ପାରାଦ୍ୱୀପର ପ୍ଲାଷ୍ଟିକ୍‌ ପାର୍କ ପରିଦର୍ଶନ କଲେ ରାଜ୍ୟ ସରକାରଙ୍କ ଏକ ଉଚ୍ଚସ୍ତରୀୟ ଟିମ୍‌

Published: Oct 29, 2021, 5:23 am IST

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ଅସିତ କୁମାର ତ୍ରିପାଠୀଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ଟିମ୍‌ ଦୁଇଦିନିଆ ଜଗତସିଂହପୁର ଜିଲ୍ଲା ଗସ୍ତରେ ପାରାଦ୍ୱୀପ ଯାଇ ଆଜି ସିଜୁଠାରେ ଇଡ଼୍‌କୋ ଲ୍ୟାଣ୍ଡ ଏବଂ ପ୍ଲାଷ୍ଟିକ୍‌ ପାର୍କ ପରିଦର୍ଶନ କରିଥିଲେ ।

ଏହି ଟିମ୍‌ ପାରାଦ୍ୱୀପର ଅଫିସର୍ସ କ୍ଲବ୍‌ଠାରେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ଓ ଇଡ୍‌କୋ ଦ୍ୱାରା ଶିଳ୍ପ ସଂସ୍ଥା କର୍ମକର୍ତ୍ତା, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ଉଦ୍ୟୋଗୀମାନଙ୍କ ସହିତ ଆୟୋଜିତ ବୈଠକରେ ଯୋଗଦେଇଥିଲେ । ପାରାଦ୍ୱୀପ ତଥା ଜଗତସିଂହପୁର ଜିଲ୍ଲାରେ ଥିବା ବୃହତ୍‌ ଶିଳ୍ପ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଶିଳ୍ପ ସଂସ୍ଥାରେ ଥିବା ବିଭିନ୍ନ ମୌଳିକ ସମସ୍ୟା ଓ ଏହାର ସମାଧାନ ନିମନ୍ତେ ଶିଳ୍ପସଂସ୍ଥା କର୍ମକର୍ତ୍ତା, ସରକାରୀ ବିଭାଗୀୟ ଅଧିକାରୀମାନଙ୍କ ସହିତ ବ୍ୟାପକ ଆଲୋଚନା କରାଯାଇ ସମସ୍ୟାର ସମାଧାନ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଇଥିଲା । ଏଥିରେ ବୃହତ୍‌ ଶିଳ୍ପ ସଂସ୍ଥାମାନଙ୍କରେ ଥିବା ବିଭିନ୍ନ ସମସ୍ୟା ସଂପର୍କରେ ମଧ୍ୟ ଆଲୋଚନା ହୋଇଥିଲା ।

ଏହି ବୈଠକରେ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ କୁମାର ଶର୍ମା ଏହି ଗସ୍ତର ଆଭିମୁଖ୍ୟ ସଂପର୍କରେ କହିଥିଲେ । ପରେ ଜିଲ୍ଲାସ୍ତରୀୟ କୃଷି ଅଧିକାରୀ, ମତ୍ସ୍ୟ ଓ ପ୍ରାଣୀସଂପଦ ଅଧିକାରୀ ଓ ପର୍ଯ୍ୟଟନ ଅଧିକାରୀଙ୍କ ସହ ଆଲୋଚନା ହୋଇଥିଲା । ଅପରାହ@ରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ଶିଳ୍ପୋଦ୍ୟୋଗୀମାନଙ୍କ ସହିତ ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ସଂପର୍କରେ ପାରସ୍ପରିକ ଆଲୋଚନା ହୋଇଥିଲା ।

ବୈଠକରେ ଏମ୍‌ଏସ୍‌ଏମ୍‌ଇ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ପରେ ଆୟୋଜିତ ସମ୍ବାଦଦାତା ସମ୍ମିଳନୀରେ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଶ୍ରୀ ତି୍ରପାଠୀ କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ିଶାର ଶିଳ୍ପ କ୍ଷେତ୍ରର ବିକାଶ ପାଇଁ ତାଙ୍କ ଅଧ୍ୟକ୍ଷତାରେ ପ୍ରମୁଖ ଶାସନ ସଚିବ, ଏମ୍‌ଏସ୍‌ଏମ୍‌ଇ, ପ୍ରମୁଖ ଶାସନ ସଚିବ ଶିଳ୍ପ ବିଭାଗ, ଶିଳ୍ପ ନିର୍ଦ୍ଦେଶକ, ଏମ୍‌ଡି ଇପିକଲ୍‌, ଏମ୍‌ଡି ଇଡ୍‌କୋଙ୍କକୁ ନେଇ ଗଠିତ ଟିମ୍‌ ସହିତ ବୃହତ୍‌, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କର୍ମକର୍ତ୍ତାଙ୍କ ସହ ପାରସ୍ପରିକ ଆଲୋଚନା ହୋଇଛି ।

ପାରାଦ୍ୱୀପ ଭାରତବର୍ଷର ପୁରାତନ ଦ୍ୱିତୀୟ ବୃହତ୍ତମ ବନ୍ଦର ଏବଂ ଦେଶର ପ୍ରଗତିର ମୁଖଶାଳା । ପାରାଦ୍ୱୀପଠାରେ ଇଫ୍‌କୋ, ପିପିଏଲ୍‌ ଭଳି ବୃହତ୍‌ ଶିଳ୍ପସଂସ୍ଥାର ବ୍ୟାପକ ପ୍ରସାରଣ ହେବାକୁ ଯାଉଛି । ଆଗକୁ ଜେ.ଏସ୍‌.ଡବ୍ଲୁ୍ୟର ଷ୍ଟିଲ୍‌ ପ୍ଲାଣ୍ଟ, ଏସାର ଭଳି ବୃହତ୍‌ ପ୍ରକଳ୍ପ ସହିତ ଆର୍ସେଲ ମିତଲ୍‌ର ମେଗା ପ୍ରକଳ୍ପ ପ୍ରତିଷ୍ଠା ହେବାକୁ ଯାଉଛି । ଓଡ଼ିଶା ସରକାରଙ୍କ ତରଫରୁ ପ୍ରମୁଖ ଶିଳ୍ପ ସଂସ୍ଥାମାନଙ୍କ ପାଇଁ ଜମି ଓ ବିଦୁ୍ୟତ ଯୋଗାଣ, ଜଳଯୋଗାଣ, ଗମନାଗମନ କ୍ଷେତ୍ରରେ ବ୍ୟାପକ ଉନ୍ନତି କରାଯିବ । ଶିଳ୍ପସଂସ୍ଥାମାନଙ୍କ ଦ୍ୱାରା ରାଜ୍ୟ ଓ ଦେଶର ଅର୍ଥନୀତିରେ ବିକାଶ ହେବ ।

ଏହି ବୈଠକରେ ଶିଳ୍ପ ନିର୍ଦ୍ଦେଶକ ମହମ୍ମଦ ସିଦ୍ଦିକ୍‌ ଆଲାମ୍‌, ଇପିକଲ୍‌ ଏମ୍‌ଡି ଶ୍ରୀ ଭୂପେନ୍ଦ୍ର ସିଂହ ପୁନିଆ, ଜଗତସିଂହପୁର ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟୱାରୀ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଗତକାଲି ସନ୍ଧ୍ୟାରେ ଶ୍ରୀ ତି୍ରପାଠୀ ପାରାଦ୍ୱୀପ ପୋର୍ଟ ଟ୍ରଷ୍ଟ ଅଧ୍ୟକ୍ଷ ଓ ଭାରତୀୟ ତୈଳ ନିଗମ କର୍ତ୍ତୃପକ୍ଷଙ୍କ ସହ ବୈଠକରେ ଯୋଗଦେଇଥିଲେ ।

Related posts