ଚିଲିକା: ଖବର ପ୍ରକାଶ ପରେ ଚେତିଲା ଅବକାରୀ ବିଭାଗ, ବିଭିନ୍ନ ସ୍ଥାନରେ କଲା ଚଢାଉ

Published: Mar 12, 2023, 9:56 pm IST

ସୀତାରାମ ଅଗ୍ରୱାଲ

ଚିଲିକା: ଗତକାଲି ବାଣପୁର ଓ ବାଲୁଗାଁ ଅଞ୍ଚଳରେ ବେଆଇନ ମଦର ଅବାଧ ବିକ୍ରି ଉପରେ ଏକ ଖବର ‘ସମୀକ୍ଷା’ ରେ ପ୍ରକାଶ ପାଇଥିଲା। ଏହାପରେ ଅବକାରୀ ବିଭାଗକୁ ଆକ୍ସନ ମୋଡ଼ରେ ଦେଖିବାକୁ ମିଳିଛି। ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଏବଂ ଜିଲ୍ଲା ଅବକାରୀ ଅଧିକ୍ଷକ ଝସକେତନ ବରିହାଙ୍କ ନିର୍ଦ୍ଦେଶକ୍ରମେ ଆଜି ଅବକାରୀ ଉପ ଅଧିକ୍ଷିକା ସୁମିତ୍ରା ଓରାମଙ୍କ ନେତୃତ୍ୱରେ ଅବକାରୀ ବିଭାଗ ବାଣପୁର ଓ ବାଲୁଗାଁ ଥାନାର ବିଭିନ୍ନ ଅଞ୍ଚଳରେ ଚଢାଉ କରିଛି।

ଚଢ଼ାଉ ବେଳେ ବିପୁଳ ପରିମାଣରେ ଦେଶୀ ବିଦେଶୀ ମଦ ଏବଂ ପୋଚ ଜବତ କରିଛି ଅବକାରୀ ବିଭାଗ। ଚଢ଼ାଉରେ ବାଣପୁର ଥାନା ଅନ୍ତର୍ଗତ ବାଲିକଣିଆ ଛକରୁ ୧୪.୪୦ ଲିଟର ଜିଂଜର, କଟୁଆଳରୁ ୪୦ ଲିଟର ଦେଶୀ ମଦ ଓ ୪୦୦ କେଜି ପୋଚ, ବିଷ୍ଣୁଡିହ ଗ୍ରାମରୁ ୫.୭୬ ଲିଟର ବିଦେଶୀ ମଦ ଏବଂ ବାଲୁଗାଁ ଥାନା ଅନ୍ତର୍ଗତ ସାମନ୍ତରାୟପୁର ଗ୍ରାମରୁ ୭.୪ ଲିଟର ଆସ୍କା ଫର୍ଟି ମଦ ଜବତ ହୋଇଛି।

ଅନୁରୂପ ଭାବେ ଚାରି ଜଣ ଅଭିଯୁକ୍ତ ଯଥା ସୁରେନ୍ଦ୍ର ଶବର (୩୭), ଅଞ୍ଜଳି ବେହେରା (୩୫), ନିରଞ୍ଜନ ଶବର (୨୭) ଏବଂ ଭିକାରି ବେହେରା (୫୨)ଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି।

ଉକ୍ତ ଚଢ଼ାଉରେ ଜିଲ୍ଲା ମୋବାଇଲ ଇନ୍ସପେକ୍ଟର ନୀଳିମା ଜୟନ୍ତୀ ସ୍ୱାଇଁ, ଟାଙ୍ଗୀ ରେଞ୍ଜ ଅବକାରୀ ଇନ୍ସପେକ୍ଟର ଆଲୋକ ପ୍ରଧାନ, ବାଲୁଗାଁ ଅବକାରୀ ଅଧିକାରୀ ରୋହିତ ଦଣ୍ଡସେନା, ଏଏସଆଇ ବିଶ୍ୱମ୍ବର ବିଶ୍ୱାଳ ଏବଂ ଅନ୍ୟ ଅବକାରୀ କର୍ମଚାରୀ ମାନେ ସାମିଲ ଥିଲେ। ତେବେ ଉକ୍ତ ଚଢ଼ାଉ ବାଣପୁର ବାଲୁଗାଁ ଅଞ୍ଚଳରେ ନିରନ୍ତର ଭାବେ ଜାରି ରହିବ ବୋଲି ଅବକାରୀ ଅଧିକ୍ଷକ ଶ୍ରୀ ବରିହା କହିଛନ୍ତି।

Related posts