Categories
ଆଜିର ଖବର ରାଜ୍ୟ ଖବର

ଭାରତ ସରକାରଙ୍କ ରାଷ୍ଟ୍ରୀୟ ଅନୁସୂଚିତ ଜାତି ଆୟୋଗ କୋଲକାତାଙ୍କ ଖୋର୍ଦ୍ଧା ଜିଲ୍ଲା ପରିଦର୍ଶନ

ଖୋର୍ଦ୍ଧା: ଶୁକ୍ରବାର ଅପରାହ୍ନ ୪ ଘଣ୍ଟାରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତ।ରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଭାରତ ସରକାରଙ୍କ ରାଷ୍ଟ୍ରୀୟ ଅନୁସୂଚିତ ଜାତି ଆୟୋଗ କୋଲକାତା ଲଭ କୁଶ କୁମାରଙ୍କ ଖୋର୍ଦ୍ଧା ଜିଲ୍ଲାର ଅନୁସୂଚିତ ଜାତି ସମ୍ବନ୍ଧୀୟ ଯୋଜନା ଗୁଡିକର ସମୀକ୍ଷା କରିଥିଲେ। ଏହି ବୈଠକରେ ଶରତ କୁମାର ଗର୍ଗ, ପ୍ରାଇଭେଟ ସେକ୍ରେଟାରୀ, ଷ୍ଟେଟ ଗେଷ୍ଟ/ ସୋନାଲୀ ଦତ୍ତ, ଡିରେକ୍ଟର, ଅନୁସୂଚିତ ଜାତି ଆୟୋଗ ଉପସ୍ଥିତ ଥିଲେ।

ସମୀକ୍ଷାରେ ଉଭୟ କେନ୍ଦ୍ରୀୟ ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ  ଅନୁସୂଚିତ ଜାତି ଅନ୍ତର୍ଗତ  ହିତାଧିକାରୀ ମାନଙ୍କର  ଟିକିନିଖ ଆଲୋଚନା  କରଯାଇଥିଲା। ଏହି ଯୋଜନା ଗୁଡିକ ହେଉଛି ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା, ଗ୍ରାମୀଣ ସ୍ବାସ୍ଥ୍ୟ ମିଶନ, ମୁଦ୍ରା ଯୋଜନା, RWSS ଙ୍କର ନଳକୂପ ଖନନ, ଛାତ୍ରବ।ସରେ ରହୁଥିବା ଛାତ୍ରୀ ଛାତ୍ର ମାନଙ୍କ ବିଭିନ୍ନ ବ୍ୟବସ୍ଥା, ପ୍ରାକ ଏବଂ ପରବର୍ତ୍ତୀ ମାଟ୍ରିକ ଛାତ୍ର ବୃତ୍ତି, କୃଷି ଜମା ପଟ୍ଟା ପ୍ରଦାନ, ଉଜ୍ଜଳା ଯୋଜନାର ହିତାଧିକାରୀ, ବିଭିନ୍ନ ଯୋଜନାରେ କେନ୍ଦ୍ରୀୟ ଓ ରାଜ୍ୟ ସରକାରଙ୍କର ଅନୁଦାନ ଉପରେ ଆଲୋଚନା କରଯାଇଥିଲା।

ଖୋର୍ଦ୍ଧା SP ଏବଂ ଭୂବନେଶ୍ବର DCPଙ୍କ ଅନ୍ତର୍ଗତ କ୍ରାଇମର  ବିଭିନ୍ନ ତଥ୍ୟ ଯଥା ମର୍ଡର, ରେଫ, ଆରର୍ସନ ଇତ୍ୟାଦି, ଆନ୍ତଃଜାତି ବିବାହକୁ ଆର୍ଥିକ ପ୍ରୋତ୍ସାହନ, atrocity ବାବଦରେ victimମାନଙ୍କୁ ତାଙ୍କର ସମୟ ସୀମା ମଧ୍ୟରେ ଉଚିତ ଆର୍ଥିକ ସହାୟତା ପ୍ରଦାନ କରାଯିବା ସହିତ  ସଠିକ ପଦକ୍ଷେପ ଗ୍ରହଣ କରିବାକୁ ଖୋର୍ଦ୍ଧା SP , ଭୂବନେଶ୍ବର DCP ଏବଂ DWO ଖୋର୍ଦ୍ଧାଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।

ଏହି ବୈଠକରେ ଖୋରଧାର ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା ଏବଂ ସାଫଲ୍ୟମଣ୍ଡିତ ପ୍ରଧାନ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁରେନ୍ଦ୍ର ନାଥ ମୁର୍ମୁ, ଖୋରଧା ଉପଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠୀ, ଅତିରିକ୍ତ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ କସ୍ତୂରିବାଳା  ଜେନା, ସି ଡି ଏମ ଓ , ଖୋର୍ଦ୍ଧା /ଜିଲ୍ଲା ମଙ୍ଗଳ ଅଧିକାରୀ ଏବଂ ବିଭିନ୍ନ ବିଭାଗୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ। ଶେଷରେ ଧନ୍ୟବାଦ ଦିଆଯାଇ ବୈଠକ ସାଙ୍ଗ କରଯାଇଥିଲା।

Categories
ଆଜିର ଖବର

‘ବିକଶିତ ଭାରତ ୨୦୪୭’ ଫଟୋଚିତ୍ର ପ୍ରଦର୍ଶନୀ ଉଦଘାଟିତ

ଭୁବନେଶ୍ୱର: ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ କେନ୍ଦ୍ର ସରକାରଙ୍କ ‘ବିକଶିତ ଭାରତ -୨୦୪୭’ ସମ୍ପର୍କିତ ଏକ ଫଟୋଚିତ୍ର ପ୍ରଦର୍ଶନୀ ଏବଂ ସଚେନତତା କାର୍ଯ୍ୟକ୍ରମ ଶୁକ୍ରବାର କଟକ ବାଲିଯାତ୍ରା ପଡ଼ିଆରେ ଉଦଘାଟିତ ହୋଇଯାଇଛି। ଦୀର୍ଘ ଆଠ ଦିନବ୍ୟାପୀ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମକୁ କଟକ ଲୋକସଭା ନିର୍ବାଚନ ମଣ୍ଡଳୀ ସାଂସଦ ଶ୍ରୀ ଭର୍ତ୍ତୃହରି ମହତାବ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉଦଘାଟନ କରିଥିଲେ। ଭାରତକୁ ୨୦୪୭ ମସିହା ସୁଦ୍ଧା ଏକ ବିକଶିତ ଓ ବିଶ୍ୱର ପ୍ରମୁଖ ସମୃଦ୍ଧଶାଳୀ ରାଷ୍ଟ୍ର ଭାବରେ ଗଢ଼ି ତୋଳିବା ପାଇଁ ସରକାରଙ୍କ ଉଦ୍ୟମକୁ ପ୍ରଶଂସା କରି ସେ କହିଥିଲେ, ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଷ୍ଟିକୋଣ ଏବଂ ଉଚ୍ଚ ଚିନ୍ତାଧାରା ଭାରତକୁ ଏକ ଶକ୍ତିଶାଳୀ ରାଷ୍ଟ୍ର ଭାବରେ ଗଢ଼ି ତୋଳୁଛି। ତାଙ୍କ ନେତୃତ୍ୱରେ ଭାରତ ଅନେକ ସ୍ୱପ୍ନକୁ ଆଜି ବାସ୍ତବତାର ରୂପ ଦେଇପାରିଛି। ବିଶ୍ୱ ଦରବାରରେ ଭାରତକୁ ଏକ ନୂତନ ପରିଚୟ ମିଳିପାରିଛି ବୋଲି ଶ୍ରୀ ମହତାବ ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜଗତସିଂହପୁର ସାଂସଦ ବିଭୁପ୍ରସାଦ ତରାଇ ଏବଂ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ଏବଂ ପତ୍ର ସୂଚନା କାର୍ଯ୍ୟାଳୟର ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର ଯୋଗଦେଇ ଏହି ପ୍ରଦର୍ଶନୀର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଅଧିକରୁ ଅଧିକ ଲୋକ ଏହାକୁ ବୁଲି ଦେଖିବା ସହ କେନ୍ଦ୍ର ସରକାରଙ୍କ ଯୋଜନା ଓ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ ହେବାକୁ ସେ ଆହ୍ୱାନ ଦେଇଥିଲେ। ଏହି ଅବସରରେ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ଭୁବନେଶ୍ୱରର ନିର୍ଦ୍ଦେଶକ ଡକ୍ଟର ଗିରିଶ ଚନ୍ଦ୍ର ଦାଶ ଓ ପତ୍ର ସୂଚନା କାର୍ଯ୍ୟାଳୟର ଉପନିର୍ଦ୍ଦେଶକ ମନୋଜ କୁମାର ଜାଲି ଉପସ୍ଥିତ ଥିଲେ। କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ଭୁବନେଶ୍ୱର କ୍ଷେତ୍ର ପ୍ରଦର୍ଶନୀ ଅଧିକାରୀ ମହେନ୍ଦ୍ର ପ୍ରସାଦ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଏହି ପ୍ରଦର୍ଶନୀରେ ଭାରତ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ସୂଚନା ଦିଆଯାଇଥିବା ବେଳେ ବାଲିଯାତ୍ରା ବୁଲିବାକୁ ଆସୁଥିବା ଲକ୍ଷ ଲକ୍ଷ ଲୋକ ଏହାଦ୍ୱାରା ସଚେତନ ଏବଂ କେନ୍ଦ୍ର ସରକାରଙ୍କ ଯୋଜନାର ସୁଫଳ ପାଇପାରିବେ। ଆଠ ଦିନବ୍ୟାପୀ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ପ୍ରଦର୍ଶନୀ ମଞ୍ଚରେ ବିଭିନ୍ନ ସଚେତନଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଆଲୋଚନାଚକ୍ର ଏବଂ ପ୍ରତିଯୋଗିତା ଆୟୋଜନ ମୁଖ୍ୟ ଆକର୍ଷଣ ହେବ।

Categories
ଆଜିର ଖବର ରାଜ୍ୟ ଖବର

ସିଏସଆଇଆର ଖଣିଜ ଏବଂ ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନ ପରିସରରେ ଦୁଇଦିନିଆ ସିଆରଟିଡିଏଚ୍ ସମ୍ମିଳନୀ ଆରମ୍ଭ

ଭୁବନେଶ୍ବର: ଭୁବନେଶ୍ବରସ୍ଥିତ ସିଏସଆଇଆର ଖଣିଜ ଏବଂ ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନ ପରିସରରେ ଦୁଇଦିନିଆ ସିଆରଟିଡିଏଚ୍ ସମ୍ମିଳନୀ ଆରମ୍ଭ ହୋଇଛି। ଭାରତ ସରକାରଙ୍କ ବିଜ୍ଞାନ ଓ ଶିଳ୍ପ ଗବେଷଣା ବିଭାଗ ପକ୍ଷରୁ ଏକକ ଗବେଷଣା ଓ ପ୍ରଯୁକ୍ତି ବିକାଶ କେନ୍ଦ୍ରଗୁଡ଼ିକ ଜରିଆରେ ଏମଏସଏମଇ ଓ ଷ୍ଟାର୍ଟଅପ୍ଗୁଡ଼ିକୁ ଭିତ୍ତିଭୂମି ସୁବିଧା, ବୈଷୟିକ ସହଯୋଗ ଏବଂ ସ୍ବତନ୍ତ୍ର ସେବା ଯୋଗାଇ ଦିଆଯାଉଛି। ଏହାକୁ ପ୍ରଦର୍ଶିତ କରିବା ଲାଗି ସିଆରଟିଡିଏଚ୍ ସମ୍ମିଳନୀ ଆରମ୍ଭ ହୋଇଛି।

ସାରା ଦେଶରେ ବର୍ତ୍ତମାନ ୧୮ଟି ଏକକ ଗବେଷଣା ଓ ପ୍ରଯୁକ୍ତି ବିକାଶ କେନ୍ଦ୍ର ରହିଛି। ଏସବୁ ଭାରତକୁ ବିଶ୍ବସ୍ତରୀୟ ଶିଳ୍ପ ଓ ନବଉନ୍ମେଷ କେନ୍ଦ୍ରରେ ପରିଣତ କରିବା ଲାଗି ଏମଏସଏମଇ ଓ ଷ୍ଟାର୍ଟଅପ୍ଗୁଡ଼ିକୁ ଆବଶ୍ୟକ ସହଯୋଗ ଯୋଗାଇ ଦେଉଛନ୍ତି। ଏ ସଂପର୍କରେ ସଚେତନତା ସୃଷ୍ଟି କରିବା ଲାଗି ସମ୍ମିଳନୀ ଆୟୋଜନ କରାଯାଇଛି। କାର୍ଯ୍ୟକ୍ରମରେ ବିଜ୍ଞାନ ଓ ଶିଳ୍ପ ଗବେଷଣା ବିଭାଗର ବରିଷ୍ଠ ଅଧିକାରୀ ଓ ବିଶେଷଜ୍ଞମାନେ ଯୋଗ ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କେନ୍ଦ୍ରରୁ ଫେରିଲେ ଆଇଏଏସ୍ ଅଧିକାରୀ ସଞ୍ଜୀବ ମିଶ୍ର, ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର: ଓଡିଶା କ୍ୟାଡର୍ ଆଇଏଏସ୍ ଅଧିକାରୀ ସଞ୍ଜୀବ କୁମାର ମିଶ୍ର ଓଡିଶା ଫେରିବେ। ଶ୍ରୀ ମିଶ୍ରଙ୍କୁ ଓଡିଶା ଫେରାଇ ନେବା ପାଇଁ ଆଜି ଭାରତ ସରକାରଙ୍କ କାର୍ମିକ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଶ୍ରୀ ମିଶ୍ର ଏବେ କେନ୍ଦ୍ରରେ ନ୍ୟାସନାଲ ରିକ୍ୟୁଟ୍‌ମେଣ୍ଟ ଏଜେନ୍ସିର ସଚିବ ତଥା ପରୀକ୍ଷା ନିୟନ୍ତ୍ରକ ଭାବେ କାର୍ଯ୍ୟ କରୁଛନ୍ତି। ଓଡିଶା ପ୍ରତ୍ୟାବର୍ତ୍ତନ କରିବା ପରେ ରାଜ୍ୟ ସରକାର ତାଙ୍କୁ ନିଯୁକ୍ତି ପ୍ରଦାନ କରିବେ।

Categories
ଆଜିର ଖବର ଜାତୀୟ ଖବର

ପିଆଇବି ଓ ସିବିସି ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା କର୍ମଶାଳା

ନୂଆଦିଲ୍ଲୀ: ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ରସୂଚନା କାର୍ଯ୍ୟାଳୟ (ପିଆଇବି) ଏବଂ କେନ୍ଦ୍ରୀୟ ସଂଚାର ବ୍ୟୁରୋ (ସିବିସି) ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହାର ଅଂଶବିଶେଷ ସ୍ୱରୂପ, ଦୁର୍ନୀତି ନିବାରଣ ଉପରେ ଏକ ସ୍ବତନ୍ତ୍ର ଜ୍ଞାନ ବିନିମୟ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏଥିରେ ଦୁର୍ନୀତି ନିବାରଣ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। କାର୍ଯ୍ୟସ୍ଥଳୀରେ ଅସତ୍‌ ଆଚରଣକୁ ରୋକିବା ଏବଂ ସ୍ବଚ୍ଛତା ଓ ନୈତିକ ଅଭ୍ୟାସ ଆଚରଣ କରିବା ଉପରେ ବରିଷ୍ଠ ଅଧିକାରୀମାନେ ଗୁରୁତ୍ବାରୋପ କରିଥିଲେ।

କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଆଇଏଏସ ପ୍ରଦୀପ କୁମାର ବିଶ୍ବାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ପିଆଇବିର ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର ଏବଂ କେନ୍ଦ୍ରୀୟ ସଂଚାର ବ୍ୟୁରୋର ନିର୍ଦ୍ଦେଶକ ଡକ୍ଚର ଗିରିଶ ଚନ୍ଦ୍ର ଦାସ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ। ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଦୁର୍ନୀତି ନିବାରଣ ପାଇଁ ଶପଥ ପାଠ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

କ୍ରିଏଟ ଇନ୍ ଇଣ୍ଡିଆ ଚ୍ୟାଲେଞ୍ଜ ସାରା ଦେଶରେ ଉତ୍ସାହପୂର୍ଣ୍ଣ ଭାବେ ଅତିକ୍ରମ କଲା ୧୦,୦୦୦ ପଞ୍ଜୀକରଣ

ନୂଆଦିଲ୍ଲୀ: ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ  ୱାର୍ଲ୍ଡ ଅଡିଓ ଭିଜୁଆଲ୍ ଏଣ୍ଟରଟେନମେଣ୍ଟ ସମିଟ (ୱେଭ୍ସ)ର ଅଗ୍ରଣୀ କ୍ରିଏଟ୍ ଇନ୍ ଇଣ୍ଡିଆ ଚ୍ୟାଲେଞ୍ଜ୍ – ସିଜିନ୍ ୧ (ସିଆଇସି) କୁ ମିଳୁଥିବା ଜବରଦସ୍ତ ପ୍ରତିକ୍ରିୟା ସମ୍ପର୍କରେ ଘୋଷଣା କରି ଆନନ୍ଦ ପ୍ରକାଶ କରିଛି। ୱେଭ୍ସ ମିଶନକୁ ଆଧାର କରି କ୍ରିଏଟ ଇନ୍ ଇଣ୍ଡିଆ ଚ୍ୟାଲେଞ୍ଜ ସୃଜନଶୀଳ ଅଭିବ୍ୟକ୍ତି ଏବଂ ନବସୃଜନ ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ କରି ଏହି ଦୃଷ୍ଟିକୋଣକୁ ଜୀବନ୍ତ କରିଛି ।

ଭାରତର କ୍ରିଏଟର୍ସ ଇକୋନୋମି ଉପରେ ଗଭୀର ପ୍ରଭାବ ପକାଇବା, ବିଷୟବସ୍ତୁ ପ୍ରସ୍ତୁତକାରୀ ଏବଂ ସୃଜନକାରୀ ମାନଙ୍କୁ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିବା, ସେମାନଙ୍କ ଦକ୍ଷତାକୁ ମୁଦ୍ରାକରଣ କରିବା ଏବଂ ଭାରତୀୟ ଗଣମାଧ୍ୟମ ଏବଂ ମନୋରଞ୍ଜନ ଶିଳ୍ପର ଅଭିବୃଦ୍ଧିରେ ଯୋଗଦାନ କରିବା ସିଆଇସିର ଲକ୍ଷ୍ୟ ରହିଛି । ଏହା ବିଶ୍ୱସ୍ତରରେ ଭାରତର ସଫ୍ଟ ପାୱାର (କୋମଳ ଶକ୍ତି)କୁ  ବୃଦ୍ଧି କରିଥାଏ ଏବଂ ଭାରତର ଉଦୀୟମାନ ସୃଜନଶୀଳ ପ୍ରତିଭାଙ୍କ ପାଇଁ ଏକ ଲଞ୍ଚପ୍ୟାଡ୍ ଭାବରେ କାର୍ଯ୍ୟ କରେ, ଯାହା ସେମାନଙ୍କୁ ବିଶ୍ୱସ୍ତରୀୟ ସ୍ୱୀକୃତି ଆଡକୁ ଆଗେଇ ନେଇଥାଏ ।

ୱେଭ୍ସ ୱେବସାଇଟ : https://wavesindia.org/challenges-2025 ରେ ସମସ୍ତ ଚ୍ୟାଲେଞ୍ଜ ପାଇଁ ପଞ୍ଜୀକରଣ ଖୋଲା ରହିଛି।

ସିଆଇସି : ନବସୃଜନ ପାଇଁ ଏକ ବିବିଧ ପ୍ଲାଟଫର୍ମ

ଚଳିତ ବର୍ଷ ଅଗଷ୍ଟ ୨୨ ତାରିଖରେ ଆରମ୍ଭ ହୋଇଥିବା ସିଆଇସି ଦେଶବ୍ୟାପୀ ଏବଂ ବିଶ୍ୱସ୍ତରରେ ଉଲ୍ଲେଖନୀୟ ଆକର୍ଷଣ ହାସଲ କରିଛି, ଯେଉଁଥିରେ ଟ୍ରୁଥ୍ ଟେଲ୍ ହାକାଥନ୍, କମିକ୍ସ କ୍ରିଏଟର ଚାମ୍ପିଅନସିପ୍, ଇସ୍ପୋର୍ଟସ୍ ଟୁର୍ଣ୍ଣାମେଣ୍ଟ, ଟ୍ରେଲର ମେକିଂ ପ୍ରତିଯୋଗିତା, ଥିମ୍ ମ୍ୟୁଜିକ୍ ପ୍ରତିଯୋଗିତା, ଏକ୍ସଆର୍ କ୍ରିଏଟର ହାକାଥନ୍, ଏଆଇ ଅବତାର କ୍ରିଏଟର ଚ୍ୟାଲେଞ୍ଜ, ଆନିମେ ଚ୍ୟାଲେଞ୍ଜ ସମେତ ୨୭ଟି ଚ୍ୟାଲେଞ୍ଜ ରହିଛି।

ମିଡିଆ ଏବଂ ମନୋରଞ୍ଜନ ଶିଳ୍ପର ବିଭିନ୍ନ କ୍ଷେତ୍ର , ଯଥା ପ୍ରସାରଣ, ବିଜ୍ଞାପନ, ସଙ୍ଗୀତ, ଏଭିଜିସି-ଏକ୍ସ, ଡିଜିଟାଲ ମିଡିଆ, ସୋସିଆଲ ମିଡିଆ, ଚଳଚ୍ଚିତ୍ର, ଉଦୀୟମାନ ପ୍ରଯୁକ୍ତି ବିଦ୍ୟା ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଏହି ଚ୍ୟାଲେଞ୍ଜଗୁଡିକ ବ୍ୟାପକ ହୋଇ ରହିଛି ।

ସିଆଇସି କାର୍ଯ୍ୟକଳାପ ଜୋରସୋରରେ ଚାଲିଛି

ଦେଶବ୍ୟାପୀ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ନିମନ୍ତେ ଶିଳ୍ପ ସଂଘ ସହଯୋଗରେ ଅନେକ ସଫଳ ରୋଡ୍ ସୋ ଆୟୋଜନ କରାଯାଇଥିଲା । ସେପ୍ଟେମ୍ବର ୨୦, ୨୦୨୪ରେ ହାଇଦ୍ରାବାଦ ଠାରେ ଇଣ୍ଡିଆ ଗେମ୍ ଡେଭଲପର୍ ସମ୍ମିଳନୀ (ଆଇଜିଡିସି)ର ସମର୍ଥନରେ ୫୦ ଜଣ ଶିଳ୍ପ ପେସାଦାରଙ୍କ ସମେତ ୨୫୦ରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।

ସେପ୍ଟେମ୍ବର ୨୮ ତାରିଖରେ ଚେନ୍ନାଇ ଭେଗାସ ଫେଷ୍ଟ ୫,୦୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଆକର୍ଷିତ କରିଥିଲା, ଯାହା  ଫିକ୍କି ଦ୍ୱାରା ସଂଯୋଜିତ ଏଭିଜିସି କ୍ଷେତ୍ରର ମହତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲା । ଭାରତୀୟ ଗଣମାଧ୍ୟମ ଓ ମନୋରଞ୍ଜନ ସଂଘ (ଏମ୍ଇଏଆଇ) ଏବଂ ଏବିଏଆଇ ଏଭିଜିସି ସେଣ୍ଟର ଅଫ୍ ଏକ୍ସଲେନ୍ସ (ସିଓଇ)ର ମିଳିତ ଆନୁକୂଲ୍ୟରେ ଅକ୍ଟୋବର ୫ ତାରିଖରେ ବାଙ୍ଗାଲୋର ରୋଡ୍ ସୋ’ ମାଧ୍ୟମରେ ୪୦ – ୫୦ଟି ଶିଳ୍ପନେତୃତ୍ଵ ଓ ସଂଘ ମଧ୍ୟରେ ମୂଲ୍ୟବାନ ବାର୍ତ୍ତାଳାପର ବ୍ୟବସ୍ଥା କରିଥିଲା।

ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ବ୍ୟାପକ ଦର୍ଶକଙ୍କୁ ଆକର୍ଷିତ କରି ଏବଂ ଭାରତର ସୃଜନଶୀଳ ଉଦ୍ୟୋଗ ମଧ୍ୟରେ ସର୍ବାଧିକ ଅଂଶଗ୍ରହଣ କରି କ୍ରିଏଟ୍ ଇନ୍ ଇଣ୍ଡିଆ ଚ୍ୟାଲେଞ୍ଜ (ସିଆଇସି) ସିଜିନ୍ ଏବଂ ବିଶ୍ୱ ଅଡିଓ ଭିଜୁଆଲ୍ ଏଣ୍ଟରଟେନମେଣ୍ଟ  ଶିଖର ସମ୍ମିଳନୀ (ୱେଭ୍ସର ପ୍ରସାରକୁ ବୃଦ୍ଧି କରିବା ପାଇଁ ସମଗ୍ର ଭାରତରେ ଆଗାମୀ ଗଣମାଧ୍ୟମ ଏବଂ ମନୋରଞ୍ଜନ କାର୍ଯ୍ୟକ୍ରମ ସହିତ ସକ୍ରିୟ ସହଯୋଗ କରୁଛି।

ବର୍ତ୍ତମାନ ସୁଦ୍ଧା ୧୦,୦୦୦ରୁ ଅଧିକ ସଂଖ୍ୟାରେ ପଞ୍ଜୀକରଣ ହୋଇଥିବା ବେଳେ ଦୈନିକ ଏହି ସଂଖ୍ୟା ବୃଦ୍ଧି ପାଉଛି। ଏହାର ସଫଳତାକୁ ଆଧାର କରି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସମଗ୍ର ଭାରତରେ ଅନେକ ରୋଡ୍ ସୋ’ ଆୟୋଜନ କରିବାକୁ ଯୋଜନା କରୁଛି, ଯେଉଁଥିରେ ଯୁବବର୍ଗ ଏବଂ ଛାତ୍ରଛାତ୍ରୀଙ୍କୁ ସାମିଲ କରିବା ପାଇଁ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକ ସହ ଭାଗିଦାରୀ କରାଯିବ। ଡିଜିଟାଲ ମିଡିଆ, ଏଭିଜିସି ଏବଂ ଉଦୀୟମାନ ପ୍ରଯୁକ୍ତି ବିଦ୍ୟା ଭଳି ସୃଜନଶୀଳ କ୍ଷେତ୍ରର ସମ୍ଭାବନାକୁ ଉପଲବ୍ଧ କରିବାରେ ସାହାଯ୍ୟ କରି ଛାତ୍ରଛାତ୍ରୀ ଏବଂ ଉଦୀୟମାନ ନିର୍ମାତାମାନଙ୍କୁ ପ୍ରେରଣା ଯୋଗାଇବା ପାଇଁ ଏହି ଅଭିଯାନ ପ୍ରୟାସ କରୁଛି।

ୱେଭ୍ସ ଏବଂ କ୍ରିଏଟ ଇନ୍ ଇଣ୍ଡିଆ ଚ୍ୟାଲେଞ୍ଜର ପ୍ରଭାବକୁ ଆହୁରି ବଢ଼ାଇବା ପାଇଁ ମନ୍ତ୍ରଣାଳୟ ଏକ ବ୍ୟାପକ ପ୍ରଚାର ଅଭିଯାନ ଯୋଜନା କରୁଛି। ଏଥିରେ ସୋସିଆଲ ମିଡିଆ ସହଯୋଗ, ଭାରତର ପ୍ରାୟ ୨୮ଟି ସ୍ଥାନରେ ଘରୋଇ ରୋଡ୍ ସୋ ଏବଂ ଯୁକ୍ତରାଷ୍ଟ୍ର ଆମେରିକା, ଦକ୍ଷିଣ କୋରିଆ ଏବଂ ଜାପାନ​‌​‌ରେ ଅନ୍ତର୍ଜାତୀୟ ରୋଡ୍ ସୋ ଅନ୍ତର୍ଭୁକ୍ତ। ଏହି କାର୍ଯ୍ୟକ୍ରମ ଗୁଡ଼ିକ ସହଯୋଗକୁ ପ୍ରୋତ୍ସାହିତ କରିବ, ଉତ୍ସାହ ସୃଷ୍ଟି କରିବ ଏବଂ ବିଶ୍ୱସ୍ତରୀୟ ଅଂଶଗ୍ରହଣକୁ ଆକୃଷ୍ଟ କରିବ।

Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶା ସରକାର, ଦକ୍ଷତା ବିକାଶ ଆୟୋଗ ଏବଂ କର୍ମଯୋଗୀ ଭାରତ ମଧ୍ୟରେ ତ୍ରିପାକ୍ଷିକ ବୁଝାମଣାପତ୍ର ସ୍ୱାକ୍ଷରିତ 

ଭୁବନେଶ୍ୱର: ସରକାରୀ କର୍ମଚାରୀଙ୍କ ପ୍ରଶିକ୍ଷଣ ଓ ଦକ୍ଷତା ବୃଦ୍ଧି ଦିଗରେ ଏକ ଐତିହାସିକ ପଦକ୍ଷେପ ସ୍ୱରୂପ ଓଡ଼ିଶା ସରକାର, ଭାରତ ସରକାରଙ୍କ ଦକ୍ଷତା ବିକାଶ ଆୟୋଗ (ସିବିସି) ଏବଂ କର୍ମଯୋଗୀ ଭାରତ ମଧ୍ୟରେ ଆଜି ଏକ ତ୍ରିପାକ୍ଷିକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଭୁବନେଶ୍ୱର ଲୋକସେବା ଭବନସ୍ଥିତ ୨ୟ ମହଲା ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏହି ଚୁକ୍ତିନାମା ଆନୁଷ୍ଠାନିକ ଭାବେ ସ୍ୱାକ୍ଷରିତ ହୋଇଥିବା ସ୍ଥଳେ  ଲୋକସେବା ଭବନ ପ୍ରଥମ ମହଲା ସ୍ଥିତ ରାଜସ୍ୱ ଏବଂ  ବିପର୍ଯ୍ୟୟ ପରିଚାଳନା ବିଭାଗ ସମ୍ମିଳନୀ କକ୍ଷ ଓ ଅନ୍ୟ ବିଭିନ୍ନ ସ୍ଥାନରୁ ଅଂଶଗ୍ରହଣକାରୀମାନେ ଆଭାସୀ  ବ୍ୟବସ୍ଥା ମାଧ୍ୟମରେ ଯୋଗଦେଇଥିଲେ।

ଏହି ତ୍ରୈପାକ୍ଷିକ ଚୁକ୍ତିନାମା ଓଡ଼ିଶାରେ ବିଶେଷ କରି ସିଭିଲ ସର୍ଭିସ୍ ସେବାରେ ନିଯୁକ୍ତି ପାଉଥିବା ସରକାରୀ କର୍ମଚାରୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବ ବୋଲି ଆଶା କରାଯାଉଛି।

ଓଡ଼ିଶା ସରକାରଙ୍କ ତରଫରୁ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ମହା ନିର୍ଦ୍ଦେଶକ ଜି. ମାଥିଭାଥାନନ୍, ସିବିସିର ସଚିବ ତଥା ‘କର୍ମଯୋଗୀ ଭାରତ’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଭି.ଲଳିତା ଲକ୍ଷ୍ମୀ ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ମୁଖ୍ୟ ଶାସନ ସଚିବ,ଓଡ଼ିଶା ମନୋଜ ଆହୁଜା,ଦକ୍ଷତା ବିକାଶ ଆୟୋଗର ମାନବ ସମ୍ବଳ ସଦସ୍ୟ ଡ. ଆର୍ ବାଲସୁବ୍ରମଣ୍ୟମ ପ୍ରମୁଖଙ୍କ  ଯୋଗଦେଇଥିଲେ। ଏଥିରେ ଓଡ଼ିଶା ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ସଚିବ,  ନୋଡାଲ ଅଫିସର (ଦକ୍ଷତା ବିକାଶ) ଏବଂ ସମସ୍ତ ରାଜ୍ୟସ୍ତରୀୟ ସରକାରୀ ପ୍ରଶିକ୍ଷଣ ଅନୁଷ୍ଠାନର ମୁଖ୍ୟ ଏହି କାର‌୍ୟ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ଅବସରରେ ଆଇଜିଓଟି ପ୍ଲାଟଫର୍ମ ମାଧ୍ୟମରେ ପ୍ରଶିକ୍ଷଣ ଏବଂ ଦକ୍ଷତା ବିକାଶର ଡିଜିଟାଲ ରୂପାନ୍ତର ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା।

ଏହି ପ୍ରଶିକ୍ଷଣ ସହଯୋଗ, ରାଜ୍ୟ ପାଇଁ ବାର୍ଷିକ ଦକ୍ଷତା ବିକାଶ ଯୋଜନାର ବିକାଶ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଉପରେ ଧ୍ୟାନ ଦିଆଯାଇ ପ୍ରସ୍ତୁତ କରାଯାଇଛି,ଯାହା  ଓଡ଼ିଶାର ସରକାରୀ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି କରିବାରେ ସହାୟକ ହେବ। ଏହି ପ୍ରଶିକ୍ଷଣ ଢାଞ୍ଚା ବିଭିନ୍ନ କାର‌୍ୟ୍ୟକ୍ରମ ଏବଂ ଦକ୍ଷତା ପରିଚାଳନାକୁ ସମର୍ଥନ କରୁଛି।  ଆଇଜିଓଟି ପ୍ଲାଟଫର୍ମରେ ଶିକ୍ଷଣ ସମ୍ବଳ ଚିହ୍ନଟ ଏବଂ ପ୍ରକାଶନ; ବିଷୟବସ୍ତୁ ବିକାଶକାରୀଙ୍କୁ ଚିହ୍ନଟ କରିବାରେ ରାଜ୍ୟକୁ ସହାୟତା କରିବା ସଙ୍ଗେ ସଙ୍ଗେ  ଦକ୍ଷତା ବିକାଶ ପାଇଁ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଗତିଶୀଳ ସହଯୋଗକୁ ପ୍ରୋତ୍ସାହିତ କରିବା; ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଓ କର୍ମଚାରୀଙ୍କୁ ଆଇଜିଓଟି ପ୍ଲାଟଫର୍ମକୁ ଆଣିବା; ଏବଂ ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଏକ ଦକ୍ଷତା ପାସ୍ ବୁକ୍ ବିକଶିତ କରିବାରେ ଏହା ସହାୟକ ହେବ।

ଏହି ବୁଝାମଣାପତ୍ର ଓଡ଼ିଶାର ପ୍ରଶିକ୍ଷଣ ଅନୁଷ୍ଠାନଗୁଡ଼ିକର ପରିଚାଳନା ଦକ୍ଷତା ବୃଦ୍ଧି କରିବା ସହ  ରାଜ୍ୟସ୍ତରୀୟ ପ୍ରଶିକ୍ଷଣ କାର‌୍ୟ୍ୟକ୍ରମଗୁଡ଼ିକୁ ମିଶନ କର୍ମଯୋଗୀର ଜାତୀୟ ଉଦ୍ଦେଶ୍ୟ ସହ ଯୋଡ଼ିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହି  ଚୁକ୍ତିନାମା ସରକାରୀ କର୍ମଚାରୀମାନଙ୍କ ପ୍ରଶିକ୍ଷଣର ଗୁଣବତ୍ତା ଓ ପରିସରରେ ଉନ୍ନତି ଆଣି ଓଡ଼ିଶାର ଶାସନ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ କାର‌୍ୟ୍ୟ କରିବ ବୋଲି ଆଶା କରାଯାଉଛି।

ଏହି ତ୍ରିପାକ୍ଷିକ ବୁଝାମଣାପତ୍ର ଏକ ଦୂରଦୃଷ୍ଟି ସମ୍ପନ୍ନ ସିଭିଲ୍ ସର୍ଭିସ୍ ପ୍ରଶିକ୍ଷଣ ଇକୋସିଷ୍ଟମ୍ ସୃଷ୍ଟି କରିବା ଦିଗରେ ଓଡ଼ିଶାର ପ୍ରତିବଦ୍ଧତାକୁ ପ୍ରତିଫଳିତ କରିବା ସହ ଭବିଷ୍ୟତ ପାଇଁ ଏକ ସଶକ୍ତ, ଦକ୍ଷ ଏବଂ  ସକ୍ଷମ ପ୍ରଶାସନିକ ଢାଞ୍ଚା ପ୍ରସ୍ତୁତି ଦିଗରେ ଏକ ପ୍ରମୁଖ ପଦକ୍ଷେପ ହୋଇଛି  ଗୋପବନ୍ଧୁ ପ୍ରଶାସନିକ  ଏକାଡେମୀର ମହାନିର୍ଦ୍ଦେଶକ ଏହି ବ୍ୟବସ୍ଥାରେ ରହିଥିବା ବିଭିନ୍ନ ପ୍ରଶିକ୍ଷଣ ପଦ୍ଧତିର ଢାଞ୍ଚା କିପରି ପ୍ରଶିକ୍ଷାର୍ଥୀଙ୍କ ଦକ୍ଷତା ବୃଦ୍ଧିରେ ସହାୟକ ହେବ, ସେ ସମ୍ପର୍କରେ ଆଲୋକପାତ କରିଥିଲେ।

ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା ତାଙ୍କ ବକ୍ତବ୍ୟରେ ୨୦୩୬ ସୁଦ୍ଧା ଏକ ବିକଶିତ ଓଡ଼ିଶାର ସ୍ୱପ୍ନକୁ ସାକାର କରିବା ସହ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନର ସ୍ୱପ୍ନକୁ ସାକାର କରିବାରେ ଓଡ଼ିଶାର ଯୋଗଦାନ  ପାଇଁ ଏକ ଦକ୍ଷ ଏବଂ ସଶକ୍ତ ପ୍ରଶାସନିକ କଳ ନିମନ୍ତେ ଏହି ପଦକ୍ଷେପ ଏକ ସୁଦୃଢ଼ ମୂଳଦୂଆ ହେବ ବୋଲି  ପ୍ରକାଶ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କାର୍ଯ୍ୟ କ୍ଷେତ୍ରରେ ହିନ୍ଦୀ ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକ

ଭୁବନେଶ୍ୱର: ଭାରତ ସରକାରଙ୍କ ସରକାରୀ ଭାଷା ନୀତି ସହିତ ସରକାରୀ କାର୍ଯ୍ୟରେ ହିନ୍ଦୀ ଭାଷାର ବ୍ୟବହାରକୁ ମଜବୁତ କରିବା ପାଇଁ ପୂର୍ବତଟ ରେଳପଥ ଏହାର ମୁଖ୍ୟାଳୟ ଭୁବନେଶ୍ୱରର ଚନ୍ଦ୍ରଶେଖରପୁରସ୍ଥିତ ରେଳ ସଦନ ଠାରେ ଏକ କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକ ଆୟୋଜନ କରିଥିଲା। ସମସ୍ତ ସ୍ତରରେ ସରକାରୀ କାର୍ଯ୍ୟରେ ହିନ୍ଦୀ ବ୍ୟବହାରକୁ ବୃଦ୍ଧି କରାଇବା ପାଇଁ ପୂର୍ବତଟ ରେଳପଥର ପ୍ରତିବଦ୍ଧତାକୁ ଏହି ବୈଠକରେ ଦର୍ଶାଯାଇଛି।

ଏହି ବୈଠକରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ଯୋଗଦାନ କରି ସରକାରୀ କାର୍ଯ୍ୟକଳାପରେ ବିଶେଷ ଭାବରେ ଇ-ଫାଇଲ, ଇ-ଅଫିସ ଏବଂ ଅଫିସିଆଲ ନୋଟିଙ୍ଗସ ମାଧ୍ୟମରେ ହିନ୍ଦୀ ବ୍ୟବହାରର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ। ଦୈନନ୍ଦିନ କାର୍ଯ୍ୟରେ ହିନ୍ଦୀ ଭାଷାର ଗୁରୁତ୍ୱ ଉପରେ ପ୍ରାଥମିକତା ଦେଇ ନୋଟ୍ ଡ୍ରାଫ୍ଟ ଏବଂ ଚିଠି ଲେଖିବାକୁ ସେ କର୍ମଚାରୀମାନଙ୍କୁ ଉପଦେଶ ଦେଇଥିଲେ।

ସରକାରୀ କାର୍ଯ୍ୟରେ ହିନ୍ଦୀର ବ୍ୟବହାରକୁ ଆହୁରି ବୃଦ୍ଧି କରାଇବା ପାଇଁ ଅନେକ ପ୍ରମୁଖ ପଦକ୍ଷେପ ଗ୍ରହଣ କରିବାକୁ ମହାପ୍ରବନ୍ଧକ କହିଥିଲେ ଯେଉଁଥିରେ….

ନିୟମିତ ଯାଞ୍ଚ: ସରକାରୀ କାର୍ଯ୍ୟରେ ହିନ୍ଦୀ ଉପରେ ନଜର ରଖିବା ଏବଂ ପ୍ରୋତ୍ସାହିତ କରିବା ପାଇଁ ଷ୍ଟେସନ୍ ଏବଂ ରେଳ ମଣ୍ଡଳ ଗୁଡ଼ିକର ନିୟମିତ ପରିଦର୍ଶନ କରିବା।

ରାଜଭାଷା ଇ-ପତ୍ରିକା: କାର୍ଯ୍ୟ କ୍ଷେତ୍ରରେ ରେଫରେନ୍ସ ସାମଗ୍ରୀ ଯୋଗାଇବା ଏବଂ କର୍ମଚାରୀଙ୍କ ମଧ୍ୟରେ ସୃଜନଶୀଳ ହିନ୍ଦୀ ଲେଖାକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଉତ୍ସର୍ଗୀକୃତ ଇ-ପତ୍ରିକା ପ୍ରକାଶ କରିବା।

ଏହି ବୈଠକରେ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ମହେଶ କୁମାର ବେହେରା, ମୁଖ୍ୟ ରାଜଭାଷା ଅଧିକାରୀ ତଥା ପ୍ରମୁଖ ବୈଦ୍ୟୁତିକ ଯନ୍ତ୍ରୀ ଆଲୋକ ସହାୟଙ୍କ ସହିତ ରେଳପଥର ସମସ୍ତ ପ୍ରମୁଖ ଓ ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ।

ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ହିନ୍ଦୀକୁ ଏହାର କାର୍ଯ୍ୟ ସଂସ୍କୃତିର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବରେ ପରିଣତ କରିବା ସହ ରାଜଭାଷା ପଦକ୍ଷେପକୁ ପ୍ରଭାବଶାଳୀ ଯୋଗାଯୋଗ ଏବଂ ଅନୁକରଣକୁ ଏକ ଗୁରୁତ୍ୱପୂର୍ଣ୍ଣ ସ୍ମାରକ ଭାବରେ ପରିଣତ କରିବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ବିଶେଷ ପଦକ୍ଷେପ ନିଆଯାଉଅଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଅକ୍ଟୋବର ୨୦ ସୁଦ୍ଧା ନାସିକରୁ ଦିଲ୍ଲୀକୁ ରେଳ ରେକ୍ ଯୋଗେ ଆସିବ ୧୬୦୦ ମେଟ୍ରିକ ଟନ୍ ପିଆଜ, ଦର କମିବ

ନୂଆଦିଲ୍ଲୀ: ଭାରତ ସରକାରଙ୍କ ଖାଉଟି ବ୍ୟାପାର ବିଭାଗ ପକ୍ଷରୁ ମୂଲ୍ୟ ସ୍ଥିରତା ପାଣ୍ଠି ଅଧୀନରେ ଭାରତୀୟ ଜାତୀୟ ସମବାୟ ଉପଭୋକ୍ତା ମହାସଂଘ ଲିମିଟେଡ୍ (ଏନସିସିଏଫ୍‌) ଦ୍ୱାରା କ୍ରୟ କରାଯାଇଥିବା ୧୬୦୦ ମେଟ୍ରିକ୍ ଟନ୍ (୪୨ ବିସିଏନ୍ ୱାଗନ୍ ଅର୍ଥାତ୍ ପାଖାପାଖି ୫୩ ଟ୍ରକ୍‌) ପିଆଜ ନାସିକରୁ ଦିଲ୍ଲୀ ଏନସିଆରକୁ କାଣ୍ଡା ଫାଷ୍ଟ ଟ୍ରେନ୍ ଯୋଗେ ରେଳରେ ପଠାଯାଉଛି ବୋଲି ଘୋଷଣା କରାଯାଇଛି। ପ୍ରଥମ ଥର ପାଇଁ ମୂଲ୍ୟ ସ୍ଥିରତା ହସ୍ତକ୍ଷେପ ଅଧୀନରେ ରେଳ ରେକ୍ ମାଧ୍ୟମରେ ପିଆଜର ବ୍ୟାପକ ପରିବହନ କରାଯାଇଛି। ୨୦ ଅକ୍ଟୋବର, ୨୦୨୪ ସୁଦ୍ଧା ରପ୍ତାନି ପିଆଜ ଆସିବାର କାର୍ଯ୍ୟକ୍ରମ ରହିଛି ଏବଂ ଏହି ଷ୍ଟକ୍ ଦିଲ୍ଲୀ- ଏନସିଆରରେ ବଜାରରେ ଉପଲବ୍ଧ ହେବ, ଯାହା ଏହି ପାର୍ବଣ ଋତୁରେ ଉପଭୋକ୍ତାଙ୍କ ପାଇଁ ଉପଲବ୍ଧତାକୁ ଯଥେଷ୍ଟ ବୃଦ୍ଧି କରିବ।

ଭାରତ ସରକାରଙ୍କ ଖାଉଟି ବ୍ୟାପାର ବିଭାଗର ସଚିବ ନିଧି ଖାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯେ ପିଆଜ ପରିବହନର ଏକ ମାଧ୍ୟମ ଭାବରେ ରେଳବାଇ ଗୁରୁତ୍ୱ ବହନ କରିବ କାରଣ ନିଷ୍କାସନର ଗତିକୁ ସୁଦୃଢ଼ କରିବା ପାଇଁ ଅଧିକ ଗନ୍ତବ୍ୟ ସ୍ଥଳ ସଂଯୋଗ କରାଯାଉଛି। ଆସନ୍ତା କିଛି ଦିନ ମଧ୍ୟରେ ଲକ୍ଷ୍ନୌ ଏବଂ ବାରାଣସୀକୁ ରେଳ ରେକ୍ ଯୋଗେ ରପ୍ତାନି କରାଯିବ। ନାସିକ୍ ରୁ ଉତ୍ତର- ପୂର୍ବାଞ୍ଚଳର ଏକାଧିକ ସ୍ଥାନକୁ ପିଆଜ ରେକ୍ ପରିବହନ ପାଇଁ ଅନୁମତି ଦେବାକୁ ବିଭାଗ ଭାରତୀୟ ରେଳବାଇକୁ ଅନୁରୋଧ କରିଛି, ଯେଉଁଥିରେ (୧) ଏନଜେପି : ନ୍ୟୁ ଜଳପାଇଗୁଡ଼ି (ସିଲିଗୁଡ଼ି), (୨) ଡିବିଆରଜି – ଦିବ୍ରୁଗଡ଼, (୩) ଏନଟିଏସକେ – ନ୍ୟୁ ତିନସୁକିଆ ଏବଂ (୪) ସିଜିଏସ୍‌: ଚାଙ୍ଗସାରୀ ଅନ୍ତର୍ଭୁକ୍ତ। ଏହା ଦ୍ୱାରା ଭାରତର ବିଭିନ୍ନ ଅଞ୍ଚଳରେ ପିଆଜର ବ୍ୟାପକ ଉପଲବ୍ଧତା ସୁନିଶ୍ଚିତ ହେବ ଏବଂ ଗ୍ରାହକଙ୍କୁ ଅତ୍ୟନ୍ତ ଉଚିତ ମୂଲ୍ୟରେ ଏହାର ଉପଲବ୍ଧତା ସୁନିଶ୍ଚିତ ହେବ।

ସରକାର ଚଳିତ ବର୍ଷ ମୂଲ୍ୟ ସ୍ଥିରତା ବଫର ପାଇଁ ୪.୭ ଲକ୍ଷ ଟନ୍ ରବି ପିଆଜ କ୍ରୟ କରିଥିଲେ ଏବଂ ୨୦୨୪ ସେପ୍ଟେମ୍ବର ୫ ତାରିଖରୁ କିଲୋ ପିଛା ୩୫ ଟଙ୍କାରେ ଖୁଚୁରା ବିକ୍ରି ଏବଂ ଦେଶର ପ୍ରମୁଖ ମଣ୍ଡିଗୁଡ଼ିକରେ ବିପୁଳ ପରିମାଣରେ ବିକ୍ରି ମାଧ୍ୟମରେ ବଜାରକୁ ପିଆଜ ଛାଡିବା ଆରମ୍ଭ କରିଥିଲେ। ବର୍ତ୍ତମାନ ସୁଦ୍ଧା ବଫରରେ ଥିବା ପ୍ରାୟ ୯୨,୦୦୦ ମେଟ୍ରିକ ଟନ୍ ପିଆଜ ନାସିକ୍ ଏବଂ ଅନ୍ୟ ଉତ୍ସ କେନ୍ଦ୍ରରୁ ସଡ଼କ ପରିବହନ ମାଧ୍ୟମରେ ଟ୍ରକ୍ ଯୋଗେ ଖାଉଟି କେନ୍ଦ୍ରକୁ ପଠାଯାଇଛି। ବର୍ତ୍ତମାନ ସୁଦ୍ଧା ଏନସିସିଏଫ୍ ୨୧ଟି ରାଜ୍ୟର ୭୭ଟି ଗନ୍ତବ୍ୟସ୍ଥଳକୁ ପରିସରଭୁକ୍ତ କରିସାରିଛି ଏବଂ ନାଫେଡ୍ ୧୬ଟି ରାଜ୍ୟର ୪୩ଟି ଗନ୍ତବ୍ୟ ସ୍ଥଳକୁ ପିଆଜ ପଠାଇବା ଅନ୍ତର୍ଭୁକ୍ତ କରିଛି। ଖୁଚୁରା ଉପଭୋକ୍ତାଙ୍କୁ କିଲୋ ପିଛା ୩୫ ଟଙ୍କାରେ ପିଆଜ ଯୋଗାଇ ଦେବା ପାଇଁ ଏଜେନ୍ସିଗୁଡିକ ସଫଳ, କେନ୍ଦ୍ରୀୟ ଭଣ୍ଡାର ଏବଂ ରିଲାଏନ୍ସ ରିଟେଲ ଭଳି ଖୁଚୁରା ଚେନ୍ ସହିତ ଭାଗିଦାରୀ କରିଛନ୍ତି। ଏହାବ୍ୟତୀତ ଖୁଚୁରା ବିତରଣ ପାଇଁ ୯ଟି ରାଜ୍ୟ ସରକାର / ସମବାୟ ସମିତିକୁ ୮୬,୫୦୦ ମେଟ୍ରିକ୍ ଟନ୍ ପିଆଜ ଆବଣ୍ଟନ କରାଯାଇଛି।

ପିଆଜ ଯୋଗାଣ ଆରମ୍ଭ ହେବା ପରଠାରୁ ଆଜି ପର୍ଯ୍ୟନ୍ତ ପିଆଜ ଦର ବୃଦ୍ଧି ଧାରାକୁ ଯଥେଷ୍ଟ ରୋକାଯାଇପାରିଛି। ୨୦୨୪ ସେପ୍ଟେମ୍ବର ପ୍ରଥମ ସପ୍ତାହ ତୁଳନାରେ ଉତ୍ତରପ୍ରଦେଶ, ହରିୟାଣା, ମହାରାଷ୍ଟ୍ର, ଓଡ଼ିଶା, ପଞ୍ଜାବ, ଝାଡ଼ଖଣ୍ଡ ଓ ତେଲେଙ୍ଗାନା ଭଳି ପ୍ରମୁଖ ରାଜ୍ୟ ଗୁଡ଼ିକରେ ହାରାହାରି ଖୁଚୁରା ମୂଲ୍ୟ ହ୍ରାସ ପାଇଛି। ଲାସଲଗାଓଁରେ ମଣ୍ଡି ଦର ମଧ୍ୟ ସେପ୍ଟେମ୍ବର ୨୪ ରେ କିଲୋ ପିଛା ୪୭ ଟଙ୍କା ଥିବା ବେଳେ ୧୫ ଅକ୍ଟୋବର, ୨୦୨୪ରେ ଏହା ୪୦ ଟଙ୍କାକୁ ଖସି ଆସିଛି।

ବଜାରରେ ପିଆଜର ପ୍ରଚୁର ଯୋଗାଣ ସୁନିଶ୍ଚିତ କରିବା ପାଇଁ ରେଳ ରେକ୍ ମାଧ୍ୟମରେ ପିଆଜର ବ୍ୟାପକ ପରିବହନ ପାଇଁ ଏନସିସିଏଫ୍ ଦ୍ୱାରା ନିଆଯାଇଥିବା ପଦକ୍ଷେପ ଏକ ଗୁରୁତ୍ୱପୂର୍ଣ୍ଣ  ପଦକ୍ଷେପ। ରେଳ ପଥରେ ଉପଭୋକ୍ତା କେନ୍ଦ୍ରକୁ ପିଆଜର ଶସ୍ତା ଏବଂ ଦ୍ରୁତ ପରିବହନ ବ୍ୟବସ୍ଥା ରହିଛି। ପରିବହନର ଏହି ଦକ୍ଷ ପଦ୍ଧତି ବିଭିନ୍ନ ଅଞ୍ଚଳକୁ ପିଆଜକୁ ଠିକ୍ ସମୟରେ ଏବଂ ବିଶ୍ୱସନୀୟ ରୂପରେ ପହଞ୍ଚାଇବାରେ ସହାୟକ ହେବ।

ଟମାଟୋ ସମ୍ପର୍କରେ ଉପଭୋକ୍ତା ବ୍ୟାପାର ସଚିବ କହିଛନ୍ତି ଯେ ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଏବଂ ମହାରାଷ୍ଟ୍ରର ପ୍ରମୁଖ ଟମାଟୋ ଉତ୍ପାଦନ ହେଉଥିବା ଅଞ୍ଚଳରେ ଅତ୍ୟଧିକ ବର୍ଷା ଏବଂ ଉଚ୍ଚ ଆର୍ଦ୍ରତା ସ୍ତର ଯୋଗୁଁ ଟମାଟୋ ଦର ବୃଦ୍ଧି ଘଟିଛି। ପ୍ରତିକୂଳ ପାଣିପାଗ ପରିସ୍ଥିତି ଏବଂ କେତେକ ସ୍ଥାନରେ ରୋଗ ଆକ୍ରମଣ ଘଟଣା ଟମାଟୋ ଅମଳ ଏବଂ ସେଲ୍ଫ ଲାଇଫ୍‌କୁ ମଧ୍ୟ ପ୍ରଭାବିତ କରିଥିଲା। ଆଗାମୀ ଦିନରେ ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶରୁ ଟମାଟୋ ଅଧିକ ପରିମାଣରେ ଆସିବାର ଥିବାରୁ ଯୋଗାଣ ସ୍ଥିତିରେ ସୁଧାର ଆସିବ ଯାହା ଟମାଟୋ ଦରକୁ ହ୍ରାସ କରିବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କବି ସୁରେଶ କୁମାର ପ୍ରଧାନ ଦିଲ୍ଲୀରେ ସମ୍ବର୍ଦ୍ଧିତ

କୁଜଙ୍ଗ: ଶନିବାର ଦିନ ନୂଆ ଦିଲ୍ଲୀସ୍ଥିତ କଣ୍ଟିଚ୍ୟୁସନ୍ କ୍ଳବ୍ ଅଫ୍ ଇଣ୍ଡିଆ ପରିସରରେ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳର କବି ସୁରେଶ କୁମାର ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଉକ୍ତ ଭବ୍ୟ ଉତ୍ସବରେ ଦିଲ୍ଲୀ ସରକାର ତଥା ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରଣାଳୟ ସହ ଅନୁବନ୍ଧିତ ଥିବା ୱେଲ ଏଜୁକେଶନାଲ ଆଣ୍ଡ ପିସ୍ କାଉନସିଲ୍ ଦ୍ଵାରା ଆୟୋଜିତ ଆନ୍ତର୍ଜାତୀୟ ସେମିନାରରେ ଅଂଶ ଗ୍ରହଣ ପୂର୍ବକ କୁଜଙ୍ଗ ବ୍ଲକ୍ ଗଣ୍ଡକିପୁର ଗ୍ରାମର କବି ସୁରେଶ କୁମାର ପ୍ରଧାନଙ୍କୁ ସାହିତ୍ୟ ସାଧନା ତଥା ସମାଜ ସେବା କ୍ଷେତ୍ରରେ ନିରନ୍ତର ପ୍ରୟାସ ନିମନ୍ତେ ଡକ୍ଟରେଟ ଉପାଧିରେ ଅଭିଭୂଷିତ ହେବା ସହିତ ନୀତି ଆୟୋଗ ଦ୍ଵାରା ପଞ୍ଜୀକୃତ ମାନବିକ ଅଧିକାର କର୍ମୀ ହିସାବରେ ମାନ୍ୟତା ପ୍ରାପ୍ତ କରିଛନ୍ତି।

ଉକ୍ତ ସେମିନାରରେ କେନ୍ଦ୍ର ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ହର୍ଷ ମାଲହୋତ୍ରା, ଲୋକସଭା ସଦସ୍ୟ ମନୋଜ ତିୱାରୀ, ଏମପି ପ୍ରବୀଣ ଖଣ୍ଡେଲୱାଲ୍,ଦିଲ୍ଲୀ ବିଧାନସଭା ସଦସ୍ୟ ମହେନ୍ଦ୍ର ନାଗପାଲ, ସ୍କିଲ୍ ଇଣ୍ଡିଆ ଫାଉଣ୍ଡର ବିଷ୍ଣୁ ପ୍ରସାଦ ବରାଳ,ଭାରତୀୟ ଜନତା ପାର୍ଟିର ତାମିଲନାଡୁ ରାଜ୍ୟ ସଭାପତି ଆର୍ ମୋହନ ସ୍ବାମୀ, ଦିଲ୍ଲୀ ପ୍ରଦେଶ ଉପସଭାପତି ଗୀତା ସିଂହ, ରାଜ୍ୟସଭା ସଦସ୍ୟ ବ୍ରହ୍ମଦେବ ଆନନ୍ଦ ପାଶ୍ଵାନ ପ୍ରମୁଖ ଉପସ୍ଥିତ ରହି ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ ଉତ୍ସବ ମୁଖର କରିଥିଲେ। କବି ପ୍ରଧାନଙ୍କ ସଫଳତା ପାଇଁ କୁଜଙ୍ଗ ଅଞ୍ଚଳର ସମସ୍ତ ସାହିତ୍ୟିକ ବନ୍ଧୁମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Categories
ଆଜିର ଖବର

ନୂଆଦିଲୀରେ ‘ଗ୍ଲୋବାଲ ବାୟୋ ଇଣ୍ଡିଆ’ କାର୍ଯ୍ୟକ୍ରମ: ବିପୁଳ ସମ୍ଭାବନାକୁ ପ୍ରଦର୍ଶନ କରୁଛି ଓଡ଼ିଶା

ନୂଆଦିଲ୍ଲୀ/ଭୁବନେଶ୍ୱର: ନୂଆଦିଲ୍ଲୀର ପ୍ରଗତି ମଇଦାନଠାରେ ଆରମ୍ଭ ହୋଇଛି ତିନିଦିନିଆ ‘ଗ୍ଲୋବାଲ ବାୟୋ-ଇଣ୍ଡିଆ ୨୦୨୪’। ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟ ଅଧୀନରେ ବାୟୋଟେକ୍ନୋଲୋଜି ବିଭାଗ ପକ୍ଷରୁ ଏହି ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ କରାଯାଉଛି। ଏହା ୧୪ ତାରିଖ ଯାଏଁ ଚାଲିବ।

ଏହି କାର୍ଯ୍ୟକ୍ରମରେ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଭାରତର ବର୍ତ୍ତମାନର ସ୍ଥିତି ଓ ଭବିଷ୍ୟତକୁ ନେଇ ବିଭିନ୍ନ ବୈଷୟିକ ସମ୍ମିଳନୀ ଓ ପ୍ରଦର୍ଶନୀ ଆୟୋଜନ କରାଯାଉଛି। ଏଥିରେ ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ବୈଷୟିକ ବିଭାଗ ସାମିଲ ହୋଇ ରାଜ୍ୟର ଅନନ୍ୟ ଜୈବ ସମ୍ବଳ ଏବଂ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଥିବା ବିପୁଳ ସମ୍ଭାବନାକୁ ପ୍ରଦର୍ଶନ କରୁଛି।

ଗ୍ଲୋବାଲ ବାୟୋ-ଇଣ୍ଡିଆ କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଓଡ଼ିଶା ପାଭିଲିୟନ ଖୋଲାଯାଇଛି। ଏହାକୁ ବିଭାଗୀୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉଦଘାଟନ କରିଛନ୍ତି। ଏହି ପାଭିଲିୟନରେ ରାଜ୍ୟର ବିଭିନ୍ନ ବାୟୋଟେକ୍ନୋଲୋଜି ଷ୍ଟାର୍ଟଅପ୍ ଅଂଶଗ୍ରହଣ କରି ସେମାନଙ୍କ ଅଭିନବ ଜ୍ଞାନକୌଶଳ ଓ ଉତ୍ପାଦକୁ ପ୍ରଦର୍ଶନ କରୁଛନ୍ତି।

‘‘ବାୟୋଟେକ୍ନୋଲୋଜି କ୍ଷେତ୍ର ପାଇଁ ଓଡ଼ିଶାରେ ବିପୁଳ ସମ୍ଭାବନା ରହିଛି। ଘଞ୍ଚ ଜଙ୍ଗଲ, ବିଭିନ୍ନ ଔଷଧୀୟ ବୃକ୍ଷରେ ଭରପୂର ପର୍ବତ, ହେନ୍ତାଳ ବଣ, ଚିଲିକା ହ୍ରଦ, ସୁଦୀର୍ଘ ବେଳାଭୂମି ଭଳି ପ୍ରାକୃତିକ ସମ୍ପଦ ରହିଛି। ଏହାକୁ ଆଧାରକରି ଆଗାମୀ ଦିନରେ ଓଡ଼ିଶାରେ କିପରି ବାୟୋଟେକ୍ନୋଲୋଜି ଶିଳ୍ପ ସ୍ଥାପନ ହୋଇପାରିବ ତା’ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ ଆମେ ଦେଶ ବିଦେଶର ନିବେଶକମାନଙ୍କୁ ଓଡ଼ିଶାକୁ ଆମନ୍ତ୍ରଣ କରୁଛୁ’’, କହିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

ଏହି ଅବସରରେ ମନ୍ତ୍ରୀ ଓଡ଼ିଶା ପାଭିଲିୟନ ବୁଲି ଦେଖିବା ସହ ଷ୍ଟାର୍ଟଅପମାନଙ୍କ ଅଭିନବ ପଦକ୍ଷେପକୁ ପ୍ରଶଂସା କରିଥିଲେ।

ଏହି କାର୍ଯ୍ୟକ୍ରମରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଚିତ୍ରା ଆରୁମୁଗମ ଯୋଗ ଦେଇଥିଲେ। ସେ କହିଥିଲେ, ‘‘ବାୟୋଟେକ୍ନୋଲୋଜି କ୍ଷେତ୍ରକୁ ଓଡ଼ିଶା ସରକାର ବିଶେଷ ଗୁରୁତ୍ୱ ଦେଇ ଆସୁଛନ୍ତି। ଏହି କ୍ଷେତ୍ରକୁ ଆଗକୁ ନେବା ପାଇଁ ସ୍ୱତନ୍ତ୍ର ନୀତି ପ୍ରସ୍ତୁତ କରାଯାଇଛି। ବାୟୋଟେକ୍ନୋଲୋଜି କ୍ଷେତ୍ରରେ କାମ କରୁଥିବା ଓଡ଼ିଶାର ଷ୍ଟାର୍ଟଅପଗୁଡ଼ିକର ଅଭିନବ ଉତ୍ପାଦକୁ ପ୍ରୋତ୍ସାହନ ଦେବା ସହିତ ସେମାନଙ୍କୁ ନିବେଶକଙ୍କ ସହ ଯୋଡ଼ିବା ଲାଗି ଲକ୍ଷ୍ୟ ରଖାଯାଇଛି।’’

‘ଗ୍ଲୋବାଲ ବାୟୋ ଇଣ୍ଡିଆ’ କାର୍ଯ୍ୟକ୍ରମରେ ବିଭାଗୀୟ ବରିଷ୍ଠ ଅଧିକାରୀ, ବୈଜ୍ଞାନିକ ଏବଂ ବିଭିନ୍ନ ଷ୍ଟାର୍ଟଅପକୁ ନେଇ ଓଡ଼ିଶା ସରକାରଙ୍କ ଏକ ଟିମ୍ ଏହି କାର୍ଯ୍ୟକ୍ରମରେ ଭାଗ ନେଇଛନ୍ତି। ସେହିପରି ଓଡ଼ିଶାର ବାୟୋଟେକ୍ନୋଲୋଜି କ୍ଷେତ୍ରରେ କାମ କରୁଥିବା ବିଭିନ୍ନ ଉଚ୍ଚଶିକ୍ଷା ଓ ଗବେଷଣା ଅନୁଷ୍ଠାନର ମୁଖ୍ୟ ଓ ଅଧ୍ୟାପକମାନେ ଓଡ଼ିଶା ପାଭିଲିୟନ ବୁଲି ଦେଖିଛନ୍ତି।

ବାୟୋଟେକ୍ନାଲୋଜି ଶିଳ୍ପର ପ୍ରସାର ଲାଗି ବିଭିନ୍ନ ରାଜ୍ୟ ଆଣିଥିବା ସ୍ୱତନ୍ତ୍ର ନୀତି ତଥା ନିବେଶ କାର୍ଯ୍ୟକ୍ରମକୁ ନେଇ ‘ଗ୍ଲୋବାଲ ବାୟୋ-ଇଣ୍ଡିଆ’ କାର୍ଯ୍ୟକ୍ରମରେ ବିଭିନ୍ନ ଅଧିବେଶନ କରାଯାଉଛି। ୧୩ ତାରିଖ ଦିନ ହେବାକୁ ଥିବା ‘ଷ୍ଟେଟ୍ ରାଉଣ୍ଡ ଟେବଲ୍’ ସମ୍ମିଳନୀରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଚିତ୍ରା ଆରୁମୁଗମ୍ ଯୋଗଦେବେ।

ସେହିପରି ୧୪ ତାରିଖରେ ଭାରତର ସାମୁଦ୍ରିକ ସମ୍ବଳକୁ ନେଇ ‘ବ୍ଲୁ ଇକୋନମି’ ଶୀର୍ଷକରେ ଏକ ବିଶେଷ ଅଧିବେଶନ କରାଯିବ। ଏଥିରେ ବିଭାଗୀୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗଦେଇ ଭିତ୍ତି ବକ୍ତବ୍ୟ ଉପସ୍ଥାପନ କରିବେ।

Categories
ଆଜିର ଖବର ଜାତୀୟ ଖବର

ଭାରତ ସରକାର, ତ୍ରିପୁରା ସରକାର, ଏନ୍.ଏଲ୍.ଏଫ୍ ଟି. ଏବଂ ଏ.ଟି.ଟି.ଏଫ୍. ମଧ୍ୟରେ ଶାନ୍ତି ବୁଝାମଣାପତ୍ର ସ୍ୱାକ୍ଷରିତ

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ଭାରତ ସରକାର, ତ୍ରିପୁରା ସରକାର, ଏନ୍.ଏଲ୍.ଏଫ୍ ଟି. ଏବଂ ଏ.ଟି.ଟି.ଏଫ୍. ମଧ୍ୟରେ ଏକ ଶାନ୍ତି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ଶାନ୍ତିପୂର୍ଣ୍ଣ, ସମୃଦ୍ଧ ଏବଂ ଉଗ୍ରବାଦ ମୁକ୍ତ ଉତ୍ତର-ପୂବାଞ୍ଚଳ ଲକ୍ଷ୍ୟ ପୂରଣ ଦିଗରେ ଏହି ବୁଝାମଣା ଏକ ମାଇଲଖୁଣ୍ଟ। ତ୍ରିପୁରା ମୁଖ୍ୟମନ୍ତ୍ରୀ ପ୍ରଫେସର ଡକ୍ଟର ମାଣିକ ଶାହା ଏବଂ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଓ ତ୍ରିପୁରା ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଶାନ୍ତି ବୁଝାମଣାପତ୍ର ସ୍ୱାକ୍ଷର ଅବସରରେ ଉପସ୍ଥିତ ଥିଲେ।

ଏହି ଅବସରରେ କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଅମିତ ଶାହ କହିଥିଲେ ଯେ ଆଜି ସମଗ୍ର ଦେଶ ତଥା ତ୍ରିପୁରା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ସେ କହିଥିଲେ ଯେ ନେସନାଲ ଲିବରେସନ୍ ଫ୍ରଣ୍ଟ ଅଫ୍ ତ୍ରିପୁରା (ଏନ୍.ଏଲ୍.ଏଫ୍.ଟି.) ଏବଂ ଅଲ୍ ତ୍ରିପୁରା ଟାଇଗର ଫୋର୍ସ (ଏ.ଟି.ଟି.ଏଫ୍.) ଅସ୍ତ୍ର ତ୍ୟାଗ କରି ମୁଖ୍ୟଧାରାରେ ସାମିଲ ହୋଇ ସମଗ୍ର ତ୍ରିପୁରାର ବିକାଶ ନିମନ୍ତେ ଏହି ରାଜ୍ୟରେ ୩୫ ବର୍ଷ ଧରି ଚାଲିଥିବା ସଂଘର୍ଷର ଅବସାନ ଘଟାଇବା ଲାଗି ନିଜର ପ୍ରତିବଦ୍ଧତା ବ୍ୟକ୍ତ କରିଛନ୍ତି। ସେ କହିଥିଲେ ଯେ ନରେନ୍ଦ୍ର ମୋଦୀ ଦେଶର ପ୍ରଧାନମନ୍ତ୍ରୀ ହେବା ପରଠାରୁ ସେ ଶାନ୍ତି ଏବଂ ବାର୍ତ୍ତାଳାପ ମାଧ୍ୟମରେ ଏକ ସକ୍ଷମ ଏବଂ ବିକଶିତ ଉତ୍ତର-ପୂର୍ବାଞ୍ଚଳର ଦୃଷ୍ଟିକୋଣକୁ ଉପସ୍ଥାପନ କରିଛନ୍ତି। ସଡ଼କ, ରେଳ ଏବଂ ବିମାନ ଦ୍ୱାରା ଶ୍ରୀ ମୋଦୀ କେବଳ ଉତ୍ତର-ପୂର୍ବ ଏବଂ ଦିଲ୍ଲୀ ମଧ୍ୟରେ ଦୂରତା ହ୍ରାସ କରିନାହାନ୍ତି, ବରଂ ହୃଦୟ ମଧ୍ୟରେ ଦୂରତା ମଧ୍ୟ ଦୂରେଇ ଦେଇଛନ୍ତି ବୋଲି ସେ କହିଥିଲେ । ଶ୍ରୀ ଶାହ ଆହୁରି କହିଥିଲେ, ଭାରତ ସରକାର ଅଷ୍ଟଲକ୍ଷ୍ମୀ ଅବଧାରଣା ଏବଂ ପୂର୍ବୋଦୟକୁ ମିଶାଇ ତ୍ରିପୁରା ସମେତ ସମଗ୍ର ଉତ୍ତର-ପୂର୍ବାଞ୍ଚଳର ବିକାଶ ପାଇଁ ସଂକଳ୍ପ ନେଇଛନ୍ତି, ଯେଉଁଥିରେ ଆଜିର ରାଜିନାମା ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ କହିଥିଲେ ଯେ ଆଜିର ରାଜିନାମା ହେଉଛି ଉତ୍ତର-ପୂର୍ବାଞ୍ଚଳ ପାଇଁ ଦ୍ୱାଦଶ ରାଜିନାମା ଏବଂ ତ୍ରିପୁରା ସହ ଜଡ଼ିତ ତୃତୀୟ ରାଜିନାମା। ସେ କହିଥିଲେ ଯେ ଏହିସବୁ ରାଜିନାମା ମାଧ୍ୟମରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୦ ହଜାର ଆତଙ୍କବାଦୀ ଅସ୍ତ୍ରଶସ୍ତ୍ର ତ୍ୟାଗ କରି ମୁଖ୍ୟଧାରାକୁ ଆସିଛନ୍ତି। ଶ୍ରୀ ଶାହ କହିଥିଲେ ଯେ ଏହି ୧୨ଟି ରାଜିନାମା ଜରିଆରେ ଉଭୟ ପକ୍ଷର ହଜାର ହଜାର ଲୋକଙ୍କ ମୃତ୍ୟୁର କାରଣକୁ ରୋକିବା ପାଇଁ ଏକ ବଡ଼ ପଦକ୍ଷେପ ନିଆଯାଇଛି।

ଅମିତ ଶାହ କହିଥିଲେ ଯେ ଆଜିର ରାଜିନାମା ଅନୁଯାୟୀ ୩୨୮ରୁ ଅଧିକ ସଶସ୍ତ୍ର କ୍ୟାଡର ହିଂସା ପରିତ୍ୟାଗ କରି ସମାଜର ମୁଖ୍ୟଧାରାରେ ସାମିଲ ହୋଇ କେବଳ ବିକଶିତ ତ୍ରିପୁରା ନୁହେଁ, ବରଂ ବିକଶିତ ଭାରତରେ ମଧ୍ୟ ଯୋଗଦାନ କରିପାରିବେ। ଶ୍ରୀ ଶାହା କହିଥିଲେ ଯେ ଭାରତ ସରକାର ସେହି ଅଞ୍ଚଳର ବିକାଶ ତଥା ସେମାନଙ୍କ ଅସ୍ତ୍ରଶସ୍ତ୍ର ଉଠାଇବାର କାରଣକୁ ଦୂର କରିବା ଲାଗି ସମସ୍ତ ରାଜିନାମାକୁ କାର୍ଯ୍ୟକାରୀ କରିବା ପାଇଁ ଆନ୍ତରିକ ଏବଂ ସମ୍ବେଦନଶୀଳ ପ୍ରୟାସ କରିଆସୁଛନ୍ତି। ସେ କହିଥିଲେ ଯେ କେନ୍ଦ୍ର ସରକାର ତ୍ରିପୁରାର ଆଦିବାସୀ ଜନସଂଖ୍ୟାର ସାମଗ୍ରିକ ବିକାଶ ପାଇଁ ୨୫୦ କୋଟି ଟଙ୍କାର ଏକ ସ୍ୱତନ୍ତ୍ର ପ୍ୟାକେଜକୁ ମଞ୍ଜୁରି ଦେଇଛନ୍ତି।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ କହିଥିଲେ ଯେ ମୋଦୀ ସରକାର ସମସ୍ତ ରାଜିନାମା ଗୁଡ଼ିକୁ ଅକ୍ଷରେ ଅକ୍ଷରେ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିଛନ୍ତି। ସେ କହିଥିଲେ ଯେ ଇତିହାସ ସାକ୍ଷୀ ରହିଛି ଯେ ମୋଦୀ ସରକାର ପ୍ରତ୍ୟେକ ଶାନ୍ତି ରାଜିନାମାକୁ ଆନ୍ତରିକ ଓ ବାସ୍ତବ ଭାବନା ନେଇ କାର୍ଯ୍ୟକାରୀ କରିଛନ୍ତି। ସେ କହିଥିଲେ ଯେ ବ୍ରୁ-ରିଆଙ୍ଗ ରାଜିନାମା ପରେ ଆଜି ହଜାର ହଜାର ବ୍ରୁ-ରିଆଙ୍ଗ ଭାଇ ନିଜ ଘରେ ରହୁଛନ୍ତି, ସେମାନଙ୍କ ପିଲାମାନେ ଭଲ ବିଦ୍ୟାଳୟରେ ପଢ଼ୁଛନ୍ତି, ସେମାନଙ୍କ ରୋଜଗାରର ବ୍ୟବସ୍ଥା କରାଯାଉଛି ଏବଂ ସେମାନଙ୍କୁ ଭାରତ ସରକାର ଓ ରାଜ୍ୟ ସରକାରଙ୍କ ସମସ୍ତ ଜନକଲ୍ୟାଣ ଯୋଜନାର ସମ୍ପୂର୍ଣ୍ଣ ଲାଭ ମିଳୁଛି। ସ୍ୱରାଷ୍ଟ୍ର ମନ୍ତ୍ରୀ କହିଥିଲେ ଯେ ସରକାର ମଧ୍ୟ ଏହି ରାଜିନାମାକୁ ସମ୍ପୂର୍ଣ୍ଣ ଭାବେ ପାଳନ କରିବେ ଏବଂ ସମସ୍ତଙ୍କ ଆଶା ପୂରଣ କରିବା ଲାଗି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସମସ୍ତ ପ୍ରୟାସ କରିବ। ସେ କହିଥିଲେ ଯେ ଏକ ସୁଦୃଢ଼ ତ୍ରିପୁରା ଗଠନ ଦିଗରେ ଆମେ ସମସ୍ତେ ମିଳିତ ଭାବେ କାର୍ଯ୍ୟ କରିବୁ।

ଅମିତ ଶାହ କହିଥିଲେ ଯେ ମୋଦୀ ସରକାର ୨୦୧୫ରେ ତ୍ରିପୁରାରୁ ଏ.ଏଫ୍.ଏସ୍.ପି.ଏ. ହଟାଇ ଦେଇଥିଲେ, ଉତ୍ତର-ପୂର୍ବର ଅଧିକାଂଶ ଅଞ୍ଚଳରୁ ଏ.ଏଫ୍.ଏସ୍.ପି.ଏ. ମଧ୍ୟ ହଟାଇ ଦିଆଯାଇଛି। ସେ କହିଥିଲେ ଯେ ମୋଦୀ ସରକାର ସଶସ୍ତ୍ର ବାହିନୀ ପରିବର୍ତ୍ତେ ବିକାଶ ମାଧ୍ୟମରେ ଉତ୍ତର-ପୂର୍ବାଞ୍ଚଳର ଲୋକମାନଙ୍କ, ବିଶେଷ କରି ଆଦିବାସୀ ଗୋଷ୍ଠୀଗୁଡ଼ିକର ସଂସ୍କୃତି, ଭାଷା, ପରିଚୟ ଇତ୍ୟାଦି ସଂରକ୍ଷଣ କରି ସମଗ୍ର ଉତ୍ତର-ପୂର୍ବାଞ୍ଚଳର ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ।

ଏହି ରାଜିମାନା ଅଧୀନରେ ଏନ୍.ଏଲ୍.ଏଫ୍.ଟି. ଏବଂ ଏ.ଟି.ଟି.ଏଫ୍. ହିଂସା ପରିତ୍ୟାଗ କରି, ସେମାନଙ୍କ ସମସ୍ତ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ସମର୍ପଣ କରିବା ସହିତ ସେମାନଙ୍କ ସଶସ୍ତ୍ର ସଙ୍ଗଠନଗୁଡ଼ିକୁ ଭାଙ୍ଗିବା ପାଇଁ ରାଜି ହୋଇଛନ୍ତି । ଏହାବ୍ୟତୀତ ଏନ୍.ଏଲ୍.ଏଫ୍.ଟି. ଏବଂ ଏ.ଟି.ଟି.ଏଫ୍.ର ସଶସ୍ତ୍ର କ୍ୟାଡରମାନେ ମଧ୍ୟ ଆଇନ ଦ୍ୱାରା ପ୍ରତିଷ୍ଠିତ ଶାନ୍ତିପୂର୍ଣ୍ଣ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଯୋଗଦେବାକୁ ଏବଂ ଦେଶର ଅଖଣ୍ଡତା ବଜାୟ ରଖିବାକୁ ରାଜି ହୋଇଛନ୍ତି ।

ଏହି ଅବସରରେ ତ୍ରିପୁରା ମୁଖ୍ୟମନ୍ତ୍ରୀ ଡକ୍ଟର ମାଣିକ ସାହା ସମଗ୍ର ଉତ୍ତର-ପୂର୍ବରେ ଶାନ୍ତି, ସମୃଦ୍ଧି ଏବଂ ସଦ୍ଭାବନା ପ୍ରତିଷ୍ଠା କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହାଙ୍କୁ କୃତଜ୍ଞତା ଜଣାଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ଆଜି ଭାରତ ସରକାର, ତ୍ରିପୁରା ସରକାର, ଏନଏଲଏଫଟି ଏବଂ ଏଟିଟିଏଫ ମଧ୍ୟରେ ସ୍ୱାକ୍ଷରିତ ହେବ ବୁଝାମଣା ପତ୍ର

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ଭାରତ ସରକାର, ତ୍ରିପୁରା ସରକାର ଏବଂ ନେସନାଲ ଲିବରେସନ ଫ୍ରଣ୍ଟ ଅଫ୍ ତ୍ରିପୁରା (ଏନଏଲଏଫଟି) ଏବଂ ଅଲ୍ ତ୍ରିପୁରା ଟାଇଗର ଫୋର୍ସ (ଏଟିଟିଏଫ)ର ପ୍ରତିନିଧିଙ୍କ ମଧ୍ୟରେ ଆଜି ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହେବ। ବୁଝାମଣାପତ୍ର ସ୍ୱାକ୍ଷର ସମୟରେ ତ୍ରିପୁରା ମୁଖ୍ୟମନ୍ତ୍ରୀ ପ୍ରଫେସର ଡକ୍ଟର ମାଣିକ ସାହା ଏବଂ ଗୃହ ମନ୍ତ୍ରଣାଳୟ ଓ ତ୍ରିପୁରା ସରକାରଙ୍କ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିବେ।

ଉଗ୍ରବାଦ, ହିଂସା ଏବଂ ସଂଘର୍ଷମୁକ୍ତ ବିକଶିତ ଉତ୍ତର-ପୂର୍ବ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱପ୍ନକୁ ସାକାର କରିବା ଲାଗି ଗୃହ ମନ୍ତ୍ରଣାଳୟ ଅକ୍ଳାନ୍ତ ପରିଶ୍ରମ କରୁଛି।  ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ସରକାର ଉତ୍ତର-ପୂର୍ବାଞ୍ଚଳରେ ଶାନ୍ତି ଏବଂ ସମୃଦ୍ଧି ଆଣିବା ପାଇଁ ୧୨ଟି ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷର କରିଛନ୍ତି, ଯେଉଁଥିରୁ ୩ଟି ତ୍ରିପୁରା ରାଜ୍ୟ ସହିତ ଜଡିତ। ମୋଦୀ ସରକାରଙ୍କ ଅନେକ ଚୁକ୍ତି ସ୍ୱାକ୍ଷରିତ ହେବା ଫଳରେ ପାଖାପାଖି ୧୦ ହଜାର ଲୋକ ଅସ୍ତ୍ର ତ୍ୟାଗ କରି ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

କୋଲକାତାରେ “ସିଆଇଆଇ ପୂର୍ବାଞ୍ଚଳ ଏକଜିମ୍ ସମ୍ମିଳନୀ”ରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ପୂର୍ବ ଭାରତରେ ବିପୁଳ ପ୍ରାକୃତିକ ସମ୍ପଦ, ପ୍ରତିଭାସମ୍ପନ୍ନ ଯୁବଗୋଷ୍ଠୀ ଓ ଦକ୍ଷ ଶ୍ରମଶକ୍ତି ରହିଛି। ଏହି ରାଜ୍ୟ ସମୂହର ମାନବ ସମ୍ବଳ ଏବଂ ବୌଦ୍ଧିକ କ୍ଷମତା ଆମ ଦେଶର ଅଭିବୃଦ୍ଧିକୁ ଆଗକୁ ନେଇପାରିବ। ବିଶେଷ ଭାବରେ କୋଲକାତା, ଭୁବନେଶ୍ଵର, ପାଟନା, ରାଞ୍ଚି, ରାୟପୁର ଏବଂ ପୂର୍ବ ଭାରତର ସମସ୍ତ ପ୍ରମୁଖ ସହର ଭାରତ ଓ ବିଶ୍ୱ ଅଭିବୃଦ୍ଧିର ଇଞ୍ଜିନ ହେବାର ସମ୍ଭାବନା ରଖିଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ ମଙ୍ଗଳବାର କୋଲକାତା ଠାରେ ଆୟୋଜିତ “ସିଆଇଆଇ ପୂର୍ବାଞ୍ଚଳ ଏକଜିମ୍ ସମ୍ମିଳନୀ- ୨୦୨୪”ରେ ପୂର୍ବାଞ୍ଚଳକୁ ଭାରତର ପ୍ରଗତିର ପ୍ରବେଶ ଦ୍ୱାରରେ ପରିଣତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଷ୍ଟିକୋଣ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ପୂର୍ବାଞ୍ଚଳର ସର୍ବାଙ୍ଗୀନ ବିକାଶ ପାଇଁ ଚଳିତବର୍ଷ ବଜେଟରେ ପ୍ରସ୍ତୁତ ‘ପୂର୍ବୋଦୟ ଯୋଜନା’ ହୋଇଛି। ସାଧାରଣତଃ ଦେଶର ସମସ୍ତ ରପ୍ତାନି ମଧ୍ୟରୁ ଅଳ୍ପ ପରିମାଣର ରପ୍ତାନି ପୂର୍ବ ଭାରତରୁ ଆସିଥାଏ। ଭାରତ ସରକାରଙ୍କ ରପ୍ତାନି ପ୍ରୋତ୍ସାହନ ନୀତିକୁ ମୋଦୀ ସରକାର ପ୍ରାଥମିକତା ଦେଉଛନ୍ତି। ଆମର ଅନେକ ଦେଶ ସହିତ ମୁକ୍ତ ବାଣିଜ୍ୟ ଚୁକ୍ତି ଅଛି ଯାହାଦ୍ୱାରା ପୂର୍ବ ଭାରତ ଏଥିରୁ ଅଧିକ ଲାଭବାନ ହୋଇପାରିବ। ପ୍ରଥମ ପର୍ଯ୍ୟାୟରେ ଏହି କ୍ଷେତ୍ରର ବିକାଶ ପାଇଁ ଏଠାରେ ଭିତ୍ତିଭୂମି କ୍ଷେତ୍ରରେ ପୁଞ୍ଜିନିବେଶ ବୃଦ୍ଧି ପାଇଁ ନୀତି ସଂସ୍କାର ପାଇଁ ଚିନ୍ତା କରାଯାଇଛି। ଦୀର୍ଘ ଦିନ ପରେ ଦେଶର ଖଣିଜ ନୀତିରେ ସଂସ୍କାର ଆସିଛି। ଏହି ସବୁ ଲାଭ ପୂର୍ବ ଭାରତକୁ ମିଳିବ। ପୂର୍ବ ଭାରତର ପ୍ରତିଭା ପୁଞ୍ଜିର ଆକାଂକ୍ଷାକୁ ପ୍ରଭାବଶାଳୀ ଭାବରେ ପରିଚାଳନା କରିବା ପାଇଁ ପୂର୍ବ ଭାରତର ଓ୍ୱେଲଥ୍ କ୍ରିଏଟର, ବୁଦ୍ଧିଜୀବୀ, ଶିକ୍ଷାବିତ୍ ଏବଂ ନୀତି ନିର୍ଦ୍ଧାରଣକାରୀ ଏକାଠି ହେବା ଆବଶ୍ୟକ। ପୂର୍ବ  ଭାରତର ସମ୍ପୂର୍ଣ୍ଣ ରପ୍ତାନି ସମ୍ଭାବନାକୁ ଉପଲବ୍ଧ କରିବା ଏବଂ ଭାରତକୁ ରପ୍ତାନିର ଏକ କେନ୍ଦ୍ର ଭାବରେ ପ୍ରତିଷ୍ଠା କରିବା ପାଇଁ ଭାରତୀୟ ଶିଳ୍ପ ସଂଘ (ସିଆଇଆଇ ଭଳି ଶିଳ୍ପ ସଂସ୍ଥା ଅଗ୍ରଣୀ ଭୂମିକା ଗ୍ରହଣ କରିବା ଆବଶ୍ୟକ।

ଏହି ଗସ୍ତକାଳରେ ଶ୍ରୀ ପ୍ରଧାନ ଆଇଆଇଟି ଖଡଗପୁର ଗବେଷଣା ପାର୍କ ପରିଦର୍ଶନ କରିଥିଲେ। ପଶ୍ଚିମବଙ୍ଗରେ କେନ୍ଦ୍ରୀୟ ଅନୁଦାନପ୍ରାପ୍ତ ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକର କାର୍ଯ୍ୟକାରିତା, ଶୈକ୍ଷିକ ପ୍ରଦର୍ଶନ, ଗବେଷଣା ପ୍ରକଳ୍ପ, ଶିଳ୍ପ ସହଭାଗୀତା, ରାଙ୍କିଂ, ରେଟିଂ ଏବଂ ଭବିଷ୍ୟତ ଯୋଜନା ଉପରେ ଏକ ବିସ୍ତୃତ ପ୍ରଜେଣ୍ଟେସନ ଦେଖିଥିଲେ। ଏନଆଇଟି ଦୁର୍ଗାପୁର, ଆଇଜର୍ କୋଲକାତା, ଆଇଆଇଇଏସଟି ଶିବପୁର, ତ୍ରିପଲ ଆଇଟି କଲ୍ୟାଣୀ, ବିଶ୍ୱ ଭାରତୀ, ଆଇଆଇଏମ କୋଲକାତା, ଏନଆଇଟିଟିଆର କୋଲକାତା, ଜିକେସିଆଇଇଟି ମାଲଦା ଏବଂ ଆଇଆଇଟି ଖଡ଼ଗପୁର ଭଳି ସମସ୍ତ ଅନୁଷ୍ଠାନ ଗବେଷଣା, ଇନୋଭେସନ, ଉଦ୍ୟୋଗ ଏବଂ ନିଯୁକ୍ତି ଦୃଶ୍ୟପଟ୍ଟକୁ ଆହୁରି ପ୍ରୋତ୍ସାହିତ କରିବା ପାଇଁ ଅନେକ ମହତ୍ୱାକାଂକ୍ଷୀ ଯୋଜନା ଉପରେ କାର୍ଯ୍ୟ କରୁଛନ୍ତି। ଆମର ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକୁ ବିଶ୍ୱସ୍ତରୀୟ ଜ୍ଞାନ କେନ୍ଦ୍ରରେ ପରିଣତ କରିବା ଏବଂ ବିକଶିତ ଭାରତର ଲକ୍ଷ୍ୟକୁ ସାକାର କରିବା ପାଇଁ ନାଳନ୍ଦା ଭାବନାକୁ ପୁନର୍ଜୀବିତ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଆହ୍ୱାନ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ଓଡିଏମର ଅଧ୍ୟକ୍ଷ ଡ. ସତ୍ୟବ୍ରତ ମୀନକେତନ ସିବିଏସଇ ଦିଲ୍ଲୀ ଗଭର୍ଣ୍ଣିଂ ବଡିର ସଦସ୍ୟ ଭାବେ ମନୋନୀତ

ଭୁବନେଶ୍ୱର: ଓଡିଏମ୍‌ର ଅଧ୍ୟକ୍ଷ ଡ.ସତ୍ୟବ୍ରତ ମୀନକେତନ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ତରଫରୁ ସିବିଏସ୍‌ଇ,  ଦିଲ୍ଲୀର ଗଭର୍ଣ୍ଣିଂ ବଡିର ସଦସ୍ୟଭାବେ ମନୋନୀତ ହୋଇଛନ୍ତି। ଭାରତବର୍ଷର ଚାରିଜଣ ବିଶିଷ୍ଟ ଶିକ୍ଷାବିତ୍‌ମାନଙ୍କ ମଧ୍ୟରେ ତାଙ୍କର ଏହି ସର୍ବୋଚ୍ଚ ସମିତିକୁ ମନୋନୟନ ହେବା ସମଗ୍ର ଓଡିଶା ପାଇଁ ଏକ ବୃହତର ଗର୍ବ ଓ ଗୌରବର ବିଷୟ।

ସିବିଏସଇର ବରିଷ୍ଠ ଅଧିକାରୀ ଚିଠି ଦ୍ୱାରା ଭାରତ ସରକାରଙ୍କର ଏହି ମନୋନୟନର ନିର୍ଣ୍ଣୟକୁ ଡ. ମୀନକେତନଙ୍କୁ ଜଣାଇବା ସହିତ ଅଭିନନ୍ଦନ ଓ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି। ଏହି ଅବସରରେ ସମଗ୍ର ଭାରତ ତଥା ଓଡିଶାରେ ଥିବା ଓଡିଏମ୍‌ର ସମସ୍ତ ଅନୁବନ୍ଧିତ ବିଦ୍ୟାଳୟ ତଥା ଅନ୍ୟ ଶିକ୍ଷା ସଂସ୍ଥାନମାନେ ଡ. ମୀନକେତନଙ୍କୁ ଶୁଭକାମନା ଓ ଅଭ୍ୟର୍ଥନା ଜଣାଇଛନ୍ତି।

ଡ. ମୀନକେତନ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ତଥା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ନିକଟରେ ନିଜର ଗଭୀର ଆନ୍ତରିକ କୃତଜ୍ଞତା ଜ୍ଞାପନ କରିବା ସହିତ କହିଛନ୍ତି ଯେ, ବୃହତର ଜନକଲ୍ୟାଣ ନିମିତ ଦେଶରେ ଶିକ୍ଷାର ବିକାଶ ଓ ସମୃଦ୍ଧି ହେତୁ ଏହି ବଡ ଦାୟିତ୍ୱକୁ ସେ ନିଶ୍ଚୟ ହାର୍ଦ୍ଦିକତା ଓ ପ୍ରତିବଦ୍ଧତାର ସହିତ ବହନ କରି ସମ୍ପୂର୍ଣ୍ଣ କରିବେ। ଡ. ମୀନକେତନଙ୍କ ଏଭଳି ସଫଳତା ପାଇଁ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରଫେସର ଡଃ ପି.କେ. ଦାସ, ବିତ ଓ ପ୍ରଶାସନିକ ନିର୍ଦ୍ଦେଶିକା ଇନ୍ଦୁମତୀ ରାୟ, ମୁଖ୍ୟ କାର୍ଯ୍ୟକାରିଣୀ ଅଧିକାରୀ ସ୍ୱୟନ୍ ସତ୍ୟେନ୍ଦୁ, ଶିକ୍ଷା-ନିର୍ଦ୍ଦେଶକ ଡ.ଆର୍ତତ୍ରାଣ ମିଶ୍ର ତଥା ସମସ୍ତ କର୍ମକର୍ତା, ଶିକ୍ଷକ-ଶିକ୍ଷୟିତ୍ରୀ, ଅଭିଭାବକମାନେ ତଥା ସମଗ୍ର ରାଜ୍ୟର ଅନ୍ୟ ଶିକ୍ଷକଶିକ୍ଷୟିତ୍ରୀମାନେ ଶୁଭେଚ୍ଛା ଜ୍ଞାପନ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଅଟଳ ଇନୋଭେସନ ମିଶନ ଏବଂ ଓ୍ୱିପୋ ମଧ୍ୟରେ ଏଲଓଆଇ ସ୍ୱାକ୍ଷରିତ

ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ଇନୋଭେସନକୁ ପ୍ରୋତ୍ସାହିତ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ସୋମବାର ନୂଆଦିଲ୍ଲୀ ଠାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଅଟଳ ଇନୋଭେସନ ମିଶନ ଏବଂ ଓ୍ୱିପୋ (ଓ୍ୱାର୍ଲ୍ଡ୍ ଇଣ୍ଟେଲେକ୍ଚ୍ୟୁଆଲ୍ ପ୍ରପୋର୍ଟି ଅର୍ଗାନାଇଜେସନ) ମଧ୍ୟରେ ଏକ ଏଲଓଆଇ(ଲେଟର ଅଫ୍ ଇଣ୍ଟେଣ୍ଟ୍) ସ୍ୱାକ୍ଷରିତ ହୋଇଯାଇଛି।

ଏ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରିଛନ୍ତି ଯେ ଭାରତର ଇନୋଭେସନ ଇକୋସିଷ୍ଟମ ବିଶ୍ୱସ୍ତରରେ ପହଞ୍ଚିଛି। ବିଶେଷତଃ ଗ୍ଲୋବାଲ ସାଉଥ ସମୂହ ଦେଶ ଗୁଡିକ କଲ୍ୟାଣ ପାଇଁ ଉଦ୍ଭାବନ, ଉଦ୍ୟମିତା ଏବଂ ବୌଦ୍ଧିକ କ୍ଷମତା କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି ଏଲଓଆଇ ସ୍ୱାକ୍ଷରିତ ହୋଇଛି। ଇନୋଭେସନ କ୍ଷେତ୍ରରେ ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ନବସୃଜନ ହେଉଛି ଭାରତର ଶକ୍ତି। ଅଟଳ ଇନୋଭେସନ ମିଶନ ଏବଂ ଓ୍ୱିପୋ ମଧ୍ୟରେ ଏହି ଭାଗିଦାରୀ ଅନ୍ୟ ରାଷ୍ଟ୍ର ପାଇଁ ପଥପ୍ରଦର୍ଶକ ସାଜିବ। ଶିକ୍ଷା କ୍ଷେତ୍ରରେ ଭାରତର ଅଭିନବ ମଡେଲ ଗୁଡିକ ବିକାଶଶୀଳ ରାଷ୍ଟ୍ରରେ ଉପଯୋଗ ହେବ। ବିଦ୍ୟାଳୟ ସ୍ତରରୁ ଆଇପିଆର୍(ଇଣ୍ଟେଲେକ୍ଚ୍ୟୁଆଲ ପ୍ରପର୍ଟି ରାଇଟ୍ସ) ବିଷୟରେ ବୁଝାମଣା ଏବଂ ସଚେତନତା ବ୍ୟାପକ ହେବ। ବିଶ୍ୱରେ ଇନେଭୋସନ କ୍ଷେତ୍ରରେ ଥିବା ସମ୍ଭାବନାର ଅନ୍ୱେଷଣ କରିବ। ସ୍ଥାୟୀ ଏବଂ ସମାବେଶୀପୂର୍ଣ୍ଣ  ଆର୍ଥିକ ଅଭିବୃଦ୍ଧି ପାଇଁ ଉଭୟ ସଂସ୍ଥା କାର୍ଯ୍ୟ କରିବେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଓଡ଼ିଶାରେ ଲାଗୁ ହେଲା ପିଏମ୍ ଶ୍ରୀ ସ୍କୁଲ୍

ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡ଼ିଶାରେ ପିଏମ ଶ୍ରୀ ଯୋଜନା ବା ପ୍ରଧାନମନ୍ତ୍ରୀ ସ୍କୁଲ ଫର୍ ରାଇଜିଂ ଇଣ୍ଡିଆ କ୍ରିୟାନ୍ୱୟନ ପାଇଁ ଆଜି ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ଏବଂ ଓଡ଼ିଶା ରାଜ୍ୟ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। କେନ୍ଦ୍ର ସରକାର, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାର, ସ୍ଥାନୀୟ ସଂସ୍ଥା, କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଏବଂ ନବୋଦୟ ବିଦ୍ୟାଳୟ ସମିତି ଅଧୀନରେ ଥିବା ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମି ଏବଂ ଗୁଣବତ୍ତା ବୃଦ୍ଧି କରିବା ଏହି ପଦକ୍ଷେପର ଉଦ୍ଦେଶ୍ୟ ରହିଛି।

ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀ ଏବଂ ଓଡ଼ିଶାର ଶିକ୍ଷା ସଚିବଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ଏହି ସ୍କୁଲ ଗୁଡିକ ଜାତୀୟ ଶିକ୍ଷା ନୀତିର ପୂର୍ଣ୍ଣ ଭାବନାକୁ ନେଇ କାର୍ଯ୍ୟ କରିବ ତଥା ସମସ୍ତ ମୌଳିକ ଉପାଦାନକୁ ପ୍ରଦର୍ଶିତ କରିବ। ଏହା, ସବୁ ବିଦ୍ୟାଳୟ ପାଇଁ ଏକ ଉଦାହରଣ ଭାବରେ କାର୍ଯ୍ୟ କରିବ। ପିଲା ମାନଙ୍କ ଦକ୍ଷତା ବୃଦ୍ଧି ସହ ସେମାନଙ୍କର ବୈଜ୍ଞାନିକ ମନୋଭାବକୁ ବଢାଇବା ପାଇଁ ଏବଂ କଳା, ସାହିତ୍ୟ ବିଜ୍ଞାନରେ ସୃଜନଶୀଳତା ବଢାଇବା ସହ ସବୁ ଦୃଷ୍ଟିରୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦକ୍ଷତା ବଢାଇବା ଦିଗରେ ପିଏମ ଶ୍ରୀର ଯୋଜନା। ଏହି ସ୍କୁଲ ଗୁଡିକ ଜାତୀୟ ଶିକ୍ଷା ନୀତିର ପରାମର୍ଶ ଅନୁସାରେ ହୋଇଥିବା ପାଠ୍ୟକ୍ରମ ଓ ପାଠପଢାର ପଦ୍ଧତି, ଶିକ୍ଷକ ମାନଙ୍କର ପରିବର୍ଦ୍ଧିତ ଦକ୍ଷତାକୁ ଗୋଟିଏ ସ୍କୁଲରେ ପରିପ୍ରକାଶ କରିବ।

ବର୍ତ୍ତମାନ ସୁଦ୍ଧା ୩୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସହିତ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ (କେଭିଏସ୍) ଏବଂ ନବୋଦୟ ବିଦ୍ୟାଳୟ ସମିତି (ଏନଭିଏସ) ମୋଦୀ ସରକାରଙ୍କ ଯୋଜନା ପିଏମ୍ ଶ୍ରୀ ସ୍କୁଲ ଅଧୀନରେ ସେମାନଙ୍କ ବିଦ୍ୟାଳୟଗୁଡ଼ିକର ଉନ୍ନତିକରଣ ପାଇଁ ଶିକ୍ଷା ମନ୍ତ୍ରଣାଳୟ ସହ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି। ଏହି ଯୋଜନାରେ ଓଡ଼ିଶାର ପ୍ରତ୍ୟେକ ବ୍ଲକ ଏବଂ ପୌରାଞ୍ଚଳରେ ଦୁଇଟି ଲେଖାଏଁ ସ୍କୁଲକୁ ପିଏମ ଶ୍ରୀସ୍କୁଲରେ ବିକଶିତ କରାଯିବ। ଓଡ଼ିଶାରେ ପ୍ରାୟ ୮୦୦ଟି ସ୍କୁଲ ପିଏମ ଶ୍ରୀ ସ୍କୁଲରେ ବିକଶିତ ହେବାର ଯୋଜନା ରହିଛି।

ପିଏମଶ୍ରୀ ସ୍କୁଲ ଗୁଡିକ ଉତ୍ସାହଭରା ପରିବେଶରେ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ସହ ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ ଶିକ୍ଷା ପ୍ରଦାନ କରିବ। ଏହି ସ୍କୁଲ ଗୁଡିକ କେବଳ ଜ୍ଞାନର ବିକାଶ ଉପରେ ଗୁରୁତ୍ୱ ଦେବ ନାହିଁ ବରଂ ଏକବିଂଶ ଶତାବ୍ଦୀର ପ୍ରମୁଖ ଦକ୍ଷତା ସହିତ ସାମଗ୍ରିକ ବ୍ୟକ୍ତି ସୃଷ୍ଟି କରିବା ଦିଗରେ ସହାୟକ ହେବ। ପିଏମ ଶ୍ରୀ ସ୍କୁଲରେ ସମସ୍ତ ଛାତ୍ରଛାତ୍ରୀଙ୍କ ଯତ୍ନ ନିଆଯିବା ସହ ସେମାନଙ୍କ ପାଠପଢା ପାଇଁ ଉତ୍ତମ ଭିତ୍ତିଭୂମି ଏବଂ ଉପଯୁକ୍ତ ସମ୍ବଳ ସହିତ ଅନେକ ଅଭିଜ୍ଞତା ଆଧାରିତ ଶିକ୍ଷା ପ୍ରଦାନ କରାଯିବ। ପିଏମ ଶ୍ରୀ ସ୍କୁଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରାଥମିକତାରେ ରହିଛି। ଜାତୀୟ ଶିକ୍ଷା ନୀତିର କଳ୍ପନାକୁ କାର୍ଯ୍ୟକାରୀ କରିବା ଦିଗରେ ପିଏମ ଶ୍ରୀ ସ୍କୁଲ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ, ଯାହା ଭାରତକୁ ଜ୍ଞାନଭିତ୍ତିକ ସମାଜରେ ପରିଣତ କରିବ। ଏହି ସ୍କୁଲ ଅତ୍ୟାଧୁନିକ ଓ ସାମଗ୍ରିକ ପଦ୍ଧତିରେ ଶିକ୍ଷାଦାନ ପ୍ରଦାନ କରିବ। ନବସୃଜନ ଆଧାରିତ, ନୂତନ ପ୍ରଯୁକ୍ତିବିଦ୍ୟା, ସ୍ମାର୍ଟ କ୍ଲାସ ରୁମ ଏବଂ କ୍ରୀଡ଼ା ସହ ଅନ୍ୟାନ୍ୟ ଦିଗକୁ ଗୁରୁତ୍ୱ ଦିଆଯିବ। ଜାତୀୟ ଶିକ୍ଷା ନୀତିର ପ୍ରୟୋଗଶାଳା ଭାବରେ ଏହି ସ୍କୁଲ ନିଜର ଅଭିଜ୍ଞତା, ସାମଗ୍ରିକ, ଆଲୋଚନାତ୍ମକ ପଦ୍ଧତି ଏବଂ ଶିକ୍ଷଣ କେନ୍ଦ୍ରୀତ ପଦ୍ଧତି ମାଧ୍ୟମରେ ଏକବିଂଶ ଶତାବ୍ଦୀର କୌଶଳ, ମାନବବାଦୀ ଦୃଷ୍ଟିକୋଣ, ବ୍ୟକ୍ତିତ୍ୱ ଗଠନ କରିବାରେ ସହାୟକ ହେବ।

ମୋଦୀ ସରକାରଙ୍କ ଦ୍ୱାରା ଦେଶବ୍ୟାପୀ ସ୍କୁଲ ଗୁଡ଼ିକୁ ଗୁଣାତ୍ମକ ଭାବେ ମଜଭୂତ କରିବା ପାଇଁ କରାଯାଇଥିବା ପ୍ରତିଶ୍ରୁତିକୁ ପୂରଣ କରିବ ପିଏମ ଶ୍ରୀ ସ୍କୁଲ। ଏହି ପଦକ୍ଷେପ ଓଡ଼ିଶା ଦେଶର ଲକ୍ଷାଧିକ ଛାତ୍ରଛାତ୍ରୀଙ୍କୁ ଲାଭ ଦେବ।  ସ୍କୁଲରେ ଶିକ୍ଷାଦାନ ଓ ଶିକ୍ଷାଗ୍ରହଣ ଟେକ୍ନୋଲୋଜି ଆଧାରିତ ହେବ। ଆଇସିଟି, ଡ଼ିଜିଟାଲ ଲ୍ୟାବ, ଡିଜିଟାଲ ଲାଇବ୍ରେରୀ, ଡିଜିଟାଲ ଲର୍ଣ୍ଣିଂ ଟୁଲ୍ସ ବ୍ୟବସ୍ଥା ରହିବ। ବାଲବାଟିକାରେ ପ୍ରାରମ୍ଭିକ ଶିଶୁଯତ୍ନ ଏବଂ ଶିକ୍ଷା ରହିବ। ମାତୃଭାଷାକୁ ପ୍ରାଧାନ୍ୟ ଦେବା ସହ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭାଷା ଦୂରତାକୁ ହ୍ରାସ କରିବ। ସମଗ୍ର ଭାରତବର୍ଷରେ ବିକଶିତ ଓ ନବୀକରଣ ହେବାକୁ ଥିବା ପିଏମ ଶ୍ରୀ ସ୍କୁଲ ଦେଶର ସର୍ବଶ୍ରେଷ୍ଠ ବିଦ୍ୟାଳୟ ଭାବରେ ବିବେଚିତ ହେବ।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ଵରରେ ଆଜିଠୁ ଦିବ୍ୟ କଳା ମେଳା, ଦିବ୍ୟ କଳା ଶକ୍ତି ଓ ଦିବ୍ୟାଙ୍ଗ ଜନ ରୋଜଗାର ମେଳା

ଭୁବନେଶ୍ଵର: ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟ ଅଧୀନ ଭିନ୍ନକ୍ଷମ (ଦିବ୍ୟାଙ୍ଗଜନ) ସଶକ୍ତୀକରଣ ବିଭାଗ ପକ୍ଷରୁ ଜାତୀୟ ଦିବ୍ୟାଙ୍ଗଜନ ଫାଇନାନ୍ସ ଆଣ୍ଡ ଡେଭଲପମେଣ୍ଟ କର୍ପୋରେସନ୍ (ଏନଡିଏଫଡିସି) ଜରିଆରେ ଦିବ୍ୟ କଳା ଶକ୍ତି ଓ ଦିବ୍ୟ କଳା ମେଳା ଆୟୋଜନ କରିବାକୁ ଯାଉଛି। ସାରା ଦେଶର ଦିବ୍ୟାଙ୍ଗ ଉଦ୍ୟୋଗୀ ଓ ଶିଳ୍ପୀଙ୍କ ପ୍ରତିଭା ଏବଂ କାରିଗରୀକୁ ପ୍ରଦର୍ଶିତ କରୁଥିବା ଏହା ଏକ ଅଭିନବ କାର୍ଯ୍ୟକ୍ରମ। ଏହି ଦିବ୍ୟ କଳା ମେଳା ଓ ଦିବ୍ୟ କଳା ଶକ୍ତି କାର୍ଯ୍ୟକ୍ରମ ଭୁବନେଶ୍ୱରସ୍ଥିତ କିଟ୍ କ୍ୟାମ୍ପସରେ ଆସନ୍ତାକାଲି ଠାରୁ ଅର୍ଥାତ୍‌ ୫ରୁ ୧୧ ଜୁଲାଇ ପର୍ଯ୍ୟନ୍ତ ଆୟୋଜନ କରାଯିବ।

୫ ଜୁଲାଇ ୨୦୨୪ ଅପରାହ୍ଣ ଗୋଟାଏ ବେଳେ ଦିବ୍ୟ କଳା ମେଳା ଓ ଦିବ୍ୟ କଳା ଶକ୍ତି କାର୍ଯ୍ୟକ୍ରମକୁ ଭାରତ ସରକାରଙ୍କ ମାନ୍ୟବର ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ବି.ଏଲ. ବର୍ମା ଉଦଘାଟନ କରିବେ। ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ, ଉତ୍ତରାଖଣ୍ଡ ଏବଂ ଓଡ଼ିଶା ଭଳି ୬ଟି ରାଜ୍ୟରେ ଦିବ୍ୟାଙ୍ଗ ଜନଙ୍କ ପାଇଁ କାର୍ଯ୍ୟ କରୁଥିବା ପ୍ରମୁଖ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉଦଘାଟନୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ।

ଦିବ୍ୟ କଳା ଶକ୍ତି :-

କିଟ୍ ବିଶ୍ୱବିଦ୍ୟାଳୟ ପ୍ରେକ୍ଷାଳୟରେ ଉପରୋକ୍ତ ୬ଟି ରାଜ୍ୟର ଦିବ୍ୟାଙ୍ଗ ଜନ କଳାକାରମାନେ ଐତିହାସିକ ସାଂସ୍କୃତିକ କାର୍ଯ୍ୟକ୍ରମ ‘ଦିବ୍ୟ କଳା ଶକ୍ତି’ ପରିବେଷଣ କରିବେ। ଦିବ୍ୟାଙ୍ଗ ଜନଙ୍କ ପ୍ରତିଭା ଓ ସାମର୍ଥ୍ୟକୁ ପ୍ରୋତ୍ସାହିତ କରିବା ତଥା କଳା ଓ ସଂସ୍କୃତି ଜରିଆରେ ସେମାନଙ୍କୁ ନେଇ ଏକ ସମାବେଶୀ ସମାଜ ଗଢ଼ିବା ଲାଗି ‘‘ଦିବ୍ୟ କଳା ଶକ୍ତି’’ କାର୍ଯ୍ୟକ୍ରମ ଜରିଆରେ ପ୍ରୟାସ କରାଯାଇଥାଏ।

ଦିବ୍ୟ କଳା ମେଳା :-

୧୯୦ ଜଣ ଦିବ୍ୟାଙ୍ଗ ଶିଳ୍ପୀ, କାରୀଗର ଓ ଉଦ୍ୟୋଗୀଙ୍କ ଦ୍ୱାରା ପ୍ରସ୍ତୁତ ଉତ୍କୃଷ୍ଟ ଉତ୍ପାଦ ଏହି ମେଳାରେ ପ୍ରଦର୍ଶିତ ହେବ । ଆଗନ୍ତୁକମାନେ ଏଠାରେ ବିଭିନ୍ନ ବର୍ଗର ବ୍ୟାପକ ଉତ୍ପାଦ ପାଇପାରିବେ, ସେଗୁଡ଼ିକ ମଧ୍ୟରେ ରହିଛି :

-ଗୃହସଜ୍ଜା ଓ ଜୀବନଶୈଳୀ ଉତ୍ପାଦ

-ପୋଷାକ

-ଷ୍ଟେସନାରୀ

-ପରିବେଶ ଅନୁକୂଳ ଉତ୍ପାଦ

-ପ୍ୟାକେଟ୍‌ ଖାଦ୍ୟ

-ଜୈବିକ ଉତ୍ପାଦ

-ଖେଳନା

-ଉପହାର

-ବ୍ୟକ୍ତିଗତ ସାମଗ୍ରୀ ତଥା ଅଳଙ୍କାର ଓ କ୍ଲଚ୍‌ ବ୍ୟାଗ

-ଚିତ୍ରକଳା

ଏହି କାର୍ଯ୍ୟକ୍ରମ ‘‘ଭୋକାଲ୍ ଫର୍ ଲୋକାଲ’’ ଅଭିଯାନକୁ ପ୍ରୋତ୍ସାହିତ କରିଥାଏ, ଯାହା ଦ୍ୱାରା ଆଗନ୍ତୁକମାନେ ଦିବ୍ୟାଙ୍ଗ କାରିଗରମାନଙ୍କ ଦ୍ୱାରା ଅତ୍ୟନ୍ତ ଦୃଢ଼ ସମର୍ପଣ ସହ ନିର୍ମିତ ଅଭିନବ ଜିନିଷ କିଣିପାରିବେ।

କାର୍ଯ୍ୟକ୍ରମ ସୂଚୀ:-

କିଟ୍‌ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ-୬ରେ ଜୁଲାଇ ୫ରୁ ୧୧ ତାରିଖ ପର୍ଯ୍ୟନ୍ତ ସକାଳ ୯ଟାରୁ ରାତି ସାଢ଼େ ୯ଟା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ। ଏଥିରେ ଦିବ୍ୟାଙ୍ଗଜନ କଳାକାର ଓ ଜଣାଶୁଣା ପେସାଦାରଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହାବ୍ୟତୀତ ଏହି କାର୍ଯ୍ୟକ୍ରମରେ ଆଗନ୍ତୁକମାନେ ବିଭିନ୍ନ ଆଞ୍ଚଳିକ ଖାଦ୍ୟର ମଜା ନେଇପାରିବେ।

ମୂଲ୍ୟାୟନ ଶିବିର-

ଆଲିମକୋ ସହଯୋଗରେ ଏସଭିନିର୍ତାର, ଓଡ଼ିଶା ପକ୍ଷରୁ ସ୍ୱତନ୍ତ୍ର ମୂଲ୍ୟାୟନ ଶିବିର ଆୟୋଜନ କରାଯାଇ ସହାୟତା ଓ ସହାୟକ ଉପକରଣର ଆବଶ୍ୟକତା ଥିବା ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ସହାୟତା କରାଯିବ।

ଦିବ୍ୟ କଳା ମେଳା ଓ ଦିବ୍ୟ କଳା ଶକ୍ତି କାର୍ଯ୍ୟକ୍ରମ ସହିତ ଦିବ୍ୟାଙ୍ଗଜନ ରୋଜଗାର ମେଳା ଦିବ୍ୟାଙ୍ଗଜନଙ୍କୁ ପ୍ରୋତ୍ସାହନ ଓ ସଶକ୍ତ କରିବା ସହିତ ଏକ ସମାବେଶୀ ସମାଜ ଗଠନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟର ଦିବ୍ୟାଙ୍ଗଜନ ସଶକ୍ତୀକରଣ ବିଭାଗ ପରିକଳ୍ପନା ଓ ଉଦ୍ୟମକ୍ରମେ ଆୟୋଜନ କରାଯାଇଥିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସାରା ଦେଶରେ ଦିବ୍ୟାଙ୍ଗଜନଙ୍କ ସଶକ୍ତିକରଣକୁ ପ୍ରୋତ୍ସାହନ ଦେବା।

Categories
ବିଶେଷ ଖବର ରାଜ୍ୟ ଖବର

ଓଡିଶାରେ କାର୍ଯ୍ୟକାରୀ ହେବ ଭାରତ ସରକାରଙ୍କ ସମନ୍ୱିତ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ‘ମିଶନ ଶକ୍ତି’ 

ଭୁବନେଶ୍ୱର: ଭାରତ ସରକାରଙ୍କ ସମନ୍ୱିତ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ‘ମିଶନ ଶକ୍ତି’କୁ ଓଡିଶାରେ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ଏହି ଯୋଜନାରେ ମହିଳାଙ୍କ ସୁରକ୍ଷା, ନିରାପତ୍ତା ଓ ସଶକ୍ତିକରଣକୁ ସୁଦୃଢ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି।

ଏଥିରେ ୱାନ୍ ଷ୍ଟପ ସେଣ୍ଟର, ମହିଳା ହେଲ୍ପ ଲାଇନ୍, ବେଟି ବଚାଓ ବେଟି ପଢାଓ, ମହିଳା ସଶକ୍ତିକରଣ ପାଇଁ ହବ୍ ନିର୍ମାଣ, ସଖୀ ନିବାସ, ଶକ୍ତି ସଦନ, ଶିଶୁଗୃହ ଓ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଭଳି କାର୍ଯ୍ୟକ୍ରମ ରହିଛି।

ଏହି ନିଷ୍ପତ୍ତି ଦ୍ୱାରା ଓଡିଶା ସରକାର ଓ ଭାରତ ସରକାରଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ରହିବ। ସୂଚନାଯୋଗ୍ୟ ଯେ ବିଭିନ୍ନ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନାର ପୂର୍ଣ୍ଣ ଲାଭ ନେବା ପାଇଁ ନୂତନ ସରକାର ସ୍ଥିର କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ଆଇସିଟି ଲ୍ୟାବ୍ ଏବଂ ସ୍ମାର୍ଟ କ୍ଲାସରୁମ୍ ସୁବିଧା କରିବ ଶିକ୍ଷା ମନ୍ତ୍ରାଳୟ

ନୂଆଦିଲ୍ଲୀ: ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ଛାତ୍ରୀମାନଙ୍କୁ ସଶକ୍ତ କରିବା, ସେମାନଙ୍କୁ ଡିଜିଟାଲ କ୍ଷେତ୍ରରେ ସୁଦୃଢ଼ କରିବା ଏବଂ ସେମାନଙ୍କ ଶିକ୍ଷଣ ଫଳାଫଳ ବୃଦ୍ଧି କରିବା ପାଇଁ ସମସ୍ତ କାର୍ଯ୍ୟକ୍ଷମ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ (କେଜିଭିବି) ଏବଂ ହଷ୍ଟେଲରେ ସମଗ୍ର ଶିକ୍ଷା ନିୟମ ଅନୁଯାୟୀ ଆଇସିଟି (ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତି) ଲ୍ୟାବ୍ ଏବଂ ସ୍ମାର୍ଟ କ୍ଲାସରୁମ୍ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି। ଏହା ଦ୍ୱାରା ବର୍ତ୍ତମାନର ଡିଜିଟାଲ ବିଭାଜନ ମଧ୍ୟ ଦୂର ହେବ। ଏହି ପଦକ୍ଷେପ ଦ୍ୱାରା ପ୍ରାୟ ୨୯୦ କୋଟି ଟଙ୍କା ବ୍ୟୟ ଅଟକଳରେ କେଜିବିଭିର ୭ ଲକ୍ଷ ଝିଅ ଉପକୃତ ହେବେ।

କେଜିବିଭି ହେଉଛି ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଅନୁସୂଚିତ ଜାତି, ଜନଜାତି, ଓବିସି, ସଂଖ୍ୟାଲଘୁ ଏବଂ ଦାରିଦ୍ର୍ୟ ସୀମାରେଖା ତଳେ ଥିବା (ବିପିଏଲ୍) ଭଳି ଅବହେଳିତ ବର୍ଗର ଝିଅମାନଙ୍କ ପାଇଁ ଆବାସିକ ବିଦ୍ୟାଳୟ। ଏହି ଝିଅମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ଏବଂ ଗୁଣାତ୍ମକ ଶିକ୍ଷା ସୁନିଶ୍ଚିତ କରିବା ଏବଂ ବିଦ୍ୟାଳୟ ଶିକ୍ଷାର ସମସ୍ତ ସ୍ତରରେ ଲିଙ୍ଗଗତ ବ୍ୟବଧାନ କୁ ହ୍ରାସ କରିବା ଉଦ୍ଦେଶ୍ୟରେ ଶିକ୍ଷାଗତ ଦୃଷ୍ଟିରୁ ପଛୁଆ ବ୍ଲକଗୁଡିକରେ କେଜିବିଭି ସ୍ଥାପନ କରାଯାଇଛି। ବର୍ତ୍ତମାନ ଦେଶର ୩୦ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ୫୧୧୬ କେଜିବିଭି କାର୍ଯ୍ୟକରୁଛି।

କେଜିବିଭିରେ ଝିଅମାନଙ୍କୁ ଆଇସିଟି ଲ୍ୟାବ୍ ଏବଂ ସ୍ମାର୍ଟ କ୍ଲାସରୁମ୍ ପ୍ରଦାନ କରିବା ଗୁରୁତ୍ୱପୂର୍ଣ୍ଣ କାରଣ କେଜିବିଭିର ଛାତ୍ରଛାତ୍ରୀମାନେ ଅବହେଳିତ ପୃଷ୍ଠଭୂମିରୁ ଆସିଥାନ୍ତି ଏବଂ ଦୂରତା, ସାଂସ୍କୃତିକ ନିୟମ ଏବଂ ନିରାପତ୍ତା ଚିନ୍ତା ସମେତ ଶିକ୍ଷା ପାଇବାରେ ବିଭିନ୍ନ ବାଧାର ସମ୍ମୁଖୀନ ହୁଅନ୍ତି। ଡିଜିଟାଲ ସାକ୍ଷରତାର ଉପଲବ୍ଧତା ସେମାନଙ୍କ ବ୍ୟକ୍ତିଗତ ତଥା ବୃତ୍ତିଗତ ଅଭିବୃଦ୍ଧି ପାଇଁ ଗୁରୁତ୍ୱପୂର୍ଣ୍ଣ। ଏହା ଡିଜିଟାଲ ବିଭାଜନକୁ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିବ।

ଆଇସିଟିର ଦ୍ରୁତ ବିକାଶ ଏବଂ ଆମ ଜୀବନ ତଥା ଜୀବିକା ସହିତ ଏକୀକରଣର ଏହି ଯୁଗରେ, ସବୁ ବର୍ଗର ଛାତ୍ରଛାତ୍ରୀମାନେ ଆଧୁନିକ ଜ୍ଞାନକୌଶଳ ସହିତ ନିଜକୁ ଦକ୍ଷ କରିବାର ସୁଯୋଗ ପାଇବା ଜରୁରୀ। ଆଇସିଟିକୁ ବିଦ୍ୟାଳୟ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଇଛି ଯାହା ଦ୍ୱାରା ଛାତ୍ରଛାତ୍ରୀ, ବିଶେଷକରି ପଛୁଆ ବର୍ଗର ଛାତ୍ରଛାତ୍ରୀମାନଙ୍କୁ ପର୍ଯ୍ୟାପ୍ତ ଅନୁଭୂତିମୂଳକ ପ୍ରଦର୍ଶନ ସୁନିଶ୍ଚିତ କରାଯାଇପାରିବ।

ଆଇସିଟି ସୁବିଧା ର ବ୍ୟବସ୍ଥା ଦ୍ୱାରା କେଜିବିଭିର ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗର ଡିଜିଟାଲ ପ୍ଲାଟଫର୍ମ/ସମ୍ବଳ ଯଥା ସ୍ୱୟଂ, ସ୍ୱୟଂ ପ୍ରଭା, ଜାତୀୟ ଡିଜିଟାଲ ଲାଇବ୍ରେରୀ, ଇ-ପାଠଶାଳା, ଜାତୀୟ ମୁକ୍ତ ଶିକ୍ଷା ସମ୍ବଳ ଭଣ୍ଡାର, ଦିକ୍ଷା ଇତ୍ୟାଦିରେ ଉନ୍ନତ ଆକସେସ୍ ପାଇପାରିବେ। ଏହା ଦ୍ୱାରା ସେମାନଙ୍କ ଶିକ୍ଷଣ ଫଳାଫଳରେ ଉନ୍ନତି ଆସିବ।

Categories
ଆଜିର ଖବର ଜାତୀୟ ଖବର

ପି.ଏମ.ଶ୍ରୀ ସ୍କୁଲ ଶିକ୍ଷକମାନଙ୍କ ପାଇଁ ଏନଏମଏମ ଏବଂ ଏନପିଏସଟି ଉପରେ ଓରିଏଣ୍ଟେସନ ଅଧିବେଶନ

ନୂଆଦିଲ୍ଲୀ: ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ (ଡିଓଏସଇଏଲ)ର ନିର୍ଦ୍ଦେଶକ୍ରମେ ଜାତୀୟ ଶିକ୍ଷକ ଶିକ୍ଷା ପରିଷଦ ପକ୍ଷରୁ ଦେଶର ୨୯ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ/କେଭିଏସ୍/ଏନଭିଏସ୍ ର ଶିକ୍ଷକମାନଙ୍କ ପାଇଁ ଜାତୀୟ ପରାମର୍ଶ ମିଶନ (ଏନଏମଏମ) ଏବଂ ଶିକ୍ଷକମାନଙ୍କ ପାଇଁ ଜାତୀୟ ବୃତ୍ତିଗତ ମାନକ (ଏନ୍ ପି ଏସ୍ ଟି) ଉପରେ ଏକ ପାଞ୍ଚ ଦିନିଆ ଭର୍ଚୁଆଲ୍ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜାତୀୟ ଶିକ୍ଷା ନୀତି (ଏନଇପି) ୨୦୨୦କୁ ପ୍ରଭାବଶାଳୀ ଭାବରେ କାର୍ଯ୍ୟକାରୀ କରିବା ପାଇଁ ଆବଶ୍ୟକ ଜ୍ଞାନ ଓ ଦକ୍ଷତା ସହିତ  ପି.ଏମ. ଶ୍ରୀ ସ୍କୁଲ ଶିକ୍ଷକମାନଙ୍କ ଦକ୍ଷତା ବୃଦ୍ଧି ଉଦ୍ଦେଶ୍ୟରେ ୧୦-୧୪ ଜୁନ ୨୦୨୪ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ଅଧିବେଶନରେ ଲକ୍ଷ୍ୟ ରଖାଯାଇଥିଲା।

ପାଞ୍ଚ ଦିନ ଧରି ଦୁଇ ଘଣ୍ଟିଆ ଅଧିବେଶନ ଆୟୋଜନ କରାଯାଇ ଏନଏମଏମ ଏବଂ ଏନପିଏସଟି ବିଷୟରେ ସୂଚନା ପ୍ରଦାନ ଉପରେ ଗୁରୁତ୍ୱ ଦିଆଯାଇଥିଲା । ପ୍ରତିଦିନ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଏଥିରେ ସାମିଲ କରାଯାଇଥିଲା। ଶିକ୍ଷକମାନଙ୍କ ବୃତ୍ତିଗତ ଅଭିବୃଦ୍ଧିକୁ ସମର୍ଥନ କରିବା ଏବଂ ସେମାନଙ୍କ ଛାତ୍ରଛାତ୍ରୀଙ୍କ ପାଇଁ ଏକ ମଜବୁତ ଭିତ୍ତିଭୂମି ସୃଷ୍ଟି କରିବା ପାଇଁ ସେମାନଙ୍କୁ ସଶକ୍ତ କରିବା ପାଇଁ ଏହି ପଦକ୍ଷେପଗୁଡିକ ପ୍ରସ୍ତୁତ କରାଯାଇଛି । ଅଧିବେଶନଗୁଡ଼ିକୁ ଅଧିକ ସମାବେଶୀ କରିବାରେ ସାଙ୍କେତିକ ଭାଷା ଅନୁବାଦକମାନେ ମଧ୍ୟ ନିୟୋଜିତ ହୋଇଥିଲେ। ପି.ଏମ. ଶ୍ରୀ ସ୍କୁଲ ଶିକ୍ଷକମାନେ ଏହି ଅଧିବେଶନରେ ଅଂଶଗ୍ରହଣ କରି ଏନପିଏସଟି ଏବଂ ଏନଏମଏମ ଏବଂ ସେମାନଙ୍କର କାର୍ଯ୍ୟକାରୀ ରଣନୀତି ବିଷୟରେ ଗଭୀର ବୁଝାମଣା ହାସଲ କରିବେ ବୋଲି ଆଶା କରାଯାଉଛି।

ଏନସିଟିଇର ଅଧ୍ୟକ୍ଷ ପ୍ରଫେସର ପଙ୍କଜ ଅରୋରା ଏବଂ ଏନସିଟିଇର ସଦସ୍ୟ ସଚିବ ଶ୍ରୀମତୀ କେସାଙ୍ଗ ୱାଇ ଶେରପା ପି.ଏମ। ଶ୍ରୀ ସ୍କୁଲ ଶିକ୍ଷକମାନଙ୍କ ପାଇଁ ଉଭୟ ଏନପିଏସଟି ଏବଂ ଏନଏମଏମ ଅଧିବେଶନର ପ୍ରସଙ୍ଗ ଉପସ୍ଥାପନ କରିଥିଲେ । ନ୍ୟାସନାଲ ମିଶନ ଫର ମେଣ୍ଟରିଂ (ଏନଏମଏମ) ଉପରେ ଏକ ଅଧିବେଶନରେ ଏନଏମଏମ ଉପରେ ଏକ ବିସ୍ତୃତ ଉପସ୍ଥାପନା କରାଯାଇଥିଲା । ଏକ ବୈଷୟିକ ପ୍ରଦର୍ଶନରେ ସଂରକ୍ଷକ ଏବଂ ପ୍ରଶିକ୍ଷାର୍ଥୀ ଉଭୟଙ୍କ ପାଇଁ ଏନଏମଏମ ପୋର୍ଟାଲର ପଞ୍ଜୀକରଣ ପ୍ରକ୍ରିୟା ଏବଂ ବ୍ୟବହାର ପ୍ରଦର୍ଶନ କରାଯାଇଥିଲା। ଏହି ଅଧିବେଶନରେ ପରାମର୍ଶଦାତା ଏବଂ ପ୍ରଶିକ୍ଷାର୍ଥୀ ମଧ୍ୟରେ ଯୋଗାଯୋଗକୁ ସୁଗମ କରିବା ପାଇଁ ଏନଏମଏମ ଡିଜିଟାଲ ପୋର୍ଟାଲ ମାଧ୍ୟମରେ ଏନସିଟିଇ ଦ୍ୱାରା ପ୍ରଦାନ କରାଯାଉଥିବା ସହାୟତା ଉପରେ ମଧ୍ୟ ଆଲୋକପାତ କରାଯାଇଥିଲା।

ଏନପିଏସଟି ଉପରେ ଅଧିବେଶନରେ ଏନପିଏସଟି ମାର୍ଗଦର୍ଶିକା ଡକ୍ୟୁମେଣ୍ଟରେ ସୁପାରିଶ କରାଯାଇଥିବା କାର୍ଯ୍ୟଦକ୍ଷତା ଆଶା ଏବଂ ଉନ୍ନତି ପାଇଁ ରଣନୀତି ବିଷୟରେ ସେମାନଙ୍କର ବୁଝାମଣା ବୃଦ୍ଧି କରି ପି.ଏମ. ଶ୍ରୀ ସ୍କୁଲ ଶିକ୍ଷକମାନଙ୍କୁ ସଶକ୍ତ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଏହି ଅଧିବେଶନରେ ସେବାରେ ଥିବା ଶିକ୍ଷକମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ଏନପିଏସଟି ମାର୍ଗଦର୍ଶିକା ଡକ୍ୟୁମେଣ୍ଟରେ ସୁପାରିଶ କରାଯାଇଥିବା ତିନୋଟି ମୁଖ୍ୟ ମାନଦଣ୍ଡ, ଶିକ୍ଷକ ସ୍ତର ଏବଂ ଏନପିଏସଟି ଢାଞ୍ଚା ବିଷୟରେ ଉଲ୍ଲେଖ କରାଯାଇଥିଲା । ଓରିଏଣ୍ଟେସନ୍ ଅଧିବେଶନରେ ଦକ୍ଷତା ବିଷୟରେ ସୂଚନା ପ୍ରଦାନ କରାଯାଇଥିଲା ଯାହା ଶିକ୍ଷକମାନଙ୍କୁ ସେମାନଙ୍କର ବୃତ୍ତିଗତ ଏବଂ ବ୍ୟକ୍ତିଗତ ଲକ୍ଷ୍ୟ ହାସଲ କରିବାରେ ସାହାଯ୍ୟ କରିପାରେ।