ପତ୍ର ସୂଚନା କାର୍ଯ୍ୟାଳୟର ପ୍ରମୁଖ ମହାନିର୍ଦ୍ଦେଶକ ଭାବେ ଦାୟିତ୍ବ ନେଲେ ସତ୍ୟେନ୍ଦ୍ର ପ୍ରକାଶ

Published: Aug 1, 2022, 6:37 pm IST

ନୂଆଦିଲ୍ଲୀ : ପତ୍ର ସୂଚନା କାର୍ଯ୍ୟାଳୟ ବା ପିଆଇବିର ପ୍ରମୁଖ ମହାନିର୍ଦ୍ଦେଶକ ଭାବେ ଶ୍ରୀ ସତ୍ୟେନ୍ଦ୍ର ପ୍ରକାଶ ଆଜି କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଶ୍ରୀ ପ୍ରକାଶ ଭାରତୀୟ ସୂଚନା ସେବାର ୧୯୮୮ ବ୍ୟାଚର ଅଧିକାରୀ। ଏଥିପୂର୍ବରୁ ସେ କେନ୍ଦ୍ରୀୟ ଯୋଗାଯୋଗ ବ୍ୟୁରୋର (ସିବିସି) ପ୍ରମୁଖ ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ।

ଶ୍ରୀ ସତ୍ୟେନ୍ଦ୍ର ପ୍ରକାଶଙ୍କର କେନ୍ଦ୍ର ସରକାରଙ୍କ ଜନ ସମ୍ପର୍କ, ଗଣମାଧ୍ୟମ ପରିଚାଳନା, ପ୍ରଶାସନ, ନୀତି ନିର୍ଦ୍ଧାରଣ ଓ କାର‌୍ୟ୍ୟକ୍ରମ ତ୍ୱରାନ୍ୱିତ କରିବା କ୍ଷେତ୍ରରେ ଗଭୀର ଅଭିଜ୍ଞତା ରହିଛି। ସେ ବିଭିନ୍ନ ଜାତୀୟ ଓ ୟୁନେସ୍କୋ, ୟୁନିସେଫ୍, ୟୁଏନଡିପି ଇତ୍ୟାଦି ଆନ୍ତର୍ଜାତିକ ମଞ୍ଚରେ ଭାରତର ପ୍ରତିନିଧିତ୍ୱ କରିଛନ୍ତି। କେନ୍ଦ୍ରୀୟ ଯୋଗାଯୋଗ ବ୍ୟୁରୋ ନିମନ୍ତେ ସରକାରୀ ବିଜ୍ଞାପନର ବିଷୟବସ୍ତୁ ସମ୍ପର୍କୀତ ମାର୍ଗଦର୍ଶିକା ପ୍ରସ୍ତୁତି, ଇଣ୍ଟରନେଟ ଓ ଡିଜିଟାଲ ଗଣମାଧ୍ୟମ ନୀତି, ଏଫଏମ୍ ରେଡିଓ ନୀତି, ଡିଜିଟାଲ ଚଳଚ୍ଚିତ୍ର ନୀତି ଇତ୍ୟାଦି ପ୍ରସ୍ତୁତି କ୍ଷେତ୍ରରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୨୦୨୧ ଗଣତନ୍ତ୍ର ଦିବସ ନିମନ୍ତେ ପ୍ରଥମ ‘ଭୋକାଲ ଫର ଲୋକାଲ’ ପ୍ରଜ୍ଞାପନ ମଣ୍ଡପ ନିର୍ମାଣ ପାଇଁ ତାଙ୍କର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ ସ୍ୱୀକୃତି ଲାଭ କରିଥିଲା।

ଶ୍ରୀ ପ୍ରକାଶ ଭାରତ ସରକାରଙ୍କର ଅନେକ ପ୍ରମୁଖ ଜନସୂଚନା ଅଭିଯାନର ପରିପାଟୀ ପ୍ରସ୍ତୁତି ସହ କାର‌୍ୟ୍ୟାନ୍ୱୟନରେ ମୁଖ୍ୟ ଥିଲେ। ସେ ଅନେକ ଗୁରୁତ୍ୱପୂର୍ଣ୍ଣ ଆଇଇସି ଅଭିଯାନ ସଂଯୋଜନା କରିଥିଲେ। ୨୦୨୧-୨୨ରେ ମତଦାତା ସଚେତନତା ଓ ଭୋଟଦାନରେ ଅଂଶଗ୍ରହଣ ବୃଦ୍ଧି ପାଇଁ ତାଙ୍କୁ ନିକଟରେ ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଜାତୀୟ ସମ୍ମାନରେ ସମ୍ମାନୀତ କରାଯାଇଛି । ଶ୍ରୀ ସତ୍ୟେନ୍ଦ୍ର ପ୍ରକାଶ କାର୍ଯ୍ୟଭାର ଗ୍ରହଣ କରିବା ପରେ ପିଆଇବିର ବରିଷ୍ଠ ଅଧିକାରୀଗଣ ତାଙ୍କୁ ସ୍ୱାଗତ ଜଣାଇଥିଲେ ।

Related posts