ଆସନ୍ତା ବର୍ଷ ସୁଦ୍ଧା ଟ୍ରାକରେ ଚାଲିବ ୭୫ ବନ୍ଦେ ଭାରତ ଏକ୍ସପ୍ରେସ, ଆଗାମୀ ୩ ବର୍ଷରେ ଦୌଡିବ ୪୦୦ ଟ୍ରେନ

Published: Dec 11, 2022, 12:24 pm IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନାଗପୁରରୁ ଷଷ୍ଠ ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ରର ନାଗପୁରରୁ ନୂତନ ବନ୍ଦେ ଭାରତକୁ ପତାକା ଦେଖାଇଛନ୍ତି। ଆସନ୍ତା ବର୍ଷ ଅଗଷ୍ଟ ସୁଦ୍ଧା ୭୫ ବନ୍ଦେ ଭାରତ ଟ୍ରେନକୁ ଟ୍ରାକରେ ରଖିବା ପାଇଁ ରେଳ ମନ୍ତ୍ରଣାଳୟର ଲକ୍ଷ୍ୟ ରହିଛି। ରେଳ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଏହି ଆର୍ଥିକ ବର୍ଷ ପାଇଁ ୩୫ ବନ୍ଦେ ଭରତ ରେକ୍ (ଇଞ୍ଜିନ ବ୍ୟତୀତ କୋଚକୁ ନେଇ ଗଠିତ ସମସ୍ତ ଟ୍ରେନ୍) ଅନୁମତି ଦିଆଯାଇଛି। ଏଥି ସହିତ, ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୬୭ ଟି ରେକ୍ ପାଇଁ ଅନୁମତି ଦିଆଯାଇଛି।

୧୫ ଫେବୃଆରୀ ୨୦୧୯ ରେ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭରମ୍ବ କରାଯାଇଥିଲା। ଏହି ଟ୍ରେନ୍ ନୂଆଦିଲ୍ଲୀରୁ ବାରାଣାସୀ ପର୍ଯ୍ୟନ୍ତ ଚାଲିଥିଲା। ଏହା ପରେ, ଗତ ମାସର ୧୧ ତାରିଖ ଦିନ ମଇଶୁରରୁ ଚେନ୍ନାଇକୁ ପଞ୍ଚମ ଟ୍ରେନ୍ ଚାଲୁ କରାଯାଇଥିଲା।

୩ ବର୍ଷରେ ୪୦୦ ବନ୍ଦେ ଭାରତ ଏକ୍ସପ୍ରେସ:

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କ ବଜେଟ୍ ଭାଷଣରେ କହିଛନ୍ତି ଯେ, ଆଗାମୀ ୩ ବର୍ଷରେ ୪୦୦ ନୂତନ ପିଢିର ବନ୍ଦେ ଭାରତ ଟ୍ରେନ୍ ବିକଶିତ ଏବଂ ଉତ୍ପାଦନ ହେବ। ବନ୍ଦେ ଭାରତ ଏକ୍ସପ୍ରେସର ସର୍ବାଧିକ ବେଗ ଘଣ୍ଟା ପ୍ରତି ୧୬୦ କିଲୋମିଟର ଅଟେ। ଏଥିରେ ଶତାଦ୍ଦୀ ଟ୍ରେନ୍ ପରି ଟ୍ରାଭେଲ୍ କ୍ଲାସ୍ ଅଛି କିନ୍ତୁ ଏହାଠାରୁ ସୁବିଧା ଭଲ। ବର୍ତ୍ତମାନ ବନ୍ଦେ ଭରତ ଏକ୍ସପ୍ରେସ ନୂଆଦିଲ୍ଲୀରୁ ଶ୍ରୀ ବୈଷ୍ଣୋ ଦେବୀ ମାତା, ନୂଆଦିଲ୍ଲୀରୁ ବାରାଣାସୀ, ଗାନ୍ଧିନଗର ରାଜଧାନୀରୁ ମୁମ୍ବାଇ ସେଣ୍ଟ୍ରାଲ, ଅମ୍ବ ଏଣ୍ଡୋରା ଠାରୁ ନୂଆଦିଲ୍ଲୀ ଏବଂ ମୈଶୁରରୁ ଚେନ୍ନାଇ ସେଣ୍ଟ୍ରାଲ ମଧ୍ୟରେ କାର୍ଯ୍ୟ କରୁଛି।

Related posts