Categories
ଆଜିର ଖବର ରାଜ୍ୟ ଖବର

ଚାନ୍ଦପୁର: ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ପ୍ରାଣହାନୀ

ଚାନ୍ଦପୁର: ନୟାଗଡ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଆନ୍ତର୍ଗତ ଚାନ୍ଦପୁର ବାଇପାସରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଯେଉଁଥିରେ ଜଣେ ବାଇକ ଆରୋହୀ ପ୍ରାଣ ହରାଇଛନ୍ତି।

ସୂଚନା ମୁତାବକ ଚାନ୍ଦପୁର ଥାନା ଗୌରଚନ୍ଦ୍ରପୁର ଗ୍ରାମର ଅରୁଣ କୁମାର ସାହୁ (୪୦) ଆଜି ଅପରାହ୍ନରେ ଚାନ୍ଦପୁର ବଜାରରୁ ନିଜ ଗ୍ରାମକୁ ଫେରୁଥିଲେ। ତେବେ ଚାନ୍ଦପୁର ବାଇପାସରେ ତାଙ୍କୁ ଭୁବନେଶ୍ୱର ଆଡୁ କ୍ଷିପ୍ର ଗତିରେ ଆନ୍ଧ୍ର ଯାଉଥିବା ଏକ ମାଲ ବୋଝେଇ ଟ୍ରକଟି ଅରୁଣଙ୍କୁ ଧକ୍କା ଦେଇଥିଲା। ଏବଂ ଅରୁଣଙ୍କୁ ଟ୍ରକଟି କିଛି ବାଟ ଘୋଷାରି ନେଇଥିଲା। ଫଳରେ ଘଟଣାସ୍ଥଳରେ ଅରୁଣଙ୍କ ମୃତ୍ୟୁ ହୋଇଯାଇଥିଲା।

ହେଲେ ବର୍ତ୍ତମାନ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି। ଅନ୍ୟପକ୍ଷେ ଚାନ୍ଦପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା ଜାରି ରଖିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବଡ଼ପୋଖରିଆ ଜାତୀୟ ରାଜପଥରେ ମାତିଲେ ଲୁଟେରା, ଅପହୃତ ଗାଡ଼ିଚାଳକଙ୍କୁ ଉଦ୍ଧାର କଲା ପୋଲିସ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ୧୬ ନଂ ଜାତୀୟ ରାଜପଥରେ ଲୁଟେରାମାନଙ୍କ ପାଦୁର୍ଭାବ ବଢିଚାଲିଛି। ଜାତୀୟ ରାଜପଥରୁ ୩ ଟି ଗାଡିରୁ ଲୁଟେରାମାନେ ଟଙ୍କା ପଇସା ଲୁଟିନେଇଛନ୍ତି। ଲୁଟ ପରେ ମଧ୍ୟ ଡ୍ରାଇଭରକୁ ଅପହରଣ କରିନେଇଛନ୍ତି। ଅଧିକ ଟଙ୍କା ଲୋଭରେ ଟ୍ରକ୍ ଚାଳକଙ୍କୁ ଲୁଟେରାମାନେ ଅପହରଣ କରିନେଇଛନ୍ତି। ୧୬ ନଂ ଜାତୀୟ ରାଜପଥ ବଡ ପୋଖରିଆ ନିକଟରେ ଏଭଳି ଘଟଣା ଘଟିଛି।

ସୂଚନା ମୁତାବକ ପାରାଦ୍ୱୀପରୁ ହାଇଡ୍ରୋକ୍ଲୋରାଇଡ୍ ଏସିଡ୍ ଲୋଡ୍ କରି ଆନ୍ଧ୍ରପ୍ରଦେଶ ଅଭିମୁଖେ ୩ ଟି ଟ୍ୟାଙ୍କର ବାହାରି ଥିଲେ। ହେଲେ ବଡ ପୋଖରିଆ ନିକଟରେ ଏକ କାରରେ ୪ ଜଣ ଲୁଟେରା ଆସି ଟ୍ୟାଙ୍କର ସମ୍ମୁଖରେ କାରକୁ ରଖିଦେଇଥିଲେ। ଫଳରେ ୩ ଟି ଯାକ ଟ୍ୟାଙ୍କର ଅଟକିଯାଇଥିଲା। ଲୁଟେରାମାନେ ୩ ଚାଳକ ମାନଙ୍କୁ କାଠ ଫାଳିଆ ଓ ଲୁହା ରଡ୍ ରେ ଆକ୍ରମଣ କରି ପାଖା ପାଖି ୫୦ ହଜାରରୁ ଅଧିକ ଟଙ୍କା ଲୁଟି ନେଇଥିବା ଜଣା ପଡିଛି। ଏହା ସହ ଏକ ଟ୍ୟାଙ୍କର ଚାଳକଙ୍କୁ ଅପହରଣ କରିନେଇଥିବା ସାଥି ଚାଳକ ମାନେ ଅଭିଯୋଗ କରିଛନ୍ତି।

ଅପହରଣ ହୋଇଥିବା ଚାଳକଙ୍କ ନାମ ଭେଙ୍କେଟଶ୍ୱର ରାଓ ଏବଂ ତାଙ୍କ ଘର ଆନ୍ଧ୍ରପ୍ରଦେଶ ବୋଲି ଜଣା ପଡିଛି। ଲୁଟେରାଙ୍କ ଆକ୍ରମଣରେ ଏନ୍ ଅଜୟ କୁମାର, ନରସିଂହା ରାଓ ଏବଂ ସନ୍ତୋଷ ଯାଦବ ଆହତ ହୋଇଛନ୍ତି। ସ୍ଥାନୀୟ ଜନସାଧାରଣ ଆହତଙ୍କୁ ୧୦୮ ଆମ୍ବୁଲାନସ ଯୋଗେଁ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରିଥିବା ବେଳେ ଚିକିତ୍ସା ପରେ ସମସ୍ତଙ୍କୁ ଛାଡିଦିଆଯାଇଛି।

ଖବର ପାଇ ନିରାକାରପୁର ଥାନା ପୋଲିସ୍ ଘଟଣା ସ୍ଥଳରେ ପହଂଚି ତନାଘନା ଆରମ୍ଭ କରିଛି। ଅପରପକ୍ଷେ ଅପହୃତ ଗାଡ଼ିଚାଳକ ଏକ ନିର୍ଦ୍ଦିଷ୍ଟ ସ୍ଥାନରୁ ଉଦ୍ଧାର ହୋଇଥିବା ଆଇଆଇସି ଗୀତାଞ୍ଜଳି ନାୟକ ଆମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର: ବାଇପାସରେ ବସକୁ ଧକ୍କା ଦେଲା ଟ୍ରକ୍, ଗୁରୁତରଙ୍କୁ ଭୁବନେଶ୍ଵର ସ୍ଥାନାନ୍ତରିତ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ବାଣପୁର ବାଇପାସରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଜଣେ ଗାଡ଼ି ଚାଳକଙ୍କ ଗୁରୁତର ଭାବେ ଆହତ ହୋଇଛନ୍ତି।

ଖବର ମୁତାବକ ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରରୁ ରାୟଗଡା ଯାଉଥିବା ‘ଗାନ୍ଧୀ’ ନାମକ ଏକ ବସ ବାଣପୁର-ବାଲୁଗାଁ ବାଇପାସ ଠାରେ ଯାତ୍ରୀଙ୍କୁ ନେବାପାଇଁ ଅଟକିଥିଲା। ତେବେ ବାଣପୁର ଥାନା ଦୀକ୍ଷିତପଡା ଗ୍ରାମର ବୋଲେରୋ ଚାଳକ ସିଦ୍ଧାନ୍ତ ରଣସିଂହ କିଛି ଯାତ୍ରୀଙ୍କୁ ବୋଲେରୋରେ ନେଇ ଉକ୍ତ ବସରେ ଛାଡିବାକୁ ଯାଇଥିଲେ। ଠିକ ସେହି ସମୟରେ ହଠାତ ପଛପଟୁ ଭୁବନେଶ୍ୱର ଆଡୁ କ୍ଷିପ୍ର ଗତିରେ ବ୍ରହ୍ମପୁର ଯାଉଥିବା ଏକ କ୍ଷୀର ବୋଝେଇ ଅଶୋକ ଲେଲ୍ୟାଣ୍ଡ ଗାଡ଼ିଟି ‘ଗାନ୍ଧୀ’ ବସକୁ ଶକ୍ତ ଧକ୍କା ଦେଇଥିଲା। ଫଳରେ ବସ ପାର୍ଶ୍ୱରେ ଠିଆ ହୋଇଥିବା ବୋଲେରୋ ଚାଳକ ସିଦ୍ଧାନ୍ତଙ୍କୁ ବସଟି କିଛି ବାଟ ଭିଡି ନେଇଯାଇଥିଲା। ଫଳରେ ସିଦ୍ଧାନ୍ତଙ୍କ ବାମ ଗୋଡ଼ ଏବଂ ବାମ ହାତଟି ନଷ୍ଟ ହୋଇଯାଇଥିବାର ଜଣାପଡିଛି।

ସଙ୍ଗେସଙ୍ଗେ ସ୍ଥାନୀୟ ଜନସାଧାରଣ ସିଦ୍ଧାନ୍ତଙ୍କୁ ଗୁରୁତର ଭାବେ ବାଲୁଗାଁ ମେଡିକାଲରେ ନେଇଥିବା ବେଳେ ଡାକ୍ତର ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରିଦେଇଛନ୍ତି। ଖବର ପାଇ ଦୁର୍ଘଟଣାସ୍ଥଳରେ ବାଣପୁର ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର-ବାଲୁଗାଁ ବାଇପାସ ନିକଟରେ ଦୁର୍ଘଟଣାଗ୍ରସ୍ତ ହେଲା ତେଲ ବୋଝେଇ ପିକ୍ ଅପ୍ ଭ୍ୟାନ

ସୀତାରାମ ଅଗ୍ରୱାଲ

ଚିଲିକା: ଜାତୀୟ ରାଜପଥରେ ଏକ ତେଲ ବୋଝେଇ ପିକ ଅପ ଭ୍ୟାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଜଣେ ଗୁରୁତର ଭାବେ ମେଡିକାଲକୁ ସ୍ଥାନାନ୍ତରିତ ହୋଇଛଥିବା ସୂଚନା ମିଳିଛି।  ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ବାଣପୁର ଥାନା ଅନ୍ତର୍ଗତ ସରନଈ ଓଭରବ୍ରିଜ ନିକଟରେ ଏହି ଦୁର୍ଘଟଣା ଘଟିଛି।

ହସ୍ତଗତ ତଥ୍ୟ ମୁତାବକ ଆଜି ସଂନ୍ଧ୍ୟାରେ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଅଞ୍ଚଳରୁ ଏକ ଘରୋଇ ରିଫାଇନ ତେଲ କମ୍ପାନୀରୁ ପାଖାପାଖି ୧୭୦ ଟିଣ ତେଲ ନେଇ ଏକ ପିକ ଅପ ଭ୍ୟାନ ଟାଙ୍ଗି-ଚାନ୍ଦପୁର ଅଞ୍ଚଳକୁ ବାହାରିଥିଲା। ତେବେ ସରନଈ ଓଭରବ୍ରିଜ ନିକଟରେ ଭ୍ୟାନଟିର ଡାହାଣ ଚକାଟି ଫାଟି ଯିବାରୁ ଭ୍ୟାନଟି ପଲଟିଯାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ବହୁ ପରିମାଣର ତେଲ ନଷ୍ଟ ହୋଇଯାଇଛି।

ତେବେ ଭ୍ୟାନ ଚାଳକ ଗୌର ପ୍ରଧାନ ସାମାନ୍ୟ ଆହତ ହୋଇଥିବାବେଳେ ତାଙ୍କ ସହଯୋଗୀ ବିକ୍ରମ ମିଶ୍ରଙ୍କୁ ହାଇୱେ ପେଟ୍ରୋଲ ପୋଲିସ ପହଞ୍ଚି ଉଦ୍ଧାର କରି ଗୁରୁତର ଅବସ୍ଥାରେ ବାଲୁଗାଁ ଡାକ୍ତରଖାନାକୁ ପଠାଇଛନ୍ତି। ବର୍ତ୍ତମାନ ଦୁର୍ଘଟଣାସ୍ଥଳରେ ବାଣପୁର ପୋଲିସ ତଦନ୍ତ ଜାରିରଖିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

୧୬ ନମ୍ବର ଜାତୀୟ ରାଜପଥରୁ ଚୋରା ଡିଜେଲ ଜବତ, ଜଣେ ଗିରଫ

ନିରାକରପୁର: ଖୋର୍ଦ୍ଧା ନିରାକାରପୁର ଥାନା ୧୬ ନମ୍ବର ଜାତୀୟ ରାଜପଥ ବଡ ପୋଖରିଆ ଛକରେ ଆଜି ବାଲୁଗାଁ ଏସଡିପିଓ ମାନସ ରଂଜନ ବାରିକଙ୍କ ନେତୃତ୍ୱରେ ଚଢାଉ କରାଯାଇଛି। ଏହି ଚଢାଉ ସମୟରେ ୫୨୦ ଲିଟର ଚୋରା ଡିଜେଲ ଜବତ କରାଯାଇଥିବା ବେଳେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ବଡ ପୋଖରିଆ ଗ୍ରାମର ପ୍ରକାଶ ଚନ୍ଦ୍ର ଚମ୍ପତ୍ତି ବୋଲି ଜଣାପଡିଛି।

ସୂଚନା ଅନୁଯାୟୀ, ପୂର୍ବରୁ ଜାତୀୟ ରାଜପଥରେ ଟ୍ରକ ଗୁଡିକରୁ ଡିଜେଲ ଚୋରୀ ହେଉଥିବା ପୋଲିସ ନିକଟରେ ଅଭିଯୋଗ ହୋଇଆସୁଥିଲା। ତେଣୁ ଏହି ଅଭିଯୋଗ ପରେ ଚୋରକୁ ଧରିବା ପାଇଁ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ତତ୍ପରତା ଦେଖାଇଥିଲେ। ସୁଯୋଗ ଦେଖି ଆଜି ଚଢାଉ କରାଯାଇଥିଲା। ଫଳରେ ଜାତୀୟ ରାଜପଥରୁ ୫୨୦ ଲିଟର ଚୋରା ଡିଜେଲ ଜବତ କରାଯାଇଥିଲା। ଯାହାର ମୂଲ୍ୟ ପ୍ରାୟ ୫୫ ହଜାର ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଥିଲା।

ତେବେ ତେଲ ଚୋରି ଅଭିଯୋଗରେ ନିରାକାରପୁର ପୋଲିସ ଥାନାରେ ୧୬୫/୨୧ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି। ଉକ୍ତ ଚଢାଉରେ ନିରାକାରପୁର ଆଇଆଇସି ଗୀତାଞ୍ଜଳି ନାୟକ ଏବଂ ଅନ୍ୟ ପୋଲିସ କର୍ମଚାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆଇଏନଏସ ଚିଲିକା ନିକଟରେ ସଡ଼କ ଦୁର୍ଘଟଣା: ଅଜଣା ଗାଡ଼ି ଧକ୍କାରେ ବ୍ୟକ୍ତି ମୃତ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଅଜଣା ଟ୍ରକ ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣା ଘଟାଇଥିବା ଟ୍ରକଟି ଫେରାର ହୋଇଯାଇଥିବା ସୂଚନା ରହିଛି। ଖୋର୍ଦ୍ଧା ଜିଲ୍ଲା ନାଭାଲ ଫାଣ୍ଡି ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥରେ ଏଭଳି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି।

ସୂଚନା ମୁତାବକ ବାଲୁଗାଁ ଥାନା ଅନ୍ତର୍ଗତ ନିମାଇଁମଲ ଗ୍ରାମର ମାଧବ ସ୍ୱାଇଁ (୫୫) ପେସାରେ ଜଣେ ମେକାନିକ। ମାଧବ ଆଜି ସନ୍ଧ୍ୟା ୭ ଘଟିକାରେ ମେକାନିକ କାମ ସାରି ନିଜ ସ୍କୁଟିରେ ଘରକୁ ଫେରୁଥିବା ବେଳେ ଆଇଏନଏସ ଚିଲିକା ଛକ ନିକଟରେ ଏକ ଅଜଣା ଟ୍ରକ ତାଙ୍କୁ ପଛପଟୁ ଧକ୍କା ଦେଇ ଫେରାର ହୋଇଯାଇଥିଲା।

ସ୍ଥାନୀୟ ଲୋକେ ବାଲୁଗାଁ ଅଗ୍ନିଶମ ବାହିନୀକୁ ଖବର ଦେବାରୁ ଅଗ୍ନିଶମ ଅଧିକାରୀ ନିତ୍ୟାନନ୍ଦ ଜେନା ଦୁର୍ଘଟଣାସ୍ଥଳରେ ତୁରନ୍ତ ପହଞ୍ଚି ମାଧବଙ୍କୁ ଗୁରୁତର ଅବସ୍ଥାରେ ବାଲୁଗାଁ ମେଡିକାଲରେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ନାଭଲ ଫାଣ୍ଡି ପୋଲିସ ଫେରାର ଗାଡିକୁ ଖୋଜିବାରେ ଲାଗିପଡିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଜାତୀୟ ରାଜପଥରୁ ଯୁବକଙ୍କ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

ଜଙ୍କିଆ: ଜଂକିଆ ଖେଳପଡିଆ ନିକଟସ୍ଥ ରାଜପଥ ଉପରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ମୃତକ ଯୁବକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।

ସୂଚନା ଅନୁଯାୟୀ, ରଣପୁରର ରାଜେଶ କୁମାର ପାଣ୍ଡିଙ୍କର ଏକ ଗ୍ୟାରେଜ ଅଛି। ରାକେଶ ଗ୍ୟାରେଜରେ ଭେରୁପଡା ଗ୍ରାମର ସୈ।ମ୍ୟରଂଜନ କାମ ଶିଖୁଥିଲେ। ସବୁଦିନ ରାତିରେ ସୌମ୍ୟ କାମ ସାରି ଘରକୁ ଫେରୁଥିବା ବେଳେ ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ଫେରିନଥିଲେ। ରାଜେଶ ଓ ରଂଜନ ଏକ ପଲସର ବାଇକ ଯୋଗେ ଜଂକିଆ ପଟୁ ଗୋଳବାଇ ଆଡକୁ ଯାଉଥିଲେ। କିନ୍ତୁ ଜାତୀୟ ରାଜପଥ ଉପରେ ରଞ୍ଜନଙ୍କ ମୃତ୍ୟୁବରଣ ହୋଇଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଦୁର୍ଘଟଣାରେ ରଞ୍ଜନଙ୍କ ମୃତ୍ୟୁ ହୋଇଥିବା ନେଇ ସ୍ଥାନୀୟ ଲୋକଙ୍କୁ ରାଜେଶ କହିଥିଲେ। ତେବେ ସ୍ଥାନୀୟ ଲୋକେ ଏହା ଜାଣିପାରି ଜଙ୍କିଆ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ରଞ୍ଜନଙ୍କ ମୃତଦେହକୁ ଉଦ୍ଧାର କରିଥିଲା। ଏବଂ ପ୍ରାଥମିକ ତଦନ୍ତରୁ ରଞ୍ଜନଙ୍କ ମୁଣ୍ଡର ପଛ ପଟୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ହୋଇଥିବା ପୋଲିସ ଦେଖିବାକୁ ପାଇଥିଲା।

ଫଳରେ ପୋଲିସର ସନ୍ଦେହ ହେବାରୁ ରାଜେଶକୁ ଥାନାରେ ଅଟକ ରଖିଥିବା ବେଳେ ମୋଟର ସାଇକେଲ ଜବତ କରାଯାଇଛି। ଅପରପକ୍ଷେ ଜଙ୍କିଆ ପୋଲିସ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ ଜାରି ରଖିଛି। ହେଲେ ମୃତକଙ୍କ ପରିବାର ଲୋକେ ଜଂକିଆ ଥାନାରେ ପହଞ୍ଚି ହତ୍ୟା କରାଯାଇଥିବା ଅଭିଯୋଗ କରିବା ସହ ଦୋଷୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

କୁହୁଡି: ସଡକ ଦୁର୍ଘଟଣାରେ ଗ୍ରାମରକ୍ଷୀଙ୍କ ପୁଅ ମୃତ, ମହିଳା ଗୁରୁତର

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ୧୬ ନଂ ଜାତୀୟ ରାଜପଥ କୟଥପଲା ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ମହିଳା ଗୁରୁତର ହୋଇପଡିଛନ୍ତି। ମୃତକଜଣଙ୍କ କୟଥପଲା ଗ୍ରାମର ଗଣେଷ ବାରିକ ବୋଲି ଜଣାପଡିଛି। ଗଣେଷଙ୍କ ବାପା କୁହୁଡି ଫାଣ୍ଡିରେ ଗ୍ରାମରକ୍ଷୀ ଭାବେ କାର୍ଯ୍ୟ କରନ୍ତି।

ସୂଚନା ଅନୁଯାୟୀ, ଆଜି ଅପରାହ୍ନରେ ଗଣେଷ ଏକ ବାଇକ୍ ଯୋଗେ ନିଜ ବଡ ବୋଉଙ୍କୁ ଧରି ନାଚୁଣୀ ଅଭିମୁଖେ ଯାଉଥିବା ବେଳେ କୟଥ ପଲା ଛକ ଠାରେ ଏକ ହାଇୱା ତାଙ୍କ ବାଇକ୍ କୁ ଧକ୍କା ଦେଇଥିଲା। ଫଳରେ ବାଇକ୍ ରୁ ଗଣେଷ ଛିଟିକି ପଡିଥିଲେ। ପରେ ତାଙ୍କ ମୁଣ୍ଡ ଉପରେ ଟ୍ରଲର ଚକ ଚଢି ଯାଇଥିଲା। ଘଟଣା ସ୍ଥଳରେ ଗଣେଷଙ୍କର ମୃତ୍ୟୁ ହୋଇ ଯାଇଥିଲା। କିନ୍ତୁ ତାଙ୍କର ବଡ ବୋଉଙ୍କୁ ଗୁରୁତର ଅବସ୍ଥାରେ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅବସ୍ଥା ସଂକଟାପନ୍ନ ହେବାରୁ ଡାକ୍ତର ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରିଦେଇଛନ୍ତି।

ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଯାଇଥିଲା। ସ୍ଥାନୀୟ ଲୋକେ ମୃତ ଦେହ ରଖି ଜାତୀୟ ରାଜପଥ ଅବରୋଧ କରିଥିବା ଜଣାପଡିଛି। ଗ୍ରାମବାସୀମାନେ ମୃତକଙ୍କ ପରିବାରକୁ କ୍ଷତି ପୂରଣ ଦାବି କରି ଜାତୀୟ ରାଜପଥ ଉପରେ ପ୍ରତିବାଦ କରିଛନ୍ତି।

ତେବେ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ, ଟାଙ୍ଗୀ ଆଇଆଇସି ବିଜୟ କୁମାର ମଲିକ ଏବଂ କୁହୁଡି ଫାଣ୍ଡି ଅଧିକାରୀ ନିରଞ୍ଜନ ରାଉତ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛନ୍ତି। ମୃତକଙ୍କ ପରିବାରକୁ କ୍ଷତି ପୂରଣ ସହ ସେହି ସ୍ଥାନରେ ଏକ ଓଭର ବ୍ରିଜ ନିର୍ମାଣ ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ବାଲୁଗାଁ ଏସଡିପିଓ ଶ୍ରୀ ବାରିକଙ୍କ ଆଶ୍ଵାସନା ପରେ ଦୀର୍ଘ ୩ ଘଣ୍ଟା ଧରି ପ୍ରତିବାଦ କରୁଥିବା ଉତ୍ୟକ୍ତ ଲୋକେ ଧାରଣାରୁ ଉଠିଥିବା ଜଣାପଡିଛି।

ଅପରପକ୍ଷେ ଦୁର୍ଘଟଣା ଘଟାଇଥିବା ଗାଡିକୁ ଜବତ କରାଯାଇଥିବା ବେଳେ ଚାଳକଙ୍କୁ ପୋଲିସ ଅଟକ ରଖିଥିବା ସୂଚନା ମିଳିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଫାଇନାନସ କର୍ମଚାରୀଙ୍କ ଠାରୁ ବନ୍ଧୁକ ମୁନରେ ଲୁଟ୍ ଘଟଣାର ପର୍ଦ୍ଦାଫାସ କଲା ଜଙ୍କିଆ ପୋଲିସ୍

ଜଙ୍କିଆ: ଜାତୀୟ ରାଜପଥରେ ଫାଇନାନସ କର୍ମଚାରୀଙ୍କ ଠାରୁ ବନ୍ଧୁକ ମୁନରେ ଲୁଟ ଘଟଣାର ଜଙ୍କିଆ ପୋଲିସ୍ ପର୍ଦ୍ଦାଫାସ କରିଛି। ଲୁଟ୍ ଅଭିଯୋଗ ଆଣିଥିବା ଫାଇନାନସ କଂପାନୀର କର୍ମଚାରୀ ରଣଜିତ୍ ବେହେରାଙ୍କୁ ଜଙ୍କିଆ ପୋଲିସ୍ ଗିରଫ କରିଛି।

ସୂଚନା ଅନୁଯାୟୀ, ଭାରତ ଫାଇନାନସର କର୍ମଚାରୀ ରଣଜିତ ବେହେରା ଜଙ୍କିଆ ଥାନା ନିକଟସ୍ଥ ମଳିପଡା ଲହଙ୍ଗା ଗ୍ରାମର ସ୍ୱୟଂ ସହାୟିକା ଗୋଷ୍ଠୀରୁ ଟଙ୍କା ଆଦାୟ କରି ବାଇକ୍ ରେ ଫେରୁଥିବା ବେଳେ ଦୁଇଜଣ ଯୁବକ ଏକ ଆପାଚି ମୋଟର ସାଇକେଲରେ ଆସି ଗାଡିକୁ ଅଟକାଇ ଥିଲେ। ରଣଜିତଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଗାଡି ଡିକି ଖୋଲି ଡିକିରେ ଥିବା ୫୪ ହଜାର ୫୩ ଟଙ୍କା ନେଇ ଆଖିପିଛୁଳାକେ ପଳାଇଥିବାର ଜଂକିଆ ଥାନାରେ ରଣଜିତ୍ ଅଭିଯୋଗ କରିଥିଲେ।

ଫାଇନାନସ ସଂସ୍ଥାର ପରିଚାଳକଙ୍କ ସନ୍ଦେହ ହେବାରୁ ନିଜେ ରଣଜିତକୁ ପଚରା ଉଚରା କରିଥିଲେ। ଏହା ପରେ ଫାଇନାନସ କଂପାନୀର ପରିଚାଳକ ଜଙ୍କିଆ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୋଲିସ୍ ଖୋଳତାଡ କରିଥିଲା। ପରେ ରଣଜିତ ନିଜେ ଏହି ଚୋରୀ ଘଟଣାରେ ସମ୍ପୃକ୍ତ ଥିବା ସ୍ଵୀକାର କରିଥିଲେ। ଜଙ୍କିଆ ପୋଲିସ ଟଙ୍କା ଜବତ କରିବା ସହ ଅଭିଯୁକ୍ତ ରଣଜିତ୍ କୁ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି।

Categories
ଆଜିର ଖବର ରାଜ୍ୟ ଖବର

ନାଚୁଣୀ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଜଣେ ଯୁବକ ଗୁରୁତର

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଫାଣ୍ଡି ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଜଣେ ବ୍ୟକ୍ତିଙ୍କ ଡାହାଣ ହାତ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି।

ସୂଚନା ମୁତାବକ ଆଜି ରାତି ୧୦ ଘଟିକା ସମୟରେ ରାଜକିଶୋର ସାହୁ (୨୮) ନାମକ ଜଣେ ଯୁବକ ନିଜ ସ୍କୁଟି ଯୋଗେ ସୁନାଖେଳାରୁ ନାଚୁଣୀ ଅଭିମୁଖେ ଯାଉଥିବାବେଳେ ସୁନାଖେଳା ଓଭରବ୍ରିଜ ଉପରେ ପଛପଟୁ ଆସୁଥିବା ଏକ କାଠ ବୋଝେଇ ଟ୍ରକଟି ରାଜକିଶୋରଙ୍କ ସ୍କୁଟିକୁ ଧକ୍କା ଦେଇଥିଲା। ଫଳରେ ରାଜକିଶୋର ତଳେ ପଡିଯାଇଥିଲେ ଏବଂ ତାଙ୍କ ଡାହାଣ ହାତରେ ଟ୍ରକର ପଛ ଛକା ଚଢିଯାଇଥିଲା। ଯାହାଦ୍ୱରା ରାଜକିଶୋରଙ୍କ ଡାହାଣ ହାତଟି ନଷ୍ଟ ହୋଇଯାଇଥିବାବେଳେ ଗୁରୁତର ଅବସ୍ଥାରେ ରୋଡ଼ରେ ପଡିରହିଥିଲେ।

ଖବର ପାଇ ନାଚୁଣୀ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ ଦୁର୍ଘଟଣାସ୍ଥଳରେ ପହଞ୍ଚି ଗଙ୍ଗାଧରପୁର ଅଗ୍ନିଶମ ବାହିନୀର ସହଯୋଗରେ ରାଜକିଶୋରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ଅପରପକ୍ଷରେ ଦୁର୍ଘଟଣା ଘଟାଇ ଟ୍ରକ ଚାଳକ ଏବଂ ହେଲ୍ପର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବାବେଳେ ନାଚୁଣୀ ଫାଣ୍ଡି ପୋଲିସ ଟ୍ରକକୁ ଜବତ କରି ତଦନ୍ତ ଜାରିରଖିଛି।

Categories
ଆଜିର ଖବର ରାଜ୍ୟ ଖବର

ଜାତୀୟ ରାଜପଥରେ କାର ବାଇକ ମଧ୍ୟରେ ମୁହାଁ ମୁହିଁ ଧକ୍କା: ଅଜଣା ବ୍ୟକ୍ତି ଗୁରୁତର

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: କାର ବାଇକ ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇଛି। ଫଳରେ ବାଇକ ଚାଳକ ଗୁରୁତର ହୋଇ ଭୁବନେଶ୍ବର ସ୍ଥାନାନ୍ତରିତ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ପୁରୁଣା ୫ ନଂ ଜାତୀୟ ରାଜପଥ ପେଟ୍ରୋଲ ପମ୍ପ ନିକଟରେ ଏଭଳି ଏକ ସଡକ ଦୁର୍ଘଟଣା ଘଟିଛି।

ସୂଚନା ଅନୁଯାୟୀ ଗୋଟିଏ କାର ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ବାଇକଟି ବ୍ରହ୍ମପୁରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ହେଲେ ଉଭୟଙ୍କ ମଧ୍ୟରେ ଅଚାନକ ମୁହାଁ ମୁହିଁ ଧକ୍କା ହୋଇଥିଲା। ଫଳରେ ବାଇକ ଚାଳକ ଛିଟିକି ପଡ଼ି ଗୁରୁତର ହୋଇଥିଲେ। ସେଠାରେ ଯାଉଥିବା କିଛି ବ୍ୟକ୍ତି ବାଇକ ଚାଳକ ଘଟଣା ସ୍ଥଳରେ ପଡିଥିବାର ଦେଖିଥିଲେ। ତୁରନ୍ତ ୧୦୮ ଆମ୍ବୁଲାନ୍ସ ଯୋଗେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ତାଙ୍କୁ ଭର୍ତ୍ତି କରିଥିଲେ।

ହେଲେ ଦୁର୍ଘଟଣା ଘଟାଇଥିବା କାରଟି ସେଠାରୁ ଫେରାର ହୋଇଯାଇଥିଲା। ଗୁରୁତର ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି। ଗୁରୁତର ବ୍ୟକ୍ତିଙ୍କ ପରିଚୟ ମିଳିପାରିନାହିଁ। ସେପଟେ ଘଟଣା ସ୍ଥଳରେ ଟାଙ୍ଗୀ ପୋଲିସ ପହଁଚି ବାଇକ ଟିକୁ ଜବତ କରି ତଦନ୍ତ ଚଳାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀ ବାଇପାସ୍ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ଦୁଇ ଟ୍ରକ୍ ଚାଳକ ଗୁରୁତର

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ ଟାଙ୍ଗୀ ବାଇପାସ୍ ରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ଏହି ଦୁର୍ଘଟଣାରେ ଦୁଇ ଟ୍ରକ୍ ଚାଳକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି।

ସୂଚନା ଅନୁଯାୟୀ, ଜାତୀୟ ରାଜପଥରେ ରାସ୍ତା ସଂପ୍ରସାରଣ କାର୍ଯ୍ୟ ଚାଲୁଥିବାରୁ ଟାଙ୍ଗୀ ବାଇପାସ୍ ରେ ପାର୍ଶ୍ଵରେ ଗାଡି ମୋଟର ଚଳା ଚଳା କରୁଥିଲା। ତେବେ ବିପରୀତ ଦିଗରୁ ଦୁଇଟି ମାଲ ବୋଝେଇ ଟ୍ରକ୍ ଦ୍ରୁତ ଗତିରେ ଆସୁଥିବାରୁ ଗାଡି ଦୁଇଟି ଭାରସାମ୍ୟ ହରାଇ ମୁହାଁ ମୁହିଁ ଧକ୍କା ହୋଇଥିଲା। ଫଳରେ ଟ୍ରକ୍ ଚାଳକ ଦୁହେଁ ଗୁରୁତର ଅବସ୍ଥାରେ ଟ୍ରକ୍ କ୍ୟାବିନ ମଧ୍ୟ୍ୟରେ ଫସି ରହିଥିଲେ। ଟାଙ୍ଗୀ ଅଗ୍ଣିଶମ ବାହୀନୀ ଘଟଣା ସ୍ଥଳରେ ପହଂଚି ଉଭୟଙ୍କୁ ଉଦ୍ଧାର କରି ଟାଙ୍ଗୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା। ଜାତୀୟ ରାଜପଥ ନିର୍ମାଣ କରୁଥିବା  ଠିକାଦାରଙ୍କ ମନମାନୀ ଯୋଗୁଁ  ବାରମ୍ଵାର ଏଠାରେ ଦୁର୍ଘଟଣା ଘଟୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

କୁହୁଡି ଜାତୀୟ ରାଜପଥରେ ସିରିଜ ଦୁର୍ଘଟଣା: ଚାରି ଆହତ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା କୁହୁଡି ଫାଣ୍ଡି ଅନ୍ତର୍ଗତ କୁହୁଡି ଛକ ନିକଟରେ ଏକ ସିରିଜ ସଡ଼କ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଚାରି ଜଣ ଆହତ ହୋଇଛନ୍ତି।

କୁହୁଡି ଫାଣ୍ଡି ଅଧିକାରୀ ନିରଞ୍ଜନ ରାଉତଙ୍କ ସୂଚନା ଅନୁଯାୟୀ ଆଜି ରାତି ୯ ଘଟିକା ସମୟରେ ଦୁଇ ଜଣ ବ୍ୟକ୍ତି କୁହୁଡିରୁ ଚାଲି ଚାଲି ନାଚୁଣୀ ଅଭିମୁଖେ ଯାଉଥିବା ବେଳେ ଏକ ବାଇକ ହଠାତ ସେମାନଙ୍କୁ ପଛପଟୁ ଧକ୍କା ଦେଇଥିଲା। ତେବେ ଦୁର୍ଘଟଣା ଲାଗି ଜାତୀୟ ରାଜପଥରେ ଟ୍ରାଫିକର ଲମ୍ବା ଲାଇନ ଲାଗିବାରୁ ଉକ୍ତ ସମୟରେ ଏକ କାରକୁ ପଛପଟୁ ଅନ୍ୟ ଏକ ବାଇକ ଅସାବଧାନତା ବଶତଃ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଚାରି ଜଣ ଆହତ ହୋଇଥିଲେ।

ଖବର ପାଇ କୁହୁଡି ଫାଣ୍ଡି ପୋଲିସ ଦୁର୍ଘଟଣାସ୍ଥଳରେ ପହଁଚି ଚାରି ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ୨ ବାଇକ ଜବତ କରି ତଦନ୍ତ ଜାରି ରଖିଛି।

Categories
ଆଜିର ଖବର ରାଜ୍ୟ ଖବର

ବରହମପୁରା ଛକ ନିକଟରେ ୨ କାର ମୁହାଁମୁହିଁ ଧକ୍କା ଜଣେ ମୃତ ୫ ଆହତ

କନ୍ଦର୍ପ ବେହେରା
ରେଢ଼ାଖୋଲ: ସମ୍ବଲପୁର – କଟକ ୫୫ ନମ୍ବର ଜାତୀୟ ରାଜପଥର ଚାରମାଳ ଥାନା ଅନ୍ତର୍ଗତ ବରହପୁରା ଛକ ନିକଟରରେ ଦୁଇ କାର ମୁହାଁମୁହିଁ ଧକ୍କା ହେବାରୁ ଘଟଣା ସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇ ଥିବା ବେଳେ ୫ ଜଣ ଆହତ ହୋଇଛନ୍ତି।

ସୂଚନା ଯୋଗ୍ୟ ଯେ ସମ୍ବଲପୁର କଟକ ୫୫ ନଂ ଜାତୀୟ ରାଜପଥ ଚାରମାଳ ଥାନା ଅନ୍ତର୍ଗତ ବରହମପୁରା ଛକ ଠାରେ ବୌଦ୍ଧରୁ ସମ୍ବଲପୁର ଅଭିମୁଖେ ଯାଉଥିବା ଇନୋଭା ଗାଡ଼ି ନଂ ଓଡ଼ି ୦୫ ଏଏସ ୪୪୬୬ ବିଶିଷ୍ଟ ଗାଡି ବିପରୀତ ଦିଗରୁ ଆସୁଥିବା ବେଲପାହାଡ଼ରୁ ରେଢ଼ାଖୋଲ ସହର ନିକଟସ୍ଥ ଡିମିରିକୁଦାକୁ ଆସୁଥିବା ମାରୁତି ୮୦୦ କାର ସହ ମୁହାଁମୁହିଁ ଧକ୍କା ହେବା ଫଳରେ ବେଲପାହାଡ଼ ସ୍କୁଲ ପଡ଼ାର ମୋନରମା ଦାସ(୪୫) ଙ୍କ ମୃତ୍ୟୁ ହୋଇଯାଇଛି। ଏଥିରେ ରୁପେଶ ଦାସ, ଅଜିତ ଦାସ, ପାଲ ଦାସ, ଧୀର ଦାସ, ଓ ଇନୋଭା ଗାଡ଼ି ର ଡ୍ରାଇଭର ଚନ୍ଦନ ମହାନ୍ତି ଆହତ ହୋଇ ଚାରମାଳ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି।

ଚାରମାଳ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତ ମୋନରମା ଦାସଙ୍କୁ ରେଢ଼ାଖୋଲ ଡାକ୍ତରଖାନାକୁ ଆଣି ଶବ ବ୍ୟବଚ୍ଛେଦ କରି ପରିବାର ଲୋକ ଙ୍କୁ ହସ୍ତାନ୍ତର କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ନାଚୁଣୀ ଜାତୀୟ ରାଜପଥରେ ବାଇକ ବୋଝେଇ କଣ୍ଟେନର ଦୁର୍ଘଟଣାଗ୍ରସ୍ତ, ଯାତାୟାତ ବାଧାପ୍ରାପ୍ତ

ସୀତାରାମ ଅଗ୍ରୱାଲ

ନାଚୁଣୀ: ଆଜି ସକାଳୁ ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଫାଣ୍ଡି ୧୬ ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ହରିକୁଣ୍ଡ ବରଡ଼ୀ ବ୍ରିଜ ଉପରେ ଏକ ସଡ଼କ ଦୁର୍ଘଟଣା ଘଟିଯାଇଛି। ପୂର୍ବରୁ ଛିଡା ହୋଇଥିବା ଏକ ଟ୍ରକର ପଛପଟୁ ଆଉ ଏକ ଟ୍ରକ ଶକ୍ତ ଧକ୍କା ଦେଇଛି।

ସୂଚନା ମୁତାବକ ବ୍ରହ୍ମପୁର ଗୋପାଳପୁରରୁ ଏକ ଗୋଡ଼ି ବୋଝେଇ ଟ୍ରକ (ଓଡ଼ି-୦୨-ଏଏଚ- ୯୦୬୫) ଯାଜପୁର ଅଭିମୁଖେ ଯାଉଥିବାବେଳେ ହରିକୁଣ୍ଡ ବରଡି ବ୍ରିଜ ଉପରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଗତକାଲି ବିଳମ୍ବିତ ରାତ୍ରିରୁ ଛିଡା ହୋଇଥିଲା। ହେଲେ ଆଜି ସକାଳୁ ତାମିଲନାଡୁରୁ ଭୁବନେଶ୍ୱର ଯାଉଥିବା ଏକ ଟିଭିଏସ ବାଇକ ବୋଝେଇ କଣ୍ଟେନର (କେଏ-୦୧-ଏସି-୯୨୪୯) ଟି ଅସାବଧାନତା ବଶତଃ ଉକ୍ତ ଗୋଡ଼ି ବୋଝେଇ ଟ୍ରକଟିକୁ ପଛପଟୁ ଶକ୍ତ ଧକ୍କା ଦେଇଥିଲା। ଧକ୍କାଟି ଏତେ ଜୋର ଥିଲା ଯେ ବାଇକ ବୋଝେଇ କଣ୍ଟେନରର ଗୋଟାଏ ପାର୍ଶ୍ୱ ସମ୍ପୂର୍ଣ ନଷ୍ଟ ହୋଇଯାଇଥିବା ବେଳେ କେତେକ ବାଇକ ମଧ୍ୟ ନଷ୍ଟ ହୋଇଯାଇଥିବାର ସୂଚନା ମିଳିଛି।

ତେବେ ଉକ୍ତ ଦୁର୍ଘଟଣାରେ କୌଣସି ଧନଜୀବନ ନଷ୍ଟ ହୋଇନଥିବାର ଜଣାପଡିଛି। ଖବର ପାଇ ଦୁର୍ଘଟଣାସ୍ଥଳରେ ନାଚୁଣୀ ଫାଣ୍ଡି ପୋଲିସ ପହଁଚି ଗାଡି ଦୁଇଟିକୁ ଜବତ କରିବା ସହ ଜାତୀୟ ରାଜପଥରୁ ଟ୍ରାଫିକ କ୍ଳିଅର କରୁଥିବାର ଦେଖାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ନାଚୁଣୀରେ ଟ୍ରେଡ୍ ପ୍ରମାଣ ପତ୍ର ବିନା ଚାଲିଥିଲା ବାଇକ୍ ସୋ ରୁମକୁ ସିଲ କଲେ ପରିବହନ ଅଧିକାରୀ

ସୀତାରାମ ଅଗ୍ରୱାଲ

ନାଚୁଣୀ: ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ନିକଟସ୍ଥ ୧୬ ନଂ ଜାତୀୟ ରାଜପଥ ପାର୍ଶ୍ଵରେ ଦିର୍ଘ ଦିନ ହେଲା ଏକ ବାଇକ୍ ସୋ ରୁମ୍ ଚାଲିଥିଲା। ଭୁବନେଶ୍ୱରର ଏକ ନାମୀ ବାଇକ୍ ବିକ୍ରେତା ସୋ ରୁମ୍ ସହାୟତାରେ ନାଚୁଣୀରେ ବାଇକ୍ ସୋ ରୁମ୍ ଚାଲିଥିଲା। ସେଠାରେ ଗ୍ରାହକମାନଙ୍କୁ ବାଇକ୍ ବିକ୍ରି କରାଯାଉଥିବା ବେଳେ ଭୁବନେଶ୍ୱର ସୋ ରୁମ୍ ସହାୟତାରେ ବିନା ବ୍ୟବସାୟ ଚାଲୁଥିଲା।

କିନ୍ତୁ ଏହି ବାଇକ୍ ସୋ ରୁମ୍ ପାଇଁ  ଖୋର୍ଦ୍ଧା ଜିଲ୍ଲା ପରିବହନ ବିଭାଗ ପକ୍ଷରୁ କୌଣସି  ଟ୍ରେଡ୍  ପ୍ରମାଣ ପତ୍ର  ମିଳି ନଥିଲା। ଏହାର ସୁରାକ୍ ପାଇ ପରି ବହନ ବିଭାଗ ଅଚାନକ ଚଢାଉ କରିଥିଲା। ଖୋର୍ଦ୍ଧା ଜିଲ୍ଲା ଆଂଚଳିକ ପରିବହନ ଅଧୀକାରୀ ପ୍ରଦୀପ ମହାନ୍ତିଙ୍କ ନିର୍ଦ୍ଧେଶରେ ଏହି ଚଢାଉ କରାଯାଇଥିଲା। ଏହି ଚଢାଉରେ  ଜୁନିଅର ଏମଭିଆଇରୁ ରୁପାଲିନ୍  ବାହୁବଳେନ୍ଦ୍ର, ଟ୍ରାଫିକ୍ ଇନସପେକ୍ଟର ଆରକେ ଦୋରା ପ୍ରମୁଖ ସାମିଲ ହୋଇଥିଲେ।

ଉକ୍ତ ଚଢାଉରେ ମୋଟ ୧୯ଟି ବାଇକକୁ ଜବତ କରାଯାଇଥିବା ବେଳେ ସମ୍ପୃକ୍ତ ସୋ’ ରୁମ ମାଲିକଙ୍କୁ ୧ ଲକ୍ଷ ୪ ହଜାର ୫୦୦ ଟଙ୍କା  ଜରିମାନା କରାଯାଇଛି। ଏବଂ ବାଇକ୍ ସୋ ରୁମ୍ ମାଲିକଙ୍କ ନାମରେ ପରି ବହନ ବିଭାଗ ଏକ ମୋକଦ୍ଧମା ରୁଜୁ କରିଥିବା ସୂଚନା ରହିଛି। ଏହା ସହ ମାଲିକଙ୍କ ଠାରୁ ସମସ୍ତ ଜବତ  ଗାଡିର ୧୫ ବର୍ଷ ପର୍ଯ୍ୟନ୍ତ ଟିକସ ଆଦାୟ କରାଯିବ ବୋଲି ଜଣା ପଡିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଜାତୀୟ ରାଜପଥରୁ ବେଆଇନ ଦେଶୀ ମଦ ବୋଝେଇ ଅଟୋ ଜବତ: ଜଣଙ୍କୁ ଗିରଫ କଲା ବାଲୁଗାଁ ପୋଲିସ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ସକାଳୁ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ଖଡ଼ିକାପଲ୍ଲୀ ଓଭରବ୍ରିଜ ଉପରୁ ବାଲୁଗାଁ ପୋଲିସ ଏକ ବେଆଇନ ଦେଶୀ ମଦ ବୋଝେଇ ଅଟୋ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି।

ସୂଚନା ମୁତାବକ ଆଜି ସକାଳ ୫ ଘଟିକାରେ ବାଲୁଗାଁ ଆଇଆଇସି ରମାକାନ୍ତ ମାହାଲିକ ଏବଂ ନାଭାଲ ଫାଣ୍ଡି ଅଧିକାରୀ ଦିଲୀପ ସାହୁ ପାଟ୍ରୋଲିଂ କରୁଥିବା ସମୟରେ ଖଡ଼ିକାପଲ୍ଲୀ ଓଭରବ୍ରିଜ ଉପରେ ଯାଉଥିବା ଏକ ଅଟୋ ଉପରେ ସନ୍ଦେହ ହେବାରୁ ଅଟୋଟିକୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ କରିବା ସମୟରେ ଅଟୋରେ ଦେଶୀ ମଦ ବୋଝେଇ ବସ୍ତା ଥିବାର ଆଇଆଇସି ଜାଣିବାକୁ ପାଇଥିଲେ।

ତେବେ ଅଟୋ ଭିତରୁ ପୋଲିସ ୨୮୦ ଲିଟର ଦେଶୀ ମଦ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ବାଲୁଗାଁ ଥାନା ଛେଡାପଦର ଗ୍ରାମର କନ୍ଦର୍ପ ଦାସ। ତେବେ ଘଟଣାସ୍ଥଳରୁ ଅଟୋ ମାଲିକ ଫେରାର ହୋଇଯାଇଛନ୍ତି। ବାଲୁଗାଁ ଥାନା ପୋଲିସ ଗିରଫ ଅଭିଯୁକ୍ତଙ୍କ ବିରୋଧରେ କେସ ନମ୍ବର ୧୦୮/୨୧ ରେ ମାମଲା ରୁଜୁ କରିବା ସହ ଆଜି କୋର୍ଟଚାଲାଣ କରିଥିବାର ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଚାନ୍ଦପୁର ଜାତୀୟ ରାଜପଥରେ ଏସିଡ ଟ୍ୟାଙ୍କର ଲିକ୍: ଆୟତ୍ତ ଲାଗି ଟାଙ୍ଗୀ ଅଗ୍ନିଶମ ବାହିନୀର ପ୍ରୟାସ ଜାରି

ନୟାଗଡ/ଚାନ୍ଦପୁର: ଆଜି ରାତିରେ ନୟାଗଡ ଜିଲ୍ଲା ଚାନ୍ଦପୁର ୧୬ ନମ୍ବର ଜାତୀୟ ରାଜପଥ ରୟାଲ କଟେଜ ନିକଟରେ ଏକ ହାଇଡ୍ରୋକ୍ଲୋରିକ ଏସିଡ ଭର୍ତ୍ତି ଟ୍ୟାଙ୍କରରୁ ଯାନ୍ତ୍ରିକ ତ୍ରୁଟି ଲାଗି ଏସିଡ ଲିକ ହେବାରେ ଲାଗିଛି।

ସୂଚନା ମୁତାବକ ଆଜି ରାତି ୯ ଘଟିକା ପାଖାପାଖି ଗଞ୍ଜାମରୁ ହାଇଡ୍ରୋକ୍ଲୋରିକ ଏସିଡ ଭର୍ତ୍ତି ଏକ ଟ୍ୟାଙ୍କର କୋଲକାତା ଅଭିମୁଖେ ଯାଉଥିବାବେଳେ ଚାନ୍ଦପୁର ଥାନା ୧୬ ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ରୟାଲ କଟେଜ ନିକଟରେ ଟ୍ୟାଙ୍କରର ଭାଲବ ଟି ଭାଙ୍ଗିଯାଇଥିଲା। ଫଳରେ ହାଇଡ୍ରୋକ୍ଲୋରିକ ଏସିଡ ଲିକ ହୋଇ ରାଜପଥରେ ବୋହିବାକୁ ଲାଗିଥିଲା। ସଙ୍ଗେସଙ୍ଗେ ଖବର ପାଇ ଚାନ୍ଦପୁର ଆଇଆଇସି ରଶ୍ମିରଂଜନ ଦାସ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ପ୍ରଥମେ ଗାଡିକୁ ରୋଡ଼ ପାର୍ଶ୍ଵକୁ ନେଇଯାଇଥିଲେ। ଏବଂ ଜାତୀୟ ରାଜପଥ ବ୍ଲକ କରି ଆଖ ପାଖ ଅଞ୍ଚଳରୁ ତୁରନ୍ତ ଜନସାଧାରଣଙ୍କୁ ଖାଲି କରିଥିଲେ।

ବର୍ତ୍ତମାନ ଘଟଣାସ୍ଥଳରେ ଟାଙ୍ଗୀ ଅଗ୍ନିଶମ ବାହିନୀ ପହଞ୍ଚି ପାଣି ସାହାଯ୍ୟରେ ହାଇଡ୍ରୋକ୍ଲୋରିକ ଏସିଡକୁ ଡ଼ାଇଲୁସନ କରିବାରେ ଲାଗିଛି। ତେବେ ଏପ୍ରକ୍ରିୟା ପାଖାପାଖି ଆହୁରି ୨ ଘଣ୍ଟା ଚାଲିବ ବୋଲି ଚାନ୍ଦପୁର ଆଇଆଇସି ଶ୍ରୀ ଦାସ ସୂଚନା ଦେଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନାଚୁଣୀ: ପୁଣି ଜାତୀୟ ରାଜପଥରେ ମାତିଲେ କଳା ପଲସର ଲୁଟେରା, ଝାମ୍ପିନେଲେ ମହିଳାଙ୍କ ଭ୍ୟାନିଟି ବ୍ୟାଗ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ୧୬ ନଂ ଜାତୀୟ ରାଜପଥରେ ଦୁଇ ଜଣ ଦୁର୍ବୃତ୍ତ ଚଳନ୍ତା ବାଇକରୁ ମହିଳାଙ୍କ ଭ୍ୟାନିଟି ବ୍ୟାଗ ଝାମ୍ପି ନେଇଥିବା ଖବର ହସ୍ତଗତ ହୋଇଛି। ଫଳରେ ମହିଳାଜଣଙ୍କ ବାଇକରୁ ପଡ଼ି ଗୁରୁତର ହୋଇପଡିଛନ୍ତି। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ନାଚୁଣୀ ବାଇପାସ ନିକଟରେ ଏପରି ଏକ ଚାଞ୍ଚଲ୍ୟକର ଘଟଣା ଘଟିଯାଇଛି।

ସୂଚନା ମୁତାବକ କଟକ ଜିଲ୍ଲା ନରସିଂହପୁର ଅଞ୍ଚଳର ଜଣେ ଦମ୍ପତି ଆଜି ସକାଳେ ନିଜ ବାଇକ ଯୋଗେ ବାଣପୁର ବ୍ଲକ ଅନ୍ତର୍ଗତ ବାଁଳୋଇ ଗ୍ରାମରେ ବିବାହ ହୋଇଥିବା ନିଜ ଝିଅ ଘରକୁ ସାବିତ୍ରୀ ଉପଲକ୍ଷେ ଯାଉଥିଲେ। ଦମ୍ପତି ଦ୍ୱୟ ହେଲେ ନଗେନ୍ଦ୍ର ବେହେରା ଏବଂ ମମତା ବେହେରା।

ତେବେ ସକାଳ ପାଖାପାଖି ୮.୩୦ ସମୟରେ ନାଚୁଣୀ ବାଇପାସ ନିକଟରେ ଏକ କଳା ରଙ୍ଗର ପଲସର ବାଇକରେ ଦୁଇ ଜଣ ଦୁର୍ବୃତ୍ତ ଆସି ମମତାଙ୍କ ଭ୍ୟାନିଟି ବ୍ୟାଗ ଝାମ୍ପି ଦୃତଗତିରେ ବାଲୁଗାଁ ଅଭିମୁଖେ ଫେରାର ହୋଇଯାଇଥିଲେ। ଫଳରେ ମମତା ବାଇକରୁ ତଳେ ପଡିଯାଇଥିଲେ ଏବଂ ଜୋରରେ ଚିତ୍କାର କରିଥିଲେ। ନଗେନ୍ଦ୍ର ଏହା ଜାଣିପାରି ସଙ୍ଗେସଙ୍ଗେ ବାଇକକୁ ରଖିଥିଲେ। ମମତାଙ୍କ ମୁଣ୍ଡ ଏବଂ ଶରୀରରେ ଗଭୀର କ୍ଷତ ହେବାସହ ପ୍ରଚୁର ରକ୍ତସ୍ରାବ ହୋଇଥିଲା। ନଗେନ୍ଦ୍ର ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଏକ ୧୦୮ ଆମ୍ବୁଲାନ୍ସ ଯୋଗେ ମମତାଙ୍କୁ ଗୁରୁତର ଅବସ୍ଥାରେ ବାଲୁଗାଁ ମେଡିକାଲରେ ଭର୍ତ୍ତି କରଥିଲେ।

ବର୍ତ୍ତମାନ ମମତା ବାଲୁଗାଁ ମେଡିକାଲରେ ଚିକିତ୍ସିତ ହେଉଥିବାବେଳେ ଖବର ଲେଖାହେବା ପର୍ଯ୍ୟନ୍ତ ପୀଡିତା ଏଯାବତ ଥାନାରେ ଏତଲା ଦେଇନାହାନ୍ତି। ତେବେ ମମତାଙ୍କ ସୂଚନା ଅନୁଯାୟୀ ଉକ୍ତ ଭ୍ୟାନିଟି ବ୍ୟାଗରେ ୫ ହଜାର ୫୦୦ ଟଙ୍କା, ଗୋଟେ ମୋବାଇଲ, ତିନି ଗୋଟି ଏଟିଏମ କାର୍ଡ ଏବଂ ଅନ୍ୟାନ୍ୟ ଜରୁରୀ କାଗଜପତ୍ର ଥିଲା।

ଅନୁରୂପଭାବେ ଗତ ଶନିବାର ଦିନ ସ୍ପଷ୍ଟ ଦିବାଲୋକରେ ବାଲୁଗାଁ ବାଇପାସରୁ ଜଣେ ମହିଳାଙ୍କ ଠାରୁ ୯୯ ହଜାର ଟଙ୍କା ଦୁର୍ବୁତ୍ତ ଲୁଟିନେଇଥିବା ବେଳେ ଆଜି ପୁଣି ସକାଳୁ ନାଚୁଣୀ ବାଇପାସରୁ ମହିଳାଙ୍କ ଭ୍ୟାନିଟି ବ୍ୟାଗ ଛଡାଇନେବା ଘଟଣା ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

Categories
ଆଜିର ଖବର ରାଜ୍ୟ ଖବର

ଚାନ୍ଦପୁର ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ଜଣେ ସାଇକେଲ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ

ନୟାଗଡ/ଚାନ୍ଦପୁର: ୧୬ ନଂ ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ବସନ୍ତ କୁମାର ରଥ ନାମକ ଜଣେ ବରିଷ୍ଠ ନାଗରିକ ପୂଜା ସାରି ଘରକୁ ସାଇକେଲ ଯୋଗେ ଫେରୁଥିଲେ। ୧୬ ନଂ ଜାତୀୟ ରାଜପଥ ଅସୋକାଇ ଖୋଲ ଛକ ନିକଟରେ ହଠାତ ଏକ ଟାଟା ଏସି ଗାଡି ଆସି ବସନ୍ତଙ୍କ ପଛପଟକୁ ଧକ୍କା ଦେଇଥିଲା। ଦୁର୍ଘଟଣାଟି ଏତେ ଭୀଷଣ ଥିଲା ଯେ, ବସନ୍ତ କୁମାର ରଥ ଖଣ୍ଡେ ଦୂରରେ ଛିଟିକି ପଡ଼ିଥିଲେ। ଏବଂ ବସନ୍ତଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ମୃତକ ବରିଷ୍ଠ ନାଗରିକ ଜଣଙ୍କ ଚମ୍ପାଗଡ଼ ଗ୍ରାମର ବୋଲି ଜଣାପଡିଛି। ଦୁର୍ଘଟଣା ସ୍ଥଳରେ ଚାନ୍ଦପୁର ପୋଲିସ ପହଞ୍ଚି ଶବ ଓ ଗାଡି ଜବତ କରି ତଦନ୍ତ ଜାରି ରଖିଛି।

Categories
ଆଜିର ଖବର ରାଜ୍ୟ ଖବର

ଚାନ୍ଦପୁର ନିକଟରେ ସଡକ ଦୁର୍ଘଟଣା: ଦୁର୍ଘଟଣାଗ୍ରସ୍ତ କାରରୁ ୨ ଲକ୍ଷରୁ ଉର୍ଦ୍ଧ୍ଵ ଚୋରୀ ଅଭିଯୋଗ

ନୟାଗଡ/ଚାନ୍ଦପୁର: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଜାତୀୟ ରାଜପଥରେ ଏକ ସଡକ ଦୁର୍ଘଟଣା ଘଟିଯାଇଛି। ଚାନ୍ଦପୁର ଥାନା ୧୬ ନମ୍ବର ଜାତୀୟ ରାଜପଥରେ ଟ୍ରକର ପଛ ପଟୁ ପିଟି ଗୋଟିଏ କାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାଗ୍ରସ୍ତ କାର ଭିତରୁ ୨ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଚୋରି ହୋଇଥିବା ଚାଳକଜଣଙ୍କ ଅଭିଯୋଗ କରିଛନ୍ତି।

ସୂଚନା ନୁଯାୟୀ, ବିଶାଖାପାଟଣାମରୁ ଭୁବନେଶ୍ଵର ଅଭିମୁଖେ ଯାଉଥିବା ଏକ କାର (ଏପି ୩୯ ଏଫଏନ ୫୦୦୪) ଟି ଶନିମନ୍ଦିର ଓଭରବ୍ରିଜ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଓଭରବ୍ରିଜ ନିକଟରେ ଥିବା ହମ୍ପସରେ ଗୋଟିଏ ଟ୍ରକ ହଠାତ ବ୍ରେକ ମାରିବା ଦ୍ଵାରା ପଛରେ ଥିବା କାରଟି ଭାରସାମ୍ୟ ହରାଇ ତାକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରୁ ଟ୍ରକ ଚାଳକ ଫେରାର ହୋଇଯାଇଥିବା ବେଳେ ସ୍ଥାନୀୟଲୋକେ କାର ଚାଲାକଙ୍କୁ ଉଦ୍ଧାର କରିଥିଲେ। କାର ଚାଳକଙ୍କୁ ଚିକିତ୍ସା ପାଇଁ ସେମାନେ ହସ୍ପିଟାଲରେ ଭର୍ତ୍ତି କରିଥିଲେ।

ଚାନ୍ଦପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡିକୁ ଜବତ କରିଛି। ଏପଟେ କାର ଚାଳକ ସୁସ୍ଥ ଥିବା ବେଳେ ତାଙ୍କ କାର ଭିତରୁ ୨ ଲକ୍ଷ ୪୦ ହଜାର ଟଙ୍କା ଚୋରୀ ହୋଇଥିବା ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ଏନେଇ ପୋଲିସ ତଦନ୍ତ ଜାରି ରଖିଛି।