ଏଣିକି ମାଗଣା ଯୋଜନା ଉପରେ ଲାଗିବ କଟକଣା, ସୁପ୍ରିମକୋର୍ଟଙ୍କ ରାୟକୁ ଅପେକ୍ଷା

Published: Sep 19, 2024, 10:48 am IST

ନୂଆଦିଲ୍ଲୀ: ନିର୍ବାଚନ ସମୟରେ ରାଜନୈତିକ ଦଳଗୁଡିକ ଘୋଷଣା କରୁଥିବା ମାଗଣା ଯୋଜନା ଉପରେ ଲାଗିବ ଅଙ୍କୁଶ। ଏ ନେଇ ସୁପ୍ରିମକୋର୍ଟରେ କରାଯାଇଥିବା ଜନସ୍ବାର୍ଥ ମାମଲାର ରାୟକୁ ଅପେକ୍ଷା କରାଯାଇଛି। ଯଦି କୌଣସି ଦଳ ନିର୍ବାଚନ ପ୍ରଚାରରେ ଭୋଟ ହାତେଇବା ପାଇଁ ମାଗଣା ଯୋଜନା ଘୋଷଣା କରେ ତେବେ ସେ ଦଳର ଚିହ୍ନକୁ ବାତିଲ କରାଯାଉ ବୋଲି କୋର୍ଟରେ ଆବେଦନ କରାଯାଇଛି।

ଗତକାଲି ସୁପ୍ରିମକୋର୍ଟରେ ଏହି ଜନସ୍ବାର୍ଥ ମାମଲା ଉପରେ ଶୁଣାଣି ହୋଇଥିଲା। ମୁଖ୍ୟ ବିଚାରପତିଙ୍କ କୋର୍ଟରେ ଏହା ପଡିବା ପରେ ଅନ୍ୟ କାର୍ଯ୍ୟରେ ବ୍ୟସ୍ତ ରହିଥିବାରୁ ଶୁଣାଣି ହୋଇପାରିଲା ନାହିଁ। ହେଲେ ମୁଖ୍ୟ ବିଚାରପତି ଏହି ମାମଲାକୁ ତାଲିକାରୁ ହଟାଯିବ ନାହିଁ ଏବଂ ପରବର୍ତ୍ତି ସମୟରେ ଶୁଣାଣି କରିବେ ବୋଲି କହିଥିଲେ। ଫଳରେ ଯେତେବେଳେ ଏହି ମାମଲାର ଶୁଣାଣି ହେବ ସେତେବେଳେ ରାଜନୈତିକ ଦଳର ଏହି ଫନ୍ଦିଫାନ୍ଦି ଘୋଷଣାର ଏକ ବିରାମ ଲାଗିବ ବୋଲି ଆଶା କରାଯାଉଛି।

ସାଧାରଣତଃ ନିର୍ବାଚନ ସମୟରେ ପ୍ରାୟ ସବୁ ରାଜନୈତିକ ଦଳ ଭୋଟ ହାତେଇବା ପାଇଁ ବିଭିନ୍ନ ଲୋଭନୀୟ ଯୋଜନା ବା ମାଗଣା ଯୋଜନାର ଘୋଷଣା କରିଥାନ୍ତି। ନିର୍ବାଚନରେ ବିଜୟ ଲାଭ କରିବା ପରେ ସେମାନେ ଦେଇଥିବା ପ୍ରତିଶୃତି ପୂରଣ କରିବା ପାଇଁ ଚେଷ୍ଠା କରନ୍ତି। ଫଳରେ ରାଜ୍ୟ ବା ଦେଶ ରାଜକୋଷରୁ କୋଟିକୋଟି ଟଙ୍କା ବରବାଦ ହୁଏ। ଏହାକୁ ରୋକିବା ପାଇଁ ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ଶ୍ରୀ ଅଶ୍ବିନୀ ଉପାଧ୍ୟାୟ ଏକ ଜନସ୍ବାର୍ଥ ମାମଲା ଋଜୁ କରିଛନ୍ତି।

ଶ୍ରୀ ଉପାଧ୍ୟାୟ ତାଙ୍କ ଆବେଦନରେ ଉଲ୍ଲେଖ କରିଛନ୍ତି ଯେ, ଯେଉଁ ରାଜନୈତିକ ଦଳ ଭୋଟ ପାଇଁ ମାଗଣା ଯୋଜନା ଘୋଷଣା କରୁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ସେହି ଦଳର ଚିହ୍ନକୁ କିମ୍ବା ତାଙ୍କ ପଂଜିକରଣକୁ ରଦ୍ଦ କରାଯାଉ। ସେହିଦଳ ଯେପରି ଆଗାମୀ ନିର୍ବାଚନରେ ଅଂଶ ଗ୍ରହଣ କରିପାରିବ ନାହିଁ ସେହିପରି ପଦକ୍ଷେପ ଗ୍ରହଣ କରାଯାଉ ବୋଲି ସେ କୋର୍ଟକୁ ନିବେଦନ କରିଛନ୍ତି।

ଗତକାଲି ମୁଖ୍ୟ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୁଡ, ବିଚାରପତି ଜଷ୍ଟିସ ଜେବି ପାର୍ଦିୱାଲ ଏବଂ ବିଚାରପତି ଜଷ୍ଟିସ ମନୋଜ ମିଶ୍ର ଖଣ୍ଡପୀଠରେ ଏହା ଶୁଣାଣି ପାଇଁ ଥିଲା। ଏ ନେଇ ଆବେଦନକାରୀ ଖଣ୍ଡପୀଠଙ୍କୁ ଏହି ମାମଲା ପୂର୍ବରୁ ତାଲିକା ଭୁକ୍ତ ହୋଇଛି ଆଜି ଶୁଣାଣି କରାଯିବ ବୋଲି କହିଥିଲେ। ହେଲେ ମୁଖ୍ୟ ବିଚାରପତି ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ  କାର୍ଯ୍ୟ ଥିବାରୁ ମାମଲାର ଶୁଣାଣି ପରେ କରାଯିବ ବୋଲି କହିଥିଲେ। ତେବେ ଏହି ମାମଲା ତାଲିକାରୁ କଟାଯିବ ନାହିଁ ବୋଲି ମୁଖ୍ୟ ବିଚାରପତି କୋର୍ଟକୁ ଜଣାଇଥିଲେ। ଫଳରେ ଅନ୍ୟ ଏକ ଦିନ ଧାର୍ଯ୍ୟ କରାଯାଇ ଏହି ଜନସ୍ବାର୍ଥ ମାମାଲର ଶୁଣାଣି କରାଯିବ।

Related posts