ବିଧାନସଭା ପରିସରରେ ଗାନ୍ଧୀ ଜୟନ୍ତୀ ପାଳିତ

Published: Oct 2, 2022, 5:48 pm IST

ଭୁବନେଶ୍ୱର: ଭାରତୀୟ ସ୍ୱାଧୀନତା ସଂଗ୍ରାମର ଅଗ୍ରଦୂତ ଏବଂ ସତ୍ୟ, ଶାନ୍ତି ଓ ଅହିଂସାର ଯୁଗପ୍ରବର୍ତ୍ତକ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୩ତମ ରାଜସ୍ତରୀୟ ଜୟନ୍ତୀ ପାଳିତ ହୋଇଯାଇଛି ।

ବିଧାନସଭା ପରିସରରେ ଅନୁଷ୍ଠିତ ଏହି ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ବାଚସ୍ପତି ଶ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ ଏବଂ ପ୍ରାର୍ଥନା ସଭାରେ ଉପବାଚସ୍ପତି ରଜନୀକାନ୍ତ ସିଂ, ମୁଖ୍ୟ ସଚେତକ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି, କୃଷି ଓ କୃଷକ ସଶକ୍ତିକରଣ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ,

ସେହିପରି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ, ଜଳସଂପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ବରିଷ୍ଠ ବିଧାୟକ ଶ୍ରୀ ପ୍ରଫୁଲ୍ଲ ସାମଲ ପ୍ରମୁଖ ମଧ୍ୟ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାର୍ଘ୍ୟ ଅର୍ପଣ କରିଥିଲେ । ଶାଶ୍ୱତୀ ସାମାଜିକ ସାଂସ୍କୃତିକ କେନ୍ଦ୍ର ତରଫରୁ ମହାତ୍ମା ଗାନ୍ଧୀଙ୍କ ପ୍ରିୟ ଭଜନ ‘ବୈଷ୍ଣବ ଜନ ତୋ’ ଏବଂ ରାମଧୂନ ପରିବେଷଣ ପରିବେଶକୁ ଭାବଗାମ୍ଭୀର କରିଥିଲା ।

ଏହି ଜୟନ୍ତୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଧାନସଭା ସଚିବ ଶ୍ରୀ ଦାଶରଥୀ ଶତପଥୀ, ସୂଚନା ଓ ଲୋକସଂପର୍କ ବିଭାଗ ବୈଷୟିକ ନିର୍ଦ୍ଦେଶକ ସୁରେନ୍ଦ୍ର କୁମାର ପରିଡ଼ା, ବିଧାନସଭାର ସ୍ୱତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ତଥା ନିର୍ଦ୍ଦେଶକ (ଗବେଷଣା) ଶ୍ରୀ କୃପାସିନ୍ଧୁ ମିଶ୍ର, ଯୁଗ୍ମ ନିର୍ଦ୍ଦେଶକ (ଗବେଷଣା) ଶ୍ରୀ ଶିବପ୍ରସାଦ ପଟ୍ଟନାୟକଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଯୋଗଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସୂଚନା ଓ ଲୋକସଂପର୍କ ବିଭାଗ ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ, ଯୁଗ୍ମ ନିର୍ଦ୍ଦେଶକ ବିଶ୍ୱଜିତ ଦାଶ, ମାନସ ରଞ୍ଜନ ଖୁଣ୍ଟିଆ, ସୂଚନା ଅଧିକାରୀ ସୁଶ୍ରୀ ପ୍ରମୋଦିନୀ ଟେଟେ ପ୍ରମୁଖ ସହଯୋଗ କରିଥିଲେ । ସୂଚନା ଅଧିକାରୀ ସୁଶ୍ରୀ ପ୍ରମିଳା ମାଝୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

Related posts