ନାକଟିଦେଉଳ କିସିଣ୍ଡା କୁଲାଡେରା ଜଙ୍ଗଲରେ ଚିକିତ୍ସା ଅଭାବରୁ ହାତୀର ମୃତ୍ୟୁ ଆଶଙ୍କା

Published: Oct 27, 2021, 6:35 pm IST

କନ୍ଦର୍ପ ବେହେରା
ରେଢାଖୋଲ: ଆଜି ବାମରା ବନଖଣ୍ଡ କିସିଣ୍ଡା କୁୁଲାଡେରା ଜଙ୍ଗଲରେ ଏକ ଅସୁସ୍ଥ ହାତୀର ମୃତ୍ୟୁ ହୋଇଥିବା ସୂଚନା ମିଳୁଛି।

ବେସରକାରୀ ସୂତ୍ରରୁ ହସ୍ତଗତ ହୋଇଥିବା ସୂଚନାରୁ ଯାହା ଜଣା ପଡିଛି କିଛି ଦିନ ହେଲା କୁଲାଡେରା ଜଙ୍ଗଲରେ ଏକ ଅଣ୍ଡିରା ହାତୀ ଅସୁସ୍ଥ ହୋଇପଡିଥିଲା। ହାତୀଟିର ଗୋଡରେ ଆଘାତ ଲାଗିଥିବା ବିଶ୍ୱସ୍ତ ସୂତ୍ରରୁ ଜଣା ପଡିଛି। ଅସୁସ୍ଥ ହାତୀ ପାଖକୁ ମଧ୍ୟ ବନବିଭାଗ ଯାଇଛି। ହେଲେ ତାର ଚିକିତ୍ସାରେ ବନ ବିଭାଗ ଅବହେଳା କରିଥିବାରୁ ହାତୀଟିର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। କିଛି ଦିନ ହେଲା କେବଳ କୁଲାଡେରା ଜଙ୍ଗଲରେ ହିଁ ଅସୁସ୍ଥ ହାତୀଟି ରହିଥିଲା। ତାର ଗୋଡରେ ଆଘାତ ଲାଗିଥିବନାରୁ ସେ ବେଶି ବାଟ ଯାଇ ପାରୁ ନ ଥିଲା।

ଯାହା ସୂଚନା ଆମ ପ୍ରତିନିଧିଙ୍କୁ ମିଳିଛି ହାତୀଟିର ଗୋଡରେ ଆଘାତ ଲାଗିଥାଉ ବା କୌଣସି ରୋଗ ହୋଇଥାଉ ହାତୀଟି ଭଲ ଭାବରେ ଚଲାବୁଲା କରିପାରୁ ନ ଥିଲା। ବନବିଭାଗ ଆହତ ଥିବା ସମୟରେ ଜଙ୍ଗଲରେ ଦେଖିଛି ହେଲେ ଚିକିତ୍ସା କରିବାରେ ଅବହେଳା କରିଥିଲା। ଯଦି ହାତୀଟିର ଚିକିତ୍ସା ବନବିଭାଗ କରିଥାନ୍ତା ନିଶ୍ଚୟ ବଂଚି ଯାଇଥାନ୍ତା। କିସିଣ୍ଡା ଫରେଷ୍ଟର ଅନୁ ମାଡାମଙ୍କୁ ଫୋନ୍ କରିଥିଲେ ମଧ୍ୟ ଫୋନ୍ ସୁଇଚ୍ ଅଫ୍ ଥିବା ବେଳେ ଜନୈକ ଫରେଷ୍ଟଗାର୍ଡଙ୍କୁ ଫୋନ୍ କରିବାରୁ ସେ ଫୋନ୍ ଟି କାଟିଦେଇଥିଲେ। ଯା’ ଫଳରେ ହାତୀଟିର ମୃତ୍ୟୁକୁ ନେଇ ଦ୍ୱନ୍ଦ ସୃଷ୍ଟି ହୋଇଛି। ବନବିଭାଗ ଗଣ ମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେବାରେ ମଧ୍ୟ କୁଣ୍ଠା ବୋଧ କରୁଛନ୍ତି।

ଏକ ବିଶ୍ୱସ୍ତ ସୂତ୍ରରୁ ଜଣା ପଡିଛି ଯେ, ଆଉ ଦୁଇଟି ହାତୀ ମା ଓ ଛୁଆ ମଧ୍ୟ ଅସୁସ୍ଥ ହୋଇ ସେଇ ନିକଟସ୍ଥ ଏକ ଜଙ୍ଗଲରେ ଥିବାର ଅନୁମାନ କରାଯାଉଛି। ସେ ହାତୀମାନଙ୍କୁ ଠାବ କରି ଚିକିତ୍ସା କରିବାକୁ ବନ ବିଭାଗ ଦୃଷ୍ଟିଦେବା ଜରୁରି ହୋଇପଡିଛି। ହାତୀଟି ମୃତ୍ୟୁବରଣ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ ଏବାବଦରେ ବନବିଭାଗ ପକ୍ଷରୁ ସୂଚନା ଦିଆଯାଇ ନାହିଁ।

Related posts