁ ମିଳିବ ।

୪୦ ସଦ୍ୟସୀୟ ଗୋଆ ବିଧାନସଭାର ନିର୍ବାଚନ ୨୦୧୭ରେ ହୋଇଥିଲା । ଏହି ନିର୍ବାଚନରେ ବିଜେପି ୧୩ଟି ଆସନ ଜିତିଥିବାବେଳେ କଂଗ୍ରେସ ୧୭ଟି । ମହାରାଷ୍ଟ୍ରବାଦୀ ଗୋମନ୍ତକ ପାର୍ଟି ୩ଟି, ଗୋଆ ଫରଓ୍ବାର୍ଡ ପାର୍ଟି ୩ ଓ ଏନ୍‌ସିପି ଗୋଟିଏ ଆସନ ଜିତିଥିଲେ ।  ନିର୍ବାଚନରେ କୌଣସି ପାର୍ଟି ବହୁମତ ହାସଲ କରିପାରିନଥିଲେ । ଅଚାନକ ରାତାରାତି ୧୦ କଂଗ୍ରେସ ବିଧାୟକ ବିଜେପିରେ ସାମିଲ୍‌ ହୋଇଯାଇଥିଲେ । ଏବଂ ବିଜେପିର ସଦସ୍ୟ ସଂଖ୍ୟା ୨୭ ହୋଇଥିଲା । ଏହା ପରେ ବିଜେପି ସଂଖ୍ୟାଗରିଷ୍ଠର ପ୍ରମାଣ ଦେଇ ସରକାର ଗଢିଥିବାବେଳେ ମନୋହର ପାରିକର୍‌ ମୁଖ୍ୟମନ୍ତ୍ରୀ ହୋଇଥିଲେ । ମନୋହର ପାରିକରଙ୍କ ଦେହାନ୍ତ ପରେ ଏବେ ପ୍ରମୋଦ ସାଓ୍ବନ୍ତ ମୁଖ୍ୟମନ୍ତ୍ରୀ ରହିଛନ୍ତି । (ଏଜେନ୍ସି)

Categories
ଫଟୋ ଖବର

ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଭାବେ ଉଦ୍ଧବଙ୍କ ଶପଥ ଗ୍ରହଣ ସମାରୋହରେ ଶିବସେନା କର୍ମୀଙ୍କ ଉତ୍ସାହ ପ୍ରଦର୍ଶନ

Categories
ଫଟୋ ଖବର

ଆମଷ୍ଟ୍ରଡମ୍‌ଠାରେ ଆୟୋଜିତ ଲାଇଟ୍‌ ଫେଷ୍ଟିଭାଲ୍‌ ଅବସରରେ ଏକ ଆକର୍ଷଣୀୟ ଲାଇଟ୍‌ କଳାକୃତି