ଚିଲିକା: ମାଟ୍ରିକ ପ୍ରଶ୍ନପତ୍ରରେ ତ୍ରୁଟି, ଆଶା ଆଶଙ୍କାରେ ଛାତ୍ରଛାତ୍ରୀ

Published: Mar 18, 2023, 6:34 pm IST

ସୀତାରାମ ଅଗ୍ରୱାଲ
ବାଣପୁର/ବାଲୁଗାଁ: ଆସନ୍ତା ସୋମବାର ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷା ସରିବାକୁ ଥିବାବେଳେ ଶନିବାର ପରୀକ୍ଷା ପ୍ରଶ୍ନ ପତ୍ରରେ ଦେଖାଯାଇଛି ବିଭ୍ରାଟ। ଶନିବାର ସାମାଜିକ ବିଜ୍ଞାନ ପରୀକ୍ଷା ବିଷୟ ଥିବାରୁ ଛାତ୍ରଛାତ୍ରୀମାନଙ୍କୁ ପ୍ରଶ୍ନପତ୍ର ବଣ୍ଟା ହେଲା ପରେ ଉକ୍ତ ତ୍ରୁଟି ଦେଖିବାକୁ ମିଳିଥିଲା।

ପ୍ରକାଶଥାଉ କି ବୋର୍ଡ଼ ଦ୍ୱାରା ପ୍ରତି ବିଷୟରେ ଏ’ ବି’ ସି’ ଡି’ ଚାରିଗୋଟି ସେଟ ମାଧ୍ୟମରେ ପିଲାମାନଙ୍କୁ ପ୍ରଶ୍ନ ପତ୍ର ଯୋଗାଇ ଦିଆଯାଉଛି। କିନ୍ତୁ ବାଣପୁର ଓ ବାଲୁଗାଁ ଅଂଚଳର ଗୋଦାବରୀଶ ବିଦ୍ୟାପୀଠ, ବାଣପୁର ସରକାରୀ ବାଳିକା ବିଦ୍ୟାଳୟ ଭଳି ପ୍ରାୟ ସମସ୍ତ ପରୀକ୍ଷା ସେଣ୍ଟରରେ ‘ଏ ସି’ ଡି’ ସେଟର ପ୍ରଶ୍ନପତ୍ର ଠିକ ଥିଲାବେଳେ ବି ସେଟର ପ୍ରଶ୍ନପତ୍ରରେ ତ୍ରୁଟି ଦେଖିବାକୁ ମିଳିଥିଲା ବୋଲି ବାଣପୁର ବି ଇ ଓ ସନାତନ ଜାଲି କହିଛନ୍ତି।

‘ବି’ ସେଟ ପ୍ରଶ୍ନପତ୍ରରେ ‘ଏ’ ସେଟର କିଛି ପ୍ରଶ୍ନ ପଶିଯାଇଥିବା ଏବଂ ସମୁଦାୟ ୧୦୦ ମାର୍କ ପ୍ରଶ୍ନରୁ କିଛି ପ୍ରଶ୍ନ ଗାଏବ ହୋଇଯାଇଥିବା ପରିଲକ୍ଷିତ ହୋଇଥିଲା। ଏହିଭଳି ପ୍ରତି ସେଣ୍ଟରରେ ୧୦ ରୁ ୧୫ ଜଣ ଛାତ୍ରଛାତ୍ରୀ ଏହି ତ୍ରୁଟି ଜନିତ ପ୍ରଶ୍ନପତ୍ର ପାଇଥିଲେ। ଯାହାଫଳରେ ଛାତ୍ରଛାତ୍ରୀମାନେ ଚିନ୍ତାରେ ପଡ଼ିଥିଲେ।

ଏହିଭଳି ତ୍ରୁଟି ଦେଖିବାପରେ ପିଲାମାନଙ୍କୁ ବ୍ୟସ୍ତ ନ ହେବାକୁ ପରାମର୍ଶ ଦେଇଥିଲେ ସ୍କୁଲ କର୍ତ୍ତୃପକ୍ଷ। ଯେଉଁ ଛାତ୍ରଛାତ୍ରୀ ମାନେ ଏହି ପ୍ରଶ୍ନପତ୍ର ପାଇଛନ୍ତି ସେମାନଙ୍କ ରୋଲ ନମ୍ବର ସହ ଖାତାର ଫୋଟୋ କପି ଇ ମେଲ ଜରିଆରେ ବୋର୍ଡ଼ ନିକଟକୁ ପଠାଇ ଦିଆଯାଇଛି। ତେଣୁ ଉକ୍ତ ଘଟଣା ସାରା ରାଜ୍ୟରେ ହୋଇଥିବା ଏବଂ ଏହା ବୋର୍ଡ଼ର ତ୍ରୁଟି ହୋଇଥିବାରୁ ବୋର୍ଡ଼ ଯାହା ନିଷ୍ପତି ନେବ ବୋଲି ମତ ରଖିଛନ୍ତି ଶ୍ରୀଯୁକ୍ତ ଜାଲି।

ତଥାପି ପିଲାମାନଙ୍କର କୌଣସି ଅସୁବିଧା ହେବ ନାହିଁ ବୋଲି ଜିଲ୍ଲା ଶିକ୍ଷାଧିକାରୀ ବ୍ଲକ ଶିକ୍ଷାଧିକାରୀଙ୍କ ନିକଟକୁ ବାର୍ତ୍ତା ପଠାଇଥିବା ଖବର ମିଳିଛି।

Related posts