Categories
ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀ ବାଇପାସ୍ ରେ ହାଇୱା ଧକ୍କାରେ ଅକ୍ସିଜେନ ବୋଝେଇ ଟ୍ୟାଙ୍କର କ୍ଷତିଗ୍ରସ୍ତ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଆଜି ସନ୍ଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ଟାଙ୍ଗୀ ବାଇପାସ୍ ରେ  ଏକ ସଡକ ଦୁର୍ଘଟଣା ଘଟିଯାଇଛି। ଏହି ଦୁର୍ଘଟଣାରେ ହାଇୱା ଧକ୍କା ଦେବାରୁ ଅକ୍ସିଜେନ ବୋଝେଇ ଟ୍ୟାଙ୍କର  କ୍ଷତିଗ୍ରସ୍ତ ହୋଇଛି।

ସୂଚନା ଯୋଗ୍ୟ ଯେ, ଦେଶର ଅନେକ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ଅକ୍ସିଜେନ ଅଭାବ ପରିଲିକ୍ଷିତ ହେଉଛି। ତେଣୁ ଏହି ଅଭାବ ପୂରଣ ଲାଗି ଅନେକ ରାଜ୍ୟକୁ ଓଡିଶା ସରକାର ଅକ୍ସିଜେନ ଯୋଗାଇଦେଉଛନ୍ତି।

ତେବେ ଆଜି ଆନ୍ଧ୍ରପ୍ରଦେଶ ନେଇ ଏକ ଅକ୍ସିଜେନ ବୋଝେଇ ଟ୍ୟାଙ୍କର ଯାଉଥିବା ବେଳେ ଟାଙ୍ଗୀ ବାଇପାସ୍ ରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ଗାଡିର ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଚାଳକ ସୁରକ୍ଷିତ ଅଛନ୍ତି। ବର୍ତ୍ତମାନ ପୋଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ୧୬ ନଂ ଜାତୀୟ ରାଜପଥ ନାଭାଲ ଫାଣ୍ଡି ଅନ୍ତର୍ଗତ ସୁବୁଦ୍ଧି ପାଟଣା ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ଏହି ଦୁର୍ଘଟଣାରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି।

ସୂଚନା ମୁତାବକ ମଙ୍ଗଳବାର ଅପରାହ୍ନ ୪ ଟାରେ ଏକ ଘରୋଇ କାର( ଓ ଆର ୨୪ ବି ୫୨୯୩) ଯୋଗେ କଟକ ବଡ଼ ମେଡ଼ିକାଲରୁ ଚିକିତ୍ସିତ ହୋଇ ଜୟପୁର ଫେରୁଥିବା ବେଳେ ସୁବୁଦ୍ଧି ପାଟଣା ଛକ ନିକଟରେ ଅଚାନକ ଚଳନ୍ତା କାରର ପଛ ଚକା ଛିଣ୍ଡି ଯିବାରୁ ରାସ୍ତା ମଝିରେ ବାରମ୍ଵାର ଓଲଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା।

ସମ୍ପୃକ୍ତ କାରରେ ଡ୍ରାଇଭର ସମେତ ଦୁଇ ଜଣ ଯାତ୍ରା କରୁଥିଲେ। ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣଙ୍କ ଅନିଲ କୁମାର ପାତ୍ର ବୋଲି ଜଣାପଡିଛି।

ଖବର ପାଇ ବାଲୁଗାଁ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ମୃତକଙ୍କ ସମେତ ଗୁରୁତର ଆହାତ ଦ୍ଵୟଙ୍କୁ ଉଦ୍ଧାର କରି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ସଂପୂକ୍ତ କାରକୁ ଜବତ କରିବା ସହ ମୃତକଙ୍କ ପରିବାରକୁ ଅବଗତ କରାଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କେହି ଆସିନଥିବା ନାଭାଲ ଫାଣ୍ଡି ଅଧିକାରୀ ଗୋବିନ୍ଦ ଗୌଡ଼ା ସୂଚନା ଦେଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ରାମେଶ୍ବର ଛକ ନିକଟରେ ବନ୍ଧୁକ ଦେଖାଇ ଲୁଟ୍: ସାଢେ ୪ ଲକ୍ଷ ଲୁଟିଲେ ଦୁର୍ବୃତ୍ତ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ପୁଣି ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥରେ ବନ୍ଧୁକ ଦେଖାଇ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ସ୍ପଷ୍ଟ ଦିବାଲୋକରେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଠାରୁ ରାମେଶ୍ବର ଛକ ନିକଟରେ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି।

ଅଭିଯୋଗ ମୁତାବକ, ରାମେଶ୍ୱର ସ୍ଥିତ  ପାଇକରାୟ ପେଟ୍ରୋଲ ପମ୍ପର ୨ ଜଣ କର୍ମଚାରୀ ଏକ ସ୍କୁଟିରେ ଟଙ୍କା ଜମା କରିବା ପାଇଁ ନିକଟସ୍ଥ  ପଂଜାବ ନାସନାଲ ବ୍ୟାଙ୍କକୁ ଯାଉଥିଲେ। ପେଟ୍ରୋଲ ଟାଙ୍କି ଠାରୁ ମାତ୍ର ୧.୫୦  କିଲୋମିଟର ରାସ୍ତା ଯାଇଥିବା ବେଳେ ପୂର୍ବରୁ ପ୍ରସ୍ତୁତ ଥିବା ଲୁଟେରାମାନେ ୨ ଟି ପଲସର ବାଇକ୍ ରେ ୬ ଜଣ ଲୁଟେରା ଆସି ସ୍କୁଟିକୁ ଗୋଇଠା ମାରିଥିଲେ। ଗୋଇଠା ମାରିବା ଫଳରେ ସ୍କୁଟିଟି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ଵକୁ ଖସି ଯାଇଥିଲା। ପରେ ଚାଳକଙ୍କୁ ଲୁଟେରାମାନେ ଭୁଜାଲି ଓ  ପିସ୍ତଲ ଦେଖାଇ ସ୍କୁଟି ଚାବି ଛଡାଇ ନେଇଯାଇଥିଲେ। ଏବଂ ସ୍କୁଟି ଡିକିରୁ ୪ ଲକ୍ଷ  ୫୦ ହଜାର ଟଙ୍କା ଲୁଟି ନେଇଥିଲେ। ଲୁଟେରାମାନେ ଟଙ୍କା ବ୍ୟାଗ ନେଇ ରଣପୁର ଆଡକୁ ପଳାଇ ଯାଇଥିଲେ। ଏନେଇ ଜଙ୍କିଆ ଥାନାରେ ଅଭିଯୋଗ ପରେ ଜଙ୍କିଆ ପୋଲିସ୍ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି।

Categories
ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀ ବାଇପାସ୍ ରେ ପ୍ରବାସୀଙ୍କୁ ନେଇ ଆସୁଥିବା ବସ୍ ଏବଂ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା: ଜଣେ ମୃତ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ପ୍ରବାସୀଙ୍କୁ ନେଇ ଆସୁଥିବା ବସ୍ ଏବଂ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଟ୍ରକ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ କିଛି ପ୍ରବାସୀ ଆହତ ହୋଇଥିବା ସୂଚନା ରହିଛି।

ସୂଚନା ଅନୁଯାୟୀ, ଆଜି ସକାଳେ କେରଳରୁ ଏକ ବସ୍ ଯୋଗେ ଓଡିଆ ପ୍ରବାସୀ ନିଜ ଗାଁକୁ ଫେରୁଥିଲେ। ହେଲେ ଟାଙ୍ଗୀ ବାଇପାସ୍ ନିକଟରେ ରାସ୍ତା କାମ ଚାଲୁଥିବାରୁ ରାସ୍ତାର ଗୋଟିଏ ପାର୍ଶ୍ଵରେ ଗାଡି ଚଳାଚଳ ଚାଲୁଥିଲା। ସେହି ସମୟରେ ପ୍ରବାସୀଙ୍କୁ ନେଇ ଆସୁଥିବା ବସ୍ ଏବଂ ଟ୍ରକ ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇଥିଲା। ଧକ୍କା ଏତେ ଜୋର୍ ଥିଲା ଯେ ବସ୍ ଟି ଡିଭାଇଡର ଡେଇଁ ୪୦ ଫୁଟ ପଛକୁ ଚାଲିଯାଇଥିଲା। କିନ୍ତୁ ଟ୍ରକ ଚାଳକଙ୍କ ଏହି ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ବସ୍ ରେ ଥିବା କିଛି ପ୍ରବାସୀ ଆହତ ମଧ୍ୟ ହୋଇଥିବା ସୂଚନା ରହିଛି। ବସ୍ ରେ ଆସୁଥିବା ପ୍ରବାସୀମାନେ କଟକ ଏବଂ କେନ୍ଦ୍ରାପଡା ଜିଲ୍ଲାର ବୋଲି ଜଣା ପଡ଼ିଛି।

ତେବେ ଟାଙ୍ଗୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବସ୍ ଯାତ୍ରୀମାନଙ୍କୁ ଉଦ୍ଧାର କରିବା ସହ ଅନ୍ୟ ଏକ ବସ୍ ଯୋଗେ ସେମାନଙ୍କୁ ଘରକୁ ପଠାଇଦେଇଛି। ହେଲେ ମୃତ ଟ୍ରକ ଚାଳକଙ୍କ ପରିଚୟ ମିଳିପାରିନାହିଁ। ପୋଲିସ ଏନେଇ ତଦନ୍ତ ଜାରି ରଖିଥିବା ବେଳେ ଟାଙ୍ଗୀ ଏବଂ ବାଲୁଗାଁ ଅଗ୍ନିଶମ ବାହିନୀଙ୍କ ସହଯୋଗରେ ଚାଳକଙ୍କ ମୃତ ଦେହକୁ ଟ୍ରକ କ୍ୟାବିନରୁ ବାହାର କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଚଣ୍ଡେଶ୍ଵରରେ ସଡକ ଦୁର୍ଘଟଣା: ଓଭରବ୍ରିଜ ସ୍ଲାବକୁ ପିଟିଲା କାର, ଚାଳକ ଗୁରୁତର

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ୧୬ ନଂ ଜାତୀୟ ରାଜପଥର ଚଣ୍ଡେଶ୍ଵର ଓଭରବ୍ରିଜ ଉପରେ ଏକ ସଡକ ଦୁର୍ଘଟଣା ଘଟିଯାଇଛି। ଏଥିରେ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇ ଚାଳକ ଗୁରୁତର ହୋଇଛନ୍ତି।

ମିଳିଥିବା ଖବର ଅନୁଯାୟୀ, ଏକ ମାରୁତି ସୁଇଫ୍ଟ ଡିଜାୟର (ଓଡ଼ି ୦୨ଏକେ୧୧୬୦) କାରଟି ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲା। ହେଲେ କାରଟି ଭାରସାମ୍ୟ ହରାଇ ଚଣ୍ଡେଶ୍ଵର ଓଭର ବ୍ରିଜ ଉପରେ ଥିବା ସ୍ଲାପକୁ ଧକ୍କା ଦେଇଥିଲା। ଟାଙ୍ଗୀ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଚାଳକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଗାଡିଟି ଏତେ ଜୋରରେ ସ୍ଲାବକୁ ଧକ୍କା ଦେଇଥିଲା ଯେ ଗାଡ଼ିଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। କାରଟି ଧକ୍କାରେ ଓଭରବ୍ରିଜର ଏକ ସ୍ଲାବ ଉପରୁ ତଳକୁ ଖସିପଡିଥିଲା। ସୌଗ୍ୟବଶତଃ ତଳେ କୌଣସି ଜନସାଧାରଣ ନଥିବାରୁ ଏକ ନିଶ୍ଚିତ ବିପଦରୁ ରକ୍ଷା ମିଳିଛି।

ଏନେଇ ଘଟଣା ସ୍ଥଳରେ ଟାଙ୍ଗୀ ପୋଲିସ ପହଞ୍ଚି ଗାଡ଼ିଟିକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁରୁ ଫେରୁଥିବା ବେଳେ ବାଇକ୍ ସମ୍ମୁଖକୁ ଆସିଲା ଷଣ୍ଢ: ଦୁର୍ଘଟଣାରେ ଚାଲିଗଲା ଚାଳକଙ୍କ ଜୀବନ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥରେ ପୁଣି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ଏହି ଦୁର୍ଘଟଣାରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି।

ଖବର ମୁତାବକ ଟାଙ୍ଗୀ ଥାନା କାଳୁପଡ଼ା ଅନ୍ତର୍ଗତ ରାଜେନ୍ଦ୍ରପୁର ଗ୍ରାମର ଲିପିକାନ୍ତ ନାଥ (୫୦) ନିଜ ବାଇକ୍ ଯୋଗେ ବାଲୁଗାଁରୁ ଘରକୁ ଫେରୁଥିଲେ। ହଠାତ୍ ବ୍ରାହ୍ମଣ ଡିହ ଗ୍ରାମ ନିକଟରେ ଏକ ଷଣ୍ଢ ତାଙ୍କ ବାଇକ୍ ସମ୍ମୁଖକୁ ପଳିଆସିଥିଲା।

ଯାହାଫଳରେ ସେ ବ୍ରେକ ଦେବାରୁ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବାଇକ୍ ରୁ ଛିଟିକି ପଡିବାରୁ ଲିପିକାନ୍ତଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଲିପିକାନ୍ତଙ୍କୁ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଖବର ପାଇ ଟାଙ୍ଗୀ ପୋଲିସ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଦେଇଛି।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ ବାଇପାସ୍ ଧୁଆଁଳ ଛକ ନିକଟରେ ସଡ଼କ ଦୁର୍ଘଟଣା: ଘଟଣାସ୍ଥଳରେ ଯୁବକ ମୃତ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ଧୁଆଁଳ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଜଣେ୨୬ ବର୍ଷୀୟ ଯୁବକଙ୍କ ପ୍ରାଣହାନୀ ଘଟିଛି।

ସୂଚନା ମୁତାବକ ଚିଲିକା ବ୍ଲକ ସୋରଣ ଗ୍ରାମର ସାଗର ସାହୁ ଆଜି ଅପରାହ୍ନରେ ବାଣପୁରରୁ ଏକ କାର୍ଯ୍ୟ ସାରି ବନ୍ଧୁଙ୍କ ସହ ଏକ ବାଇକ ଯୋଗେ ନିଜ ଗ୍ରାମକୁ ଫେରୁଥିଲେ। ତେବେ ପାଖାପାଖି ୫ ଘଟିକା ସମୟରେ ଧୂଆଁଳ ଛକ ନିକଟରେ ଏକ ଅଜଣା ସ୍କୋର୍ପିଓ ଗାଡି ସାଗରଙ୍କ ବାଇକର ପଛପଟୁ ଧକ୍କା ଦେଇଥିଲା। ଯଦ୍ୱାରା ସାଗର ବାଇକରୁ ଛିଟିକି ରୋଡ଼ରେ ପଡ଼ିଥିଲେ ଏବଂ ଏକ ସିମେଣ୍ଟ ଖୁଣ୍ଟିରେ ତାଙ୍କ ମସ୍ତିଷ୍କରେ ଗଭୀର ଆଘାତ ଲାଗିଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କ ପ୍ରାଣବାୟୁ ଉଡିଯାଇଥିଲା।

ଅନୁରୂପ ଭାବେ ବାଇକ ପଛରେ ବସିଥିବା ତାଙ୍କ ବନ୍ଧୁ ମଧ୍ୟ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ଏକ ଆମ୍ବୁଲାନ୍ସ ଜରିଆରେ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।

ତେବେ ଖବର ପାଇ ବାଲୁଗାଁ ପୋଲିସ ଦୁର୍ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଦେଇଛି।

Categories
ଆଜିର ଖବର ରାଜ୍ୟ ଖବର

ପୁଣି ଏକ ସଡକ ଦୁର୍ଘଟଣା: କୁହୁଡି ନିକଟସ୍ଥ କୟଥପଲ୍ଲା ଛକ ନିକଟରେ ବାଇକ୍ ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ

ସୀତାରାମ ଅଗ୍ରୱାଲ
ଟାଙ୍ଗୀ: ଗତକାଲି ପୁଣି ୧୬ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। କୌଣସି ଏକ ଅଜଣା ଗାଡି ଧକ୍କାରେ ଜଣେ ବାଇକ୍ ଚାଳକଙ୍କ ମୃତ୍ୟୁ ହୋଇଛି।

ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ବଉଳାବନ୍ଧ ଗ୍ରାମର ରଣଜିତ୍ ପ୍ରଧାନ(୨୨) ଗତକାଲି ବିଳମ୍ବିତ ରାତିରେ ତାଙ୍କ ବନ୍ଧୁଙ୍କୁ ଛାଡିବା ପାଇଁ ବାଇକ ଯୋଗେ କୁହୁଡି ଯାଇଥିଲେ। ବନ୍ଧୁଙ୍କୁ ଛାଡି ଫେରୁଥିବା ବେଳେ କୟଥପଲ୍ଲା ଛକ ନିକଟରେ କୌଣସି ଏକ ଅଜଣା ଗାଡି ଧକ୍କା ଦେଇ ଫେରାର ହୋଇଯାଇଥିଲା। ଦୁର୍ଘଟଣାରେ ରଣଜିତଙ୍କ ମୁଣ୍ଡ ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲା। ଫଳରେ ସେ ଘଟଣା ସ୍ଥଳରେ ପ୍ରାଣ ହରାଇଥିଲେ।

ଖବର ପାଇ ଟାଙ୍ଗୀ ପୋଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ରଣଜିତଙ୍କ ମୃତ ଦେହକୁ ଉଦ୍ଧାର କରିଥିଲା। ତଦନ୍ତ ଚାଲିଥିଲେ ମଧ୍ୟ ଧକ୍କା ଦେଇ ଫେରାର ହୋଇଥିବା ଗାଡିର ଏଯାଏଁ କୌଣସି ସନ୍ଧାନ ମିଳିପାରିନାହିଁ ବୋଲି ଟାଙ୍ଗୀ ଆଇଆଇସି ସରୋଜ ଉପାଧ୍ୟୟ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଚଣ୍ଡେଶ୍ଵର ଛକରେ ବାଇକ୍ କୁ ପିଟିଲା ଯାତ୍ରୀବାହୀ ବସ୍: ଜଣେ ଗୁରୁତର, ଅଳ୍ପକେ ବଞ୍ଚିଲେ ଯାତ୍ରୀ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଚଣ୍ଡେଶ୍ୱର ଛକ ଜାତୀୟ ରାଜପଥ ନିକଟରେ ଏକ ଦୁର୍ଘଟଣା ଘଟିଛି। ବିଶାଖାପାଟଣା ରୁ ଭୁବନେଶ୍ୱର ଯାଉଥିବା  ‘ଶ୍ରୀକ୍ଷେତ୍ର’ ନାମକ ଯାତ୍ରୀବାହୀ ବସ୍ (ଏପି-୦୭-ଟିଜି-୩୪୩୪) ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍ ଟି ଏକ ବାଇକକୁ ଧକ୍କା ଦେଇ ରାସ୍ତାପାର୍ଶ୍ଵରେ ଥିବା ଲୁହା ବ୍ୟାରିକେଟରେ ଫସି ରହି ଏକ ବଡ ଦୁର୍ଘଟଣାରୁ ରକ୍ଷା ପାଇଯାଇଛି।

ଏହି ଦୁର୍ଘଟଣାରେ ବାଇକ ଚାଳକ ଗୁରୁତର ହୋଇଛନ୍ତି। ଗୁରୁତର ହୋଇଥିବା ବାଇକ ଚାଳକ ଜଣଙ୍କ ନିକଟସ୍ଥ ବରୁଣପଡା ଗ୍ରାମର ସଜଂୟ ସେଠୀ ବୋଲି ଜଣାପଡିଛି। ଗୁରୁତର ଅବସ୍ଥାରେ ତାଙ୍କୁ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା ମାତ୍ର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି।

ସୌଭାଗ୍ୟ ବଶତଃ ବସ୍ ରେ ଯାତ୍ରା କରୁଥିବା ୬୦ ଜଣ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଟାଙ୍ଗୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର-ବାଲୁଗାଁ ବାଇପାସରେ ସଡ଼କ ଦୁର୍ଘଟଣା: ଅଜଣା ବାଇକ୍ ଧକ୍କାରେ ବୃଦ୍ଧ ମୃତ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର-ବାଲୁଗାଁ ବାଇପାସର ମଠପାଟଣା ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଏହି ଦୁର୍ଘଟଣାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଖବର ହସ୍ତଗତ ହୋଇଛି।

ସୂଚନା ମୁତାବକ ଆଜି ସକାଳ ପାଖାପାଖି ୭.୩୦ ସମୟରେ ନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ମଠପାଟଣା ଗ୍ରାମର ଗୋବିନ୍ଦ ରାଉତ (୭୫) ସାଇକେଲ ଯୋଗେ ନିଜ ଗ୍ରାମକୁ ଫେରୁଥିଲେ। ମଠପାଟଣା ଛକରେ ଭୁବନେଶ୍ୱର ଆଡୁ ଦ୍ରୁତଗତିରେ ଆସୁଥିବା ଏକ ଅଜଣା ବାଇକ ତାଙ୍କୁ ଧକ୍କା ଦେଇ ଘଟଣାରୁ ଫେରାର ହୋଇଯାଇଥିଲା।

ଫଳରେ ଗୋବିନ୍ଦଙ୍କ ଶରୀରରେ ଗଭୀର ଆଘାତ ଲାଗିଥିଲା। ଏଥିରେ ଉତ୍ୟକ୍ତ ହୋଇ ଗ୍ରାମବାସୀମାନେ ସ୍ୱଳ୍ପ ସମୟ ପାଇଁ ରାସ୍ତାରୋକ କରିବା ସହ ଗୋବିନ୍ଦଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ହେଲେ ଗୋବିନ୍ଦଙ୍କ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତରଖାନାରେ ମୃତ୍ୟୁ ଘଟିଛି। ତେବେ ବର୍ତ୍ତମାନ ଏନେଇ ପରିବାର ଲୋକଙ୍କ ପକ୍ଷରୁ ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଛି। ଖବର ପାଇ ବାଲୁଗାଁ ପୋଲିସ ସେଠାରେ ପହଞ୍ଚି ମୃତକଙ୍କ ପରିବାର ଲୋକଙ୍କୁ ବୁଝାସୁଝା କରୁଥିବା ଖବର ହସ୍ତଗତ ହୋଇଛି।

ସେପଟେ ବାଣପୁର ପୋଲିସ ଏବଂ ଜାତୀୟ ରାଜପଥରେ ନିୟୋଜିତ ପାଟ୍ରୋଲିଂ ଦଳ ଦୁର୍ଘଟଣା ସ୍ଥଳରେ ପହଞ୍ଚି  ତଦନ୍ତ ଆରମ୍ଭ କରିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଏଥର ନୂଆ କୌଶଳ: ପୋଲିସର ପରିଚୟ ଦେଇ ଚଣ୍ଡେଶ୍ଵର ରାଜପଥରେ ଟ୍ରକରୁ ଲୁଟିଲେ ୫ ଦୁର୍ବୃତ୍ତ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଏଥର ନୂଆ କୌଶଳରେ ଜାତୀୟ ରାଜପଥରୁ ଲୁଟ୍ ହୋଇଛି। ଲୁଟେରାମାନେ ପୋଲିସର ପରିଚୟ ଦେଇ ଲୁହା ପଥର ବୋଝେଇ ଟ୍ରକରୁ କାଗଜ ପତ୍ର ଏବଂ ଟଙ୍କା ପଇସା ଲୁଟ୍ କରିଛନ୍ତି।

ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ଟାଙ୍ଗି ଥାନା ଅଧିନସ୍ଥ ଚଣ୍ଡେଶ୍ଵର ରାଇସ ମିଲ ନିକଟରେ ଲୁହା ପଥର ବୋଝେଇ ଟ୍ରକ୍ (ଓଡ଼ି ୧୫ ଏଲଏ ୭୯୯୨) କେଉଁଝର କୋଇଡାରୁ ଗୋପାଳପୁର ଯାଉଥିଲା। ଗତ କାଲି ରାତ୍ରି ପ୍ରାୟ ୩.୩୦ ମିନିଟ୍ ସମୟରେ ଟ୍ରକ୍ ଚାଳକ ଗାଡି ରଖି  ବିଶ୍ରାମ ନେଉଥିବା ବେଳେ ୫ ଜଣ ଲୁଟେରା ଏକ ବୋଲେରୋ ଗାଡିରେ ଆସି ପୋଲିସର ପରିଚୟ ଦେଇଥିଲେ। ଟାଙ୍ଗୀ ଥାନା ବଡବାବୁ ଡାକୁଛନ୍ତି କହି ଟ୍ରକ ଚାଳକଙ୍କୁ ବୋଲେର ଗାଡିରେ ବସାଇ ମାଡ ମାରିବା ସହ ଗାଡି ମଧ୍ୟରୁ ଠେଲି ଦେଇଥିଲେ। ଏହାପରେ ସେମାନେ ଟ୍ରକରୁ କାଗଜ ପତ୍ର, ଟଙ୍କା ପଇସା ଲୁଟି ନେଇଥିଲେ। କିନ୍ତୁ ଗାଡି ଚାଳକ ପାଲଟା ଢେଲା ମାଡ଼ରେ ଦୁର୍ବୃତ୍ତମାନେ ଆଣିଥିବା ବୋଲେର ଗାଡିର କାଚ ଭାଙ୍ଗି ଯାଇଥିଲା। ଏନେଇ ଗାଡି ଚାଳକ ଟାଙ୍ଗୀ ଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଆରମ୍ଭ କରିଛି।

ତେବେ ଜାତୀୟ ରାଜପଥରେ ବାରମ୍ବାର ଡକାୟତି ଯୋଗୁଁ ଗାଡି ଚାଳକ ମାନେ ଆତଙ୍କିତ ହେଉଥିବା ଜଣା ପଡିଛି। କିଛି ଦିନ ତଳେ ଜାତୀୟ ରାଜପଥରେ ବାରମ୍ବାର ଲୁଟ୍ ଡକାୟତି ହେଉଥିବାରୁ ପୋଲିସ୍ ପକ୍ଷରୁ ପିତାପଲି ଠାରୁ ବାଲୁଗାଁ ନାଭାଲ ଛକ ପର୍ଯ୍ୟନ୍ତ  ୩ ଟି  ପୋଲିସ୍  ପାଟ୍ରୋଲିଂ ଭ୍ୟାନ ମୁତୟନ କରାଯାଇଥିଲା। ଏହା ପରେ ବି ପୋଲିସକୁ ଖୋଲା ଖୋଲି ଚ୍ୟାଲେଂଜ୍ ଦେଇ ଲୁଟେରାମାନେ ଲୁଟ୍ କରୁଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

୧୫ ତାରିଖ ମଧ୍ୟରାତ୍ରୀରୁ ଫାଶଟ୍ୟାଗ ବାଧ୍ୟତାମୂଳକ: ନଚେତ୍ ଦେବାକୁ ପଡ଼ିବ ଦୁଇଗୁଣା ଟଙ୍କା

ନୂଆଦିଲ୍ଲୀ: ୧୫ ତାରିଖ ମଧ୍ୟରାତ୍ରୀ ଅର୍ଥାତ ୧୬ ତାରିଖରୁ ଟୋଲଗେଟରେ ଫାଶଟ୍ୟାଗ ବାଧ୍ୟତା ମୂଳକ ହେବ। ଫାଶଟ୍ୟାଗ ନଥିଲେ ଦୁଇ ଗୁଣା ଟଙ୍କା ଦେବାକୁ ପଡିବ। ଫାଶଟ୍ୟାଗ ନଥିବା ଗାଡ଼ିକୁ ନିର୍ଦ୍ଧାରିତ ଦେୟର ଦୁଇଗୁଣା ଟଙ୍କା ଦେବାକୁ ପଡିବ। କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରଣାଳୟ ଏନେଇ ସୂଚନା ଦେଇଛି।

ଉଲ୍ଲେଖ ଯୋଗ୍ୟ ଯେ, ଚଳିତବର୍ଷ ଜାନୁଆରୀ ୧ ତାରିଖରୁ ସମସ୍ତ ଗାଡ଼ି ପାଇଁ ଫାଶଟ୍ୟାଗକୁ ବାଧ୍ୟତାମୂଳକ କରାଯାଇଥିଲା ହେଲେ କେନ୍ଦ୍ର ସରକାର ଏହି ନିୟମକୁ ଫେବୃୟାରୀ ୧୪ ତାରିଖ ଯାଏଁ ବଢ଼ାଇ ଦେଇଥିଲେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଜାତୀୟ ରାଜପଥରେ ସହାୟତା ନିମନ୍ତେ ବାଲୁଗାଁ ଏସଡ଼ିପିଓ ଜାରି କଲେ ଜରୁରୀକାଳୀନ ନମ୍ବର

ସୀତାରାମ ଅଗ୍ରୱାଲ

ଚିଲିକା: ଦିନକୁ ଦିନ ଖୋର୍ଦ୍ଧା ଜିଲ୍ଲା ଅଧିନସ୍ଥ ଟାଙ୍ଗୀରୁ ନାଭାଲ ପର୍ଯ୍ୟନ୍ତ ୧୬ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା, ଚୋରି, ଲୁଟ ଓ ଡକାୟତି ବଢ଼ୁଥିବାର ଦେଖିବାକୁ ମିଳୁଛି। ଏନେଇ ଆଜି ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ ଲୋକଙ୍କ ସହାୟତା ଉଦ୍ଦେଶ୍ୟରେ ଏକ ଜରୁରୀକାଳୀନ ନମ୍ବର ଜାରି କରିଛନ୍ତି।

ଅସୁବିଧା ସମୟରେ ଯେ କୌଣସି ବ୍ୟକ୍ତି ୮୫୯ ୬୮୬୬ ୨୩୨ ନମ୍ବରକୁ ଫୋନକରି ସୂଚନା ଦେଇପାରିବେ। ଟାଙ୍ଗୀ ଠାରୁ ନାଭାଲ ଜାତୀୟ ରାଜପଥ ମଧ୍ୟରେ ଯଦି କୌଣସି ଯାତ୍ରୀ କିଛି ଅସୁବିଧାର ସମ୍ମୁଖୀନ ହୁଅନ୍ତି ଯଥା ଚୋରି, ଡକାୟତି ଅବା ଦୁର୍ଘଟଣାର ଶିକାର ହୁଅନ୍ତି ତେବେ ତୁରନ୍ତ ଉକ୍ତ ନମ୍ବରକୁ ଯୋଗାଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି ଏସଡ଼ିପିଓ।

ଯୋଗାଯୋଗ କରିବା ମାତ୍ରେ ତୁରନ୍ତ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ସହଯୋଗ ପାଇଁ ପହଁଚିବ। ଏହି ନମ୍ବରଟି ଚବିଶ ଘଣ୍ଟା ଖୋଲା ରହିବ ବୋଲି ସୂଚନା ଦେଇଛନ୍ତି ଏସଡ଼ିପିଓ ଶ୍ରୀ ବାରିକ। ତେବେ ଜାତୀୟ ରାଜପଥରେ ପୋଲିସର ତୁରନ୍ତ ସହାୟତା ପାଇଁ ଉକ୍ତ ଉପାୟ ଫଳପ୍ରଦ ହେବ ବୋଲି ଆଶା କରାଯାଉଛି।

Categories
ଆଜିର ଖବର

ବାଲୁଗାଁ ଜାତୀୟ ରାଜପଥରେ ପୁଣି ଲୁଟେରା ସକ୍ରିୟ: ପାଟ୍ରୋଲିଂ ବ୍ୟବସ୍ଥା ଉପରେ ଉଠିଲା ପ୍ରଶ୍ନ

ସୀତାରାମ ଅଗ୍ରୱାଲ

ବାଣପୁର: କିଛି ଦିନର ବ୍ୟବଧାନ ପରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର-ବାଲୁଗାଁ ୧୬ ନମ୍ବର ଜାତୀୟ ରାଜପଥରେ ପୁଣି ଲୁଟ ହୋଇଛି।

ସୂଚନା ମୁତାବକ ଗତକାଲି କଟକ ଜଗତପୁରରୁ ଏକ ଘରୋଇ ଆଇସକ୍ରିମ କମ୍ପାନୀ ଗାଡି (ଓଡ଼ି୦୫ ଏଭି୩୮୯୫) ଆଇସକ୍ରିମ ନେଇ ବ୍ରହ୍ମପୁର ଯାଇଥିଲା। ବ୍ରହ୍ମପୁରରୁ ଆଇସକ୍ରିମ ଖାଲି କରି ଜଗତପୁର ଫେରୁଥୁବା ବେଳେ ଆଜି ପାଖାପାଖି ସକାଳ ୬ ଘଟିକାରେ ବାଣପୁର-ବାଲୁଗାଁ ବାଇପାସ ଓଭରବ୍ରିଜ ଠାରେ ପୂର୍ବରୁ ପିଛା କରି ଆସୁଥିବା ଏକ ପିକ୍ ଅପ ଗାଡିରେ ଚାରି ଜଣ ଦୁର୍ବୃତ୍ତ ଆସି ଆଇସକ୍ରିମ ଗାଡିକୁ ଅଟକାଇଥିଲେ। ପରବର୍ତ୍ତୀ ସମୟରେ ଆଇସକ୍ରିମ ଗାଡି ଚାଳକ ଏବଂ ତାଙ୍କ ସହଯୋଗିଙ୍କୁ ମାରଧର କରିବା ସହ ଖଣ୍ଡା ଦେଖାଇ ଭୟଭୀତ କରାଇ ୨ ଟି ମୋବାଇଲ ଏବଂ ଗାଡି ଚାବି ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଖବର ପାଇବା ମାତ୍ରେ ବାଲୁଗାଁ ଏସଡ଼ିପିଓଙ୍କ ନିର୍ଦ୍ଦେଶକ୍ରମେ ବାଣପୁର ପୋଲିସ ବର୍ତ୍ତମାନ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଦେଇଛି।

ଉଲ୍ଲେଖଯୋଗ୍ୟ ଗତ ୧ ତାରିଖରେ ଜାତୀୟ ରାଜପଥରେ ଲୁଟ୍ କୁ ରୋକ ଲଗେଇବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ପିତାପଲ୍ଲୀ ଠାରୁ ବାଲୁଗାଁ ପର୍ଯ୍ୟନ୍ତ ପାଟ୍ରୋଲିଂ ବ୍ୟବସ୍ଥା ଉଦଘାଟନ କରିଥିଲେ। ତେବେ ଆଜିର ଲୁଟ ପାଟ୍ରୋଲିଂ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Categories
ଆଜିର ଖବର ରାଜ୍ୟ ଖବର

ଜାତୀୟ ରାଜପଥ ପାଟ୍ରୋଲିଂ ଗାଡ଼ି ଉଦ୍‌ଘାଟିତ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଦିନକୁ ଦିନ ବ୍ରହ୍ମପୁର ସଂଲଗ୍ନ ଜାତୀୟ ରାଜପଥରେ ଅସାମାଜିକ କାର୍ଯ୍ୟକଳାପମାନ ବୃଦ୍ଧି ପାଉଥିବାରୁ ରାଜପଥରେ ପାଟ୍ରୋଲିଂ କଡ଼ାକଡ଼ି କରିବାକୁ ବହୁଦିନ ହେଲା ଦାବି ହୋଇ ଆସୁଥିଲା। ଯାହାକୁ ଦେଖି ଗତକାଲିଠାରୁ ବ୍ରହ୍ମପୁର ପୋଲିସ୍ ଜିଲ୍ଲା ପକ୍ଷରୁ ଏକ ଜାତୀୟ ରାଜପଥ ପାଟ୍ରୋଲିଂ ଗାଡ଼ିକୁ ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର ମାଣ୍ଡିଆପଲ୍ଲୀ ଛକଠାରେ ପତାକା ଦେଖାଇ ଶୁଭ ଉଦ୍‌ଘାଟନ କରିଥିଲେ।

ଏହି ପାଟ୍ରୋଲିଂ ଗାଡ଼ିଟି ଗୋପାଳପୁର-ଗୋଳନ୍ଥରା ମଧ୍ୟବର୍ତ୍ତୀ ଅଂଚଳରେ ପାଟ୍ରୋଲିଂ କରି ସମସ୍ତ ଆସାମାଜିକ ଗତିବିଧି, ଦୁର୍ଘଟଣା ଏବଂ ଅନ୍ୟାନ୍ୟ ସମସ୍ୟାମାନ ବିଷୟରେ ତତ୍‌କାଳ ପଦକ୍ଷେପ ଗ୍ରହଣ କରିବ। ଏହି ଗାଡ଼ିଟି ସପ୍ତାହକୁ ସାତଦିନ ୨୪ ଘଣ୍ଟା କାର୍ଯ୍ୟକ୍ଷମ ହେବ ବୋଲି ଏସ୍‌ପି ଶ୍ରୀ ମିଶ୍ର କହିଛନ୍ତି। ସେହିପରି ଜିଲ୍ଲାର ରମ୍ଭାଠାରୁ ଛତ୍ରପୁର ଏବଂ ଛତ୍ରପୁରଠାରୁ ଗିରିସୋଲା ମଧ୍ୟରେ ବି ପାଟ୍ରୋଲିଂ କରାଯିବା ନେଇ ଗତକାଲି ଶୁଭ ଉଦ୍‌ଘାଟନ ଅନୁଷ୍ଠିତ ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ପୃଥକ ପୃଥକ ଦୁର୍ଘଟଣାରେ ୧ମୃତ, ୫ ଆହତ: ଓଲଟିଲା ଗ୍ୟାସ ବୋଝେଇ ଟ୍ୟାଙ୍କର

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଛତ୍ରପୁର ଜାତୀୟ ରାଜପଥରେ ଆଜି ପୃଥକ ପୃଥକ ଦୁର୍ଘଟଣାମାନ ଘଟି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫ଜଣ ପୋଲିସ୍ କର୍ମଚାରୀ ଆହତ ହୋଇଛନ୍ତି। ଜାତୀୟ ରାଜପଥର ତାମ୍ପରା ନିକଟରେ ଘନ କୁହୁଡ଼ି ଯୋଗୁଁ ଆଜି ଏକ ଗ୍ୟାସ ଟ୍ୟାଙ୍କର ଭାରସାମ୍ୟ ହରାଇ ଓଲଟି ପଡ଼ିବା ଦ୍ୱାରା ଛତ୍ରପୁର ଅଂଚଳରେ ଭୟର ବାତାବରଣ ଖେଳିଯାଇଥିଲା। ପ୍ରଶାସନ ତତ୍ପରତା ଦେଖାଇ ପ୍ରଥମେ ଅଂଚଳର ବିଦ୍ୟୁତ ସରବରାହକୁ ବନ୍ଦ କରିବା ସହ ରାଜପଥର ଦୁଇପାଶ୍ୱର୍ଠାରୁ ଗଂଜାମ ପର୍ଯ୍ୟନ୍ତ ଉଭୟ ପାଶ୍ୱର୍ରେ ଗାଡ଼ିଚାଳନାକୁ ବନ୍ଦ କରିଦିଆଯାଇଥିଲା।

ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ସ୍ପ୍ରେ କରିଥିବାବେଳେ ଟ୍ୟାଙ୍କର ନିକଟକୁ ଯିବା ରାସ୍ତାକୁ ସିଲ୍ କରି ଦିଆଯାଇଥିଲା। ଘଟଣସ୍ଥଳରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟସ ରଂଜନ ପୃଷ୍ଟି, ଅତିରିକ୍ତ ଏସ୍‌ପି ଠାକୁର ପ୍ରସାଦ ପାତ୍ର, ତହସିଲ୍‌ଦାର ନୀଳମାଧବ ଭୋଇ, ଥାନାଧିକାରୀ ପ୍ରିୟସ ରଜନ ଛୋଟରାୟ ଉପସ୍ଥିତ ରହି କାର୍ଯ୍ୟ ପରିଚାଳନା କରିଥିଲେ। ଏହି ଗ୍ୟାସ ଟ୍ୟାଙ୍କର ଉଦ୍ଧାର କାର୍ଯ୍ୟ ପାଇଁ ଆସୁଥିବା ଏକ ପୋଲିସ୍ ଭ୍ୟାନ ମଧ୍ୟ ରାସ୍ତାରେ ଓଲଟି ପଡ଼ିଥିଲା। ଭ୍ୟାନ ମଧ୍ୟରେ ଥିବା ଚାଳକ ସୁଲେଖ ପ୍ରଧାନ, ଗୋପାଳ ସେଠୀ, ଘନଶ୍ୟାମ ରେଡ଼ି, ସଂଜୟ ବାରିକ, ସରଜେଣ୍ଟ ସଂଜୟ ଆହତ ହୋଇଥିଲେ। ସଂଗେ ସଂଗେ ଆହତଙ୍କୁ ବ୍ରହ୍ମପୁର ମେଡ଼ିକାଲ୍ ନିଆଯାଇଥିବାବେଳେ ଜଣକର ଅବସ୍ଥା ଗୁରୁତର ରହିଛି।

ଏହାର କିଛି ସମୟ ପରେ ଏହି ଦିଗରେ ଆସୁଥିବା ଏକ ଟ୍ରକ ରାସ୍ତାରେ ସାଇଡ଼୍ କରିବା ବେଳେ ଖାଲ ମଧ୍ୟକୁ ପଶିଯାଇଥିଲା। ଫଳରେ ଗାଡ଼ିର ଡ଼୍ରାଇଭରଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ଅଂଚଳରେ ସକାଳୁ ସକାଳୁ ଘନକୁହୁଡ଼ି ହୋଇଥିବାରୁ ରାସ୍ତା ଦେଖାଯାଉନଥିବାରୁ ଏଭଳି ଦୁର୍ଘଟଣାମାନ ଘଟିଥିବା କୁହାଯାଉଛି। ଆଗାମୀ କିଛିଦିନ ମଧ୍ୟ ଏଭଳି କୁହୁଡ଼ି ଦେଖାଯିବାରୁ ସାବଧାନାରେ ଗାଡ଼ି ଚଳାଇବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି। ତେବେ ଗ୍ୟାସ ଟ୍ୟାଙ୍କର ଓଲଟିବା ଏହା ପ୍ରଥମ ଘଟଣା ନୁହେଁ। ଗତ କିଛି ବର୍ଷ ତଳେ ଛତ୍ରପୁର କଲେଜ ଛକ ନିକଟରେ ମଧ୍ୟ ଏକ ଗ୍ୟାସ ଟ୍ୟାଙ୍କର ଓଲଟି ଯିବାରୁ ଅଂଚଳର ପ୍ରାୟ ସମସ୍ତ ଘରର ରୋଷେଇ କାର୍ଯ୍ୟ ବନ୍ଦ କରିବାକୁ ପଡ଼ିଥିଲା। ଆଜିର ଟ୍ୟାଙ୍କର ଓଲଟିବା ପରେ ଅଂଚଳରେ ପୁରୁଣା ଭୟ ଦେଖିବାକୁ ମିଳିଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଚାନ୍ଦପୁରରେ ସଡକ ଦୁର୍ଘଟଣା: ଘଟଣା ସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ

ଚାନ୍ଦପୁର: ୧୬ ନମ୍ବର ଜାତୀୟ ରାଜପଥରେ ଆଉ ଏକ ସଡକ ଦୁର୍ଘଟଣା। ଚାନ୍ଦପୁର ନିକଟସ୍ଥ ଓସକେଇ ଖୋଲ ଛକରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। କାର ସହିତ ମୋପେଡ୍ ବାଇକ ମଧ୍ୟରେ ଘଟିଥିବା ଏହି ଦୁର୍ଘଟଣାରେ ମୋପେଡ୍ ଆରୋହୀଙ୍କ ମୃତ୍ୟୁ ହୋଇଛି।

ଘଟଣାରୁ ପ୍ରକାଶ ଯେ, ଔରଙ୍ଗା ବାଦରୁ  ଏକ ପରିବାର  କାର୍ ଯୋଗେ  ପୁରୀ ଵୁଲିବାକୁ ଯାଉଥିବା ବେଳେ ମୋପେଡ୍ ବାଇକକୁ ଓସକେଇ ଖୋଲ ଛକ ନିକଟରେ ଧକ୍କା ଦେଇଥିଲା। ଧକ୍କା ଏତେ ଭୀଷଣ ଥିଲା ଯେ ମୋପେଡ୍ ଆରୋହୀ ପ୍ରାୟ ୧୦ ଫୁଟ ଉପରକୁ ଉଠି ଯାଇଥିଲେ। ଯାହାଫଳରେ ମୋପେଡ୍ ଆରୋହୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ମୃତ ଆରୋହୀ ଜଣଙ୍କ ଚାନ୍ଦପୁର ଥାନା  ଓସ୍ତପଡା ଗ୍ରାମର ବୋଲି ଜଣାପଡିଛି।

ଏହି ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ଉତ୍ୟକ୍ତ ହୋଇ ରାସ୍ତା ଅବରୋଧ କରିଛନ୍ତି। ରାସ୍ତାର ଉଭୟ ପାର୍ଶ୍ଵରେ ଶହ ଶହ ଗାଡି ଅଟକ ରହିଥିବା ଖବର ମିଳିଛି। ଘଟଣା ସ୍ଥଳରେ ଚାନ୍ଦପୁର ପୋଲିସ ପହଞ୍ଚି ଗାଡ଼ିକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରଛି।

Categories
ଆଜିର ଖବର ରାଜ୍ୟ ଖବର

କୁହୁଡି ନିକଟରେ ଭାରସାମ୍ୟ ହରାଇ ଓଲଟିଲା ମାଲ ବୋଝେଇ ଟ୍ରକ୍ : ଜଣେ ଗୁରୁତର

ସୀତାରାମ ଅଗ୍ରଓ୍ବାଲ

କୁହୁଡି: ୧୬ ନଂ ଜାତୀୟ ରାଜପଥ କୁହୁଡି ନିକଟରେ ଭାରସାମ୍ୟ ହରାଇ ଓଲଟିଲା ମାଲ ବୋଝେଇ ଟ୍ରକ୍। ଟ୍ରକ୍ ଧକ୍କାରେ ଗୋଟିଏ ଘର ସଂପୁର୍ଣ ଭାଙ୍ଗି ରୁଜି ଯାଇଥିବାବେଳେ  ଗୋଟିଏ ଟାଟା ଏସି ଗାଡି ମଧ୍ୟ୍ୟ  ଭାଙ୍ଗି ରୁଜି ଯାଇଥିବା ଜଣା ପଡିଛି। ଏହି  ଦୁର୍ଘଟଣାରେ ଟ୍ରକ୍ର ହେଲପର ଗୁରୁତର ଆହତ ହୋଇଥିବାବେଳେ  ଏକ ପୋଷା କୁକୁର  ମଧ୍ୟ୍ୟ ମୃତ୍ୟୁବରଣ କରିଛି।

ଗତକାଲି ରାତିରେ  ଆନ୍ଧ୍ରପ୍ରଦେଶରୁ ଟମାଟୋ ବୋଝେଇ କରି ଏକ ଟ୍ରକ କୋଲକତା ଅଭିମୁଖେ ଯାଉଥିଲା। ହଠାତ୍ କୌଣସି କାରଣରୁ ଟ୍ରକଟି ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ଘର ଭିତରକୁ ପଶି ଯାଇ ଓଲଟି ପଡିଥିଲା। ଏହି ଘଟଣାରେ ଟ୍ରକର ଚାଳକ ସୁରକ୍ଷିତ ଥିବା ବେଳେ ହେଲପର ଜଣକ ଟ୍ରକ୍‌ ଓ ଘର କାନ୍ଥ ମଧ୍ୟ୍ୟରେ ଚାପି ହୋଇ ରହିଥିଲା। ଟାଙ୍ଗୀ   ଓ ବାଲୁଗାଁ  ଅଗ୍ନିଶମ ବାହିନୀ ର ଅକ୍ଳାନ୍ତ ପ୍ରଚେଷ୍ଟା ଫଳରେ  ଟ୍ରକ୍ ର ହେଲପର କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରା ଯାଇଥିଲା। ହେଲପରକୁ ଗୁରୁତର ଅଵସ୍ଥାରେ ଟାଙ୍ଗୀ ସରକାରୀ ମେଡିକାଲରେ ଭର୍ତ୍ତି କରା ଯାଇଛି। ଟ୍ରକ ହେଲପର ନାମ ଏ ରାମ ଓ ତାର ଘର ଆନ୍ଧ୍ର ପ୍ରଦେଶର ବିଜୱାଡା ବୋଲି ଜଣା ପଡିଛି। ଟ୍ରକ୍ ଧକ୍କା ଦେବା ଯୋଗୁଁ   ଜଗନ୍ନାଥ ବିଶ୍ୱାଳଙ୍କର ଗୋଟିଏ ବଖରା ଆଜଵେଷ୍ଟସ ଘର ଓ ଗୋଟିଏ ଟାଟା ଏସି ଗାଡି ସଂପୂର୍ଣ୍ଣ ଭାଙ୍ଗି ଯାଇଛି। ଏହା ସହ ଗୋଟିଏ ପୋଷା କୁକୁର ମରି ଯାଇଛି। ତେବେ ଏଥିରେ ଅନ୍ୟ କେହି ଆହତ ହୋଇ ନଥିବା ଖବର ମିଳିଛି। କୁହୁଡି ଫାଣ୍ଡି ପୋଲିସ୍ ଘଟଣାର ତଦନ୍ତ କରୁଛି।

Categories
ଆଜିର ଖବର ରାଜ୍ୟ ଖବର

ନାଚୁଣୀଠାରେ ସଡକ ଦୁର୍ଘଟଣା: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ସମୀକ୍ଷା ବ୍ୟୁରୋ

ନାଚୁଣୀ, ୨/୧: ନାଚୁଣୀ ନିକଟସ୍ଥ କହ୍ନେଇପୁର ଛକଠାରେ ଗତକାଲି ଜାତୀୟ ରାଜପଥଠାରେ ଏକ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଏକ ବାଇକ୍‌ ଓ କାର୍‌ ଉଭୟ ଭାରସାମ୍ୟ ହରାଇ ଦୁର୍ଘଟଣାଗସ୍ତ ହୋଇଥିବାର ସୂଚନା ମିଳିଛି। ତେବେ ଭାରସାମ୍ୟ ହରାଇ ଗାଡ଼ି ଦୁଇଟି ଓଲଟି ପଡ଼ିଥିବାବେଳେ ଏଥିରେ ଥିବା ଯାତ୍ରୀମାନେ ଆହତ ହୋଇଛନ୍ତି। ଆହତଙ୍କୁ ନିକଟସ୍ଥ ଘରୋଇ ଡାକ୍ତରଖାନାରେ ଚିକିତ୍ସା କରାଯିବା ପାଇଁ ଭର୍ତ୍ତି କରାଯାଇଥିଲା।

ସୂଚନାରୁ ପ୍ରକାଶ ଯେ,  ଦ୍ରୁତ ଗତିରେ ବାଇକ୍‌ ଚାଳକଜଣକ କାର ସମ୍ମୁଖରେ ଆସି ଯିବାରୁ ହଠାତ୍‌ କାର୍‌ ଜଣକ ଦୁର୍ଘଟଣାକୁ ଏଡାଇବାକୁ ଯାଇ ବ୍ରେକ୍‌ ଦେଇଥିଲେ। ଯାହାଫଳରେ ଉଭୟ ବାଇକ୍‌ ଏବଂ କାର୍‌ ନିକଟସ୍ଥ ରାସ୍ତା ପାର୍ଶ୍ବରେ ପାଣି ଜମିଥିବା ଏକ ବିଲରେ ପଡିଥିଲେ। ଏହି ଦୁର୍ଘଟଣାରେ ଉଭୟ ଗାଡ଼ି ବହୁ କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ସୌଭାଗ୍ୟବଶତଃ ଏଥିରେ ଥିବା ଯାତ୍ରୀମାନଙ୍କର ବିଶେଷ କିଛି କ୍ଷତି ହୋଇନାହିଁ। ଘଟଣାସ୍ଥଳରୁ ନାଚୁଣୀ ଫାଣ୍ଡି ପୋଲିସ୍‌ ଗାଡ଼ି ଦୁଇଟିକୁ ଜବତ କରି ଏହି ଘଟଣାର ତଦନ୍ତ କରୁଛି। ଦୁର୍ଘଟଣାଗସ୍ତ ହୋଇଥିବା କାର୍‌ଟି ବ୍ରହ୍ମପୁରର ହୋଇଥିବାବେଳେ ବାଇକ୍‌ଟି ଖୋର୍ଦ୍ଧା ଅଞ୍ଚଳର ବୋଲି ଜଣାପଡିଛି।

ରିପୋର୍ଟର : ସୀତାରାମ ଅଗ୍ରଓ୍ବାଲ