ବାଣପୁର ବ୍ଲକରେ ପଛୁଆ ବର୍ଗଙ୍କ ସର୍ଭେ ସମ୍ପର୍କିତ ତାଲିମ ଶିବିର ଅନୁଷ୍ଠିତ

Published: Apr 11, 2023, 3:34 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ରାଜ୍ୟରେ ଆସନ୍ତା ମଇ ୧ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ପଛୁଆ ବର୍ଗ ଶିକ୍ଷାଗତ ଓ ସାମାଜିକ ସ୍ଥିତି ସମ୍ପର୍କିତ ସର୍ଭେ ହେବାକୁ ଯାଉଅଛି। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅଧୀନରେ ନିୟୋଜିତ ହେବାକୁ ଥିବା ଏନୁମରେଟର ଏବଂ ସୁପରଭାଇଜର ମାନଙ୍କର ପ୍ରଥମ ପର୍ଯ୍ୟାୟ ତାଲିମ କାର୍ଯ୍ୟକ୍ରମ ଗତକାଲି ସୋମବାର ୧୦ ତାରିଖ ଏବଂ ଆଜି ୧୧ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୋଟ ୭୨ ଜଣ ଏନୁମରେଟର ଏବଂ ୭ ଜଣ ସୁପରଭାଇଜରଙ୍କୁ ତାଲିମ ପ୍ରଦାନ କରାଯାଉଛି।

ସେମାନଙ୍କୁ ୪ ଜଣ ବ୍ଲକସ୍ତରୀୟ ମାଷ୍ଟର ଟ୍ରେନର ତାଲିମ ପ୍ରଦାନ କରୁଥିବା ବେଳେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ବ୍ଲକ ନୋଡାଲ ଅଧିକାରୀଣି ଶୀତଲ ଅଗ୍ରୱାଲ ସମଗ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ସ୍ଥାନୀୟ ତହସିଲଦାର ତଥା ଜିଲ୍ଲା ସ୍ତରୀୟ ମାଷ୍ଟର ଟ୍ରେନର କୁଞ୍ଜ ବିହାରୀ ବଡ଼ଜେନା କାର୍ଯ୍ୟକ୍ରମକୁ ପର୍ଯ୍ୟବେକ୍ଷଣ କରିଥିଲେ।

ବ୍ଲକର ୬୦ ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ସର୍ଭେ କେନ୍ଦ୍ର ଭାବରେ ଗ୍ରହଣ କରାଯାଇଥିବା ବେଳେ ଏନୁମରେଟର ମାନେ ନିରପେକ୍ଷ ଭାବେ ନିର୍ଭୁଲ ତଥ୍ୟ ସଂଗ୍ରହ କରି ସର୍ଭେକୁ ସଫଳ କରିବା ପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀଣି ଶ୍ରୀମତୀ ଅଗ୍ରୱାଲ ପରାମର୍ଶ ଦେଇଛନ୍ତି।

ସେହିଭଳି ସରକାରୀ କାର୍ଯ୍ୟ ସହିତ ଏନୁମେଟର ଏବଂ ସୁପରଭାଇଜର ମାନେ ନିଜ ନିଜ ଅଂଚଳର ସମସ୍ତ ପଛୁଆ ବର୍ଗର ବ୍ୟକ୍ତିଙ୍କୁ ସର୍ଭେରେ ସାମିଲ କରି ସର୍ଭେକୁ ସଫଳ କରିବାକୁ ତହସିଲଦାର ଶ୍ରୀ ବଡ଼ଜେନା ପରାମର୍ଶ ଦେଇଛନ୍ତି।

Related posts