Categories
ଆଞ୍ଚଳିକ

୧୦୮ ହନୁମାନ ଚାଳିଶା ଯଜ୍ଞ କମିଟି, ବାଣପୁର ଆନୁକୂଲ୍ୟରେ ପ୍ରବଚନ ଓ ହନୁମାନ ଚାଳିଶା ପଠନ କାର୍ଯ୍ୟକ୍ରମ ଆରମ୍ଭ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ବାଣପୁର ସ୍ଥିତ ଶ୍ରୀ ଶ୍ରୀ ରଙ୍କନାଥଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ୧୦୮ ହନୁମାନ ଚାଳିଶା ଯଜ୍ଞ କମିଟି ତରଫରୁ ୧୦୮ ହନୁମାନ ଚାଳିଶା ଯଜ୍ଞ ନିମନ୍ତେ ଏକ ଭବ୍ୟ କଳସ ଶୋଭାଯାତ୍ରା ଅନୁଷ୍ଠିତ କରାଯାଇଥିଲା। ଏହି ଅବସରରେ ତିନିଦିନ ବ୍ୟାପୀ ଶ୍ରୀରାମଚରିତ କଥାମୃତ ପ୍ରବଚନ ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ଆଜି ଏକ ଶୋଭାଯାତ୍ରା ଶ୍ରୀ ଶ୍ରୀ ରଙ୍କନାଥଦେବ ମନ୍ଦିର ପ୍ରାଙ୍ଗଣରୁ ସହର ପରିକ୍ରମା କରି ଶ୍ରୀ ଶ୍ରୀ ଦକ୍ଷେଶ୍ୱର ଦେବଙ୍କ ମନ୍ଦିର ପୁଷ୍କରିଣୀରୁ ଜଳାବରଣ କରି ଯଜ୍ଞ ଅନୁଷ୍ଠାନ ସ୍ଥାନରେ ପହଂଚିଥିଲେ। ଏହି ଯାତ୍ରାରେ ଶତାଧିକ ଶ୍ରଦ୍ଧାଳୁ ଭାଗନେଇଥିଲେ।

ଚଳିତବର୍ଷ ଉକ୍ତ ଅନୁଷ୍ଠାନ ୧୩ ବର୍ଷରେ ପଦାର୍ପଣ କରୁଥିବାବେଳେ ପ୍ରବଚକ ଶ୍ରୀ ରବି ନାରାୟଣ ପଣ୍ଡାଙ୍କ ପୌରାହିତ୍ୟରେ ତିନିଦିନ ବ୍ୟାପି ଦିବ୍ୟ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସେହିପରି ପବିତ୍ର ମହା ଶିବରାତ୍ରି ଦିନ ବ୍ୟାସ ମହନ୍ତ ଶ୍ରୀ ରାମଦାସଜି ମହାରାଜଙ୍କ ପୌରାହିତ୍ୟରେ ୧୦୮ ଥର ହନୁମାନ ଚାଳିଶା ପଠନ କାର୍ଯ୍ୟକ୍ରମ ହେବାକୁ ରହିଛି। ଶିବରାତ୍ରି ପରବର୍ତ୍ତୀ ଦିନ ଶନିବାର ସକାଳେ ପାଖାପାଖି ପାଞ୍ଚ ହଜାର ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କାର୍ଯ୍ୟକ୍ରମ କରାଯାଇଛି ବୋଲି କମିଟିର ସମ୍ପାଦକ ଶ୍ରୀ ମନୋଜ କୁମାର ଅଗ୍ରୱାଲ ସୂଚନା ଦେଇଛନ୍ତି।

ଉକ୍ତ ଶୋଭାଯାତ୍ରାରେ ଓଡ଼ିଶାର ପାରମ୍ପରିକ ଲୋକନୃତ୍ୟ ସହିତ ଘୋଡାନାଚ, ଯୋଡି ଶଙ୍ଖ, ବାଘ ନାଚ, ଢୋଲ ଏବଂ ସଂକୀର୍ତ୍ତନ ଇତ୍ୟାଦିର ଆୟୋଜନ କରାଯାଇଥିଲା। ଉକ୍ତ ଶୋଭାଯାତ୍ରାକୁ ବାଣପୁର ଆରକ୍ଷୀ ବାହିନୀ ଓ ନଗରବାସୀ ସୁଚାରୁରୂପେ ପରିଚାଳନା କରିଥିଲେ।

 

Categories
ଆଜିର ଖବର ଆଞ୍ଚଳିକ

ଗୋଦାବରୀଶ ମହାବିଦ୍ୟାଳୟରେ ଓଡ଼ିଆ ଓ ପଦାର୍ଥ ବିଜ୍ଞାନ ବିଭାଗ ତରଫରୁ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

ସୀତାରାମ ଅଗ୍ରଓ୍ବାଲ

ବାଣପୁର: ଗୋଦାବରୀଶ ମହାବିଦ୍ୟାଳୟରେ ଗତ ଦୁଇ ତାରିଖରେ ପଦାର୍ଥ ବିଜ୍ଞାନ ଓ ଓଡ଼ିଆ ବିଭାଗ ତରଫରୁ ପୁରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଆ ବିଭାଗ ତରଫରୁ ଆୟୋଜିତ ହୋଇଥିବା ବନ୍ଧୁମିଳନ ସମାବେଶକୁ ସଭାପତିତ୍ବ କରିଥିଲେ ପୁରାତନ ଛାତ୍ରୀ ଡ. ଶର୍ମିଷ୍ଠା ମହାପାତ୍ର। ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପରେ ଯୋଗଦେଇଥିଲେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶିବ ପ୍ରସାଦ ନାୟକ। ଏହି ଉତ୍ସବରେ ଓଡ଼ିଆ ବିଭାଗର ପୁରାତନ ଅଧ୍ୟାପକ ରମେଶ ଚନ୍ଦ୍ର ବେହେରା ଓ ଅଧ୍ୟାପିକା ଶୁଭାକାଂକ୍ଷୀ ଛୋଟରାୟ, ଡ. ଶ୍ରୀଜୟା ଦାସ, ହରପ୍ରିୟା ପଣ୍ଡା  ଓ ସୁବାସିନୀ ଦେଈ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଉପସ୍ଥିତ ରହିଥିଲେ। ଓଡ଼ିଆ ବିଭାଗର ମୁଖ୍ୟ ପାର୍ଥସାରଥୀ ସାମନ୍ତରାୟ ସ୍ବାଗତ ଭାଷଣ ପ୍ରଦାନକରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ବିବିଧ ନାଟକର ଦୃଶ୍ୟ ଓ ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା। ଆଲୁମିନି କର୍ମକର୍ତ୍ତା ମନୋନୟନ କରାଯାଇଥିବାବେଳେ ଏହି କାର୍ଯ୍ୟକ୍ରମକୁ ସର୍ବାଙ୍ଗ ସୁନ୍ଦର କରିବା ପାଇଁ ଓଡ଼ିଆ ବିଭାଗର ଅଧ୍ୟାପକ ଚିତ୍ତରଂଜନ ବେହେରା, ଅଧ୍ୟାପିକା ତୃପ୍ତିରାଣୀ ସ୍ବାଇଁ, ଅଧ୍ୟାପକ ଯଯାତି କେଶରୀ ବଡଜେନା ପ୍ରମୁଖ ସହଯୋଗ କରିଥିଲେ।

ସେହିପରି ପଦାର୍ଥ ବିଜ୍ଞାନ ବିଭାଗ ତରଫରୁ ହୋଇଥିବା ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ପି.ସି. ରାଜ୍‌ ଏବଂ ଅନ୍ୟତମ ଅତିଥି ଭାବରେ ପୂର୍ବତନ ପଦାର୍ଥ ବିଜ୍ଞାନ ପ୍ରଫେସର ଗୋକୁଳି ଚରଣ ପଣ୍ଡା ଯୋଗଦେଇଥିଲେ। ଏହି ସଭାକୁ ସଭାପତିତ୍ବ କରିଥିଲେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଶିବ ପ୍ରସାଦ ନାୟକ। ଏହି କାର୍ଯ୍ୟକ୍ରମରେ ପଦାର୍ଥ ବିଜ୍ଞାନ ବିଭାଗର ପୁରତାନ ଛାତ୍ରଛାତ୍ରୀ ନିଜର ପାଠ ପଢାସମୟରେ ସ୍ମୃତିଚାରଣ କରିଥିଲେ। ଏହି ଅବସରରେ ପୁରାତନ ଅଧ୍ୟାପକ ଏବଂ କର୍ମଚାରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବାବେଳେ ଏକ ପୁରାତନ ବିଦ୍ୟାର୍ଥୀ ସଂଘ ଗଠନ କରାଯାଇଥିଲା। ଏହି ସଂଘର ସଭାପତି ଭାବରେ ପଦାର୍ଥ ବିଜ୍ଞାନ ବିଭାଗର ମୁଖ୍ୟ ପ୍ରଫେସର ପ୍ରଦୀପ୍ତ କୁମାର ଦାଶଙ୍କୁ ନିର୍ବାଚିତ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁରଠାରେ ଚାଣକ୍ୟ ପବ୍ଲିକ୍‌ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ

ସୁନୀଲ୍‌ କୁମାର ଭୋଳ

ବାଣପୁର: ବାଣପୁର ଗମ୍ଭୀରମୁଣ୍ଡାର ଚାଣକ୍ୟ ପବ୍ଲିକ୍‌ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ ଯୋଗଦେଇ ପିଲାମାନଙ୍କଠାରେ ଇଂରାଜୀ ଭାଷାର ପ୍ରସାର କିପରି ହୋଇପାରିବ ଏବଂ ପିଲାମାନେ ଇଂରାଜୀ ଭାଷାରେ କିପରି ପ୍ରଗାଢ ଜ୍ଞାନ ଲାଭ କରିପାରିବେ, ସେସମ୍ପର୍କରେ ଗୁରୁତ୍ବାରୋପ କରିଥିଲେ। ସେହିପରି ସ୍କୁଲର ପ୍ରତିଷ୍ଠାତା କେଦାରନାଥ ତରାଇ ବାର୍ଷିକ ବିବରଣୀ ପାଠ କରିଥିଲେ। ବାଣପୁର ବ୍ଲକର ଗୋଷ୍ଠୀ ଶିକ୍ଷା ଅଧିକାରୀ ସନାତନ ଢାଲି ଏହି ଉତ୍ସବର ସଭାପତିତ୍ବ କରିଥିଲେ। କୃତି ବିଦ୍ୟାର୍ଥୀଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିବାବେଳେ ସଭାପତିଙ୍କ ବକ୍ତବ୍ୟ ଶେଷ ପରେ ସଭା ସାଙ୍ଗ କରାଯାଇଥିଲା।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ପଦାକୁ ଆସିଲା ବାଣପୁରର ବିଜେଡ଼ି ସମର୍ଥକଙ୍କ ଗୋଷ୍ଠୀ କନ୍ଦଳ : ବିଧାୟକଙ୍କ ସାମ୍ନାରେ ହାତାହାତି

ସୀତାରାମ ଅଗ୍ରଓ୍ବାଲ

ବାଣପୁର : ବାଣପୁର ବ୍ଲକ ଗାଲୁଆ ପଞ୍ଚାୟତରେ ବିଜେଡ଼ିର ଗୋଷ୍ଠୀ କନ୍ଦଳ ସାମ୍ନାକୁ ଆସିଛି।ଦୁଇ ସମର୍ଥକ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇ ସ୍ଥାନୀୟ ଅଞ୍ଚଳରେ ଏହାକୁ ନେଇ ବେଶ୍‌ ଚର୍ଚ୍ଚା ସୃଷ୍ଟି ହୋଇଛି।

ଉଲ୍ଲେଖଯୋଗ୍ୟ ଯେ, ବାଣପୁରଠାରେ ବିଜେଡିର ପଞ୍ଚାୟତ କର୍ମୀ ସମ୍ମିଳନୀ ଅନୁଷ୍ଠିତ ସମୟରେ ଆୟୋଜିତ ଏକ ଶୋଭାଯାତ୍ରାରେ ଏହି ଗୋଷ୍ଠୀ କନ୍ଦଳ ହୋଇଥିବାର ଦେଖିବାକୁ ମିଳିଛି। ଚିଲିକା ବିଧାୟକ ତଥା ଖୋର୍ଦ୍ଧା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷଙ୍କ ଉପସ୍ଥିତିରେ ବିଜେଡିର ଦୁଇ ଗୋଷ୍ଠୀଙ୍କ ମଧ୍ୟର ଟଣାଓଟରା ଲାଗିଥିଲା। ସ୍ଥାନୀୟ ଭୀମପୁର ଗ୍ରାମରେ ଚାଲିଥିବା ଶୋଭଯାତ୍ରା ସମୟରେ ଏକ ଗୋଷ୍ଠୀ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷଙ୍କ ପ୍ରତିନିଧି ମିଟୁ ନାୟକଙ୍କ ସହ ବଚସା କରିଥିଲେ। ପରବର୍ତ୍ତୀ ସମୟରେ ସାମାନ୍ୟ ବଚସା ଭୟଙ୍କର ରୂପ ନେବା ସହିତ ଉଭୟଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା। ପରିସ୍ଥିତି ଅଣାୟତ୍ତ ହେବାରୁ ବିଧାୟକ ଓ ବିଧାୟକଙ୍କ ସୁରକ୍ଷା କର୍ମୀ ପରିବେଶକୁ ସହଜ କରିବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ଏହା ଫଳପ୍ରଦ ହୋଇନଥିଲା। ଘଟଣାଟି ଏତେ ଭୟଙ୍କର ହୋଇଥିଲା ଯେ, ମିଟୁ ନାୟକ ଏହି ଘଟଣାରେ ଆହତ ହୋଇ ବାଣପୁର ଡାକ୍ତରଖାନାରେ ଚିକିତ୍ସିତ ହେବା ପାଇଁ ଭର୍ତ୍ତି ହୋଇଥିଲେ।

ବିଜେଡିର ପଞ୍ଚାୟତ କର୍ମୀ ସମ୍ମିଳନୀରେ ପଞ୍ଚାୟତ କର୍ମୀଙ୍କୁ ଅଣଦେଖା କରାଯିବା ନେଇ ଏହି ଗଣ୍ଡଗୋଳଟି ଘଟିଥିବାର ସୂଚନା ମିଳିଛି। ପଞ୍ଚାୟତ କାର୍ଯ୍ୟକ୍ରମରେ ଏନ୍‌ଏସି ବିଜେଡି କର୍ମୀଙ୍କ ପ୍ରାଦୁର୍ଭାବକୁ ସହ୍ୟ କରି ନପାରି ପଞ୍ଚାୟତ କର୍ମୀମାନେ ମିଟୁ ନାୟକଙ୍କ ଉପରେ ଆକ୍ରମଣ କରିଥିବାର ସୂଚନା ରହିଛି।

ମିଟୁ ନାୟକ ଏନେଇ ସମ୍ପୃକ୍ତ ଯୁବକ ଗୋଷ୍ଠୀଙ୍କ ବିରୋଧରେ  ବାଣପୁର ଥାନାରେ ଏତଲା ଦେବା ସହିତ ଉକ୍ତ ଘଟଣାରେ ତାଙ୍କର ଦୁଇ ଭରିର ଏକ ସୁନା ଚେନ୍‌କୁ ଛିଣ୍ଡାଇ ନିଆଯାଇଥିବାର ଅଭିଯୋଗ ମଧ୍ୟ କରିଛନ୍ତି। କେସ୍‌ ନଂ ୩୦/୨୦ରେ ଏହି ମାମଲାକୁ ରୁଜୁ କରାଯାଇ ଉକ୍ତ ଗୋଷ୍ଠୀଙ୍କ ବିରୋଧରେ ଆଇପିସି ଧାରା ୩୪୧, ୩୨୩, ୩୨୪, ୨୯୪, ୩୭୯, ୫୦୬, ୩୪ ଲଗାଇ ଏହି ଘଟଣାର ତଦନ୍ତ ଆରମ୍ଭ କରାଯାଇଛି। ଏହି ଘଟଣାର ତଦନ୍ତ ଭାର ଗ୍ରହଣ କରିଛନ୍ତି ଏସ୍‌ଆଇ ଦିଗ୍‌ବିଜୟ ବିଶ୍ବାଳ।

Categories
ଆଜିର ଖବର ରାଜ୍ୟ ଖବର

ରୋଜଗାର ପାଇଁ ବିଦେଶକୁ ଯାଇ ଶବ ହୋଇ ଫେରିଲେ ରାଣୀପଡାର ସୌରୀ

ସୀତାରାମ ଅଗ୍ରଓ୍ବାଲ

ବାଣପୁର: ବେରୋଜଗାରୀ ଏବେ ଦେଶର ଉତ୍କଟ ସମସ୍ୟା। ସ୍ୱଦେଶରେ କାମ ନପାଇ ଗୁଜୁରାଣ ମେଣ୍ଟାଇବାକୁ ବିଦେଶ ମୁହାଁ ହେଉଛନ୍ତି ରାଜ୍ୟବାସୀ। କିନ୍ତୁ ଏତିକିରେ ସେମାନଙ୍କ ଦୁଃଖ ସରୁନି। ନାନା ଦୁଃଖ କଷ୍ଟ ସହି ସେଠାରେ କାର୍ଯ୍ୟ କରୁଥିବାବେଳେ କେହି କେହି ଠକଙ୍କ ଜାଲରେ ପଡି ନାନା ହଇରାଣ ହରକତ ହେଉଥିବାବେଳେ ଆଉ କେହି କେହି ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁବରଣ କରୁଛନ୍ତି। ଏପରି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି।

ମିଳିଥିବା ସୂଚନା ଅନୁସାରେ ବାଣପୁରର ରାଣୀପଡ଼ାର  ୪୫ ବର୍ଷୀୟ ସୌରୀ ଦଳବେହେରା ଦୋହା କତର୍‌ଠାରେ ଏକ କମ୍ପାନୀରେ ଦୀର୍ଘ ଚାରି ବର୍ଷ ଧରି ଚାର୍ଜହ୍ୟାଣ୍ଡ୍‌ରେ କାମ କରୁଥିଲେ। ସେଠାର ଏକ ସଡକ ଦୁର୍ଘଟଣାରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ପରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁ ପରେ ତାଙ୍କ ମରଶରୀରକୁ କମ୍ପାନୀ ଓଡ଼ିଶା ପଠାଇଦେଇଥିଲେ। ଦୋହା କତର୍‌ରୁ କଲିକତା ଓ କଲିକତାରୁ ଏକ ଆମ୍ବୁଲାନ୍ସ ଯୋଗେ ମୃତଶରୀର ତାଙ୍କ ଜନ୍ମସ୍ଥାନ ରାଣୀପଡ଼ାକୁ ଆସିଥିଲା। ପରିବାର ବୋଲି ଘରେ ତାଙ୍କର ଏକମାତ୍ର ସ୍ତ୍ରୀ ମାଳତୀ। ତାଙ୍କ ମୃତ୍ୟୁ ଶରୀରକୁ ନେଇ ଆସିଥିବା ଆମ୍ବୁଲାନ୍ସ ଆଦାୟ କରିଛି ୨୧ହଜାର ୫୦୦ ଟଙ୍କା। ମୃତକଙ୍କ ସ୍ତ୍ରୀ ପାଖରେ ଆମ୍ବୁଲାନ୍ସଙ୍କୁ ଟଙ୍କା ଦେବାର ଶକ୍ତି ନଥିବାବେଳେ ଗ୍ରାମବାସୀମାନେ ଆଦାୟ କରି ଆମ୍ବୁଲାନ୍ସକୁ ଟଙ୍କା ଦେଇଥିଲେ।  ତେବେ ପ୍ରାପ୍ତ ସୂଚନା ଅନୁସାରେ କମ୍ପାନୀ ତରଫରୁ ଉକ୍ତ ପରିବାରବର୍ଗକୁ ରାସ୍ତା ଖର୍ଚ୍ଚ ସହ ଅନ୍ତେଷ୍ଟି କ୍ରିୟା ପାଇଁ କିଛି ଟଙ୍କା ମିଳିଛି। ସୌରୀଙ୍କ ପରିବାରରେ ଘରେ କେହି ଉପାର୍ଜନକ୍ଷମ ବ୍ୟକ୍ତି ନଥିବାବେଳେ ତାଙ୍କ ପତ୍ନୀ କମ୍ପାନୀକୁ ତାଙ୍କ ସ୍ବାମୀଙ୍କ ପିଏଫ୍‌ ଟଙ୍କା, ଶ୍ରମଟଙ୍କା ତଥା ଅନ୍ୟାନ୍ୟ ଆନୁସଙ୍ଗିକ ଭତ୍ତା ପାଇଁ  କମ୍ପାନୀ ନିକଟରେ ଦାବି କରିବେ ବୋଲି ସୂଚନା ରହିଛି।

ରାଜ୍ୟ ଓ କେନ୍ଦ୍ର ସରକାର ଶ୍ରମିକ ନୀତିରେ ପରିବର୍ତ୍ତନ କରି ଶ୍ରମିକଙ୍କ ସହଜ ଓ ସୁବିଧା ନିମେନ୍ତ ବହୁପ୍ରକାରର ଯୋଜନା ପ୍ରସ୍ତୁତ କରୁଥିବାବେଳେ ଦେଶ ବାହାରେ କର୍ମ କରୁଥିବା ଶ୍ରମିକମାନେ କେତେଦୂର ସୁରକ୍ଷିତ ତାହା ଏବେ ପ୍ରଶ୍ନର ବିଷୟ।

Categories
ଆଞ୍ଚଳିକ ରାଜ୍ୟ ଖବର

ଗୋଦାବରୀଶ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ: ମିନି ଷ୍ଟାଡିୟମ୍‌ ନେଇ କ୍ରୀଡାମନ୍ତ୍ରୀଙ୍କ ଘୋଷଣା

ସୀତାରାମ ଅଗ୍ରଓ୍ବାଲ
ବାଣପୁର: ବାଣପୁରର ସର୍ବପୁରାତନ କଲେଜ ଗୋଦାବରୀଶ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କ୍ରୀଡା ଓ ଯୁବବ୍ୟାପାର ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଏକ ମିନି ଷ୍ଟାଡିୟମ ନିର୍ମାଣର ପ୍ରତିଶ୍ରୁତି ଦେଇଥିଲେ। ଗୋଦାବରୀଶ ମହାବିଦ୍ୟାଳୟର ୫୭ତମ ବାର୍ଷିକ ଉତ୍ସବ ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଇଲେକ୍ଟ୍ରୋନିକ, ପ୍ରଯୁକ୍ତିବିଦ୍ୟା, କ୍ରୀଡା ଓ ଯୁବବ୍ୟାପାର ବିଭାଗ ମନ୍ତ୍ରୀଙ୍କ ବ୍ୟତିତ ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗ୍‌ଦ୍ଦେବ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ଶିବ ପ୍ରସାଦ ନାୟକଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ପୂର୍ବତନ ମନ୍ତ୍ରୀ ଦେବେନ୍ଦ୍ରନାଥ ମାନସିଂହ, ପୂର୍ବତନ ବିଧାୟକ ରଘୁନାଥ ସାହୁ, ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ ଏବଂ ବାଣପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ରଞ୍ଜିତା ସେଠୀ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଛାତ୍ର ସଂସଦ ଉପଦେଷ୍ଟା ସୁରପ୍ରତାପ ନରେନ୍ଦ୍ର ସିଂ ବର୍ମା ଅତିଥି ପରିଚୟ ଏବଂ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଅଧ୍ୟାପକ ଉତ୍ତମ ପାଇକରାୟ ଧନ୍ୟବାଦ ଅର୍ପଣ କରିଥିଲେ।

ଉପସ୍ଥିତ ଅତିଥି ଗଣ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ। କଲେଜ ପରିସରରେ ଏକ ମିନି ଷ୍ଟାଡିୟମ୍‌ ନିର୍ମାଣ ପାଇଁ କ୍ରୀଡାମନ୍ତ୍ରୀ ୨୫ ଲକ୍ଷ ଟଙ୍କାର ଅନୁଦାନ ରାଶି ଘୋଷଣା କରିଥିଲେ। ଏହାପରେ ଚିଲିକା ବିଧାୟକଙ୍କ ଦ୍ବାରା ମହାବିଦ୍ୟାଳୟ ପରିସରରେ ଏକ ହାଇମାଷ୍ଟ ଲାଇଟର ଲୋକାର୍ପଣ କରାଯାଇଥିଲା। ଏହା ସହିତ ଭବିଷ୍ୟତରେ କଲେଜରେ ବିଜ୍ଞାନ ଲାବୋରୋଟାରୀ ପାଇଁ ୨୦ ଲକ୍ଷ ଟଙ୍କାର ଅନୁଦାନ ପାଇଁ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିବେ ବୋଲି ବିଧାୟକ ସୂଚନା ଦେଇଥିଲେ।

 

Categories
ଆଜିର ଖବର ଆଞ୍ଚଳିକ

ବକୈୟା ବିଲ୍‌ ଆଦାୟକୁ ବିରୋଧ କରି ବାଣପୁର ବିଜେପି ତରଫରୁ ସେସୁକୁ ସ୍ମାରକ ପତ୍ର ପ୍ରଦାନ

ସମୀକ୍ଷା ବ୍ୟୁରୋ

ବାଣପୁର: ବାଣପୁର ବିଜେପି ତରଫରୁ ବକୈୟା ବିଲ୍‌ ଆଦାୟକୁ ନେଇ ସେସୁକୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ଗତ କିଛିଦିନତଳେ ସେସୁ ତରଫରୁ ବକୈୟା ବିଲକୁ ନେଇ ଏକ ବିଜ୍ଞାପନ ଉଭୟ ପ୍ରିଣ୍ଟ ଓ ଇଲୋକୋଟ୍ରୋନିକ୍ସ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଏହି ବିଜ୍ଞାପନ ଅନୁସାରେ ଆସନ୍ତା ୧୫ ତାରିଖ ସୁଦ୍ଧା ବକେୟା ବିଦ୍ୟୁତ୍‌ ବିଲ୍‌ ପୈଠ ନକଲେ ସାଧାରଣ ଉପଭୋକ୍ତାଙ୍କୁ ବିଦ୍ୟୁତ ସେବାରୁ ବଞ୍ଚିତ କରାଯିବ ବୋଲି ନିର୍ଦ୍ଦେଶ ରହିଥିଲା।

ସେସୁର ଏପରି ନିଷ୍ପତ୍ତିକୁ ବାଣପୁର ଭାରତୀୟ ଜନତା ପାର୍ଟି ତୀବ୍ର ନିନ୍ଦା କରିଛି। ବାଣପୁର ନଗର ମଣ୍ଡଳ ସଭାପତି ଭଗବାନ ପ୍ରଧାନଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଏଭଳି ଏକ ଜନବିରୋଧୀ ଘୋଷଣାକୁ ବିରୋଧ କରିବା ସହିତ ସେସୁର କନିଷ୍ଠ ଯନ୍ତ୍ରୀଙ୍କ ନିକଟକୁ ଏକ ସ୍ମାରକ ପତ୍ର ପଠାଇଛି। ଆଗାମୀ ସମୟରେ ଛାତ୍ର ଛାତ୍ରୀମାନଙ୍କର ପରୀକ୍ଷା ଆସୁଥିବାରୁ ସେସୁ ତରଫରୁଏପରି ନିଷ୍ପତ୍ତି ଦୁର୍ଭାଗ୍ୟଜନକ ଓ ଅନସ୍ବୀକାର୍ଯ୍ୟ। ଏହି ନିଷ୍ପତ୍ତିକୁ ପ୍ରତ୍ୟାଖାନ କରିବା ସହିତ କିସ୍ତି ଜରିଆରେ ବକେୟା ବିଦ୍ୟୁତ ବିଲ୍‌ ପୈଠ କରାଯିବାକୁ ଦାବି କରିଛି ବାଣପୁର ବିଜେପି। ଗଣତାନ୍ତ୍ରିକ ରାଷ୍ଟ୍ରରେ ଏଭଳି ଧମକପୂର୍ଣ୍ଣ ଘୋଷଣା ଦୁର୍ଭାଗ୍ୟଜନକ ବୋଲି କହିବା ସହିତ ଏହି ନିଷ୍ପତ୍ତିରେ ପୁନଃବିଚାର କରିବାକୁ ବିଜେପି ଦାବି କରିଛି। ଯଦି ଏହା ଉପରେ କିଛି ପଦକ୍ଷେପ ନିଆନଯାଏ, ତେବେ  ଆଗାମୀ ସମୟରେ ଭୟଙ୍କର ଜନ ଆନ୍ଦୋଳନ ସହ ସେସ୍‌କୋ ଅଫିସ୍‌ ଘେରାଉ ହେବ ବୋଲି ବାଣପୁର ବିଜେପି ଏହି ସ୍ମାରକ ପତ୍ରରେ ଉଲ୍ଲେଖ କରିଛି।

ରିପୋର୍ଟର: ସୀତାରାମ ଅଗ୍ରୱାଲ

Categories
ଆଞ୍ଚଳିକ

ବାଣପୁରଠାରେ ଆଦିବାସୀ ସଚେତନତା ଶିବିର: ଅନ୍ଧ ବିଶ୍ବାସ ଓ ଗୁଣିଗାରେଡିରୁ ବାହାରି ମୁଖ୍ୟ ସ୍ରୋତରେ ସାମିଲ୍‌ ହେବାକୁ ଆହ୍ବାନ

ସମୀକ୍ଷା ବ୍ୟୁରୋ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଦାମିଆ ବରବରା ଆଦିବାସୀ ବହୁଳ ପଞ୍ଚାୟତରେ “ଏକତା ପରିଷଦ ଟ୍ରଷ୍ଟ” ସହଯୋଗରେ ଦଳିତ, ଆଦିବାସୀ ସଚେତନା ଶିବିରର ଆୟୋଜନ ହୋଇଯାଇଛି। ଏହି ଶିବିରରେ ସମ୍ମାନିତ ଅତିଥି ଭାବରେ ହେତୁବାଦୀ ସଙ୍ଗଠନର ସମ୍ପାଦକ ଇଂ.ରାଜା ସୁରେଶ ଓ ଏ ଆଇକେଏମଏସର ଜାତୀୟ ସଂପାଦକ ଶ୍ରୀଯୁକ୍ତ ଭାଲା ଚନ୍ଦ୍ର ଯୋଗଦେଇଥିଲେ। ଉକ୍ତ ଶିବିରରେ ଦୁଇ ଶହରୁ ଅଧିକ ମହିଳା ଓ ପୁରୁଷ ଯୋଗ ଦେଇଥିଲେ। ଅତିଥିମାନେ ତାଙ୍କ ଅଭିଭାଷଣରେ ଆଦିବାସୀଙ୍କ ଜମି ଅଧିଗ୍ରହଣ ଆଇନ ତଥା ସେମାନଙ୍କ ନାଯ୍ୟା ଦାବି ଓ ଅଧିକାର ସମ୍ପର୍କରେ ଆଲୋକପାତ କରିଥିଲେ।  ସେହିପରି ଅନ୍ଧ ବିଶ୍ବାସ ଓ ଗୁଣିଗାରେଡିରୁ ବାହାରି ମୁଖ୍ୟ ସ୍ରୋତରେ ସାମିଲ୍‌ ହେବାକୁ ଆହ୍ବାନ ଜଣାଇଥିଲେ। ସରକାରଙ୍କ ଅହେତୁକ ଅବହେଳା ଓ ପ୍ରତଷ୍ଠିତ ସମାଜର ପ୍ରତିବନ୍ଧକ ଯୋଗୁଁ ଗରିବ ନିରୀହ ଆଦିବାସୀ ସମାଜ କିପରି ପଥଭ୍ରଷ୍ଟ ହେଉଛି, ସେସମ୍ପର୍କରେ ଆଲୋଚନା କରାଯାଇଥିଲା। ଏକତା ପରିଷଦ ଟ୍ରଷ୍ଟ”ର ମ୍ୟାନେଜିଂ ଟ୍ରଷ୍ଟି ସନ୍ଧ୍ୟା ଦେବୀ କର୍ଯ୍ୟକ୍ରମକୁ ଆୟୋଜନ କରିବାସହ ଅଂଚଳର ପ୍ରତ୍ୟକ ଗାଁରେ ସୂଚନା ବକ୍ସ ଦେବା ସହ ବିଭିନ୍ନ ସରକାରୀ ବିଭାଗର ଯୋଜନା ବିଷୟରେ ସୂଚନା ଦେଇଥିଲେ। ସେହିପରି ଅନ୍ଧବିଶ୍ବାସ ଓ କୁସଂସ୍କାର ଦୂର କରିବା ଲାଗି ସଚେତନତା ସୃଷ୍ଟି କରିବା ସହ ଆଦିବାସୀଙ୍କ ସ୍ବାସ୍ଥ୍ୟ ଓ ଶିକ୍ଷା ଅଧିକାର ସୁରକ୍ଷା ସମ୍ବନ୍ଧରେ ଆଲୋକପାତ କରାଇଥିଲେ।

 

Categories
ଆଞ୍ଚଳିକ

ବାଣପୁରର ଗୋଦାବରୀଶ ବିଦ୍ୟାପୀଠର ନବେତମ ଜନ୍ମୋତ୍ସବ ତଥା ବାର୍ଷିକ ପୁରସ୍କାର ଉତ୍ସବ ଅନୁଷ୍ଠିତ

ବାଣପୁର : ଖୋର୍ଦ୍ଧା ଜିଲ୍ଲାର ସର୍ବପୁରାତନ ବିଦ୍ୟାପୀଠ ଗୋଦାବରୀଶ ବିଦ୍ୟାପୀଠର ଆଜି ନବେତମ ଜନ୍ମୋତ୍ସବ  ଓ ବାର୍ଷିକ ପୁରସ୍କାର ବିତରଣୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଚିଲିକା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଜଗଦ୍ଦେବ ଯୋଗଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ ଗୋଦାବରୀଶ ମହାବିଦ୍ୟାଳୟର ଅବସପରପ୍ରାପ୍ତ ଅଧ୍ୟକ୍ଷ ଡ. ନୃସିଂହଚରଣ ପ୍ରଧାନ।  ସନାତନ ଢାଲିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ ପୂର୍ବତନ ବିଧାୟକ ତଥା ସାହିତ୍ୟିକ ଦେବେନ୍ଦ୍ର ନାଥ ମାନସିଂହ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଭଞ୍ଜକିଶୋର ସାହୁ, ବରିଷ୍ଠ ସାମ୍ବାଦିକ ନୃସିଂହ ପ୍ରସାଦ ମିଶ୍ର, ଖୋର୍ଦ୍ଧା ଜିଲ୍ଲା ସାଂସଦ ପ୍ରତିନିଧି ମାନସ ରଞ୍ଜନ ପ୍ରଧାନ ପ୍ରମୁଖ।

ସକାଳ ୧୧ ଘଟିକା ସମୟରେ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରାଯାଇ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା। ଏହା ପରେ ଶ୍ରେଣୀ ଗୃହ ପରିଦର୍ଶନ କରାଯାଇଥିବାବେଳେ ବିଜ୍ଞାନ ପ୍ରକଳ୍ପ  ପ୍ରଦର୍ଶନ କରାଯାଇଥିଲା। ଏହାପରେ ବାର୍ଷିକ ଉତ୍ସବର ସଭା ଆରମ୍ଭ କରାଯାଇଥିଲା। ଏହି ସଭାରେ ପ୍ରଧାନଶିକ୍ଷକ ବାର୍ଷିକ ବିବରଣୀ ପାଠ କରିଥିଲେ। ପୁରସ୍କାର ବିତରଣ ପରେ  ବିଦ୍ୟାଳୟ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।  ଏହି ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏବିଓ ଯୋଗୀନାଥ ସ୍ବାଇଁ, ଖୋର୍ଦ୍ଧା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପ୍ରତିନିଧି ମିଟୁ ନାୟକ, ଯୁବନେତା ଜଗତବଲ୍ଲଭ ମହାରଥା, ଶେଷେଦବ ପ୍ରଧାନ ପ୍ରମୁଖ ଯୋଗଦେଇଥିବାବେଳେ ଗୋଦାବରୀଶ ବିଦ୍ୟାପୀଠର ବହୁ ପୁରାତନ ଛାତ୍ର, ଶିକ୍ଷକ, ବୁଦ୍ଧିଜୀବୀ ପ୍ରମୁଖ ସାମିଲ୍‌ ରହିଥିଲେ।

 

Categories
ଆଞ୍ଚଳିକ ରାଜ୍ୟ ଖବର

ଚିଲିକା ବିଧାୟକଙ୍କ ନିଆରା ନବବର୍ଷ ପାଳନ, ନେହୁରୁ ସେବାସଂଘର ପିଲାଙ୍କ ସହ କାଟିଲେ ଦିନ

ସମୀକ୍ଷା ବ୍ୟୁରୋ

ବାଣପୁର, ୨/୧: ଅଭିନବ ଉପାୟରେ ନବବର୍ଷକୁ ପାଳିଛନ୍ତି ଚିଲିକା ବିଧାୟକ ତଥା ଖୋର୍ଦ୍ଧା ଯୋଜନାବୋର୍ଡ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଜଗଦ୍ଦେବ। ଶ୍ରୀ ଜଗଦ୍ଦେବ ନେହୁରୁ ସେବାସଂଘରେ ନବବର୍ଷକୁ ପାଳନ କରିଛନ୍ତି। ନେହୁରୁ ସେବା ସଂଘର ଶିଶୁମାନଙ୍କ ସହ କେକ୍ କାଟି  ନାଚ ଗୀତରେ ଝୁମିଥିଲେ। ଅନାଥ ତଥା ଦିବ୍ୟାଙ୍ଗ ପିଲାମାନଙ୍କୁ ନବବର୍ଷର ଖୁସି ଦେବା ପାଇଁ ଏକ ନିଆରା ପଦକ୍ଷେପ ଗ୍ରହଣ କରିଥିଲେ ଚିଲିକା ବିଧାୟକ। ଏହି ଅବସରରେ ଏହି ସେବାସଂଘ ଏକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରିଥିଲା। ପିଲାମାନେ ନୃତ୍ୟ ଗୀତରେ ବେଶ୍‌ ମସଗୁଲ୍‌ ରହିଥିଲେ। ସ୍ଥାନୀୟ ବିଧାୟକ ପିଲାମାନଙ୍କ ନୃତ୍ୟରେ ଖୁସି ହୋଇ ପ୍ରତ୍ୟେକ ନୃତ୍ୟକୁ ୫୦୦ଟଙ୍କା ଲେଖାଏଁ ଅର୍ଥରାଶି ସହ ଫୁଲତୋଡା ପ୍ରଦାନ କରିଥିଲେ। ଏହି ଅବସରରେ ପିଲାମାନଙ୍କ ସହ ଫଟୋ ଉଠାଇବା ସହିତ ସମସ୍ତ ଫଟୋକୁ ସୋସିଆଲ ମିଡିଆରେ ସେୟାର ମଧ୍ୟ କରିଥିଲେ ଶ୍ରୀ ଜଗଦ୍ଦେବ।

ଏକ ନିଆରା ନବବର୍ଷ ପାଳନ କରିବା ଅବସରରେ ବିଧାୟକ ଏହି ସେବାସଂଘକୁ ଏକ ପୁଣ୍ୟଭୂମି ବୋଲି କହିଛନ୍ତି। ଏହା ବାଣପୁରର ଗର୍ବ। ଏମାନେ ଏକା ନୁହଁନ୍ତି, ସରକାର ଏହି ଅନାଥ ତଥା ଦିବ୍ୟାଙ୍ଗ ପିଲାମାନଙ୍କ ସହ ସବୁବେଳେ ରହିଛନ୍ତି ବୋଲି କହିଥିଲେ ଶ୍ରୀ ଜଗଦ୍ଦେବ। ପିଲାମାନଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇବା ସହିତ ଜଗନ୍ନାଥଙ୍କ ପାଖରେ ଏହି ପିଲାମାନଙ୍କ ଉଜ୍ଜ୍ବଳ ଭବିଷ୍ୟତର କାମନା ମଧ୍ୟ କରିଛନ୍ତି। ଏହି ଅବସରରେ ନିଜେ ହାତରେ ରାତ୍ର ଭୋଜନ ପରିଷିବା ସହିତ ପିଲାମାନଙ୍କ ସହ ଏକାଠି ଭୋଜନ ମଧ୍ୟ କରିଥିଲେ ବିଧାୟକ। ଏହି ଉତ୍ସବରେ ପୂର୍ବତନ ବିଧାୟକ ଦେବେନ୍ଦ୍ର ନାଥ ମାନସିଂହ, ସୁରେନ୍ଦ୍ରନାଥ ପାତ୍ର, ବାଣପୁର ବ୍ଲକ ବିଡିଓ ପ୍ରମୁଖ ଯୋଗଦେଇଥିଲେ। ବିଧାୟକ ବହୁ ମୂଲ୍ୟବାନ ସମୟ ଦେଇଥିବାରୁ ନେହୁରୁ ସେବାସଂଘର କର୍ତ୍ତୃପକ୍ଷ ଓ ପିଲାମାନେ ବିଧାୟକଙ୍କୁ ଧନ୍ୟବାଦ ଜଣାଇବା ସହିତ ନବବର୍ଷର ଅଭିନନ୍ଦନ ଜଣାଇଥିଲେ।

ରିପୋର୍ଟର: ସୁନୀଲ କୁମାର ଭୋଳ

Categories
ଆଜିର ଖବର ରାଜ୍ୟ ଖବର

ବାଣପୁରର ନୂଆଗାଁଠାରେ ଧାନ ବସ୍ତାରେ ଲାଗିଲା ନିଆଁ: ୪୦ବସ୍ତା ଧାନ ପୋଡ଼ି ନଷ୍ଟ

ସମୀକ୍ଷାବ୍ୟୁରୋ

ବାଣପୁର, ୨୭/୧୨: ବାଣପୁର ନୂଆଗାଁଠାରେ ୪୦ବସ୍ତା ଧାନ ପୋଡ଼ି ଯାଇଥିବାର ସୂଚନା ମିଳିଛି। ବାଣପୁର ଏନଏସି ୬ନଂ ୱାର୍ଡ ନୂଆଗାଁର ବାସିନ୍ଦା ଶଙ୍କର ପ୍ରଧାନଙ୍କର ଗୁରୁବାର ରାତିରେ ୪୦ବସ୍ତା ଧାନ ପୋଡ଼ି ନଷ୍ଟ ହୋଇଯାଇଛି। ଗୁରୁବାର ଦିନ ଧାନ ଅମଳ କରି ଶଙ୍କର ୪୦ ବସ୍ତା ଧାନ ସଂଗ୍ରହ କରିଥିଲେ। ସନ୍ଧ୍ୟାରେ ଝିପିଝିପି ବର୍ଷା କାରଣରୁ ଅମଳ ଧାନକୁ ଘରକୁ ନେବା ସମ୍ଭବପର ନ ହେବାରୁ ସମସ୍ତ ଧାନକୁ ବିଲରେ ଥିବା ଖଳାରେ ରଖିଥିଲେ। ତେବେ ରାତି ୯ ଘଟିକା ସମୟରେ ଏହି ସମସ୍ତ ଧାନ ବସ୍ତାରେ ନିଆଁ ଲାଗିଯାଇଥିଲା।  ନିଆଁ ଲାଗିବାର ଖବର ପାଇ ବାଣପୁର ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲ, ମାତ୍ର ସେତେବେଳକୁ ସମସ୍ତ ଧାନ ପୋଡ଼ି ପାଉଁଶ ହୋଇଯାଇଥିଲା। କେହି ଦୁର୍ବୃତ୍ତ ଏପରି କାର୍ଯ୍ୟ କରିଥିବାର ସନ୍ଦେହ ହୋଇଛି। ଧାନ ବସ୍ତାରେ ନିଆଁ ଲାଗିବା ନେଇ ଶଙ୍କର ବାଣପୁର ଥାନରେ ଅଭିଯୋଗ କରିବେ ବୋଲି ସୂଚନା ରହିଛି।

ରିପୋର୍ଟର: ସୀତାରାମ ଅଗ୍ରୱାଲ

Categories
ଆଞ୍ଚଳିକ ଖେଳ

ବାଣପୁରର ସୁନୀତା ମାର୍ଥାଙ୍କ ଆଉ ଏକ କୃତିତ୍ବ: ରାଜ୍ୟ ମହିଳା ଭଲିବଲ୍‌ ଦଳରେ ହେଲେ ସାମିଲ୍‌

ସମୀକ୍ଷାବ୍ୟୁରୋ

ବାଣପୁର, ୨୬/୧୨: ବାଣପୁରର ସୁନୀତା ମାର୍ଥା ରାଜ୍ୟ ମହିଳା ଭଲିବଲ ଦଳ ପାଇଁ ମନୋନୀତ ହୋଇ ସମଗ୍ର ଅଞ୍ଚଳ ପାଇଁ ଏକ ଗର୍ବର ବିଷୟ ପାଲଟିଛନ୍ତି। ବାଣପୁର ଗୋଦାବରୀଶ ମହାବିଦ୍ୟାଳୟରୁ ଶିକ୍ଷା ସମାପ୍ତ କରି ଅଧୁନା ଭୁବନେଶ୍ବରସ୍ଥିତ ଶାରିରୀକ ଶିକ୍ଷା ପ୍ରଶିକ୍ଷଣ ମହାବିଦ୍ୟାଳୟରେ ସ୍ନାତକ ଡିଗ୍ରୀ କରୁଛନ୍ତି ସୁନୀତା। ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ସାନଅଁଳ ଗ୍ରାମର ସନାତନ ମାର୍ଥା ଓ ବାସନ୍ତୀ ଦେବୀଙ୍କ କନ୍ୟା ହେଉଛନ୍ତି ସୁନୀତା। ସେ ଦୀର୍ଘଦିନ ଧରି ବାଣପୁରରେ ବସବାସ କରୁଛନ୍ତି। ପିଲାଟି ବେଳୁ ଖେଳ ପ୍ରତି ବେଶ୍‌ ରୁଚି ରଖିଥିଲେ ସୁନୀତା।  ବାଣପୁର ମା’ ଭଗବତୀ ରୁରାଲ୍‌ ସ୍ପୋର୍ଟସ୍‌ ଏକାଡେମୀରେ ପ୍ରଶିକ୍ଷଣ ନେବା ସହିତ ପୂର୍ବରୁ କନିଷ୍ଠ ଓ ବିଶ୍ବବିଦ୍ୟାଳୟ ସ୍ତରୀୟ ଖେଳରେ ଉତ୍କୃଷ୍ଟ ଖେଳ ପ୍ରଦର୍ଶନ କରିଛନ୍ତି। ସୁନୀତା ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ବିଭୁଧେନ୍ଦୁ ମାନସିଂହଙ୍କ ତତ୍ତ୍ବାବଧାନରେ ପ୍ରଶିକ୍ଷଣ ନେଉଥିଲେ। ଭୁବନେଶ୍ବର କିଟ୍‌ଠାରେ ଅନୁଷ୍ଠିତ ଚୟନ ଶିବିରରେ ଉଚ୍ଚମାନର କ୍ରୀଡ଼ା ପ୍ରଦର୍ଶନ କରି ଓଡ଼ିଶା ଭଲିବଲ୍‌ ଆସୋସିଏସନ୍‌ର ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରି ଓଡ଼ିଶା ଦଳ ପାଇଁ ମନୋନୀତ ହୋଇଛନ୍ତି। କିଟ୍‌ଠାରେ ଆୟୋଜିତ ହେବାକୁ ଥିବା ଆନ୍ତଃରାଜ୍ୟ ଭଲିବଲ୍‌ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ଦଳ ତରଫରୁ ଖେଳିବାର ଯୋଗ୍ୟତା ଅର୍ଜନ କରିଛନ୍ତି।

ଏହି ଅବସରରେ ସୁନୀତା ଖେଳ ପ୍ରଶକ୍ଷିକ ବିଭଧେନ୍ଦୁ ମାନସିଂହ ଓ  ଗୋଦାବରୀଶ ମହାବିଦ୍ୟାଳୟର ଅବସରପ୍ରାପ୍ତ ଖେଳ ପ୍ରଶିକ୍ଷକ ବୈରାଗୀ ଚରଣ ବଳ ଓ ଓଡ଼ିଶା ଭଲିବଲ୍‌ ଆସୋସିଏସନ୍‌ର ସମ୍ପାଦକ ଡ. ଗଗନେନ୍ଦୁ ଦାସଙ୍କୁ କୃତଜ୍ଞତା ପ୍ରଦାନ କରିଛନ୍ତି। ସ୍ଥାନୀୟ ଅଞ୍ଚଳର ବହୁ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ସୁନୀତାଙ୍କ ଏହି ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ପୂର୍ବରୁ ମଧ୍ୟ ବାଣପୁର ସାନହନ୍ତୁଆଡ ଗ୍ରାମର କଳ୍ପଶ୍ରୀ ପ୍ରଧାନ ରାଜ୍ୟ ମହିଳା ଭଲିବଲ୍‌ ଦଳରେ ସ୍ଥାନ ପାଇ ଉଚ୍ଚକୋଟୀର ଖେଳ ପ୍ରଦର୍ଶନ କରିଥିଲେ।

ରିପୋର୍ଟର : ସୀତାରାମ ଅଗ୍ରଓ୍ବାଲ

Categories
ଆଞ୍ଚଳିକ

ଭେଟେଶ୍ବର ପ୍ରାଥମିକ କୃଷି ସମିତି ତରଫରୁ ଧାନ ମଣ୍ଡି ଉଦ୍‌ଘାଟିତ

ସମୀକ୍ଷା ବ୍ୟୁରୋ

ବାଣପୁର, 26/12: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ୍‌ ଅନ୍ତର୍ଗତ ଖୋର୍ଦ୍ଧା ସମବାୟ ବ୍ୟାଙ୍କ ଶାଖା ଅଧୀନସ୍ଥ ଭେଟେଶ୍ବର ପ୍ରାଥମିକ କୃଷି ସେବା ସମବାୟ ସମିତି  ତରଫରୁ ଧାନମଣ୍ଡି ଉଦ୍‌ଘାଟନ ହୋଇଯାଇଛି। ପ୍ରସନ୍ନ କୁମାର ପ୍ରଧାନଙ୍କ ସଭାପତିତ୍ବରେ ଏହି ସଭାକୁ ଉଦ୍‌ଘାଟନ କରିଥିଲେ ଜିଲ୍ଲାପରିଷଦ ସଭ୍ୟ ଅମରେନ୍ଦ୍ର ରଣସିଂହ। ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଭେଟେଶ୍ବର ଗ୍ରାମପଞ୍ଚାୟତର ସରପଞ୍ଚ ଜିତେନ୍ଦ୍ର କୁମାର ଭୋଳ, ସମିତି ସଭ୍ୟ ଶେଖର କୁମାର ସାହୁ, ସହ ନିବନ୍ଧକ ଖୋର୍ଦ୍ଧା ସମବାୟ ସମିତି ସମୂହ କାର୍ଯ୍ୟାଳୟର ସମବାୟ ସମିତି ନିରୀକ୍ଷକ ପ୍ରଦୀପ କୁମାର ମହାପାତ୍ର ଓ ଅପର୍ତ୍ତି ମଲ୍ଲିକ ଏବଂ ଚଣ୍ଡୀହର ଦେବ ରାଇସ୍‌ ଓ ଫ୍ଲୋର୍‌ ମିଲ୍‌ର ମାଲିକ ପ୍ରିୟରଂଜନ ପାତ୍ର ଓ କିଶୋର କୁମାର ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ। ଓଡ଼ିଶା ସରକାରଙ୍କ ପି-ପାସ୍‌ ଅନ୍‌ଲାଇନ ମାଧ୍ୟମରେ ଆସିଥିବା 15ଜଣ ଚାଷୀ ନିଜର ଉତ୍ପାଦିତ ଧାନକୁ ମଣ୍ଡିରେ ବିକ୍ରି କରିଥିଲେ। ଏହି ସଭାକୁ ସମିତିର ସମ୍ପାଦକ ଜ୍ୟୋତିରଞ୍ଜନ ରାଉତରାୟ ପରିଚାଳନା କରିବା ସହିତ ଉପସ୍ଥିତ ସମସ୍ତ ଅତିଥି ଓ ଚାଷୀଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।

ରିପୋର୍ଟର : ସୁନୀଲ କୁମାର ଭୋଳ

Categories
ଆଞ୍ଚଳିକ

ବାଣପୁରଠାରେ ଆମ ଓଡ଼ିଶା ପକ୍ଷରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

ସମୀକ୍ଷା ବ୍ୟୁରୋ

ବାଣପୁର, ୨୧/୧୨ : ବାଣପୁର ଗୋଦାବରୀଶ ମହାବିଦ୍ୟାଳୟଠାରେ ଆମଓଡିଶା ଦ୍ବାରା ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ୪୧ ୟୁନିଟ୍‌ ରକ୍ତ ସଂଗ୍ରହ କରାଯାଇଛି। ଏହି ରକ୍ତଦାନ ଶିବିରରେ ପ୍ରାୟ ୪୧ଜଣ ରକ୍ତଦାନ କରିଥିବାବେଳେ ଏମାନଙ୍କ ମଧ୍ୟରେ ୨୦ଜଣ ଛାତ୍ରୀ ରହିଥିଲେ। ଏହି ରକ୍ତଦାନ ଶିବିରକୁ  ଗୋଦାବରୀଶ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଶିବପ୍ରସାଦ ନାୟକ ଉଦ୍‌ଘାଟନ କରିଥିବାବେଳେ ରାଜନୀତି ବିଜ୍ଞାନର ମୁଖ୍ୟ ପ୍ରଫେସର ବନମାଳୀ ବେହେରା ପ୍ରଥମେ ରକ୍ତଦାନ କରିଥିଲେ। ଏହି ଶିବିରକୁ ପରିଚାଳନା କରିଥିଲେ ଆମ ଓଡ଼ିଶାର ଜିଲ୍ଲା ସଂଯୋଜକ ସଂଗ୍ରାମ କେଶରୀ ସମାନ୍ତରାୟ ଏବଂ  ସମ୍ବାଦର ବାଣପୁର ପ୍ରତିନିଧି ସୁନୀଲ୍‌ କୁମାର ସୁବୁଦ୍ଧି ଓ ଚିିଲିକାର ସମ୍ବାଦ ପ୍ରତିନିଧି ପ୍ରଦୋଷ ଦାସ।

ମହାବିଦ୍ୟାଳୟ ସ୍କାଉଟ୍‌ସ ଓ ଗାଇଡସ୍‌ର ରୋଭର୍‌ ଲିଡର ଅଧ୍ୟାପକ ଆଦିତ୍ୟ ସାରଥୀ ବେଦମାତା ଓ ରେଞ୍ଜର ଲିଡର ଅଧ୍ୟାପିକା ନିହାରବାଳା ରାଉତ, ରେଡକ୍ରସର ଜିଲ୍ଲା ସଂଯୋଜକ ପ୍ରଫେସର ଲକ୍ଷ୍ମୀ ନାରାୟଣ ମିଶ୍ର, ରେଡକ୍ରସ୍‌ର ଉପଦେଷ୍ଟା ଅଧ୍ୟାପକ ସୁଜିତ୍‌ କୁମାର ପାଣ୍ଡେ, ଏନ୍‌ସିସି ଅଫିସର ଲେପ୍ଟନାଣ୍ଟ୍‌ ଗୁରୁପ୍ରସାଦ ନାୟକ ପ୍ରମୁଖ ଏହି ଶିବିରର ତତ୍ତ୍ବାବଧାରକ ରହିଥିଲେ। ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଭାଗିରଥୀ ସେଠୀ, ଖୋର୍ଦ୍ଧା ବ୍ଲଡ୍‌ ବ୍ୟାଙ୍କର ଅରୁଣ କୁମାର ସାହୁ, ଅନିରୁଦ୍ଧ ସ୍ବାଇଁ, ଅନୀତା ନାୟକ, ରଶ୍ମିରଞ୍ଜନ ପ୍ରମୁଖ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ। ଏହି ଶିବିରକୁ ସହଯୋଗ କରିଥିଲେ ଗୋଦାବରୀଶ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଲକ୍ଷ୍ମୀ ମହାରଣା, ରାଜଶ୍ରୀ ପ୍ରଧାନ, ଦୀପକ କୁମାର ବେହେରା, ନୃସିଂହ ପ୍ରସାଦ ମହାପାତ୍ର, ସନ୍ତୋଷ ପ୍ରଧାନ ଏବଂ ବାଣପୁର ମହାବିଦ୍ୟାଳୟର ଏନ୍‌ସିସି, ରେଡକ୍ରସ୍‌ ଓ ସ୍କାଉଟ୍‌ ଗାଇଡସ୍‌ ବିଭାଗ।

ରିପୋର୍ଟର : ସୀତାରାମ ଅଗ୍ରଓ୍ବାଲ

 

Categories
ଆଞ୍ଚଳିକ

ବାଣପୁର ଏକତା ବିଦ୍ୟା ନିକେତନର ୧୦ମ ବାର୍ଷିକ କ୍ରୀଡା ଉତ୍ସବ

ସମୀକ୍ଷା ବ୍ୟୁରୋ
ବାଣପୁର,୧୮/୧୨ : ବାଣପୁର ସ୍ଥିତ ଏକତା ବିଦ୍ୟା ନିକେତନରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଛାତ୍ର ଛାତ୍ରୀ ମାନେ ବିଭିନ୍ନ କ୍ରୀଡା ସହିତ ନୃତ୍ୟ, ପ୍ରବନ୍ଧ, କୁଇଜ୍‌ ଏବଂ ବିତର୍କ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ। ଉଦ୍‌ଯାପନୀ ଉତ୍ସବରେ ବାଣପୁର ଥାନା ଆଇଆଇସି ସଞ୍ଜୟ କୁମାର ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବରେ ବାଣପୁର ବ୍ଲକ୍‌ର ବିଧାୟକ ପ୍ରତିନିଧି ତଥା ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଗୋପୀନାଥ ମହାରଣା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଓଡିଶୀ ନୃତ୍ୟଗୁରୁ ମାଧବ ଚରଣ ପଲାଇ, ଗୋଦାବରୀଶ ମହାବିଦ୍ୟାଳୟର ପୂର୍ବତନ ଲାଇବ୍ରେରୀଆନ ଗୋଦାବରୀଶ ସାହୁ, ଅବସରପ୍ରାପ୍ତ କ୍ରୀଡା ପ୍ରଶିକ୍ଷକ ବୈରାଗୀ ଚରଣ ବଳ, ସ୍କୁଲର ପ୍ରତିଷ୍ଠାତା ମନୋଜ କୁମାର ମହାପାତ୍ର ପ୍ରମୁଖ ଏହି ଉଦ୍‌ଯାପନୀ ସଭାରେ ଉପସ୍ଥିତ ରହି କୃତୀ ଛାତ୍ରଙ୍କୁ ପୁରସ୍କୃତ କରିଥିଲେ।

ବାର୍ଷିକ କ୍ରୀଡା ଉତ୍ସବକୁ ଗ୍ରାମୀଣ ଉଚ୍ଚ ମାଧ୍ୟମିକ ମହିଳା ମହାବିଦ୍ୟାଳୟର କ୍ରୀଡା ପ୍ରଶିକ୍ଷକ ବିବୁଧେନ୍ଦୁ ମାନସିଂହ ପରିଚାଳନା କରିଥିଲେ। ପ୍ରଧାନ ଆଚାର୍ଯ୍ୟ ଭିକାରୀ ଚରଣ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଦଶମ ବାର୍ଷିକ କ୍ରୀଡା ଉତ୍ସବକୁ ପରିଚାଳିତ ହୋଇଥିଲା। ଛାତ୍ରଛାତ୍ରୀଙ୍କ ପକ୍ଷରୁ ଅଭିନବ ଉପାୟରେ ସମସ୍ତ ଆମନ୍ତ୍ରିତ ଅତିଥିଙ୍କ ପରିଚୟ ପ୍ରଦାନ କରାଯାଇଥିଲା।

ରିପୋର୍ଟର : ସୀତାରାମ ଅଗ୍ରଓ୍ବାଲ

Categories
ଆଞ୍ଚଳିକ

କୁମାରାଙ୍ଗ ପଞ୍ଚାୟତରେ ଚିଲିକା ବିଧାୟକଙ୍କ ଦ୍ଵାରା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭ ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ

ସମୀକ୍ଷା ବ୍ୟୁରୋ
ବାଣପୁର,୧୮/୧୨: କୁମାରାଙ୍ଗ ପଞ୍ଚାୟତରେ ଚିଲିକା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ପ୍ରଶାନ୍ତ କୁମାର ଜଗଦ୍ଦେବଙ୍କ ଦ୍ଵାରା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭ ଉଦ୍‌ଘାଟନ କରାଯିବା ସହିତ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଚିଲିକା ବିଧାୟକ ଦୁଇଟି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିବା ବେଳେ ଦୁଇଟି ପ୍ରକଳ୍ପର ଉଦ୍‌ଘାଟନ କରିଥିଲେ। ମାଳି ଗୋବିନ୍ଦପୁରରେ ଏକ ଗ୍ରାମ୍ୟ ପାଇପ ଜଳ ଯୋଗାଣ ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିଥିବା ବେଳେ ଦୁଲ୍ଲଣୀ ଗ୍ରାମ୍ୟ ପାଇପ ଜଳଯୋଗାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନା କରିଥିଲେ ମାନ୍ୟବର ବିଧାୟକ। ଏହାପରେ ହନୁମନ୍ତ ଟାଙ୍ଗୀ ଠାରେ ଶାଳିଆ ନଦୀ ଉପରେ ଏକ ଶଙ୍ଖ ନିର୍ମାଣର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ଜଗଦ୍ଦେବ। ଶେଷରେ ଏକଡାଳିଆରେ ‘ଆମ ଗାଁ ଆମ ବିକାଶ’ ଯୋଜନାରେ ନିର୍ମିତ ଏକ ଗୋଷ୍ଠୀ କେନ୍ଦ୍ରର ଉଦ୍‌ଘାଟନ କରିଥିଲେ ବିଧାୟକ।

ଏହି ଅବସରରେ କୁମାରାଙ୍ଗ ପଞ୍ଚାୟତର ସରପଞ୍ଚ ମନୋଜ କୁମାର ପ୍ରଧାନ, ପଞ୍ଚାୟତ ସମିତି ସଭ୍ୟ ସତ୍ୟ ନାରାୟଣ ସ୍ବାଇଁ, ବାଣପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ରଞ୍ଜିତା ସେଠୀ, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଅଜୟ ରାଉଳ, ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଗୋପୀନାଥ ମହାରଣା, ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷଙ୍କ ଚିଲିକା ପ୍ରତିନିଧି ମିଟୁ ନାୟକ, ଯୁବ ନେତା ଜଗତ ବଲ୍ଳଵ ମହାରଥା, ରଞ୍ଜିତ ନାୟକ, ରଞ୍ଜିତ ବେହେରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

ରିପୋର୍ଟର : ସୀତାରାମ ଅଗ୍ରଓ୍ବାଲ

Categories
ଆଞ୍ଚଳିକ

ସର୍ବଭାରତୀୟ କ୍ରୀଡ଼ା ଜ୍ଞାନ ପରୀକ୍ଷାରେ ଓଡ଼ିଶାର ପ୍ରଥମ ଦଶଜଣଙ୍କ ଭିତରେ ବାଣପୁରରୁ ତିନି ଜଣ

ସମୀକ୍ଷା ବ୍ୟୁରୋ

ବାଣପୁର, ୧୭/୧୨: କ୍ରୀଡ଼ା ଜ୍ଞାନ ପରୀକ୍ଷାରେ ଓଡ଼ିଶାର ପ୍ରଥମ ଦଶଜଣଙ୍କ ଭିତରେ ବାଣପୁର ଅଞ୍ଚଳର  ତିନି ଜଣ ରହିଛନ୍ତି। ଦ୍ବିତୀୟ ସ୍ଥାନରେ ରହିଛନ୍ତି ସରକାରୀ ଶାରିରୀକ ମହାବିଦ୍ୟାଳୟର ନାରାୟଣ ସାହୁ। ସମ୍ପ୍ରତି ନାରାୟଣ ସାହୁ ଶାରିରୀକ ମହାବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ପ୍ରାପ୍ତ ହୋଇଛନ୍ତି। ସେହିପରି ଷଷ୍ଠ ସ୍ଥାନରେ ରହିଛନ୍ତି ଜାଭିୟର୍‌ ସ୍କୁଲର ଅଷ୍ଟମ ଶ୍ରେଣୀ ଛାତ୍ର ସାଇ ତରୁଣ ଆଚାରୀ। ଏହି ପରୀକ୍ଷାରେ ନବମ ସ୍ଥାନରେ ରହିଛନ୍ତି ଗୋଦାବରୀଶ ମହାବିଦ୍ୟାଳୟର ଯୁକ୍ତ ତିନି (ଦ୍ବିତୀୟ ବର୍ଷ)ର ଛାତ୍ର ରୁଦ୍ରମାଧବ ପାଣି। ବାଣପୁର କ୍ରୀଡ଼ା ଭାରତୀ ତରଫରୁ ଉପସଭାପତି ଶ୍ରୀମତୀ ସରୋଜିନୀ ଷଡଙ୍ଗୀ ଓ ଅବସରପ୍ରାପ୍ତ କ୍ରୀଡ଼ା ଅଧିକାରୀ ବୈରାଗୀ ଚରଣ ବଳ ଏହି ପରୀକ୍ଷାକୁ ପରିଚାଳନା କରିଥିଲେ। ସର୍ବଭାରତୀୟ ସ୍ତରରେ ଅନଲାଇନ୍‌ ମାଧ୍ୟମରେ ହୋଇଥିବା କ୍ରୀଡ଼ା ଜ୍ଞାନ ପରୀକ୍ଷାରେ ବାଣପୁରର ତିନିଜଣ ଛାତ୍ର ଓଡ଼ିଶାର ପ୍ରଥମ ଦଶଜଣଙ୍କ ଭିତରେ ସ୍ଥାନ ଅଧିକାର କରି ବାଣପୁର ପାଇଁ ଗର୍ବ ଓ ଗୌରବ ଅର୍ଜନ କରିଛନ୍ତି।

 

Categories
ଆଞ୍ଚଳିକ

ବାଲୁଗାଁଠାରେ ଘରେ ପଶି ଯୁବତୀଙ୍କ ତଣ୍ଟି କାଟିବା ଘଟଣା : ଘଟଣାସ୍ଥଳରେ ଏସପି ସମେତ ସାଇଣ୍ଟିଫିକ୍ ଟିମ୍

ସମୀକ୍ଷା ବ୍ୟୁରୋ / ବାଲୁଗାଁ
ବାଲୁଗାଁର ଗଙ୍ଗନଗର ଗ୍ରାମରେ ଯୁବତୀଙ୍କ ଘରେ ପଶି ତଣ୍ଟିକାଟିବା ଘଟଣାକୁ ନେଇ ଚାଲିଛି ତନାଘନା। ଏହି ଘଟଣାର ତଦନ୍ତ ପାଇଁ ଘଟଣାସ୍ଥଳରେ ପହଞ୍ଚିଛନ୍ତି ଖୋର୍ଦ୍ଧା ଏସପି ଅଜେୟ ପ୍ରତାପ ସ୍ବାଇଁ। ଖୋର୍ଦ୍ଧା ଏସପିଙ୍କ ଅଧ୍ୟକ୍ଷତାରେ ବାଣପୁର ଆଇଆଇସି ସଞ୍ଜୟ ପଟ୍ଟନାୟକ, ବାଲୁଗାଁ ଆଇଆଇସି ରମାକାନ୍ତ ମହାଳିକ ଓ ସାଇଣ୍ଟିଫିକ୍ ଟିମ୍ ଏହି ଘଟଣାର ତଦନ୍ତ କରୁଛନ୍ତି। ମିଳିଥିବା ସୂଚନା ଅନୁସାରେ ଶନିବାର ଦିନ ସନ୍ଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ଗଙ୍ଗନଗର ଗ୍ରାମରେ ବାଲୁଗାଁ କଲେଜର ଯୁକ୍ତ ଦୁଇ କଳା ଛାତ୍ରୀ ଶିବାନୀ ବେହେରାଙ୍କ ଘରେ ପଶି ତାଙ୍କୁ ଜଣେ ଯୁବକ ଗଳାକାଟି ହତ୍ୟା କରିଛି। ଶିବାନୀ ତାଙ୍କ ଘର ବାରିପଟେ ଥିବା ଏକ କୋଠରୀରେ ବସି ପାଠ ପଢୁଥିବାବେଳେ ସେହି ଗ୍ରାମର ଜଣେ ଯୁବକ ଛାତ ଚଢି ଘରେ ପ୍ରବେଶ କରି ଏକ ଧାରୁଆ ଅସ୍ତ୍ର ଦ୍ବାରା ଶିବାନୀର ଗଳା କାଟି ଦେଇ ଫେରାର ହୋଇଯାଇଥିଲା। ପାଖ ରୁମରେ ବସିଥିବା ତାଙ୍କ ମା’ ଓ ଭାଉଜ ତାଙ୍କ ଚିତ୍କାର ଶୁଣି ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ଚିକିତ୍ସା ନିମେନ୍ତ ବାଲୁଗାଁ ମେଡ଼ିକାଲକୁ ନେଇଯାଇଥିଲେ। ମାତ୍ର ସେଠାରେ ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଏମକେସିଜି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ତେବେ ଗଳାକାଟି ଥିବା ଯୁବକ ଜଣକ ଏକତରଫା ପ୍ରେମ କରୁଥିବାର ସନ୍ଦେହ କରାଯାଉଛି। ପୋଲିସ୍ ସମ୍ପୃକ୍ତ ଯୁବକକୁ ଅଟକ ରଖି ପଚରାଉଚରା କରୁଛି। ଶିବାନୀଙ୍କ ମୃତଦେହକୁ ବୈଦ୍ୟନାଥପୁର ଥାନା ପୁଲିସ ଜବତ କରିଥିବାବେଳେ ଆଜି ଶବବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ। ତେବେ ଏହି ହତ୍ୟାକାଣ୍ଡର କାରଣ ଏବେବି ରହସ୍ୟାବୃତ୍ତ ରହିଛି। ତଦନ୍ତ ପରେ ଘଟଣାର ପ୍ରକୃତ ତଥ୍ୟ ବାହାରକୁ ଆସିବ।

ରିପୋର୍ଟର : ସୀତାରାମ ଅଗ୍ରଓ୍ବାଲ

Categories
ଆଞ୍ଚଳିକ

‘ଖୋର୍ଦ୍ଧା ଜିଲ୍ଲା ଯୁବ ଉତ୍ସବ’ରେ ବାଣପୁର ଭେଟେଶ୍ଵର ସରକାରୀ ଉଚ୍ଚ ବିଦ୍ୟାଳୟର ଉଚ୍ଚକୋଟିର କଳା ପ୍ରଦର୍ଶନ

ସମୀକ୍ଷା ବ୍ୟୁରୋ

ଖୋର୍ଦ୍ଧା, ୧୨/୧୨: ବାଲୁଗାଁ ମହାବିଦ୍ୟାଳୟରେ ଦୁଇ ଦିନ ଧରି ‘ଖୋର୍ଦ୍ଧା ଜିଲ୍ଲା ଯୁବ ଓ ସେବା ଉତ୍ସବ-୨୦୧୯’ ଅନୁଷ୍ଠାନିକ ଭାବେ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ଉତ୍ସବକୁ ଓଡିଶା ସରକାରଙ୍କର ଖୋର୍ଦ୍ଧା ଜିଲ୍ଲା ଯୁବ ଓ ସେବା ବିଭାଗ ଆୟୋଜନ କରିଥିଲା। ଏହି ଦୁଇଦିନିଆ ଉତ୍ସବକୁ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଓ ବାଲୁଗାଁ କଲେଜ ଅଧ୍ୟକ୍ଷା ବିନତି ମଞ୍ଜରି ରାଉତ ଉଦ୍ଘାଟନ କରିଥିବାବେଳେ ଏହି ଉତ୍ସବକୁ ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ ଶେଖର ମହାନ୍ତି ଉଦଯାପିତ କରିଥିଲେ।

ଏହି ଉତ୍ସବରେ ୩୦୦ରୁ ଉର୍ଦ୍ଧ୍ବ ପ୍ରତିଯୋଗୀ ଭାଗ ନେଇଥିଲେ। ତେବେ ଏହି ମହୋତ୍ସବରେ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲେ ଭେଟେଶ୍ଵର ଭେଟିନାଥଦେବ ବିଦ୍ୟାପୀଠର କୁନି କୁନି ଛାତ୍ରଛାତ୍ରୀ। ଏହି କୁନି କଳାକାରମାନେ ନିଜ ନିଜର ନିଖୁଣ କଳା ପ୍ରଦର୍ଶନ କରି ଦର୍ଶକଙ୍କୁ  ବିମୋହିତ କରିଥିଲେ। ଏହି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଲୋକନୃତ୍ୟ ଓ ଏକକ ଅଭିନୟରେ ନିଜର ଉତ୍କର୍ଷତା ପ୍ରଦର୍ଶନ କରି ରାଜ୍ୟସ୍ତରୀୟ ମହୋତ୍ସବ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଦଳଗତ ଅଭିନୟରେ ଭୁବନେଶ୍ଵରର ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ, ସିତାର ବାଦକ ରେ ବଂଶିଧର ସାହୁ, ପାରମ୍ପରିକ ନୃତ୍ୟରେ ସ୍ଥିତିପ୍ରଜ୍ଞ ଦାସ, ତବଲାରେ ଭୁବନେଶ୍ଵରର ବିବେକାନନ୍ଦ ପଣ୍ଡା, ମୃଦଙ୍ଗରେ ବାଲୁଗାଁର ଅକ୍ଷୟକୁମାର ଗୁରୁ, ଲୋକ ସଙ୍ଗୀତରେ ମଦର ପବ୍ଲିକ ସ୍କୁଲ ଆଦି ବିଜୟୀ ହୋଇଛନ୍ତି। ଏଥିରେ ପୁରସ୍କୃତ ହୋଇଥିବା ପ୍ରତିଯୋଗୀମାନେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଉତ୍ତିନ୍ନ ହୋଇଛନ୍ତି।

ଏହି ମହୋତ୍ସବରେ ପୂର୍ବତନ ମନ୍ତ୍ରୀ ଦେବେନ୍ଦ୍ର ନାଥ ମାନସିଂହ, ବାଲୁଗାଁ ବିଜ୍ଞାପତି ଅଞ୍ଚଳର ପୂର୍ବତନ ଉପାଧ୍ୟକ୍ଷ ଅଜୟ କୁମାର ଦାଶ, ବାଣପୁର ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ମାନସ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଏହି ଯୁବ ମହୋତ୍ସବକୁ ସଫଳ କରାଇଥିଲେ।

ରିପୋର୍ଟର : ସୁନୀଲ୍‌ କୁମାର ଭୋଳ (ବିଜୁ)

Categories
ଆଞ୍ଚଳିକ

ବାଣପୁରସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଗୀତା ଜୟନ୍ତୀ ଉତ୍ସବ ପାଳିତ

ସମୀକ୍ଷା ବ୍ୟୁରୋ

ବାଣପୁର, ୯/୧୨: ବାଣପୁରସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଗୀତା ଜୟନ୍ତୀ ଉତ୍ସବ ପାଳନ ହୋଇଯାଇଛି। ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରୀ ବାଣପୁର, ବାଲୁଗାଁ ଶାଖା ଆନୁକୂଲ୍ୟରେ ଆୟୋଜିତ ଏହି ଗୀତା ଜୟନ୍ତୀ ଉତ୍ସବରେ ଗୀତା ଅଧ୍ୟୟନର ଆବଶ୍ୟକତା ଓ ମଣିଷ ଜୀବନରେ ଗୀତାର ପ୍ରଭାବ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହି ସଭାରେ ବିଚିତ୍ରାନନ୍ଦ ବେହେରା, ଗାୟତ୍ରୀ ପରିବାରର ସଦସ୍ୟ ସଭିଙ୍କର ମାର୍ଗଦର୍ଶନ କରିଥିଲେ। ଗୋଦାବରୀଶ ମହାବିଦ୍ୟାଳୟର ପୂର୍ବତନ କ୍ରୀଡା ପ୍ରଶିକ୍ଷକ ତଥା ମାର୍ଗଦର୍ଶକ ବୈରାଗୀ ଚରଣ ବଳ କେନ୍ଦ୍ରର ସମ୍ପର୍କ ପ୍ରମୁଖ ସଭା କାର୍ଯ୍ୟ ପରିଚାଳନା କରିଥିଲେ। ପ୍ରସନ୍ନ କୁମାର ମିଶ୍ର ଗୀତାର ଉପକାରିତା ସମ୍ପର୍କରେ ଆଲୋଚନା କରିଥିଲେ।

ରିପୋର୍ଟର : ସୀତାରାମ ଅଗ୍ରଓ୍ବାଲ

Categories
ଆଞ୍ଚଳିକ

ଗୋଦାବରୀଶ ମହାବିଦ୍ୟାଳୟରେ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ବାଣପୁର ଆଗମନର ସ୍ମାରକୀ ସମାରୋହ

ସମୀକ୍ଷା ବ୍ୟୁରୋ

ବାଣପୁର, ୮/୧୨: ଜାତିର ପିତା ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜୟନ୍ତୀ ପାଳନ ସାରା ଭାରତରେ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ମହାତ୍ମା ଗାନ୍ଧିଙ୍କ ବାଣପୁର ଆଗମନ ସ୍ମୃତିକୁ ଉଜ୍ଜୀବିତ କରିବା ପାଇଁ ଆଜି ଗୋଦାବରୀଶ ମହାବିଦ୍ୟାଳୟ ପରିସରରେ ଏକ ସ୍ମାରକୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ମହାତ୍ମା ଗାନ୍ଧି ୧୯୨୭ ଡିସେମ୍ବର ୮ ତାରିଖରେ ପଣ୍ଡିତ ଗୋଦାବରୀଶ ମିଶ୍ର, ତତ୍‌କାଳୀନ ବିହାର – ଓଡ଼ିଶା ବିଧାନ ପରିଷଦ ସଦସ୍ୟଙ୍କ ଅନୁରୋଧରେ ବାଣପୁର ଆସିଥିଲେ। ସେ ପଣ୍ଡିତ ଗୋଦାବରୀଶଙ୍କ ବାଣପୁର ହାତୀମୁଣ୍ଡା ଆଶ୍ରମରେ ରହଣି କରିଥିଲେ। ସେଦିନ ସନ୍ଧ୍ୟାରେ ବାଣପୁର ଜନସାଧାରଣଙ୍କୁ ଏକ ସାଧାରଣ ସଭାରେ ଉଦ୍‌ବୋଧନ ଦେଇ ଫିରିଙ୍ଗି ସରକାର ବିରୋଧରେ ସ୍ବାଧୀନତା ଆନ୍ଦୋଳନ ଜୋରଦାର କରିବା ପାଇଁ ଆହ୍ବାନ ଦେଇଥିଲେ।

ଗାନ୍ଧିଙ୍କ ସ୍ମୃତିକୁ ମନେପକାଇବା ଉଦ୍ଦେଶ୍ୟରେ ଅନୁଷ୍ଠିତ ଏହି କାର୍ଯକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ। ଏହି ଅବସରରେରେ ଗୋଦାବରୀଶ ମହାବିଦ୍ୟାଳୟ ପରିସରରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଉଦ୍‌ଘାଟକ ଭାବେ ଯୋଗଦେଇଥିବାବେଳେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ମନ୍ତ୍ରୀ ତଥା ବିଧାୟକ ପ୍ରଫୁଲ୍ଲ ସାମଲ ଯୋଗ ଦେଇଥିଲେ। ସେହିପରି ସମ୍ମାନିତ ଅତିଥି ଭାବରେ ସାହିତ୍ୟିକ ତଥା ପ୍ରାକ୍ତନ ମନ୍ତ୍ରୀ ଦେବେନ୍ଦ୍ର ନାଥ ମାନସିଂହ ରହିଥିଲେ। ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବଙ୍କ ସଭାପତିତ୍ବରେ ଏହି ସଭା ଅନୁଷ୍ଠିତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଚିଲିକା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ରଘୁନାଥ ସାହୁ, ବାଣପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ରଞ୍ଜିତା ସେଠୀ, ପଞ୍ଚାୟତ ସମିତିର ଉପାଧ୍ୟକ୍ଷ ଅଜୟ ରାଉଳ, ବାଣପୁର ପଞ୍ଚାୟତ ସମିତି ପୂର୍ବତନ ଅଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ବାଣପୁର ଏନ୍‌ଏସିର ପ୍ରାକ୍ତନ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ଜେନା, ବାଣପୁର ଏନ୍‌ସିର ପ୍ରାକ୍ତନ ଉପାଧ୍ୟକ୍ଷ ଦାଶରଥୀ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ।

ଗୋଦାବରୀଶ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଶିବ ପ୍ରସାଦ ନାୟକ ଅତିଥିମାନଙ୍କୁ ସ୍ଵାଗତ କରିଥିବାବେଳେ ଗୋଦାବରୀଶ ବିଦ୍ୟାପୀଠର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ତେବେ ଧାର୍ଯ୍ୟ ସମୟଠାରୁ ବହୁ ବିଳମ୍ବରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପୂର୍ବରୁ ଏହି କାର୍ଯ୍ୟକ୍ରମଟି ସକାଳ ୧୦.୩୦ ମିନିଟ୍‌ରେ ହେବାକୁ ଧାର୍ଯ୍ୟ ରହିଥିବାବେଳେ ଏହା ୧.୩୦ ମିନିଟ୍‌ରେ ଆରମ୍ଭ କରାଯାଇଥିଲା।

ରିପୋର୍ଟର : ସୀତାରାମ ଅଗ୍ରଓ୍ବାଲ