Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ପ୍ରମୋଦିନୀଙ୍କ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ, ତଦନ୍ତ ଭାର ସିବିଆଇଙ୍କୁ ପ୍ରଦାନ ଦାବିରେ ସ୍ମାରକପତ୍ର

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: କେ. ନୂଆଗାଁ ଥାନା ଅନ୍ତର୍ଗତ ଦେଖାଳି ଗ୍ରାମର ଦଳିତ ଝିଅ ପ୍ରମୋଦିନୀ ନାୟକଙ୍କୁ ଗତ ମେ ମାସ ୧୦ ତାରିଖ ଦିନ ଅତି ନିର୍ମମ ଭାବେ ଧର୍ଷଣ କରି ହତ୍ୟା କରାଯାଇଥିଲା ବୋଲି ମା’ ରମା ନାୟକ ଅଭିଯୋଗ ଆଣିଥିଲେ। ଏନେଇ ସେ ବହୁବାର ଥାନାଧିକାରୀ, ଏସ୍‌ଡ଼ିପିଓ, ଆରକ୍ଷୀ ଅଧିକ୍ଷକ, ଉପ ଆରକ୍ଷୀ ମହାନିରୀକ୍ଷକ, ଦକ୍ଷିଣାଞ୍ଚଳ ଡ଼ିଆଇଜି, ଅତିରିକ୍ତ ମହାନିର୍ଦ୍ଦେଶକ କ୍ରାଇମଙ୍କୁ ଅଭିଯୋଗ କଲାପରେ ମଧ୍ୟ ଘଟଣା ଘଟିବାର ୧୭୩ ଦିନ ପରେ ସୁଦ୍ଧା ଅପରାଧୀଙ୍କୁ ଗିରଫ କରାନଯିବାରୁ ସେ ଖୋଲା ଆକାଶ ତଳେ ବୁଲୁଛି। ଏହାସହ ସେ କେ. ନୂଆଗାଁ ଥାନାଧିକାରୀଙ୍କ ସହ ଅପରାଧୀଙ୍କ ମଧୁଚନ୍ଦ୍ରିକା ରହିଥିବା ନେଇ ମଧ୍ୟ ଅଭିଯୋଗ କରିଛନ୍ତି, ଯାହାଫଳରେ ଅପରାଧୀଙ୍କୁ ସେ ଗିରଫ କରୁନାହାନ୍ତି।

ଶବ ବ୍ୟବଚ୍ଛେଦ ରିପୋର୍ଟରେ ତାଙ୍କୁ ପାଣିରେ ବୁଡ଼ାଇ ମରାଯାଇଥିବା, ୧୦ରୁ ଅଧିକ ବ୍ୟକ୍ତିଙ୍କ ସହ ଧସ୍ତାଧସ୍ତି ହୋଇଥିବାରୁ ଦେହରେ ଅନେକ କ୍ଷତ ସୃଷ୍ଟି ହୋଇଥିବା ନେଇ ରିପୋର୍ଟ ବାହାରିଥିଲା। କିନ୍ତୁ ଥାନାଧିକାରୀ ଅପମୃତ୍ୟୁ ମାମଲା ରୁଜୁ କରିଥିଲେ। ଚାପ ପଡ଼ିବାରୁ ୮ ଜୁନ୍‌ରେ ହତ୍ୟା ମାମଲା ପରିବର୍ତ୍ତନ କରିଥିଲେ ମଧ୍ୟ ଗଣଧର୍ଷଣ ମାମଲା ରୁଜୁ କଲେ ନାହିଁ। ଏନେଇ ତାଙ୍କ ମା’ କେ. ନୂଆଗାଁ ଥାନାଧିକାରୀଙ୍କ ପାଖକୁ ୧୨ରୁ ଉର୍ଦ୍ଧ୍ୱ, ସିଡ଼ିପିଓଙ୍କୁ ୭ ଥର, ଆରକ୍ଷୀ ଅଧିକ୍ଷକଙ୍କୁ ୫ ଥର ଏବଂ ଦକ୍ଷିଣାଞ୍ଚଳ ଡ଼ିଆଇଜି ପାଖକୁ ଯାଇ ମଧ୍ୟ ଗୁହାରି କରିଛନ୍ତି।

ତେଣୁ ପୀଡ଼ିତା ପ୍ରମୋଦିନୀଙ୍କ ମା’ ଆଜି ଆର୍‌ଡ଼ିସି କାର୍ଯ୍ୟାଳୟକୁ ଯାଇ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଏବଂ ସିବିଆଇ କିମ୍ବା କୋର୍ଟଙ୍କ ତତ୍ତ୍ୱାବଧାନରେ ନିରପେକ୍ଷ ତଦନ୍ତ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଆର୍‌ଡ଼ିସିଙ୍କୁ ସ୍ମାରକପତ୍ର ପ୍ରଦାନ ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ନ୍ୟାୟ ନ ମିଳିଲେ ଆଗାମୀ ୨ ସପ୍ତାହ ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରିବାକୁ ସେ କହିଛନ୍ତି। ଶ୍ରୀକାନ୍ତ ପାଢ଼ୀଙ୍କ ନେତୃତ୍ୱରେ ଅନୁଷ୍ଠିତ ବିକ୍ଷୋଭରେ ପୀଡ଼ିତା ପରିବାର ସହ ତାଙ୍କ ମା’ ରମା ନାୟକ, ଶୁଭମ ପ୍ର୍ରଧାନ, ଟୁକୁନା ଦାସ, ବାଳକୃଷ୍ଣ ସାମନ୍ତରାୟ, ପ୍ରଭାତ ଷଡ଼ଙ୍ଗୀ, ଲକ୍ଷ୍ମୀ ପ୍ରଧାନ, ଆଲୋକ ନାୟକ, ଶିବ ସ୍ୱାଇଁ, ଭଗବାନ ପ୍ରଧାନ, କେଦାର ଦାସଙ୍କ ସହ ସମାଜର ବିଭିନ୍ନ ବର୍ଗର ଲୋକ ଉପସ୍ଥିତ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ସାମ୍ବାଦିକ ବୋଲାଉଥିବା ୬ ଜଣ ବ୍ୟକ୍ତିଙ୍କୁ ଚାନ୍ଦା ଆଦାୟ ଅଭିଯୋଗରେ ଗିରଫ କଲା କମିଶନରେଟ୍ ପୋଲିସ୍

ଭୁବନେଶ୍ୱର: ଚାନ୍ଦା ଆଦାୟ କରିବା ଅଭିଯୋଗରେ ୬ ଜଣଙ୍କୁ କମିଶନରେଟ୍ ପୋଲିସ୍ ଗିରିଫ କରିଛି। ସେହି ୬ ଜଣଙ୍କ ମଧ୍ୟରୁ ୫ ଜଣ ବିଭିନ୍ନ ୱେବ ଚାନେଲ୍ ପ୍ରତିନିଧି କହୁଥିବା ବ୍ୟକ୍ତି ବୋଲି ସୂଚନା ରହିଛି। ଖବର ପ୍ରସାରଣ କରିଦେବାର ଧମକ ଦେଇ ଖଣ୍ଡଗିରି ସ୍ଥିତ ଏକ ଘିଅ କମ୍ପାନୀର ମାଲିକଙ୍କ ଠାରୁ ଲକ୍ଷାଧିକ ଟଙ୍କାର ଚାନ୍ଦ ନେଇଥିବାର ଅଭିଯୋଗ ହୋଇଛି।

ଘିଅ କମ୍ପାନୀ ମାଲିକଙ୍କର ଅଭିଯୋଗ ଅନୁଯାୟୀ, ୱେବଚାନେଲ୍ ପ୍ରତିନିଧି ବୋଲାଉଥିବା ବ୍ୟକ୍ତିମାନେ ତାଙ୍କ ବିରୋଧରେ ଖବର ପ୍ରସାରଣ କରିବା ନେଇ ଧମକ ଦେଇ ଆସୁଥିଲେ। ଏବଂ ସେଥିପାଇଁ ତାଙ୍କ ଠାରୁ ୨ ଟି କିସ୍ତିରେ ୧ ଲକ୍ଷ ୬୪ ହଜାର ଟଙ୍କା ନେଇଥିଲେ। କିନ୍ତୁ ତାଙ୍କ ଠାରୁ ଆହୁରି କିଛି ଚାନ୍ଦ ଅସୁଲ କରିବା ପାଇଁ ଚାପ ପ୍ରୟୋଗ କରୁଥିଲେ। ସେଥିରେ ବ୍ୟତିବ୍ୟସ୍ତ ହୋଇ ଘିଅ କମ୍ପାନୀ ମାଲିକ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ।

ଅଭିଯୋଗ ଆଧାରରେ କମିଶନରେଟ୍ ପୋଲିସ୍ ଭୁବନେଶ୍ୱରରୁ ୫ ଜଣ ୱେବଚାନେଲ୍ ପ୍ରତିନିଧି ବୋଲାଉଥିବା ବ୍ୟକ୍ତି ଓ ଜଣେ ଡ୍ରାଇଭରକୁ ଗିରଫ୍ କରିଛି। ପୋଲିସ୍ ସେମାନଙ୍କ ଠାରୁ ଗାଡି, ନଗଦ ଟଙ୍କା, ମୋବାଇଲ ଜବତ କରିଛି। ଏହାପରେ ଭୁବନେଶ୍ୱର ଡିସିପି କହିଛନ୍ତି ଯେ, ଏନେଇ ଆହୁରି ତଦନ୍ତ ଜାରି ରହିଛି ଏବଂ ଅଣ-ପଞ୍ଜିକୃତ ୱେବ୍ ଚ୍ୟାନେଲମାନଙ୍କର ଏକ ଡାଟା ପ୍ରସ୍ତୁତ କରାଯିବ ସହ ୧୫ ଜଣ ଦଲାଲଙ୍କୁ  ତାଲିକା ଭୁକ୍ତ କରାଯାଇଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ବଲିଆ ଗୁଳିକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗିରଫ

ଲକ୍ଷ୍ନୌ : ଉତ୍ତରପ୍ରଦେଶ ବଲିଆରେ ଘଟିଥିବା ଗୁଳିକାଣ୍ଡ ମାମଲାରେ ମୁଖ୍ୟ ଅଭିଯୁକ୍ତ ଧିରେନ୍ଦ୍ର ପ୍ରତାପ ସିଂଙ୍କୁ ପୋଲିସ ଗିରଫ କରିଛି । ଘଟଣା ଘଟିବାର ତିନି ଦିନ ପରେ ଏସ୍‌ଟିଏଫ୍‌ ଟିମ୍‌ ଗିରଫ କରିବାକୁ ସକ୍ଷମ ହୋଇଛନ୍ତି। ଜନେଶ୍ୱର ମିଶ୍ର ପାର୍କ ଅଞ୍ଚଳରୁ ଧିରେନ୍ଦ୍ରଙ୍କୁ ରବିବାର ଭୋର୍‌ ସମୟରେ ଗିରଫ କରାଯାଇଛି। ବଲିଆଠାରେ ଜମିବାଡି ବିବାଦକୁ ନେଇ ହୋଇଥିବା ଗୁଳିକାଣ୍ଡର ମୁଖ୍ୟ ଆସାମୀ ଫେରାର ରହିଥିଲା । ମୁଖ୍ୟ ଅଭିଯୁକ୍ତଙ୍କୁ ଖୋଜିବା ପାଇଁ 10 ପୋଲିସ ଟିମ୍‌ଙ୍କୁ ମୁତୟନ କରାଯାଇଥିଲା। ଏହା ସହିତ ପୋଲିସ ବିଭାଗ ପକ୍ଷରୁ ଧିରେନ୍ଦ୍ରଙ୍କ ଲାଗି 50 ହଜାର ଟଙ୍କାର ନଗଦ ପୁରସ୍କାର ମଧ୍ୟ ଘୋଷଣା କରାଯାଇଥିଲା। ଏହି ମାମଲାରେ ଧିରେନ୍ଦ୍ରଙ୍କ ସମେତ ଅନ୍ୟ ଦୁଇ ଅଭିଯୁକ୍ତ ସନ୍ତୋଷ ଯାଦବ ଏବଂ ଅମରଜିତ୍‌ ଯାଦବଙ୍କୁ ମଧ୍ୟ ଗିରଫ କରାଯାଇଛି। ସୂଚନାଯୋଗ୍ୟ, ଏହି ଗୁଳିକାଣ୍ଡରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାବେଳେ କିଛି ଲୋକେ ଆହତ ମଧ୍ୟ ହୋଇଥିଲେ । (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

ଗ୍ୟାଙ୍ଗଷ୍ଟର୍‌ ରାଜା ଆଚାର୍ଯ୍ୟ ଗିରଫ

ଭୁବନେଶ୍ୱର: ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟଙ୍କୁ କମିଶନରେଟ ପୋଲିସ୍‌ ଗିରଫ କରିଛି। ଦାଦାବଟି ଜୁଲମ୍‌ ଅଭିଯୋଗରେ ରାଜାଙ୍କୁ ପୋଲିସ୍‌ ଉଠାଇ ନେଇଥିଲା। ପରେ ତାଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। କମିଶନରେଟ ପୁଲିସର ଆଣ୍ଟି ଏକ୍ସଟର୍ସନ ଟିମ ରାଜାକୁ ଉଠାଇ ନେଇଛି। ଗତକାଲି ଦାଦାବଟି ମାଗିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ୍‌ କମିଶନର କହିଥିଲେ। ତେବେ  ସିପିଙ୍କ ଘୋଷଣା ପରେ ଆଜିଠୁ ଆକ୍ସନ ମୋଡରେ କମିଶନରେଟ ପୋଲିସ। ରାଜାକୁ ଗିରଫ କରିଛି କମିଶନରେଟ ପୋଲିସ।ବର୍ତ୍ତମାନ ତାଙ୍କୁ କ୍ୟାପିଟାଲ୍‌ ଥାନାରେ ଜେରା ଚାଲିଥିବା ସୂଚନା ମିଳିଛି। ଏହି ଘଟଣାକୁ ନେଇ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, ଘର ତିଆରି ନେଇ ଜଣେ ବ୍ୟକ୍ତିଙ୍କ ଠାରୁ ଦାଦାବଟି ନେଉଥିଲା ରାଜା। ପ୍ରତି ମାସରେ 20 ହଜାର ଟଙ୍କା ଦାଦାବଟି ଆଦାୟ କରୁଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଭିଜିଲାନସ ଦ୍ୱାରା ଗିରଫ ହେଲେ କୋଟିପତି ହିନ୍ଦୀ ମାଷ୍ଟର

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗତକାଲି ଝାଡ଼ାଙ୍କୁଲି ଯଶୋଦା ହାଇସ୍କୁଲର ହିନ୍ଦୀ ଶିକ୍ଷକ ଭୁବନାନନ୍ଦ ସାହୁଙ୍କୁ ଆୟ ବର୍ହିଭୂତ ସଂପତ୍ତି ମାମଲାରେ ଭିଜିଲାନସ ଗିରଫ କରିଛି। ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ ହେବା ପରେ ତାଙ୍କର ସମସ୍ତ ସ୍ଥାବର ଓ ଅସ୍ଥାବର ସଂପତ୍ତି ପ୍ରାୟ ୪ କୋଟି ୯୩ ଲକ୍ଷ ୯୭ହଜାର ୨୪୪ ଟଙ୍କାର ଥିବା ଜଣାପଡ଼ିଥିଲା। ସେ ୨୦୦୪ ରୁ ୧୪.୧୦.୨୦ ପର୍ଯ୍ୟନ୍ତ ୮୮ ଲକ୍ଷ ୧୭ ହଜାର ୯୪୦ ଟଙ୍କା ଆଦାୟ କରିଥିବା ଜଣାପଡ଼ିଥିବାବେଳେ ସେ ଏବଂ ତାଙ୍କ ପରିବାର ୮୦ ଲକ୍ଷ ୪୪ ହଜାର ୨୪୨ ଟଙ୍କା ଖର୍ଚ୍ଚ ମଧ୍ୟ କରିଛନ୍ତି। ତେଣୁ ଆୟ ବର୍ହିଭୂତ ୪ କୋଟି ୩୬ ଲକ୍ଷ ୪୨ ହଜାର ୮୬୭ (୪୯୩%) ଟଙ୍କାର କୌଣସି ହିସାବ ଦେଖାଇ ପାରିନଥିଲେ। ତାଙ୍କ ସ୍ତ୍ରୀଙ୍କ ମଧ୍ୟ ସେଭଳି କୌଣସି ଆଦାୟ ନଥିବାରୁ ଶ୍ରୀ ସାହୁ ଅନୈତିକ ଉପାୟରେ ଏହି ଟଙ୍କା ଠୁଳ କରିଛନ୍ତି। ତେଣୁ ଆଜି ଭିଜିଲାନସ କେସ ନଂ ୧୬/୧୫.୧୦.୨୦୨୦ ରେ ଶିକ୍ଷକ ଭୁବନାନନ୍ଦ ସାହୁଙ୍କୁ ଗିରଫ କରି କୋର୍ଟଚାଲଣ କରାଯାଇଥିବା ଭିଜିଲାନସ ଏସ୍‌ପି ସୂଚନା ଦେଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଟିକଟକରୁ ସମଲିଙ୍ଗୀ ସମ୍ପର୍କ: ନାବାଳିକାକୁ ଅପହରଣ କରି ପଶ୍ଚିମବଙ୍ଗ ଯୁବତୀ ଗିରଫ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ସମଲିଙ୍ଗୀ ସମ୍ପର୍କକକୁ ନେଇ ପଶ୍ଚିମ ବଙ୍ଗର ଜଣେ ଯୁବତୀ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ଅଞ୍ଚଳର ଜଣେ ନାବାଳିକାକୁ ଅପହରଣ କରି ଗିରଫ ହୋଇଥିବା ଘଟଣା ଏବେ ଅଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ହୋଇଛି।

ପ୍ରକାଶ ଯେ, ଗତ ୧୭ ତାରିଖ ଦିନ ଜୈନୀକା ନାବାଳିକାଙ୍କ ବାପା ତାଙ୍କ ଝିଅକୁ କିଏ ଅପହରଣ କରି ନେଇଛି ବୋଲି ଧର୍ମଗଡ଼ ଥାନାରେ ଅଭିଯୋଗ କରି ଥିଲେ। ଅଭିଯୋଗ ହେଲା ପରେ ଧର୍ମ ଗଡ଼ ପୋଲିସ ନାବାଳିକାର ମୋବାଇଲକୁ ଟ୍ରାକିଙ୍ଗ କରିଥିଲା। କଳାହାଣ୍ଡି ସାଇବର ସେଲ ଏହି ଘଟଣା ଉପରେ ଅନୁସନ୍ଧାନ କରିବା ପରେ ଏହି ନାବାଳିକା ଜଣକ ପଶ୍ଚିମବଙ୍ଗରେ ରହିଥିବା ଜଣା ପଡିଥିଲା।

ନାବାଳିକାକୁ ଉଦ୍ଧାର କରିବା ପାଇଁ ଧର୍ମଗଡ଼ ପୋଲିସର ଏକ ଟିମ ପଶ୍ଚିମବଙ୍ଗ ଯାଇ ନାବାଳିକା ଓ ଉକ୍ତ ଯୁବତୀକୁ ଉଦ୍ଧାର କରିଥିଲା ଓ ଧର୍ମଗଡ଼ ଥାନାରେ ପଚାର ଉଚୁରା କରିବା ପରେ ନାବାଳିକା ଓ ଅଭିଯୁକ୍ତା ଯୁବତୀଙ୍କ ମଧ୍ୟରେ ଗତ ୧ ବର୍ଷ ଧରି ଫେସବୁକ ୱାଟସପ ଓ ଟିକ ଟକରେ ପ୍ରେମ ସମ୍ପର୍କ ସ୍ଥାପନ ହୋଇଥିଲା। ଯୁବତୀ ଜଣକ ବିଭିନ୍ନ ଯାନବାହନ ପଶ୍ଚିମବଙ୍ଗରୁ ବଲଦିଆମାଲ ଗ୍ରାମକୁ ଆସିବା ପରେ ନାବାଳିକା ସହ ଯୋଗା ଯୋଗ କରି ଉଭୟେ ପଶ୍ଚିମବଙ୍ଗକୁ ପଳାଇଥିଲେ ବୋଲି ପୋଲିସ ସୂତ୍ରରୁ ପ୍ରକାଶ ଓ ଏହି ଘଟଣାରେ ପଶ୍ଚିମବଙ୍ଗର ଅଭିଯୁକ୍ତା ସଂଗୀତା ମାଲାକରକୁ କେସ ନମ୍ବର ୧୧୫/୨୦ ଧାରା ୩୬୩/୩୬୬/୩୭୦(୨)/୩୭୧ ଆଇପିସି ରେ ମାମଲା ରୁଜୁ କରି ଗିରଫ କରିଥିଲା। କରୋନା ଯାଞ୍ଚ ପରେ ତାକୁ କୋର୍ଟ ଚାଲାଣ କରା ଯାଇଥିବା ଧର୍ମଗଡ଼ ଥାନା ଅଧିକାରୀ ଚନ୍ଦ୍ର ଶେଖର ଶବରଙ୍କ ସୂତ୍ରରୁ ପ୍ରକାଶ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଚୋରା ମଦବେପାରୀ ଉପରେ ତିର୍ତ୍ତୋଲ ପୋଲିସର ଚଢାଉ : ୭୫ଲିଟର ମଦ ଜବତ, ୨ ଗିରଫ

ରମେଶ ମହାନ୍ତି

ଜଗତସିଂହପୁର : ତିର୍ତ୍ତୋଲ ଥାନା ଅଞ୍ଚଳରେ ଛତୁ ଫୁଟିଲା ପରି ଚୋରା ମଦବେପାର ଚାଲିଥିବା ବେଳେ ଅବକାରୀ ବିଭାଗର କାଁ ଭାଁ ଧରପକଡକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ଚୋରା ମଦ ବେପାରୀଙ୍କ ଉପରେ ତିର୍ତ୍ତୋଲ ପୋଲିସ୍ ଚଢାଉକରି ମଦ ଧରୁଥିବା ବେଳେ ଶୋଇଛି ଅବକାରୀ ବିଭାଗ। ସୂଚନାନୁଯାୟୀ ତିର୍ତ୍ତୋଲ ଥାନା ଅଧିନସ୍ଥ କଟକ-ପାରାଦ୍ବୀପ ମୁଖ୍ୟ ରାସ୍ତାର ବାଲିପାଟଣା ଛକ ନିକଟରେ ଅନେକ ଦିନ ହେଲା ବିପୁଳ ପରିମାଣର ଚୋରାମଦ ବ୍ୟବସାୟ ହେଉଥିବା ଖବର ପାଇ ଜଗତସିଂହପୁର ଏସ୍.ପି ଙ୍କ ନିର୍ଦ୍ଦେଶରେ ଗତକାଲି (ମଙ୍ଗଳବାର) ସଂନ୍ଧ୍ଯାରେ ଜିଲ୍ଲା ସ୍ପେଶାଲସ୍କ୍ୱାର୍ଡ ଓ ତିର୍ତ୍ତୋଲ ପୋଲିସ୍ ପକ୍ଷରୁ ଅଚାନକ ଚଢାଉ କରାଯାଇ ୭୫ ଲିଟର ଚୋରା ବିଦେଶୀ ମଦ ଜବତ କରାଯିବା ସହିତ ୨ଜଣ ଅଭିଯୁକ୍ତକୁ ଗିରଫ କରାଯାଇଛି ।ବିପୁଳ ପରିମାଣର ଚୋରାମଦ ସହିତ ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ରଞ୍ଜନ ସାହୁ ଓ ତାଙ୍କ ପୁତୁରା ଦିପ୍ତି ରଂଜନ ସାହୁଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି।

ବାଲିପାଟଣା ସ୍ଥିତ ଦୋକାନ ଉପରେ ପ୍ରଥମେ ଚଢାଉ କରାଯାଇ ୪୦ ପ୍ରତିଶତ ଚୋରାମଦ ଜବତ ହେବା ପରେ ତାଙ୍କ ବାସଗୃହ ଉପରେ ଚଢାଉ କରାଯାଇ ଅବଶିଷ୍ଟ ୬୦ ପ୍ରତିଶତ ଜବତ କରାଯାଇଥିଲା ବୋଲି ତିର୍ତ୍ତୋଲ ଥାନା ସୂତ୍ରରୁ ସୂଚନା ମିଳିଛି। ଏହି ଚଢାଉରେ ଜଗତସିଂହପୁର ସ୍ପେଶାଲସ୍କ୍ୱାର୍ଡ ସହିତ ତିର୍ତ୍ତୋଲ ଥାନାର ଏସ୍.ଆଇ ଅନିରୁଦ୍ଧ ନାୟକଙ୍କ ସମେତ କନେଷ୍ଟବଳ ପ୍ରବୋଧ ଦାସ, ପ୍ରଭାତ ବିଶ୍ୱାଳ, କୁନା ନନ୍ଦ, ଆଲୋକ ଖଟୁଆ ପ୍ରମୁଖ ଯୋଗଦେଇଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଡ଼ିକି ଭାଙ୍ଗି ଟଙ୍କା ଲୁଟ୍ ଘଟଣାରେ ୨ ଗିରଫ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗତ ୧୪ ତାରିଖ ଦିନ ପୋଲସରା ଥାନା ଅନ୍ତର୍ଗତ ନରସିଂହପଲ୍ଲୀ ଗ୍ରାମ ନିକଟରେ ଏକ ବାଇକ୍‌ର ଡ଼ିକି ଭାଙ୍ଗି ଲକ୍ଷାଧିକ ଟଙ୍କା ଚୋରି ହୋଇଥିଲ। ଏହି ଘଟଣାରେ ପୋଲିସ୍ ଦୁଇ ଅଭିଯୁକ୍ତକୁ ଗିରଫ କରିବା ସହ ଲୁଟ୍ ଟଙ୍କା ଏବଂ ବାଇକ୍‌କୁ ଜବତ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ କୋଦଳା ଅଂଚଳର ଶିବ ଚୌଧୁରୀ ଓ ପି. କ୍ରଷ୍ଣା। ସେମାନଙ୍କ ନିକଟରୁ ୧ ଲକ୍ଷ ୧୦ ହଜାର ଟଙ୍କା ଏବଂ ଚୋରିରେ ବ୍ୟବହୃତ ବାଇକ୍‌କୁ ପୋଲିସ୍ ଜବତ କରିଛି।

ଘଟଣାରୁ ପ୍ରକାଶ ଯେ ହାତୀଓଟ ଗ୍ରାମର ଅମରେନ୍ଦ୍ର ବିଶ୍ୱାଳ ପୋଲସରା ଷ୍ଟେଟ ବ୍ୟାଙ୍କରୁ ଟଙ୍କା ଉଠାଇ ନିଜ ଡ଼ିକିରେ ରଖିଥିଲେ। କିଛି କାମ ପାଇଁ ନରସିଂହପୁରରେ ବାଇକ୍‌କୁ ରଖି ଯାଇଥିବାବେଳେ ଆସିଲା ବେଳେ ଡ଼ିକି ଭଂଗା ଯାଇଛି । ଏନେଇ ସେ ପୋଲସରା ଥାନାରେ ଅଭିଯୋଗ କରିବା ପରେ ପୋଲିସ୍ ଥାନା କେସ ନଂ ୨୧୮/୨୦ ପ୍ରକାରେ ମାମଲା ରୁଜୁ କରି ଅନୁସନ୍ଧାନ ଚଳାଇଥିଲା। ପରେ ବ୍ୟାଙ୍କର ସିଟି ଟିଭ୍ ଯାଞ୍ଚ ପରେ ଅମରେନ୍ଦ୍ରକୁ ଦୁଇଜଣ ପିଛା କରୁଥିବା ସ୍ପଷ୍ଟ ବାରିହେବାରୁ ପୋଲିସ୍ ଉଭୟ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଥିଲା।

Categories
ଅପରାଧ ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ବାଇକ୍ ଲୁଟେରାଙ୍କ ରାକେଟର ପର୍ଦ୍ଦାଫାସ: ୭ ଗିରଫ

ଦୁଷ୍ମନ୍ତ କୁମାର ପଣ୍ଡା 
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଟାଉନଥାନା ଆଇ.ଆଇ.ସି. ସତ୍ୟନନ୍ଦ ଙ୍କ ଉଦ୍ୟମରେ ଏହି ଅଞ୍ଚଳର ବାଇକ୍ ଲୁଟେରାଙ୍କ ରାକେଟର ପର୍ଦ୍ଦାଫାସ କରିଛି ପୋଲିସ। ୭ ଟି ବାଇକ ଜବତ କରିବାସହ ୭ ଜଣ ଚୋରଙ୍କୁ ଗିରଫ କରିଛି ପୋଲିସ। ଗିରଫ ମାନେ ହେଲେ କେସିଙ୍ଗା ଥାନା ଅଞ୍ଚଳର ବିକି ପାତ୍ର ,ଦିତିକୃଷ୍ଣ ନା, ଚିନା ହରିଜନ, କୂଳମଣି ମାଝି, ସୁମିତ ନାଏକ, ଥୁଅମୂଳ ରାମପୁର ଥାନା ଅଞ୍ଚଳର ଜଗନ୍ନାଥ ନାଏକ ବୋଲି ଜଣା ପଡ଼ିଛି। ସେମାନଙ୍କ ଠାରୁ ୮ ଟି ବାଇକ ଜବତ କରାଯାଇଛି। ତଦନ୍ତ ପରେ ଜଣାପଡିଛି ସେମାନେ ଜିଲ୍ଲା ଏବଂ ଜିଲ୍ଲା ବାହାରେ ବହୁ ବାଇକ ଚୋରି ମାମଲାରେ ସଂପୃକ୍ତ ଥିବା ଜଣାପଡ଼ିଛି। ବର୍ତ୍ତମାନ ପୋଲିସ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Categories
ଆଜିର ଖବର ରାଜ୍ୟ ଖବର

ଭିଜିଲାନସ ଜାଲରେ ଦୁଇ ଅଧିକାରୀ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଆଜି ବ୍ରହ୍ମପୁର ଭିଜିଲାନସ ବିଭାଗ ପକ୍ଷରୁ ଦୁଇଟି ପୃଥକ ସ୍ଥାନରେ ଚଢ଼ାଉ କରାଯାଇ ଲାଞ୍ଚ ନେବା ସମୟରେ ଦୁଇଜଣ ଲାଞ୍ଚୁଆ ଅଧିକାରୀଙ୍କୁ ଧରାଯାଇଥିଲା। ପ୍ରଥମଘଟଣା କ୍ରମରେ ଫୁଲବାଣୀ ଜିଲ୍ଲା ଟ୍ରେଜେରୀ ଅଧିକାରୀ ଅରୁପ କୁମାର ମିଶ୍ରଙ୍କୁ ଧରାଯାଇଥିବାବେଳେ ଦ୍ୱିତୀୟ ଘଟଣାକ୍ରମେ କନ୍ଧମାଳ ଦାରିଙ୍ଗିବାଡ଼ି ସିମନାବାଡ଼ି ଗ୍ରାମପଞ୍ଚାୟତର ଜିଆର୍‌ଏସ୍ ଦିଲିପ କୁମାର ସାହୁ ମଧ୍ୟ ଲାଞ୍ଚ ନେଇ ଧରାପଡ଼ିଛନ୍ତି।

ପ୍ରଥମ ଘଟଣା କ୍ରମେ ଫୁଲବାଣୀ ମତ୍ସ୍ୟଧିକାରୀ ପ୍ରମୋଦ କୁମାର ପାଣିଗ୍ରାହୀ ଯିଏକି ଅବସର ନେଇସାରିଛନ୍ତି ତାଙ୍କର ଏରିୟର୍ ବିଲ୍ କରିଦେବାକୁ ଟ୍ରେଜେରୀ ଅଧିକାରୀ ଅରୁପଙ୍କ ସହ ଯୋଗାଯୋଗ କରିଥିଲେ। ଏହା କରିଦେବା ପାଇଁ ଲାଞ୍ଚୁଆ ଅଧିକାରୀ ଅରୁପ ତାଙ୍କୁ ୩ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ପ୍ରମୋଦ ବ୍ରହ୍ମପୁର ଭିଜିଲାନ ବିଭାଗକୁ ଜଣାଇବା ପରେ ତାଙ୍କୁ ଧରିବା ପାଇଁ ଜାଲ ବିଛାଯାଇଥିଲା। ଆଜି ପୂର୍ବ ଯୋଜନା ମୁତାବକ ପ୍ରମୋଦ ତାଙ୍କୁ ୩ ହଜାର ଟଙ୍କା ଲାଞ୍ଚ ଦେବା ପରେ ଭିଜିଲାନସ ଅଧିକାରୀମାନେ ଉକ୍ତ ସ୍ଥାନରେ ପହଞ୍ଚି ଟଙ୍କାକୁ ଜବତ କରିବା ସହ ପରୀକ୍ଷା କରିବା ପରେ ଅରୁପଙ୍କୁ ଗିରଫ କରାଯାଇଥିଲା। ଭିଜିଲାନସ କେସ ନଂ ୧୦/୨୦୨୦ରେ ମାମଲା ରୁଜୁ ହୋଇଥିବାବେଳେ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଥିବା ଜଣାପଡ଼ିଛି।

ଦ୍ୱିତୀୟ ଘଟଣାକ୍ରମରେ କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ଥାନା ସିମନାବାଡ଼ି ଗ୍ରାମର ରଂଜନ ଦିଗାଲ ମନରେଗା କାର୍ଯ୍ୟର ୧ ଲକ୍ଷ ୬୦ ହଜାର ଟଙ୍କା ବିଲ୍ ପାସ କରିବା ପାଇଁ ଗ୍ରାମସେବକ ଦିଲିପ କୁମାର ସାହୁ ତାଙ୍କୁ ୩୨ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ୨୦ ହଜାର ହାତରେ ଦେବେ ଏବଂ ଅନ୍ୟ ୧୨ ହଜାର ତାଙ୍କ ଆକାଉଣ୍ଟରେ ଜମା କରିବାକୁ କହିଥିଲେ। ଏନେଇ ରଂଜନ ଦିଗାଲ ବ୍ରହ୍ମପୁର ଭିଜିଲାନସ ବିଭାଗ ସହ ଯୋଗାଯୋଗ କରିବା ପରେ ତାଙ୍କୁ ଧରିବା ପାଇଁ ଜାଲ ବିଛାଯାଇଥିଲା। ଆଜି କ୍ୟାମିକେଲ ବୋଳା ଟଙ୍କା ଧରି ରଂଜନ ତାଙ୍କ କାର୍ଯ୍ୟାଳୟକୁ ଯାଇ ଦେବା ବେଳେ ଭିଜିଲାନସ ଅଧିକାରୀମାନେ ପହଞ୍ଚି ଟଙ୍କାକୁ ଜବତ କରିବା ସହ ଏସ୍‌ବିଆଇ ଆକାଉଣ୍ଟକୁ ମଧ୍ୟ ତଦନ୍ତ କରିଥିଲେ। ତାଙ୍କ କ୍ୱାଟର ଏବଂ ଘରେ ମଧ୍ୟ ଚଢ଼ାଉ କରାଯାଉଛି। ଏନେଇ ଭିଜିଲାନସ କେସ ନଂ ୧୧/୨୦୨୦ରେ ତାଙ୍କୁ ଗିରଫ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଭାଇରାଲ ଅଡ଼ିଓ ପ୍ରସଙ୍ଗ : ଦୁଇଜଣଙ୍କୁ ଗିରଫ କଲା କମିଶନରେଟ୍‌ ପୋଲିସ୍‌

ଭୁବନେଶ୍ୱର :  କରୋନା ଚିକିତ୍ସାରେ ଅବ୍ୟବସ୍ଥାକୁ ନେଇ ଭାଇରାଲ୍‌ ହୋଇଥିବା ଭିଡିଓ ଘଟଣାରେ ଦୁଇଜଣ ଗିରଫ ହୋଇଛନ୍ତି । ଭାଇରାଲ ଅଡ଼ିଓକୁ ନେଇ ସାରା ରାଜ୍ୟରେ ଜୋରଦାର ଚର୍ଚ୍ଚା ଜାରିରହିଛି । ଗୋଟିଏ ପଟେ ବିଏମସିର ନୋଟିସ ପ୍ରସଙ୍ଗକୁ କେତେକ ସାମ୍ବାଦିକ ଓ ରାଜନେତା ନିନ୍ଦା କରୁଥିବାବେଳେ ଅପରପକ୍ଷରେ ପୁଲିସ ଘଟଣାର ତଦନ୍ତ କରୁଛି । ତେବେ ଭାଇରାଲ ଅଡ଼ିଓ ପଛରେ ଅରଟେଲ କର୍ମଚାରୀ ଥିବା କ୍ୟାପିଟାଲ ପୁଲିସ ପକ୍ଷରୁ କୁହାଯାଇଛି । ଏହି ଘଟଣାରେ 2ଜଣଙ୍କୁ କମିଶନରେଟ୍‌ ପୋଲିସ୍‌ଙ୍କୁ ଗିରଫ କରିଛି।

ଭାଇରାଲ ଅଡ଼ିଓ ପଛରେ କାହାର ହାତ ରହିଛି ସେନେଇ ତଦନ୍ତ କରାଯାଉଥିଲା। ତଦନ୍ତ ପରେ ପୁଲିସ ଅରଟେଲର କର୍ମଚାରୀ ଲକ୍ଷ୍ମୀକାନ୍ତ ବେହେରା ଓ ତାଙ୍କ ସାଙ୍ଗ ବିଶ୍ୱଜିତ ମହାନ୍ତିଙ୍କୁ ପୁଲିସ ଗିରଫ କରିଛି। ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯିବ। ସେହିପରି ବିଶ୍ୱଜିତ ଯେଉଁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କଥା ହେଉଥିଲେ, ତାଙ୍କୁ ମଧ୍ୟ ପୁଲିସ ପଚରାଉଚରା କରିଥିବା ଜାଣିବାକୁ ମିଳିଛି । ସୂଚନାଯୋଗ୍ୟଯେ, ସୁସ୍ଥ ହେବା ପରେ ଜଣେ କରୋନା ରୋଗୀଙ୍କ ସହ ବିଶ୍ୱଜିତ କଥା ହୋଇଥିଲେ । ସଂପୃକ୍ତ ସୁସ୍ଥ ରୋଗୀ ତାଙ୍କର ଅଭିଜ୍ଞତା ବଖାଣିବା ବେଳେ କେତେକ ଭୁଲ ତଥ୍ୟ ଦେଇଥିଲେ। ଓଟିଭିର ଡିଜିଟାଲ ପ୍ଲାଟଫର୍ମରେ ଏହା ପ୍ରଚାର କରାଯିବା ପରେ ବିଏମସି ପକ୍ଷରୁ ଏତଲା ଦିଆଯାଇଥିଲା ।

Categories
ଆଜିର ଖବର ଜାତୀୟ ଖବର

କେରଳରେ ଗର୍ଭିଣୀ ହାତୀ ମୃତ୍ୟୁ ଘଟଣା : ଜଣେ ଗିରଫ

କେରଳ : କେରଳରେ  ଗର୍ଭବତୀ ହାତୀକୁ ବାରୁଦ ଭର୍ତ୍ତି ସପୁରୀ ଖୁଆଇ ହତ୍ୟା କରିବା ମାମଲାରେ ଜଣକୁ ଗିରଫ କରାଯାଇଛି । ଜଙ୍ଗଲ ମନ୍ତ୍ରୀ କେ ରାଜୁ ଏହା ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଏହି ହତ୍ୟାକାଣ୍ଡରେ ସାମିଲ୍‌ ଥିବା ଅନ୍ୟମାନଙ୍କୁ ମଧ୍ୟ ଗିରଫ କରାଯିବ। ବନ ବିଭାଗ ଏହାର କଡା ତଦନ୍ତ କରୁଥିବାବେଳେ ଏହି ହତ୍ୟାକାଣ୍ଡରେ ଜଡିତ ଥିବା ଅନ୍ୟ ହତ୍ୟାକାରୀଙ୍କୁ ଧରାଯିବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ ।

ସୂଚନାଯୋଗ୍ୟ, କେରଳରେ ମଲ୍ଲପୁରମ୍‌ ଜିଲ୍ଲାର ଏକ ଗ୍ରାମରେ ଏକ ଗର୍ଭିଣୀ ହାତୀକୁ ବାରୁଦ ଭର୍ତ୍ତି ସପୁରୀ ଖାଇବାକୁ ଦେଇଥିଲେ । ଏହା ବାରୁଦଟି ହାତୀର ମୁହଁରେ ଫାଟି ଯିବାରୁ ହାତୀଟି ଯନ୍ତ୍ରଣାରେ ଛଟପଟ ହୋଇ ବେଲିଆର ନଦୀକୁ ଚାଲିଯାଇଥିଲା । ତିନି ଦିନ ପର୍ଯ୍ୟନ୍ତ ହାତୀଟି ପାଣି ଭିତରେ ଛିଡା ହୋଇଥିଲା । କିନ୍ତୁ ବାରୁଦର ବିଷ ଯୋଗୁଁ ନା ହାତୀ ବଞ୍ଚିଲା ନା ଶାବକ । ଏହି ଘଟଣାକୁ ନେଇ ସାରା ଦେଶରେ ଉଦ୍‌ବେଗ ପ୍ରକାଶ ପାଇଥିଲା । ଏପରି ଛଳନାପୂର୍ଣ୍ଣ ଭାବେ ସରଳ ନିରୀହ ପ୍ରାଣୀର ହତ୍ୟାକୁ କଡା ନିନ୍ଦା କରାଯାଇଥିଲା ।  କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭେଡ୍‌କର ଏହି ଘଟଣାର କଡା କାର୍ଯ୍ୟାନୁଷ୍ଠାନ କରିବା ନେଇ ପ୍ରତିକ୍ରିୟା ଦେଇଥିଲେ । (ଏଜେନ୍ସି)

Categories
ଆଜିର ଖବର ଆଞ୍ଚଳିକ

ଲକ୍‌ ଡାଉନ୍‌ ନିୟମ ଉଲ୍ଲଂଘନ ଅଭିଯୋଗରେ ଚାରିଜଣଙ୍କୁ ଗିରଫ କଲା ବାଣପୁର ପୋଲିସ୍‌

ସୀତାରାମ ଅଗ୍ରଓ୍ବାଲ

ବାଣପୁର: ବାଣପୁର ତହସିଲଦାର ମନ୍ମଥ ବେହେରାଙ୍କ ନେତୃତ୍ବରେ ଆଇଆଇସି ସଞ୍ଜୟ ପଟ୍ଟନାୟକ,ଏସ୍‌ଆଇ ଦିଗ୍‌ବିଜୟ ବିଶ୍ବାଳ, ଏସ୍‌ଆଇ ପ୍ରସନ୍ନ ଜେନା ଓ ତାଙ୍କ ଟିମ ପାଟ୍ରୋଲିଂ କରୁଥିବା ସମୟରେ କରୋନା ପାଇଁ ଲାଗିଥିବା କଟକଣା ଉଲଂଘନ କରିବା ଅଭିଯୋଗରେ ଚାରିଜଣଙ୍କୁ ଗିରଫ କରିଛନ୍ତି। ସେମାନଙ୍କ ବିରୁଦ୍ଧରେ କେସ ନମ୍ୱର୍ ୯୭/୨୦ରେ  ମାମଲା ରୁଜ୍ଜୁ କରାଯିବା ସହିତ ଏହି ଚାରି ଉଲଙ୍ଘନକାରୀଙ୍କ ବିରୋଧରେ  ଆଇପିସି ଧାରା ୧୮୮, ୨୬୯, ୨୭୦ ଓ  ୩୪ ଅନୁଯାୟୀ ବାଣପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ନିକଟଙ୍କୁ ପଠାଯାଇଛି।

କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାର ଲକ୍‌ ଡାଉନ୍‌ ଘୋଷଣା କରିଛନ୍ତି। ତଥାପି ଲୋକମାନେ ଏହାକୁ ନ ମାନି ବାହାରେ ବୁଲୁଥିବାର ଦେଖାଯାଉଛି। ଲକ୍‌ ଡାଉନ୍‌ ଉଲ୍ଲଂଘନକାରୀଙ୍କ ପ୍ରତି କଡା କାର୍ଯ୍ୟାନୁଷ୍ଠାନ  କରିବା ଲାଗି ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। ଯେଉଁମାନେ ଏହି ଆଇନକୁ ଉଲ୍ଲଂଘନ କରୁଛନ୍ତି, ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ କରାଯାଉଛି। ଏହି ଅବସରରେ ବାଣପୁର ପୋଲିସ ଦୁଇଟା ବାଇକ୍‌ ଓ ଗୋଟିଏ ସ୍କୁଟି ମଧ୍ୟ ସିଜ କରିଛି। କରୋନା ସତର୍କତା ନେଇ ବାଣପୁର ପୋଲିସ ବେଶ ସକ୍ରିୟ ରହିଛି। ବିଭିନ୍ନ ସ୍ଥାନରେ ପାଟ୍ରୋଲିଂ ସହିତ ଏନେଇ ସଚେତନତା ମଧ୍ୟ କରାଉଛି।