ରେଢ଼ାଖୋଲ, (କନ୍ଦର୍ପ ବେହେରା): ରେଢ଼ାଖୋଲ ସହର ନିକଟସ୍ଥ ପୁରୁଣାଗଡ଼ ଗ୍ରାମରେ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର ଇତିହାସ ବିଭାଗ ଦ୍ବାରା ଏକ ପ୍ରତ୍ନତାତ୍ତ୍ଵିକ ଗବେଷଣା କାର୍ଯ୍ୟ ଆରମ୍ଭ ହୋଇଯାଇଛି । ସ୍ଥାନୀୟ ରୀତିନୀତି ଅନୁସାରେ ଭୋର୍ ସକାଳୁ ଭୂମି ପୂଜନ ପୂର୍ବକ ସେହି ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ବ୍ୟୋମକେଶ ତ୍ରିପାଠୀଙ୍କ ଦ୍ବାରା ଉଦ୍ଘାଟିତ ହୋଇଥିଲା । ବିଶ୍ବବିଦ୍ୟାଳୟର ଡକ୍ଟର ଅତୁଲ ପ୍ରଧାନଙ୍କ ନେତୃତ୍ବରେ ଜୁଲାଇ ମାସ ରୁ ଆରମ୍ଭ ହେବ ବୋଲି ଜଣା ପଡିଛି . ଚଳିତ ବର୍ଷ ଭୀମ ମଣ୍ଡଳୀରେ ଦୀର୍ଘ ୨ ମାସ ଧରି ଖନନ କାର୍ଯ୍ଯ ଚାଲିଥିଲା ।ତାହା ପରେ ପରେ ପୁରୁଣାଗଡ଼ ଖନନ କାର୍ଯ୍ଯ ଆରମ୍ଭ ହେବ । ସ୍ଥାନୀୟ ଲୋକଙ୍କ ମନରେ ଭାରି ଉତ୍ସାହ ଦେଖିବାକୁ ମିଳିଛି । ଏହି ଗବେଷଣା ଦ୍ବାରା ରେଢ଼ାଖୋଲର ଲୁପ୍ତ ଇତିହାସ ପୁଣିଥରେ ଲୋକ ଲୋଚନକୁ ଆସିବା ସହିତ ଓଡ଼ିଶାର ଇତିହାସ ଏବଂ ଭାରତ ଇତିହାସ ସହିତ ଯୋଡ଼ି ହେବ ବୋଲି କୁଳପତି ପ୍ରଫେସର ତ୍ରୀପାଠୀ ମତ ପ୍ରକାଶ କରିଥିଲେ । ରେଢ଼ାଖୋଲ ଉପ ଜିଲ୍ଲାପାଳ ରଶ୍ମିରଞ୍ଜନ ମହନ୍ତ, ଭୀମଭୋଇ ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ମାନଭଞ୍ଜନ କହଁର, ଘୋସରାମାଳ ସରପଞ୍ଚ ପ୍ରେମଶୀଳା ପ୍ରଧାନ,ବୁର୍ଡା ସରପଞ୍ଚ ରାଜା ପାଲ, ଭୀମ ମଣ୍ଡଳୀର ସଭାପତି ରମେଶ ସ୍ବାଇଁ, ରେଢ଼ାଖୋଲର ଗଣମାଧ୍ୟମ ପ୍ରତିନିଧି , ଗ୍ରାମବାସୀ, ଆଖପାଖ ଅଞ୍ଚଳର ବୁଦ୍ଧିଜୀବୀ ଏବଂ ଗବେଷଣା କାର୍ଯ୍ଯ ସହ ଜଡ଼ିତ ଥିବା ସ୍କୋଲାର ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ ।


