ମେଣ୍ଟକୁ ନେଇ ବାଉଳା ହେଲେଣି ମନମୋହନ ସାମଲ, ପୁଣି ଦିଲ୍ଲୀ ଡକରା, କଥା ବଦଳାଇଲେ

Published: Mar 14, 2024, 5:28 pm IST

ଭୁବନେଶ୍ବର: ବର୍ତ୍ତମାନ ମେଣ୍ଟକୁ ନେଇ ବିଜେପି ସଭାପତି ମନମୋହନ ସାମଲ ପ୍ରବଳ ଚାପରେ ରହିଛନ୍ତି। ସେ ଏହି ମେଣ୍ଟ ସଂପର୍କରେ କଣ କେତେବେଳେ କହୁଛନ୍ତି ତାହା ଜାଣିପାରୁ ନାହାଁନ୍ତି। ଆଜି ସକାଳେ ମନମୋହନ ଦିଲ୍ଲୀରୁ ଭୁବନେଶ୍ବରରେ ପହଞ୍ଚିଥିଲେ। କିଛି ଘଣ୍ଟା ପରେ ପୁଣି ତାଙ୍କୁ ଦିଲ୍ଲୀ ଡକରା ଆସିଲାଣି। ଫଳରେ ଏହି ମେଣ୍ଟ ଚର୍ଚ୍ଚା ପୁଣି ଥରେ ଜୋର ଧରିଛି।

ସକାଳେ ମନମୋହନ ସାମଲ କହିଲେ ଯେ, ଓଡିଶାରେ ବିଜେପି ଏକକାକୀ ସରକାର ଗଠନ କରିବ। କାହା ସହିତ ମେଣ୍ଟ କରିବ ନାହିଁ। ବାରମ୍ବାର ମେଣ୍ଟ ସଂପର୍କରେ ପଚରାଯିବା ପରେ ସେ ଏହାର ଉତ୍ତର ଦେବାକୁ ଏଡାଇ ଯାଇଥିଲେ। ସେ ଗୋଟିଏ ଉତ୍ତର ଦେଇଥିଲେ ଯେ, ଓଡିଶାରେ ବିଜେପି ସରକାର କରିବ। ତାହାର ପକ୍ରିୟା ଚାଲିଛି।

ଏତିକି କହି ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ସେ ତାଙ୍କ ଟୁଇଟରରେ ଓଡିଶାର ବିଜେପି ସରକାର ଗଠନ କରିବ ବୋଲି ଉଲ୍ଲେଖ କରିଥିଲେ। ଏହାର କିଛି ସମୟ ପରେ ସେ ସେହି ଟୁଇଟକୁ ହଟାଇ ଦେଲେ। ଯାହାକୁ ନେଇ ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି। ସେ କଣ ଦିଲ୍ଲୀ ନେତୃତ୍ୟଙ୍କ ଚାପରେ ଟୁଇଟର ନିଜ ଲେଖା ହଟାଇ ଦେଲେ କି ବୋଲି ପ୍ରଶ୍ନ ସୃଷ୍ଟି ହୋଇଛି।

ଏବେ ପୁଣି ତାଙ୍କୁ ଦିଲ୍ଲୀ ଡକରା ଆସିଛି ବୋଲି କୁହାଯାଇଛି। ତା ପୂର୍ବରୁ ସେ ତାଙ୍କର ବୟାନରେ ପରିବର୍ତ୍ତନ କରିଛନ୍ତି। ସେ କହିଛନ୍ତି ଯେ, ମେଣ୍ଟ କଥା ଶୀର୍ଷ ନେତୃତ୍ବ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ନେବେ। ଆମେ ସେ ସଂପର୍କରେ କିଛି କହିପାରିବୁ ନାହିଁ ବୋଲି ସେ ମନ୍ତବ୍ୟ ଦେଇଛନ୍ତି। ଫଳରେ ମନମୋହନ ସାମଲ ଏହାକୁ ନେଇ ପୁରା ବାଉଳା ହୋଇଗଲେଣି କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ସକାଳେ ଗୋଟେ କଥା କହୁଥିବା ବେଳେ ମଧ୍ୟାହ୍ନରେ ଆଉ ଏକ କଥା କହୁଛନ୍ତି।

ମନମୋହନଙ୍କ ଗତିବିଧିରୁ ସ୍ପଷ୍ଟ ଜଣାପଡିଛି ଯେ, ବିଜେପିର ଶୀର୍ଷ ନେତୃତ୍ବ ମେଣ୍ଟ କରିବାକୁ ଚାହୁଁଛନ୍ତି ହେଲେ ମନମୋହନ କୁଆଡେ ରାଜି ହେଉ ନାହାଁନ୍ତି। ତେଣୁ ହୁଏତ ଏପରି ପରିସ୍ଥିତିରେ ମନମୋହନଙ୍କ ଉପରେ ଦଳ କିଛି ବଡ ପଦକ୍ଷେପ ନେଇଯାଇପାରେ ବୋଲି ଚର୍ଚ୍ଚା ଚାଲିଛି।

Related posts