Categories
ବିଶେଷ ଖବର ବ୍ୟବସାୟ

୨୦୨୦-୨୧ ଆର୍ଥିକ ବର୍ଷରେ ଓଡ଼ିଶାକୁ ମିଳିଛି ୧୫୧୯.୩୧ କୋଟି ଟଙ୍କାର କୋଇଲା ରୟାଲିଟୀ

ନୂଆଦିଲ୍ଲୀ: ୨୦୨୦-୨୧ ଆର୍ଥିକ ବର୍ଷରେ ଓଡ଼ିଶାକୁ ୧୫୧୯.୩୧ କୋଟି ଟଙ୍କାର କୋଇଲା ରୟାଲିଟୀ ମିଳିଛି। ଏହାଛଡ଼ା ୨୦୧୯-୨୦ରେ ରାଜ୍ୟକୁ ୨୧୩୯.୪୫ କୋଟି ଟଙ୍କାର ରୟାଲିଟୀ ପ୍ରଦାନ କରାଯାଇଥିଲା। ଏହାଛଡ଼ା ୨୦୧୧-୧୨ ଆର୍ଥିକ ବର୍ଷ ଠାରୁ ୨୦୧୮-୧୯ ଆର୍ଥିକ ବର୍ଷ ମଧ୍ୟରେ ରାଜ୍ୟକୁ ଯଥାକ୍ରମେ ୧୦୪୫.୯୨ କୋଟି ଟଙ୍କା, ୧୨୪୨.୮୭ କୋଟି ଟଙ୍କା, ୧୩୪୯.୬୮ କୋଟି ଟଙ୍କା, ୧୪୧୬.୫୬ କୋଟି ଟଙ୍କା, ୧୬୯୮.୧୫ କୋଟି ଟଙ୍କା, ୧୬୬୬.୦୨ କୋଟି ଟଙ୍କା, ୧୭୫୪.୫୩ କୋଟି ଟଙ୍କା ଏବଂ ୨୦୨୪.୧୫ କୋଟି ଟଙ୍କା କୋଇଲା ରୟାଲିଟୀ ମିଳିଛି।

କେନ୍ଦ୍ର କୋଇଲା, ଖଣି, ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଆଜି ଲୋକସଭାରେ ଏହି ସୂଚନା ଦେଇଛନ୍ତି। କୋଇଲା ମନ୍ତ୍ରୀ କହିଛନ୍ତି ଯେ କେତେକ କୋଇଲା ଉତ୍ପାଦନକାରୀ ରାଜ୍ୟ ରୟାଲିଟୀ ଦର ବଢ଼ାଇବା ପାଇଁ ଦାବି କରି ଆସୁଛନ୍ତି। ଏହି କ୍ରମରେ, କୋଇଲା ଓ ଲିଗ୍ନାଇଟ୍‌ ଉପରେ ରୟାଲିଟୀ ଦର ସଂଶୋଧନ ପାଇଁ ୨୧.୦୭.୨୦୧୪ରେ ଏକ ଅଧ୍ୟୟନ ଗୋଷ୍ଠୀ ଗଠନ କରାଯାଇଥିଲା। ଅଧ୍ୟୟନ ଗୋଷ୍ଠୀ ବିଭିନ୍ନ ଅଂଶୀଦାର ରାଜ୍ୟମାନଙ୍କ ଠାରୁ ମତାମତ ସଂଗ୍ରହ କରିଥିଲା। କୋଇଲା ଉତ୍ପାଦନକାରୀ ରାଜ୍ୟମାନେ କୋଇଲା ରୟାଲିଟୀ ଦରକୁ ବର୍ତ୍ତମାନର ୧୪ ପ୍ରତିଶତରୁ ବୃଦ୍ଧି କରି ୨୦ ପ୍ରତିଶତ କରିବା ଲାଗି ଦାବି କରୁଛନ୍ତି। ଅନ୍ୟପଟେ କୋଇଲା ଉପଯୋଗକାରୀ ରାଜ୍ୟମାନେ ରୟାଲିଟୀ ଦରକୁ ୧୪%ରୁ କମାଇ ଅତିବେଶୀରେ ୫-୬ ପ୍ରତିଶତ ମଧ୍ୟରେ ରଖିବା ପାଇଁ ଦାବି କରି ଆସୁଛନ୍ତି।

ଅଧ୍ୟୟନ ଗୋଷ୍ଠୀ ସବୁ ଦିଗରୁ ବିଚାର କରିବା ପରେ ରିପୋର୍ଟ ଦାଖଲ କରିଛି। ଏଥିରେ ରୟାଲିଟୀ ଦରରେ କୌଣସି ପରିବର୍ତ୍ତନ ନକରିବା ପାଇଁ ସୁପାରିସ କରାଯାଇଛି କାରଣ ରୟାଲିଟୀ ଉପରେ ୩୦ ପ୍ରତିଶତ ହାରରେ ଡିଏମଏଫ ଦର ଏବଂ ରୟାଲିଟୀ ଉପରେ ୨ପ୍ରତିଶତ ହାରରେ ଏନଏମଇଟି ଦର ଲାଗୁ ହେବା ପରେ ମୋଟ୍‌ ଲାଗୁ ପରିମାଣ ୧୮.୪୮%ରେ ଅର୍ଥାତ୍‌ {(୧୪%+ ୪.୨ (୧୪%ର 30%) + .୨୮ (୧୪% ର ୨%) ରେ } ପହଞ୍ଚି ଯାଉଛି।

ତଦନୁଯାୟୀ, ଅଧ୍ୟୟନ ଗୋଷ୍ଠୀ ନିମ୍ନମତେ ସୁପାରିସ କରିଛି:

ତା ୧୦.୦୫.୨୦୧୨ରିଖରେ ଜାରି ବିଧିବଦ୍ଧ ବିଜ୍ଞପ୍ତି ସଂଖ୍ୟା ଜି.ଏସ.ଆର ୩୪୯ ଅନୁଯାୟୀ ପ୍ରସ୍ତାବିତ ରୟାଲିଟୀରେ କୌଣସି ପରିବର୍ତ୍ତନର ପ୍ରସ୍ତାବ ନାହିଁ। ପଶ୍ଚିମବଙ୍ଗକୁ ଛାଡ଼ି ଦେଲେ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶରେ ଉତ୍ପାଦିତ କୋଇଲା ଉପରେ ରୟାଲିଟୀ ଦର ମୂଲ୍ୟାନୁସାରେ ୧୪%ରେ ଅପରିବର୍ତ୍ତିତ ରହିବ, ଟିକସ, ଶୁଳ୍କ ଏବଂ ଅନ୍ୟାନ୍ୟ ଶୁଳ୍କକୁ ବାଦ୍‌ ଦେଇ ଇନଭଏସରେ ପ୍ରତିଫଳିତ ଦର।

ତା ୧୦.୦୫.୨୦୧୨ରେ ଜାରି ବିଜ୍ଞପ୍ତି ଜି.ଏସ.ଆର ୩୪୯ (ଇ) ଅନୁଯାୟୀ ପଶ୍ଚିମବଙ୍ଗ ରାଜ୍ୟରେ ଉତ୍ପାଦିତ କୋଇଲା ଉପରେ ଲାଗୁ ରୟାଲିଟୀ ପ୍ରତି ଟନ୍‌ ପିଛା ଟଙ୍କା ଦରରେ କୌଣସି ପରିବର୍ତ୍ତନ କରାଯିବ ନାହିଁ। ଅଧ୍ୟୟନ ଗୋଷ୍ଠୀର ସୁପାରିସକୁ ସରକାର ଗ୍ରହଣ କରିଛନ୍ତି ଏବଂ ରୟାଲିଟୀ ଦର ବଢ଼ାଇବା ପାଇଁ ବର୍ତ୍ତମାନର ସରକାରଙ୍କର କୌଣସି ଯୋଜନା ନାହିଁ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପିପିଟି, ଏମସିଏଲର କାର୍ଯ୍ୟଧାରା ଓ ପ୍ରକଳ୍ପ ସମୀକ୍ଷା କଲେ କୋଇଲା ଓ ଖଣିମନ୍ତ୍ରୀ ପ୍ରହ୍ଲାଦ ଯୋଶୀ

ଭୁବନେଶ୍ବର: କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଗୁରୁବାର ଦିନ ପାରାଦୀପ ବନ୍ଦର ଟ୍ରଷ୍ଟ (ପିପିଟି) ଏବଂ ମହାନଦୀ କୋଲ ଫିଲ୍ଡସ୍ ଲିମିଟେଡ (ଏମସିଏଲ)ର ବିଭିନ୍ନ ପ୍ରକଳ୍ପ ଓ କାର୍ଯ୍ୟଧାରା ସମୀକ୍ଷା କରିଛନ୍ତି। ଶ୍ରୀ ଯୋଶୀ ପାରାଦୀପ ବନ୍ଦର ଏବଂ ଏମସିଏଲର ହିଙ୍ଗୁଳା କୋଇଲା ଖଣି କ୍ଷେତ୍ର ପରିଦର୍ଶନ କରି ଏହି ସମୀକ୍ଷା କରିଥିଲେ।

ଶ୍ରୀ ଯୋଶୀ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସି ପହଞ୍ଚିଛନ୍ତି। ଆରମ୍ଭରୁ ସେ ପାରାଦୀପ ବନ୍ଦର ଗସ୍ତ କରି କୋଇଲା ଲୋଡିଂ ବ୍ୟବସ୍ଥାର ଅନୁଧ୍ୟାନ କରିଥଲେ। ତାଙ୍କ ସହିତ କେନ୍ଦ୍ର କୋଇଲା ଏବଂ ଖଣି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରାଓସାହେବ ପାଟିଲ ଦାନଭେ ଉପସ୍ଥିତ ଥିଲେ। ସମୁଦ୍ର ମାର୍ଗ ଦେଇ କୋଇଲା ପରିବହନ ବୃଦ୍ଧି କରିବା ଲାଗି ବନ୍ଦରରେ ଥିବା ସୁବିଧାର ସମ୍ପୂର୍ଣ୍ଣ ଉପଯୋଗ ନିମନ୍ତେ ଶ୍ରୀ ଯୋଶୀ ନିର୍ଦ୍ଦେଶ ଦେଇଥିଲେ। ପାରାଦୀପ ବନ୍ଦରକୁ କୋଇଲା ହବ୍ ରୂପରେ ବ୍ୟବହାର କରିବା ଲାଗି ସମ୍ଭାବନାକୁ ଉଜାଗର କରିବା ନିମନ୍ତେ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।

ଶ୍ରୀ ଯୋଶୀ ମଧ୍ୟ ପାରାଦୀପ ବନ୍ଦର ନିକଟରେ ଥିବା ରେଳ ରିସିଭାଲ ସିଷ୍ଟମ ପରିଦର୍ଶନ କରିଥିଲେ, ଏଠାରେ ଓ୍ବାଗନ-ଟିପଲର୍ସ ସହାୟତାରେ କୋଇଲା ଅନଲୋଡ୍ କରାଯାଇଥାଏ। ମନ୍ତ୍ରୀ କହିଥିଲେ ଯେ, ଏହି ଅନଲୋଡ୍ ବ୍ୟବସ୍ଥା ବେଶ ଦକ୍ଷ। ଏହା ସମୟ ଏବଂ ବିଳମ୍ବଜନିତ ଖର୍ଚ୍ଚ ହ୍ରାସ କରିବା ସହିତ କୋଇଲା ଧୂଳି ଉଡ଼ିବା ପରିମାଣ କମାଇଥାଏ।

ଏହାପରେ କୋଇଲା ମନ୍ତ୍ରୀ ଏମସିଏଲର ହିଙ୍ଗୁଳା କ୍ଷେତ୍ରରେ ଥିବା ବଳରାମ ଓପନକାଷ୍ଟ ଖଣି ପ୍ରକଳ୍ପ ଅଞ୍ଚଳ ପରିଦର୍ଶନ କରିଥିଲେ। ମନ୍ତ୍ରୀ କହିଥିଲେ ଯେ, “ବାର୍ଷିକ ୮ ମିଲିୟନ ଟନ କ୍ଷମତା ବିଶିଷ୍ଟ ଏହି କୋଇଲା ଖଣିର ବିସ୍ଫୋରଣ କାମରେ କେବଳ ମହିଳାମାନେ ନିୟୋଜିତ ହୋଇଛନ୍ତି। ସେ ମଧ୍ୟ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ ଏବଂ କୋଇଲା ଉତ୍ପାଦନ ଏବଂ ପ୍ରେରଣ ନିମନ୍ତେ ଶ୍ରମିକମାନଙ୍କୁ ଉତ୍ସାହିତ କରିଥିଲେ। ଶ୍ରୀ ଯୋଶୀ ବଳରାମ ଓପନକାଷ୍ଟ ପ୍ରକଳ୍ପ ନିକଟରେ ଶ୍ରମିକ ଗୌରବ ଜଳ ଉଦ୍ୟାନର ଶିଳାନ୍ୟାସ କରିଥିଲେ। ଏହି ଅବସରରେ ମନ୍ତ୍ରୀ କହିଥିଲେ ଯେ ଏକ କୋଇଲା ଖଣି ଜମିର ପୁନରୁଦ୍ଧାର କରାଯାଇ ଏକ ସୁନ୍ଦର ହ୍ରଦ ପାର୍ଶ୍ବରେ ପ୍ରତିଷ୍ଠା ହେବାକୁ ଥିବା ଏହି ଜଳ ଉଦ୍ୟାନରେ ଏକ ବଡ଼ ପର୍ଯ୍ୟଟନ ସ୍ଥଳୀ ହେବାର ସମ୍ଭାବନା ରହିଛି।

ସେ ମଧ୍ୟ ଏମସିଏଲର ହିଙ୍ଗୁଳା କ୍ଷେତ୍ରର ରେଳ ସାଇଡିଂ ପରିଦର୍ଶନ କରିଥିଲେ। ଓ୍ବାଗନ ପରିବହନ ସମୟ ହ୍ରାସ କରିବା ଉପରେ ମନ୍ତ୍ରୀ ଜୋର ଦେଇଥିଲେ। କୋଇଲା ପ୍ରେରଣ ବୃଦ୍ଧି କରିବା ସଂକ୍ରାନ୍ତରେ ସେ ରେଳ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ରେଳସାଇଡିଂ ନିକଟରେ ପେଲୋଡର ଅପରେଟର ମାନଙ୍କୁ ମନ୍ତ୍ରୀ ସମ୍ବର୍ଦ୍ଧିତ କରିବା ସହିତ ସେମାନଙ୍କର କଠିନ କାମ ଲାଗି ସେମାନଙ୍କୁ ପ୍ରଶଂସା କରିଥିଲେ। ଏଥିସହିତ କୋଇଲା ଲୋଡିଂ ବୃଦ୍ଧି ପାଇଁ ସେମାନଙ୍କୁ ଉତ୍ସାହିତ କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଖଣି ଓ ଧାତବ ଶିଳ୍ପ ଉପରେ ଓଡିଶା ବିଶ୍ବର ଏକ ଗୁରୁତ୍ବପୂର୍ଣ୍ଣ କେନ୍ଦ୍ର ହେବାକୁ ଯାଉଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ସଂସଦୀୟ ବ୍ୟାପାର, କୋଇଲା ଓ ଖଣି ବିଭାଗ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଆଜି ମିଳିତ ଭାବରେ ଓଡିଶା ଖଣି ନିଗମକୁ ଆବଣ୍ଟିତ ଦୁଇଟି ଖଣି ଗୁଆଳି ଓ ଜିଲ୍‌ଙ୍ଗ ଲାଙ୍ଗଲୋଟା ଲୁହାପଥର ଖଣିର ଉତ୍ପାଦନ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି।

ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ, ଏହି ଦୁଇଟି ଖଣିରୁ ଉତ୍ପାଦନ ଦ୍ବାରା ଲୁହାପଥର ବଜାରରେ ସ୍ଥିରତା ଆସିବା ସହ ଶିଳ୍ପର ଯୋଗାଣ ଚାହିଦା ମେଣ୍ଟାଇବାରେ ସହାୟକ ହେବ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡିଶା ସବୁବେଳେ ଖଣି ସଂପର୍କିତ କ୍ଷେତ୍ରରେ ଅନେକ ଆଗୁଆ ପଦକ୍ଷେପ ନେଇଛି।

ଏହି କ୍ଷେତ୍ରରେ ସ୍ବଚ୍ଛତା ପାଇଁ ଲୁହାପଥର ପରିବହନର ତଦାରଖ ନିମନ୍ତେ ୧ ୩ MS System ଆରମ୍ଭ କରାଯାଇଛି ଏବଂ ଗତ କିଛି ବର୍ଷ ମଧ୍ୟରେ ଅନେକ ବଡ ବଡ ଖଣିର ନିଲାମ ପ୍ରକ୍ରିୟା ସଫଳତାର ସହ କରାଯାଇଛି।

ଗତ ଦୁଇ ଦଶନ୍ଧି ମଧ୍ୟରେ ଓଡିଶାରେ ଖଣି ଓ ଧାତବ ଶିଳ୍ପ କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ହୋଇଛି ବୋଲି ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଇସ୍ପାତ, ଆଲୁମିନିୟମ ଓ ଅନ୍ୟ ଧାତବ ଶିଳ୍ପ କ୍ଷେତ୍ରରେ ବିଶ୍ବର ଏକ ଗୁରୁତ୍ବପୂର୍ଣ୍ଣ କେନ୍ଦ୍ର ହେବାର ଦକ୍ଷତା ଓଡିଶାର ରହିଛି।

ରାଜ୍ୟର ଶିଳ୍ପ ଅନୁକୂଳ ପଦକ୍ଷେପ ପୁଞ୍ଜି ବିନିଯୋଗକୁ ଉତ୍ସାହିତ କରିଛି। ଖଣି ଓ ଧାତବ ଶିଳ୍ପ କ୍ଷେତ୍ରରେ ରାଜ୍ୟର ବିପୁଳ ସମ୍ଭାବନାକୁ ବାସ୍ତବ ରୂପ ଦେବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ମିଳିତ ଭାବେ କାର୍ଯ୍ୟ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଆରୋପ କରିଥିଲେ।

ଖଣି କ୍ଷେତ୍ରରେ ସଂସ୍କାରକୁ ରାଜ୍ୟ ସରକାର ସବୁବେଳେ ସମର୍ଥନ ଦେଇଆସିଛନ୍ତି ଏବଂ ଏହାଦ୍ବାରା ଉଭୟ କେନ୍ଦ୍ର ଓ ରାଜ୍ୟ ଲାଭବାନ ହେବେ ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଥିଲେ।

ଏହି ଦୁଇଟି ଖଣିକୁ ଓମିସିକୁ ଆବଣ୍ଟନ କରିବା ଏବଂ ଅଳ୍ପ ସମୟ ମଧ୍ୟରେ ବିଭିନ୍ନ ମଞ୍ଜୁରୀ ପ୍ରଦାନ କରିଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କେନ୍ଦ୍ରମନ୍ତ୍ରୀ ଯୋଶୀଙ୍କୁ ଧନ୍ୟବାଦ ଜଣାଇଥିଲେ।

ସେହିପରି ଓମିସି ମଧ୍ୟ ଏହି ଖଣି ଦୁଇଟିକୁ କାର୍ଯ୍ୟକ୍ଷମ କରିବା ପାଇଁ ତ୍ବରିତ ପଦକ୍ଷେପ ନେଇଥିବାରୁ ମୁଖ୍ୟମନ୍ତ୍ରୀ ଓମିସିକୁ ସାଧୁବାଦ ଜଣାଇଥିଲେ।

ଏହି ଅବସରରେ ଉଦ୍‌ବୋଧନ ଦେଇ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଥିଲେ ଯେ ଓଡିଣା ଖଣିଜ ସଂପଦରେ ସମୃଦ୍ଧ। ତେଣୁ କେନ୍ଦ୍ର ଓ ରାଜ୍ୟ ପରସ୍ପର ମଧ୍ୟରେ ସହଯୋଗ ରଖି କାମ କଲେ ଉଭୟ ରାଜ୍ୟ ଓ ଦେଶର ଅର୍ଥନୀତି ସମୃଦ୍ଧ ହେବ।

ଏହି ଦୁଇଟି ନୂଆ ଖଣିରୁ ରାଜ୍ୟ ସରକାର ବାର୍ଷିକ ୪ ରୁ ୫ ହଜାର କୋଟି ଟଙ୍କା ରାଜସ୍ବ ଭାବରେ ପାଇବେ ଏବଂ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଶ୍ରୀ ଯୋଶୀ କରିଥିଲେ।

ଏହାସହିତ ଲୁହାପଥର ବଜାରରେ ଦେଖା ଦେଇଥିବା ଅଭାବ ଦୂର କରିବାରେ ମଧ୍ୟ ସହାୟକ ହେବ ବୋଲି ଶ୍ରୀ ଯୋଶୀ କହିଥିଲେ।

ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ଓ ରାଜ୍ୟର ସହଯୋଗ ଦେଶର ଅର୍ଥନୀତିରେ ସମୃଦ୍ଧିର ଏକ ନୂଆ ଯୁଗ ଆରମ୍ଭ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ କହିଥିଲେ।

ଉଦ୍‌ଘାଟନ ଉତ୍ସବରେ ଉପସ୍ଥିତ ରାଜ୍ୟ ଖଣି, ଇସ୍ପାତ ଓ ପୂତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଗୁଆଳି ଓ ଜିଲିଙ୍ଗ ଲାଙ୍ଗଲୋଟା ଖଣି ଦୁଇଟିରୁ ଉତ୍ପାଦନ ପାଇଁ କେନ୍ଦ୍ର ଓ ରାଜ୍ୟ ସମନ୍ବୟ ରଖି କାର୍ଯ୍ୟ କରିଥିବାରୁ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ।

ଏହି କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ଶ୍ରୀ ଅଶ୍ବିନୀ ବୈଷ୍ଣବ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିଶନର ପି.କେ. ଜେନା, ଅର୍ଥ ବିଭାଗ ପ୍ରମୁଖ ସଚିବ ଅଶୋକ କୁମାର ମୀନା ପ୍ରମୁଖ ଉପସ୍ଥିତ ଥିଲେ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

ଖଣି ନିଗମର ଅଧ୍ୟକ୍ଷ ସୁରେନ୍ଦ୍ର କୁମାର ସ୍ବାଗତ ଭାଷଣ ଦେଇଥିଲେ ଏବଂ ଖଣି ନିଗମର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବଲୱନ୍ତ ସିଂ ଧନ୍ୟବାଦ ଜଣାଇଥିଲେ।

ସୂଚନାଯୋଗ୍ୟ ଯେ କେନ୍ଦୁଝର ଜିଲ୍ଲାର ଏହି ଖଣି ଦୁଇଟିରୁ ବାର୍ଷିକ ୧୨ ବିଲିଅନ ଟନ୍‌ ଲୁହାପଥର ଉତ୍ପାଦନ ଲକ୍ଷ୍ୟ ରଖାଯାଇଛି।

ଜିଲ୍‌ଙ୍ଗ ଲାଙ୍ଗଲୋଟା ୭୯.୧୨ ମେଟ୍ରିକଟନ ଲୁହାପଥର ଥିବାବେଳେ ଏଥିରୁ ବାର୍ଷିକ ୬.୨୮ ମିଲିଅନ ଟନ୍‌ ଉତ୍ପାଦନ ପାଇଁ ପରିବେଶ ମଞ୍ଜୁରୀ ମିଳିଛି।

ସେହିପରି ୧୯୪.୯୪ ମେଟ୍ରିକଟନ ଲୁହାପଥର ଥିବା ଗୁଆଳି ଖଣିରୁ ବାର୍ଷିକ ୫.୭ ମିଲିଅନ ଟନ୍‌ ଲୁହାପଥର ଉତ୍ତୋଳନ ପାଇଁ ପରିବେଶ ମଞ୍ଜୁରୀ ମିଳିଛି । ଓଡିଶା ଖଣି ନିଗମ ଦ୍ରୁତ ଅଭିବୃଦ୍ଧି କରୁଥିବା ଦେଶର ଏକ ଖଣି କମ୍ପାନୀ ଅଟେ।

ଏହି ଦୁଇଟି ନୂଆ ଖଣି ପାଇବା ପରେ ଓମିସିର ବାର୍ଷିକ ଉତ୍ପାଦନ ୨୦ ବିଲିଅନ ଟନ୍‌ରେ ପହଞ୍ଚିବ ବୋଲି ଆଶା କରାଯାଉଛି।