ଭୁବନେଶ୍ୱର: ରାଜ୍ୟର ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ବ୍ୟାବହାରିକ ଏବଂ କ୍ଷେତ୍ର-ଭିତ୍ତିକ ଧନ୍ଦାମୂଳକ ଶିକ୍ଷା ପ୍ରଦାନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ଏବଂ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ମଧ୍ୟରେ ଏକ ଆନୁଷ୍ଠାନିକ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷରିତ ହୋଇଛି। ଏହି ଯୋଜନା ଅଧୀନରେ ରାଜ୍ୟର ୨୦ଟି ଜିଲ୍ଲାର ୨୬ଟି ପିଏମ୍ଶ୍ରୀ ଓ ସରକାରୀ ଉଚ୍ଚ ବିଦ୍ୟାଳୟରେ ‘ଡୁଆଲ୍ ମୋଡ୍ ଭୋକେସନାଲ୍ ଏଜୁକେସନ୍’ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି।
ଓୟୁଏଟି ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ଉଦ୍ଘାଟନୀ ସମାରୋହରେ ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ସଙ୍ଗୀତା ବେହେରା ଏବଂ ଓୟୁଏଟି ଏକ୍ସଟେନସନ ଶିକ୍ଷା ବିଭାଗର ଡିନ୍ ପ୍ରଫେସର ସୁଶାନ୍ତ କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍କୁଲର ପ୍ରଧାନଶିକ୍ଷକ, କୃଷି ବିଜ୍ଞାନ କେନ୍ଦ୍ର ର ବୈଜ୍ଞାନିକ ଓ ଜିଲ୍ଲା ଶିକ୍ଷା ଅଧିକାରୀମାନେ ଭର୍ଚ୍ଚୁଆଲି ଅଂଶଗ୍ରହଣ କରିଥିଲେ।
ସମାବେଶକୁ ସମ୍ବୋଧିତ କରି ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ କହିଥିଲେ ଯେ, ସାଧାରଣ ଶ୍ରେଣୀଗୃହ ଶିକ୍ଷା ବାହାରେ ଛାତ୍ରଛାତ୍ରୀଙ୍କୁ ଦକ୍ଷ ଓ କର୍ମକୁଶଳ କରିବା ପାଇଁ ଏହି ସହଭାଗିତା ଏକ ନୂତନ ସୁଯୋଗ ସୃଷ୍ଟି କରିବ। ଏଥିସହିତ ପ୍ରଫେସର ସ୍ୱାଇଁ ଏହି ପଦକ୍ଷେପକୁ ସ୍ୱାଗତ କରିବା ସହ କୃଷି ବିଜ୍ଞାନ କେନ୍ଦ୍ରଗୁଡ଼ିକ ମାଧ୍ୟମରେ ସମ୍ପୂର୍ଣ୍ଣ ସହଯୋଗ ଯୋଗାଇଦେବାକୁ ଆଶ୍ୱାସନା ଦେଇଛନ୍ତି।


