ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଉମରକୋଟ ସରକାରୀ ମହାବିଦ୍ୟାଳୟ ପରିସରରେ କଲେଜ ନିର୍ବାଚନକୁ ନେଇ ରାଜନୈତିକ ଉତ୍ତେଜନା ଚରମସୀମାରେ ପହଞ୍ଚିଛି। ନିର୍ବାଚନୀ ପାଣିପାଗ ଭିତରେ କ୍ୟାମ୍ପସ ବାହାରେ ଦୁଇଟି ଅଣଛାତ୍ର ଗୋଷ୍ଠୀ ମଧ୍ୟରେ ହୋଇଥିବା ପ୍ରବଳ ଗଣ୍ଡଗୋଳ ହିଂସାର ରୂପ ନେଇଛି। ପୂର୍ବ ଶତ୍ରୁତା ଓ ଗୋଷ୍ଠୀଗତ ବିବାଦକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ଛୁରାମାଡ଼ କରାଯାଇଥିବା ଜଣାପଡ଼ିଛି।
ଏହି ଆକ୍ରମଣରେ ଗୁରୁତର ଆହତ ହୋଇଥିବା ଅଣଛାତ୍ର ଜଣକ ହେଲେ ଦୀପ କମଲ ମହାପାତ୍ର। ବିରୋଧୀ ଗୋଷ୍ଠୀର ଲୋକମାନେ ଧାର୍ତ୍ତା ଅସ୍ତ୍ରରେ ଆକ୍ରମଣ କରିବାରୁ ଦୀପ କମଲଙ୍କ ପେଟ, ହାତ ଏବଂ ଗୋଡ଼ରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ପ୍ରଥମେ ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ସ୍ଥାନୀୟ ଉମରକୋଟ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ମାତ୍ର ଅବସ୍ଥା ଅତି ସଙ୍କଟାପନ୍ନ ହେବାରୁ ଡାକ୍ତରମାନେ ତାଙ୍କୁ ତୁରନ୍ତ ବିଶାଖାପାଟଣାସ୍ଥିତ ଏକ ଉନ୍ନତ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି।
ଡାକ୍ତରଖାନା ପରିସରରେ ଆହତ ଯୁବକଙ୍କ ସମର୍ଥକ ଓ ସ୍ଥାନୀୟ ଲୋକଙ୍କ ପ୍ରବଳ ଭିଡ଼ ଜମିବା ଯୋଗୁଁ ସେଠାରେ ଏକ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା। ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ପୋଲିସ ମୁତୟନ ହୋଇ ସ୍ଥିତି ଉପରେ ନଜର ରଖିଛି। ଏହି ଘଟଣାକୁ ନେଇ ଉମରକୋଟ ଥାନାରେ ଏକାଧିକ ବ୍ୟକ୍ତିଙ୍କ ନାଁରେ ଲିଖିତ ଅଭିଯୋଗ ହୋଇଛି। ପୋଲିସ ମାମଲା ରୁଜୁ କରିବା ସହ ଫେରାର ଥିବା ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ଶିକ୍ଷାନୁଷ୍ଠାନ ପରିସରରେ ଏଭଳି ଅରାଜକତା ଏବଂ ଅଣଛାତ୍ରଙ୍କ ବାରମ୍ବାର ହସ୍ତକ୍ଷେପକୁ ନେଇ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଇଛି।


