Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଲୋକଙ୍କ ଉପରକୁ ଗାଡି ଚଢାଇବା ମାମଲା: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ/ଭୁବନେଶ୍ବର: ଲୋକଙ୍କ ଉପରକୁ ଗାଡି ଚଢାଇବା ମାମଲାରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଜାମିନ ମିଳିଛି। ଆଜି ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରି ଚିଲିକା ବିଧାୟକଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି।

ଏହି ସର୍ତ୍ତମୂଳକ ଜାମିନ ଅନୁଯାୟୀ, ଚିଲିକା ବିଧାୟକ ଏକ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ମଣ୍ଡଳୀଙ୍କୁ ଯିବା ପାଇଁ ବାରଣ କରାଯାଇଛି। ନିର୍ବାଚନ ମଣ୍ଡଳୀକୁ ଯିବା ପାଇଁ ହେଲେ ଜିଲ୍ଲାପାଳଙ୍କ ଅନୁମତି ଜରୁରୀ ହେବ। ଏହାସହିତ ସେ ୫ ରୁ ଉର୍ଦ୍ଧ୍ଵ ଲୋକଙ୍କୁ ନେଇ ସଭାସମିତି କରିପାରିବେ ନାହିଁ। ଏନେଇ ଆଇନିଜୀବୀ ମାନସ ଚାନ୍ଦ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା ବିଧାୟକଙ୍କ ବଢିପାରେ ଅଡୁଆ!: ଚାର୍ଜସିଟ୍ ରେ ଯୋଡି ହେଲା ଆଉ ତିନି ଗୋଟି ଦଫା

ସୀତାରାମ ଅଗ୍ରୱାଲ

ବାଣପୁର: ପୋଲିସ ଓ ଜନସାଧାରଣଙ୍କ ଉପରେ ଗାଡ଼ି ଚଢ଼ାଇଥିବା ଅଭିଯୋଗରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଦୀର୍ଘମାସ ହେବ ବାଣପୁର ସବ ଜେଲରେ ଅଛନ୍ତି। ଉଚ୍ଚ ନ୍ୟାୟାଳୟ ତାଙ୍କ ଜାମିନ ଆବେଦନକୁ ଆଗ୍ରାହ୍ୟ କରିଦେଇଥିବା ବେଳେ ବିଧାୟକଙ୍କ ଓକିଲଙ୍କ ପକ୍ଷରୁ ଉଚ୍ଚତମ ନ୍ୟାୟାଳୟରେ ଜାମିନ ପାଇଁ ଆବେଦନ କରାଯାଇଛି। ଆସନ୍ତା ୨୫ ତାରିଖ ଦିନ ଉଚ୍ଚତମ ନ୍ୟାୟାଳୟରେ ବିଧାୟକଙ୍କ ଜାମିନ ଆବେଦନ ଶୁଣାଣି ହେବ। କିନ୍ତୁ ତା’ପୂର୍ବରୁ ଅର୍ଥାତ ୧୮ ତାରିଖ ଦିନ ପୋଲିସ ଉକ୍ତ ମାମଲାର ଚାର୍ଜସିଟ ଦାଖଲ କରିଛି।

ତଦନ୍ତକାରୀ ଅଧିକାରୀ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ବାଣପୁର ଜେଏମଏଫସି କୋର୍ଟରେ ଚାର୍ଜସିଟ ଦାଖଲ କରିଛନ୍ତି। ତେବେ ସରକାରୀ ଓକିଲ ପ୍ରାଚୀ ପ୍ରଭା ନନ୍ଦଙ୍କ ସୂଚନା ମୁତାବକ ଉକ୍ତ ଚାର୍ଜସିଟରେ ପୋଲିସ ଆଉ ତିନି ଗୋଟି ଦଫା ଯୋଡ଼ିଛି। ବିଧାୟକଙ୍କ ବିରୋଧରେ ଆଇପିସି ର ଦଫା ୪୬୫, ୪୭୧ ଏବଂ ଏମଭି ଆକ୍ଟ ଦଫା ୧୮୧ ଲାଗିଛି। ଉକ୍ତ ଦଫା ଅନୁଯାୟୀ, ବିଧାୟକଙ୍କ ବିରୋଧରେ ନକଲି ଗାଡ଼ି ନମ୍ବର ପ୍ଲେଟ ନିମନ୍ତେ ଜାଲିଆତି ଦଫା ଯୋଡି ହେବା ସହ ଗାଡ଼ି ଚଲାଉଥିବା ବେଳେ ତାଙ୍କର ଡ୍ରାଇଭିଂ ଲାଇସେନ୍ସ ନଥିବାରୁ ମୋଟରଯାନ ଦଫା ମଧ୍ୟ ଲାଗିଛି।

ଉକ୍ତ ତିନି ଦଫା ଯୋଡି ହେବା ପରେ ବିଧାୟକଙ୍କ ପାଇଁ ଅଡୁଆ ବଢିପାରେ ବୋଲି କୁହାଯାଉଛି। ହେଲେ ଆସନ୍ତା ୨୫ ତାରିଖ ଦିନ ସୁପ୍ରିମକୋର୍ଟରେ ହେବାକୁ ଥିବା ଶୁଣାଣିରେ ତାଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର କୋର୍ଟରେ ଆତ୍ମସମର୍ପଣ କଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଜେଏମଏଫସି କୋର୍ଟରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଆତ୍ମସମର୍ପଣ କରିଛନ୍ତି। ନିକଟରେ ବିଧାୟକଙ୍କ ନିୟମିତ ଜାମିନ ଆବେଦନକୁ ଉଚ୍ଚ ନ୍ୟାୟାଳୟ ଖାରଜ କରିଦେଇଥିବା ବେଳେ ଆଜି ବାଣପୁର ତଳ କୋର୍ଟରେ ଅନ୍ତରୀଣ ଜାମିନରେ ଥିବା ବିଧାୟକଙ୍କୁ ଆତ୍ମସମର୍ପଣ କରିବା ପାଇଁ ନିର୍ଦେଶ ଦେଇଥିଲେ।

ଏହି ପରିପ୍ରେକ୍ଷୀରେ ଆଜି ଅପରାହ୍ନ ପାଖାପାଖି ୨ ଘଟିକା ସମୟରେ ବିଧାୟକ ବାଣପୁର ଜେଏମଏଫସି କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ସମସ୍ତ ନ୍ୟାୟିକ ପ୍ରକ୍ରିୟା ଶେଷ ହେବା ପରେ ବିଧାୟକ ପୁଣି ବାଣପୁର ସବ ଜେଲ ଯାଇପାରନ୍ତି ବୋଲି କୁହାଯାଉଛି।

ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କାରେ ବାଣପୁର କୋର୍ଟ ଚାରି ପାଖେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ପୁଣି ଜେଲ ଯିବେ ଚିଲିକା ବିଧାୟକ: ନିୟମିତ ଜାମିନ ଆବେଦନକୁ ଖାରଜ କଲେ ଉଚ୍ଚ ନ୍ୟାୟାଳୟ

ସୀତାରାମ ଅଗ୍ରୱାଲ

ଚିଲିକା: ଖାରଜ ହେଲା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଉଚ୍ଚ ନ୍ୟାୟାଳୟରେ ନିୟମିତ ଜାମିନ ଆବେଦନ ଶୁଣାଣି। ଗତ ୯ ତାରିଖରେ ନିୟମିତ ଜାମିନ ପାଇଁ ଶୁଣାଣି ଶେଷ ହୋଇଥିବା ବେଳେ ତାହାର ରାୟ ଆଜି ପ୍ରକାଶ ପାଇଛି। ରାୟରେ ଉଚ୍ଚ ନ୍ୟାୟାଳୟ ନିୟମିତ ଜାମିନକୁ ଖାରଜ କରିଦେଇଛନ୍ତି। ଏବଂ ଆସନ୍ତା ୨୩ ତାରିଖରେ ବିଧାୟକ ବାଣପୁର ତଳ କୋର୍ଟରେ ଆତ୍ମସମର୍ପଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଉଭୟ ପକ୍ଷ ଓକିଲଙ୍କ ଲମ୍ବା ଯୁକ୍ତି ଶୁଣିବା ପରେ ଉଚ୍ଚ ନ୍ୟାୟାଳୟ ଏହି ରାୟ ପ୍ରକାଶ କରିଛନ୍ତି। ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଏସଏସ ପ୍ରଧାନ ଏବଂ ପୀଡ଼ିତମାନଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଜୟନ୍ତ କୁମାର ଖଣ୍ଡାୟତରାୟ ଓ ସାସ୍ୱତୀ ମହାପାତ୍ର ଉକ୍ତ ମାମଲା ପରିଚାଳନା କରୁଥିଲେ। ବିଧାୟକଙ୍କ ନିୟମିତ ଜାମିନକୁ ସେମାନେ କଡ଼ା ବିରୋଧ କରିଥିଲେ। ସେମାନେ ଯୁକ୍ତି ବାଢିଥିଲେ ଯେ, ବାଣପୁର ବ୍ଲକ ଅଧ୍ୟକ୍ଷ ନିର୍ବାଚନରେ ବିଧାୟକଙ୍କ ବ୍ଲକ ପରିସରକୁ ଯିବା ଯୁକ୍ତିଯୁକ୍ତ ନଥିଲା।

ତତସହିତ ପୋଲିସ ବାରଣ କରିବା ସତ୍ତ୍ୱେ ବିଧାୟକ ଜାଲ ନମ୍ବର ଥିବା ଗାଡ଼ି ଚଲାଇ ଉଦ୍ଦେଶ୍ୟମୂଳକ ଭାବେ ଲୋକ ଏବଂ ପୋଲିସ ଉପରକୁ ଗାଡ଼ି ଚଢ଼ାଇଥିଲେ। ୧୯୯୨ ମସିହାରୁ ଏଯାବତ ବିଧାୟକଙ୍କ ବିରୋଧରେ ୧୨ ଗୋଟି ଅପରାଧିକ ମାମଲା ଅଛି। ତେଣୁ ସେ ଜଣେ ଅଭ୍ୟାସଗତ ଅପରାଧୀ।

ସେହିପରି ଭାବେ ଗତବର୍ଷ ବାଲୁଗାଁ ବିଜେପି ନଗର ମଣ୍ଡଳ ସଭାପତିଙ୍କୁ ଆକ୍ରମଣ ଘଟଣାରେ ବିଧାୟକଙ୍କୁ ଜାମିନ ମିଳିବା ପରେ ପୁଣି ବିଧାୟକଙ୍କ ବିରୁଦ୍ଧରେ ଦୁଇ ଦୁଇଟା ଅପରାଧିକ ମାମଲା ରୁଜୁ ହୋଇଛି। ଯାହାଦ୍ୱାରା ସେ ଜାମିନ ସର୍ତ୍ତ ଉଲଂଘନ କରିଥିବାର ପୀଡ଼ିତମାନଙ୍କ ଓକିଲ ଦର୍ଶାଇଥିଲେ।

ତତସହିତ ପୁର୍ବରୁ ସମାନ ଧରଣର ଦୁଇ ଗୋଟି ମାମଲାରେ ଆପେକ୍ସ କୋର୍ଟ ଦେଇଥିବା ରାୟର ମଧ୍ୟ ଉଦାହରଣ ପୀଡ଼ିତମାନଙ୍କ ଓକିଲ ଦେଇଥିଲେ। ବିଧାୟକଙ୍କ ଯଦି ସ୍ୱାସ୍ଥ୍ୟଗତ ସମସ୍ୟା ଜେଲରେ ଦେଖାଯାଏ, ତେବେ ତାଙ୍କର ଚିକିତ୍ସା ବ୍ୟବସ୍ଥା ଜେଲ କର୍ତ୍ତୃପକ୍ଷ କରିପାରିବେ ବୋଲି ଉକ୍ତ ରାୟରେ ଉଲ୍ଲେଖଅଛି।

ବର୍ତ୍ତମାନ ବିଧାୟକଙ୍କ ପାଇଁ ଉଚ୍ଚ ନ୍ୟାୟାଳୟର ସମସ୍ତ ଦ୍ୱାର ବନ୍ଦ ହୋଇଯାଇଥିବା ସ୍ଥଳେ ସେ ନିୟମିତ ଜାମିନ ପାଇବା ପାଇଁ ସୁପ୍ରିମ କୋର୍ଟର ଦ୍ୱାରସ୍ଥ ହୋଇପାରିବେ ବୋଲି ଆଇନ ବିଶାରଦ ମାନେ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା ବିଧାୟକଙ୍କ ସ୍ବାସ୍ଥ୍ୟବସ୍ଥା ପରୀକ୍ଷା କଲେ ୫ ଜଣିଆ ଡାକ୍ତରୀ ଦଳ

ଖୋର୍ଦ୍ଧା: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କର ଆଜି ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟବସ୍ଥାର ରିପୋର୍ଟ ଦେବାକୁ ଉଚ୍ଚ ନ୍ୟାୟଳୟଙ୍କ ନିର୍ଦ୍ଦେଶ ଥିଲା। ତେଣୁ ଉଚ୍ଚ ନ୍ୟାୟଳୟଙ୍କ ନିର୍ଦ୍ଦେଶକ୍ରମେ ଆଜି ଚିଲିକା ବିଧାୟକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଚିଲିକା ବିଧାୟକ ଦ୍ଵିତୀୟ ଥର ଅନ୍ତରୀଣ ଜାମିନରେ ଅଛନ୍ତି। ଖୋର୍ଦ୍ଧା ହସ୍ପିଟାଲରେ ବିଧାୟକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି। ୫ ଜଣିଆ ଡାକ୍ତରୀ ଟିମ ବିଧାୟକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ସମ୍ମୁଖରେ ଲୋକଙ୍କ ଉପରେ ଗାଡି ଚଢାଇଥିବା ଘଟଣାରେ ଚିଲିକା ବିଧାୟକଙ୍କୁ ଜେଲ ହୋଇଥିଲା। ସ୍ବାସ୍ଥ୍ୟ ଜନିତ କାରଣରୁ ତାଙ୍କୁ ଅନ୍ତରୀଣ ଜାମିନ ମିଳିଥିଲା। ତାଙ୍କୁ ୭ ଦିନ ପାଇଁ ପ୍ରଥମ ଅନ୍ତରୀଣ ଜାମିନ ମିଳିଥିବା ବେଳେ ସ୍ବାସ୍ଥ୍ୟବସ୍ଥା ଖରାପ ଥିବାରୁ ଆଉ ୭ ଦିନ ପାଇଁ ଉଚ୍ଚ ନ୍ୟାୟଳୟ ଅନ୍ତରୀଣ ଜାମିନ ବଢ଼ାଇଛନ୍ତି।

ଗତ ବୁଧବାର ଦିନ ବିଧାୟକଙ୍କ ଅନ୍ତରୀଣ ଜାମିନ ଅବଧି ଅନ୍ତ ହେଉଥିବା ବେଳେ ତାଙ୍କୁ ବାଣପୁର କୋର୍ଟରେ ଆତ୍ମସମର୍ପଣ କରିବାକୁ ଥିଲା। ହେଲେ ଚିକିତ୍ସା ଜାରିରହିଥିବାରୁ ବିଧାୟକଙ୍କ ଓକିଲ ଅନ୍ତରୀଣ ଜାମିନ ଅବଧିକୁ ବଢାଇବା ପାଇଁ ଏକ ପିଟିସନ ଉଚ୍ଚ ନ୍ୟାୟାଳୟରେ ଦାଖଲ କରିଥିଲେ। ତେଣୁ ବିଧାୟକ ଜଗଦ୍ଦେବଙ୍କୁ ଉଚ୍ଚ ନ୍ୟାୟାଳୟ ଆଉ ଏକ ସପ୍ତାହ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ। ଅର୍ଥାତ ମଇ ୧୦ ତାରିଖ ଯାଏଁ ବିଧାୟକଙ୍କୁ ଅନ୍ତରୀଣ ଜାମିନ ମିଳିଛି।

Categories
ଆଜିର ଖବର ରାଜ୍ୟ ଖବର

ପୁଣି ଏକ ସପ୍ତାହ ବଢିଲା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଅନ୍ତରୀଣ ଜାମିନ ଅବଧି

ସୀତାରାମ ଅଗ୍ରୱାଲ

ଚିଲିକା: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ବଢିଲା ଅନ୍ତରୀଣ ଜାମିନ ଅବଧି। ଅନ୍ତରୀଣ ଜାମିନକୁ ଆଉ ଏକ ସପ୍ତାହ ବଢ଼ାଇଛନ୍ତି ଉଚ୍ଚ ନ୍ୟାୟାଳୟ। ବୁଧବାର ଦିନ ବିଧାୟକଙ୍କ ଅନ୍ତରୀଣ ଜାମିନ ଅବଧି ଅନ୍ତ ହେଉଥିବା ବେଳେ ତାଙ୍କୁ ବାଣପୁର କୋର୍ଟରେ ଆତ୍ମସମର୍ପଣ କରିବାକୁ ଥିଲା।

ହେଲେ ତାଙ୍କ ଓକିଲ ଚିକିତ୍ସା ଜାରିରହିଥିବାରୁ ବିଧାୟକଙ୍କ ଅନ୍ତରୀଣ ଜାମିନ ଅବଧିକୁ ବଢାଇବା ପାଇଁ ଏକ ପିଟିସନ ଉଚ୍ଚ ନ୍ୟାୟାଳୟରେ ଦାଖଲ କରିଥିଲେ। ଆଜି ତାହାର ଶୁଣାଣି ବେଳେ ଉଚ୍ଚ ନ୍ୟାୟାଳୟ ବିଧାୟକ ଜଗଦ୍ଦେବଙ୍କୁ ଆଉ ଏକ ସପ୍ତାହ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଅର୍ଥାତ ମଇ ୧୧ ତାରିଖ ଯାଏଁ ବିଧାୟକଙ୍କୁ ଅନ୍ତରୀଣ ଜାମିନ ମିଳିଛି।

Categories
ଆଜିର ଖବର ରାଜ୍ୟ ଖବର

ଜେଲରୁ ମୁକୁଳିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଜେଲରୁ ମୁକୁଳିଛନ୍ତି। ବିଧାୟକ ବାଣପୁର ସବଜେଲରୁ ମୁକୁଳିଛନ୍ତି। ବିଧାୟକଙ୍କୁ ଉଚ୍ଚ ନ୍ୟାୟାଳୟ ୭ ଦିନ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ ପରେ ସେ ଆଜି ସାମୟିକ ଭାବେ ଜେଲରୁ ମୁକୁଳିଛନ୍ତି। ସ୍ୱାସ୍ଥ୍ୟଗତ ଚିକିତ୍ସା ନିମନ୍ତେ ସାତ ଦିନ ପାଇଁ ବିଧାୟକଙ୍କୁ ଉଚ୍ଚ ନ୍ୟାୟାଳୟ ଅନ୍ତରୀଣ ଜାମିନ ଦେଇଛନ୍ତି।

ଆଜି ମଧ୍ୟାହ୍ନରେ ବିଧାୟକ ଜେଲରୁ ବାହାରିବା ପରେ ସିଧାସଳଖ ମା’ ଭଗବତୀଙ୍କ ଦର୍ଶନ ଲାଗି ଯାଇଥିଲେ। ଏହି ସମୟରେ ବିଧାୟକଙ୍କୁ ତାଙ୍କର ବହୁ ସମର୍ଥକ ସ୍ୱାଗତ କରିଥିଲେ। ଅନ୍ତରୀଣ ଜାମିନ ଅବଧି ସରିବା ପରେ ଆସନ୍ତା ମଇ ୪ ତାରିଖ ଦିନ ସକାଳ ୭ ଘଟିକାରେ ବିଧାୟକ ଆତ୍ମସମର୍ପଣ କରିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ବିଧାୟକଙ୍କ ପାଇଁ କୋର୍ଟ ଏକାଧିକ ସର୍ତ୍ତାବଳୀ ରଖିଥିବା ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଲା ଅନ୍ତରୀଣ ଜାମିନ

ଭୁବନେଶ୍ବର: ଆଜି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଓଡିଶା ହାଇକୋର୍ଟ ଅନ୍ତରୀଣ ଜାମିନ ଦେଇଛନ୍ତି। ସ୍ୱାସ୍ଥ୍ୟଗତ କାରଣରୁ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଜାମିନ ମିଳିଛି। କିନ୍ତୁ ବିଧାୟକଙ୍କୁ ମାତ୍ର ୭ ଦିନ ପାଇଁ ଜାମିନ ମିଳିଛି। ସାତ ଦିନ ପରେ ପୁଣି ଜେଲରେ ଆତ୍ମସମର୍ପଣ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଥାଉ କି ମାର୍ଚ୍ଚ ୧୨ ତାରିଖ ଦିନ ବାଣପୁର ବ୍ଲକ ସମ୍ମୁଖରେ ଲୋକଙ୍କ ଉପରେ ଗାଡ଼ି ଚଢ଼ାଇ ଦେବା ଅଭିଯୋଗରେ ଚିଲିକା ବିଧାୟକ ଜେଲ୍ ଯାଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ସୀତାରାମ ଅଗ୍ରୱାଲ

ବାଣପୁର: ବାଣପୁର ବ୍ଲକ ସମ୍ମୁଖରେ ଜନସାଧାରଣ ଓ ପୋଲିସ କର୍ମଚାରୀଙ୍କ ଉପରେ ଗାଡ଼ି ଚଢାଇଦେଇଥିବା ଅଭିଯୋଗରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବର୍ତ୍ତମାନ ବାଣପୁର ସବ ଜେଲରେ ଥିବା ବେଳେ ଆଜି ତାଙ୍କ ପାଇଁ ଏକ ଆଶ୍ବସ୍ତିକର ଖବର ଆସିଛି। ବିଧାୟକଙ୍କୁ ଏକ ପୂର୍ବତନ ମାମଲାରେ ଜାମିନ ମିଳିଛି। ବିଧାୟକଙ୍କୁ ବାଣପୁର ସହକାରୀ ଦୌରାଜଜ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ଜିଆର କେଶ ନମ୍ବର ୭୨/୨୨ ତଥା ବାଣପୁର ଥାନା କେଶ ନମ୍ବର ୮୧/୨୨ ରେ ଚିଲିକା ବିଧାୟକଙ୍କୁ ଜାମିନ ମିଳିଛି।

ସୂଚନା ଥାଉକି ଚଳିତ ବର୍ଷ ପଞ୍ଚାୟତ ନିର୍ବାଚନ ଦିନ ଭେଟେଶ୍ୱର ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ଜିତେନ୍ଦ୍ର କୁମାର ଭୋଳଙ୍କୁ ଦୁର୍ବୁତ୍ତ ମାନେ ମରଣାନ୍ତକ ଆକ୍ରମଣ କରିବା ସହ ତାଙ୍କ ଗାଡ଼ି ଭାଙ୍ଗିଦେଇଥିଲେ। ଏଥି ନିମନ୍ତେ ଜିତେନ୍ଦ୍ରଙ୍କ ଭାଇ ପ୍ରଦୀପ ଭୋଳ ଉକ୍ତଦିନ ରାତିରେ ବାଣପୁର ଥାନାରେ ଏତଲା ଦେବା ପାଇଁ ଯାଇଥିବା ବେଳେ ବିଧାୟକଙ୍କ ଉପସ୍ଥିତିରେ ଥାନା ପରିସରରେ ତାଙ୍କୁ ବିଜେଡି କର୍ମୀମାନେ ମରଣାନ୍ତକ ଆକ୍ରମଣ କରିଥିଲେ। ଏହାପରେ ପୋଲିସ କେଶ ନମ୍ବର ୮୧/୨୨ ରେ ମାମଲା ରୁଜୁ କରାଯାଇଥିଲା, ଯେଉଁଥିରେ ୧୫ ନମ୍ବର ଅଭିଯୁକ୍ତ ଭାବେ ଚିଲିକା ବିଧାୟକ ଥିଲେ।

ବିଧାୟକଙ୍କ ଓକିଲ ପକ୍ଷରୁ ଉକ୍ତ କେଶରେ ଚଳିତ ମାସ ଦୁଇ ତାରିଖ ଦିନ ବାଣପୁର ଜେଏମଏଫସିଙ୍କ ନିକଟରେ ଜାମିନ ପାଇଁ ଆବେଦନ କରାଯାଇଥିଲା। କିନ୍ତୁ ବିଚାରପତି ତାହାକୁ ଖାରଜ କରିଦେଇଥିଲେ। ଏହାପରେ ବାଣପୁର ସହକାରୀ ଦୌରା ଜଜଙ୍କ କୋର୍ଟରେ ଜାମିନ ପାଇଁ ୪ ତାରିଖ ଦିନ ଆବେଦନ କରାଯାଇଥିବା ବେଳେ ଆଜି ତାହାର ଶୁଣାଣି ହୋଇଥିଲା। ବିଧାୟକଙ୍କ ପକ୍ଷରୁ ଉକ୍ତ ମାମଲାକୁ ଆଇନଜୀବୀ ସୁଧୀର ପ୍ରଧାନ, ଜଗନ୍ନାଥ ଭୋଳ ଏବଂ ରଞ୍ଜନ ବେଦମତ୍ତା ପରିଚାଳନା କରୁଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପୁଣି ଖାରଜ ହେଲା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଆବେଦନ

ସୀତାରାମ ଅଗ୍ରୱାଲ

ବାଣପୁର: ପୁଣି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଆବେଦନ ଖାରଜ ହୋଇଛି। ଜେଏମଏଫସି କୋର୍ଟରେ ଗତ ୨୨ ତାରିଖରେ ଜାମିନ ଆବେଦନ ଖାରଜ ହେଲା ପରେ ବିଧାୟକ ବର୍ତ୍ତମାନ ବାଣପୁର ସବଜେଲରେ ଅଛନ୍ତି। ତେବେ ବିଧାୟକଙ୍କ ଓକିଲ ପକ୍ଷରୁ ପୁଣି ବାଣପୁର ସହକାରୀ ଦୌରା ଜଜଙ୍କ ନିକଟରେ ୨୮ ତାରିଖରେ ଜାମିନ ଆବେଦନ କରାଯାଇଥିବା ବେଳେ ଆଜି ତାହାର ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିଲା। ଶୁଣାଣି ସମୟରେ ଉଭୟ ବିଧାୟକଙ୍କ ଓକିଲ ଏବଂ ସରକାରୀ ଓକିଲ ନିଜ ନିଜ ପକ୍ଷରେ ଯୁକ୍ତି ବାଢିଥିବା ବେଳେ ପରିଶେଷରେ ସହକାରୀ ଦୌରା ଜଜ ମନୋରଞ୍ଜନ ମିଶ୍ର ଚିଲିକା ବିଧାୟକଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି।

ବର୍ତ୍ତମାନ ବିଧାୟକଙ୍କ ଓକିଲ ଜାମିନ ପାଇଁ ଉଚ୍ଚ ନ୍ୟାୟାଳୟ ଯିବେ ବୋଲି ଜଣାପଡିଛି।  ସୂଚନା ଥାଉକି ବିଧାୟକଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅରୂପ ଚାନ୍ଦ ଉକ୍ତ ମାମଲା ପରିଚାଳନା କରୁଥିବା ବେଳେ ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବି ସଚ୍ଚିତ୍ ମିଶ୍ର ଏବଂ ରମେଶ ଚନ୍ଦ୍ର ବିଷୋୟୀ ପରିଚାଳନା କରୁଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୁସ୍ଥ ହୋଇ ବାଣପୁର ଉପ କାରାଗାରକୁ ଫେରିଲେ ଚିଲିକା ବିଧାୟକ

ସୀତାରାମ ଅଗ୍ରୱାଲ

ବାଣପୁର: ମେଡିକାଲରୁ ସୁସ୍ଥ ହୋଇ ଚିଲିକା ବିଧାୟକ ପୁଣି ବାଣପୁର ସବ ଜେଲକୁ ଫେରିଛନ୍ତି। ଆଜି ରାତି ୯.୪୫ ମିନିଟ ସମୟରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେ ପୁଣି ବାଣପୁର ଉପ କାରାଗାରକୁ ଫେରିଥିବାର ଜେଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି। କଡ଼ା ସୁରକ୍ଷା ମଧ୍ୟରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରୁ ବିଧାୟକଙ୍କୁ ବାଣପୁର ଉପ କାରାଗାର ନିଆଯାଇଛି।

ସୂଚନା ଥାଉ କି ଗତକାଲି ମଧ୍ୟରାତ୍ରିରେ ଚିଲିକା ବିଧାୟକ ଅସୁସ୍ଥତା ଅନୁଭବ କରିବାରୁ ବାଣପୁର ମେଡିକାଲ ଅଧିକାରୀଙ୍କ ପରାମର୍ଶ କ୍ରମେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତରିତ କରାଯାଇଥିଲା। ତେବେ ଆଜି ସେଠାରେ ଚିକିତ୍ସିତ ହେବା ପରେ ବିଧାୟକଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଆସିଥିବାରୁ ତାଙ୍କୁ ପୁନଶ୍ଚ ଜେଲ ପ୍ରଶାସନ ବାଣପୁର ସବ ଜେଲକୁ ପଠାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଜେଲରେ ଅସୁସ୍ଥ ହେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ: ଭୁବନେଶ୍ୱର ସ୍ଥାନାନ୍ତରିତ

ସୀତାରାମ ଅଗ୍ରୱାଲ

ବାଣପୁର: ଜେଲରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଅସୁସ୍ଥ ହୋଇଛନ୍ତି। ରାତାରାତି ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରଣ କରାଯାଇଛି। ଏ ନେଇ ଖୋର୍ଦ୍ଧା ଏସପି ଅଲେଖ ଚନ୍ଦ୍ର ପହି ସୂଚନା ଦେଇଛନ୍ତି।

ଏସପିଙ୍କ ସୂଚନା ମୁତାବକ ବିଧାୟକ ଜଗଦ୍ଦେବ ଗତକାଲି ମଧ୍ୟରାତ୍ରିରେ ଅସୁସ୍ଥତା ଅନୁଭବ କରିଥିଲେ। ତୁରନ୍ତ ବାଣପୁର ମେଡିକାଲ ଅଧିକାରୀ ସବଜେଲ ଯାଇ ବିଧାୟକଙ୍କ ଚିକିତ୍ସା କରିବାରୁ ତାଙ୍କର ଏକାଧିକ ରୋଗ ଥିବାର ଜାଣିବାକୁ ପାଇଥିଲେ। ବିଧାୟକଙ୍କ ଉଚ୍ଚ ରକ୍ତଚାପ, ମଧୁମେହ, ମୁଣ୍ଡ ବୁଲାଇ ହେବା, ଛାତି ଯନ୍ତ୍ରଣା ଆଦି ଥିବାର ମେଡିକାଲ ଅଧିକାରୀ ସମସ୍ତ ଯାଞ୍ଚ ପରେ ଜାଣିବାକୁ ପାଇଥିଲେ। ଏବଂ ମେଡିକାଲ ଅଧିକାରୀଙ୍କ ପରାମର୍ଶ କ୍ରମେ ବିଧାୟକଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ୧୦୮ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତରିତ କରାଯାଇଥିଲା।

ବର୍ତ୍ତମାନ ବିଧାୟକ ଜେଲ ଏବଂ ପୋଲିସ କର୍ମଚାରୀଙ୍କ କଡ଼ା ପ୍ରହରାରେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବାର ଖୋର୍ଦ୍ଧା ଏସପି କହିଛନ୍ତି। ଅନୁରୂପ ଭାବେ ବିଧାୟକ ସୁସ୍ଥ ହେବା ପରେ ପୁଣି ବାଣପୁର ସବଜେଲ ଆସିବେ ବୋଲି କହିଛନ୍ତି ଏସପି।

ତେବେ ଉକ୍ତ ଘଟଣାକୁ ନେଇ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଗତକାଲି ବିଧାୟକଙ୍କୁ ଆକ୍ରମଣ ଘଟଣାରେ ୯ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଥିବା ବେଳେ ଜାମିନ ଆବେଦନ ଖାରଜ ହେବାରୁ ସେମାନଙ୍କୁ ମଧ୍ୟ ସଂନ୍ଧ୍ୟାରେ ବାଣପୁର ସବ ଜେଲକୁ ପଠାଇଦିଆଯାଇଥିଲା। ତେଣୁ ଜେଲ ଭିତରେ ଉଭୟ ବିଧାୟକ ଓ ଆକ୍ରମଣକାରି ମୁହାଁମୁହିଁ ହେବା ଆଶଙ୍କାରେ ଜେଲ କର୍ତ୍ତୁପକ୍ଷଙ୍କ ପକ୍ଷରୁ ଏପରି ଆଗୁଆ ପଦକ୍ଷେପ ନିଆଯାଇଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା ବିଧାୟକଙ୍କ ଗାଡ଼ି ନମ୍ବର ଜାଲିଆତି ମାମଲା: ଉଭୟ ମାଲିକଙ୍କୁ ନୋଟିସ ଜାରି କଲା ବାଣପୁର ପୋଲିସ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ସମ୍ମୁଖରେ ଲୋକ ଏବଂ ପୋଲିସ କର୍ମଚାରୀଙ୍କୁ ଗାଡ଼ି ମଡ଼ାଇବା ଘଟଣାରେ ଗିରଫ ହୋଇ ଜେଲରେ ଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି। ଦୁର୍ଘଟଣା ଘଟାଇଥିବା ଗାଡିର ନମ୍ବରକୁ ନେଇ ବିଧାୟକଙ୍କ ଉପରେ ଅଡୁଆ ବଢିଛି। ପ୍ରଶାନ୍ତ ଜଗଦ୍ଦେବ ଚଳାଉଥିବା କାର୍‌ରେ ୨ଟି ଭିନ୍ନ ଭିନ୍ନ ନମ୍ବର ରହିଥିବା ଦେଖିବାକୁ ମିଳିଥିଲା। ଗୋଟିଏ ନମ୍ବର ଓଡି-୨୫-କେ-୫୭୭୫ ରହିଥିବାବେଳେ ଅନ୍ୟଟି ଓଡି-୦୨-ଏୱାଇ ୫୭୭୫ ରହିଥିଲା।

ତେବେ ବିଧାୟକ ଚଳାଉଥିବା ଲ୍ୟାଣ୍ଡ ରୋଭର ଡିସ୍କଭରୀ କାର୍‌ର ମୂଳ ନଂ. ଓଡି-୨୫-କେ-୫୭୭୫ ହୋଇଥିବାବେଳେ ଏହା ନୟାଗଡ଼ ଅଞ୍ଚଳର ଠିକାଦାର କୁମାର ଦେବଦତ୍ତଙ୍କ ନାମରେ ରହିଛି। ସେହିପରି ଓଡି-୦୨-ଏୱାଇ-୫୭୭୫ ଏକ ହୁଣ୍ଡାଇ କାରର ହୋଇଥିବାବେଳେ ଏହା ନୟାଗଡ ଜିଲ୍ଲା ସୁନାଖଳାର ଶିବାନୀ ଫୁଡ଼ କମ୍ପାନୀ ମାଲିକଙ୍କ ନାମରେ ରହିଥିବା ଜଣାପଡିଛି। ଏହାକୁ ନେଇ ଗାଡି ମାଲିକ ଏବଂ ବିଧାୟକ ପ୍ରଶ୍ନ ଘେରରେ ରହିଥିବା ବେଳେ ତଦନ୍ତକାରୀ ଦଳ ମଧ୍ୟ କଡା ଆଭିମୁଖ୍ୟ ଗ୍ରହଣ କରିଛି।

ତେଣୁ ଘଟଣା ଘଟିବାର ୨୪ ଘଣ୍ଟା ମଧ୍ୟରେ ଗାଡିରେ ୨ଟି ଭିନ୍ନ ନମ୍ବର ପ୍ଲେଟ ଲାଗିଥିବା ନେଇ ଆରଟିଓଙ୍କୁ ତଦନ୍ତକାରୀ ଦଳ ରିପୋର୍ଟ ମାଗିଥିବା ବେଳେ ଗତ ୨୧ ତାରିଖରେ ବାଣପୁର ଥାନାକୁ ଏମଭିଆଇ ଆସି ଯାଞ୍ଚ କରି ଫେରିଥିଲେ। ଶୁକ୍ରବାର ଦିନ ଆର୍‌ଟିଓଙ୍କ ରିପୋର୍ଟ ପୋଲିସ ହାତରେ ଲାଗିଛି। ଆରଟିଓ ରିପୋର୍ଟରେ କ’ଣ ରହିଛି, ତାହା ଏଯାବତ୍ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନ ଥିବାବେଳେ ଖୁବ୍‌ଶୀଘ୍ର ଏହି ରହସ୍ୟ ଉପରୁ ପରଦା ହଟାଯିବ ବୋଲି କୁହାଯାଉଛି।

ତେବେ ଶନିବାର ଦିନ ବାଲୁଗାଁ ଏସଡିପିଓ ଉପରୋକ୍ତ ୨ କାର୍‌ର ମାଲିକଙ୍କୁ ୯୧ ସିଆରପିସି ଧାରା ଅନୁଯାୟୀ ନୋଟିସ୍ ଜାରି କରିଛନ୍ତି। ସପ୍ତାହକ ମଧ୍ୟରେ କାରର ସମସ୍ତ କାଗଜପତ୍ର ଦେଖାଇବାକୁ ନୋଟିସ ହୋଇଛି। ଦୁଇ କାର ମାଲିକ ଜେରାର ସମ୍ମୁଖୀନ ହେବା ପରେ ସମସ୍ତ ଘଟଣା ସ୍ପଷ୍ଟ ହେବ ବୋଲି ବାଲୁଗାଁ ଏସଡିପିଓ ତଥା ତଦନ୍ତ ଅଧିକାରୀ ମାନସ ରଞ୍ଜନ ବାରିକ ସୂଚନା ଦେଇଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ବିଧାନସଭାରେ ଚିଲିକା ବିଧାୟକ ଗିରଫ ପ୍ରସଂଗ, ରାଜ୍ୟରେ ବିଧାୟକ ଅସୁରକ୍ଷିତ ବୋଲି ଉଠିଲା ପ୍ରଶ୍ନ

ଭୁବନେଶ୍ବର: ବିଧାନସଭାରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗିରଫ ପ୍ରସଂଗ ଆସିଛି। ଏ ନେଇ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଗୃହର ଶୂନ୍ୟକାଳରେ ଏହି ପ୍ରସଂଗକୁ ଉତ୍ଧାପନ କରିଛନ୍ତି। ସେ କହିଛନ୍ତି ଯେ, ଯେଉଁ ବ୍ୟକ୍ତି ଜଣେ ବିଧାୟକଙ୍କୁ ଗିରଫ କଲା ସେ ନିୟମ ଅନୁଯାୟୀ ବିଧାନସଭାକୁ ଜଣାଇବା କଥା। ହେଲେ ସେ ସେପରି କରି ନାହାଁନ୍ତି।

ରାଜ୍ୟର ଜଣେ ବିଧାୟକଙ୍କୁ ଗିରଫ କରିବା ଏବଂ ଗୃହକୁ ଅବଗତ ନ କରାଇବା ବିଧାନସଭାର ସ୍ବାଧୀକାର ଭଂଗ ହୋଇଛି। ଏହା କହି ସେ ଗିରଫ କରିଥିବା ଅଧିକାରୀଙ୍କ ବିରୋଧରେ ସ୍ବାଧୀକାର ଭଂଗ ନୋଟିସ ଆଣିଥିଲେ। ସେ ପୁଣି କହିଥିଲେ ଯେ, ବିଧାୟକଙ୍କୁ ରାଜଧାନୀରୁ ଗିରଫ କରାଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କଣ ପାଇଁ ଗୃହକୁ ଅନ୍ଧାରରେ ରଖିଛନ୍ତି ବୋଲି ନରସିଂହ ପ୍ରଶ୍ନ କରିଥିଲେ। ବର୍ତ୍ତମାନ ବିଧାୟକମାନେ ଅସୁରକ୍ଷିତ। ଅଫିସର କିମ୍ବା ପୋଲିସ ବିଧାୟକଙ୍କୁ ଉପଯୁକ୍ତ ମର୍ଯ୍ୟଦା ଦେଉ ନାହାଁନ୍ତି ବୋଲି ନରସିଂହ କହିଥିଲେ।

ତେବେ ଏ ନେଇ ବାଚସ୍ପତି କହିଥିଲେ ଯେ, ତାଙ୍କର ଗିରଫ ସଂପର୍କରେ ବିଧାନସଭାକୁ ଅବଗତ କରାଯାଇଛି। ସେ ଗାଡି ଚଢାଇବା ପରି ଦୁର୍ଘଟଣା କରିଥିବାରୁ ତାଙ୍କୁ ଗିରଫ କରାଯାଇଛି। ହେଲେ ବିଧାୟକ ନରସିଂହ ମିଶ୍ର ପୁଣି ପ୍ରଶ୍ନ କରିଥିଲେ ଯେ, ତାଙ୍କ ଗିରଫ ଖବର ବିଧାନସଭାକୁ କେବେ ଦିଆଗଲା।

ଏହାର ଉତ୍ତରରେ ବାଚସ୍ପତି କହିଥିଲେ ଯେ, ବିଧାୟକଙ୍କ ଗିରଫ ଖବର ଖୋର୍ଦ୍ଧା ଏସପି 23 ତାରିଖ ଅପରାହ୍ନ 2ଟା 45ରେ ମେଲ ଯୋଗେ ବିଧାନସଭାକୁ ପଠାଇଛନ୍ତି। ତାଙ୍କୁ 22 ତାରିଖ ଅପରାହ୍ନ 3 ଟା 45ରେ ଗିରଫ କରାଯାଇଥିଲା। ତେବେ ସେହି ଦିନ ବାଚସ୍ପତିଙ୍କୁ ଏ ମେଲ ସଂପର୍କରେ କୁହାଯାଇ ନ ଥିଲା। ତାପର ଦିନ ଛୁଟି ଥିଲା। ଫଳରେ ସେ 25 ତାରିଖରେ ଏ ସଂପର୍କରେ ଅବଗତ ହେଲେ ବୋଲି ବାଚସ୍ପତି କହିଥିଲେ।

ସ୍ବୀଧୀକାର ଭଂଗ ନୋଟିସ ସଂପର୍କରେ ବାଚସ୍ପତି ତର୍ଜମା କରି ନିଷ୍ପତି ନେବେ ବୋଲି ଗୃହକୁ ଅବଗତ କରାଇଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଚିଲିକା ବିଧାୟକଙ୍କ ଗାଡିକୁ ନେଇ ବିବାଦ: ରୁଜ୍ଜୁ ହେଲା ଆଉ ଏକ ମାମଲା

ସୀତାରାମ ଅଗ୍ରୱାଲ

ବାଣପୁର: ଗତକାଲି ବିଳମ୍ବିତ ରାତ୍ରିରେ ବାଣପୁର ବ୍ଲକ ସମ୍ମୁଖରେ ଲୋକଙ୍କ ଉପରକୁ ଗାଡି ଚଢାଇବା ମାମଲାରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗିରଫ ହୋଇଛନ୍ତି। ଗତକାଲି ବାଣପୁର ବିଚାର ବିଭାଗୀୟ ଅଦାଲତରେ ଜାମିନ ଆବେଦନ ଖାରଜ ହେବା ପରେ ସେ ବର୍ତ୍ତମାନ ବାଣପୁର ସବ ଜେଲରେ ଅଛନ୍ତି।

କିନ୍ତୁ ଏହା ମଧ୍ୟରେ ତାଙ୍କ ଗାଡିକୁ ନେଇ ନୂଆ ବିବାଦ ଦେଖାଯାଇଛି। ସର୍ବ ସମ୍ମୁଖରେ ଲୋକଙ୍କ ଉପରକୁ ପ୍ରଶାନ୍ତ ଜଗଦ୍ଦେବ ଯେଉଁ ଗାଡି ଚଢାଇଦେଇଥିଲେ, ବର୍ତ୍ତମାନ ସେହି ଗାଡିର ନମ୍ବର ବଦଲାଯାଇଥିବା ଅଭିଯୋଗ ହୋଇଛି। ଦୁର୍ଘଟଣା ବେଳେ ଭିଡିଓରେ କଏଦ ହୋଇଥିବା ଗାଡିର ନମ୍ବରକୁ ପୋଲିସ ହେପାଜତରେ ଥିବା ଗାଡିର ନମ୍ବରରେ ଫରକ ଥିବା ଅଭିଯୋଗ ହୋଇଛି। ଦୁର୍ଘଟଣା ସମୟରେ ବିଧାୟକ ଲ୍ୟାଣ୍ଡରୋଭରର ଡିସ୍କୋଭରୀ ଗାଡି ଚଲାଉଥିବା ବେଳେ ତାହାର ନମ୍ବର ଓଡ଼ି-୨୫-କେ-୫୭୭୫ ଥିଲା। କିନ୍ତୁ ପୋଲିସ ରିପୋର୍ଟ ଅନୁଯାୟୀ ସେହି ଗାଡିର ନମ୍ବର ଓଡ଼ି-୦୨-ଏୱାଇ-୫୭୭୫ ରହିଛି। ଯାହାକି ଏକ ହ୍ୟୁଣ୍ଡାଇ କେଟ୍ରାର ଗାଡି ନମ୍ବର। ପରିବହନ ବିଭାଗର ତଥ୍ୟ ଅନୁଯାୟୀ ଏହି ଗାଡିଟି ଶିବାନୀ ଫୁଡ ପ୍ରଡ଼କ୍ଟସ ପ୍ରାଇଭେଟ ଲିମିଟେଡ ନାମରେ ପଞ୍ଜୀକୃତ ହୋଇଛି।

ତେବେ ବିବାଦ ବଢିବା ପରେ ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଲେଖ ଚନ୍ଦ୍ର ପହିଙ୍କ ପ୍ରତିକ୍ରିୟା ନିଆଯାଇଥିଲା। ଖୋର୍ଦ୍ଧା ଏସପିଙ୍କ ଅନୁଯାୟୀ, ସେଦିନ ବିଧାୟକ ଏକ ଫର୍ଜି ନମ୍ବର ଗାଡି ଚଳାଉଥିଲେ। ଯାହା ଫଳରେ ତାଙ୍କ ବିରୋଧରେ ଆଉ ଏକ ଜାଲିଆତି ମାମଲା ରୁଜ୍ଜୁ କରାଯାଇଛି। ଏବଂ ଏହି ବିଷୟରେ କୋର୍ଟଙ୍କୁ ଜଣାଇଦିଆଯିବ ବୋଲି ଏସପି କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଲୋକଙ୍କ ଉପରେ ଗାଡି ମଡାଇବା ଘଟଣା: ଗିରଫ ହେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

ଭୁବନେଶ୍ଵର: ଭିଡ ଉପରେ ଗାଡି ମଡାଇବା ଘଟଣାରେ ଆଜି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପୋଲିସ ଗିରଫ କରିଛି। ହସ୍ପିଟାଲରୁ ସୁସ୍ଥ ହୋଇ ବାହାରିବା ପରେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପୋଲିସ ଗିରଫ କରିଛି। ଗିରଫ ପରେ ତାଙ୍କୁ ବାଣପୁର ବିଚାର ବିଭାଗୀୟ ଅଦାଲତକୁ ପଠାଯିବ ବୋଲି ସୂଚନା ରହିଛି।

ଉଲ୍ଲେଖ ଯୋଗ୍ୟ ଯେ, ଗତ ୧୨ ତାରିଖରେ ବ୍ଲକ ଅଧ୍ୟକ୍ଷ ନିର୍ବାଚନ ବେଳେ ବାଣପୁର ବ୍ଲକ ସମ୍ମୁଖରେ ଶହ ଶହ ବିଜେପି କର୍ମୀ ଏବଂ ସାଧାରଣ ଜନତା ଭିଡ ଜମାଇଥିଲେ। କିନ୍ତୁ ସେଠାରେ ଭିଡ ଉପରକୁ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗାଡି ଚଢାଇ ଲୋକଙ୍କୁ ମାରିବା ପାଇଁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଥିଲା। ଏଥିରେ ବାଣପୁର ଥାନା ଅଧିକାରୀ ରଶ୍ମୀରଞ୍ଜନ ସାହୁଙ୍କ ସମେତ ୨୨ ଜଣ ଲୋକ ଆହତ ହୋଇଥିଲେ। ଅନୁରୂପ ଭାବେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମଧ୍ୟ ଉତ୍ତ୍ୟକ୍ତ ଲୋକେ ଆକ୍ରମଣ କରିଥିଲେ। ଯାହାଫଳରେ ସେ ଲହୁ ଲୁହାଣ ହୋଇପଡିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ତେବେ ଏହି ଘଟଣାକୁ ନେଇ ଚାରି ଆଡେ ନିନ୍ଦା କରାଯାଇଥିବା ବେଳେ ବିଜେଡ଼ି ପକ୍ଷରୁ ମଧ୍ୟ ସ୍ପଷ୍ଟିକରଣ ରଖାଯାଇଥିଲା। ତାଙ୍କୁ ପୂର୍ବରୁ ଦଳ ନିଲମ୍ବିତ କରିଛି ବୋଲି ବିଜେଡ଼ି ସାଂସଦ ଡା ସସ୍ମିତ ପାତ୍ର କହିଥିଲେ। ଏହି ଘଟଣାକୁ ଦଳ ତୀବ୍ର ନିନ୍ଦା କରିବା ସହ ଦୋଷୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡା ପାତ୍ର କହିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁରରେ ୧୪୪ ଧାରା ଜାରୀ ପରେ ବିଭିନ୍ନ ସ୍ଥାନରେ ପୋଲିସ ଛାଉଣୀ

ବାଣପୁର: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ବିଜେପି କର୍ମିଙ୍କ ଆକ୍ରମଣ ପରେ ସେଠାରେ ୧୪୪ ଧାରା ଜାରୀ କରାଯାଇଛି। ଫଳରେ ବାଣପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ ଶସସ୍ତ୍ର ପୋଲିସ ମୁତୟନ ହୋଇଛନ୍ତି। ପୋଲିସ ତରଫରୁ ମାଇକ ଦ୍ବାରା ଲୋକଙ୍କୁ ଏହି ଧାରା ସଂପର୍କରେ ସଚେତନ କରାଯାଇଛି।

ଘଟଣା ସ୍ଥଳରେ ଏସପି ନିଜେ ପରିସ୍ଥିତିକୁ ନିରୀକ୍ଷଣ କରୁଛନ୍ତି। ସେହିପରି କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ମଧ୍ୟ ଘଟଣା ସ୍ଥଳରେ ରହି ପରିସ୍ଥିତିକୁ ତଦାରଖ କରୁଛନ୍ତି। କୌଣସି ସ୍ଥାନରେ ଯେପରି ଗଣ୍ଡଗୋଳ ନ ହୁଏ ସେଥିପାଇଁ ପୋଲିସ ବଳକୁ ସଜାଗ ରଖାଯାଇଛି।

Categories
ବିଶେଷ ଖବର

ସୁସ୍ଥ ହେବା ପରେ ଗିରିଫ ହେବେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ବାଣପୁରରେ ୧୪୪ ଧାରା ଜାରୀ

ଭୁବନେଶ୍ବର: ଗିରଫ ହେବେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ଏ ନେଇ କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ବିଧାୟକ ବର୍ତ୍ତମାନ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ତାଙ୍କୁ ପୋଲିସ ସୁରକ୍ଷା ମଧ୍ୟରେ ଏହି ଚିକିତ୍ସା କରାଯାଉଛି। ସେ ସୁସ୍ଥ ହୋଇ ଡାକ୍ତରଖାନାରୁ ମୁକ୍ତ ହେଲେ ତାଙ୍କୁ ଗିରଫ କରାଯିବ ବୋଲି ଆଇଜି କହିଛନ୍ତି।

ଏଥିସହିତ ସେ କହିଛନ୍ତି ଯେ, ବାଣପୁର ବ୍ଲକ ଅଧ୍ୟକ୍ଷ ନିର୍ବାଚନ ବେଳ ସେ ଗାଡି ଜବରଦସ୍ତ ନିଷିଧାଞ୍ଚଳ ଭିତରକୁ ପ୍ରବେଶ କରାଇଥିଲେ। ପୋଲିସ ତାଙ୍କୁ ବାରଣ କରିବା ସତ୍ତ୍ୱେ ସେ ମାନି ନ ଥିଲେ। ଯାହା ଫଳରେ ସେଠାରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ସହିତ ତୀବ୍ର ଉତ୍ତେଜନା ଦେଖାଦେଇଥିଲା।

ଏହି ଘଟଣାରେ ସେଠାରେ ଉପସ୍ଥିତ ଥିବା ପୋଲିସ କର୍ମି ଏବଂ ବିଜେପି କର୍ମି ଆହତ ହୋଇଛନ୍ତି। ସୂଚନା ଅନୁସାରେ ଏହି ଘଟଣାରେ ୨୪ ଜଣ ଆହତ ହୋଇଛନ୍ତି। ସେଥିମଧ୍ୟରୁ ୯ ଜଣ ପୋଲିସ କର୍ମି ଥିବା ବେଳେ ୧୨ ଜଣ ବିଜେପି କର୍ମି ଅଛନ୍ତି। ସେହିପରି ୨ ଜଣ ସାମ୍ବାଦିକ ମଧ୍ୟ ଏଥିରେ ଆହତ ହୋଇଛନ୍ତି।

ତେବେ ଆହତଙ୍କ ମଧ୍ୟରୁ ୪ ଜଣଙ୍କର ଅବସ୍ଥା ଗୁରୁତର ରହିଛି। ସମସ୍ତଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି। ଏଥିରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କୁ ବିଜେପି କର୍ମି ଚାରିପଟୁ ଘେରି ଆକ୍ରମଣ କରିଥିଲେ। ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ପ୍ରଥମେ ଟାଙ୍ଗୀ ପରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି।

ବର୍ତ୍ତମାନ ପରିସ୍ଥିତିକୁ ଦୃଷ୍ଟିରେ ରଖି ବାଣପୁରରେ ୧୪୪ ଧାରା ଲାଗୁ କରାଯାଇଛି। ସହରରେ ଶାନ୍ତି ଶୃଙ୍ଖଳା ବଜାଇ ରଖିବା ପାଇଁ ପୋଲିସ ମୁତୟନ କରାଯାଇଛି। ଏହି ଘଟଣା ଉପରେ ତୀକ୍ଷ୍ମ ନଜର ରଖାଯାଇଛି ବୋଲି ଆଇଜି କହିଛନ୍ତି।

Categories
PanchayatElection ଆଜିର ଖବର ସ୍ବାସ୍ଥ୍ୟ

ବାଣପୁର: ନିର୍ବାଚନ ପ୍ରଚାର ବେଳେ ହଠାତ୍ ଅସୁସ୍ଥ ହେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ଚିକିତ୍ସା ଜାରି

ସୀତାରାମ ଅଗ୍ରୱାଲ

ଚିଲିକା: ନିର୍ବାଚନ ପ୍ରଚାର ବେଳେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ହଠାତ ଅସୁସ୍ଥ ହୋଇପଡିଛନ୍ତି। ବର୍ତ୍ତମାନ ବିଧାୟକ ଶ୍ରୀ ଜଗଦ୍ଦେବ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି।

ମେଡିକାଲ ଇନଚାର୍ଜ ଡାକ୍ତର ରମାକାନ୍ତ ନାୟକଙ୍କ ସୂଚନା ମୁତାବକ ବିଧାୟକ ଆଜି ଅପରାହ୍ନରେ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଅନୁଭବ କରିବା ସହିତ ତାଙ୍କ ଶରୀରରେ ଅମ୍ଳଜାନ ସ୍ତର କମିଯିବାରୁ ସେ ଏଠାରେ ଚିକିତ୍ସିତ ହେଉଛନ୍ତି। ତେବେ ବର୍ତ୍ତମାନ ବିଧାୟକଙ୍କୁ ଅମ୍ଳଜାନ ଦିଆଯାଉଥିବା ବେଳେ ଏକାଧିକ ଟେଷ୍ଟ ମଧ୍ୟ ହୋଇଛି। ତେବେ ଉନ୍ନତ ଚିକିତ୍ସା ପାଇଁ ବର୍ତ୍ତମାନ ବିଧାୟକଙ୍କୁ ଏମ୍ସ ହସ୍ପିଟାଲକୁ ରେଫେର କରାଯିବ ବୋଲି ଡାକ୍ତର ନାୟକ ଆମ ପ୍ରତିନିଧିଙ୍କୁ କହିଛନ୍ତି।

ସୂଚନା ଥାଉକି ଆଜି ଅପରାହ୍ନ ରେ ଦେଓଗାଁ ପଞ୍ଚାୟତରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସମୟରେ ବିଧାୟକ ହଠାତ ଅସୁସ୍ଥତା ଅନୁଭବ କରିବାରୁ ଆଶୁ ଚିକିତ୍ସା ପାଇଁ ତାଙ୍କୁ ବାଣପୁର ମେଡିକାଲରେ ଭର୍ତ୍ତି କରାଯାଇଛି।

ବର୍ତ୍ତମାନ ବିଧାୟକଙ୍କ ନିକଟରେ ତାଙ୍କ ଧର୍ମପତ୍ନୀଙ୍କ ସମେତ ଅନେକ ଦଳୀୟ କର୍ମୀ ଉପସ୍ଥିତି ରହିବା ସହ ତାଙ୍କର ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା ଜାରି କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପୁଣି ଚର୍ଚ୍ଚାରେ ଚିଲିକା ବିଧାୟକ: ଆଶାୟୀ ସରପଞ୍ଚ ପ୍ରାର୍ଥୀନୀଙ୍କୁ ଦେଲେ ଧମକ, ଥାନାରେ ସୁରକ୍ଷା ମାଗିଲେ ପରିବାର

ସୀତାରାମ ଅଗ୍ରୱାଲ

ଚିଲିକା: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ସଦାବେଳେ କିଛି ନା କିଛି କାରଣ ପାଇଁ ଚର୍ଚ୍ଚାରେ ରହିଆସିଛନ୍ତି। ବାଲୁଗାଁ ବିଜେପି ନଗର ମଣ୍ଡଳ ସଭାପତିଙ୍କୁ ଆକ୍ରମଣ ହେଉ ଅବା ଦଳୀୟ ସଭାରେ ମହିଳା କର୍ମୀଙ୍କୁ ଦୁର୍ବ୍ୟବହାର ହେଉ। ଏଭଳି ଅନେକ ଘଟଣାରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଚର୍ଚ୍ଚାକୁ ଆସୁଛନ୍ତି। ତେବେ ନିଜର ଚିରାଚରିତ ପ୍ରକୃତି ଲାଗି ବିଜେଡିରୁ ନିଲମ୍ବିତ ହୋଇଥିଲେ ମଧ୍ୟ ବିଧାୟକ ନିଜକୁ କାବୁ ରଖିପାରୁନାହାନ୍ତି।

ଗତକାଲି ରାତିରେ ପୁଣି ବିଧାୟକ ଜଗଦ୍ଦେବ ବାଣପୁର ବ୍ଲକ ତୁମୁରାପୁଟ ପଞ୍ଚାୟତର ଆଶାୟୀ ସରପଞ୍ଚ ପ୍ରାର୍ଥୀନୀ ମିନା ବେହେରାଙ୍କ ସ୍ୱାମୀ ବାବୁଲା ବେହେରାଙ୍କୁ ପ୍ରାର୍ଥୀପତ୍ର ଦାଖଲ ନକରିବା ପାଇଁ ଧମକାଉଥିବାର ଏକ ଅଡ଼ିଓ ଭାଇରଲ ହେବାରେ ଲାଗିଛି। ତେବେ ଉକ୍ତ ଘଟଣା ବର୍ତ୍ତମାନ ଆହୁରି ଭୟଙ୍କର ମୋଡ଼ ନେବାରେ ଲାଗିଛି।

ଆଜି ସଂନ୍ଧ୍ୟାରେ ବାଣପୁର ଥାନାରେ ହାଜର ହୋଇ ତାଙ୍କର ଏବଂ ତାଙ୍କ ପରିବାର ସଦସ୍ୟ ମାନଙ୍କ ଜୀବନର ସୁରକ୍ଷା ପ୍ରଦାନ ପାଇଁ ଆଇଆଇସିଙ୍କୁ ମିନା ବେହେରା ଏକ ଲିଖିତ ନିବେଦନ କରିଛନ୍ତି। ଉକ୍ତ ଅନୁରୋଧ ପତ୍ରରେ ମିନା ଲେଖିଛନ୍ତି କି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗତକାଲି ସଂନ୍ଧ୍ୟାରେ ତାଙ୍କ ସ୍ୱାମୀଙ୍କୁ ଫୋନ ମାଧ୍ୟମରେ ଧମକାଇଥିଲେ। ଯଦି ମିନା ପ୍ରାର୍ଥୀପତ୍ର ଦାଖଲ କରନ୍ତି ତେବେ ସୁବିଧା ଦେଖିକି ତାଙ୍କ ବ୍ୟବସ୍ଥା କରିବେ ବୋଲି ବିଧାୟକ ଧମକାଇଥିଲେ।

ଏହାପରେ ମିନା ଏବଂ ତାଙ୍କ ପରିବାରବର୍ଗ ଭୟଭୀତ ଅବସ୍ଥାରେ ଥିବା ବେଳେ ଗତକାଲି ରାତି ଦୁଇ ଟା ରେ କେତେଜଣ ବିଜେଡି ନେତା ମାନେ ପୁନଶ୍ଚ ମିନାଙ୍କୁ ଧମକାଇଥିବା ଉଲ୍ଲେଖ କରିଛନ୍ତି। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ମିନା ସରପଞ୍ଚ ଆଶାୟୀ ପ୍ରାଥୀ ଥିବା ବେଳେ ତାଙ୍କୁ ସୁରକ୍ଷା ଦେବା ପୋଲିସର ନୈତିକ ଦାଇତ୍ୱ ବୋଲି ମିନା କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଭେଟେଶ୍ୱର ପଞ୍ଚାୟତରେ ଚିଲିକା ବିଧାୟକଙ୍କ ହେଲଥ କାର୍ଡ ବଣ୍ଟନକୁ ବିଜେପିର ଜୋରଦାର ବିରୋଧ

ସୀତାରାମ ଅଗ୍ରୱାଲ

ବାଣପୁର: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଯୁଦ୍ଧକାଳୀନ ଭିତ୍ତିରେ ସାରା ରାଜ୍ୟରେ ହିତାଧିକାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଗତ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କରାଯାଉଛି। ଏହି ପରିପ୍ରେକ୍ଷୀରେ ପ୍ରତି ପଞ୍ଚାୟତରେ ବ୍ଲକ ପ୍ରଶାସନ ପକ୍ଷରୁ ସ୍ଥିର କରାଯାଇଥିବା ଅତିଥିମାନଙ୍କ ଗହଣରେ ଉକ୍ତ କାର୍ଡ ବଣ୍ଟନ କରାଯାଉଛି। ତେବେ ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଭେଟେଶ୍ୱର ପଞ୍ଚାୟତରେ ହେଲଥ କାର୍ଡ ବଣ୍ଟନକୁ ନେଇ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ଶତାଧିକ ବିଜେପି କର୍ମୀ ଏକାଠି ହେବା ସହ ନାରାବାଜି କରିଥିଲେ।

ସୂଚନା ମୁତାବକ ରବିବାର ଦିନ ଭେଟେଶ୍ୱର ପଞ୍ଚାୟତରେ ହେଲଥ କାର୍ଡ ବଣ୍ଟନ ନିମନ୍ତେ ସରପଞ୍ଚଙ୍କ ସମେତ ଚିଲିକା ବିଧାୟକଙ୍କ ନାମକୁ ସ୍ଥିର କରିଥିଲା ବ୍ଲକ ପ୍ରଶାସନ। କିନ୍ତୁ ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟ ଅମରେନ୍ଦ୍ର ରଣସିଂହଙ୍କୁ ନିମନ୍ତ୍ରଣ କରାଯାଇନଥିବାର ଅଭିଯୋଗ ହୋଇଥିଲା। ଅପରପକ୍ଷେ ବିଜେଡିରୁ ନିଲମ୍ବିତ ହୋଇଥିବା ବିଧାୟକ ଅନ୍ୟ ପଞ୍ଚାୟତର ଦଳୀୟ କର୍ମୀଙ୍କୁ ନେଇ ଭେଟେଶ୍ୱର ପଞ୍ଚାୟତରେ ଅଶାନ୍ତ ବାତାବରଣ ସୃଷ୍ଟି କରଉଥିବାର ବିଜେପି ଅଭିଯୋଗ ଆଣିଥିଲା।

ଏହି ପରିପ୍ରେକ୍ଷୀରେ ଶତାଧିକ ବିଜେପି କର୍ମୀ ଉତକ୍ଷିପ୍ତ ହୋଇ ବିଧାୟକଙ୍କୁ ଉକ୍ତ କାର୍ଯ୍ୟକ୍ରମରେ ପୁରାଇ ନଦେବାକୁ ଜିଦ ଧରିଥିଲେ। କିଛି ସମୟ ଧରି ବିଜେପି ଆଉ ବିଜେଡି କର୍ମୀ ମୁହାଁମୁହିଁ ହୋଇଥିବାର ଦେଖିବାକୁ ମିଳିଥିଲା। ତେବେ ବିରୋଧକୁ ଦେଖି ଚିଲିକା ବିଧାୟକ ଉକ୍ତ କାର୍ଯ୍ୟକ୍ରମକୁ ଆସିନଥିବାର ଦେଖିବାକୁ ମିଳିଥିଲା।

ପରିଶେଷରେ ବାଣପୁର ବିଡ଼ିଓ ପ୍ରଦ୍ୟୁମ୍ନ ନାୟକ ଏବଂ ସରପଞ୍ଚ ଜିତେନ୍ଦ୍ର ଭୋଳଙ୍କ ଦ୍ୱାରା ହିତାଧିକାରୀଙ୍କୁ ଉକ୍ତ ହେଲଥ କାର୍ଡ ବଣ୍ଟନ କରାଯାଇଥିଲା। ତେବେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ, ବାଣପୁର ଆଇଆଇସି ରଶ୍ମିରଞ୍ଜନ ସାହୁ ଏବଂ ଅନ୍ୟ ପୋଲିସ କର୍ମଚାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ଥିଲେ।