Categories
ବିଶେଷ ଖବର

ଭାରତ ଏବଂ ଇଜିପ୍‌ଟ ପ୍ରତିରକ୍ଷା ମନ୍ତ୍ରୀଙ୍କ ମଧ୍ୟରେ କାଇରୋରେ ଦ୍ବିପାକ୍ଷିକ ଆଲୋଚନା

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ୧୯, ସେପ୍ଟେମ୍ବର ୨୦୨୨ ରେ କାଇରୋରେ ଇଜିପ୍‌ଟର ପ୍ରତିରକ୍ଷା ମନ୍ତ୍ରୀ ଜେନେରାଲ୍ ମହମ୍ମଦ ଜାକିଙ୍କ ସହିତ ଦ୍ବିପାକ୍ଷିକ ଆଲୋଚନା କରିଛନ୍ତି। ରାଜନାଥ ସିଂ ବର୍ତ୍ତମାନ ଇଜିପ୍‌ଟ ଗସ୍ତରେ ରହିଛନ୍ତି। ତାଙ୍କୁ ଦ୍ବିପାକ୍ଷିକ ଆଲୋଚନା ଆରମ୍ଭ ହେବା ପୂର୍ବରୁ କାଇରୋ ସ୍ଥିତ ପ୍ରତିରକ୍ଷା ମନ୍ତ୍ରଣାଳୟରେ ସେରିମୋନିଆଲ୍ ଗାର୍ଡ଼ ଅଫ୍ ଅନର ପ୍ରଦାନ କରାଯାଇଛି। ବୈଠକ ସମୟରେ ଉଭୟ ପକ୍ଷ ପ୍ରତିରକ୍ଷା ସମ୍ପର୍କକୁ ମଜବୁତ୍ କରିବା ଦିଗରେ ମିଳିତ ସୈନ୍ୟାଭ୍ୟାସ ବଢ଼ାଇବା ଏବଂ ପ୍ରଶିକ୍ଷଣ, ବିଶେଷ କରି ଆତଙ୍କବାଦ ବିରୋଧୀ କାର୍ଯ୍ୟକଳାପ କ୍ଷେତ୍ରରେ ପ୍ରଶିକ୍ଷଣ ପାଇଁ ସୈନ୍ୟକର୍ମୀମାନଙ୍କର ଆଦାନ ପ୍ରଦାନ ଉପରେ ସହମତି ପ୍ରକାଶ କରିଛନ୍ତି।

ଉଭୟ ମନ୍ତ୍ରୀ ଭାରତ ଏବଂ ଇଜିପ୍‌ଟର ରକ୍ଷା ଉଦ୍ୟୋଗ ମଧ୍ୟରେ ନିର୍ଦ୍ଦିଷ୍ଟ ସମୟ ଅବଧିରେ ସହଯୋଗ ବଢ଼ାଇବା ପାଇଁ ପ୍ରସ୍ତାବ ଉପରେ ଧ୍ୟାନ ପ୍ରଦାନ କରିବା ଉପରେ ସହମତି ପ୍ରଦାନ କରିଛନ୍ତି। ସେମାନେ କ୍ଷେତ୍ରୀୟ ସୁରକ୍ଷା ଉପରେ ବିଚାରର ଆଦାନ ପ୍ରଦାନ କରିଛନ୍ତି ତଥା ବିଶ୍ବରେ ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବାରେ ଭାରତ ତଥା ଇଜିପ୍‌ଟର ଯୋଗାଦାନକୁ ରେଖାଙ୍କିତ କରିଛନ୍ତି। ଉଭୟ ପକ୍ଷ ଏହି ବିଷୟ ଉପରେ ଖୁସି ପ୍ରକାଶ କରିଛନ୍ତି ଯେ କୋଭିଡ୍ ୧୯ ମହାମାରୀ ସତ୍ତ୍ବେ ଗତ ବର୍ଷ ସମୟରେ ଉଭୟ ଦେଶ ମଧ୍ୟରେ ରକ୍ଷା କାର୍ଯ୍ୟକାରୀତା ଓ ଆଦାନ-ପ୍ରଦାନର ଗତି ତୀବ୍ର ରହିଛି।

ଇଜିପ୍‌ଟର ରାଷ୍ଟ୍ରପତି ଆବଦେଲ୍ ଫତାହ-ଅଲ୍ –ସିସି ଙ୍କ ସହିତ ରକ୍ଷା ମନ୍ତ୍ରୀ ରାଜନାଥ ସିଂ ଙ୍କ ସାକ୍ଷାତ ପରେ ଉଭୟ ରକ୍ଷା ମନ୍ତ୍ରୀ ଦ୍ବିପାକ୍ଷୀୟ ସହଯୋଗ ବିଷୟରେ ସୁରକ୍ଷା ଏବଂ ରକ୍ଷା ପକ୍ଷର ବୃଦ୍ଧି ଉପରେ ସହମତି ବ୍ୟକ୍ତ କରିଛନ୍ତି। ଉଭୟ ରକ୍ଷା ମନ୍ତ୍ରୀ ରକ୍ଷା କ୍ଷେତ୍ରରେ ସହଯୋଗ ପାଇଁ ବୁଝାମଣା ରାଜିନାମା ଉପରେ ସ୍ବାକ୍ଷର କରିଛନ୍ତି। ଏହି ବୁଝାମଣା ରାଜିନାମା ପାରସ୍ପରିକ ହିତର ସମସ୍ତ କ୍ଷେତ୍ରରେ ରକ୍ଷା ସହଯୋଗ ବଢ଼ାଇବାର ମାର୍ଗକୁ ପ୍ରଶସ୍ତ କରିବ।

ରାଜନାଥ ସିଂ ଭାରତ-ଆଫ୍ରିକା ରକ୍ଷା ସମ୍ବାଦ ଏବଂ ଆଇଓଆର ରକ୍ଷା ମନ୍ତ୍ରୀମାନଙ୍କର ସମ୍ମିଳନୀରେ ଭାଗ ନେବା ପାଇଁ ଇଜିପ୍ଟ ସମକକ୍ଷଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ କରିଛନ୍ତି। ଏହି କାର୍ଯ୍ୟକ୍ରମ ୧୨ଶ ଡେଫ୍‌ ଏକ୍ସପୋର ଭାଗ ରୂପେ ଗୁଜରାଟର ଗାନ୍ଧୀନଗରରେ ୧୮-୨୨ ଅକ୍ଟୋବର ୨୦୨୨ ମଧ୍ୟରେ ଆୟୋଜିତ ହେବ।

ଦିନ ବ୍ୟାପି ନିଜର କାର୍ଯ୍ୟକ୍ରମ ସମୟରେ ରକ୍ଷା ମନ୍ତ୍ରୀ କାଇରୋରେ ଅଜ୍ଞାତ ସୈନ୍ୟ ସ୍ମାରକ ଏବଂ କାଇରୋର ପୂର୍ବ ରାଷ୍ଟ୍ରପତି ଅନୱର-ଅଲ-ସାଦାତ୍ ଙ୍କ ସମାଧିରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଭାରତରେ ୫,୬୬୪ ନୂତନ ଆକ୍ରାନ୍ତ ଚିହ୍ନଟ, ସକ୍ରିୟ ରୋଗୀଙ୍କ ସଂଖ୍ୟା ୪୭,୯୨୨ କୁ ବୃଦ୍ଧି

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ କୋଭିଡ-୧୯ ର ୫ ହଜାର ୬୬୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦେଶରେ ମୋଟ ସଂକ୍ରମିତ ଲୋକଙ୍କ ସଂଖ୍ୟା ୪ କୋଟି ୪୫ ଲକ୍ଷ ୩୪ ହଜାର ୧୮୮ ଥିବାବେଳେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ୪୬ ହଜାର ୮୪୮ ରୁ ୪୭ ହଜାର ୯୨୨ କୁ ବୃଦ୍ଧି ପାଇଛି। ତଥ୍ୟ ଅନୁଯାୟୀ, ସଂକ୍ରମଣ ହେତୁ ଅଧିକ ୩୫ ଜଣଙ୍କ ମୃତ୍ୟୁ ହୋଇଛି। ତେବେ ମୋଟ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୨୮ ହଜାର ୩୩୭ କୁ ବୃଦ୍ଧି ପାଇଛି।

Categories
ଜାତୀୟ ଖବର ବିଶେଷ ଖବର

ଭାରତରେ ବିଲୁପ୍ତ ଜଙ୍ଗଲୀ ଚିତାଙ୍କୁ କୁନୋ ଜାତୀୟ ଉଦ୍ୟାନରେ ଛାଡ଼ିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ କୁନୋ ଜାତୀୟ ଉଦ୍ୟାନରେ ଜଙ୍ଗଲୀ ଚିତା ବାଘମାନଙ୍କୁ ଛାଡ଼ିଛନ୍ତି। ଚିତା ବାଘ ପ୍ରଜାତି ଭାରତରୁ ବହୁ ବର୍ଷ ପୂର୍ବରୁ ବିଲୁପ୍ତ ହୋଇଯାଇଥିଲେ। ପ୍ରୋଜେକ୍ଟ ଚିତା ଅଧୀନରେ ନାମିବ୍ୟାରୁ ଭାରତକୁ ଚିତା ବାଘ ଗୁଡ଼ିକୁ ଅଣାଯାଇଛି। ଏହା ହେଉଛି ବିଶ୍ୱର ସର୍ବପ୍ରଥମ ଆନ୍ତଃମହାଦେଶୀୟ ବୃହତ ମାଂସାହାରୀ ପ୍ରାଣୀ ସ୍ଥାନାନ୍ତର ପ୍ରକଳ୍ପ। ଏହି ପ୍ରକଳ୍ପ ଅଧୀନରେ ଅଣାଯାଇଥିବା ଆଠଟି ଚିତା ମଧ୍ୟରୁ ୫ଟି ମାଈ ଏବଂ ୩ଟି ଅଣ୍ଡିରା ରହିଛନ୍ତି।

କୁନୋ ଜାତୀୟ ଉଦ୍ୟାନର ଦୁଇଟି ସ୍ଥାନରେ ପ୍ରଧାନମନ୍ତ୍ରୀ ଏହି ଚିତାଗୁଡ଼ିକୁ ଛାଡ଼ିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଚିତା ମିତ୍ର, ଚିତା ପୁନର୍ବାସ ପରିଚାଳନା ଦଳ ଏବଂ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ଏହି ଐତିହାସିକ ସମାରୋହରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ନିଜର ଅଭିଭାଷଣ ରଖିଥିଲେ।

ଭାରତର ବନ୍ୟପ୍ରାଣୀ ଏବଂ ସେମାନଙ୍କର ବାସସ୍ଥଳୀର ପୁନରୁଦ୍ଧାର ଏବଂ ବିବିଧକରଣ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଲଗାତାର ପ୍ରୟାସ କରି ଆସୁଛନ୍ତି। ଏହି ଉଦ୍ୟମର ଅଂଶବିଶେଷ ସ୍ୱରୂପ ସେ କୁନୋ ଜାତୀୟ ଉଦ୍ୟାନରେ ଚିତାଗୁଡ଼ିକୁ ଛାଡ଼ିଛନ୍ତି। ୧୯୫୨ ମସିହା ଠାରୁ ଭାରତରେ ଚିତା ବାଘମାନଙ୍କୁ ବିଲୁପ୍ତ ଘୋଷଣା କରାଯାଇଛି। ଚଳିତ ବର୍ଷ ପ୍ରାରମ୍ଭରେ ସ୍ୱାକ୍ଷରିତ ଏକ ରାଜିନାମା ଅନ୍ତର୍ଗତ ନାମିବ୍ୟାରୁ ଏହି ଚିତାଗୁଡ଼ିକୁ ଆଣି ଏଠାରେ ଛଡ଼ାଯାଇଛି। ବିଶ୍ୱର ସର୍ବପ୍ରଥମ ଆନ୍ତଃମହାଦେଶୀୟ ବୃହତ ମାଂସାହାରୀ ପ୍ରାଣୀ ସ୍ଥାନାନ୍ତର ପ୍ରକଳ୍ପ ‘ପ୍ରୋଜେକ୍ଟ ଚିତା’ ଅଧୀନରେ ଚିତାମାନଙ୍କର ସଂରକ୍ଷଣ ପାଇଁ ଏହି ଉଦ୍ୟମ କରାଯାଉଛି।

ଭାରତକୁ ଚିତା ଅଣାଯିବା ଦ୍ୱାରା ମୁକ୍ତ ଜଙ୍ଗଲ ଏବଂ ଚାରଣଭୂମି ପରିବେଶ ପରିତନ୍ତ୍ରର ପୁନରୁଦ୍ଧାର ହେବ। ଏହା ମଧ୍ୟ ଜୈବ ବିବିଧତାର ସଂରକ୍ଷଣ ସହିତ ଜଳ ସୁରକ୍ଷା, କାର୍ବନ ସିକ୍ୟୁଷ୍ଟ୍ରେସନ ବା ଅଙ୍ଗାରକ ପୃଥକୀକରଣ ଏବଂ ଜଳ ଆର୍ଦ୍ରତା ସଂରକ୍ଷଣ ଭଳି ଇକୋସିଷ୍ଟମ ବା ପରିବେଶ ପରିତନ୍ତ୍ର ସେବାକୁ ବଢ଼ାଇବ ଯାହାର ବ୍ୟାପକ ଲାଭ ସମାଜକୁ ମିଳିପାରିବ। ପରିବେଶ ସୁରକ୍ଷା ଏବଂ ଜଳବାୟୁ ସଂରକ୍ଷଣ ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତା ଅନୁରୂପ, ଏହି ପ୍ରୟାସ ବଳରେ ପରିବେଶର ବିକାଶ ଓ ପରିବେଶ ପର୍ଯ୍ୟଟନ ଗତିବିଧି ମାଧ୍ୟମରେ ସ୍ଥାନୀୟ ସମୁଦାୟଙ୍କ ପାଇଁ ଜୀବିକା ଅର୍ଜନ ନିମନ୍ତେ ସୁଯୋଗ ସୃଷ୍ଟି ହେବ।

ଗତ ଆଠ ବର୍ଷ ମଧ୍ୟରେ ଦୀର୍ଘସ୍ଥାୟିତ୍ୱ ଏବଂ ପରିବେଶ ସୁରକ୍ଷା ସୁନିଶ୍ଚିତ କରିବା ଲାଗି ଭାରତରେ ସଂଖ୍ୟାଧିକ ପଦକ୍ଷେପ ଗ୍ରହଣ କରାଯାଇଛି। ଚିତା ପୁନର୍ବାସ ପ୍ରକଳ୍ପ ଆରମ୍ଭ ହେବା ଏହି କାର୍ଯ୍ୟଧାରାର ଏକ ଅଂଶବିଶେଷ। ଏସବୁ ପଦକ୍ଷେପ ଫଳରେ ପରିବେଶ ସୁରକ୍ଷା ଏବଂ ଦୀର୍ଘସ୍ଥାୟିତ୍ୱ କ୍ଷେତ୍ରରେ ଅନେକ ଉଲ୍ଲେଖନୀୟ ଉପଲବ୍ଧି ହାସଲ କରାଯାଇପାରିଛି। ଉଦାହରଣ ସ୍ୱରୂପ, ୨୦୧୪ରେ ଦେଶର ମୋଟ୍‌ ଭୌଗଳିକ କ୍ଷେତ୍ର ମଧ୍ୟରୁ ସଂରକ୍ଷିତ ଅଞ୍ଚଳର ପ୍ରସାର ୪.୯୦ ପ୍ରତିଶତ ଥିଲା, ବର୍ତ୍ତମାନ ଏହା ୫.୦୩ ପ୍ରତିଶତକୁ ବୃଦ୍ଧି ପାଇଛି। ୨୦୧୪ରେ ଦେଶରେ ସଂରକ୍ଷିତ ଅଭୟାରଣ୍ୟ କ୍ଷେତ୍ରଗୁଡ଼ିକର ସଂଖ୍ୟା ଥିଲା ୭୪୦ ଏବଂ ଏସବୁ କ୍ଷେତ୍ରର ମୋଟ୍‌ କ୍ଷେତ୍ରଫଳ ଥିଲା ୧,୬୧,୦୮୧.୬୨ ବର୍ଗ କିଲୋମିଟର। ବର୍ତ୍ତମାନ ସଂରକ୍ଷିତ ଅଞ୍ଚଳ ସଂଖ୍ୟା ୯୮୧କୁ ବୃଦ୍ଧି ପାଇଥିବା ବେଳେ ଏସବୁ ଅଞ୍ଚଳର କ୍ଷେତ୍ରଫଳ ୧,୭୧,୯୨୧ ବର୍ଗ କିଲୋମିଟରକୁ ବୃଦ୍ଧି ପାଇଛି।

ଗତ ୪ ବର୍ଷ ମଧ୍ୟରେ ଦେଶରେ ଜଙ୍ଗଲ ଓ ଗଛର ଘନତ୍ୱ ୧୬ ହଜାର ବର୍ଗ କିଲୋମିଟର ବୃଦ୍ଧି ପାଇଛି। ନିରନ୍ତର ଭାବେ ଜଙ୍ଗଲ ଘନତ୍ୱ ବୃଦ୍ଧି କ୍ଷେତ୍ରରେ ଭାରତ ବିଶ୍ୱର ହାତଗଣତି ରାଷ୍ଟ୍ରମାନଙ୍କ ମଧ୍ୟରେ ସାମିଲ ହୋଇପାରିଛି।

ଦେଶରେ ଗୋଷ୍ଠୀ ଅଭୟାରଣ୍ୟ ସଂଖ୍ୟା ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଇଛି। ୨୦୧୪ରେ ଏପରି କ୍ଷେତ୍ର ସଂଖ୍ୟା ୪୩ ଥିବା ବେଳେ ୨୦୧୯ରେ ଏହା ବୃଦ୍ଧି ପାଇ ୧୦୦ରୁ ଅଧିକ ହୋଇଯାଇଛି।

ଭାରତରେ ୫୨ଟି ବ୍ୟାଘ୍ର ଅଭୟାରଣ୍ୟ ରହିଛି ଏବଂ ୧୮ ରାଜ୍ୟରେ ବ୍ୟାପି ରହିଥିବା ଏସବୁ ଅଭୟାରଣ୍ୟର ମୋଟ୍‌ କ୍ଷେତ୍ରଫଳ ହେଉଛି ୭୫ ହଜାର ବର୍ଗ କିଲୋମିଟର। ବିଶ୍ୱସ୍ତରରେ ମୋଟ ଜଙ୍ଗଲୀ ବାଘଙ୍କ ମଧ୍ୟରୁ ୭୫% କେବଳ ଭାରତରେ ରହୁଛନ୍ତି। ୨୦୨୨ ସୁଦ୍ଧା ବାଘଙ୍କ ସଂଖ୍ୟା ଦ୍ୱିଗୁଣିତ କରିବା ଲାଗି ଭାରତ ଲକ୍ଷ୍ୟ ନିର୍ଦ୍ଧାରଣ କରିଥିଲା, କିନ୍ତୁ ଏହାର ୪ ବର୍ଷ ପୂର୍ବରୁ ୨୦୧୮ରେ ଦେଶ ଏହି ଲକ୍ଷ୍ୟ ହାସଲ କରିପାରିଛି। ୨୦୧୪ରେ ଦେଶରେ ବାଘଙ୍କ ସଂଖ୍ୟା ୨,୨୨୬ ଥିବା  ଥିବା ବେଳେ ୨୦୧୮ରେ ଏହା ୨୯୬୭କୁ ବୃଦ୍ଧି ପାଇଛି।

୨୦୧୪ରେ ବାଘ ସଂରକ୍ଷଣ ପାଇଁ ବଜେଟ୍‌ ଆବଣ୍ଟନ ପରିମାଣ ୧୮୫ କୋଟି ଟଙ୍କା ଥିବା ବେଳେ ୨୦୨୨ରେ ଏହା ୩୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି।

ସେହିପରି ଦେଶରେ ଏସୀୟ ସିଂହଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି। ୨୦୧୫ରେ ଏମାନଙ୍କ ସଂଖ୍ୟା ୫୨୩ ଥିଲା, ବର୍ତ୍ତମାନ ଏହା ୬୭୪କୁ ବୃଦ୍ଧି ପାଇଛି। ସିଂହଙ୍କ ସଂଖ୍ୟାରେ ୨୮.୮୭ ପ୍ରତିଶତ ବୃଦ୍ଧି ପରିଲକ୍ଷିତ ହୋଇଛି ଯାହାକି ବର୍ତ୍ତମାନ ସୁଦ୍ଧା ସବୁଠୁ ଅଧିକ ଅଭିବୃଦ୍ଧି ହାର।

ଏବେ (୨୦୨୦ ସୁଦ୍ଧା) ଭାରତରେ ୧୨, ୮୫୩ଟି କଲରାପତରିଆ ବାଘ ଅଛନ୍ତି। ୨୦୧୪ରେ କରାଯାଇଥିବା ଗଣନା ଅନୁଯାୟୀ ଏମାନଙ୍କ ସଂଖ୍ୟା ୭୯୧୦ ଥିଲା। କଲରାପତରିଆ ବାଘଙ୍କ ସଂଖ୍ୟାରେ ୬୦% ବୃଦ୍ଧି ଦେଖିବାକୁ ମିଳିଛି।

ଆଜିର ପ୍ରୋଜେକ୍ଟ ଚିତା କାର୍ଯ୍ୟକ୍ରମରେ ମଧ୍ୟପ୍ରଦେଶ ରାଜ୍ୟପାଳ ମଙ୍ଗୁଭାଇ ପଟେଲ, ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ, କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର, ଭୂପେନ୍ଦ୍ର ଯାଦବ, ଜ୍ୟୋତିରାଦିତ୍ୟ ଏମ. ସିନ୍ଧିଆ, ଅଶ୍ୱିନୀ କୁମାର ଚୌବେ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଅନେକ ଗୁଡ଼ିଏ ସରପ୍ରାଇଜ୍ ସହିତ ଅଲ ଷ୍ଟାର ସେଲ୍ ଶୁଭାରମ୍ଭ କଲା ଆଜିଓ

ଭୁବନେଶ୍ୱର: ଭାରତର ଅଗ୍ରଣୀ ଅନଲାଇନ୍ ଫେସନ ଇ-ରିଟେଲର ଆଜିଓ ଅନେକ ଗୁଡ଼ିଏ ତାରକା ଖଚିତ ଅଫରକୁ ନେଇ ଆସିଛି ଏବଂ ଏଥିରେ ରହିଛି ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରର ଷ୍ଟାର ବ୍ରାଣ୍ଡ୍ ସମୂହ। ଏଥିରେ ଥିବା କଲେକ୍ସନ ଓ ଅତୁଳନୀୟ ଡିଲ୍ ବେଶୂ ଆକର୍ଷଣୀୟ ରହିଛି। ଆଜିଓ ଅଲ୍ ଷ୍ଟାର ସେଲ୍ ଏବେ ସେପ୍ଟେମ୍ବର ୧୬ ଠାରୁ ୨୫ ତାରିଖ ପର୍ଯ୍ୟନ୍ତ ଲାଇଭ୍ ରହିଛି।

୩୫୦୦+ ଅଗ୍ରଣୀ ଭାରତୀୟ ଓ ଆନ୍ତର୍ଜାତିକ ଫେସନ ବ୍ରାଣ୍ଡ୍‌ରେ ୧ ନିୟୁତରୁ ଅଧିକ ଷ୍ଟାଇଲ୍ ଯେଉଁଥିରେ ୫୦-୯୦% ଡିସକାଉଂଟ ଉପଲବ୍ଧ ରହିଛି। ଗ୍ରାହକମାନେ ପ୍ରଥମ ଥର ଆପ୍‌ରେ ସାଇନିଂ ଅପ୍ କରିବା ପରେ ତୁରନ୍ତ ଟ.୫୦୦ ମୂଲ୍ୟର ରିହାତି ପାଇପାରିବେ।

ଆଜିଓରେ ରହିଛି ୱେଷ୍ଟର୍ଣ୍ଣ ଉୟର, ଡେନିମ୍ସ, ସ୍ନିକର, ଆଥଲେଜର, ଏଥିନିକ୍ ଉୟର ଓ ଆହୁରି ଅନେକ କିଛି। ଏଥିରେ ଆପଣ ପାଇପାରିବେ ଷ୍ଟାର-ଷ୍ଟଡେଡ୍ ବ୍ରାଣ୍ଡ ଲାଇନ୍ ଅପ୍ ଯେଉଁଥିରେ ରହିଛି ପ୍ରମୁଖ ନାମ ଯଥା ଆଡିଡାସ୍‌, ନାଇକ୍‌, ସୁପରଡ୍ରାଏ, ଷ୍ଟିଭ୍ ମାଡେନ୍‌, ଲିଭାଇସ୍‌, ମାର୍କସ୍ ଆଣ୍ଡ ସ୍ପେନ୍ସର, ଅର୍ମାନି ଏକ୍ସଚେଞ୍ଜ, ମାଭି, ରିତୁ କୁମାର, ଡବ୍ଲୁ, ମାସବା, ମୁଜି ଓ ଆହୁରି ଅନେକ।

ବଲିଉଡର ଅଗ୍ରଣୀ ଷ୍ଟାରମାନେ ଅନନ୍ୟ ଷ୍ଟାଇଲରେ ସୁସଜ୍ଜିତ ହୋଇ ଆଜିଓ ଅଲଷ୍ଟାର ସେଲକୁ ସଭିଙ୍କ ପାଇଁ ‘ଷ୍ଟ୍ରିଟ’କୁ ଆଣିଛନ୍ତି। ଶ୍ରଦ୍ଧା କପୁର, ବାଣୀ କପୁର, ଜିମ୍ ସର୍ଭ ଓ ବାଦଶାହା ହେଉଛନ୍ତି ସଦ୍ୟତମ ଆଜିଓ କ୍ୟାମ୍ପେନର ଷ୍ଟାରକାଷ୍ଟ ଯେଉଁମାନେ ଟିଭି ଓ ଡିଜିଟାଲ୍ ମିଡିଆରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।

ବିଭିନ୍ନ ପ୍ରକାର ବ୍ରାଣ୍ଡ୍ ସହିତ, ଜଣେ ବ୍ୟକ୍ତି ଅଲ୍‌- ଷ୍ଟାର ସେଲ୍ ସମୟରେ ଆଜିଓ ଆପ୍‌ରେ ଅନେକ ଗୁଡ଼ିଏ ଆକର୍ଷଣୀୟ ଡିଲ୍ ପାଇପାରିବେ। ଗ୍ରାହକମାନେ ମଧ୍ୟ ଅତିରିକ୍ତ ସୁବିଧା ଯଥା ସୁପରଫାଷ୍ଟ ଡେଲିଭରି, ଡୋରଷ୍ଟପ୍ ରିଫଣ୍ଡ ଓ ସହଜିଆ ଏକ୍ସଚେଞ୍ଜ ସୁବିଧା ପାଇପାରିବେ ଯାହାଦ୍ୱାର ଆଜିଓର ଅଫରିଂ ଆହୁରି ଅଧିକ ଆକର୍ଷଣୀୟ ହୋଇପାରିଛି।

ଭାରତରେ ଉତ୍ସବ ସେଲ୍ ଋତୁ ଆରମ୍ଭ ହୋଇଥିବା ବେଳେ ଆଜିଓ ଅଲ୍ ଷ୍ଟାର୍ସ ସେଲ୍ ଗ୍ରାହକଙ୍କ ସମସ୍ତ ଫେସନ ସପିଂ ଆବଶ୍ୟକତାକୁ ପୂରଣ କରୁଛି । ପ୍ଲେ ଷ୍ଟୋର ବା ଆପ୍ ଷ୍ଟୋରରୁ ଆଜିଓ ଆପ୍‌କୁ ମୋବାଇଲରେ ଡାଉନଲୋଡ୍ କରି ଗ୍ରାହକମାନେ ସମସ୍ତ ପ୍ରକାର ଫେସନର ଆନନ୍ଦ ଉଠାଇପାରିବେ।

Categories
ବିଶେଷ ଖବର

ସେପ୍ଟେମ୍ବର ୧୭ରେ ପ୍ରଧାନମନ୍ତ୍ରୀଙ୍କ ମଧ୍ୟପ୍ରଦେଶ ଗସ୍ତ: ଚିତା ପ୍ରକଳ୍ପ ଅଧୀନରେ ନାମ୍ବିଆରୁ ଭାରତ ଆସିବ ଚିତା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୧୭ ତାରିଖ ଦିନ ମଧ୍ୟପ୍ରଦେଶ ଗସ୍ତରେ ଯିବେ। ପୂର୍ବାହ୍ନ ପ୍ରାୟ ୧୦ଟା ୪୫ ମିନିଟ ବେଳେ ପ୍ରଧାନମନ୍ତ୍ରୀ ଚିତାକୁ କୁନୋ ଜାତୀୟ ଉଦ୍ୟାନ ଭିତରକୁ ଛାଡିବେ। ତା ପରେ ପାଖାପାଖି ମଧ୍ୟାହ୍ନ ବାରଟା ବେଳକୁ ସେ ସ୍ୱୟଂସହାୟକ ଗୋଷ୍ଠୀ ସମ୍ମିଳନୀରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟ ଓ ଗୋଷ୍ଠୀ ପ୍ରତିନିଧି ମାନଙ୍କ ସହିତ କରହଲ, ସେଓପୁରଠାରେ ଯୋଗଦେବେ।

କୁନୋ ଜାତୀୟ ଉଦ୍ୟାନରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କୁନୋ ଜାତୀୟ ଉଦ୍ୟାନକୁ ହିଂସ୍ର ଚିତା ଛଡାଯିବା ଭାରତୀୟ ହିଂସ୍ରପ୍ରାଣୀ ଓ ସେମାନଙ୍କ ବସତିକୁ ସଶକ୍ତ କରିବା ଦିଗରେ ଏକ ଉଦ୍ୟମ। ୧୯୫୨ ମସିହାରେ ଭାରତକୁ ଚିତା ଲୋପ ପାଇଯାଇଥିବା ଘୋଷଣା କରାଯାଇଥିଲା । ଛଡାଯିବାକୁ ଥିବା ଚିତାଗୁଡିକୁ ଚଳିତ ବର୍ଷ ପ୍ରାରମ୍ଭରେ ସ୍ୱାକ୍ଷରିତ ଏକ ବୁଝାମଣାପତ୍ର ଆଧାରରେ ନାମ୍ବିଆରୁ ଅଣାଯାଇଛି। ଚିତା ପ୍ରକଳ୍ପ ଅଧୀନରେ ଭାରତରେ ଚିତାଙ୍କୁ ପୁଣି ଛଡାଯାଉଛି। ଏହା ବିଶ୍ୱର ପ୍ରଥମ ଆନ୍ତଃ ମହାଦେଶୀୟ ହିଂସ୍ର ମାଂସାସୀ ପ୍ରାଣୀ ସ୍ଥାନାନ୍ତରଣ ପ୍ରକଳ୍ପ।

ଚିତା ଛଡାଯିବା ଦ୍ୱାରା ଏହା ଭାରତର ଉନ୍ମୁକ୍ତ ଜଙ୍ଗଲ ଓ ତୃଣଭୂମି ବାତାବରଣ ପୁନରୁଦ୍ଧାରରେ ସହାୟକ ହେବ। ଏହା ଜୈବ ବିବିଧତାର ସଂରକ୍ଷଣ କରିବା ସହ ବାତାବରଣରେ ଜଳ ସୁରକ୍ଷା, ଅଙ୍ଗାରକାମ୍ଳ ବର୍ଜନ ଓ ମାଟିର ଆର୍ଦ୍ରତା ସଂରକ୍ଷଣ କରି ସମାଜ ପାଇଁ ହିତକାରକ ହେବ। ବନ୍ୟାପ୍ରାଣୀ ସଂରକ୍ଷଣ ସହ ପରିବେଶ ସୁରକ୍ଷା ନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତା ଯୋଗୁଁ ସ୍ଥାନୀୟ ଜନସାଧାଣଙ୍କ ପରିବେଶ ପର୍ଯ୍ୟଟନ କାର୍ଯ୍ୟକଳାପ ବୃଦ୍ଧି ଓ ଜୀବିକାର୍ଜନ ସୁଯୋଗ ମଧ୍ୟ ବୃଦ୍ଧି ପାଇବ।

ଏସଏଚଜି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ

ସେଓପୁର, କରହଲଠାରେ ଆୟୋଜିତ ହେଉଥିବା ଏସଏଚଜି ସମ୍ମେଳନୀରେ ମଧ୍ୟ ପ୍ରଧାନମନ୍ତ୍ରୀ ଯୋଗଦେବ। ଏଥିରେ ସହସ୍ରାଧିକ ସ୍ୱୟଂସହାୟକ ଗୋଷ୍ଠୀ ମହିଳା ସଦସ୍ୟ ଗୋଷ୍ଠୀ ବ୍ୟକ୍ତିବିଶେଷ ଯୋଗ ଦେଇଛନ୍ତି। ଏହି ସମ୍ମେଳନୀରେ ଦୀନଦୟାଲ ଅନ୍ତୋଦୟ ଯୋଜନା-ଜାତୀୟ ଗ୍ରାମୀଣ ଜୀବିକା ମିଶନ ଅଧୀନରେ କାର୍ଯ୍ୟରତ ଏସଏଚଜି ସଦସ୍ୟ ଯୋଗଦାନ କରିବେ।

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମଧ୍ୟ ଚାରିଟି ଦୁର୍ବଳ ଜନଜାତି ଗୋଷ୍ଠୀଙ୍କ କୌଶଳ କେନ୍ଦ୍ର ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଅଧୀନରେ ଉଦଘାଟନ କରିବେ।

ଡିଏୱାଇ-ଏନଆରଏଲଏମ ଗ୍ରାମୀଣ ଗରୀବ ପରିବାରଗୁଡିକ ଏସଏଚଜି ପର୍ଯ୍ୟାୟକ୍ରମେ ନେଇ ସେମାନଙ୍କ ଜୀବିକାର ବିକେନ୍ଦ୍ରୀକରଣ ଦ୍ୱାରା ସେମାନଙ୍କ ଆୟ ଓ ଜୀବନଧାରଣ ମାନ ବୃଦ୍ଧିରେ ସାହାଯ୍ୟ କରିଥାଏ। ଏହି ଅଭିଯାନ ଜରିଆରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟମାନେ ମଧ୍ୟ ସଶକ୍ତ ହୋଇଥାନ୍ତି। ଘରୋଇ ହିଂସା, ମହିଳା ଶିକ୍ଷା ଓ ଅନ୍ୟାନ୍ୟ ଲିଙ୍ଗଗତ ବୈଷମ୍ୟ, ପୌଷ୍ଟିକତା, ପରିମଳ ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ସଚେତନତା ଓ ବ୍ୟାବହାରିକ ପ୍ରୟୋଗ ଦ୍ୱାରା ଏହି  ସଶକ୍ତିକରଣ ସମ୍ଭବ ହୋଇଥାଏ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଟିଫନି ଟିଓଙ୍କ ଚ୍ୟାଲେଞ୍ଜକୁ ସ୍ଵୀକାର କଲେ ରିତୁ ଫୋଗଟ୍: ସେପ୍ଟେମ୍ବର ୨୯ରେ ହେବ ଲଢେଇ

ନୂଆଦିଲ୍ଲୀ: ଭାରତର ତାରକା ଏମଏଏ ଯୋଦ୍ଧା ରିତୁ ଫୋଗଟ ପୁଣି ଥରେ ରିଙ୍ଗରେ ପ୍ରବେଶ କରିବାକୁ ପ୍ରସ୍ତୁତ ଅଛନ୍ତି। ୱାନ୍ ଚାମ୍ପିଅନସିପ୍ ରେ ରିତୁ ଅଂଶଗ୍ରହଣ କରିବେ, ଯାହା ସେପ୍ଟେମ୍ବର ୨୯ ତାରିଖରୁ ଆରମ୍ଭ ହେଉଛି। ଇଣ୍ଡିଆନ୍ ଟାଇଗର୍ସ ଭାବରେ ଜଣାଶୁଣା ରିତୁଙ୍କୁ ସିଙ୍ଗାପୁରର ଟିଫନି ଟିଓ ଚ୍ୟାଲେଞ୍ଜ କରିଛନ୍ତି। ଏହି ଚ୍ୟାଲେଞ୍ଜ ବିଷୟରେ ଏକ ପ୍ରଶ୍ନ ଉପରେ ରିତୁ ଫୋଗାଟ କହିଛନ୍ତି ଯେ, ସେ ଟିଫନିଙ୍କ ଚ୍ୟାଲେଞ୍ଜ ପାଇଁ ପ୍ରସ୍ତୁତ ଅଛନ୍ତି। ସେ କେବଳ ଏହି ମ୍ୟାଚ୍ ପାଇଁ ନୁହେଁ, MMA ରେ ଏକ ଦୀର୍ଘ ଯାତ୍ରା ପାଇଁ ପ୍ରସ୍ତୁତ। ‘ଫୋଗେଟ୍ ଭଉଣୀ’ ମଧ୍ୟରୁ ସବୁଠୁ କନିଷ୍ଠ ରିତୁ କହିଛନ୍ତି ଯେ, ମୁଁ ଶୀଘ୍ର ବେଲ୍ଟ ଆଣିବି। ଭାରତ ଖୁବ୍ ଶୀଘ୍ର ଏହାର ପ୍ରଥମ ମହିଳା MMA ବିଶ୍ୱ ଚାମ୍ପିଅନ୍ ହେବ।

ପ୍ରାୟ ୯ ମାସ ପରେ ରିତୁ ଫୋଗେଟ୍ ରିଙ୍ଗକୁ ଫେରୁଛନ୍ତି। ଆଘାତରୁ ଫେରିବା ପାଇଁ ସେ କଠିନ ପରିଶ୍ରମ କରିଛନ୍ତି। ୨୮ ବର୍ଷୀୟ ରିତୁ ଫୋଗେଟ୍ ସିଙ୍ଗାପୁରର ଜୁମ୍ ରେ ଏକ ବାର୍ତ୍ତାଳାପରେ କହିଛନ୍ତି ଯେ, ସେ ଫେରିବା ନେଇ ବହୁତ ଉତ୍ସାହିତ ଅଛନ୍ତି। ଭାରତର ଲଡଲି ଫାଇଟର କହିଛନ୍ତି ଯେ, ସେମାନେ କେବଳ ଏହି ମ୍ୟାଚରେ ବିଜୟ ପାଇଁ ଆଶାବାଦୀ ନୁହଁନ୍ତି। ବରଂ ସେ ଦେଶବାସୀଙ୍କୁ ମଧ୍ୟ ଆଶ୍ୱାସନା ଦେବାକୁ ଚାହୁଁଛନ୍ତି ଯେ ଭାରତ ଶୀଘ୍ର ପ୍ରଥମ ମହିଳା ଏମଏଏ ବିଶ୍ୱ ଚାମ୍ପିୟନ ହେବ।

ପ୍ରକାଶ ଯୋଗ୍ୟ ଯେ ରିତୁ ଫୋଗେଟ୍ ଜଣେ ସଫଳ ରେସଲର ହୋଇଛନ୍ତି। ସେ କମନୱେଲଥ ଗେମ୍ସ ରେସଲିଂ ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ତେବେ ପରେ ସେ କୁସ୍ତି ଛାଡି ଏମଏଏ ନେଇଥିଲେ। ରିତୁ କହିଛନ୍ତି ଯେ, ସେ ଏମଏକୁ ବାଛିଥିଲେ କାରଣ ଏପର୍ଯ୍ୟନ୍ତ କୌଣସି ମହିଳା ଏହି କ୍ରୀଡ଼ାରେ ବିଶ୍ୱ ଚାମ୍ପିଅନ୍ ହୋଇପାରି ନାହାଁନ୍ତି। ସେ ଏହି ଶୂନ୍ୟସ୍ଥାନ ପୂରଣ କରିବାକୁ ଚାହୁଁଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଜି -୨୦ ର ଅଧ୍ୟକ୍ଷତା କରିବ ଭାରତ, ସମଗ୍ର ଦେଶରେ ୨୦୦ ରୁ ଅଧିକ ହେବ ସଭା

ନୂଆଦିଲ୍ଲୀ: ୨୦୨୨ ଶେଷରେ ଆରମ୍ଭ ହେବାକୁ ଥିବା ଜି-୨୦ ବୈଠକରେ ଭାରତ ଅଧ୍ୟକ୍ଷତା କରିବାକୁ ଯାଉଛି। ଭାରତ ଡିସେମ୍ବର ୧ ତାରିଖରୁ ନଭେମ୍ବର ୩୦ ତାରିଖ ୨୦୨୩ ପର୍ଯ୍ୟନ୍ତ ଜି-୨୦ର ଅଧ୍ୟକ୍ଷତା କରିବ। ଏହି ଅଧ୍ୟକ୍ଷତା ଦେଶରେ ୨୦୦ ରୁ ଅଧିକ ଜି-୨୦ ବୈଠକ ଆୟୋଜନ କରିବେ ବୋଲି ଆଶା କରାଯାଉଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଆଜି ଏକ ବିବୃତ୍ତି ଜାରି କରି ଏହି ସୂଚନା ଦେଇଛି।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ, ଜି-୨୦ ଦେଶର ନେତାଙ୍କ ଶିଖର ସମ୍ମିଳନୀ ୨୦୨୩ ମସିହା ସେପ୍ଟେମ୍ବର ୯ ତାରିଖ ଓ ୧୦ ତାରିଖ ଦିନ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଛି। ଜି-୨୦ କିମ୍ବା ଗ୍ରୁପ୍ ଅଫ୍ ୨୦ ହେଉଛି ବିଶ୍ଵର ପ୍ରମୁଖ ବିକଶିତ ତଥା ବିକାଶଶୀଳ ଅର୍ଥନୀତିର ଏକ ଆନ୍ତ- ସରକାରୀ ମଞ୍ଚ। ଏଥିରେ ୧୯ ଟି ଦେଶ ଅନ୍ତର୍ଭୁକ୍ତ।

ଜି-୨୦ରେ କେଉଁ ଦଶ ଅନ୍ତର୍ଭୁକ୍ତ?:

ଜି-୨୦ ରେ ଅନ୍ତର୍ଭୁକ୍ତ ଦେଶଗୁଡିକ ହେଉଛି- ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବ୍ରାଜିଲ, କାନାଡା, ଚୀନ୍, ଫ୍ରାନ୍ସ, ଜର୍ମାନୀ, ଭାରତ, ଇଣ୍ଡୋନେସିଆ, ଇଟାଲୀ, ଜାପାନ, କୋରିଆ, ମେକ୍ସିକୋ, ଋଷ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା, ତୁର୍କୀ, ଆମେରିକା ଏବଂ ୟୁରୋପୀୟ ୟୁନିଅନ୍। ସାମୂହିକ ଭାବରେ ଜି-୨୦ ବିଶ୍ଵ ଜିଡିପିର ୮୫ ପ୍ରତିଶତ, ଆନ୍ତର୍ଜାତୀୟ ବାଣିଜ୍ୟର ୭୫ ପ୍ରତିଶତ ଏବଂ ବିଶ୍ଵର ଦୁଇ ତୃତୀୟାଂଶ ଜନସଂଖ୍ୟାକୁ ଏହା ଆନ୍ତର୍ଜାତୀୟ ଅର୍ଥନୈତିକ ସହଯୋଗ ପାଇଁ ଏକ ପ୍ରମୁଖ ପ୍ଲାଟଫର୍ମ କରିପାରିଛି।

Categories
ଆଜିର ଖବର

ସୋମବାର ସୁଦ୍ଧା ଲଦାଖର ଗୋଗରା-ହଟ୍ ସ୍ପ୍ରିଙ୍ଗରୁ ଶେଷ ହେବ ସୈନ୍ୟବାହିନୀର ପ୍ରତ୍ୟାହାର କାର୍ଯ୍ୟ

ନୂଆଦିଲ୍ଲୀ: ପୂର୍ବ ଲଦାଖରେ ଦୁଇ ବର୍ଷରୁ ଅଧିକ ସମୟ ଧରି ଚାଲିଆସୁଥିବା ବିବାଦକୁ ଶେଷ କରିବା ପାଇଁ ଭାରତ ଏବଂ ଚୀନ୍ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଗୁରୁବାର ଦୁଇ ଦେଶର ସୈନ୍ୟବାହିନୀ ଘୋଷଣା କରିଛନ୍ତି ଯେ, ସେମାନେ ଗୋଗରା-ହଟ୍ସପ୍ରିଙ୍ଗ୍ ଅଞ୍ଚଳରେ ‘ପାଟ୍ରୋଲିଂ ପଏଣ୍ଟ ୧୫’ ରୁ ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଲଦାଖର ଗୋଗରା-ହଟ୍ ସ୍ପ୍ରିଙ୍ଗ୍ସରୁ ଭାରତ ଏବଂ ଚୀନ୍ ସୈନ୍ୟବାହିନୀର ପ୍ରତ୍ୟାହାର ସୋମବାର ସୁଦ୍ଧା ଶେଷ ହେବ। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି ଏକ ବିବୃତ୍ତିରେ କହିଛନ୍ତି ଯେ, ଉଭୟ ପକ୍ଷ ସହମତ ହୋଇଛନ୍ତି ଯେ ଏହି ଅଞ୍ଚଳରେ ନିର୍ମିତ ସମସ୍ତ ଅସ୍ଥାୟୀ ସଂରଚନା ଏବଂ ଅନ୍ୟାନ୍ୟ ଭିତ୍ତିଭୂମି ଭାଙ୍ଗିବା ପାଇଁ ଉଭୟ ପକ୍ଷ ଏହା ନିଶ୍ଚିତ କରିବେ। ଉଭୟ ଭାରତୀୟ ସେନା ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହି ବିବୃତ୍ତିରେ ଏହା ନିଶ୍ଚିତ କରିଛନ୍ତି। ବିବୃତ୍ତି ଅନୁଯାୟୀ ଏହି ପ୍ରକ୍ରିୟା ୮ ତାରିଖ ସକାଳୁ ଆରମ୍ଭ ହୋଇ ସେପ୍ଟେମ୍ବର ୧୨ ତାରିଖ ସୁଦ୍ଧା ଶେଷ ହେବ। ଏହା ମଧ୍ୟ ସୂଚନାଯୋଗ୍ୟ ଯେ ଏହି ପ୍ରକ୍ରିୟା ସକାଳେ ଆରମ୍ଭ ହୋଇଥିଲା କିନ୍ତୁ ସେନାର ବିବୃତ୍ତି ଠିକ୍ ସନ୍ଧ୍ୟାରେ ଆସିଛି। ତେବେ ଚାଇନାର ସୈନିକମାନେ ପଛକୁ ହଟିବା ଆରମ୍ଭ କରିଛନ୍ତି, ଦିନସାରା ଯାଞ୍ଚ କରିବା ପରେ ଏହି ବିବୃତ୍ତି ଦିଆଯାଇଛି।

ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି ଏହି ପ୍ରସଙ୍ଗରେ ଜଡିତ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ, ଏହି ଅଞ୍ଚଳରେ ଉଭୟ ପକ୍ଷ ଦ୍ୱାରା ନିର୍ମିତ ସମସ୍ତ ଅସ୍ଥାୟୀ ସଂରଚନା ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ସଂରଚନାକୁ ଭାଙ୍ଗି ଦିଆଯିବ ଏବଂ ଏହା ପରସ୍ପର ମଧ୍ୟରେ ନିଶ୍ଚିତ ହେବ। ଉକ୍ତ ଅଞ୍ଚଳରେ ସମାନ ପ୍ରାକୃତିକ ରୂପ ପୁନଃସ୍ଥାପିତ ହେବ, ଯାହା ଉଭୟ ପକ୍ଷ ମଧ୍ୟରେ ବିବାଦ ପରିସ୍ଥିତି ପୂର୍ବରୁ ଥିଲା। ଆପଣଙ୍କୁ କହିରଖୁଛୁ ଯେ ଜୁନ୍ ୨୦୨୦ରେ ଗାଲୱାନ୍ ଉପତ୍ୟକାରେ ଦୁଇ ଦେଶର ସୈନ୍ୟବାହିନୀ ମଧ୍ୟରେ ହିଂସାତ୍ମକ ସଂଘର୍ଷ ହୋଇଥିଲା, ଯେଉଁଥିରେ ଭାରତର ୨୦ ଜଣ ସୈନିକ ସହିଦ ହୋଇଥିଲେ ଏବଂ ଚାଇନାର ପ୍ରାୟ ୪୦ ରୁ ୪୫ ସୈନିକ ନିହତ ହୋଇଥିଲେ। ପୂର୍ବ ଲଦାଖରେ ଚାଲିଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ଚୀନ୍ ସୀମାରେ ୫୦ ହଜାରରୁ ଅଧିକ ସୈନିକ ନିୟୋଜିତ କରିଛି ଏବଂ ଭାରତ ମଧ୍ୟ ସମାନ ସଂଖ୍ୟକ ସୈନିକଙ୍କୁ ନିୟୋଜିତ କରିଛି। ଯାହା ଦ୍ଵାରା ଚୀନ୍‌ର କୌଣସି କାର୍ଯ୍ୟାନୁଷ୍ଠାନର ଜବାବ ଦିଆଯାଇପାରିବ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଦେଶରେ ୫୦ ହଜାର ତଳକୁ ଖସିଲା ସକ୍ରିୟ ରୋଗୀଙ୍କ ସଂଖ୍ୟା, ୬ ହଜାରରୁ ଉର୍ଦ୍ଧ୍ଵ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ କରୋନାରେ ୬ ହଜାର ୯୩ ଜଣ ଲୋକ ସଂକ୍ରମିତ ହୋଜିଛନ୍ତି। ଯାହା ପରେ ଦେଶରେ ମୋଟ ସଂକ୍ରମିତ ସଂଖ୍ୟା ୪,୪୪,୮୪,୭୨୯ କୁ ବୃଦ୍ଧି ପାଇଥିବାବେଳେ ଚିକିତ୍ସିତ ରୋଗୀଙ୍କ ସଂଖ୍ୟା ୪୯,୬୩୬ କୁ ହ୍ରାସ ପାଇଛି।

ତଥ୍ୟ ଅନୁଯାୟୀ, ଦେଶରେ ସଂକ୍ରମଣ ହେତୁ ଆହୁରି ୩୧ ଜଣଙ୍କ ମୃତ୍ୟୁ ପରେ ମୃତ୍ୟୁ ସଂଖ୍ୟା ୫,୨୮,୧୨୧ କୁ ବୃଦ୍ଧି ପାଇଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଶିକ୍ଷା ଓ ଦକ୍ଷତା କ୍ଷେତ୍ରରେ ସହଯୋଗୀ ହେବା ପାଇଁ ଆମେରିକୀୟ କମ୍ପାନୀ ଏବଂ ଶିକ୍ଷାନୁଷ୍ଠାନକୁ ନିମନ୍ତ୍ରଣ

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ୟୁଏସ ଇଣ୍ଡିଆ ବିଜନେସ କାଉନସିଲ ଏବଂ ସାଉଥ ଏସିଆ ଇଣ୍ଟରନ୍ୟାସନାଲ ଆଫେୟାର୍ ୟୁଏସ ଚାମ୍ବର ଅଫ୍ କର୍ମର୍ସ ଦ୍ୱାରା ଆୟୋଜିତ ‘ଇଣ୍ଡିଆ ଆଇଡ଼ିଆ ସମ୍ମିଟ’ରେ ଯୋଗଦେଇ ପ୍ରମୁଖ ଶିଳ୍ପ ସମୂହର ମୁଖ୍ୟଙ୍କ ସହ ଆଲୋଚନା କରିଛନ୍ତି।

ଭାରତ ଏବଂ ୟୁଏସ ସମ୍ପର୍କରେ ଶିକ୍ଷା ଓ ଦକ୍ଷତା ବିକାଶ ଏକ ପ୍ରମୁଖ ସ୍ତମ୍ଭ। ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରରେ ଭାରତର କଳ୍ପନା, ଶିକ୍ଷାର ଅନ୍ତର୍ଜାତୀୟକରଣ ଉପରେ ଜାତୀୟ ଶିକ୍ଷା ନୀତିର ଗୁରୁତ୍ୱ ଓ ଯୁବବର୍ଗଙ୍କୁ ସ୍କିଲି, ରି-ସ୍କିଲିଂ ଏବଂ ଅପ୍ ସ୍କିଲିଂ କରିବା ଦିଗରେ ଭାରତର ପ୍ରୟାସ ଉପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏହି ସମ୍ମିଟରେ ଆଲୋଚନା କରିଛନ୍ତି। ଭାରତରେ ଡ଼ିଜିଟାଲ ଅର୍ଥନୀତି, ଆକାଂକ୍ଷୀ ଜନସଂଖ୍ୟା, ଜ୍ଞାନ ଆଧାରିତ ସମାଜ, ଅନେକ ସଂସ୍କାର ଭାରତ ପାଇଁ ଅପାର ସମ୍ଭାବନା ଆଣିଦେଇଛି।

ଶିକ୍ଷା, ଗବେଷଣା ଓ ଦକ୍ଷତା ବିକାଶ କ୍ଷେତ୍ରରେ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଦିଗରେ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଥିଲେ। ଏହାସହ  ଦେଶର ବ୍ୟାପକ ଭାବରେ ରୂପାନ୍ତରିତ ହେଉଥିବା ଶିକ୍ଷା ଓ ଦକ୍ଷତା ଦୃଶ୍ୟପଟ୍ଟରେ ସହଯୋଗୀ ହେବା ପାଇଁ ଆମେରିକୀୟ କମ୍ପାନୀ ଏବଂ ଶିକ୍ଷାନୁଷ୍ଠାନକୁ ସେ ନିମନ୍ତ୍ରଣ ଦେଇଛନ୍ତି।

Categories
ଆଜିର ଖବର ଖେଳ ଜାତୀୟ ଖବର

ହାତରୁ ଖସିଲା ଏସିଆ କପ୍ ୨୦୨୨!, ବର୍ତ୍ତମାନ ବିଶ୍ୱକପ ପୂର୍ବରୁ କରିବାକୁ ପଡିବ ୩ ଟି ପରିବର୍ତ୍ତନ

ନୂଆଦିଲ୍ଲୀ: ଡିଫେଣ୍ଡିଂ ଚାମ୍ପିଅନ୍ ଭାରତର ଏଥର ଏସିଆ କପ୍ ଜିତିବାର ସମ୍ଭାବନା ଦେଖାଯାଉନାହିଁ। ପାକିସ୍ତାନ ବିପକ୍ଷ ସୁପର-୪ ମ୍ୟାଚ୍ ହାରିଯିବା ପରେ ଭାରତ ମଧ୍ୟ ଶ୍ରୀଲଙ୍କା ଠାରୁ ହାରିଛି। ଏହା ସହିତ ତାଙ୍କର ଫାଇନାଲରେ ପହଞ୍ଚିବାର ଆଶା ପ୍ରାୟ ଶେଷ ହୋଇଯାଇଛି। ଗତ ବର୍ଷ ଟି-୨୦ ବିଶ୍ୱକପ ପରେ ରୋହିତ ଶର୍ମା ଅଧିନାୟକ ହୋଇଥିଲେ, ତା’ପରେ ରାହୁଲ ଦ୍ରାବିଡ ଭାରତୀୟ ଦଳର କୋଚ ହୋଇଥିଲେ। ଏହି ଦୁଇଜଣଙ୍କ ଦାୟିତ୍ଵ ଗ୍ରହଣ କରିବା ପରଠାରୁ ଭାରତୀୟ କ୍ରିକେଟ୍ ରେ କ୍ରମାଗତ ପରିବର୍ତ୍ତନ ଆସୁଛି। ବିଶେଷକରି ଟିମ୍ ଇଣ୍ଡିଆ, ଟି-୨୦ କ୍ରିକେଟ୍ ଏକ ଭିନ୍ନ ଢଙ୍ଗରେ ଖେଳୁଛି, କାରଣ ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ହେବାକୁ ଥିବା ଟି-୨୦ ବିଶ୍ୱକପ ଏବଂ ଭାରତ ଗତ ବର୍ଷର ବିଫଳତାକୁ ଭୁଲିଯିବାକୁ ଚାହୁଁଛି ଏବଂ ଏଥର ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରିବାକୁ ଚାହୁଁଛି। କିନ୍ତୁ ଏପରି କିଛି ନିଷ୍ପତ୍ତି ଯୋଗୁଁ ବର୍ତ୍ତମାନ ଦଳ ଉପରେ ପ୍ରଭାବ ପଡୁଥିବା କୁହାଯାଉଛି। ଅନ୍ତତଃପକ୍ଷେ ଏହା ଏସିଆ କପରେ ଏହାର ନଜର ଆସୁଛି।

ଏସିଆ କପ୍ ଆରମ୍ଭ ପୂର୍ବରୁ ଭାରତ ଟାଇଟଲ୍ ପାଇଁ ଏକ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ଭାବରେ ବିବେଚନା କରାଯାଉଥିଲା। କିନ୍ତୁ, ସୁପର-୪ ରାଉଣ୍ଡର ପ୍ରଥମ ୩ ମ୍ୟାଚ୍ ପରେ ହିଁ ସମସ୍ତ ସମୀକରଣ ବଦଳି ଯାଇଛି। ଡିଫେଣ୍ଡିଂ ଚାମ୍ପିଅନ୍ ଇଣ୍ଡିଆର ହାତରୁ ଏସିଆ କପ୍ ପ୍ରାୟ ଖସି ଯାଇଛି ଏବଂ ବର୍ତ୍ତମାନ ପାକିସ୍ତାନ ସହିତ ଶ୍ରୀଲଙ୍କା ମଧ୍ୟ ଟାଇଟଲ୍ ପାଇଁ ପ୍ରତିଦ୍ୱନ୍ଦ୍ୱୀ ଭାବରେ ଉଭା ହୋଇଛି।

ବାରମ୍ବାର ପରୀକ୍ଷଣ ବିଷୟରେ ଯଦିବା ରୋହିତ ଶର୍ମା ଏବଂ କୋଚ୍ ରାହୁଲ ଦ୍ରାବିଡ କୁହନ୍ତି। କିନ୍ତୁ, ପାକିସ୍ତାନ ଏବଂ ଶ୍ରୀଲଙ୍କା ବିପକ୍ଷ ଏସିଆ କପ୍‌ର କ୍ରମାଗତ ଦୁଇଟି ପରାଜୟ ଭାରତୀୟ ଦଳ ପାଇଁ ସତର୍କ ଘଣ୍ଟି ବାଜିଛି। ଯଦି ଆପଣ ତଥାପି ଆବଶ୍ୟକତାଠାରୁ ଅଧିକ ପରିଚାଳନା ଏବଂ ପରୀକ୍ଷଣ କରନ୍ତି, ତେବେ ଭାରତକୁ ଶେଷ ଟି-୨୦ ବିଶ୍ୱକପ ଭଳି ହେବାକୁ ଅଧିକ ସମୟ ଲାଗିବ ନାହିଁ। ଯଦି ଅଷ୍ଟ୍ରେଲିଆରେ ଆୟୋଜିତ ହେବାକୁ ଥିବା ଟି-୨୦ ବିଶ୍ୱକପ ଜିତିବାକୁ ଭାରତୀୟ ଦଳ ଚାହୁଁଛି, ତେବେ ତୁରନ୍ତ ତିନୋଟି ଜିନିଷକୁ ଉନ୍ନତ କରିବାକୁ ପଡିବ। ଆସନ୍ତୁ ସେଗୁଡ଼ିକୁ ଗୋଟିଏ ପରେ ଗୋଟିଏ ବୁଝିବା।

ବର୍ତ୍ତମାନ ଟି-୨୦ ବିଶ୍ୱକପ ଆରମ୍ଭ ହେବାକୁ ମାତ୍ର ୪୦ ଦିନ ବାକି ଅଛି। ଏସିଆ କପ୍ ପରେ ଭାରତକୁ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଘରୋଇ ସିରିଜ୍ ଖେଳିବାକୁ ପଡିବ। ଯେଉଁଠାରେ ଭାରତ ଅଷ୍ଟ୍ରେଲିଆ ବିରୋଧରେ ୩ ଟି-୨୦ ଖେଳିବ, ସେହିଭଳି ଦକ୍ଷିଣ ଆଫ୍ରିକା ବିରୋଧରେ ୩ ଟି-୨୦ ବ୍ୟତୀତ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳିବ। ଏହି ସିରିଜର ଶେଷ ମ୍ୟାଚ୍ ଅକ୍ଟୋବର ୧୧ ତାରିଖରେ ଶେଷ ହେବ ଏବଂ ଏହାର କିଛି ସମୟ ପରେ ଭାରତୀୟ ଦଳ ଟି-୨୦ ବିଶ୍ୱକପ ପାଇଁ ଅଷ୍ଟ୍ରେଲିଆ ଅଭିମୁଖେ ଯାତ୍ରା କରିବ। ଅର୍ଥାତ୍ ଏସିଆ କପ୍ ପରେ ଭାରତୀୟ ଦଳ ଟି-୨୦ ବିଶ୍ୱକପ ପୂର୍ବରୁ ୬ ଟି-୨୦ ଖେଳିବ। ଏପରି ପରିସ୍ଥିତିରେ, ବର୍ତ୍ତମାନ ଭାରତୀୟ ଦଳକୁ ପରୀକ୍ଷଣରୁ ଦୂରେଇ ରହିବାକୁ ପଡିବ ଏବଂ ଏକାଦଶ ଖେଳିବାକୁ ସ୍ଥିର କରିବ। ଏଥିରେ ମଧ୍ୟ ଟପ୍ ଅର୍ଡର ସ୍ଥିର କରିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ।

ଗତ ଟି-୨୦ ବିଶ୍ୱକପରେ ଭାରତର ପରାଜୟର କାରଣ ହେଉଛି ଟପ୍ ଅର୍ଡର। ତେବେ ଏସିଆ କପରେ ମଧ୍ୟ ଭାରତ ସମାନ ଟପ୍ ଅର୍ଡର ସହିତ ଅବତରଣ କରିଥିଲା। ସମସ୍ତ ମ୍ୟାଚ୍‌ରେ କେଏଲ ରାହୁଲ ରୋହିତ ଶର୍ମାଙ୍କ ସହ ବ୍ୟାଟିଂ ଆରମ୍ଭ କରିଥିଲେ ଏବଂ ବିରାଟ କୋହଲି ନମ୍ବର- ୩ ରେ ଅବତରଣ କରିଥିଲେ। କିନ୍ତୁ, ପ୍ରଦର୍ଶନ ଦୃଷ୍ଟିରୁ କେ.ଏଲ୍ ରାହୁଲ ବିଫଳ ହୋଇଥିଲେ। ସେ ପ୍ରତ୍ୟାବର୍ତ୍ତନ କରିବା ଦିନଠାରୁ ରନ୍ ସ୍କୋର କରିବାକୁ ସଂଘର୍ଷ କରିଆସୁଛନ୍ତି। ସେ ୧୦୪ ଷ୍ଟ୍ରାଇକ ରେଟ ହିସାବରେ ୪ ଟି ମ୍ୟାଚ ଖେଳି ୭୦ ରନ୍ ସଂଗ୍ରହ କରିଥିଲେ। ଟି-୨୦ ଦୃଷ୍ଟିରୁ ଏହା ଭଲ ବିବେଚନା କରାଯିବ ନାହିଁ। ଏହା ମଧ୍ୟ ଯେତେବେଳେ ଭାରତୀୟ ଆକ୍ରାମଣାତ୍ମକ ଢଙ୍ଗରେ ଖେଳିବା ପାଇଁ ଚିନ୍ତା କରୁଛି। କୋହଲି ନିଶ୍ଚିତ ଭାବରେ ଫର୍ମକୁ ଫେରିଥିବାର ନଜର ଆସିଛନ୍ତି। କିନ୍ତୁ, ତାଙ୍କର ଷ୍ଟ୍ରାଇକ୍ ହାର ମଧ୍ୟ ୧୨୨ ଥିଲା। ଯାହା ଟି-୨୦ ରେ ଟପ୍ ଅର୍ଡର ବ୍ୟାଟ୍ସମ୍ୟାନଙ୍କ ଦୃଷ୍ଟିରୁ ଭଲ ବିବେଚନା କରାଯିବ ନାହିଁ।

ରୋହିତ ଆକ୍ରମଣକାରୀ କ୍ରିକେଟ୍ ଖେଳୁଛନ୍ତି। ଏକ ଭଲ ଆରମ୍ଭ ମଧ୍ୟ ଦେଇଛନ୍ତି। କିନ୍ତୁ, ସେ ଏହାକୁ ଏକ ବଡ଼ ଇନିଂସରେ ପରିଣତ କରିବାକୁ ସକ୍ଷମ ହୋଇପାରୁନାହାନ୍ତି। ସେଥିପାଇଁ ମଧ୍ୟମ କ୍ରମରେ ଚାପ ଆସୁଛି। ଏଭଳି ପରିସ୍ଥିତିରେ ଭାରତୀୟ ଦଳକୁ ଟପ୍ ଅର୍ଡରର ସମସ୍ୟାକୁ ଦୂର କରିବାକୁ ପଡ଼ିବ।

ଗତ କିଛି ମାସ ମଧ୍ୟରେ, ଅନେକ ଖେଳାଳିଙ୍କୁ ପରୀକ୍ଷଣର ଏକ ଅଂଶ ଭାବରେ ଓପନିଂରେ ଚେଷ୍ଟା କରାଯାଇଥିଲା। ଋଷଭ ପନ୍ତ, ସୂର୍ଯ୍ୟକୁମାର ଯାଦବ ଏବଂ ଦୀପକ ହୁଡା ଇନିଂସ ଆରମ୍ଭ କରିଥିଲେ। ଏଥିରେ ସୂର୍ଯ୍ୟକୁମାର ପ୍ରଭାବଶାଳୀ ବୋଲି ପ୍ରମାଣିତ ହୋଇଛନ୍ତି। ଏଭଳି ପରିସ୍ଥିତିରେ ଯଦି କେ.ଏଲ୍ ରାହୁଲ ରନ୍ ସ୍କୋର କରିବାକୁ ସଂଘର୍ଷ କରୁଛନ୍ତି, ତେବେ ସୁର୍ଯ୍ୟକୁମାରଙ୍କୁ ଟପ୍ କ୍ରମରେ ପରୀକ୍ଷା କରାଯାଇପାରିବ। ସେ ଏହି ଫର୍ମାଟରେ ସର୍ବୋତ୍ତମ ବ୍ୟାଟ୍ସମ୍ୟାନ୍। ସେ ପ୍ରତ୍ୟେକ କୋଣକୁ ସଟ୍ ଖେଳିପାରନ୍ତି। ଟପ୍ ଅର୍ଡରରେ ଆସିବା ରୋହିତ ଶର୍ମାଙ୍କ ଉପରେ ଚାପ ହ୍ରାସ କରିପାରେ ଏବଂ ସେ ଇନିଂସ ପରିଚାଳନା କରିବାରେ ଭୂମିକା ଗ୍ରହଣ କରିପାରନ୍ତି।

ତେବେ ଭାରତୀୟ ଦଳ ପରିଚାଳନାରେ ଅଧିକ ସମୟ ନାହିଁ, ଯଦି ସୂର୍ଯ୍ୟକୁମାରଙ୍କୁ ଓପନିଂରେ ବିଚାର କରିବାକୁ ପଡିବ, ତେବେ ତାଙ୍କୁ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷ ସମସ୍ତ ୬ ଟି-୨୦ ରେ ପୁନର୍ବାର ଏହି ଦାୟିତ୍ଵ ଦେବାକୁ ପଡିବ। ଯାହାଫଳରେ ସେ ଏହି ଭୂମିକାରେ ନିଜକୁ ଗଢି ପାରିବେ।

ଟି-୨୦ ବିଶ୍ୱକପ ମୁଣ୍ଡ ଉପରେ ଅଛି ଏବଂ ୱିକେଟ୍ କିପର କିଏ ହେବ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। ଏହି ଦାୟିତ୍ୱ ଋଷଭ ପନ୍ତଙ୍କ ଦ୍ୱାରା କରାଯିବ କିମ୍ବା ଦଳ ଅଭିଜ୍ଞ ଦୀନେଶ କାର୍ତ୍ତିକଙ୍କ ସହିତ ଯିବ। ଏହା ସହିତ ପରୀକ୍ଷା ମଧ୍ୟ କରାଯାଉଛି। କାର୍ତ୍ତିକ କେବଳ ଜଣେ ୱିକେଟ୍ କିପର ନୁହଁନ୍ତି, ଦଳ ତାଙ୍କୁ ମ୍ୟାଚ୍ ଫିନିସର୍ ଭାବରେ ଦେଖୁଛି। ସେ ପ୍ରତ୍ୟାବର୍ତ୍ତନ କରିବା ଦିନଠାରୁ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଛନ୍ତି। କିନ୍ତୁ, ତାଙ୍କୁ ଏସିଆ କପରେ ୨ ଟି ମ୍ୟାଚ୍ ଖେଳିବାକୁ ପଡିଲା। ସେ ପାକିସ୍ତାନ ଏବଂ ଶ୍ରୀଲଙ୍କା ବିପକ୍ଷ ସୁପର-୪ ମ୍ୟାଚ୍‌ରେ ଏକାଦଶରେ ଅଂଶଗ୍ରହଣ କରିନଥିଲେ। ପନ୍ତ ତାଙ୍କ ସ୍ଥାନରେ ଖେଳିଥିଲେ। କିନ୍ତୁ, ସେ ମଧ୍ୟ ବ୍ୟାଟ୍ ଦ୍ଵାରା କିଛି ବିଶେଷ କରିପାରିନଥିଲେ।

ହଂକଂ ବିପକ୍ଷ ମ୍ୟାଚରେ ଭାରତ ଉଭୟ କାର୍ତ୍ତିକ ଏବଂ ପନ୍ତଙ୍କୁ ଖେଳାଇଥିଲା। କିନ୍ତୁ, ଭାରତୀୟ ଦଳ ପରିଚାଳନାର ଏହି ଚିନ୍ତାଧାରା ବୁଝିବା ବାହାରେ, କାରଣ କାର୍ତ୍ତିକ ଏହି ମ୍ୟାଚରେ ବ୍ୟାଟିଂ କରିନଥିଲେ ଏବଂ ସେ ୱିକେଟ୍ କିପିଂ ବଦଳରେ ଆଉଟଫିଲ୍ଡରେ ଦୌଡୁଥିଲେ।

କାର୍ତ୍ତିକ ଏବଂ ପନ୍ତଙ୍କ ପାଇଁ ବାରମ୍ବାର ପରିବର୍ତ୍ତନ କରିବା ଠିକ ନୁହେଁ। ଏହା ତାଙ୍କ ପ୍ରଦର୍ଶନକୁ ମଧ୍ୟ ପ୍ରଭାବିତ କରିଥାଏ ଏବଂ ଦଳରେ ତାଙ୍କ ସ୍ଥାନକୁ ନେଇ ସର୍ବଦା ସନ୍ଦେହ ରହିଥାଏ। ଏଭଳି ପରିସ୍ଥିତିରେ ଯଦି ଅଧିନାୟକ ରୋହିତ ଶର୍ମା ଏବଂ ପ୍ରଶିକ୍ଷକ ଦ୍ରାବିଡଙ୍କୁ ଟି-୨୦ ବିଶ୍ୱକପ ଖେଳିବାକୁ ପଡିବ। ତେବେ ସେମାନଙ୍କ ମଧ୍ୟରୁ ଜଣଙ୍କ ଉପରେ ଭରସା ଦେଖାଇବାକୁ ପଡିବ ଏବଂ ପରେ ତାଙ୍କୁ ସୁଯୋଗ ଦିଆଯିବାଆ ଉଚିତ, ଯାହାଫଳରେ ସେ ତାଙ୍କ ଭୂମିକାରେ ଫିଟ୍ ହୋଇପାରିବେ।

ଗତ ବର୍ଷ ଟି-୨୦ ବିଶ୍ୱକପ ପରଠାରୁ ଭାରତୀୟ ଦଳ ଏହି ଟୁର୍ଣ୍ଣାମେଣ୍ଟର ପରବର୍ତ୍ତୀ ସଂସ୍କରଣ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲା। ଏହି କାରଣରୁ, ଗତ ବିଶ୍ୱକପ ପରଠାରୁ ଭାରତ ଟି-୨୦ ଫର୍ମାଟରେ ୨୫ ରୁ ଅଧିକ ଖେଳାଳିଙ୍କୁ ଚେଷ୍ଟା କରିଛି। ଏଥିରେ ବୋଲର, ବ୍ୟାଟ୍ସମ୍ୟାନ୍, ୱିକେଟ୍ କିପର ଏବଂ ଅଲରାଉଣ୍ଡର ଅନ୍ତର୍ଭୁକ୍ତ। ଗତ ଟି-୨୦ ବିଶ୍ୱକପ ପରଠାରୁ ଭାରତ ଏପର୍ଯ୍ୟନ୍ତ ୨୭ ଟି-୨୦ ଖେଳିଛି ଏବଂ ଖେଳୁଥିବା ଏକାଦଶରେ ୨୫ ରୁ ଅଧିକ ଖେଳାଳିଙ୍କୁ ପ୍ରୟୋଗ କରିଛି। ଏହି ପରୀକ୍ଷଣ କହିବା ଭଲ ହୋଇପାରେ, ଏହା ବେଞ୍ଚର ଶକ୍ତି ପରୀକ୍ଷା କରିବାକୁ ଏକ ସୁଯୋଗ ଦେଇପାରେ। କିନ୍ତୁ, ଯେତେବେଳେ ଆପଣ ଟି -୨୦ ବିଶ୍ୱକପ ପାଇଁ ପ୍ରସ୍ତୁତ ହେବାକୁ ଏହା କରୁଛନ୍ତି, ସେତେବେଳେ କୌଣସି ସ୍ଥାନରେ ରଣନୀତିରେ ଏକ ଭୁଲ ହେଉଛି।

ଏତେ ସଂଖ୍ୟକ ଖେଳାଳୀ ଚେଷ୍ଟା କରିବା ଏବଂ ବାରମ୍ବାର ଦଳ ମିଶ୍ରଣ ପରିବର୍ତ୍ତନ ହେତୁ, କୌଣସି ଖେଳାଳି ସଠିକ ହୋଇପାରୁନାହାନ୍ତି। ଅଳ୍ପ କିଛି ବ୍ୟାଟ୍ସମ୍ୟାନଙ୍କୁ ବାଦ୍ ଦେଇ ବାକି ଖେଳାଳି କେଉଁ ନମ୍ବରରେ ବ୍ୟାଟିଂ କରିବାକୁ ପଡିବ ତାହା ମଧ୍ୟ ଜାଣନ୍ତି ନାହିଁ। ତାଙ୍କ ବ୍ୟାଟିଂ କ୍ରମକୁ ବାରମ୍ବାର ବଦଳାଯାଉଛି। ବୋଲରଙ୍କ କ୍ଷେତ୍ରରେ ମଧ୍ୟ ସମାନ ଅବସ୍ଥା।

ଯଦି ଆମେ ରବି ବିଶ୍ନୋଇଙ୍କ ଉଦାହରଣ ନେବା, ତେବେ ତାଙ୍କୁ ପାକିସ୍ତାନ ବିପକ୍ଷ ସୁପର-୪ ମ୍ୟାଚ୍‌ରେ ସୁଯୋଗ ଦିଆଯାଇଛି। ସେ ସବୁଠାରୁ କଞ୍ଜୁସ ବୋଲର ବୋଲି ପ୍ରମାଣ କରିଥିଲେ। ଯେତେବେଳେ ୟୁଜବେନ୍ଦ୍ର ଚହଲ, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଭୁବନେଶ୍ବର କୁମାରଙ୍କ ଭଳି ବୋଲରମାନେ ଅଧିକ ରନ ଦେଇଥିଲେ। ବିଶ୍ନୋଇ ଭଲ ବୋଲିଂ କରିଥିଲେ। କିନ୍ତୁ, ଶ୍ରୀଲଙ୍କା ବିପକ୍ଷରେ ତାଙ୍କୁ ବାଦ ଦିଆଯାଇଥିଲା। ଏହା କେବଳ କାରଣ ଶ୍ରୀଲଙ୍କା ଦଳରେ ଅଧିକ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଛନ୍ତି ଏବଂ ଆର ଅଶ୍ୱିନ୍ ସେମାନଙ୍କ ବିପକ୍ଷରେ ଅଧିକ ପ୍ରଭାବଶାଳୀ ହୋଇପାରନ୍ତି। କୌତୁହଳର ବିଷୟ ହେଉଛି ବାମହାତୀ ବ୍ୟାଟ୍ସମ୍ୟାନମାନେ ଖେଳିବାକୁ ସେତେଟା ସୁଯୋଗ ପାଇନଥିଲେ। ଶ୍ରୀଲଙ୍କାର ଉଭୟ ଡାହାଣହାତୀ ଓପନର୍ ୧୧ ଓଭର ଖେଳିଥିଲେ।

ଏଥି ସହିତ, ଯଦି ଆମେ ଶ୍ରୀଲଙ୍କା ଏବଂ ପାକିସ୍ଥାନକୁ ଦେଖିବା ଗତ କିଛି ମାସ ମଧ୍ୟରେ, ଏହି ଦଳମାନେ ମଧ୍ୟ ଟି-୨୦ ରେ ୧୮ ରୁ ଅଧିକ ଖେଳାଳିଙ୍କୁ ସୁଯୋଗ ଦେଇଛନ୍ତି। କିନ୍ତୁ, ଉଭୟ ଦଳ ଖେଳାଳି ଏକାଦଶ ଏବଂ ଦଳ ମିଶ୍ରଣକୁ ବାରମ୍ବାର ପରିବର୍ତ୍ତନ କରିନଥିଲେ। ଏହି କାରଣରୁ ଟି-୨୦ ବିଶ୍ୱକପ ପୂର୍ବରୁ ଏହି ଦୁଇ ଦଳ ଭଲ ଗତି ହାସଲ କରିଛନ୍ତି। ଏବେ ଭାରତ ଆଗରେ ଏକ ବଡ଼ ଚ୍ୟାଲେଞ୍ଜ ରହିଛି।

Categories
ବିଶେଷ ଖବର ବ୍ୟବସାୟ

ବ୍ରିଟେନକୁ ପଛରେ ପକାଇ ବିଶ୍ଵର ପଞ୍ଚମ ସର୍ବବୃହତ ଅର୍ଥବ୍ୟବସ୍ଥା ହେଲା ଭାରତ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ର ଆକଳନ ଅନୁଯାୟୀ, ବ୍ରିଟେନକୁ ପଛରେ ପକାଇ ଭାରତ ବିଶ୍ଵର ପଞ୍ଚମ ସର୍ବବୃହତ ଅର୍ଥବ୍ୟବସ୍ଥା ହୋଇପାରିଛି। କେବଳ ସେତିକି ନୁହେଁ ଅନ୍ୟାନ୍ୟ ପ୍ରଗତି ସୂଚକାଙ୍କରେ ମଧ୍ୟ ଭାରତର ସ୍ଥିତିରେ ସୁଧାର ଆସିଛି। ଜି-୨୦ ରାଷ୍ଟ୍ର ସମୂହଙ୍କ ମଧ୍ୟରେ ଭାରତ ସବୁଠୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥବ୍ୟବସ୍ଥା ଭାବେ ପ୍ରଗତି ହାସଲ କରୁଛି। ଭାରତରେ ବିଶ୍ଵର ସବୁଠୁ ଅଧିକ ସ୍ମାର୍ଟଫୋନ ଡାଟା ଉପଭୋକ୍ତା ରହିଛନ୍ତି। ସେହିପରି ଭାରତରେ ଅଛନ୍ତି ବିଶ୍ଵର ଦ୍ୱିତୀୟ ସର୍ବାଧିକ ଇଣ୍ଟରନେଟ୍‌ ବ୍ୟବହାରକାରୀ। ବିଶ୍ଵ ଖୁଚୁରା ସୂଚକାଙ୍କରେ ଭାରତ ସମ୍ପ୍ରତି ଦ୍ୱିତୀୟ ସ୍ଥାନ ହାସଲ କରିଛି। ସାରା ବିଶ୍ଵରେ ଭାରତ ତୃତୀୟ ବୃହତମ ଶକ୍ତି ଉପଭୋକ୍ତା ରାଷ୍ଟ୍ର ହୋଇପାରିଛି। ସେହିପରି ଭାରତ ହେଉଛି ବିଶ୍ଵର ତୃତୀୟ ସର୍ବବୃହତ ଉପଭୋକ୍ତା ବଜାର। ନବୋନ୍ମେଷ ସୂଚକାଙ୍କରେ ଭାରତ ଲଗାତାର ଭାବେ ନିଜ ମାନ୍ୟତାରେ ସୁଧାର ଆଣିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶର ଅର୍ଥବ୍ୟବସ୍ଥାରେ କ୍ରମାଗତ ଭାବେ ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ଯାହାଫଳରେ ଦେଶରେ ସମାବେଶୀ ବିକାଶ ସୁନିଶ୍ଚିତ ହୋଇଛି ଏବଂ ବିଶ୍ଵ ସ୍ତରରେ ଭାରତର ସମ୍ମାନ ବଢ଼ିଛି। ଚଳିତ ବର୍ଷ ଭାରତ ୬୭୦ ବିଲିୟନ ଆମେରିକୀୟ ଡଲାର ବା ପ୍ରାୟ ୫୦ ଲକ୍ଷ କୋଟି ଟଙ୍କାର ବସ୍ତୁ ରପ୍ତାନି କରିଛି। ପ୍ରତ୍ୟେକ ଆହ୍ୱାନର ସଫଳତାର ସହ ମୁକାବିଲା କରି ଭାରତର ୪୧୮ ବିଲିୟନ ଡଲାର ବା ପ୍ରାୟ ୩୧ ଲକ୍ଷ କୋଟି ଟଙ୍କାର ବାଣିଜ୍ୟିକ ରପ୍ତାନି କରି ନୂଆ ରେକର୍ଡ ପ୍ରତିଷ୍ଠା କରିଛି।

ବିଗତ ଆଠ ବର୍ଷ ମଧ୍ୟରେ ୧୦୦ରୁ ଅଧିକ ବିଲିୟନ ଡଲାର କମ୍ପାନୀ ଭାରତରେ ଗଠନ ହୋଇଛନ୍ତି। ପ୍ରତିମାସରେ ନୂଆ ନୂଆ କମ୍ପାନୀ ମୁଣ୍ଡ ଟେକୁଛନ୍ତି। ବିଗତ ଆଠ ବର୍ଷ ମଧ୍ୟରେ ସୃଷ୍ଟି ହୋଇଥିବା ଏସବୁ ୟୁନିକର୍ଣ୍ଣର ମୂଲ୍ୟ ବର୍ତ୍ତମାନ ପ୍ରାୟ ୧୫୦ ବିଲିୟନ ଆମେରିକୀୟ ଡଲାର ବା ୧୨ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି।

୨୦୧୪ ପରଠାରୁ ୮୦୦ ଦିନ ମଧ୍ୟରେ ପ୍ରଥମ ୧୦ ହଜାର ଷ୍ଟାର୍ଟଅପ୍‌ ଗଠନ ହୋଇଥିଲା। ଏହାପରେ ମାତ୍ର ୨୦୦ ଦିନ ମଧ୍ୟରେ ୧୦ହଜାର ନୂଆ ଷ୍ଟାର୍ଟଅପ୍‌ ଏହି ଇକୋସିଷ୍ଟମ ସହ ଯୋଡ଼ି ହୋଇଛନ୍ତି। ବିଗତ ଆଠ ବର୍ଷ ମଧ୍ୟରେ ଦେଶରେ ଷ୍ଟାର୍ଟଅପଗୁଡ଼ିକର ସଂଖ୍ୟା ମାତ୍ର କେତେ ଶହରୁ ଏବେ ୭୦ହଜାରରୁ ଅଧିକରେ ପହଞ୍ଚିଛି। ଦେଶର ପ୍ରାୟ ସବୁ ରାଜ୍ୟରେ, ବିଶେଷ କରି ଛୋଟ ଛୋଟ ସହରରେ ଷ୍ଟାର୍ଟଅପଗୁଡ଼ିକ ପ୍ରତିଷ୍ଠା ହେଉଛନ୍ତି। ଦେଶର ୬୫୦ରୁ ଅଧିକ ସହରରେ ଷ୍ଟାର୍ଟଅପଗୁଡ଼ିକ ରହିଥିବା ବେଳେ ଏମାନଙ୍କ ମଧ୍ୟରୁ ୫୦ ପ୍ରତିଶତ ଦ୍ୱିତୀୟ ଓ ତୃତୀୟ ଶ୍ରେଣୀର ସହରରେ ରହିଛନ୍ତି।

ଦେଶରେ ଗତ କିଛି ବର୍ଷ ଏକ ଡିଜିଟାଲ ବିପ୍ଳବ ଆସିଛି। ୨୦୧୪ରେ ମାତ୍ର ୬.୫ କୋଟି ବ୍ରଡବ୍ୟାଣ୍ଡ ଉପଭୋକ୍ତା ଥିବା ବେଳେ ଆଜି ସେମାନଙ୍କ ସଂଖ୍ୟା ୭୮ କୋଟିରୁ ଅଧିକକୁ ଅତିକ୍ରମ କରି ଯାଇଛି। ୨୦୧୪ରେ ୧ଜିବି ଡାଟା ମୂଲ୍ୟ ୨୦୦ ଟଙ୍କା ଥିଲା ଆଜି ଏହା ୧୧-୧୨ ଟଙ୍କାକୁ ହ୍ରାସ ପାଇଛି। ୨୦୧୪ରେ ଦେଶରେ ୧୧ ଲକ୍ଷ କିଲୋମିଟର ପର୍ଯ୍ୟନ୍ତ ଅପ୍ଟିକାଲ ଫାଇବର ବିଛା ଯାଇଥିଲା। ଏବେ ୨୮ ଲକ୍ଷରୁ ଅଧିକ କିଲୋମିଟର କ୍ଷେତ୍ରରେ ଅପ୍ଟିକାଲ ଫାଇବର ବିଛା ଯାଇପାରିଛି।

ଭାରତରେ ବିନିର୍ମାଣ ବା ଉତ୍ପାଦନ ୟୁନିଟ୍‌ ପ୍ରତିଷ୍ଠା କରିବା ଲାଗି ସରକାର ୨ ଲକ୍ଷ କୋଟି ଟଙ୍କାର ପିଏଲଆଇ ଯୋଜନା ଆରମ୍ଭ କରିଛନ୍ତି। ଗତ ଆଠ ବର୍ଷ ମଧ୍ୟରେ ସରକାର ଗୋଟିଏ ସିଙ୍ଗଲ କ୍ଲିକ୍‌ ଜରିଆରେ ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀମାନଙ୍କୁ ସିଧାସଳଖ ୨୨ ଲକ୍ଷ କୋଟି ଟଙ୍କା ହସ୍ତାନ୍ତର କରିଛନ୍ତି। ଡିବିଟି ଜରିଆରେ ଏହି ଅର୍ଥ ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ପହଞ୍ଚିଛି।

ସେହିପରି ଦେଶରେ ବହୁମୁଖି ଯୋଗାଯୋଗ ବ୍ୟବସ୍ଥା ପ୍ରତି ଗୁରୁତ୍ୱ ଦିଆଯାଉଛି। ସାଗରମାଳା, ଭାରତମାଳା, ପର୍ବତମାଳା, ବନ୍ଦର ଆଧାରିତ ବିକାଶ ଜରିଆରେ ଯୋଗାଯୋଗ ଭିତ୍ତିଭୂମିରେ ସୁଧାର ଆସିଛି। ସାମାଜିକ ଏବଂ ଭୌତିକ ଭିତ୍ତିଭୂମିରେ ଅଭୂତପୂର୍ବ ନିବେଶ ଦେଖିବାକୁ ମିଳିଛି। ଦେଶରେ ସହମତିର ଏକ ପରିବେଶ ସୃଷ୍ଟି ହୋଇଛି। ନୂଆ ଜାତୀୟ ଶିକ୍ଷା ନୀତିର କାର୍ଯ୍ୟକାରିତାରେ ଏହା ପ୍ରତିଫଳିତ ହୋଇଛି। ଦେଶରେ ନୂଆ ସ୍ୱାସ୍ଥ୍ୟ ନୀତି ଆଣିବା ଲାଗି କାର୍ଯ୍ୟ ଜାରି ରହିଛି। ଆଜି ଦେଶରେ ରେକର୍ଡ ସଂଖ୍ୟକ ନୂଆ ବିମାନ ବନ୍ଦର ନିର୍ମାଣ ହେଉଛି। ଛୋଟ ଛୋଟ ସହର ବିମାନ ମାର୍ଗ ସହ ଯୋଡ଼ି ହେଉଛନ୍ତି। ମେଟ୍ରୋ ରେଳ ସେବାର ସମ୍ପ୍ରସାରଣ ଆଜି ଏତେ ପରିମାଣରେ ହେଉଛି ଯେ ପୂର୍ବରୁ ଏହା କେବେ ଦେଖିବାକୁ ମିଳିନଥିଲା। ଦେଶରେ ରେକର୍ଡ ସଂଖ୍ୟକ ନୂଆ ମୋବାଇଲ ଟାୱାର ସଂଯୋଗ କରାଯାଉଛି। ଅତ୍ୟାଧୁନିକ ଫାଇଭ୍‌ ଜି ସେବା ଦେଶରେ କାର୍ଯ୍ୟକାରୀ ହେବାକୁ ଯାଉଛି। ଭାରତରେ ଆଜି ରେକର୍ଡ ସଂଖ୍ୟକ ଗ୍ରାମକୁ ଅପ୍ଟିକାଲ ଫାଇଭର ସଂଯୋଗ ହୋଇପାରିଛି।

ଦେଶର ଜନସାଧାରଣଙ୍କ ମଧ୍ୟରେ ବିଶ୍ବାସ ବୃଦ୍ଧି ପାଇଛି। ଉତ୍ତମ ପ୍ରଶାସନ ପାଇଁ ଅଣାଯାଇଥିବା ପ୍ରଯୁକ୍ତିକୁ ଲୋକମାନେ ଗ୍ରହଣ କରୁଛନ୍ତି। ବିଶ୍ଵର ଶ୍ରେଷ୍ଠ ଡିଜିଟାଲ ଅର୍ଥ ପଇଠ ପ୍ଲାଟଫର୍ମ ୟୁପିଆଇ ବା ୟୁନିଫାଏଡ ଇଣ୍ଟରଫେସ ପ୍ରତି ଜନସାଧାରଣଙ୍କ ଅଭୂତପୂର୍ବ ସମର୍ଥନ ଦେଖିବାକୁ ମିଳିଛି। ଏହା ଡିଜିଟାଲ ସଂସ୍କାର ପ୍ରତି ଜନସାଧାରଣଙ୍କ ଆସ୍ଥାକୁ ପ୍ରତିଫଳିତ କରିଛି। ବିଶ୍ଵର ୪୦ ପ୍ରତିଶତ ଡିଜିଟାଲ କାରବାର ଭାରତରେ ହେଉଛି। ଦୂରବର୍ତ୍ତୀ ଗାଁ ଠାରୁ ଆରମ୍ଭ କରି ବଡ଼ ସହର ପର୍ଯ୍ୟନ୍ତ ରାସ୍ତାକଡ଼ ଉଠାଦୋକାନୀଙ୍କ ଠାରୁ ଆରମ୍ଭ କରି ବଡ଼ ବ୍ୟବସାୟୀଙ୍କ ପର୍ଯ୍ୟନ୍ତ, ସମସ୍ତେ ୧୦-୨୦ ଟଙ୍କାରୁ ଆରମ୍ଭ କରି ଲକ୍ଷ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେଣନେଣ ୟୁପିଆଇ ମାଧ୍ୟମରେ କରୁଛନ୍ତି।

ଦେଶରେ ସମାବେଶୀ ବିକାଶ ଦେଖିବାକୁ ମିଳିଛି। ପିଏମ କିଷାନ ସମ୍ମାନ ନିଧି ଯୋଜନାରେ ଦେଶର ୧୧ କୋଟି ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରାୟ ୨ ଲକ୍ଷ କୋଟି ଟଙ୍କା ହସ୍ତାନ୍ତର କରାଯାଇଛି। ଆଜି ଦେଶର ୩ କୋଟି ଗରିବ ଲୋକମାନଙ୍କୁ ନୂଆ ପକ୍କା ଘର ମିଳିଛି, ଯେଉଁଥିରେ ସେମାନେ ରହିବା ଆରମ୍ଭ କରିଛନ୍ତି। ଦେଶର ୫୦ କୋଟିରୁ ଅଧିକ ଲୋକଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ପାଇବାର ସୁବିଧା ରହିଛି । ଦେଶର ୨୫ କୋଟିରୁ ଅଧିକ ଲୋକଙ୍କ ପାଖରେ ଦୁର୍ଘଟଣା ବୀମା ଏବଂ ୨ ଲକ୍ଷ ଟଙ୍କା ଲେଖାଏଁ ଅବଧି ବୀମା ରହିଛି। ଆଜି ଦେଶର ୪୬ କୋଟିରୁ ଅଧିକ ଲୋକଙ୍କ ପାଖରେ ଜନ ଧନ ବ୍ୟାଙ୍କ ଆକାଉଣ୍ଟ ରହିଛି। ପିଏମ ସ୍ୱନିଧି ଯୋଜନା ମାଧ୍ୟମରେ ଦେଶର ୩୫ ଲକ୍ଷ ରାସ୍ତାପାର୍ଶ୍ବ ଉଠାଦୋକାନୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।

ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଅଧୀନରେ ଦେଶର କ୍ଷୁଦ୍ର ଉଦ୍ୟୋଗୀମାନଙ୍କୁ ୨୦ ଲକ୍ଷ କୋଟି ଟଙ୍କାରୁ ଅଧିକ ଋଣ ଯୋଗାଇ ଦିଆଯାଇଛି। ଋଣଗ୍ରହିତାମାନଙ୍କ ମଧ୍ୟରେ ୭କୋଟି ଏଭଳି ଉଦ୍ୟୋଗୀ ରହିଛନ୍ତି ଯେଉଁମାନେ ପ୍ରଥମ ଥର ପାଇଁ ସେମାନଙ୍କର ବ୍ୟବସାୟ ଆରମ୍ଭ କରି ସଫଳ ଉଦ୍ୟୋଗୀ ହୋଇପାରିଛନ୍ତି। ପ୍ରଥମ ଥର ପାଇଁ ୭ କୋଟିରୁ ଅଧିକ ଲୋକ ମୁଦ୍ରା ଯୋଜନା ସହାୟତାରେ ସ୍ୱାବଲମ୍ବୀ ହୋଇପାରିଛନ୍ତି। ୭୦ ପ୍ରତିଶତ ମହିଳା ଉଦ୍ୟୋଗୀମାନଙ୍କୁ ଋଣ ପ୍ରଦାନ କରାଯାଇଛି। ‘ଜରୁରିକାଳୀନ କ୍ରେଡିଟ୍‌ ଲାଇନ ଗ୍ୟାରେଣ୍ଟି ଯୋଜନା’ କ୍ଷୁଦ୍ର ଉଦ୍ୟୋଗୀମାନଙ୍କୁ ସହାୟକ ହୋଇଛି। ଏକ ଅଧ୍ୟୟନ ଅନୁଯାୟୀ ଏହି ଯୋଜନା ପ୍ରାୟ ଦେଢ଼ କୋଟି ଲୋକଙ୍କ ଚାକିରି ସୁରକ୍ଷିତ ରଖିପାରିଛି।

ଲଘୁ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମଏସଏମଇ)କୁ ସହାୟତା ପାଇଁ ଗତ ୮ ବର୍ଷ ମଧ୍ୟରେ ଏହି କ୍ଷେତ୍ର ପାଇଁ ବଜେଟକୁ ୬୫୦ ପ୍ରତିଶତରୁ ଅଧିକ ବୃଦ୍ଧି କରାଯାଇଛି। ୧୧ କୋଟିରୁ ଅଧିକ ଲୋକ ଏହି କ୍ଷେତ୍ର ଠାରୁ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ଲାଭ ପାଇପାରିଛନ୍ତି।  ଶତାବ୍ଦୀର ସବୁଠୁ ବଡ଼ ବିପତ୍ତି ସମୟରେ କ୍ଷୁଦ୍ର ଉଦ୍ୟୋଗୀମାନଙ୍କୁ ସୁରକ୍ଷା ଦେବା ଲାଗି କେନ୍ଦ୍ର ସରକାର ଏମଏସଏମଇଙ୍କ ପାଇଁ ୩.୫ ଲକ୍ଷ କୋଟି ଟଙ୍କାର ଋଣ ସୁନିଶ୍ଚିତ କରିଥିଲେ।

ଦେଶରେ ଏବେ ବ୍ୟାପକ ପରିବର୍ତ୍ତନ ଦେଖିବାକୁ ମିଳିଛି। ବିଭିନ୍ନ କ୍ଷେତ୍ରରେ ବ୍ୟାପକ ସଂସ୍କାର ଅଣାଯାଇଛି । ଶ୍ରମ ଆଇନ ଭଳି କେତେକ ଆଇନକୁ ସରଳ କରାଯାଇଛି। ୨୯ରୁ ଅଧିକ ଶ୍ରମ ଆଇନ ପରିବର୍ତ୍ତେ ୪ଟି ସରଳ ଶ୍ରମ ସଂହିତା ଲାଗୁ କରାଯାଇଛି। ୩୦ ହଜାରରୁ ଅଧିକ ଅନୁପାଳନକୁ କମାଇବା, ୧୫୦୦ରୁ ଅଧିକ ଆଇନ ଉଚ୍ଛେଦ କରିବା, କମ୍ପାନୀ ଆଇନରେ ଥିବା ବହୁ ବ୍ୟବସ୍ଥାର ନିରପରାଧୀକରଣ କରିବା ଫଳରେ ଭାରତର କମ୍ପାନୀମାନଙ୍କ ଅଭିବୃଦ୍ଧି ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି ହୋଇଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଭିନ୍ନ ଭିନ୍ନ ସଂଖ୍ୟାଧିକ ଟିକସର ଜାଲ ପରିବର୍ତ୍ତେ ଏବେ କେବଳ ଜିଏସଟି କାର୍ଯ୍ୟକାରୀ ହେଉଛି। ଏହି ସରଳ ଟିକସ ବ୍ୟବସ୍ଥାର ଲାଭ ଦେଶକୁ ମିଳୁଛି। ପ୍ରତି ମାସରେ ଜିଏସଟି ସଂଗ୍ରହ ଏକ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିବା ସାଧାରଣ କଥା ହୋଇଗଲାଣି। ଏସବୁ ବ୍ୟବସାୟିକ ସୁଗମତା ପାଇଁ ମାର୍ଗ ପ୍ରଶସ୍ତ କରିଛି। ସରକାର ନୀତିଗତ ସ୍ଥିରତା, ସମନ୍ବୟ ଏବଂ ବ୍ୟବସାୟିକ ସୁଗମତା ଉପରେ ଜୋର ଦେଉଛନ୍ତି। ଅତୀତରେ ଥିବା ହଜାର ହଜାର ପୁରୁଣା ଆଇନ ଓ ଅନୁପାଳନକୁ ଉଚ୍ଛେଦ କରାଯାଇଛି। ସଂସ୍କାର ମାଧ୍ୟମରେ ଭାରତକୁ ଅଖଣ୍ଡ ରାଷ୍ଟ୍ର ଭାବେ ଅଧିକ ଶକ୍ତିଶାଳୀ କରିବା ଲାଗି ପ୍ରୟାସ କରାଯାଉଛି। ଏକ ରାଷ୍ଟ୍ର-ଏକ ଟିକସ ଆକାରରେ ଜିଏସଟି, ଏକ ରାଷ୍ଟ୍ର-ଏକ ଗ୍ରୀଡ, ଏକ ରାଷ୍ଟ୍ର-ଏକ ମୋବିଲିଟି ବା ପରିବହନ କାର୍ଡ, ଏକ ରାଷ୍ଟ୍ର-ଏକ ରାସନ କାର୍ଡ, ଏସବୁ ପ୍ରୟାସ ସରକାରଙ୍କ ସ୍ପଷ୍ଟ ଓ ଦୃଢ଼ ନୀତିକୁ ପ୍ରତିଫଳିତ କରୁଛି।

‘‘ସରକାର ସବୁକଥା ଜାଣନ୍ତି ଏବଂ କେବଳ ସରକାର ହିଁ ସବୁ କରିବେ’’, ଅତୀତର ଏହି ଚିନ୍ତାଧାରାରେ ଏବେ ପରିବର୍ତ୍ତନ ଆସିଛି। ‘ସବକା ପ୍ରୟାସ’ (ସମସ୍ତଙ୍କ ଉଦ୍ୟମ) ଭାବନା ନେଇ ଦେଶ ଏବେ ଆଗକୁ ବଢ଼ୁଛି। ଏହି କାରଣରୁ ଦେଶରେ ଏବେ ବିଭିନ୍ନ ଦିଗରେ ଉଦ୍ୟମ କରାଯାଉଛି। ବିଆଇଆରଏସି ଭଳି ପ୍ଲାଟଫର୍ମକୁ ଶସ୍ତ କରାଯାଉଛି। ଷ୍ଟାର୍ଟଅପ୍‌ ପାଇଁ ଷ୍ଟାର୍ଟଅପ୍‌ ଇଣ୍ଡିଆ ଅଭିଯାନ, ମହାକାଶ କ୍ଷେତ୍ର ପାଇଁ ଇନ-ସ୍ପେସ, ପ୍ରତିରକ୍ଷା ଷ୍ଟାର୍ଟଅପ୍ସ ପାଇଁ ଆଇଡିଇଏକ୍ସ, ସେମିକଣ୍ଡକ୍ଟର ପାଇଁ ଇଣ୍ଡିଆନ ସେମିକଣ୍ଡକ୍ଟର ମିଶନ, ଯୁବବର୍ଗଙ୍କ ମଧ୍ୟରେ ନବସୃଜନ ଓ ଉଦ୍ୟମିତାକୁ ପ୍ରୋତ୍ସାହନ ପାଇଁ ସ୍ମାର୍ଟ ଇଣ୍ଡିଆ ହାକାଥନ, ବାୟୋଟେକ୍‌ ଷ୍ଟାର୍ଟଅପ୍‌ ଆଦି ପଦକ୍ଷେପ ସରକାରଙ୍କ ଅଭିନବ ପ୍ରୟାସର ପ୍ରମାଣ ଦେଉଛି। ଗବେଷଣା ଓ ବିକାଶ, ନବସୃଜନ, ଷ୍ଟାର୍ଟଅପ୍ସ, ଅଭିନବ ପ୍ରଯୁକ୍ତିକୁ ପ୍ରୋତ୍ସାହନ ଦେବା ଲାଗି ସରକାର ଏସବୁ ପଦକ୍ଷେପ ଗ୍ରହଣ କରିଛନ୍ତି। ଦେଶ ଏସବୁ ପ୍ରୟାସ ଦ୍ୱାରା ବ୍ୟାପକ ଭାବେ ଲାଭାନ୍ୱିତ ହେଉଛି। ଗବେଷଣା ଓ ଶିକ୍ଷାଦାନ କ୍ଷେତ୍ରରେ ଦେଶ ଏକ ନୂଆ ଉପଲବ୍ଧି ହାସଲ କରିଛି। ଏହି କ୍ଷେତ୍ରରେ ବାସ୍ତବ ଦୁନିଆର ଦୃଷ୍ଟି ପ୍ରଦାନ କରିବା ଲାଗି ଶିଳ୍ପ ଜଗତର ସହାୟତା ମିଳୁଛି। ସରକାର ଏଥିପାଇଁ ଆବଶ୍ୟକ ନୀତିଗତ ପରିବେଶ ଏବଂ ଭିତ୍ତିଭୂମି ଯୋଗାଇ ଦେଉଛନ୍ତି।

ଲଗାତାର ସଂସ୍କାର ମାଧ୍ୟମରେ ଦେଶର ଯୁବବର୍ଗ ସମ୍ମୁଖିନ ହେଉଥିବା ବାଧା ଦୂର ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। ଘରୋଇ ଉଦ୍ୟୋଗ ପାଇଁ ପ୍ରତିରକ୍ଷା କ୍ଷେତ୍ରକୁ ଖୋଲାଯାଇଛି । ମହାକାଶ ଉଦ୍ୟୋଗରେ ଘରୋଇ ଅଂଶଗ୍ରହଣ ଲାଗି ମାର୍ଗପ୍ରଶସ୍ତ ହୋଇଛି। ଆଧୁନିକ ଦ୍ରୋନ ନୀତି ଅଣାଯାଇଛି। ଭୂସ୍ଥାନିକ ଡାଟା ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଉଛି। ଟେଲିକମ-ଆଇଟି କ୍ଷେତ୍ର ପାଇଁ ‘ଯେକୌଣସି ସ୍ଥାନରୁ କାମ କରିବା’ର ସୁବିଧା ଦିଆଯାଇଛି। ସରକାର ସବୁ ଦିଗରେ କାର୍ଯ୍ୟ କରୁଛନ୍ତି। ଘରୋଇ କ୍ଷେତ୍ରକୁ ସର୍ବାଧିକ ବ୍ୟବସାୟିକ ସୁଗମତା ଦେବା ପାଇଁ ସରକାର କାର୍ଯ୍ୟ କରୁଛନ୍ତି, ଯାହାଫଳରେ ଦେଶବାସୀଙ୍କ ସହଜ ଜୀବନ ଧାରଣ ପାଇଁ ଦେଶର ଘରୋଇ କ୍ଷେତ୍ର ମଧ୍ୟ ଉଲ୍ଲେଖନୀୟ ଯୋଗଦାନ ଦେଇପାରିବେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ

ହଂକଂକୁ ୧୫୫ ରନ୍ ରେ ପରାସ୍ତ କଲା ପାକିସ୍ତାନ, ବର୍ତ୍ତମାନ ଭାରତ ସହ ହେବ ଲଢେଇ

ନୂଆଦିଲ୍ଲୀ: ଏସିଆ କପ୍-୨୦୨୨ ର ଷଷ୍ଠ ମ୍ୟାଚ୍ ରେ ପାକିସ୍ତାନ ହଂକଂକୁ ଦୟନୀୟ ଭାବେ ପରାସ୍ତ କରିଛି। ମ୍ୟାଚକୁ ୧୫୫ ରନରେ ପାକିସ୍ତାନ ଜିତିନେଇଛି। ଏହି ବିଜୟ ପରେ ପାକିସ୍ତାନର ପରବର୍ତ୍ତୀ ମ୍ୟାଚ୍ ଭାରତ ବିପକ୍ଷରେ ହେବ। ସେପ୍ଟେମ୍ବର ୪ ତାରିଖରେ ହେବାକୁ ଥିବା ସୁପର-୪ ମ୍ୟାଚରେ ଭାରତ ଏବଂ ପାକିସ୍ତାନର ଦଳ ମୁହାଁମୁହିଁ ହେବେ। ହଂକଂ ବିପକ୍ଷରେ ପାକିସ୍ତାନ ପାଇଁ ଶାଦବ ଖାନ, ନାସିମ ଶାହା ଏବଂ ମହମ୍ମଦ ନୱାଜ ଚମତ୍କାର ବୋଲିଂ କରିଥିଲେ। ଏଥି ସହ ମହମ୍ମଦ ରିଜୱାନ ବ୍ୟାଟିଂରେ ଭଲ ପ୍ରଦର୍ଶନ କରିଥିଲେ।

ପାକିସ୍ତାନ ଦେଇଥିବା ଟାର୍ଗେଟକୁ ପିଛା କରି ହଂକଂ ଦଳ ୧୦.୪ ଓଭରରେ ମାତ୍ର ୩୮ ରନରେ ସମାପ୍ତ ହୋଇଥିଲା। କ୍ୟାପଟେନ ନିଜକତ ଖାନ ଏବଂ ୟାସିମ ମୋର୍ଟାଜା ଦଳ ପାଇଁ ଖୋଲିବାକୁ ଆସିଥିଲେ। ନିଜକତ ମାତ୍ର ୮ ରନ୍ କରି ଆଉଟ ହୋଇଥିଲେ ଏବଂ ମୋର୍ଟାଜା ୨ ରନ୍ ସଂଗ୍ରହ କରିଥିଲେ। ବାବର ହାୟାତ୍ ମଧ୍ୟ ଖାତା ଖୋଲି ପାରିନଥିଲେ ଏବଂ ଶୂନରେ ପ୍ୟାଭିଲିୟନକୁ ଫେରିଥିଲେ। କିଞ୍ଚିତ ଶାହା ୧୦ ଟି ବଲରେ ୬ ରନ୍ ସଂଗ୍ରହ କରିଥିଲେ। ଅଜାଜ ଖାନଙ୍କୁ ୧ ରନ୍ ଏବଂ ସ୍କଟ୍ ମ୍ୟାକକେନି ୪ ରନ୍ ରେ ଆଉଟ ହୋଇଯାଇଥିଲା। ସେହିଭଳି ପୁରା ଟିମ୍ ଆଉଟ୍ ହୋଇଥିଲେ।

ଶାଦବ ଖାନ ପାକିସ୍ତାନ ପାଇଁ ଚମତ୍କାର ବୋଲିଂ କରିଥିଲେ। ସେ ୨.୪ ଓଭରରେ ମାତ୍ର ୮ ରନ୍ ଦେଇ ୪ ଟି ୱିକେଟ୍ ନେଇଥିଲେ। ମହମ୍ମଦ ନୱାଜ ୨ ଓଭରରେ ୫ ରନ୍ ଦେଇ ୩ ଟି ୱିକେଟ୍ ନେଇଥିଲେ। ନାସିମ ଶାହା ୨ ଓଭରରେ ୭ ରନ୍ ଦେଇ ୨ ଟି ୱିକେଟ୍ ନେଇଥିଲେ। ଶାହନାୱାଜ ଦହାନି ୨ ଓଭରରେ ୭ ରନ୍ ଦେଇ ଗୋଟିଏ ୱିକେଟ୍ ନେଇଥିଲେ।

୨ ୱିକେଟ୍ ହରାଇ ୨୦ ଓଭରରେ ପାକିସ୍ତାନ ୧୯୩ ରନ୍ ସଂଗ୍ରହ କରିଥିଲା। ଏହି ସମୟରେ ମହମ୍ମଦ ରିଜୱାନ ଦଳ ପାଇଁ ଅପରାଜିତ ୭୮ ରନ୍ କରିଥିଲେ। ରିଜୱାନ୍ ୬ ଟି ଚୌକା ଓ ଗୋଟିଏ ଛକା ମାରିଥିଲେ। ୯ ରନ୍ ସ୍କୋର କରିବା ପରେ କ୍ୟାପଟେନ ବାବର ଆଜାମଙ୍କୁ ଆଉଟ କରାଯାଇଥିଲା। ଫାକର ଜମାନ ୪୧ ବଲରେ ୫୩ ରନ୍ ସଂଗ୍ରହ କରିଥିଲେ। ଶେଷରେ ଖୁସଦିଲ ଏକ ଧୂଆଁଧାର ଇନିଂସ ଖେଳିଥିଲେ। ସେ ୧୫ ବଲରେ ଅପରାଜିତ ୩୫ ରନ ସଂଗ୍ରହ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଭାରତରେ ୬ ହଜାରରୁ ଉର୍ଦ୍ଧ୍ଵ ଆକ୍ରାନ୍ତ ଚିହ୍ନଟ, ୬୦ ହଜାରକୁ ଖସିଲା ସକ୍ରିୟ ରୋଗୀଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ କରୋନା ସଂକ୍ରମଣର ୬ ହଜାର ୧୬୮ ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୪ କୋଟି ୪୪ ଲକ୍ଷ ୪୨ ହଜାର ୫୦୭ କୁ ବୃଦ୍ଧି ପାଇଥିବାବେଳେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ୫୯ ହଜାର ୨୧୦ କୁ ହ୍ରାସ ପାଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ଗୁରୁବାର ସକାଳ ୮ ଟାରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଦେଶରେ ସଂକ୍ରମଣ ହେତୁ ୨୧ ଜଣଙ୍କ ମୃତ୍ୟୁ ହୋଇଛି। ଯାହାପରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୨୭ ହଜାର ୯୩୨ କୁ ବୃଦ୍ଧି ପାଇଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଭାରତ ସହ ଶିକ୍ଷାନୁଷ୍ଠାନ ଏବଂ ଗବେଷଣାକୁ ସଦୃଢ଼ କରିବା ନେଇ ବ୍ରାଜିଲ ଶିକ୍ଷା ମନ୍ତ୍ରୀଙ୍କ ସହମତି

ବାଲି: ଜି-୨୦ ଶିକ୍ଷା ମନ୍ତ୍ରୀ ମାନଙ୍କ ବୈଠକ ପୂର୍ବରୁ ଆଜି ଇଣ୍ଡୋନେସିଆର ବାଲି ଠାରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବ୍ରାଜିଲର ଶିକ୍ଷା ମନ୍ତ୍ରୀ ଭିକ୍ଟୋର ଗୋଡୋଏ ଓ୍ୱେଗାଇସଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଦୁଇ ଦେଶ ମଧ୍ୟରେ ଶିକ୍ଷା, ଉଦ୍ୟମିତା, ଗବେଷଣା ଓ ନବସୃଜନ କ୍ଷେତ୍ରରେ ସହଯୋଗକୁ ଅଧିକ ସୁଦୃଢ଼ କରିବା ଦିଗରେ ବୈଠକରେ ଆଲୋଚନା ହୋଇଥିବା ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି। ଉଭୟ ଦେଶ ମଧ୍ୟରେ ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରରେ ଜଏଣ୍ଟ ଓ୍ୱାର୍କିଂ ଗ୍ରୁପର ପୁନରୁଦ୍ଧାର କରିବା ପାଇଁ ବୈଠକରେ ଆଲୋଚନା କରାଯାଇଛି।

ଉର୍ଜା ସୁରକ୍ଷା, ପରିବେଶ ବିଜ୍ଞାନ, ଜଳବାୟୁ ପରିବର୍ତ୍ତନ, ସ୍ୱାସ୍ଥ୍ୟସେବା, ପାରମ୍ପରିକ ଔଷଧ, ଯୋଗ, ଆୟୁର୍ବେଦ ଏବଂ ଡ଼ିଜଟାଲ ଟେକ୍ନୋଲୋଜି ଭଳି କ୍ଷେତ୍ରରେ ଗବେଷଣାକୁ ଅଧିକ ମଜବୁତ୍ କରିବା ଦିଗରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଛନ୍ତି। ସେହିପରି ଉଭୟ ଦେଶର ଉଚ୍ଚ ଶିକ୍ଷା ଏବଂ ଦକ୍ଷତା ବିକାଶ ଅନୁଷ୍ଠାନ ଗୁଡ଼ିକୁ ଯୋଡ଼ାଗଲେ ଉଭୟ ରାଷ୍ଟ୍ର ଲାଭପ୍ରଦ ହେବେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ବ୍ରାଜିଲର ଶିକ୍ଷା ମନ୍ତ୍ରୀ ଭାରତ ସହ ଶିକ୍ଷାନୁଷ୍ଠାନ ଏବଂ ଗବେଷଣାକୁ ଅଧିକ ସଦୃଢ଼ କରିବା ଦିଗରେ ଇଚ୍ଛାପ୍ରକାଶ କରିଛନ୍ତି। ଏହାସହ ଏଜୁକେସନ ଓ୍ୱାର୍କିଂ ଗ୍ରୁପର ଏଜେଣ୍ଡାରେ ଭାରତ ପ୍ରତି ବ୍ରାଜିଲର ସମର୍ଥନ ରହିଥିବା ସେ ସହମତି ପ୍ରକାଶ କରିଥିଲେ।

ଚାରିଦିନିଆ ଇଣ୍ଡୋନେସିଆ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଆଜି ବାଲିରେ ପହଞ୍ଚିବା ପରେ ଇଣ୍ଡୋନେସିଆ ଶିକ୍ଷା ମନ୍ତ୍ରଣାଳୟର ମହାନିର୍ଦ୍ଦେଶକ ଡ଼. ଇଓ୍ୱାନ ଶ୍ୟାରିଲ୍ ଇଣ୍ଡୋନେସିଆର ପାରମ୍ପରିକ ଶୈଳିରେ ତାଙ୍କୁ ସ୍ୱାଗତ କରିଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ପାକିସ୍ତାନର ପରାଜୟକୁ ନେଇ ଶୋଏବ ଅଖତର ଅସନ୍ତୋଷ: ଅଧିନାୟକତ୍ୱକୁ ନେଇ ଉଠାଇଲେ ପ୍ରଶ୍ନ

ଦୁବାଇ: ଏସିଆ କପରେ ଭାରତ ବିପକ୍ଷରେ ପାଞ୍ଚ ୱିକେଟ୍ ପରାଜୟ ପରେ ପାକିସ୍ତାନ ଦଳ ଟାର୍ଗେଟରେ ରହିଛି। ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତର ପାକିସ୍ତାନର ପରାଜୟକୁ ନେଇ ବହୁତ କ୍ରୋଧିତ ହୋଇଛନ୍ତି। ଶୋଏବ ଅଖତର ପାକିସ୍ତାନର ପରାଜୟ ପାଇଁ ବାବର ଆଜାମଙ୍କ ଅଧିନାୟକତ୍ୱକୁ ଦାୟୀ କରିଛନ୍ତି। ଅଖତର ମଧ୍ୟ ପାକିସ୍ତାନର ବ୍ୟାଟିଂ ଅର୍ଡର ଉପରେ ପ୍ରଶ୍ନ ଉଠାଇଛନ୍ତି।

ଭାରତ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ପାକିସ୍ତାନର ଦଳ ୧୯.୫ ଓଭରରେ ୧୪୭ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଯାଇଥିଲା। ୧୯.୪ ଓଭରରେ ୫ ୱିକେଟ୍ ହରାଇ ଟିମ୍ ଇଣ୍ଡିଆ ଏହି ଲକ୍ଷ୍ୟ ହାସଲ କରିନେଇଥିଲା। ପାକିସ୍ତାନର ମନ୍ଥର ବ୍ୟାଟିଂକୁ ଲକ୍ଷ୍ୟ କରି ଅଖତର କହିଛନ୍ତି ଯେ, ଯଦି ରିଜୱାନଙ୍କ ପରି ଖେଳାଳି ୪୫ ବଲରେ ୪୫ ରନ୍ ସ୍କୋର କରନ୍ତି, ତେବେ ଏହା କିପରି ଗୁରୁତ୍ୱପୂର୍ଣ୍ଣ ହେବ। ପାୱାରପ୍ଲେରେ ରିଜୱାନ୍ ୧୯ ଟି ଡଟ୍ ବଲ୍ ଖେଳିଥିଲେ। ଯଦି ପାୱାରପ୍ଲେରେ ଏହିପରି ଖେଳାଯାଏ, ତେବେ ମ୍ୟାଚ ଜିତିବା କଷ୍ଟସାଧ୍ୟ ହେବ।

ଅଖତର ଆହୁରି କହିଛନ୍ତି ଯେ, ମୁଁ ବାବର ଆଜାମଙ୍କୁ ଅନେକ ଥର କହିଛି ଯେ ସେ ଟି-୨୦ ଫର୍ମାଟରେ ତିନି ନମ୍ବରରେ ବ୍ୟାଟିଂ କରିବା ଉଚିତ। ରିଜୱାନଙ୍କ ସହ ଫଖର ଜମାନ ଓପନ କରିବା ଉଚିତ୍। ଆସିଫ ଅଲିଙ୍କ ପୂର୍ବରୁ ଶାଦବ ଖାନଙ୍କୁ ବ୍ୟାଟିଂ କରିବାକୁ ପଠାଯାଇଥିଲା। ବାବର ଆଜାମ କିପରି ଅଧିନାୟକ ହେବାକୁ ଚେଷ୍ଟା କରୁଥିଲେ, ଏହା ମୋ ବୁଝିବା ବାହାରେ ଥିଲା।

ଶୋଏବ ଅଖତର ମଧ୍ୟ ଭାରତର ଖେଳାଳି ଏକାଦଶ ଉପରେ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ, ମ୍ୟାଚ୍ ହାରିବା ପାଇଁ ଭାରତ ମଧ୍ୟ ଯଥାସମ୍ଭବ ଚେଷ୍ଟା କରିଥିଲା। ଜଣାପଡୁନଥିଲା ରୋହିତ କିପରି ଭାବରେ ଅଧିନାୟକତ୍ଵ କରୁଥିଲେ। ଖେଳାଳି ଏକାଦଶରେ ଋଷଭ ପନ୍ତଙ୍କୁ ସ୍ଥାନ ଦିଆଯାଇନଥିଲା। କିନ୍ତୁ ଶେଷରେ ଭାରତ ଏହି ମ୍ୟାଚ ଜିତିବାରେ ସଫଳ ହୋଇଥିଲା।

ପ୍ରକାଶ ଥାଉ କି, ପାକିସ୍ତାନ ବିପକ୍ଷ ମ୍ୟାଚରେ ଋଷଭ ପନ୍ତଙ୍କ ବଦଳରେ ଦୀନେଶ କାର୍ତ୍ତିକଙ୍କୁ ଟିମ୍ ଇଣ୍ଡିଆ ପ୍ରାଧାନ୍ୟ ଦେଇଥିଲା। ଟିମ୍ ଇଣ୍ଡିଆ ପାଇଁ ୱିକେଟ୍ କିପରଙ୍କ ସହ ଦୀନେଶ କାର୍ତ୍ତିକ ଫିନିଶର ଭୂମିକାରେ ନଜର ଆସନ୍ତି।

Categories
ଆଜିର ଖବର ଖେଳ ଜାତୀୟ ଖବର

ପୂର୍ବ ପରାଜୟର ପ୍ରତିଶୋଧ ନେଲା ଟିମ୍ ଇଣ୍ଡିଆ, ପାକିସ୍ତାନ ଠାରୁ ୫ ୱିକେଟରେ ଜିତିଲା ଭାରତ

ନୂଆଦିଲ୍ଲୀ: ଦୁବାଇରେ ଖେଳାଯାଇଥିବା ଏସିଆ କପ୍‌ର ଦ୍ୱିତୀୟ ମ୍ୟାଚ୍‌ରେ ଭାରତ ପାକିସ୍ତାନକୁ ୫ ଟି ୱିକେଟ୍‌ରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୧୪୭ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ଟିମ୍ ଇଣ୍ଡିଆ ଶେଷ ଓଭରରେ ମାତ୍ର ୫ ଟି ୱିକେଟ୍ ହରାଇ ଟାର୍ଗେଟକୁ ପୁରା କରିଥିଲା।

ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭାରତର ଏହି ବିଜୟର ହିରୋ ଥିଲେ। ହାର୍ଦ୍ଦିକ ପ୍ରଥମେ ବୋଲିଂରେ ତିନୋଟି ୱିକେଟ୍ ନେଇଥିଲେ ଏବଂ ପରେ ଶେଷ ଓଭରରେ ଛକା ମାରି ଭାରତକୁ ବିଜୟୀ କରିଥିଲେ। ସେ ବ୍ୟାଟିଂ କରିବାକୁ ଆସିଥିବା ବେଳେ ଭାରତ ୧୫ ଓଭରରେ ମାତ୍ର ୮୯ ରନ୍ ରେ ଚାରିଟି ୱିକେଟ୍ ହରାଇଥିଲା।

ପାକିସ୍ତାନର ୧୪୮ ରନ୍‌ର ଟାର୍ଗେଟକୁ ପିଛା କରୁଥିବା ବେଳେ ଭାରତୀୟ ଦଳର ଆରମ୍ଭ ଭଲ ନଥିଲା। ପ୍ରଥମ ଓଭରରେ ଓପନର୍ କେ.ଏଲ୍ ରାହୁଲ ଶୂନ ରେ ଆଉଟ ହୋଇଥିଲେ। ତାଙ୍କୁ ଡେବ୍ୟୁ ମ୍ୟାନ୍ ନସିମ ଶାହା ଆଉଟ କରିଥିଲେ। ଏହା ପରେ ପାୱାର ପ୍ଲେରେ ପାକିସ୍ତାନୀ ବୋଲିଂ ସଠିକ୍ ବୋଲିଂ ଜାରି ରଖିଥିଲେ।

ବିରାଟ କୋହଲି ଶୂନ୍ୟରେ ଜୀବନଦାନ ପାଇଥିଲେ ଏବଂ ତା’ପରେ ସେ ଏହାର ଫାଇଦା ଉଠାଇଲେ। କୋହଲି ତାଙ୍କ ପୁରୁଣା ଶୈଳୀରେ ବ୍ୟାଟିଂ କରିଥିଲେ। ସେ ତିନି ଚୌକା ଓ ଗୋଟିଏ ଛକା ମାରିଥିଲେ। ତେବେ ରୋହିତ କ୍ରମାଗତ ସଂଘର୍ଷ କରି ମାତ୍ର ୧୨ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ। କୋହଲିଙ୍କ ରୂପରେ ଭାରତ ତୃତୀୟ ଝଟକା ପାଇଥିଲା। କୋହଲି ୩୫ ରନ୍ ସ୍କୋର କରିବା ପରେ ନୱାଜଙ୍କ ବଲରେ ଆଉଟ୍ ହୋଇଥିଲେ।

ରୋହିତ ଏବଂ କୋହଲିଙ୍କ ଆଉଟ ପରେ ଭାରତୀୟ ଦଳ ଅସୁବିଧାରେ ପଡ଼ିଥିଲା। ଏଭଳି ପରିସ୍ଥିତିରେ ଚତୁର୍ଥ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ରବିନ୍ଦ୍ର ଜାଡେଜା ଦମଦାର ପ୍ରଦର୍ଶନ କରିଥିଲେ। ପ୍ରଥମ ଜାଡୁ ଚତୁର୍ଥ ୱିକେଟ୍ ପାଇଁ ସୂର୍ଯ୍ୟକୁମାର ଯାଦବ (୧୮ ରନ୍) ସହ ୩୬ ରନ୍ ସହଭାଗିତା କରିଥିଲେ। ଏହା ପରେ ଯେତେବେଳେ ସୂର୍ଯ୍ୟ ଆଉଟ ହୋଇଯାଇଥିଲେ, ଜାଡେଜା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ମିଶି ଦଳକୁ ଆଗକୁ ନେଇଥିଲେ। ରବିନ୍ଦ୍ର ଜାଡେଜା ୨୯ ବଲରେ ୩୫ ରନ୍ ସଂଗ୍ରହ କରିଥିଲେ। ଏହି ସମୟ ମଧ୍ୟରେ ତାଙ୍କ ବ୍ୟାଟରୁ ୨ଟି ଚୌକା ଓ ୨ ଛକା ବାହାରିଥିଲା। ଯେଉଁଠାରେ ହାର୍ଦ୍ଦିକ ପାଣ୍ଡ୍ୟା କେବଳ ୧୭ ଟି ବଲରେ ୩୩ ରନ ସଂଗ୍ରହ କରିଥିଲେ।

Categories
ଆଜିର ଖବର ଖେଳ ଜାତୀୟ ଖବର

ଆଜି ଏସିଆ କପରେ ଭାରତ-ପାକିସ୍ତାନ ହେବେ ମୁହାଁମୁହିଁ, ଜାଣନ୍ତୁ ସମ୍ଭାବ୍ୟ ଖେଳାଳି ଏବଂ ପାଣିପାଗ

ନୂଆଦିଲ୍ଲୀ: ଏସିଆ କପ୍ ୨୦୨୨ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଯାଇଛି। ଗତକାଲି ଆଫଗାନିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳ ଆରମ୍ଭ ହୋଇଥିଲା। ଆଜି ଭାରତ ଏବଂ ପାକିସ୍ଥାନର ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଅଭିଯାନ ଆରମ୍ଭ କରିବେ। ସନ୍ଧ୍ୟା ୭.୩୦ ରେ ଉଭୟ ଦଳ ମୁହାଁମୁହିଁ ହେବେ। ଏହି ମ୍ୟାଚ୍ ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ। ମ୍ୟାଚ୍ ସମୟରେ ଦୁବାଇର ପାଣିପାଗ ଏବଂ ପିଚ୍ କିପରି ହେବ ଏବଂ ଉଭୟ ଦଳର ସମ୍ଭାବ୍ୟ ଏକାଦଶ ଖେଳାଳିରେ କିଏ ପ୍ରବେଶ କରିପାରିବ? ଏଠାରେ ଜାଣନ୍ତୁ..

ପିଚ୍ ଏବଂ ପାଣିପାଗ ରିପୋର୍ଟ: ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମରେ ଦ୍ଵିତୀୟ ବ୍ୟାଟିଂ କରୁଥିବା ଦଳକୁ ଫାଇଦା ମିଳୁଛି। ରାତିରେ ଏଠାରେ ହାଲୁକା କାକର ପଡୁଛି, ଯାହା ବୋଲରମାନଙ୍କ ପାଇଁ ଟିକେ ଅସୁବିଧା ସୃଷ୍ଟି କରିଥାଏ। ମୋଟ ଉପରେ, ଏଠାରେ ଥିବା ପିଚ୍ ବୋଲର ଏବଂ ବ୍ୟାଟ୍ସମ୍ୟାନଙ୍କୁ ସମାନ ସାହାଯ୍ୟ ଦେଇଥାଏ। ଆରମ୍ଭରେ ଦ୍ରୁତ ବୋଲର ଏବଂ ତା’ପରେ ସ୍ପିନରମାନେ ସାହାଯ୍ୟ ପାଆନ୍ତି ଏବଂ ଦ୍ୱିତୀୟ ଇନିଂସରେ ବ୍ୟାଟିଂ ସହଜ ହୋଇଥାଏ। ଟସ୍ ଜିତିଥିବା ଦଳ ଏଠାରେ ପ୍ରଥମେ ବୋଲିଂ କରିବାକୁ ପସନ୍ଦ କରନ୍ତି। ପାଣିପାଗ ବିଷୟରେ କହିବାକୁ ଗଲେ, ଏହି ସମୟରେ ଦୁବାଇରେ ଭୟଙ୍କର ଉତ୍ତାପ ରହିବ। ଏଠାରେ ସନ୍ଧ୍ୟା ସୁଦ୍ଧା ତାପମାତ୍ରା ପ୍ରାୟ ୩୫ ଡିଗ୍ରୀ ରହିବ।

ସମ୍ଭାବ୍ୟ ଏକାଦଶ ଖେଳାଳି:

ଟିମ୍ ଇଣ୍ଡିଆ: ରୋହିତ ଶର୍ମା (ଅଧିନାୟକ), କେ.ଏଲ୍ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ (ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଦୀନେଶ କାର୍ତ୍ତିକ/ଆର ଅଶ୍ୱିନ, ରବିନ୍ଦ୍ର ଜାଡେଜା, ଭୂବନେଶ୍ୱର କୁମାର, ଅର୍ଶଦୀପ ସିଂ, ଯୁଜଭେନ୍ଦ୍ର ଚହଲ।

ପାକିସ୍ଥାନ: ବାବର ଆଜାମ (ଅଧିନାୟକ), ମହମ୍ମଦ ରିଜୱାନ (ୱିକେଟ୍ କିପର), ଫଖର ଜମାନ, ଇଫ୍ଟିଖର ଅହମ୍ମଦ, ଆସିଫ ଅଲି, ଖୁସଦିଲ ଶାହା, ଶାଦବ ଖାନ, ମହମ୍ମଦ ନୱାଜ, ନାସିମ ଶାହା, ହରିସ ରଉଫ, ଶାହନାୱାଜ ଦହାନି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଆଜିଠୁ ଏସିଆ କପ୍: ୬ ଟି ଦଳ ମଧ୍ୟରେ ହେବ ୧୩ ଟି ମ୍ୟାଚ୍, ପଢନ୍ତୁ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଜିନିଷ

ନୂଆଦିଲ୍ଲୀ: ଆଜିଠାରୁ ଏସିଆ କପ୍-୨୦୨୨ ଆରମ୍ଭ ହେବ। ଭାରତ ଏବଂ ପାକିସ୍ଥାନର ଦଳ ଅଗଷ୍ଟ ୨୮ ତାରିଖରେ ଦୁବାଇ ଆନ୍ତର୍ଜାତୀୟ ଷ୍ଟାଡିୟମରେ ମୁହାଁମୁହିଁ ହେବେ। ଏଥି ସହିତ ସେପ୍ଟେମ୍ବର ୧୧ ତାରିଖରେ ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଳାଯିବ। ଏସିଆ କପ୍ ୨୦୨୨ର ପ୍ରଥମ ମ୍ୟାଚ୍ ଆଫଗାନିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ। ପ୍ରାୟ ୪ ବର୍ଷ ପରେ ଏସିଆ କପ୍ ଆୟୋଜିତ ହେଉଛି। ଏହାପୂର୍ବରୁ ୨୦୧୮ ମସିହାରେ ଏସିଆ କପ୍ ଖେଳାଯାଇଥିଲା।

ଟି -୨୦ ଫର୍ମାଟରେ ଖେଳାଯିବ ମ୍ୟାଚ୍:

ଏସିଆ କପ୍ ୨୦୨୨ର ମ୍ୟାଚ୍ ଟି -୨୦ ଫର୍ମାଟରେ ଖେଳାଯିବ। ତେବେ ୨୦୧୬ ମସିହାରେ ପ୍ରଥମ ଥର ପାଇଁ ଏହି ଟୁର୍ଣ୍ଣାମେଣ୍ଟର ମ୍ୟାଚ୍ ଟି-୨୦ ଫର୍ମାଟରେ ଖେଳାଯାଇଥିଲା। ବାସ୍ତବରେ, ସେହି ବର୍ଷ ଟି -୨୦ ବିଶ୍ୱକପ୍ ଆୟୋଜନ କରାଯାଉଥିଲା, ଯେଉଁ କାରଣରୁ ୨୦୧୬ ଏସିଆ କପ୍ ଟି -୨୦ ଫର୍ମାଟରେ ଖେଳାଯାଇଥିଲା। ଏଥି ସହିତ, ଚଳିତ ବର୍ଷ ମଧ୍ୟ ଟି -୨୦ ବିଶ୍ୱକପ ଆୟୋଜିତ ହେବାକୁ ଯାଉଛି, ତେଣୁ ଏଥର ମଧ୍ୟ ଏହି ଟୁର୍ଣ୍ଣାମେଣ୍ଟ ଟି -୨୦ ଫର୍ମାଟରେ ଖେଳାଯିବ।

କିପରି ଦେଖିବେ ଲାଇଭ୍ ପ୍ରସାରଣ ଏବଂ ଷ୍ଟ୍ରିମିଂ?:

ଏସିଆ କପ୍ ୨୦୨୨ ର ସିଧା ପ୍ରସାରଣ ଷ୍ଟାର୍ ସ୍ପୋର୍ଟସ୍ ନେଟୱାର୍କରେ ହେବ। ବାସ୍ତବରେ, ଏସିଆ କପ୍-୨୦୨୨ ର ସିଧା ପ୍ରସାରଣ ଷ୍ଟାର୍ ସ୍ପୋର୍ଟସର ଚ୍ୟାନେଲରେ କରାଯିବ। ଏହା ବ୍ୟତୀତ ହଟଷ୍ଟାର ଆପ୍ ଏବଂ ୱେବସାଇଟରେ ଲାଇଭ୍ ଷ୍ଟ୍ରିମିଂ କରାଯିବ।

ଏସିଆ କପ୍ ର ଇତିହାସ:

ଏସିଆ କପ୍ ଇତିହାସ ବିଷୟରେ କହିବାକୁ ଗଲେ ଏହା ୧୯୮୪ ମସିହାରେ ଆରମ୍ଭ ହୋଇଥିଲା। ସେହି ବର୍ଷ ୟୁଏଇରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯାଇଥିଲା। ଟିମ୍ ଇଣ୍ଡିଆ ଏସିଆ କପ୍ ୧୯୮୪ ରେ ଚାମ୍ପିଅନ୍ ହୋଇଥିଲା। ଏଥି ସହିତ ଏସିଆ କପ୍ ଏପର୍ଯ୍ୟନ୍ତ ୧୪ ଥର ଆୟୋଜିତ ହୋଇଛି। ଯେଉଁଥିରେ ଭାରତ ସର୍ବାଧିକ ୭ ଥର ଟ୍ରଫି ଜିତିଥିବାବେଳେ ଶ୍ରୀଲଙ୍କା ୫ ଥର ଏସିଆ କପ୍ ଜିତିଛି।

ଏସିଆ କପରେ ସନାଥ ଜୟସୁରିୟା ସର୍ବାଧିକ ରନ୍ କରିଛନ୍ତି:

ଏସିଆ କପ୍‌ରେ ଶ୍ରୀଲଙ୍କାର ସନାଥ ଜୟସୁରିୟା ସର୍ବାଧିକ ରନ୍ ସ୍କୋର କରିଛନ୍ତି। ଜୟସୁରିଆ ୨୫ ଟି ମ୍ୟାଚ୍ ରେ ୧୨୨୦ ରନ୍ ସଂଗ୍ରହ କରିଛନ୍ତି। ଏଥି ସହିତ, ଲାସିଥ ମାଲିଙ୍ଗା ଏହି ଟୁର୍ଣ୍ଣାମେଣ୍ଟର ସବୁଠାରୁ ସଫଳ ବୋଲର। ଏସିଆ କପରେ ଲାସିଥ ମାଲିଙ୍ଗା ହାରାହାରି ୨୦.୫୫ ରେ ୧୪ ଟି ମ୍ୟାଚରେ ମୋଟ ୨୯ ୱିକେଟ୍ ନେଇଛନ୍ତି।

ଦୁଇଟି ଗୃପରେ ରହିବେ ଟିମ:

ଏସିଆ କପ୍ ୨୦୨୨ ର ୬ ଟି ଦଳକୁ ୨ ଟି ଗୃପରେ ବିଭକ୍ତ କରାଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ୧୩ ଟି ମ୍ୟାଚ୍ ଖେଳାଯିବ।

ଗ୍ରୁପ୍ ୧: ଭାରତ, ପାକିସ୍ଥାନ ଏବଂ ହଂକଂ।
ଗ୍ରୁପ୍ ୨: ଶ୍ରୀଲଙ୍କା, ଆଫଗାନିସ୍ତାନ ଏବଂ ବାଂଲାଦେଶ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ବଲାଙ୍ଗୀର ସହରରେ ଏବେ ଭାରତର ସର୍ବବୃହତ୍ ଫ୍ୟାସନ ଡେଷ୍ଟିନେସନ ଟ୍ରେଣ୍ଡ୍‌ସ 

ବଲାଙ୍ଗୀର: ଭାରତର ବୃହତମ ତଥା ଦିନକୁ ଦିନ ଦ୍ରୁତଗତିରେ ବୃଦ୍ଧିପାଉଥିବା ରିଲାଏନ୍ସ ରିଟେଲ୍‌ର ଆପାରେଲ ଏବଂ ଆସେସୋରୀ ସ୍ପେଶାଲିଟି ଚେନ୍ ଟ୍ରେଣ୍ଡ୍‌ସ ଓଡ଼ିଶାର ବଲାଙ୍ଗୀର ସହରରେ ତାହାର ନୂଆ ଷ୍ଟୋରର ଶୁଭାରମ୍ଭ କରିଛି।

ଟ୍ରେଣ୍ଡ୍‌ସ ବାସ୍ତବରେ ଭାରତର ଫ୍ୟାସନ କ୍ଷେତ୍ରକୁ ଲୋକାଭିମୁଖି କରି ଫାସନରେ ଗଣତନ୍ତ୍ରର ବିକାଶ କରିଛି। ଏହା ଭାରତର ଗ୍ରାହକଙ୍କ ସମ୍ପର୍କ ସୁଦୃଢ କରିଛି ଏବଂ ମେଟ୍ରୋ, ମିନି ମେଟ୍ରୋଠାରୁ ଆରମ୍ଭ କରି ଟିୟର ୧, ଟିୟର ୨ ସହର ଏବଂ ଆହୁରି ଅଧିକ ସ୍ଥାନରେ ଭାରତୀୟ ଉପଭୋକ୍ତାଙ୍କ ନିକଟରେ ପହଂଚିଛି ଏବଂ ଭାରତର ପସନ୍ଦଯୋଗ୍ୟ ଫ୍ୟାସନ ସପିଙ୍ଗ ଡେଷ୍ଟିନେସନ ପାଲଟିଛି।

ବଲାଙ୍ଗୀର ସହରରେ ଏହି ଟ୍ରେଣ୍ଡ୍‌ସ ଷ୍ଟୋରର ମଡର୍ଣ୍ଣ ଲୁକ୍ ଏବଂ ପରିବେଶ ସହିତ ସ୍ଥାନୀୟ ଗ୍ରାହକମାନଙ୍କ ମନଲାଖି ଉଚ୍ଚମାନର ଆକର୍ଷଣୀୟ ଫ୍ୟାସନ ମର୍ଚ୍ଚାଣ୍ଡାଇଜ ସମ୍ଭାର ଓ ସୁଲଭ ମୂଲ୍ୟ ଏହାକୁ ଅଧିକ ଆକର୍ଷଣୀୟ କରି ତୋଳିଛି। ବଲାଙ୍ଗୀର ସହର ଓ ନିକଟବର୍ତ୍ତୀ ଅଂଚଳର ଗ୍ରାହକମାନେ ଏବେ ଟ୍ରେଣ୍ଡି ୱିମେନ ୱିୟର, ମେନ୍ସ ୱିୟର, କିଡସ ୱିୟର ଏବଂ ଫ୍ୟାସନ ଆସେସୋରିଜ ଅତି ସ୍ୱତନ୍ତ୍ର ମୂଲ୍ୟରେ ଏବଂ ଚମତ୍କାର କିଣାକିଣି ଅନୁଭୂତି ସହିତ ପାଇପାରିବେ।

ଏହି ୧୦,୧୮୧ ବର୍ଗଫୁଟର ଷ୍ଟୋର ହେଉଛି ବଲାଙ୍ଗୀର ସହରର ପ୍ରଥମ ଟ୍ରେଣ୍ଡ୍‌ସ ଷ୍ଟୋର ଯେଉଁଥିରେ ଗ୍ରାହକମାନଙ୍କ ପାଇଁ ଆକର୍ଷଣୀୟ ଫ୍ୟାସନ ଓ ଲୋଭନୀୟ ମୂଲ୍ୟ ସହିତ ସ୍ୱତନ୍ତ୍ର ପ୍ରାରମ୍ଭିକ ଅଫର ରହିଛି। ଯେପରିକି ୩୪୯୯ ଟଙ୍କାର କିଣାକିଣି କରନ୍ତୁ ଏବଂ ୧୯୯ ଟଙ୍କାରେ ଏକ ଆକର୍ଷଣୀୟ ଉପହାର ପାଆନ୍ତୁ। କେବଳ ସେତିକି ନୁହେଁ, ଗ୍ରାହକମାନେ ୨୯୯୯ ଟଙ୍କାର କିଣାକିଣି ସହିତ ୩୦୦୦ ଟଙ୍କା ମୂଲ୍ୟର କୁପନ୍ ସମ୍ପୂର୍ଣ୍ଣ ମାଗଣାରେ ପାଇପାରିବେ।

ଅନନ୍ୟ ଫ୍ୟାଶନ୍ ସପିଙ୍ଗ୍ ଅନୁଭୁତି ପାଇଁ ପ୍ରକୃଷ୍ଟ ସ୍ଥଳ ପାଲଟିଛି ବଲାଙ୍ଗୀରରେ ଖୋଲିଥିବା ନୂଆ ଟ୍ରେଣ୍ଡ୍‌ସ ଷ୍ଟୋର୍।

Categories
ଆଜିର ଖବର ଖେଳ ଜାତୀୟ ଖବର

ପାକିସ୍ତାନ ବିରୋଧରେ ଭାରତର ହୋଇପାରେଏଭଳି ସମ୍ଭାବ୍ୟ ଏକାଦଶ, ରୋହିତଙ୍କ ସହ କିଏ କରିବେ ଓପନିଂ?

ନୂଆଦିଲ୍ଲୀ: ବର୍ତ୍ତମାନ ୨୦୨୨ ଏସିଆ କପ୍ ଆରମ୍ଭ ହେବାକୁ ଗୋଟିଏ ଦିନ ବାକି ଅଛି। ଆସନ୍ତାକାଲି ଶ୍ରୀଲଙ୍କା ଏବଂ ଆଫଗାନିସ୍ତାନ ମଧ୍ୟରେ ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚ ଖେଳାଯିବ। ଅଗଷ୍ଟ ୨୮ ତାରିଖରେ ଟୁର୍ଣ୍ଣାମେଣ୍ଟର ସବୁଠାରୁ ବଡ ମ୍ୟାଚ୍ ଖେଳାଯିବ। ଏହାର ଅର୍ଥ ହେଉଛି ଭାରତ ଏବଂ ପାକିସ୍ତାନର କ୍ରିକେଟ୍ ଦଳ ଏହି ଦିନ ମୁହାଁମୁହିଁ ହେବେ। ଏହାପୂର୍ବରୁ ଜାଣନ୍ତୁ, ପାକିସ୍ତାନ ବିପକ୍ଷ ମ୍ୟାଚରେ ଟିମ୍ ଇଣ୍ଡିଆର ସମ୍ଭାବ୍ୟ ଏକାଦଶ କିପରି ହୋଇପାରେ?

ତେବେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଏବଂ ଅନ୍ତରୀଣ ମୁଖ୍ୟ ପ୍ରଶିକ୍ଷକ ଭିଭିଏସ୍ ଲକ୍ଷ୍ମଣଙ୍କ ପାଇଁ ଖେଳାଳି ଏକାଦଶ ଚୟନ ସହଜ ହେବ ନାହିଁ। ଦୀନେଶ କାର୍ତ୍ତିକ ଏବଂ ଦୀପକ ହୁଡାଙ୍କ ମଧ୍ୟରେ କିଏ ଖେଳିବ? ଭୁବନେଶ୍ୱର କୁମାରଙ୍କ ସହଭାଗୀ କିଏ ହେବ? ଅନେକ ପ୍ରଶ୍ନ ଅଛି, ଯାହା ଉତ୍ତର ଦେବା ସହଜ ହେବ ନାହିଁ।

କ୍ୟାପଟେନ ରୋହିତ ଶର୍ମା ଏବଂ କେ.ଏଲ୍ ରାହୁଲ ଏସିଆ କପରେ ଭାରତ ପାଇଁ ଇନିଂସ ଓପନିଂ କରିପାରନ୍ତି। ଏଥି ସହିତ ବିରାଟ କୋହଲି ତିନି ନମ୍ବରରେ ଖେଳିବେ। ଯଦିଓ କୋହଲି ଫର୍ମରେ ନାହାଁନ୍ତି, ତଥାପି ଦଳରେ ରହିବା ବିରୋଧୀ ଦଳ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିବ। ସେ କେବଳ ନିଜ ଦକ୍ଷତାରେ ଯେକୌଣସି ସମୟରେ ଦଳକୁ ବିଜୟ ଆଡକୁ ନେଇପାରନ୍ତି।

ପାକିସ୍ତାନ ବିପକ୍ଷ ମ୍ୟାଚରେ ସୂର୍ଯ୍ୟକୁମାର ଯାଦବ ଚତୁର୍ଥ ନମ୍ବରରେ, ଋଷଭ ପନ୍ତ ପାଞ୍ଚ ନମ୍ବରରେ, ଷଷ୍ଠ ନମ୍ବରରେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ସପ୍ତମ ସ୍ଥାନରେ ଦୀନେଶ କାର୍ତ୍ତିକ ଖେଳିପାରନ୍ତି। ସୂର୍ଯ୍ୟକୁମାର ଉତ୍କୃଷ୍ଟ ଫର୍ମରେ ଅଛନ୍ତି। ସେ ଏହି ଫର୍ମାଟର ର଼୍ୟାଙ୍କିଙ୍ଗରେ ଦୁଇ ନମ୍ବରରେ ଅଛନ୍ତି। ଏଥି ସହିତ ହାର୍ଦ୍ଦିକଙ୍କ ପୂରା ଚାରି ଓଭର ହେତୁ ଦଳ ଅତିରିକ୍ତ ବ୍ୟାଟ୍ସମ୍ୟାନ୍ ଙ୍କ ସହ ଯାଇପାରେ।

ଟିମ୍ ଇଣ୍ଡିଆର ବୋଲିଂ ବିଭାଗ ବିଷୟରେ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଏବଂ ଲେଗ୍ ସ୍ପିନର ୟୁଜବେନ୍ଦ୍ର ଚହଲ ସ୍ପିନ୍ ବିଭାଗ ପରିଚାଳନା କରିବେ। ଭୁବନେଶ୍ୱର କୁମାର ଏବଂ ଅର୍ଶଦୀପ ସିଂଙ୍କ କାନ୍ଧରେ ଦ୍ରୁତ ବୋଲିଂ ବିଭାଗର ଦାୟିତ୍ଵ ରହିବ। ଉଭୟଙ୍କୁ ହାର୍ଦ୍ଦିକ ସହଯୋଗ କରିବେ।

ପାକିସ୍ତାନ ବିପକ୍ଷରେ ଭାରତର ସମ୍ଭାବ୍ୟ ଏକାଦଶ: ରୋହିତ ଶର୍ମା (ଅଧିନାୟକ), କେ.ଏଲ୍ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ (ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଦୀନେଶ କାର୍ତ୍ତିକ, ରବିନ୍ଦ୍ର ଜାଡେଜା, ଭୁବନେଶ୍ୱର କୁମାର, ଯୁଜବେନ୍ଦ୍ର ଚହଲ ଏବଂ ଅର୍ଶଦୀପ ସିଂ।