ବାଣପୁର ସବ୍‌ ଜେଲ ଏବଂ ଏନ.ଏ.ସି ରେ କାୟା ମେଲାଉଛି କରୋନା: ଚାରି କଏଦୀଙ୍କ ସହ ଦୁଇ ସ୍ଥାନୀୟ ଆକ୍ରାନ୍ତ ଚି଼ହ୍ନଟ

Published: Jul 21, 2020, 8:34 am IST

ସୀତାରାମ ଅଗ୍ରଓ୍ବାଲ

ବାଣପୁର : ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ଦିନକୁ ଦିନ ସ୍ଥାନୀୟ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବିଗତ କିଛି ଦିନ ହେଲା ଅହେତୁକ ଭାବେ ସ୍ଥାନୀୟ ସଂକ୍ରମଣ ବଢ଼ିବାରୁ ପ୍ରଶାସନର ନିଦ ହଜିଯାଇଛି । ବାଣପୁର ସବ ଜେଲ ରୁ ପୁଣି ଚାରି ଜଣ କଏଦୀ କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି । ଗତକାଲି ଜେଲରେ ଥିବା ସମସ୍ତ ୧୬୯ କଏଦୀ ଏବଂ କର୍ମଚାରୀ ମାନଙ୍କଙ୍କ ରା଼ପିଡ଼ ଟେଷ୍ଟ ହୋଇଥିବାସ୍ଥଳେ ସନ୍ଧ୍ୟାରେ ଚାରି ଜଣ କଏଦୀ ଙ୍କ ରିପୋର୍ଟ ପଜିଟିଭ ଆସିଛି । ଉକ୍ତ ଚାରିଜଣଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲା କୋଦଳା ଜେଲର ତିନି ଜଣ ଥିବା ସ୍ଥଳେ ଭୁବନେଶ୍ୱର ସ୍ଥିତ ଝାରପଡା ଜେଲର ଜଣେ କଏଦୀ ଅଛନ୍ତି ଯେଉଁମାନଙ୍କ ମଧ୍ୟରେ ଉଭୟ ବିଚାରାଧୀନ ଏବଂ ଦୋଷୀ ସାବ୍ୟସ୍ତ କଏଦୀ ଅଛନ୍ତି । ପୂର୍ବରୁ ଜଣେ କଏଦୀ ଏବଂ ଆଜିର ଚାରିଜଣ ଙ୍କୁ ମିଶାଇ ସର୍ବମୋଟ ୫ ଜଣ କଏଦୀଙ୍କୁ ଉଚିତ ସୁରକ୍ଷା ସହିତ ଆଜି ଭୁବନେଶ୍ୱର କୋଭିଡ ହସ୍ପିଟାଲ କୁ ସ୍ଥାନାନ୍ତର କରି ଜେଲ କୁ ବିଶୋଧନ କରାଯିବ ବୋଲି ଜେଲ ସୁପରିଟେଣ୍ଡେଣ୍ଟ ଶ୍ରୀମତୀ କୋଶଳ ପଦ୍ମିନୀ ଦଳବେହେରା ସୂଚନା ଦେଇଛନ୍ତି ।

ଅନ୍ୟ ପକ୍ଷରେ ଆଜି ବାଣପୁର ଏନ.ଏ.ସି ଅନ୍ତର୍ଗତ ୯ ନମ୍ବର ୱାର୍ଡ ର ଗୋଟେ ପରିବାରରୁ ୨ ଜଣ ପଜିଟିଭ ବାହାରିଥିବାର ସୂଚନା ରହିଛି ଏବଂ ଉଭୟେ ସ୍ୱାମୀ, ସ୍ତ୍ରୀ ବୋଲି ଜଣାପଡିଛି । ଦିନକୁ ଦିନ ବାଣପୁର ଏନ.ଏ.ସି ରେ ସ୍ଥାନୀୟ ସଂକ୍ରମଣ ବଢ଼ୁଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । ଆଗକୁ ୯ ନମ୍ବର ୱାର୍ଡ କୁ ଜିଲ୍ଲାପାଳ ଙ୍କ ସହ ପରାମର୍ଶ କରି କଣ୍ଟନମେଣ୍ଟ ଜୋନ ଘୋଷଣା କରାଯିବ ବୋଲି ଏନ.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସନ୍ତୋଷ ନିଆଲ ସୂଚନା ଦେଇଛନ୍ତି ।

Related posts