Categories
ଆଞ୍ଚଳିକ

ବାଣପୁର ବ୍ଲକରେ ନୂତନ ବିଡ଼ିଓ ଭାବେ ଯୋଗଦେଲେ ଓଏଏସ ଶୀତଲ ଅଗ୍ରୱାଲ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ଓଏଏସ ଅଧିକାରିଣୀ ଶୀତଲ ଅଗ୍ରୱାଲ ନୂତନ ବିଡ଼ିଓ ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ଶ୍ରୀମତୀ ଅଗ୍ରୱାଲ ଏହା ପୁର୍ବରୁ ନୟାଗଡ଼ ଜିଲ୍ଲାରେ ଡେପୁଟି କଲେକ୍ଟର ଭାବେ କାର୍ଯ୍ୟରତ ଥିଲେ। କାର୍ଯ୍ୟରେ ଯୋଗଦେବା ପରେ ବାଣପୁର ବ୍ଲକର ସମସ୍ତ କର୍ମଚାରୀମାନେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ।

ତେବେ ବାଣପୁର ବ୍ଲକରେ ଜନ ଅଭିଯୋଗ ଏବଂ ୫-ଟି ବ୍ୟବସ୍ଥା ଶତ ପ୍ରତିଶତ ଲାଗୁ କରିବା ପ୍ରାଥମିକତା ରହିବ ବୋଲି ଆମ ପ୍ରତିନିଧିଙ୍କୁ ନୂତନ ବିଡ଼ିଓ ଶ୍ରୀମତୀ ଅଗ୍ରୱାଲ ସୂଚନା ଦେଇଛନ୍ତି। ଅନୁରୂପ ଭାବେ ବାଣପୁର ବ୍ଲକର ଦୁଇ ଆଦିବାସୀ ଅଧ୍ୟୁଷିତ ପଞ୍ଚାୟତ ଯଥା ନୀଳାଦ୍ରିପ୍ରସାଦ ଏବଂ ଦାମିଆ ବରବରା ପଞ୍ଚାୟତର ସର୍ବାଙ୍ଗୀନ ଉନ୍ନତିକୁ ଗୁରୁତ୍ୱ ଦେବେ ବୋଲି ଶ୍ରୀମତୀ ଅଗ୍ରୱାଲ କହିଛନ୍ତି।

ସୂଚନା ଥାଉକି ନିକଟରେ ବାଣପୁର ବ୍ଲକ ପୂର୍ବତନ ବିଡିଓ ବୁଲବୁଲ ବେହେରାଙ୍କ ବାଲିପାଟଣା ତହସିଲଦାର ଭାବେ ବଦଳି ହୋଇଥିଲା।

Categories
ଆଞ୍ଚଳିକ

ବାଣପୁର ବ୍ଲକରେ ଜନ ଶୁଣାଣୀ କଲେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ସଭାଗୃହରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଦିଗନ୍ତ ରାଉତରାୟଙ୍କ ସଭାପତିତ୍ବରେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ଏକ ସାମାଜିକ ସମୀକ୍ଷା ବୈଠକ ଓ ସାଧାରଣ ଜନଶୁଣାଣୀ ଅନୁଷ୍ଠିତ ହୋଇଯାଇଛି।

ଏହି ବୈଠକରେ ବିଗତ ବର୍ଷର ବିଭିନ୍ନ କାର୍ଯ୍ୟର ଅଗ୍ରଗତି ଓ ଶ୍ରମିକ ପ୍ରାପ୍ଯ ଉପରେ ଆଲୋଚନା କରାଯାଇ ବିଭିନ୍ନ କାର୍ଯ୍ୟରେ ହୋଇଥିବା ଅନିୟମିତତା ବାବଦକୁ ଜିଆରଏସ ଓ କନିଷ୍ଠ ଯନ୍ତ୍ରୀ ମାନଙ୍କ ଠାରୁ ମୋଟ ୧୫୧୦୦ ଟଙ୍କା ଆଦାୟ ପାଇଁ ଶ୍ରୀ ରାଉତରାୟ ନିଦ୍ଦେର୍ଶ ଦେଇଥିଲେ।

ସ୍ବଛ ଭାରତ ମିଶନର କାର୍ଯ୍ୟକ୍ରମ ମନ୍ଥରକୁ ନେଇ ଉପସ୍ଥିତ ସଭ୍ୟମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ଉକ୍ତ ଯୋଜନାରେ ବିଭିନ୍ନ ଗ୍ରାମ ପଞ୍ଚାୟତରେ ଅମୃତ ସରୋବର କାର୍ଯ୍ୟ ଶିଘ୍ର ଆରମ୍ଭ କରିବାକୁ ମୁଖ୍ୟ ଉନ୍ନୟନ ଅଧିକାରୀ ନିଦ୍ଦେର୍ଶ ଦେଇଥିଲେ। ବାଣପୁର ବ୍ଲକରେ ମୋଟ ୧୯୪୨୮ଟି ଶ୍ରମ କାର୍ଡରୁ ୧୦୮୮୫ ଟି କାର୍ଡ କାର୍ଯ୍ୟକ୍ଷମ ଥିବା ଜଣାଯାଇଛି। ଶ୍ରମିକମାନଙ୍କୁ ଶ୍ରମ ଦିବସ ଯୋଗାଇ ଦେବାରେ ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତ ସବୁଠାରୁ ଆଗୁଆ ଥିବାରୁ ସରପଞ୍ଚ ଓ ପଞ୍ଚାୟତ ଅଧିକାରୀଙ୍କୁ ପ୍ରଂଶଂସା କରାଯାଇଛି।

ସେହିପରି ଦେଓଗାଁ ଓ ଦାମିଆବରବରା ଗ୍ରାମ ପଞ୍ଚାୟତ ସବୁଠାରୁ ପଛୁଆ ଥିବା କାରଣରୁ କାର୍ଯ୍ୟର ଅଗ୍ରଗତି କରିବାକୁ ତାଗିଦ କରିଥିଲେ ଉନ୍ନୟନ ଅଧିକାରୀ। ଏହି ବୈଠକରେ ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ , ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପିନାଥ ମହାରଣା,ବିଡିଓ ବୁଲବୁଲ ବେହେରା ,ଜିଲ୍ଲା ସମୀକ୍ଷା ଅଧିକାରୀ ପ୍ରଦୋଷ ମହାରଣାଙ୍କ ସହ ସମସ୍ତ ସରପଞ୍ଚ, ସମିତି ସଭ୍ୟ, କନିଷ୍ଠ ଯନ୍ତ୍ରୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ଜିଆରଏସ ମାନେ ଉପସ୍ଥିତ ଥିଲେ ।

Categories
ଆଞ୍ଚଳିକ

ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର କଣ ପାଇଁ ରଘୁ ସାହୁଙ୍କୁ ସ୍ବାଗତ କରି ପାଛୋଟି ନେଲେ?

ସୀତାରାମ ଅଗ୍ରୱାଲ

ବାଣପୁର: କିଛିଦିନ ତଳେ ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହଙ୍କ ଏକ ଘଟଣାକୁ ନେଇ ଚିଲିକା ରାଜନୀତିରେ ବେଶ ଚର୍ଚ୍ଚା ଲାଗି ରହିଛି। ତାହା ହେଲା ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କୁ ସେ ନିଜ ବ୍ଲକ ଅଫିସଙ୍କୁ ସ୍ବାଗତ କରି ପାଛୋଟି ନେଉଛନ୍ତି। ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ସନ୍ଦେହ ପ୍ରକାଶ ପାଇବାରେ ଲାଗିଛି। ଖେଳ କଣ ବୋଲି ପ୍ରଶ୍ନ ଉଠିଛି।

ପ୍ରକୃତରେ ଦେଖିବାକୁ ଗଲେ କୌଣସି ପୂର୍ବତନ ବିଧାୟକଙ୍କୁ ସ୍ବାଗତ କରିବା କିଛି ଭୁଲ କଥା ନୁହେଁ। ହେଲେ ଗତବର୍ଷ ସେହି ବ୍ଲକ ଅଧ୍ୟକ୍ଷଙ୍କୁ ନେଇ ପଲଟନ ପଡିଆରେ ବିଜେଡି ବିଜେପି ମଧ୍ୟରେ ଯେଉଁ ମାଡିପିଟି ହୋଇଥିଲା ତାହା ସାରା ଓଡିଶାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏପରି ଘଟଣା ପରେ ବିଜେଡି ନେତା ରଘୁଙ୍କୁ ବିଜେପି ନେତା ସ୍ବାଗତ କରିବା ବାଣପୁରବାସୀ ଭିନ୍ନ ଦୃଷ୍ଟିରେ ଦେଖିଛନ୍ତି। ଅନ୍ୟପକ୍ଷରେ ରଘୁ ସାହୁ ବର୍ତ୍ତମାନ କୌଣସି ସରକାରୀ ପଦ ପଦବୀରେ ମଧ୍ୟ ନାହାଁନ୍ତି। ତେଣୁ ତାଙ୍କୁ ସରକାର ଭାବେ ସ୍ବାଗତ କରିବାର କିଛି କାରଣ ମଧ୍ୟ ନାହିଁ।

ଏ ସବୁ ଦୃଷ୍ଟିରୁ ରଘୁଙ୍କୁ କୌଣସି ପ୍ରକାରରେ ସ୍ବାଗତ କରିବାର ଆବଶ୍ୟକ ନ ଥିବା ବେଳେ ଅମରେନ୍ଦ୍ର କାହିଁକି ଏପରି କଲେ ବୋଲି ପ୍ରଶ୍ନ ସୃଷ୍ଟି ହୋଇଛି। ଏପରି ସ୍ବାଗତ କରିବା ପାଇଁ ବିଜେପିର ଉପର ସ୍ତରରୁ ନିଶ୍ଚିତ ନିର୍ଦ୍ଦେଶ ରହିଥିବ ବୋଲି ଅନୁମାନ କରାଯାଉଛି। କାରଣ ବିନା ଦଳିୟ ନିର୍ଦ୍ଦେଶରେ ଅମରେନ୍ଦ୍ର କେବେ ବି ବିଜେଡି ନେତାଙ୍କୁ ସ୍ବାଗତ କରି ପାରିବେ ନାହିଁ। ସେଥିପାଇଁ ବିଜେଡିରୁ ଏକଘରକିଆ ହୋଇଥିବା ରଘୁ ସାହୁ କଣ ବିଜେପିରେ ଯୋଗ ଦେବେ କି ବୋଲି ଚର୍ଚ୍ଚା ଚାଲିଛି।

Categories
ଆଜିର ଖବର ରାଜ୍ୟ ଖବର

ଗଞ୍ଜାମ ଜିଲ୍ଲାର ପଞ୍ଚାୟତ ପ୍ରତିନିଧିମାନଙ୍କର ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଗସ୍ତ

ସୀତାରାମ ଅଗ୍ରୱାଲ

ବାଣପୁର: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ତିନିଦିନ ଧରି ଚାଲିଥିବା ପଞ୍ଚାୟତ ସ୍ତରୀୟ ପ୍ରତିନିଧି ମାନଙ୍କର କର୍ମଶାଳା ଆଜି ସମାପ୍ତ ହୋଇଛି। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲାର ପଞ୍ଚାୟତ ପ୍ରତିନିଧିମାନଙ୍କର ଏକ ପ୍ରତିନିଧି ମଣ୍ଡଳୀ ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଗସ୍ତ କରିଥିଲେ। ଏଥିରେ ଗଞ୍ଜାମ ଜିଲ୍ଲାର ପୋଲସରା, ହିଞ୍ଜିଳି ଓ ପାତ୍ରପୁର ବ୍ଲକର ଅଧ୍ୟକ୍ଷ ଓ ଅଧ୍ୟକ୍ଷାଙ୍କ ସମେତ ସରପଞ୍ଚ ଓ ସମିତି ସଭ୍ୟ ସମୁଦାୟ ୨୨ ଜଣ ପ୍ରତିନିଧି ଏହି କର୍ମଶାଳାରେ ଅଂଶ ଗ୍ରହଣ କରିଥିଲେ।

ପ୍ରତିନିଧି ମଣ୍ଡଳୀ ବାଣପୁର ବ୍ଲକ ଅଧିନସ୍ଥ ଗମ୍ଭାରୀମୁଣ୍ଡା ପଂଚାୟତରେ ପହଂଚିବା ପରେ ସରପଞ୍ଚ ପ୍ରେମାଞ୍ଜଳି ପଟ୍ଟନାୟକ ଓ ସମିତି ସଭ୍ୟା ମିନାକ୍ଷୀ ପ୍ରଧାନ, ବିଡିଓ ବୁଲବୁଲ ବେହେରା, ଜିଲ୍ଲା ପରିଷଦ ଉପସଭାପତି ଗୋପୀନାଥ ମହାରଣାଙ୍କ ସମେତ ସମସ୍ତ ୱାର୍ଡ ସଭ୍ୟମାନେ ଉପସ୍ଥିତ ରହି ପ୍ରତିନିଧି ମଣ୍ଡଳୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ।

ପରେ ପ୍ରତିନିଧି ମଣ୍ଡଳୀ ବାଣପୁର ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକୁ ତଦାରଖ କରିଥିଲେ ଏବଂ ବୁଲି ଦେଖିଥିଲେ। ପ୍ରତିନିଧି ମଣ୍ଡଳୀ ପଙ୍କାଳ ସ୍ଥିତ ସଂଗ୍ରାମ ରଣାଙ୍କର ସମ୍ମିଳିତ କୃଷି ଉଦ୍ୟାନ ଯଥା ମତ୍ସ୍ୟ ଚାଷ, ଛତୁ ଚାଷ, କୁକୁଡ଼ା ଚାଷକୁ ବୁଲି ଦେଖିଥିଲେ।

ସେଠାରେ ମଧ୍ୟାହ୍ନ ଭୋଜନ କରି ଭେଟେଶ୍ୱର ଗ୍ରାମ ପଞ୍ଚାୟତ ଅଭିମୁଖେ ଯାଇଥିବା ବେଳେ ସେଠାରେ ସରପଞ୍ଚ ସାବିତ୍ରୀ ଭୋଳ, ସମିତି ସଭ୍ୟା ରଶ୍ମିତା ପ୍ରଧାନ ଓ ଗାଲୁଆ ସରପଞ୍ଚ ସୁରେଶ ବାରିକି ପ୍ରତିନିଧି ମଣ୍ଡଳୀଙ୍କୁ ସ୍ୱାଗତ କରିଥିଲେ। ପଞ୍ଚାୟତର ବାଂଳେଇ ଗ୍ରାମରେ ଥିବା ଆଦର୍ଶ ପୋଖରୀକୁ ବୁଲି ଦେଖିଥିଲେ।

ସମସ୍ତ କାର୍ଯ୍ୟକୁ ଦେଖିବା ପରେ ପ୍ରତିନିଧି ମଣ୍ଡଳୀ ଖୁସିବ୍ୟକ୍ତ କରି ମା’ ଭଗବତୀଙ୍କ ମନ୍ଦିର ପରିଦର୍ଶନ ପରେ ଗଞ୍ଜାମ ଫେରିଯାଇଥିଲେ। ଏ ସମସ୍ତ କାର୍ଯ୍ୟକ୍ରମକୁ ବାଣପୁର ବ୍ଲକ ତରଫରୁ ବିଡ଼ିଓ ବୁଲବୁଲ ବେହେରା, ଜେଇ ଭଞ୍ଜ କିଶୋର ପାଣି, ଜିପିଇଓ ମମତା ମଞ୍ଜରୀ ଚିନ୍ନାରା, ବିପିଏମ ଶିବ ନାରାୟଣ ଜାଲି, ପିଇଓ ନୃସିଂହ ଜେନା ପ୍ରମୁଖ ତ୍ୱରାନ୍ୱିତ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସାଧାରଣ ବିଦ୍ୟାଳୟରେ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ଦାବି

ବାଣପୁର: ଓଡ଼ିଶାର ପ୍ରତ୍ୟେକ ସାଧାରଣ ବିଦ୍ୟାଳୟରେ ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଧାରିତ ରାୟ ଅନୁସାରେ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ଦାବି କରାଯାଇଛି। ଆଜି ଓଡ଼ିଶା ସ୍ପେସିଆଲ୍ ଏଜୁକେଟର ଫେଡ଼େରସନ ଫର ଦିବ୍ୟାଙ୍ଗ (ଓଏସ୍ଇଏଫଡ଼ି) ଖୋର୍ଦ୍ଧା ଜିଲ୍ଲା ଶାଖା ପକ୍ଷରୁ ରାଜ୍ୟ ଆଇଟି ସେଲ୍ ସଂଯୋଜକ ବିଶ୍ବବିଜୟୀ ଦାଶ, ପିନାରାଣୀ ବିଷୋୟୀ, ଶ୍ରେୟାଶ୍ରୀ ଦାଶ, ରଶ୍ମିତା ସେଠୀ, ଝୁଲୁ ବିଷୋୟୀ, ଦିଲ୍ଲୀପ ବେହେରା ବାଣପୁର ବ୍ଲକ ବି.ଡ଼ି.ଓ ମହୋଦୟାଙ୍କ ଜରିଆରେ ମୁଖ୍ୟ ଶାସନ ସଚ଼ିବଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।

ଜଣେ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମଧ୍ୟ ଏକ ସାଧାରଣ ବିଦ୍ୟାର୍ଥୀ ପରି ସମାନ ଶିକ୍ଷା ପାଇବାର ଆବଶ୍ୟକତା ଏବଂ ଅଧିକାର ରହିଛି। ପ୍ରତ୍ୟେକ ସାଧାରଣ ବିଦ୍ୟାଳୟରେ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ଯଥାଶୀଘ୍ର ବାହାର କରିବା ପାଇଁ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ବିନମ୍ର ନିବେଦନ କରାଯିବା ସହ ଏହି ନିଯୁକ୍ତି ଦିଆଗଲେ ଦିବ୍ୟାଙ୍ଗ ବିଦ୍ୟାର୍ଥୀମାନେ ଉତ୍ତମ ଶିକ୍ଷା ପାଇ ସମାଜର ମୁଖ୍ୟସ୍ରୋତ ରେ ସାମିଲ୍ ହୋଇପାରିବେ। ଏହା ସହ ଓଡ଼ିଶାରେ ୬୦୦୦ ରୁ ଉର୍ଦ୍ଦ୍ବ ଆଶାୟୀ ସ୍ବତନ୍ତ୍ର ଶିକ୍ଷକ ଶିକ୍ଷୟତ୍ରୀ ଉପକୃତ ହୋଇପାରିବେ।

Categories
ଆଞ୍ଚଳିକ

ବାଣପୁର ବ୍ଲକରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରରେ ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଅତିରିକ୍ତ ଏସପି ସୁରେନ୍ଦ୍ର ନାଥ ମୁର୍ମୁ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ସାଫଲ୍ୟ ମଣ୍ଡିତ ପ୍ରଧାନ, ଉପ ଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠି, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଦିଗନ୍ତ ରାଉତରାୟ ଆଦି ଉପସ୍ଥିତ ଥିଲେ।

ଶିବିରରେ ସମୁଦାୟ ୭୯୨ ଗୋଟି ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ତନ୍ମଧ୍ୟରୁ ୭୮୭ ଗୋଟି ବ୍ୟକ୍ତିଗତ ଓ ୫ ଗୋଟି ଗୋଷ୍ଠୀ ଅଭିଯୋଗ ଅଟେ। ୪ ଗୋଟି ଅଭିଯୋଗର ତ୍ୱରିତ ସମାଧାନ କରାଯାଇଥିବା ବେଳେ ଦୁଇ ଜଣ ହିତାଧିକାରୀଙ୍କୁ ରେଡକ୍ରସ ପାଣ୍ଠିରୁ ୮ ହଜାର ୪ ଶହ ଟଙ୍କା ଜିଲ୍ଲାପାଳ ଅନୁମୋଦନ କରିଛନ୍ତି ଏବଂ ଜଣେ ଭିନ୍ନକ୍ଷମ ହିତାଧିକାରୀଙ୍କୁ ହୁଇଲଚେୟାର ପ୍ରଦାନ କରିଥିବା ଜଣାପଡିଛି।

ଉକ୍ତ ଶିବିରରେ ବାଣପୁର ବିଡ଼ିଓ ବୁଲବୁଲ ବେହେରା, ତହସିଲଦାର କୁଞ୍ଜ ବିହାରୀ ବଡ଼ଜେନା, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତିଙ୍କ ସମେତ ବିଭିନ୍ନ ସରକାରୀ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିବା ବେଳେ ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ ହିତାଧିକାରୀଙ୍କୁ ଅଭିଯୋଗ ଶୁଣାଣି ପ୍ରକ୍ରିୟାରେ ସହଯୋଗ କରିଥିଲେ। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ଏବଂ ବାଣପୁର ଆଇଆଇସି ଜୟପ୍ରକାଶ ପରିଡ଼ାଙ୍କ ତତ୍ୱାବଧାନରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା।

Categories
ଆଞ୍ଚଳିକ

ବାଣପୁର ବ୍ଲକ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟର ଶୁଭାରମ୍ଭ: ଦଶ ମାସ ପରେ ଅମରେନ୍ଦ୍ରଙ୍କ କାର୍ଯ୍ୟଗୃହ ପ୍ରବେଶ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ ଏବଂ ଉପାଧ୍ୟକ୍ଷା ରୀନା ଦେଇ ଆଜି ପୂଜାର୍ଚ୍ଚନା କରି ଅନୁଷ୍ଠାନିକ ଭାବେ ନିଜ ନିଜ କାର୍ଯ୍ୟାଳୟରେ ପ୍ରବେଶ କରିଛନ୍ତି।  ଏହି ପରିପ୍ରେକ୍ଷୀରେ ବାଣପୁର ବ୍ଲକ ପରିସରରେ ଏକ ଗୃହ ପ୍ରବେଶ ଉତ୍ସବର ଆୟୋଜନ କରାଯାଇଥିଲା। ଉତ୍ସବରେ ଅତିଥି ଭାବେ ପୂର୍ବତନ ଚିଲିକା ବିଧାୟକ ଡ଼ା ବିଭୁତି ଭୂଷଣ ହରିଚନ୍ଦନ ଏବଂ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ଵୀରାଜ ହରିଚନ୍ଦନ ଯୋଗ ଦେଇଥିଲେ।

ସେହିପରି ଭାବେ ଚିଲିକା ନିର୍ବାଚନମଣ୍ଡଳି ଅନ୍ତର୍ଗତ ଦୁଇ ବ୍ଲକ ଓ ଦୁଇ ଏନଏସି ର ସମସ୍ତ ଭାଜପା ସମର୍ଥିତ ଏବଂ ଭାଜପା ଟିକେଟରେ ନିର୍ବାଚିତ ଜନପ୍ରତିନିଧି ଏବଂ ନିର୍ବାଚନ ଲଢ଼ିଥିବା ପ୍ରାର୍ଥୀଙ୍କ ସମେତ ଶତାଧିକ ସମର୍ଥକମାନେ ଉକ୍ତ ଉତ୍ସବରେ ଯୋଗଦେଇଥିଲେ।  ପୂର୍ବାହ୍ନରେ ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷାଙ୍କ ନୂତନ କାର୍ଯ୍ୟାଳୟ ପ୍ରକୋଷ୍ଠରେ ପୂଜକଙ୍କ ଦ୍ୱାରା ହୋମ ଯଜ୍ଞ କରାଯିବା ସହ ବିଭିନ୍ନ ପୂଜାର୍ଚ୍ଚନା କରାଯାଇଥିଲା।

ଏହି ପରିପ୍ରେକ୍ଷୀରେ ଅଧ୍ୟକ୍ଷ ଶ୍ରୀ ରଣସିଂହଙ୍କୁ ଶତାଧିକ ଶୁଭେଚ୍ଛୁ ଓ ସମର୍ଥକ ମାନେ ଭେଟି ପୁଷ୍ପଗୁଚ୍ଛ ଦେଇ ଶୁଭକାମନା ଜଣାଇଥିଲେ। ବରିଷ୍ଠ ଭାଜପା ସଂଗଠକ ଜିତେନ୍ଦ୍ର ଭୋଳ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ସୂଚନା ଥାଉକି ନବୀକରଣ କାର୍ଯ୍ୟ ଜାରି ରହିଥିବାରୁ ବାଣପୁର ବ୍ଲକ ନୂତନ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷା ନିଜ ନିଜ କାର୍ଯ୍ୟଗୃହକୁ ପ୍ରବେଶ କରିପାରିନଥିଲେ ଏବଂ ଅସ୍ଥାୟୀ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ବହୁତ ଦିନ ପରେ ମୁହଁ ଖୋଲିଲେ ଚିଲିକା ବିଧାୟକ: ପୂର୍ବତନ ବିଧାୟକଙ୍କୁ କଲେ କଡା ସମାଲୋଚନା

ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ପରିସରରେ ଲୋକଙ୍କ ଉପରକୁ ଗାଡି ଚଢାଇବା ମାମଲାରେ ବିଜୁ ଜନତା ଦଳରୁ ନିଲମ୍ବିତ ହୋଇଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଏକ ବିସ୍ପୋରକ ବୟାନ ଦେଇଛନ୍ତି। ବହୁତ ଦିନ ପରେ ସେ ଆଜି ମୁହଁ ଖୋଲିଛନ୍ତି। ମକର ସଂକ୍ରାନ୍ତି ଅବସରରେ ଅଟ୍ରି ହଟକେଶ୍ୱରଙ୍କ ପୀଠକୁ ବାବାଙ୍କ ଦର୍ଶନ କରିବାକୁ ଆସିବା ବେଳେ ସେ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି।

ପ୍ରଶାନ୍ତ ଜଗଦ୍ଦେବ କହିଛନ୍ତି ଯେ, ମୁଁ ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ଷଡଯନ୍ତ୍ର ଶିକାର ହୋଇଛି। ଯାହା ଯୋଗୁଁ ମୁଁ ଦଳରୁ ନିଲମ୍ବିତ ହୋଇଛି। ହେଲେ ମୋ ଉପରୁ ନିଲମ୍ବନ ଉଠିବ। ମତେ ବିଜେଡି ରୁ ପୁଣି ଟିକେଟ ମିଳିବ ଓ ମୁଁ ନିର୍ବାଚନ ଜିତିବି।”

ସେ ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ବିଧାୟକ ହେବାପାଇ ଜାଣିଶୁଣି ମୋ ବିରୁଦ୍ଧରେ ରଘୁନାଥ ସାହୁ ଷଡଯନ୍ତ୍ର କରିଥିଲେ। ରଘୁ ରାଜନୀତିକୁ ଆସିବା ପୂର୍ବରୁ ଜଣେ ଷ୍ଟୋରେଜ ଏଜେଣ୍ଟ ଥିଲେ ଏବଂ ଚାଉଳ ଚୋରି କରି ବିକୁଥିଲେ। ସେହିପରି ପାମ ଅଏଲ ଯୋଗାଣ କରୁଥିବା ବେଳେ ତେଲ ଚୋରି କରୁଥିବା ବିଧାୟକ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି। ରଘୁ କାଠ ଚୋରି ଓ ଚୋରା ମଦ କାରବାରରେ ସମ୍ପୃକ୍ତି ଥିଲେ ବୋଲି ପ୍ରଶାନ୍ତ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ରଘୁ ନାଥ ସାହୁ ଭୋକ ବିକଳରେ ତାଟିଆ କାମୁଡୁଛନ୍ତି। ତେଣୁ ପାଗଳର ପ୍ରଳାପ ପରି ସେ ବିଧାୟକ, ସାଂସଦ, ଜିଲ୍ଲା ସଭାପତିଙ୍କୁ ଅଯୋଗ୍ୟ ବୋଲି କହୁଛନ୍ତି। ସେ ସୈତାନ ହୋଇ ତାଙ୍କ ଗୋଦମରେ ବେଦ ପାଠ କରୁଛନ୍ତି। ସେ କଂଗ୍ରେସ ଦଳରୁ ଆସି ଆମ ଦଳରେ ମିଶିଥିବା ବେଳେ ନିଜକୁ ବିଜୁ ଜନତା ଦଳର ବରିଷ୍ଠ ନେତା ବୋଲି କହୁଛନ୍ତି।

ଏହି ସମୟରେ ଚିଲିକା ବିଧାୟକ କହିଛନ୍ତି ଯେ, ଯେତେବେଳେ ମୁଁ ଚିଲିକା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଲଢିବା ପାଇଁ ଯାଇଥିଲି, ସେତେବେଳେ ପୂର୍ବତନ ବିଧାୟକ ହିସାବରେ ରଘୁନାଥ ସାହୁଙ୍କର ବହୁତ ସ୍ଵପ୍ନ ଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନୟକଙ୍କ ସମ୍ମୁଖରେ ଚିଲିକାରେ ବହୁତ କିଛି କାମ କରିବାର ବାକି ଅଛି ବୋଲି ସେ କହିଥିଲେ। ତେଣୁ ମୁଁ ତାଙ୍କୁ ରାମଚନ୍ଦ୍ର ହୋଇ ପାଖରେ ରହିବାକୁ କହିଥିଲି ଏବଂ ମୁଁ ହନୁମାନ ହୋଇ ବିକାଶର ସେତୁ ବାନ୍ଧିବା ପାଇଁ ଚେଷ୍ଟା କରିବି ବୋଲି କହିଥିଲି। ହେଲେ ସେ ରାମ ପରିବର୍ତ୍ତେ ରାବଣ ହୋଇଗଲେ, ଆଉ ମୁଁ ହନୁମାନ ହୋଇ ତାଙ୍କ ଲଙ୍କା ପୁରୀକୁ ଧ୍ଵଂସ କରିଦେଲି। ବର୍ତ୍ତମାନ ତାଙ୍କ ସଂଗଠନ ମୋ ହାତରେ ଏବଂ ତାଙ୍କର ସଂଗଠନ ଭାଙ୍ଗିଯାଇଛି।

ପ୍ରଶାନ୍ତ କହିଛନ୍ତି ଯେ, ଯେଉଁଭଳି ଭାବେ ଷଡଯନ୍ତ୍ର କରି ମୋ ଉପରେ ଆକ୍ରମଣ କରାଯାଇଛି ଏବଂ ମୋ ଦେହରୁ ୨ ଲିଟର ରକ୍ତ ଯାଇଛି, ପାଇକ ପୁଅର ରକ୍ତ କେବେ ବ୍ୟର୍ଥ ଯିବ ନାହିଁ।

Categories
ଆଜିର ଖବର ରାଜ୍ୟ ଖବର

ରଘୁନାଥ ସାହୁଙ୍କ ବାଣପୁର ବ୍ଲକ ‘ବିଜେଡି ମହିଳା ସମାବେଶ’: ଏଥର ଏହିମାନଙ୍କୁ କଲେ ଟାର୍ଗେଟ

ସୀତାରାମ ଅଗ୍ରୱାଲ

ଚିଲିକା: ଚିଲିକା ବିଜେଡିରେ ଗୋଷ୍ଠୀ କନ୍ଦଳ ଲାଗି ରହିଥିବା ବେଳେ ଆଜି ପୁଣିଥରେ ପୂର୍ବତନ ବିଧାୟକ ରଘୁନାଥ ସାହୁ ଏକ ମହିଳା କର୍ମୀ ସମ୍ମିଳନୀ କରିଛନ୍ତି। ଯେଉଁଥିରେ ହଜାର ହଜାର ମହିଳା କର୍ମୀ ଯୋଗ ଦେଇଛନ୍ତି।

ବିଗତ ୧୦ ଦିନ ମଧ୍ୟରେ ଚିଲିକା ନିର୍ବାଚନମଣ୍ଡଳୀରେ ତିନି ଗୋଟି କର୍ମୀ ସମ୍ମିଳନୀ କରି ବିରୋଧୀ ଗୋଷ୍ଠୀଙ୍କୁ ରଘୁନାଥ କଡା ଜବାବ ଦେଉଛନ୍ତି। ଗତ ମାସ ୨୩ ତାରିଖରେ ବାଣପୁର ବ୍ଲକ ବିଜେଡି ପୁରୁଷ କର୍ମୀ ସମ୍ମିଳନୀ, ୩୦ ତାରିଖରେ ଚିଲିକା ବ୍ଲକ ବିଜେଡି ପୁରୁଷ କର୍ମୀ ସମ୍ମିଳନୀ ଏବଂ ଆଜି ପୁଣି ବାଣପୁର ବ୍ଲକ ବିଜେଡି ବିଶାଳ ମହିଳା ସମାବେଶର ଆୟୋଜନ ରାମପୁର ରୋଡସ୍ଥିତ ଦଳୀୟ କାର୍ଯ୍ୟାଳୟରେ ରଘୁନାଥ ସାହୁ କରିଛନ୍ତି।

ଆଜିର ମହିଳା ସମାବେଶରେ ୨ ହଜାରରୁ ଉର୍ଦ୍ଧ୍ଵ ମହିଳା ଯୋଗଦେଇଥିବାର ଦେଖିବାକୁ ମିଳିଛି। ଲଗାତାର ପୃଥକ ପୃଥକ ବ୍ଲକ ୱାରୀ ପୁରୁଷ ଓ ମହିଳା କର୍ମୀ ସମ୍ମିଳନୀ କରି ବିରୋଧିଙ୍କୁ ଭାବିବା ପାଇଁ ରଘୁନାଥ ସାହୁ ବାଧ୍ୟ କରିଦେଇଛନ୍ତି।

ତେବେ ଚିଲିକା ବିଜେଡିର ଗୋଷ୍ଠୀ କନ୍ଦଳ ଦିନକୁ ଦିନ ଉଗ୍ର ହେଉଥିବା ବେଳେ ବିଜେଡ଼ି କର୍ମୀମାନଙ୍କୁ ନିଜ ଆଡକୁ ଟାଣିବା ପାଇଁ ରଘୁନାଥ ସାହୁ ପୁରା ଦମ ଲଗାଇଦେଇଛନ୍ତି।  ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ସଭାପତିତ୍ୱରେ ପୂର୍ବତନ ବାଣପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ରଞ୍ଜିତା ସେଠି, ସଙ୍ଗଠିକା ଲିଲି ବାଳା ସୁବୁଦ୍ଧି, ପ୍ରମୋଦ ବରାଳ, ବୈଜୟନ୍ତି ଖୁଣ୍ଟିଆ, ସସ୍ମିତା ପରିଡା, ଦେବେନ୍ଦ୍ର ସମାନ୍ତସିଂହର, ରମେଶ ଚନ୍ଦ୍ର ମହାପାତ୍ର ଆଦି ପୁରୁଖା କର୍ମୀମାନେ ଉପସ୍ଥିତ ଥିଲେ। ତେବେ ବାଣପୁର ବ୍ଲକର ମିଶନ ଶକ୍ତି ଦାୟିତ୍ୱରେ ଥିବା ଅଧିକାରୀମାନେ ଦୁର୍ନୀତିଗ୍ରସ୍ତ ଏବଂ ଏ ନେଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଲିଖିତ ଭାବେ କାର୍ଯ୍ୟାନୁଷ୍ଠାନ ପାଇଁ ରଘୁନାଥ ସାହୁ ଦାବି କରିଥିବା ମଧ୍ୟ ସେ କହିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, କିଛି ଦିନ ପୂର୍ବରୁ ମଧ୍ୟ ଜିଲ୍ଲା ପରିଷଦ ଉପସଭାପତି ଗୋପୀନାଥ ମହାରଣାଙ୍କ ନେତୃତ୍ଵରେ ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ବିରୋଧରେ ଏକ ଶୋଭାଯାତ୍ରା କରଯାଇଥିଲା। ଯେଉଁଥିରେ ପୂର୍ବତନ ବିଧାୟକ ବିଜେପି ସହିତ ମିଶି ଦଳକୁ କ୍ଷତି ପହଞ୍ଚାଉଛନ୍ତି ବୋଲି ଅଭିଯୋଗ ହୋଇଥିଲା। ତାଙ୍କୁ ଦଳରୁ ବହିଷ୍କାର କରାଯାଉ ବୋଲି ଏହି ଶୋଭାଯାତ୍ରାରେ ଦାବୀ ହୋଇଥିଲା। ଏବଂ ବାଲୁଗାଁରେ ତାଙ୍କର କୁଶପୁତ୍ତଳିକା ଦାହ ମଧ୍ୟ କରାଯାଇଥିଲା।

Categories
ଆଞ୍ଚଳିକ

ବାଣପୁର ବ୍ଲକରେ ୧୮୩୮ ପରୀକ୍ଷାର୍ଥୀ ଦେଲେ ଦଶମ ଶ୍ରେଣୀ ସମ୍ମେଟିଭ-୧ ପରୀକ୍ଷା

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ଚଳିତ ବର୍ଷ ଦଶମ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କର ବୁଧବାର ଠାରୁ ସମ୍ମେଟିଭ-୧ପରୀକ୍ଷା ଆରମ୍ଭ ହୋଇଛି। ଉକ୍ତ ପରୀକ୍ଷା ସରକାର ନୂତନ ଭାବେ ଚଳିତ ବର୍ଷଠାରୁ ଆରମ୍ଭ କରିଛନ୍ତି। ଯାହାକି ପିଲା ମାନକର ଦକ୍ଷତା ସମ୍ପର୍କରେ ସରକାରଙ୍କ ପାଖରେ ତଥ୍ୟ ରହିପାରିବ।

କରୋନା ଭଳି ମହାମାରୀ ସମୟରେ ପରୀକ୍ଷା ନ ହୋଇପାରିବାରୁ ପିଲାମାନଙ୍କର ଦକ୍ଷତା ମାପିବା ଶିକ୍ଷା ବିଭାଗ ଦ୍ଵାରା କଷ୍ଟକର ହୋଇପଡିଥିଲା। ତେଣୁ ଉକ୍ତ ପରୀକ୍ଷା ମାଧ୍ୟମରେ ପ୍ରତେକ ଛାତ୍ରଛାତ୍ରୀ ଙ୍କର ଦକ୍ଷତା ସରକାରଙ୍କ ପାଖରେ ମହଜୁଦ ରହିବ ବୋଲି ବିଇଓ କହିଛନ୍ତି।

ଏହି ପରିପ୍ରେକ୍ଷୀରେ ବାଣପୁର ବ୍ଲକରେ ସମୁଦାୟ ୮ଟି ସେଣ୍ଟର କରାଯିବା ସହ ବ୍ଲକର ସମୁଦାୟ ୧୮୫୯ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୮୩୮ଜଣ ପରୀକ୍ଷାରେ ଅଂଶ ଗ୍ରହଣ କରିଥିବା ବେଳେ ୨୧ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ ଅଂଶ ଗ୍ରହଣ କରିନଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କାର୍ଯ୍ୟବନ୍ଦ ଆନ୍ଦୋଳନରେ ଯୋଗଦେଲେ ବାଣପୁର ବ୍ଲକର ଶତାଧିକ ଅଙ୍ଗନବାଡି କର୍ମୀ

ସୀତାରାମ ଅଗ୍ରୱାଲ

ବାଣପୁର: ଭାରତୀୟ ମଜଦୁର ସଂଘ ଦ୍ୱାରା ଅନୁବନ୍ଧିତ ଅଲ ଓଡିଶା ଅଙ୍ଗନୱାଡି ଲେଡିଜ ୱାର୍କର୍ସ ଆସୋସିଏସନ ଡାକରାରେ ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଅଙ୍ଗନୱାଡି କର୍ମୀ ଓ ସହକର୍ମୀମାନେ ଆଠ ଦଫା ଦାବି ନେଇ ଧାରଣାରେ ବସିଥିବା ଦେଖିବାକୁ ମିଳିଛି। ଅଙ୍ଗନବାଡି କର୍ମୀ ଦୀର୍ଘ ୪୭ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ସରକାରଙ୍କ ସମସ୍ତ କାର୍ଯ୍ୟ ସୂଚାରୁ ରୂପେ ସମ୍ପାଦନ କରିଆସୁଛନ୍ତି। ବିଭିନ୍ନ ସମସ୍ୟାକୁ ନେଇ ୨୦୨୧ ମସିହା ଡିସେମ୍ବର ମାସ ୬ ତାରିଖରେ ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ମଧ୍ୟ କରିଥିଲେ। ସେତେବେଳେ ସରକାର ଦାବି ପୂରଣ ପାଇଁ ସମୟ ନେଇଥିବା ବେଳେ ଅଦ୍ୟାବଧି କୌଣସି ଦାବି ପୂରଣ ପୁରାଣ ହୋଇନାହିଁ।

ଏହି ପରିପ୍ରେକ୍ଷୀରେ ସଂଘ ପକ୍ଷରୁ ଆଜିଠାରୁ ବିଧାନସଭା ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଆରମ୍ଭ ହୋଇଥିବା ବେଳେ ରାଜ୍ୟର ସମସ୍ତ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଅଙ୍ଗନବାଡି କର୍ମୀ ଓ ସହକର୍ମୀମାନେ କାର୍ଯ୍ୟ ବନ୍ଦ ଆନ୍ଦୋଳନରେ ଯୋଗ ଦେବା ସହ ବ୍ଲକ ସମ୍ମୁଖରେ ଅଫିସ ସମୟ ପର୍ଯ୍ୟନ୍ତ ପ୍ରତିଦିନ ଧରଣା ଦେବେ। ଦାବିଗୁଡିକ ପୂରଣ ହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଅଙ୍ଗନବାଡି କର୍ମୀ ମାନେ କହିଛନ୍ତି।

Categories
ଆଞ୍ଚଳିକ

ବାଣପୁର ବ୍ଲକରେ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ

ବାଣପୁର: ସାରା ରାଜ୍ୟରେ ମୁଖ୍ୟମନ୍ତ୍ରୀ କଳାକାରମାନଙ୍କୁ ପ୍ରାଧାନ୍ୟ ଦେଇ ସେମାନଙ୍କ ସହାୟତା ପାଇଁ କଳାକାର ଭତ୍ତା ର ବ୍ୟବସ୍ତା କରିଥିବା ବେଳେ ଆଜି ପୂର୍ବାହ୍ନରୁ ସନ୍ଧ୍ୟା ପର୍ଯ୍ୟନ୍ତ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ପରିସରରେ ବ୍ଲକର ୧୭ ଗୋଟି ପଞ୍ଚାୟତ ଓ ଏନଏସିର ମିଳିତ କଳାକାର ଚୟନ ପ୍ରକ୍ରିୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବାଣପୁର ଏନଏସିର ୬୩ଜଣ କଳାକାରଙ୍କ ସହ ସମୁଦାୟ ୪୪୭ଜଣ କଳାକାର ଉର୍ଣ୍ଣତମାନର କଳା ପ୍ରଦର୍ଶନ କରି ବିଚାରପତିଙ୍କ ସମ୍ମୁଖରେ ନିଜ ନିଜର ପ୍ରତିଭା ଉପସ୍ଥାପନ କରିଥିଲେ। ଅନୁଷ୍ଠିତ କାର୍ଯ୍ୟକ୍ରମରେ ବାଣପୁର ଅତିରିକ୍ତ ବ୍ଲକ ଅଧିକାରୀ ସୀମାଦ୍ରୀ ପାତ୍ର,ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ , ବାଣପୁର ଏନ ଏ ସି ଅଧକ୍ଷ ମିଟୁ ନାୟକ ଅତିଥି ଭାବେ ଯୋଗ ଦେଇଥିଲେ।

ଚୟନ ପ୍ରକ୍ରିୟାର ବିଚାରପତି ଭାବେ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ଜିଲ୍ଲା ଉପସଭାପତି ରାମଚନ୍ଦ୍ର କର, ସଭ୍ୟ ଦିଲୀପ କୁମାର ପଣ୍ଡା, ଭିକାରୀ ଚରଣ ପ୍ରଧାନ ଓ ରମେଶ ପାତ୍ର ନିୟୋଜିତ ଥିଲେ। ମାତ୍ର ଯୋଗ୍ୟ ବିବେଚିତ ପାର୍ଥିଙ୍କ ନାମ ଖୋର୍ଦ୍ଧାଠାରେ ଘୋଷଣା କରାଯିବ ବୋଲି ବିଏସଏସଓ ଗିରିବଳା ନାୟକ ପ୍ରକାଶ କରିଛନ୍ତି।

ଖୋର୍ଦ୍ଧା ଜିଲ୍ଲାରୁ ଖାଲିଥିବା ମାତ୍ର ୪୨ ଜଣ କଳାକାରଙ୍କୁ ଭତ୍ତା ପ୍ରଦାନ କରାଯିବାକୁ ଥିବାବେଳେ ବହୁ ଆଶା ଆକାଂକ୍ଷା ନେଇ ପ୍ରାୟ ୧୦୦ବର୍ଷରୁ ଅଧିକ ବୟସର କଳାକାର ନିଜର କଳା ପ୍ରଦର୍ଶନ କରିଥିବାର ଜଣାଯାଇଛି। ବିଏସଏସଓ ଗିରିବାଳା ନାୟକ,ବ୍ଲକ ସହ ସହାୟକ ଅମୂଲ୍ୟ କୁମାର ସୁବୁଦ୍ଧିଙ୍କ ପ୍ରତ୍ୟେକ୍ଷ ତତ୍ୱବାଧାନରେ ପ୍ରମୁଖ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯାଇଥିଲା।

Categories
ଆଞ୍ଚଳିକ

ବାଣପୁର ବ୍ଲକରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ପଞ୍ଚାୟତ ସମିତି ଆନୁକୂଲ୍ୟରେ ଆଜି ବ୍ଲକ ପରିସରରେ ଜିଲ୍ଲା ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ଵାରା ଏକ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ସମାଜରେ ଏପରି ଅନେକ ଭିନ୍ନକ୍ଷମ ଅଛନ୍ତି, ଯେଉଁମାନେ ସରକାରୀ ସୁଯୋଗ ରୁ ବଞ୍ଚିତ ହେଉଛନ୍ତି। ଆଗକୁ ସେମାନେ କିପରି ସରକାରୀ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ବିଭାଗ ତରଫରୁ ଦିଆଯାଉଥିବା ସୁବିଧା ସୁଯୋଗର ଲାଭ ପାଇପାରିବେ ଏବଂ ନିଜକୁ କିପରି ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିପାରିବେ ସେହି ଲକ୍ଷ ନେଇ ଉକ୍ତ ଶିବିର ଅନୁଷ୍ଠିତ ହୋଇଥିଲା।

ବାଣପୁର ବ୍ଲକ ଏବଂ ଏନଏସିର ସମୁଦାୟ ୫୩୦ ଜଣ ହିତାଧିକାରୀ ପଞ୍ଜିକରଣ କରିଥିବା ଜଣାଯାଇଛି। ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ ଏବଂ ବାଣପୁର ଏନଏସି ଅଧ୍ୟକ୍ଷ ମିଟୁ ନାୟକଙ୍କ ଦ୍ୱାରା ଶିବିରକୁ ଉଦଘାଟନ କରାଯାଇଥିଲା।

ବିଭିନ୍ନ ବର୍ଗର ହିତାଧିକାରୀ ମାନଙ୍କ ପାଇଁ ଯଥା ଅସ୍ଥିଶଲ୍ୟ, ମାନସିକ ଅନଗ୍ରସର, ଶ୍ରବଣ ବାଧିତ, ଦୃଷ୍ଟି ବାଧିତ ହିତାଧିକାରୀମାନଙ୍କ ନିମନ୍ତେ ଖୋର୍ଦ୍ଧାରୁ ଆସିଥିବା ବିଭାଗୀୟ ଡାକ୍ତରମାନଙ୍କ ମାଧ୍ୟମରେ ପରୀକ୍ଷଣ କରାଯାଇଥିଲା। ଯାହାଫଳରେ ବ୍ଲକ ପରିସରରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା।

ବିଧାୟକଙ୍କ ପ୍ରତିନିଧି ମନୋଜ କୁମାର ପ୍ରଧାନ ଓ ପ୍ରତ୍ୟେକ ପଞ୍ଚାୟତର ସରପଞ୍ଚ ମାନେ ହିତାଧିକାରୀ ମାନଙ୍କୁ ସୁବିଧାରେ ପରୀକ୍ଷଣ କରାଇବାରେ ସହଯୋଗ କରିଥିଲେ। ସମସ୍ତ କାର୍ଯ୍ୟକୁ ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକରିଣୀ ଗିରିବାଳା ନାୟକ ଓ ସଂଯୋଜକ ଅମୂଲ୍ୟ କୁମାର ସୁବୁଦ୍ଧି ତଦାରଖ କରିଥିଲେ।

ସମୁଦାୟ ୩୨୭ଜଣ ହହିତାଧିକାରୀଙ୍କୁ ବ୍ଲକ ଅଧ୍ୟକ୍ଷ ଶ୍ରୀ ରଣସିଂହ ସେମାନଙ୍କର ପ୍ରମାଣପତ୍ର ବଣ୍ଟନ କରିଥିବା ଅତିରିକ୍ତ ବ୍ଲକ ଅଧିକାରୀ ସୀମାଦ୍ରୀ ପାତ୍ର କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଓସିଏସ ପରୀକ୍ଷା-୨୦୨୦: ଚିଲିକାରେ ଚମକିଲେ ଦୁଇ ପ୍ରାର୍ଥୀ, ଉଦାହରଣ ପାଲଟିଲେ ଦୃଷ୍ଟିବାଧିତ

ସୀତାରାମ ଅଗ୍ରୱାଲ

ଚିଲିକା: ଓସିଏସ ପାଇଲେ ଦୃଷ୍ଟିବାଧିତ। ନିଜ ଅକ୍ଲାନ୍ତ ପରିଶ୍ରମ ଫଳରେ ଉକ୍ତ ସଫଳତାର ହକଦାର ହୋଇଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅଲାଇଡିହ ଗ୍ରାମର ପ୍ରସନ୍ନ କୁମାର ପଣ୍ଡା।  ପିତା ପ୍ରକାଶ ଚନ୍ଦ୍ର ପଣ୍ଡା ଏବଂ ମାତା ମିନତୀ ପଣ୍ଡାଙ୍କ ସୁପୁତ୍ର ଅଟନ୍ତି ପ୍ରସନ୍ନ।

ପ୍ରସନ୍ନ ପିଲାଟି ବେଳୁ ଦୃଷ୍ଟିବାଧିତ ଥିବା ବେଳେ ନିଜର ପରିଶ୍ରମ ଏବଂ ଦୃଢ଼ ଇଚ୍ଛାଶକ୍ତି ଫଳରେ ଓସିଏସ-୨୦୨୦ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସାରା ଓଡ଼ିଶାରେ ୨୬୬ ତମ ସ୍ଥାନ ହାସଲ କରିଛନ୍ତି।

ପ୍ରସନ୍ନ ବିଜେବି ସ୍ୱାୟଂଶାସିତ ମହାବିଦ୍ୟାଳୟରୁ ସ୍ନାତକ ଏବଂ ଜେଏନୟୁ ବିଶ୍ୱବିଦ୍ୟାଳୟ ଦିଲ୍ଲୀରୁ ସ୍ନାତକୋତର କରିଥିବା ବେଳେ ବର୍ତ୍ତମାନ ଜେଏନୟୁ ରେ ପିଏଚଡ଼ି କରୁଛନ୍ତି।  ତେବେ ନିକଟରେ ୧୫ ଦିନ ତଳେ ସେ ଏସଏସବି ରେ ଉତ୍ତୀର୍ଣ୍ଣ ହୋଇ ବ୍ରହ୍ମପୁର ସ୍ଥିତ ମହାମାୟୀ ମହିଳା ମହାବିଦ୍ୟାଳୟରେ ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକ ଭାବେ ଯୋଗଦେଇଛନ୍ତି।

ଦୁଇ ଭାଇ ଜଣେ ଭଉଣୀଙ୍କୁ ନେଇ ପ୍ରସନ୍ନଙ୍କ ପରିବାର। ପିଲାଟି ଦିନରୁ ବହୁ ପରିଶ୍ରମୀ ଥିଲେ ପ୍ରସନ୍ନ। ଦୃଷ୍ଟିଶକ୍ତି ନଥିଲେ ଯେ, କିଛି କରି ହେବନାହିଁ ଏହାକୁ ଭୁଲ ପ୍ରମାଣିତ କରିପାରିଛନ୍ତି ପ୍ରସନ୍ନ।

ତେବେ ଉକ୍ତ ସଫଳତାର ଶ୍ରେୟ ନିଜ ପରିବାରକୁ ଦେଇଛନ୍ତି ପ୍ରସନ୍ନ। ତତସହିତ ସାଧାରଣ ବ୍ୟକ୍ତି କିପରି ସରକାରଙ୍କ ଦ୍ୱାରା ପ୍ରଦତ୍ତ ସମସ୍ତ ଲୋକାଭିମୁଖୀ ଯୋଜନାର ସୁବିଧା ସୁଯୋଗ ପାଇପାରିବେ ଏବଂ ଜନସାଧାରଣଙ୍କ ଅଭିଯୋଗଗୁଡିକୁ କିପରି ସମାଧାନ କରାଯାଇପାରିବ ସେ ଦିଗରେ ଆଗକୁ କାର୍ଯ୍ୟ କରିବେ ବୋଲି ପ୍ରସନ୍ନ କହିଛନ୍ତି।

ସୂଚନା ଥାଉକି ୨୦୨୦ ଓସିଏସ ପରୀକ୍ଷାରେ ସାରା ଓଡିଶାରୁ ଦୁଇ ଜଣ ସମ୍ପୂର୍ଣ୍ଣ ଦୃଷ୍ଟିବାଧିତ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଥିବା ବେଳେ ତନ୍ମଧରୁ ବାଣପୁରର ପ୍ରସନ୍ନ ଅନ୍ୟତମ।

ସେହିପରି ଭାବେ ଚିଲିକା ବ୍ଲକ ବଡ଼ ନଇରୀ ଗ୍ରାମର ବିଶ୍ୱଜିତ୍ ଦାସ ମଧ୍ୟ ପ୍ରଥମ ପ୍ରୟାସରେ ଓସିଏସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ସେ ସାରା ଓଡ଼ିଶାରେ ୧୫୧ ତମ ସ୍ଥାନ ହାସଲ କରିଛନ୍ତି। ତାଙ୍କ ପିତା ସ୍ବର୍ଗତ ବିଜୟ ଦାସ ପୁର୍ବରୁ ଉକ୍ତ ପଞ୍ଚାୟତର ସରପଞ୍ଚ ରହି ଆସିଥିବା ବେଳେ ଜନସାଧାରଣଙ୍କ ସେବା କରିଆସୁଥିଲେ।

ତେବେ ତାଙ୍କର ଅକାଳ ବିୟୋଗ ଘଟିବାରୁ ଏଥିରେ ଭାଙ୍ଗି ନପଡ଼ି ବିଶ୍ୱଜିତ ଆହୁରି ପରିଶ୍ରମ କରିବା ସହ ସ୍ନାତକ, ସ୍ନାତକୋତର ସାରି ଓସିଏସ ପାଇଁ ଅଣ୍ଟା ଭିଡ଼ିଥିଲେ ଏବଂ ଶେଷରେ ସଫଳ ହୋଇଛନ୍ତି। ଚିଲିକା ନିର୍ବାଚନମଣ୍ଡଳିରେ ଉକ୍ତ ଦୁଇ ଛାତ୍ରଙ୍କ ପାଇଁ ସାରା ରାଜ୍ୟ ଆଜି ଗର୍ବ ଅନୁଭବ କରୁଛି।

Categories
ଆଞ୍ଚଳିକ

ବାଣପୁର ବ୍ଲକରେ ନୂତନ ବିଡ଼ିଓ ଭାବେ କାର୍ଯ୍ୟରେ ଯୋଗଦେଲେ ଓଏଏସ ଅଧିକାରିଣୀ ବୁଲବୁଲ ବେହେରା

ସୀତାରାମ ଅଗ୍ରୱାଲ
ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ନୂତନ ବିଡ଼ିଓ ଭାବେ କାର୍ଯ୍ୟରେ ଯୋଗଦେଇଛନ୍ତି ଓଏଏସ ଅଧିକାରିଣୀ ଶ୍ରୀମତୀ ବୁଲବୁଲ ବେହେରା। ଶ୍ରୀମତୀ ବେହେରା ୨୦୧୧ ବ୍ୟାଚ ଓଏଏସ ଅଧିକାରିଣୀ ହୋଇଥିବାବେଳେ ଏହା ପୁର୍ବରୁ ସେ ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବିଡ଼ିଓ ଭାବେ କାର୍ଯ୍ୟରତ ଥିଲେ। ନିକଟରେ ତାଙ୍କ ବଦଳି ବାଣପୁର ବ୍ଲକକୁ ହୋଇଥିବା ବେଳେ ଗତକାଲି ସେ କାର୍ଯ୍ୟରେ ଯୋଗଦେଇଛନ୍ତି।

ତେବେ ବାଣପୁର ଏକ ବଡ଼ ବ୍ଲକ ଏବଂ ସେ ସମସ୍ତ ନିର୍ବାଚିତ ଜନପ୍ରତିନିଧିଙ୍କ ସହାଭାଗିତାରେ କାର୍ଯ୍ୟ କରିବା ସହ ଜନସାଧାରଣଙ୍କ ଅଭିଯୋଗକୁ ପ୍ରାଥମିକତା ଦେବେ ବୋଲି କହିଛନ୍ତି। ସେହିପରି ଭାବେ କ୍ଷେତ୍ର ପରିଦର୍ଶନ, ୫ଟି ବ୍ୟବସ୍ଥାର ସଠିକ ପରିଚାଳନା ଏବଂ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନା କିପରି ସଠିକ ଭାବରେ ହିତାଧିକାରୀଙ୍କ ନିକଟକୁ ପହଞ୍ଚିପାରିବ ସେ ଦିଗରେ ଗୁରୁତ୍ୱ ଦେବେ ବୋଲି ଶ୍ରୀମତୀ ବେହେରା କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଅଗ୍ନିପଥ ଯୋଜନା ପ୍ରତ୍ୟାହାର ଦାବି: ବାଣପୁର ବ୍ଲକ ସମ୍ମୁଖରେ ସତ୍ୟାଗ୍ରହ କଲା କଂଗ୍ରେସ

ସୀତାରାମ ଅଗ୍ରୱାଲ

ଚିଲିକା: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନା ପ୍ରତ୍ୟାହାର ଦାବିରେ କଂଗ୍ରେସ ଦଳ ତରଫରୁ ଆଜି ସାରା ଭାରତ ବର୍ଷରେ ସତ୍ୟାଗ୍ରହ କରାଯାଉଛି। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ ମଧ୍ୟ ସତ୍ୟାଗ୍ରହ ଦେଖିବାକୁ ମିଳିଛି। ଆଜି ପୂର୍ବାହ୍ନରେ ବାଣପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ଉପସଭାପତି ତଥା ଚିଲିକା ନିର୍ବାଚନମଣ୍ଡଳୀର ସଂଗଠକ ଓ ପିସିସି ସଭ୍ୟ ପ୍ରଦୀପ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ବହୁ କଂଗ୍ରେସ କର୍ମୀମାନେ ଶାନ୍ତିପୂର୍ଣ୍ଣ ଭାବେ ସତ୍ୟାଗ୍ରହ କରିଛନ୍ତି।

କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନା ଏକ ବିଫଳ ଯୋଜନା ଏବଂ ଉକ୍ତ ଯୋଜନାରେ ସାମିଲ ହୋଇ ଯୁବପିଢ଼ି ଚାକିରୀ କାର୍ଯ୍ୟକାଳ ସରିବା ପରେ ଚାପର ବଶବର୍ତ୍ତୀ ହୋଇ ବିପଥଗାମୀ ହେବେ ବୋଲି କଂଗ୍ରେସ ନେତା ଶ୍ରୀ ସ୍ୱାଇଁ କହିଛନ୍ତି। ଉକ୍ତ ଆନ୍ଦୋଳନରେ ପିସିସି ସଭ୍ୟ ସନ୍ତୋଷ କୁମାର ଷଡ଼ଙ୍ଗୀ, ବିଜୟ ରଥ, ଉଗ୍ରସେନ ବିଶ୍ୱାଳ, ଅଜୟ ବେହେରା, ବସନ୍ତ ବିଶୋଇ, ଟୁକୁ ବିଶୋଇ ଏବଂ ଅନ୍ୟ କଂଗ୍ରେସ କର୍ମକର୍ତ୍ତା ମାନେ ସାମିଲ ଅଛନ୍ତି।

Categories
ଆଞ୍ଚଳିକ

ବାଣପୁର ବ୍ଲକରେ ପ୍ରଥମ ସାଧାରଣ ବୈଠକ: ଯୋଗ ଦେଲେନି ସ୍ୱାସ୍ଥ୍ୟ ଏବଂ ବିଦ୍ୟୁତ ବିଭାଗର ଅଧିକାରୀ

ସୀତାରାମ ଅଗ୍ରୱାଲ

ବାଣପୁର: ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହଙ୍କ ଅଧ୍ୟକ୍ଷତାରେ ଆଜି ପଞ୍ଚାୟତ ସମିତିର ପ୍ରଥମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବିଡ଼ିଓ ପ୍ରଦ୍ୟୁମ୍ନ ନାୟକ, ଏବିଡ଼ିଓ ସୀମାଦ୍ରୀ ପାତ୍ର, ବ୍ଲକ ଉପାଧ୍ୟକ୍ଷା ରୀନା ଦେଇ, ୧୩, ୧୪ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟା, ୧୧ ସରପଞ୍ଚ, ୧୦ ସମିତି ସଭ୍ୟ ଏବଂ ବ୍ଲକର ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ।

ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷା ପ୍ରଥମେ ଦୀପ ପ୍ରଜ୍ଜ୍ୱଳନ କରିବା ପରେ ବିଡ଼ିଓ ଶ୍ରୀ ନାୟକ ସମସ୍ତ ନିର୍ବାଚିତ ଜନପ୍ରତିନିଧିଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ। ବିଡ଼ିଓ ବୈଠକରେ ଉପସ୍ଥିତ ଥିବା ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟା ଓ ବିଭାଗୀୟ ଅଧିକାରୀଙ୍କ ପରିଚୟ ପ୍ରଦାନ କରି ପ୍ରାରମ୍ଭିକ ଅଭିଭାଷଣ ଦେଇଥିଲେ।

ଉକ୍ତ ଅଭିଭାଷଣରେ ବିଡ଼ିଓ ଶ୍ରୀ ନାୟକ ୨୦୨୨-୨୩ ଆର୍ଥିକ ବର୍ଷ ନିମନ୍ତେ ପ୍ରସ୍ତାବିତ ସାମ୍ଭାବ୍ୟ ବଜେଟ୍‌ର ବିସ୍ତୃତ ବିବରଣୀ ପାଠ କରିଥିଲେ। ବ୍ଲକ ଅଧ୍ୟକ୍ଷ ଶ୍ରୀ ରଣସିଂହ ତାଙ୍କ ବକ୍ତବ୍ୟରେ ନିଶ୍ଚିତ କର୍ମନିଯୁକ୍ତି, ସ୍ବଚ୍ଛତା, ଶିଶୁ ବିକାଶ, ବାର୍ଦ୍ଧକ୍ୟ ଭତ୍ତା, ଖାଉଟି କାର୍ଡ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଶତ ପ୍ରତିଶତ କାର୍ଯ୍ୟକାରିତା ଉପରେ ଗୁରୁତ୍ୱ ଦେଇଥିଲେ। ତତସହିତ ବ୍ଲକର କୌଣସି ବାସିନ୍ଦା ଯଦି କୌଣସି ସମସ୍ୟାର ସମ୍ମୁଖୀନ ହୁଅନ୍ତି ସେମାନେ ନିର୍ଦ୍ବନ୍ଦରେ ଅଧ୍ୟକ୍ଷଙ୍କୁ ଭେଟିପାରିବେ ବୋଲି ଶ୍ରୀ ରଣସିଂହ କହିଥିଲେ।

ଏହାପରେ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା କରାଯାଇଥିଲା। ତେବେ ଉକ୍ତ ଗୁରୁତ୍ୱପୂର୍ଣ ବୈଠକରେ ପୂର୍ବ ସୂଚନା ସତ୍ୱେ ସ୍ୱାସ୍ଥ୍ୟ ଏବଂ ବିଦ୍ୟୁତ ବିଭାଗର କୌଣସି ଅଧିକାରୀ ଯୋଗଦେଇନଥିବାରୁ ଅଧ୍ୟକ୍ଷ କ୍ଷୋଭ ପ୍ରକାଶ କରିବା ସହ ଏ ଦିଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲାପାଳଙ୍କୁ ପତ୍ର ଲେଖିଥିବାର କହିଛନ୍ତି। ସଭାଶେଷରେ ଏବିଡ଼ିଓ ଶ୍ରୀ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଞ୍ଚଳିକ

ଚିଲିକାରେ ପ୍ରଥମ ଦିନରେ ମାଟ୍ରିକ ପରୀକ୍ଷା ଦେଲେ ୩୩୭୮ ପରୀକ୍ଷାର୍ଥୀ, ୨୩୦ ଅନୁପସ୍ଥିତ

ସୀତାରାମ ଅଗ୍ରୱାଲ

ଚିଲିକା: ଶୁକ୍ରବାର ଦିନ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକର ୮ଟି ପରୀକ୍ଷା କେନ୍ଦ୍ରରେ ୧୪୦୦ ଜଣ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେଇଥିବା ବେଳେ ବାଣପୁର ବ୍ଲକର ୮ଟି ପରୀକ୍ଷା କେନ୍ଦ୍ରରେ ୧୯୭୮ ଜଣ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେଇଥିବାର ଜଣାପଡିଛି। କରୋନା କଟକଣା ଯୋଗୁଁ ଦୀର୍ଘ ଦୁଇ ବର୍ଷ ଧରି ଅଫଲାଇନ ପରୀକ୍ଷା ହୋଇନଥିଲା। ଦୀର୍ଘ ସମୟ ବ୍ୟବଧାନ ପରେ ଅଫଲାଇନ ପରୀକ୍ଷା ଦେଉଥିବାରୁ ଛାତ୍ରଛାତ୍ରୀଙ୍କ ମନରେ ଉତ୍କଣ୍ଠା ପରିଲକ୍ଷିତ ହୋଇଥିଲା।

ପରୀକ୍ଷା କେନ୍ଦ୍ରରେ କୌଣସି ବିଶୃଙ୍ଖଳା ନହେବା ପାଇଁ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ପାଇଁ ଚିଲିକା ବ୍ଲକ ରେ ୧୫୦୮ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିବାବେଳେ ପ୍ରଥମ ଦିନ ପରୀକ୍ଷାରେ ୧୦୮ ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ଥିଲେ।

ସେହିପରି ଭାବେ ବାଣପୁର ବ୍ଲକରେ ୨୧୦୦ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିବାବେଳେ ପ୍ରଥମ ଦିନ ପରୀକ୍ଷାରେ ୧୨୨ ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ଥିଲେ। ପରୀକ୍ଷା କେନ୍ଦ୍ର ଗୁଡିକରେ କପି ରୋକିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯିବା ସହ ଫ୍ଲାଇଙ୍ଗ ସ୍କ୍ୱାର୍ଡ ଗଠନ ହୋଇଥିବାର ଚିଲିକା ବିଇଓ ନଳିନୀ କାନ୍ତ ମହାନ୍ତି ଏବଂ ବାଣପୁର ବିଇଓ ସନାତନ ଜାଲି ସୂଚନା ଦେଇଛନ୍ତି।

Categories
ଆଞ୍ଚଳିକ

ଆସନ୍ତା ୨୨ ରେ ବାଣପୁର ବ୍ଲକରେ ହେଲଥ୍ ମେଳା

ସୀତାରାମ ଅଗ୍ରୱାଲ

ବାଣପୁର: ଆସନ୍ତା ୨୨ ତାରିଖ ଦିନ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ଅନୁଷ୍ଠିତ ହେବାକୁ ଯାଉଅଛି କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନା ଅନ୍ତର୍ଗତ ‘ହେଲଥ ମେଳା’। ଏ ନେଇ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ା ରମାକାନ୍ତ ନାୟକ ସୂଚନା ଦେଇଛନ୍ତି। ଖୋର୍ଦ୍ଧା ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ସହାୟତାରେ ଆସନ୍ତା ଶୁକ୍ରବାର ଦିନ ନରେନ୍ଦ୍ରପୁର ବାତ୍ୟା ଆଶ୍ରୟ ସ୍ଥଳୀ ପରିସରରେ ଉକ୍ତ ହେଲଥ ମେଳା ଅନୁଷ୍ଠିତ ହେବ ବୋଲି ଜଣାପଡିଛି।

ଉକ୍ତ ମେଳାରେ ଭେଷଜ, ସ୍ତ୍ରୀ ଓ ପ୍ରସୂତୀ ବିଭାଗ, ଶିଶୁ ବିଭାଗ, କୁଷ୍ଠ, ଅନ୍ଧତ୍ବ ଦୂରୀକରଣ, ଦାନ୍ତ, ନାସା, କର୍ଣ୍ଣ, ଗଳା, ମ୍ୟାଲେରିଆ ଏବଂ ଯକ୍ଷ୍ମା ରୋଗ ବିଶେଷଜ୍ଞ ଆସିବାକୁ ଥିବା ବେଳେ ଏଠାରେ ଏଚ୍.ଆଇ.ଭି, ପରିବାର ନିୟୋଜନ, ସୁରକ୍ଷିତ ମାତୃତ୍ବ, ଅଣ ସଂକ୍ରାମଣ ରୋଗ, ଗର୍ଭନିରୋଧ, ପୁଷ୍ଟିକର ଖାଦ୍ୟ, ଶିଶୁ ପାଇଁ ସୁରକ୍ଷିତ ସ୍ତନ୍ୟପାନ ଏବଂ ଆୟୁଷ୍ମାନ ଭାରତ ମାଧ୍ୟମରେ ଉପଲବ୍ଧ ବିଭିନ୍ନ ସ୍ୱାସ୍ଥ୍ୟ ପାଇଁ ପରାମର୍ଶ କେନ୍ଦ୍ର ଖୋଲିବ ବୋଲି ଜଣାପଡିଛି। ସକାଳ ୭ ରୁ ୧୨ ଘଟିକା ପର୍ଯ୍ୟନ୍ତ ଚାଲିବ ଏହି ହେଲଥ ମେଳା।

ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ସିଡ଼ିଏମଓ ଏବଂ ଡ଼ିପିଏଚଓ ଯୋଗ ଦେବେ ବୋଲି ସୂଚନା ମିଳିଛି। ବାଣପୁର ବ୍ଲକ ଏବଂ ଏନଏସିର ସମସ୍ତ ଜନସାଧାରଣମାନେ ଉକ୍ତ ହେଲଥ ମେଳାରେ ଯୋଗ ଦେବା ପାଇଁ ମେଡିକାଲ ଅଧିକାରୀ ଅନୁରୋଧ କରିଛନ୍ତି। ବ୍ଲକ, ଏନଏସି ଏବଂ ମେଡିକାଲ ପ୍ରଶାସନ ପକ୍ଷରୁ ଉକ୍ତ ହେଲଥ ମେଳା ନିମନ୍ତେ ଜନସାଧାରଣଙ୍କୁ ସୂଚନା ଦେବାପାଇଁ ବହୁ ପଦକ୍ଷେପ ଗ୍ରହଣ କରାଯାଇଛି। ଅନୁରୂପ ଭାବେ ଆଜିଠାରୁ ଏଥି ଲାଗି ଡାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର ଆରମ୍ଭ ହୋଇଯାଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଚିଲିକା ବିଧାୟକଙ୍କ ଗାଡିକୁ ନେଇ ବିବାଦ: ରୁଜ୍ଜୁ ହେଲା ଆଉ ଏକ ମାମଲା

ସୀତାରାମ ଅଗ୍ରୱାଲ

ବାଣପୁର: ଗତକାଲି ବିଳମ୍ବିତ ରାତ୍ରିରେ ବାଣପୁର ବ୍ଲକ ସମ୍ମୁଖରେ ଲୋକଙ୍କ ଉପରକୁ ଗାଡି ଚଢାଇବା ମାମଲାରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗିରଫ ହୋଇଛନ୍ତି। ଗତକାଲି ବାଣପୁର ବିଚାର ବିଭାଗୀୟ ଅଦାଲତରେ ଜାମିନ ଆବେଦନ ଖାରଜ ହେବା ପରେ ସେ ବର୍ତ୍ତମାନ ବାଣପୁର ସବ ଜେଲରେ ଅଛନ୍ତି।

କିନ୍ତୁ ଏହା ମଧ୍ୟରେ ତାଙ୍କ ଗାଡିକୁ ନେଇ ନୂଆ ବିବାଦ ଦେଖାଯାଇଛି। ସର୍ବ ସମ୍ମୁଖରେ ଲୋକଙ୍କ ଉପରକୁ ପ୍ରଶାନ୍ତ ଜଗଦ୍ଦେବ ଯେଉଁ ଗାଡି ଚଢାଇଦେଇଥିଲେ, ବର୍ତ୍ତମାନ ସେହି ଗାଡିର ନମ୍ବର ବଦଲାଯାଇଥିବା ଅଭିଯୋଗ ହୋଇଛି। ଦୁର୍ଘଟଣା ବେଳେ ଭିଡିଓରେ କଏଦ ହୋଇଥିବା ଗାଡିର ନମ୍ବରକୁ ପୋଲିସ ହେପାଜତରେ ଥିବା ଗାଡିର ନମ୍ବରରେ ଫରକ ଥିବା ଅଭିଯୋଗ ହୋଇଛି। ଦୁର୍ଘଟଣା ସମୟରେ ବିଧାୟକ ଲ୍ୟାଣ୍ଡରୋଭରର ଡିସ୍କୋଭରୀ ଗାଡି ଚଲାଉଥିବା ବେଳେ ତାହାର ନମ୍ବର ଓଡ଼ି-୨୫-କେ-୫୭୭୫ ଥିଲା। କିନ୍ତୁ ପୋଲିସ ରିପୋର୍ଟ ଅନୁଯାୟୀ ସେହି ଗାଡିର ନମ୍ବର ଓଡ଼ି-୦୨-ଏୱାଇ-୫୭୭୫ ରହିଛି। ଯାହାକି ଏକ ହ୍ୟୁଣ୍ଡାଇ କେଟ୍ରାର ଗାଡି ନମ୍ବର। ପରିବହନ ବିଭାଗର ତଥ୍ୟ ଅନୁଯାୟୀ ଏହି ଗାଡିଟି ଶିବାନୀ ଫୁଡ ପ୍ରଡ଼କ୍ଟସ ପ୍ରାଇଭେଟ ଲିମିଟେଡ ନାମରେ ପଞ୍ଜୀକୃତ ହୋଇଛି।

ତେବେ ବିବାଦ ବଢିବା ପରେ ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଲେଖ ଚନ୍ଦ୍ର ପହିଙ୍କ ପ୍ରତିକ୍ରିୟା ନିଆଯାଇଥିଲା। ଖୋର୍ଦ୍ଧା ଏସପିଙ୍କ ଅନୁଯାୟୀ, ସେଦିନ ବିଧାୟକ ଏକ ଫର୍ଜି ନମ୍ବର ଗାଡି ଚଳାଉଥିଲେ। ଯାହା ଫଳରେ ତାଙ୍କ ବିରୋଧରେ ଆଉ ଏକ ଜାଲିଆତି ମାମଲା ରୁଜ୍ଜୁ କରାଯାଇଛି। ଏବଂ ଏହି ବିଷୟରେ କୋର୍ଟଙ୍କୁ ଜଣାଇଦିଆଯିବ ବୋଲି ଏସପି କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁରରେ ୧୪୪ ଧାରା ଜାରୀ ପରେ ବିଭିନ୍ନ ସ୍ଥାନରେ ପୋଲିସ ଛାଉଣୀ

ବାଣପୁର: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ବିଜେପି କର୍ମିଙ୍କ ଆକ୍ରମଣ ପରେ ସେଠାରେ ୧୪୪ ଧାରା ଜାରୀ କରାଯାଇଛି। ଫଳରେ ବାଣପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ ଶସସ୍ତ୍ର ପୋଲିସ ମୁତୟନ ହୋଇଛନ୍ତି। ପୋଲିସ ତରଫରୁ ମାଇକ ଦ୍ବାରା ଲୋକଙ୍କୁ ଏହି ଧାରା ସଂପର୍କରେ ସଚେତନ କରାଯାଇଛି।

ଘଟଣା ସ୍ଥଳରେ ଏସପି ନିଜେ ପରିସ୍ଥିତିକୁ ନିରୀକ୍ଷଣ କରୁଛନ୍ତି। ସେହିପରି କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ମଧ୍ୟ ଘଟଣା ସ୍ଥଳରେ ରହି ପରିସ୍ଥିତିକୁ ତଦାରଖ କରୁଛନ୍ତି। କୌଣସି ସ୍ଥାନରେ ଯେପରି ଗଣ୍ଡଗୋଳ ନ ହୁଏ ସେଥିପାଇଁ ପୋଲିସ ବଳକୁ ସଜାଗ ରଖାଯାଇଛି।