ଲକ୍‌ଡାଉନ୍‌ରେ 80 କିମି ଚାଲି ଚାଲି ଯାଇ ବିବାହ କଲେ ଯୁବତୀ

Published: May 23, 2020, 9:35 pm IST

କାନପୁର : ବିବାହ କରିବା ପାଇଁ ପୁଅ ଘର ଲୋକ ସର୍ବଦା ଝିଅ ଘରକୁ ଯାଇଥାନ୍ତି । ମାତ୍ର ଏହାର ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶରେ । ଉତ୍ତରପ୍ରଦେଶର କାନପୁରରେ ଜଣେ ଯୁବତୀ ବିବାହ କରିବା ପାଇଁ 80 କିମି ରାସ୍ତା ଚାଲଚାଲି ଅତିକ୍ରମ କରିବା ପରେ ଶେଷରେ ବିବାହ କରିଛନ୍ତି । କାନପୁରର ଏହି ଯୁବତୀ ଜଣକ ବିବାହ କରିବା ପାଇଁ କନୌଜ ପର୍ଯ୍ୟନ୍ତ ଚାଲଚାଲି ଯାଇଥିଲେ ।

ଉଭୟଙ୍କ ନିର୍ବନ୍ଧ ସରିଥିବା ବେଳେ ମେ 4ରେ ବାହାଘର ସ୍ଥିର ହୋଇଥିଲା । ମାତ୍ର ଲକ୍‌ଡାଉନ୍‌ କାରଣରୁ ବିବାହ ଅଟକି ଯାଇଥିଲା । ନିକଟରେ ଲକ୍‌ଡାଉନ୍‌ କଟକଣା ଉଠିବାର କୌଣସି ସମ୍ଭାବନା ନ ଦେଖାଯିବାରୁ ଯୁବତୀ ଜଣକ ବାଧ୍ୟ ହୋଇ ଘରୁ ପାଦ କାଢିଥିଲେ । ଉଲ୍ଲେଖଯୋଗ୍ୟ ଯେ, କାନପୁରର ଲକ୍ଷ୍ମଣ ତିଲକ ଗ୍ରାମର ଗୋଲ୍ଡିଙ୍କ ବିବାହ କନୌଜର ବୀରେନ୍ଦ୍ରଙ୍କ ସହିତ ସ୍ଥିର ହୋଇଥିଲା । ଲକ୍‌ଡାଉନ୍‌ କାରଣରୁ ବିବାହ ଘୁଞ୍ଚିଯିବାରୁ ଶୁକ୍ରବାର ସକାଳୁ ଘରୁ ପାଦ କାଢିଥିଲେ ଗୋଲ୍ଡି । ସନ୍ଧ୍ୟା ସୁଦ୍ଧା କନୌଜରେ ପହଞ୍ଚିବା ପରେ ବୋହୂକୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ବୀରେନ୍ଦ୍ରଙ୍କ ପରିବାର । ପରେ ବିବାହ କରିବା ପାଇଁ କହିଥିଲେ ମଧ୍ୟ ଗୋଲ୍ଡି ନିଜ ଜିଦ୍‌ରେ ଅଟଳ ରହିଥିଲେ । ଏହାପରେ ଜଣେ ବ୍ରାହ୍ମଣଙ୍କ ଉପସ୍ଥିତିରେ ଏହି ବିବାହ ସମ୍ପନ୍ନ ହୋଇଥିଲା । (ଏଜେନ୍ସି)

Related posts