ବିଜେଡି ପ୍ରତିଷ୍ଠା ଦିବସରେ ନବୀନଙ୍କ ଭବିଷ୍ୟବାଣୀ ଶୁଣି ବିରୋଧୀଙ୍କ ମୁଣ୍ଡ ଖରାପ

Published: Dec 26, 2022, 5:46 pm IST
BJD Foundation Day

ପୁରୀ: ଆଜି ପୁରୀରେ ବିଜେଡି ତାହାର ପ୍ରତିଷ୍ଠା ଦିବସ ପାଳନ କରିଛି। ଏଥିପାଇଁ ଦଳ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ଏହି ଦିବସରେ ଖୋଦ ବିଜେଡି ସୁପ୍ରିମୋ ତଥା ଦଳର ସଭାପତି ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ। ତାଙ୍କର ଭାଷଣ ଶୁଣିବା ପାଇଁ ସେଠାରେ ଦଳର କର୍ମିଙ୍କ ଠାରୁ ଆରମ୍ଭ କରି ନେତାମାନେ ମଧ୍ୟ ଅପେକ୍ଷା କରିଥିଲେ। ନବୀନ ସେଠାରେ ଯାହା କହିଲେ ତାହା ଶୁଣି କର୍ମିମାନେ ବେଶ ଉତ୍ସାହିତ ହେଲେ, କିନ୍ତୁ ଟିଭିରୁ ଏହି ଭାଷଣ ଶୁଣି ବିରୋଧୀଙ୍କ ମୁଣ୍ଡ ଖରାପ ହୋଇଯାଇଛି।

ଆଜି ନବୀନ ହେଲିକାପ୍ଟରରେ ପୁରୀ ସଭା ସ୍ଥଳରେ ପହଁଚିଥିଲେ। ସେଠାରେ ତାଙ୍କୁ ଦଳୀୟ କର୍ମାମାନେ ସ୍ବାଗତ କରି ନେଇଥିଲେ। ପୂର୍ବରୁ ସେହି ମଞ୍ଚରେ ବହୁ ବରିଷ୍ଠ ନେତାମାନେ ଭାଷଣ ଦେଇ ପରିବେଷକୁ ସରଗରମ କରି ରଖିଥିଲେ। ନବୀନ ପହଁଚିବା ପରେ ଏହି ପରିବେଷ ଆହୁରି ସରଗରମ ହୋଇପଡିଲା।

ମହେଶ୍ବର ମହାନ୍ତି, ପ୍ରସନ୍ନ ଆଚାର୍ଯ୍ୟ ଦେବୀ ମିଶ୍ର, ପ୍ରମିଳା ମଲ୍ଲିକ ପ୍ରମୁଖ ଭାଷଣ ଦେବା ପରେ ମୁଖ୍ୟମନ୍ତ୍ରୀ ତାଙ୍କର ଭାଷଣ ଆରମ୍ଭ କରିଥିଲେ। ସଂକ୍ଷିପ୍ତ ଭାଷଣ ପରେ ଆରମ୍ଭ ହୋଇଥିଲା ନବୀନଙ୍କ ଭିଡିଓ ଭାଷଣ। ଏଥିରେ ନବୀନ ଦୀର୍ଘ ଭାଷଣର ଶେଷ ପର୍ଯ୍ୟାୟରେ ମଞ୍ଜି କଥାଗୁଡିକ କହିଥିଲେ। ଯାହା ବିରୋଧୀଙ୍କୁ ବିଚଳିତ କରିଛି।

ସେ କହିଥିଲେ ଯେ, ଆଜି ବିଜେଡି 25 ବର୍ଷ ପୁରଣ କରିଛି, ଆଗକୁ ଏହି ଦଳ 50 ବର୍ଷ ପୁରଣ କରିବ। ଯଦି ମାଆମାନେ ଆର୍ଶିବାଦ କରିବେ ତେବେ ବିଜେଡି ଆହୁରି 100 ବର୍ଷ ପର୍ଯ୍ୟନ୍ତ ଲୋକଙ୍କ ସେବା କରିବ। ଏହି କଥା ଶୁଣି ବିରୋଧୀଙ୍କ ମୁଣ୍ଡ ଗରମ ହୋଇଯାଇଛି। କାରଣ  ବିଜେଡି ବର୍ତ୍ତମାନ ସରକାର ବା କ୍ଷମତାରେ ଅଛି ବୋଲି କହୁ ନାହିଁ, ବରଂ ଲୋକଙ୍କ ସେବା କରୁଛି ବୋଲି କହୁଛି। ସେହି ଅର୍ଥରେ ଗଲେ ବର୍ତ୍ତମାନ ବିଜେଡି ଆହୁରି 100 ବର୍ଷ ଶାସନ କରିବ ବୋଲି ନବୀନ ଭବିଷ୍ୟବାଣୀ ଦେଇ ଦେଲେ।

ନବୀନ ସେହି ଭାଷଣରେ ସ୍ପଷ୍ଟ କରିଥିଲେ ଯେ, ଓଡିଶାର ଲୋକମାନଙ୍କର ଆର୍ଶିବାଦରେ ଦଳ 25 ବର୍ଷ ଧରି ସେମାନଙ୍କର ସେବା କରୁଛି। ସେଥିପାଇଁ ବିଜେଡି ଏକ ରାଜନୈତିକ ଦଳ ନୁହେଁ ବରଂ ସାମାଜିକ ଆନ୍ଦୋଳନ ଭାବେ ଗଢି ଉଠିଛି। ଏହିପରି ଏକ ଦଳରେ ଲୋକଙ୍କର ସେବା କରିବା ପାଇଁ ସମସ୍ତେ ଆଗେଇ ଆସିବା ଦରକାର ବୋଲି ନବୀନ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ।

ସେ ରାଜ୍ୟର ଚାଷୀ, ସମାଜସେବୀ, ଛାତ୍ର, ଯୁବକ, ବ୍ୟବସାୟୀ ସମସ୍ତେ ବିଜେଡିରେ ସାମିଲ ହୋଇ ଏହି ଆନ୍ଦୋଳନକୁ ଆଗେଇ ନିଅନ୍ତୁ ବୋଲି ନବୀନ କହିଥିଲେ। ଆଜି ଆମେ ମହିଳାମାନଙ୍କୁ ସଶକ୍ତ କରିପାରିଛୁ। ଘରେ ମହିଳା ସଶକ୍ତ ହେଲେ ଭଲ ପରିବାର ସୃଷ୍ଟି ହେବ। ସେହିପରି ରାଜ୍ୟରେ ମଧ୍ୟ ମହିଳା ସଶକ୍ତ ହେଲେ ଓଡିଶାର ବିକାଶ ହେବ। ସେଥିପାଇଁ ମହିଳାଙ୍କ ସହିତ ସବୁ ବର୍ଗର ଲୋକେ ବିଜେଡିରେ ସାମିଲ ହୁଅନ୍ତୁ ବୋଲି ନବୀନ କହିଥିଲେ।

Related posts