Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ନନାଙ୍କ ସଂସ୍କୃତ ଓ ଭକ୍ତଙ୍କ ଭାଗବତ; ଏହାରି ଭିତରେ ବ୍ରାହ୍ମଣର ଯଜମାନି ପାଲଟି ଯାଉଛି ଆମର ଗଣତନ୍ତ୍ର
ବିଶେଷ ଖବର

ନନାଙ୍କ ସଂସ୍କୃତ ଓ ଭକ୍ତଙ୍କ ଭାଗବତ; ଏହାରି ଭିତରେ ବ୍ରାହ୍ମଣର ଯଜମାନି ପାଲଟି ଯାଉଛି ଆମର ଗଣତନ୍ତ୍ର

June 19, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର 

ନନା ଅନର୍ଗଳ ସଂସ୍କୃତରେ ଟେଲିଭିଜନକୁ ସାକ୍ଷାତ୍କାର ଦେଲେ।

ନନା ସଂସ୍କୃତରେ ଲୋକସଭା ସଦସ୍ୟ ଭାବରେ ଶପଥ ନେଲେ।

ନନା ସଂସ୍କୃତରେ ଶପଥ ନେଲାବେଳେ ଲୋକସଭାରେ ସର୍ବାଧିକ ତାଳି ପଡିଲା।

ନନା ଗାଁ କୁ ଆସି ଗାଡିଆରେ ଗାଧେଇଲେ।

ନନା ଭଉଣୀ ରାନ୍ଧିଥିବା ଭାତ ଶାଗ ନ ଖାଇ ଓପାସରେ ଶୋଇ ପଡିଲେ।

ନନାଙ୍କ ବିଷୟରେ କିଛି ସାମ୍ବାଦିକ ମିଥ୍ୟା ସମ୍ବାଦ ପରିବେଷଣ କରୁଛନ୍ତି।

ନନାଙ୍କ ସଫଳତା ଦେଖି କିଛି ଲୋକ ସହି ପାରୁନାହାନ୍ତି।

ନନାଙ୍କ ବିରୋଧରେ ତାଙ୍କ ଦଳର ଜଣେ ବଡ ନେତା ଷଡଯନ୍ତ୍ର କରୁଛନ୍ତି।

ନନା ଆମର ନାଥୁରାମ ଗଡସେକୁ ଦେଶପ୍ରେମୀ ବୋଲି କହନ୍ତି ସିନା ବାସ୍ତବରେ ସେ ଗାନ୍ଧୀବାଦି!!

ନନା…..ନନା…ନନା…… ସତେକି ଓଡିଶାର ସାମ୍ବାଦିକତା ଏବେ ନନା କୈନ୍ଦ୍ରିକ। ୟା ଆଗରୁ ପ୍ରତାପ ଷଡଙ୍ଗୀ ୧୦ ବର୍ଷ ବିଧାୟକ ଥିଲେ। ତାଙ୍କ ରାଜନୈତିକ ଜୀବନରେ ସେ ତିନୋଟି ନିର୍ବାଚନ ଜିତିଛନ୍ତି, ଦୁଇଟି ହାରିଛନ୍ତି। ହେଲେ ତାଙ୍କ ବିଷୟରେ ଏମିତି ବ୍ରହ୍ମଜ୍ଞାନ ହଠାତ ଉଦୟ ହେଲା କାହିଁକି? ସବୁଠୁ ମଜାର କଥା ହେଲା, ସେ ମନ୍ତ୍ରୀ ହେବାର ଲବି ଆରମ୍ଭ ହେଲା ବେଳକୁ ତାଙ୍କର ଦାରିଦ୍ର୍ୟ ଓ ସରଲା ଜୀବନକୁ ନେଇ ବହୁତ ଚର୍ଚ୍ଚା ହେଉଥିଲା। (ଦୁଇଥର ବିଧାୟକ ହୋଇ ଦରମା ଓ ପେନସନ ପାଇ କି ପ୍ରକାର ଦାରିଦ୍ର୍ୟ!) ଏବେ ତାଙ୍କର ସଂସ୍କୃତ ବ୍ୟବହାର କୁ ନେଇ ଚର୍ଚ୍ଚା ଚାଲିଛି। ହଠାତ ସେ ସଂସ୍କୃତ ଭାଷାର ରାଷ୍ଟ୍ରଦୂତ ଭାବରେ ସାମ୍ବାଦିକଙ୍କ ଦ୍ଵାରା ପୂଜିତ ହେବା ଆରମ୍ଭ କରିଛନ୍ତି।

ଯେଉଁ ସାମ୍ବାଦିକମାନେ ସଂସ୍କୃତର ଗୋଟିଏ ଶବ୍ଦ ବୁଝିପାରନ୍ତି ନାହିଁ, ସେମାନେ ପ୍ରତାପ ଷଡଙ୍ଗୀଙ୍କ ସଂସ୍କୃତ ଜ୍ଞାନକୁ ନେଇ ଗଦଗଦ ହୋଇ ପଡ଼ୁଛନ୍ତି। ଓଡିଶାର ଦୁଇଟି ଟେଲିଭିଜନ ଚାନେଲ ଏବେ ପ୍ରତାପ ବାବୁଙ୍କୁ ( ଏ ନନା ଶବ୍ଦଟି କେବେ,କେଉଁଠି, କେମିତି ପ୍ରତାପ ଷଡଙ୍ଗୀଙ୍କ ନାଁ ଆଗରେ ଯୋଡିହେଲା, ତାହା ମଧ୍ୟ ବିଶେଷ ଅନୁସନ୍ଧାନର ବିଷୟ) ମହାପୁରୁଷ କରିବାର ପୂର୍ଣ୍ଣକାଳୀନ ପ୍ରକଳ୍ପ ଆରମ୍ଭ କରିଛନ୍ତି। ସେମାନେ ଏବେ ପୂର୍ଣ୍ଣ ପ୍ରତାପଗତ ପ୍ରାଣ!!

ହଁ, ଏବେ ପଣ୍ଡିତ ପ୍ରତାପ ଷଡଙ୍ଗୀଙ୍କ ସଂସ୍କୃତ ପାଖକୁ ଫେରିବା। ପ୍ରତାପ ବାବୁ ମନ୍ତ୍ରୀ ଭାବରେ ହିନ୍ଦୀରେ ଓ ଲୋକସଭା ସଦସ୍ୟ ଭାବରେ ସଂସ୍କୃତରେ ଶପଥ ନେଲେ। ହିନ୍ଦୀ ଅବା ସଂସ୍କୃତ ତାଙ୍କର ମାତୃଭାଷା କି? ଆମ ଜାଣିବାରେ ୧୩୦ କୋଟି ଲୋକଙ୍କର ଭାରତରେ ମାତ୍ର ୨୪,୮୨୧ ଜଣ ଲୋକ ନିଜ ମାତୃଭାଷା ସଂସ୍କୃତ ବୋଲି ୨୦୧୧ ଜନଗଣନା ସମୟରେ କହିଥିଲେ। ପ୍ରତାପ ବାବୁ କଣ ସେଇ ମାନଙ୍କ ଭିତରୁ ଅନ୍ୟତମ? ଲୋକସଭାରେ ସେ ଯେଉଁ ଭାଷାରେ ଶପଥ ନେଲେ ତାହା ତାଙ୍କର ମାତୃଭାଷା ନଥିଲା କିମ୍ବା ତାଙ୍କୁ ନିର୍ବାଚିତ କରିଥିବା ଲୋକଙ୍କର ମଧ୍ୟ ଭାଷା ନଥିଲା। ତାହେଲେ ସେ ସଂସ୍କୃତକୁ ନିଜର ଭାଷା ଭାବରେ ବାଛିଲେ କାହିଁକି? ଉଦ୍ଦେଶ୍ୟମୂଳକ ଭାବରେ ପ୍ରତାପ ଷଡଙ୍ଗୀଙ୍କୁ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ହିଦୁତ୍ଵ ମୁଖା ଭାବରେ ବ୍ୟବହାର କରାଯାଉଛି। ସଂସ୍କୃତ ଓ ସଂସ୍କୃତ ଆଧାରିତ ବ୍ରାହ୍ମଣବାଦକୁ ଲୋକସଭା ଭିତରେ ଅଧିକ ପ୍ରାଧାନ୍ୟ ଦେବାର ଏହା ଏକ ସୁଚିନ୍ତିତ ରଣନୀତି।

ପ୍ରତାପ ଷଡଙ୍ଗୀ ନିଜର ଓଡିଆ ପରିଚୟ ଅପେକ୍ଷା ନିଜର ସଂସ୍କୃତ ପରିଚୟକୁ ନେଇ ଏତେ ଉତ୍ସାହିତ କାହିଁକି? ଏ ପ୍ରଶ୍ନ ପଚାରିବା ଗଣମାଧ୍ୟମର ଦାୟିତ୍ଵ। ହେଲେ ଗଣମାଧ୍ୟମ ତାଙ୍କର ସଂସ୍କୃତ ଶୁଣି ମନ୍ତ୍ରମୁଗ୍ଧ ହୋଇ ପଡିଛନ୍ତି। ପ୍ରତାପ ନନାଙ୍କ(ନନା କହିଲେ କି ଅର୍ଥ ବହନ କରେ ତାକୁ ନେଇ ବହୁ ଆଞ୍ଚଳିକ ମତ ରହିଛି। ପୁରୀ ଓ ଗଞ୍ଜାମରେ ନନା ହେଉଛନ୍ତି ବାପା, ଉତ୍ତର ଓଡିଶାରେ ନନା ହେଉଛନ୍ତି ବଡଭାଇ, ପଶ୍ଚିମ ଓଡିଶାରେ ଏହା ପିଉସୀ ଅଥବା ଆଈ) ବାଷ୍ପୀୟ ଶକଟ ଜାତୀୟ ସଂସ୍କୃତ(ୟାର ଅର୍ଥ କିଛି ବୁଝିଲେ? ଦେଶୀ ଓଡିଆରେ କହିଲେ ରେଳଗାଡି ପରିକା ଦଉଡୁଥିବା ସଂସ୍କୃତ) ବୁଝିବାର ସାମର୍ଥ୍ୟ ଆମର କେତେଜଣ ସାମ୍ବାଦିକଙ୍କର ରହିଛି ସେମାନେ ହାତ ଟେକିବେ କି?

ବ୍ୟକ୍ତିଗତ ଭାବରେ ମୁଁ ସଂସ୍କୃତ ପଢିପାରେ, ବୁଝିପାରେ, ଟିକେ ଟିକେ କହି ମଧ୍ୟ ପାରେ। ପ୍ରତାପ ବାବୁଙ୍କର ସଂସ୍କୃତ ସାକ୍ଷାତ୍କାରଟିକୁ ମୁଁ ଶୁଣିବାକୁ ଚେଷ୍ଟା କରୁଥିଲି। ସେ ଏତେ ତୀବ୍ର ଗତିରେ ସଂସ୍କୃତ କହୁଥିଲେ ଯେ, ସେଥିରେ ମୋତେ ଗୋଟିଏ ଶବ୍ଦକୁ ବୁଝିବା କାଠିକର ହେଉଥିଲା। ତେଣୁ ଯାହା ବୁଝି ନହୁଏ ତାହା ସଂସ୍କୃତ ବୋଲି ଆମେ କହିପାରିବା କି? ଲୋକ ଜୀବନରେ ଯେଉଁ ଭାଷାର କୌଣସି ବ୍ୟବହାର ଆଉ ନାହିଁ, ତାକୁ ଲୋକସଭାରେ ଭାଷା ବୋଲି ବାହାଷ୍ଫୋଟ ମାରିବାର ମାନେ କଣ? ତେବେ ଏହି ଘଟଣାର ପରବର୍ତ୍ତୀ ପ୍ରତିକ୍ରିୟା ଆମେ ଉତ୍ତର ପ୍ରଦେଶରେ ଦେଖୁଛୁ। ଉତ୍ତର ପ୍ରଦେଶ ସରକାର କହିଲେଣି, ଏଣିକି ସବୁ ସରକାରୀ ବିଜ୍ଞପ୍ତି ସଂସ୍କୃତ ଭାଷାରେ ମଧ୍ୟ ପ୍ରକାଶ ପାଇବା। ଏଇ ସମଗ୍ର ଘଟଣାକ୍ରମ ର ମଞ୍ଜକଥାଟି ଏଇଆ । ଦେବତା ଓ ବ୍ରାହ୍ମଣଙ୍କର ପ୍ରାୟ ମରିଆସୁଥିବା ଓ ଏ ଦେଶର ମାତ୍ର ୦.୦୦୧% ଲୋକ ଜାଣିଥିବା ଏକ ଭାଷାକୁ ଲୋକତନ୍ତ୍ରର ଭାଷା ଭାବରେ ପ୍ରତିଷ୍ଠା କରିବାର ଏ ଉଦ୍ୟମ ପଛରେ କେତେ ବଡ ଷଡଯନ୍ତ୍ର ରହିଛି, ତାକୁ ବୁଝିଲା ବେଳକୁ ନେଡି ଗୁଡ କହୁଣୀକି ବୋହି ସାରିଥିବ!

ମୋବାଇଲରେ ସଂକ୍ଷିପ୍ତ ଖବର ପଢିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ Sankhipta ଆପ୍

BJP minister mp praliament pratapsarangi
Share. Facebook Twitter LinkedIn Email WhatsApp Copy Link

Related Posts

ଧର୍ମ ପରିବର୍ତ୍ତନ ପରେ ମିଳିବନି ଆରକ୍ଷଣ ସୁବିଧା: ସୁପ୍ରିମକୋର୍ଟ

October 15, 2026

ରାଜ୍ୟପାଳ ହେବା ପରେ ବ୍ରଜମୋହନ ରାମଙ୍କ ଦଳୀୟ ପ୍ରେମ?: ନବୀନ ପଟ୍ଟନାୟକଙ୍କ କଡ଼ା ପ୍ରତିକ୍ରିୟା

October 15, 2026

ମୁମ୍ବାଇ ପୋଲିସର ବଡ କାର୍ଯ୍ୟାନୁଷ୍ଠାନ: ଆମିର ଖାନଙ୍କ ଭଣଜାଙ୍କୁ ଭାରତ ଛାଡିବା ପାଇଁ ନୋଟିସ

October 15, 2026

ଏନ୍‌ଏସ୍‌ଏପି ଅବଧି ୫ ବର୍ଷ ବୃଦ୍ଧି

October 14, 2026
Latest News

ଧର୍ମ ପରିବର୍ତ୍ତନ ପରେ ମିଳିବନି ଆରକ୍ଷଣ ସୁବିଧା: ସୁପ୍ରିମକୋର୍ଟ

October 15, 2026

ରାଜନୈତିକ ଦଳ ଘୋଷଣା କଲେ ଦିବ୍ୟା ମିତ୍ତଲ: ଦେଲେ ତିନୋଟି ପ୍ରତିଶ୍ରୁତି

October 15, 2026

ରାଜ୍ୟପାଳ ହେବା ପରେ ବ୍ରଜମୋହନ ରାମଙ୍କ ଦଳୀୟ ପ୍ରେମ?: ନବୀନ ପଟ୍ଟନାୟକଙ୍କ କଡ଼ା ପ୍ରତିକ୍ରିୟା

October 15, 2026

ଭୟଙ୍କର ଦୁର୍ଘଟଣା: ଜଣେ ମୃତ ୧୦ ରୁ ଅଧିକ ଆହତ

October 15, 2026

କିଏ ହେବ ଟିମ୍ ଇଣ୍ଡିଆର ନୂତନ ମୁଖ୍ୟ ଚୟନକର୍ତ୍ତା, ବିସିସିଆଇର ନୂତନ ଯୋଜନା କ’ଣ?

October 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.